Unknown

 

 

 

 

 

 

 

 

 

 

 

କର୍ତ୍ତବ୍ୟ

ଗଗନବାଳା ନନ୍ଦ

 

ସର୍ବଶକ୍ତି ଧାରିଣୀ ମା’ ଯିଏ କି ମଣିଷକୁ ତା କର୍ମପଥରେ ଆଗେଇ ନେଇଥାଏ ଶତ ବାଧାବିଘ୍ନ ସତ୍ତ୍ୱେ, ଆଜି ତାରି ପାଦ ତଳରେ ଅର୍ପଣ କରୁଛି ମୋ କର୍ମପଥରେ ପ୍ରଥମ ଅର୍ଘ୍ୟ ‘କର୍ତ୍ତବ୍ୟ’ ।

 

—ଗଗନବାଳା

କଟକ

 

ମାମିର ତନ୍ଦ୍ରିଳ ଚକ୍ଷୁଦ୍ୱୟରେ ଭରି ରହିଥିଲା ଅସୀମ ତନ୍ଦ୍ରା ଓ ଦେହରେ ଅଶେଷ ଆଳସ୍ୟ । ପାହାନ୍ତି ପବନରେ ଶୀତଳ ସ୍ପର୍ଶ ତାର ସୁପ୍ତ ମନ ଓ ଦେହକୁ ଜାଗ୍ରତ କରିଦେଲା । ଝରକା ଦେଇ ଚାହିଁଲା ମାମି । ପୂର୍ବାକାଶ ଫର୍ଚ୍ଚା ହୋଇ ଆସିଲାଣି ତାର ଯୁଗ ଯୁଗର ଅପେକ୍ଷା ପରେ ସେ ଆଜି ପାଇବ ତାର ଖୋଜିଲା ଜିନିଷ । ବାପା, ବୋଉ, ବାପି, ବୁବୁ ଆଉ ମିତା ସମସ୍ତେ ଆଜି ଫେରିବେ ଲଣ୍ଡନରୁ । ସମସ୍ତଙ୍କର କେତେ ପରିବର୍ତ୍ତନ ହୋଇ ଯାଇଥିବ ସତେ ! ମାତ୍ର ଚାରିବର୍ଷ ତଳର ସେଇ ମୁହଁଗୁଡ଼ିକ ଭାସିଗଲା ମାମିର ମୁଦ୍ରିତ ଚକ୍ଷୁ ସମ୍ମୁଖରେ । ଯେଉଁ ମାମିକୁ ମୁହୂର୍ତ୍ତେ ନ ଦେଖିଲେ ବିବ୍ରତ ହୋଇ ଉଠୁଥିଲେ ସମସ୍ତେ, ସେଇ ମାମିକୁ ଦୀର୍ଘ ଚାରି ବର୍ଷଧରି ନ ଦେଖି କେମିତି ରହିଛନ୍ତି ସେମାନେ । ମାମି ଆଜି ସମସ୍ତଙ୍କର ପର, କାହିଁକି ଭାବିବେ ସେମାନେ ତା ବିଷୟରେ । କୋଟିପତିଙ୍କର ଏକମାତ୍ର ଉଚ୍ଚ ଶିକ୍ଷିତ ପୁଅ ସହ ବାହାଘର ହୋଇଯାଇଛି ତାର । ବାପା ମା’ ଙ୍କର ତାଠାରୁ କର୍ତ୍ତବ୍ୟ ସରିଛି । ତେବେ ସେମାନେ କାହିଁକି ଆଉ ଭାବିବେ ମାମି କଥା, ସତରେ ମାମି ତାଙ୍କ ପାଇଁ ପର ହୋଇ ଯାଇଛି । ମାମିର ଅନ୍ତର ଥରାଇ ବାହାରି ଆସିଲା ଏକ ଦୀର୍ଘନିଃଶ୍ଵାସ । ଆଖିରୁ ବହିଗଲା ଦୁଇଧାର ଲୁହ ।

ବାପା ବୋଉ ଜାଣନ୍ତି ମାମି ତାଙ୍କର ଶାନ୍ତିରେ ଅଛି କିନ୍ତୁ ଆଜି ତାକୁ ଦେଖିଲେ କଣ କହିବେ ସେମାନେ ? ସେମାନଙ୍କର ବହୁ ବର୍ଷର ଧାରଣା ଧୂଳିସାତ୍‍ ହୋଇ ଯିବନି ତ ଆଉ କଣ ? କିନ୍ତୁ ନା ମାମି କଥା ଦେଇଛି ସେ ଜଳି ଜଳି ପାଉଁଶ ମୁଠାଏ ହୋଇପାରେ ହେଲେ ବୋଉକୁ ଦେଇଥିବା କଥା ଭାଙ୍ଗି, ବୋଉ ମନର ଆଶାର ମୀନାରକୁ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବାକୁ କଦାପି ଦେବନି ।

ଠନ୍, ଠନ୍, ଠନ୍ କାନ୍ଥ ଘଣ୍ଟାର ଆବାଜରେ ଭାବନା ରାଜ୍ୟରୁ ଫେରି ଆସିଲା ମାମି । ଆରେ ପାଞ୍ଚଟା ହୋଇଗଲା ଯେ । ଉଠି ବସି ପଡ଼ିଲା ସେ । ମଶାରୀ ଉଠାଇ ଶେଯଟା ଝାଡ଼ି ଦେଇ ତରତରରେ ଅନ୍ୟ ମନସ୍କ ଭାବରେ ବାହାରି ଯାଇଥିବା ସମୟରେ ବୁଲିପଡ଼ି ମାମି ଚାହିଁଲା ସ୍ଵାମୀଙ୍କର ଖଟ ଦିଗରେ । ହଠାତ୍ ଦୃଷ୍ଟି ପଡ଼ିଗଲା ସେଇ ଛୋଟ ଟେବୁଲ ଉପରେ ଯେଉଁଟାକି ପ୍ରାଚୀର ସଦୃଶ୍ୟ ଦଣ୍ଡାମାନ ଅଛି ଉଭୟଙ୍କ ମଧ୍ୟରେ । ମାମି ସର୍ବଦା ସଜାଡ଼ି ରଖୁଥିଲା ଟେବୁଲଟି । ତା ଉପରେ ସୁସଜ୍ଜିତ ଥିଲା ବାହାଘର କେବଳର ଦୁଇଟି ଫୋଟ ଆଉ ମଝିରେ collage picnic ରେ ଯାଉଥିବା ବେଳର group photo ଟି । ସେଇ ଫୋଟ ପଛରେ ବଡ଼ ବଡ଼ ଫୁଲଦାନୀ ଓ ଦୁଇପାର୍ଶ୍ୱରେ ମାମିର ହସ୍ତ ପ୍ରସ୍ତୁତ ଦୁଇଟି ଛୋଟ ଫୁଲଦାନୀ । ଘରଟି ସ୍ୱର୍ଗୀୟ ଭୁବନଠାରୁ ସୈନ୍ଦଯ୍ୟମୟ ହୋଇ ସୁ-ସଜ୍ଜିତ ହୋଇଥିଲେ ମଧ୍ୟ ଏଇ ଛୋଟ ଟେବୁଲଟି ଅସଜଡ଼ା ହେଲେ ବିରକ୍ତ ହୋଇ ଉଠନ୍ତି ମନୋଜ । ତାକୁ ସଜାଡ଼ି ମାମି ଯେତିକି ତୃପ୍ତି ପାଏ ସେଇ ଟେବୁଲଟି ସୁସଜ୍ଜିତ ଥିଲେ ତାଠାରୁ ସତ ଗୁଣରେ ଅଧିକ ଶାନ୍ତି ପାଆନ୍ତି ମନୋଜ । ମନୋଜ ଉଠିବା ପୂର୍ବରୁ ତାଙ୍କ ମନମୁତାବକ କାର୍ଯ୍ୟ କରି ସାରିଥାଏ ଏଇ ମାମି ।

ସବୁଦିନ ପରି ଆଜି ମଧ୍ୟ ପୁନର୍ବାର ସଦ୍ୟ ପ୍ରଷ୍ପୁଟିତ କେତେକ ରଙ୍ଗୀନ ଫୁଲରେ ଫୁଲଦାନିଗୁଡ଼ିକ ସଜାଡ଼ି ଶୁଷ୍କ ଫୁଲଗୁଡ଼ି ଫୋପାଡ଼ିବା ସମୟରେ ମାମି ଭାବିଥିଲା ତାର ନିର୍ବୋଧ ସ୍ଵାମୀ କଥା । ନିର୍ବୋଧ ନୁହେଁ ତ ଆଉ କଣ ? ଫୁଲଦାନିର ଶୁଷ୍କ ପୁଷ୍ପ ଦେଖି ଉତ୍ୟକ୍ତ ହୋଇ ଯାଉଥିବା ମନୋଜ ଥରେ ମାତ୍ର ଭାବି ଦେଖିଛନ୍ତି ତାଙ୍କ ମାମିର ଜୀବନ କେତେ ଶୁଷ୍କ ଆଉ ନୀରସ ରଙ୍ଗହୀନ କଳିକା ମାତ୍ର ଯେ କି ପ୍ରଷ୍ପୁଟିତ ହେବାର ପ୍ରଶ୍ନ ହୁଏତ ନାହିଁ ।

ଆଜି ଉଠିବାରେ ବିଳମ୍ବ ହୋଇ ଯାଇଛି ମାମିର । ନିତ୍ୟକର୍ମ ସାରି ଠାକୁର ଘରେ ପ୍ରବେଶ କଲା ମାମି । ଶିକ୍ତ କୁନ୍ତଳଗୁଡ଼ିକରେ ଗଣ୍ଠିଟିଏ ପକାଇ ଦୁଇଧାର ଅଶ୍ରୁଦେଇ ପ୍ରଣତି ବାଢ଼ିଲା ଇଶ୍ୱରଙ୍କ ପାଦତଳେ । ତରତରରେ ରୋଷେଇ ଘରେ ପଶିଯାଇ ମାମି ଦେଖିଲା ସେଠିକାର କାମ ଆରମ୍ଭ ହୋଇଯାଇଥିଲା ରଘୁଆର ତତ୍ୱାବଧାନରେ । ଏ ଘରର ସବୁ କାମ ଚାଲିଛି ସମୟାନୁସାରେ ମାତ୍ର ପଛେଇ ଯାଇଛନ୍ତି ମନୋଜ । ପ୍ରତ୍ୟହ ସାଢ଼େଚାରିରୁ ଶଯ୍ୟା ତ୍ୟାଗ କରୁଥିବା ମନୋଜ ଏବେ ଶେଯ ଛାଡ଼ୁ ଛାଡ଼ୁ ସାତ ସାଢ଼େ ସାତ, ଏଣୁ ଏକାକୀ ସକାଳ ଜଳଖିଆ ନିଜରୁମରେ ଖାଉଥିଲେ ସେ । ଦ୍ୱିପହର ଖିଆତ ପ୍ରାୟ ଘରେ ହୁଏନି ଆଉ ରାତି.... ।

ବାପ ପୁଅଙ୍କର ସାକ୍ଷାତ ପ୍ରାୟ ହୁଏନି । ମାମି ମଧ୍ୟ କୌଣସି ଦିନ କୌଣସି ଅଭିଯୋଗ ବାଢ଼ିନି ସ୍ଵାମୀ ବିରୁଦ୍ଧରେ । କୌଣସି ଦିନ ସ୍ତ୍ରୀର ଦାବୀ ନେଇ ସେ ଠିଆ ହୋଇନି ମନୋଜଙ୍କ ସମ୍ମୁଖରେ । ମନୋଜର କଥା ଗୁଡ଼ା ସତରେ ଭାରି ବାଧେ ହେଲେ ସାଧାରଣ ଭାବରେ ହସିଦିଏ ମାମି । ମାମି ମୁହଁରେ ହସ ଦେଖିଲେ ମନୋଜ ସହିପାରନ୍ତିନି । ଜଳଖିଆ ନେଇ ଘର ଭିତରେ ପଶୁ ପଶୁ ଭାବୁଥିଲା ମାମି । ଦର୍ପଣ ସମ୍ମୁଖରେ ଟାଇଟା ଠିକ୍ କରୁଥିଲେ ମନୋଜ । ଦୁହେଁ ନୀରବ-। ମନୋଜ ଖାଇବା ଆରମ୍ଭ କଲେ କିନ୍ତୁ ସେ ଆଜି କିଛି ବି ଖାଇ ପାରିଲେନି । ଓଭଲଟିନ୍‍ କପ୍‍ଟା ମନୋଜ ଦିଗରେ କଢ଼େଇ ଦେଇ ମାମି କହିଲା—

: ବାପା କହିଛନ୍ତି ଆଜି ଟିକେ ଶୀଘ୍ର ଆସିବ ।

: ବାପା କଣ ଜାଣି ନାହାନ୍ତି ଯେ ମୁଁ କେମିତି ଅବସ୍ଥାରେ office ଯାଉଛି ? ସକାଳୁ ଯାଉ ଯାଉ ଯଦି ଏତେ ଡେରି, ତେବେ ମୁଁ ଶୀଘ୍ର ଆସିବି କେମିତି ? ତାଛଡ଼ା...

: ବାପା ଆଜି ଫେରୁଛନ୍ତି....

: ଓଃ ତେବେ ମୁଁ ସ୍କୁଟରରେ ଚାଲିଯାଇଛି । ତମେ ଗାଡ଼ି ନେଇ ଭୁବନେଶ୍ଵର ଯାଇପାର-

: ଆରେ ଉଠିଗଲ କଣ କପେ ଓଭଲଟିନ୍ ବି ପି’ ପାରିବନି ।

: ପିଇବାକୁ ମତେ ଦଉଛି କିଏ ?

ମାମି ଯେଉଁଦିନ କଥା କହେ ଠିକ୍ ଏମିତି ଭାବରେ ଉତ୍ୟକ୍ତ ହୋଇ ଚାଲିଯାଆନ୍ତି ମନୋଜ ସବୁ ଦୋଷ ତା ଉପରେ ଢାଳି ଦେଇ । ବାହାରେ ସ୍କୁଟର ଷ୍ଟାଟ ହେବାର ଆବାଜ ଶୁଭିଲା-। ଝରକା ପାଖକୁ ଚାଲି ଆସିଲା ମାମି, ମନୋଜ ଚାଲିଗଲେ । ଅଦୃଶ୍ୟ ହୋଇଗଲା ତାର ସ୍କୁଟରଟା । ମାମି ଆଖିରୁ ଦୁଇଧାର ଲୁହ ଝରିଗଲା; ‘ହେ ପ୍ରଭୁ ତାଙ୍କୁ ସଦ୍‍ବୁଦ୍ଧି ଦିଅ ।’ ଫେରି ଚାହିଁଲା ମାମି । ପଛରେ ଡ୍ରେସିଂଟେବୁଲ ଦର୍ପଣ ମଧ୍ୟରେ ଭାସି ଉଠିଲା ତାର ଚେହେରାଟା । ଆଗେଇଗଲା ସେ ସେଇ ଟେବୁଲ୍ ନିକଟକୁ । ଉପରେ ଦୁଇଟି ଫୋଟଥିଲା ଦୁଇଜଣଙ୍କର ବିବାହ ପୂର୍ବର ଫୋଟ । ସତରେ କେତେ ଶାନ୍ତିରେ ଥିଲେ । ଖୁସି ଓ ଶାନ୍ତି ଉଭୟ ମଧ୍ୟରେ ସର୍ବଦା ରହିଥିବା ମନୋଜ ଓ ମାମି କଣ ପାଉଛନ୍ତି ବର୍ତ୍ତମାନ ? ଫେରି ଆସିଲା ମାମି ତା ଅନ୍ୟମନସ୍କ ମନଟା ଆୟତକୁ ଆଣି, ଅଇଁଠା ନେଇ ସେ ଘରୁ ଚାଲିଯିବା ସମୟରେ ଶାଶୁ ଆସିଲେ—‘ଆରେ ମା ମନୁ ଚାଲିଗଲା କି ?’

‘ହଁ ।’

‘ତାକୁ କହିଛୁ ଆସିବାକୁ ?’

‘ହଁ କହିଛନ୍ତି ଚେଷ୍ଟା କରିବେ । ବର୍ଷ ଶେଷ ତ ବହୁତ କାମ ପଡ଼ୁଛି ।’

‘କଣ ବାବା ଚାକିରୀ ସେ କରୁଛି । ଛି ଛି କଣ ଭାବିବେ ସମୁଧି ? ଯେତେ କହିଲେ କଣ ବୁଝୁଛି । କି ଚାକିରୀ କରୁଛି ଭଗବାନଙ୍କୁ ଜଣା ! କଣ ନା ପୁଅ ଆମର ।. A. S. officer.’ କଥାଟା କହି ଉତ୍ୟକ୍ତ ହୋଇ ସେ ଘରୁ ସିଧା ବାହାରି ଆସି ତଳକୁ ଆସିଲେ । ପଛେ ପଛେ ମାମି ଆସୁଥିଲା । ଶାଶୁ ସିଧା ଚାଲିଗଲେ ବୈଠକଖାନାକୁ । ସେଠାରେ ଶ୍ୱଶୁର ବସି ପଢ଼ୁଥିଲେ ତାଙ୍କ ଦୈନିକ ପତ୍ରିକା । ପାଖରେ ପଡ଼ି ରହିଥିଲା ବହୁ କାଗଜପତ୍ର । ନିର୍ଜୀବ ଭାବେ ଠାକୁର ଘର ବାରଣ୍ଡାରେ ଠିଆ ହୋଇ ସେମାନଙ୍କ କଥାକୁ କାନେଇ ଥିଲା ମାମି । ଶାଶୁ କହୁଥିଲେ—

: ମନୁକୁ କହିଲଟି ଆସିବାକୁ ?

: ତମେ କଣ କରୁଥିଲ କି ?

: ମଲା ମୁଁ ଠାକୁର ଘରେ ଥିଲି, କଣ ମୁଁ କହିବି ବୋଲି କିଛି ମାନେ ଅଛି ?

: ମୋର କଣ କହିବା ଦରକାର ? ତମର ତ ସେ ବାଧ୍ୟ ସନ୍ତାନ । ହସି ହସି କହିଲେ ମନ୍ମଥ ବାବୁ ।

: ତମକୁ ରହସ୍ୟ ଲାଗିଛି ନୁହେଁ ? ଭାବି ପାରୁଛ ସେ ନ ଗଲେ କଣ ଭାବିବେ ବିଜୟ ବାବୁ ? ଏତେ ବର୍ଷ ପରେ ସେ ଫେରୁଛନ୍ତି କଥାଟା କେଡ଼େ ଅସୁନ୍ଦର.....ବିବ୍ରତ ହୋଇ ଉଠିଲେ ବାସନ୍ତୀ ଦେବୀ ।

: ମନୁ ବୋଉ ସୁନ୍ଦର ଅସୁନ୍ଦର ବର୍ତ୍ତମାନ ଭାବି ଲାଭ ନାହିଁ । ସେ ହାତରୁ ଖସିଗଲାଣି । ଭାବୁଛ ମୁଁ କିଛି ଜାଣି ପାରୁନି ତାକୁ ଚାରି ବର୍ଷ ହେଲା ମୁଁ ଲକ୍ଷ୍ୟ କରୁଛି, ବୁଝିଲ । ଭଲରେ ମନେ ରଖିଥାଏ ସେ ପିଲା ମୋ ସମ୍ମାନ ଓ ବନ୍ଧୁତ୍ୱରେ କିଛି ଆଞ୍ଚ ଆଣିବା ପୂର୍ବରୁ ମୋ ବାଟରେ ମୁଁ ଚାଲିଯିବି । ତମେ ଯେମିତି ପୁଅକୁ ମୁହଁ ଦେଇଛ... ।

: କଣ ଗୁଡ଼େ ବକି ଯାଉଛ ହେ ? ମୁଁ ତ ସେ ଦିନୁ ମନା କରୁଛି ଦରକାର ନାହିଁ ଆମର ସେ ଆଇ.ଏ.ଏସ୍. ଚାକିରୀ । କଣ ମିଳିବ ସେଥିରୁ । ମୁଁ ଠିକ୍ ଜାଣେ ପିଲାଟା ମୋର ଆଇ.ଏ.ଏସ୍. ହେଲେ ଏମିତି ନଷ୍ଟ ହୋଇ..... ।

: ହଁ ହଁ ପୁଅଟି ତମର ଭାରି ସୁନା ନା ? କଣ ପାଇଁ ହଠାତ୍ ବାହାଘର କଲି ଜାଣ ? ଯେମିତି ଆଇ. ଏ. ଏସ୍. ଆଉ କେହି ପାଉ ନାହାନ୍ତି ?

: ସବୁ କଥାରେ ତା ଉପରେ ଦୋଷ ଦବା ତମର ଗୁଣ । ତମେ କାହିଁକି ତାକୁ କହିଲନି-?

: ଆରେ ମା ମାମୁନି ଟିକେ ଆସିଲ । ସ୍ତ୍ରୀଙ୍କ କଥା ନ ଶୁଣି ଡାକିଲେ ମନ୍ମଥ ବାବୁ । ମାମି ଚମକି ପଡ଼ିଲା ହଠାତ୍ । ଧୀରେ ଆସି ପରଦା ଆଡ଼େଇ ଠିଆ ହେଲା ସେ । ମାମିକୁ ଡାକି ପାଖରେ ବସାଇଲେ ମନ୍ମଥ ବାବୁ ତା ପିଠିରେ ହାତ ବୁଲାଇ କହିଲେ—

: ମନୁ ବୋଉ, ଛୁଆଟା ମୋର ଏମିତି ଝଡ଼ି ଯାଉଛି କାହିଁକି ?

: ବୁଝିଲେ ବାପା ଆପଣଙ୍କର ଠିକ୍ ବାପାଙ୍କ ପରି ଚିନ୍ତା, ମୁଁ ତ ଝଡ଼ିନି । ମୁଣ୍ଡରେ ଓଢ଼ଣା ମୁହଁରେ ଲାଗିଥିଲା ସେଇ ପରିଚିତ ହସ ଉତ୍ତର ଦେଲା ମାମି ।

: ନାଇ ମ ମୋଟା ହୋଇଛୁ ! କହି ଦେଲେ ବାସନ୍ତୀ ଦେବୀ । ଶାଶୁଙ୍କ କଥାରେ ନୀରବରେ ମୁଣ୍ଡକୁ ତଳକୁ ପୋତି ହସୁଥିଲା ମାମି । ଶାଶୁ ଘରେ ସେ ପାଇଛି ବୋଲି ପାଇଛି ଅତ୍ୟଧିକ ଭାବେ ଶାଶୁ ଓ ଶ୍ୱଶୁରଙ୍କର ସ୍ନେହ ମମତା ଯେଉଁଟା କି ତାକୁ ଏମିତି ଶକ୍ତ ଭାବେ ବାନ୍ଧି ରଖିଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ—

: ହେଇଟି ଦେଖିଲ ଛୁଆଟା ଖାଇନି ଏଯାଏ, ତମରି ପାଇଁ ଏତକ ହେଲା ।

: ମୋ ପାଇଁ ନୁହେଁ ଆଉ କଣ, ତମେ ମୋ ସହ କଳି କଲ, ସମୟ ଗଲା, ଦୋଷ ମୋର ତାକୁ ଡାକିଲି ବୋଲି, ତମର କଣ ମନେ ଥିଲା ? ହସି ହସି କହିଲେ ମନ୍ମଥ ବାବୁ ।

: ତାକୁ କାହିଁକି ଡାକିଲ ଯେ ? ଚାଲିଲୁ ମା ଚାଲ, ତୁ ଟିକେ ଖାଇ ନେବୁ । ହଁ ମ ମତେ ବି ଭୋକ ହେଲାଣି ।

: ବାପା ଆପଣ ଡାକିଥିଲେ ଯେ ?

: ଏଇ ତୋ ବୋଉ ପାଇଁରେ ମା । ଚା’ ଜଳଖିଆ ହେଲାଣି କି ନାହିଁ ପଚାରିବାକୁ । ସକାଳୁ ସକାଳୁ ଏତେ ଗରମ...... ।

: ତମେ ମୋ ପୁଅକୁ କହିବ ଆଉ ମୁଁ କିଛି କହିବିନି ନା ? ମୁହଁରେ କୃତ୍ରିମ ରାଗ ଫୁଟାଇ ବୋହୂକୁ ନେଇ ସେ ଘରୁ ବାସନ୍ତୀ ଦେବୀ ବାହାରି ଗଲେ । ତାଙ୍କୁ ଚିଡ଼େଇବାକୁ ମନ୍ମଥ ବାବୁ ପଛରୁ କହୁଥିଲେ—

: ହଁ ତମର ତ ଏକୁଟିଆ ପୁଅ ।

ଶାଶୁଙ୍କ ବାଧ୍ୟ ସନ୍ତାନ ପରି ମାମି ସେଦିନ ଖାଇବା ଶେଷ କରି ଉପରକୁ ଚାଲିଗଲା । ଯନ୍ତ୍ର ଚାଳିତ ପରି ଗୋଡ଼ ଦୁଇଟା ତାର ଟାଣି ହୋଇଗଲା ପଢ଼ାଘର ଭିତରକୁ । ସେଟା ଥିଲା ମନୋଜଙ୍କ ପଢ଼ା ଘର । ମାମି ଆସିବା ପରେ ଦୁହିଁଙ୍କର ପଢ଼ା ଘର ହୋଇଯାଇଛି ସେଇଟି । ଛ’ ଗୋଟି ବଡ଼ ବଡ଼ କାଚ ଆଲମିରା ମଧ୍ୟରେ ସୁସଜ୍ଜିତ ଥାଏ ବହିଗୁଡ଼ିକ । ଅନ୍ୟ ଏକ ମଧ୍ୟମ ଧରଣର ଆଲମିରା ମଧ୍ୟରେ ମନୋଜଙ୍କର ଅସଂଖ୍ୟ ପୁରଷ୍କୃତ ସାମଗ୍ରୀ ସଜ୍ଜିତ ଥିଲା । ତା ଭିତରେ ମଧ୍ୟ ଥିଲା ୬ । ୭ ଟି ଡାଏରୀ । ଅନ୍ୟର ଡାଏରୀ ପଢ଼ିବାକୁ ଭାରି ସଙ୍କୋଚ ଲାଗେ ମାମିକୁ । ହେଲେ ଆଜି ତାର ଇଚ୍ଛା ହେଉଥିଲା ଖୋଲି ଦେବାକୁ ତାଙ୍କର ସମସ୍ତ ଗୁପ୍ତ ରହସ୍ୟ । ସବୁଗୁଡ଼ିକ ଡାଏରୀ ପଢ଼ି ଶେଷ କରିବାର ଦୃଢ଼ ସଂକଳ୍ପ ନେଇ ଆଗେଇ ଗଲା ତାର ମନ ଓ ବିବେକ । ଅନ୍ଧାରରେ ଘୂରି ବୁଲିବା ଅପେକ୍ଷା ସାମାନ୍ୟ ଆଲୋକ ନେଇ ଆଗକୁ ଯିବା ତାର ଯେ ଏକାନ୍ତ ପ୍ରୟୋଜନ ।

ଗୋଟିଏ ଗୋଟିଏ ଡାଏରୀ ଆଣି ପଢ଼ିବା ଆରମ୍ଭ କରି ଦେଲା ମାମି । ଜୀବନରେ ପ୍ରଥମ ଥର ପାଇଁ ସ୍ଵୀୟ ନୀତି ବିରୁଦ୍ଧ କାମ କରୁଥିବାରୁ ତା ଛାତିର ସ୍ପନ୍ଦନ ବଢ଼ି ଯାଉଥିଲା । ତଥାପି ସେ ଆରମ୍ଭ କରିଛି ମାନେ ଶେଷ ନିଶ୍ଚୟ କରିବ । କେତେବେଳେ ଆଶ୍ଚର୍ଯ୍ୟରେ ତା କପାଳ କୁଞ୍ଚିତ ହୋଇ ଯାଉଥିଲା । କେତେବେଳେ ବା ଆଖିରୁ ଦୁଇ ଧାର ଲୁହ ଝରି ଆସୁଥିଲା ଆଉ କେତେବେଳେ ଭାସି ଉଠୁଥିଲା ତା ଓଠରେ ସେଇ ମନ ଭୁଲାଣିଆ ହସରୁ ଧାରେ ।

କାନ୍ଥ ଘଣ୍ଟାର ଠନ୍ ଠନ୍ ଆବାଜ ସହ ଶାଶୁଙ୍କ ଡାକ ଶୁଣି ନିଜର ଭାବନା ରାଜ୍ୟରୁ ଫେରିଲା ମାମି । ତିନି ଘଣ୍ଟା ହେଲା ମନୋଜ ଜୀବନର ଛ’ ବର୍ଷର ଡାଏରୀ ପଢ଼ି ତାରି ମଧ୍ୟରେ ନିଜକୁ ହଜାଇ ଦେଇଥିଲା ସେ । ସେଗୁଡ଼ିକ ଯଥା ସ୍ଥାନରେ ରଖି ଦେଇ ଶୋଇବା ଘର ଦେଇ ବାହାରି ଆସିବା ସମୟେ ସିଡ଼ି ପାଖେ ଭେଟିଲା ଶାଶୁଙ୍କୁ ।

: ଶୋଇ ପଡ଼ିଥିଲୁ କିରେ ମା ?

: ନା’ ମ ଗୋଟେ ବହି...... ।

: ‘ପଢ଼ୁଥିଲୁଟି ? ମୁଁ ଜଣେପରା । ତୁ ତୋର ପଢ଼ା ପଢ଼ି ନେଇ ବ୍ୟସ୍ତ ରହ, ସେ ତାର କାମ ଦାମ ନେଇ ବ୍ୟସ୍ତ ରହୁ । ଭଲ ଚାଲିବ ଏଥର ? କି ସଂସାର କରିବ କେଜାଣେ । ହଉ ଚାଲ ବାପା ବହୁତ ବେଳୁ ଅପେକ୍ଷା କଲେଣି ।’ ସିଡ଼ି ଦେଇ ଓହ୍ଲାଉଥିବା ସମୟରେ ସେ କହୁଥିଲେ–“ଆଜି ମନୁର ଦିନେକୁ ମୋର ଦିନେ । ତା ପୁଅ ପଣିଆ ଛଡ଼େଇ ଦେବି । ଆମେ କଣ ପାଠ ପଢ଼ିନୁ ନା ଆମେ ମୁର୍ଖ ହୋଇ ଘର ସଂସାର କରିନୁ ।” ନିର୍ବୋଧ ଶାଶୁ ମାମିର ଚାଲିଥିଲେ ଆଗରେ । ମାମିକୁ ହସ ଲାଗୁଥିଲା । ଦୁଇ ଜଣ ଯାକ ଆସି ପହଞ୍ଚିଗଲେ ଖାଇବା ଟେବୁଲ ପାଖରେ । ମାମି ଜାଣେ ମନୋଜ ଆସି ନ ଥିବେ, ତଥାପି ସେ ଚାହୁଁଥିଲା ତାଙ୍କ ଖାଲି ଚୌକିଟାକୁ-। ସେ ଆଜି ଖାଇ କରି ଯାଇନାହାନ୍ତି । ଖାଇବାକୁ ଆସିବେନି ମଧ୍ୟ ସେ କଥା ମାମି ଜାଣେ । ନିଜକୁ ଦୋଷୀ କରି ସେ ଭାବୁଥିଲା—କଣ ଦରକାର ଥିଲା ବାପାଙ୍କ ଆସିବା ଖବରଟା ତାଙ୍କୁ ଦେଇଦବା ?

: ମାମୁନି ! ବାପାଙ୍କ ସ୍ନେହ ବୋଲା ଡାକଟା ଫେରେଇ ଆଣିଲା ମାମିକୁ ତା ଭାବନା ରାଜ୍ୟକୁ ।

: କଣ କହିଲେ ବାପା ?

: ତମର ଦେହ ଭଲ ନାହିଁକି ମା ? ଏମିତି......

: ମୋର ଦେହତ ଭଲ ଅଛି । ହସିଦେଇ କଥାଟା ହାଲକା କରି ଦବାକୁ ଚାହିଁଲା ମାମି ।

: ସବୁ କଥାରେ ଟିକେ ହସିଦେଇ ଏମିତି ଖିଆଲରେ ନେଇଯିବା କଣ ଭଲ ? ଆଚ୍ଛା ମା ଗୋଟେ ପଚାରିବି ସତ କହିବୁ ? ମାମିର ନୀରବତା ଲକ୍ଷକରି ପ୍ରଶ୍ନକଲେ ବାସନ୍ତୀ ଦେବି ।

: ମୁଁ ତ ତମକୁ କେବେ ମିଛ କହିନି..... ? ହସି ହସି କହିଲା ମାମି ।

: ତେବେ ସତକହ ମନୁ ତୋ ଉପରେ ରାଗିଛି କି ?

: ନା’ ତ ।

: ମିଛ କହିଲୁ ।’ ଶାଶୁଙ୍କ କଥାରେ ଚମକି ପିଡ଼ି ନିଜକୁ ସଂଯତକରି ନେଲା ମାମି । ‘ସେ ଆଜି ଖାଇକରି ଯାଇଛି ? ଶାଶୁଙ୍କର ପୁନର୍ବାର ପ୍ରଶ୍ନ ।

 

: ବୋଉ ତମେ ଜାଣିନେଲ ସେ ଖାଇ ନାହାନ୍ତି ବୋଲି ? ହସି ହସି ମୁହଁରେ ସାମାନ୍ୟ ଚିନ୍ତାରେଖା ଟାଣି ମାମି କହିଲା, ‘କାଲିଠାରୁ ଦେହ ଭଲ ନଥିଲା । ରାତିରେ ଦେହ ଉଷୁମ ଥିଲା, କହିଥିଲେ ବୋଉଙ୍କୁ କିଛି କହିବନି, ମୋର କାମ ଅଛି । ମୁଁ ଶୀଘ୍ର ସାରି ଚାଲି ଆସିବି, ସେ ଜାଣିଲେ ବ୍ୟସ୍ତ ହେବେ ।’ ଏତେ ବଡ଼ ମିଛ କଥାଟେ କହି ବାପା ମାଆଙ୍କ ମନରେ ତାଙ୍କ ପୁଅ ପ୍ରତି କିଛିଟା ବିଶ୍ୱାସ ଜମେଇ ପାରିଛି ଜାଣି ମନେ ମନେ ଖୁସି ହେଉଥିଲା ମାମି ।

 

ଖିଆପିଆ ସରିଗଲା । ମାମି ଆସି ଶୋଇବା ଘରର ଝରକା ବାଟେ ଚାହିଁଥିଲା ରାସ୍ତାକୁ, ଯେଉଁ ରାସ୍ତା ଦେଇ ମନୋଜର ଫେରିବା କଥା । ସତରେ ଦେହଟା ତାଙ୍କର ଖରାପ ଥିଲା-। ଏତେ ଦିନର ଡାଏରୀ ଭିତରେ କେବଳ କାଲି ଦିନଟିରେ ଲେଖାଥିଲା ଦେହ ଖରାପ ଲାଗିବା କଥା । ସେ ଜାଣିଥିଲା ମନୋଜ କଦାପି ଭୁବନେଶ୍ଵର ଯିବେନି । ତଥାପି କାହିଁକି ସେ ପଚାରିଲା ସେ କଥା ? ଦେହ ଯେତେ ଖରାପ ହେଲେବି ଆଜି ସେ କଦାପି ଘରକୁ ଫେରିବେନି ସନ୍ଧ୍ୟା ପୂର୍ବରୁ, ମନଟା ବଡ଼ ଅସ୍ଥିର ଲାଗୁଥିଲା । ସବୁ ଦୋଷ ମାମିର । ନିଜ ଉପରକୁ ସବୁ ଦୋଷ ଆଣି ଖଟ ଉପରକୁ ଆସିଲା ମାମି । ହାତରେ ବହିଖଣ୍ଡେ ଥିଲା । ଚାଦରଟାଏ ଅଧା ଘୋଡ଼େଇ ହୋଇ ପଢ଼ିବାକୁ ଚେଷ୍ଟାକରି ହାରିଗଲା ସେ । ବହିଟା ଛାତି ଉପରେ ପକାଇ ଦୀର୍ଘ ସାତ ଆଠ ବର୍ଷ ତଳର ଅତୀତକୁ ଫେରିଗଲା ମାମିର ସେଇ ଅବାଧ ମନଟା.... ।

 

ବାଲେଶ୍ଵରର ବାରବାଟୀ ସ୍କୁଲରୁ ମାଟ୍ରିକ ପରୀକ୍ଷାର ଶେଷ ଦିନ ପରୀକ୍ଷା ଦେଇ ମାମି ବାହାରକୁ ଆସିଲା । ଗେଟ୍ ପାଖ ନିଜର ଗାଡ଼ିଟାକୁ ନପାଇ ଘଣ୍ଟାକୁ ଚାହିଁଲା ସେ । ଗୋଟାଏ ହେଲାଣି ହୁଏତ କେହି ଆସି ନପାରନ୍ତି । ଚାହିଥିବା ରିକ୍ସାବାଲାକୁ ଡାକିବା ସମୟରେ ଗାଡ଼ିଟା ଆସି ଅଟକିଗଲା ତା ସମ୍ମୁଖରେ । ଆରେ ଗୋଟାଏ ବେଳେ ବାପା ଆସିଛନ୍ତି । ଗାଡ଼ିକୁ ଉଠିଯିବା ପରେ ପ୍ରଶ୍ନ କଲା ସେ—

 

: ବାପା ତମର ଏତେ ଡେରି ?

 

: ହଁରେ ମା transfer news ଟା ପାଇଁ ଅପେକ୍ଷା କରିଥିଲି ତ.....

 

: କଣ ହେଲା ବାପା ? ଉତ୍କଣ୍ଠା ସହ ମାମିର ପୁନର୍ବାର ପ୍ରଶ୍ନ ।

 

: କଣ ହୋଇଥିବ କହିଲୁ ? ହସି-ହସି ପ୍ରଶ୍ନ କଲେ ବିଜୟ ବାବୁ ।

 

: ବାପା ତମର ଖୁସି ଦେଖି ମୁଁ ଭାବୁଛି ଆମେ ଯାହା ଭାବିଥିଲେ ସେଇଆ ନା ? ଝିଅ କଥାରେ ହସିଦେଲେ ବିଜୟ ବାବୁ । ସତରେ ବାପା ଭଲ ହୋଇଛି, ହେଲେ ସେଠାରେ କିଛି ଗୋଟେ ସୁବିଧା କରିନବାକୁ ହବ । କୁହତ କେତେ ବୁଲିଲେଣି ଏ ଭିତରେ । ମୋ ପଢ଼ାପଢ଼ି ଆରମ୍ଭ ବେଳ ଗଲେ ଦିଲ୍ଲୀ ସେଠି କଣ M.D. କଲ । ତମର ୩ ବର୍ଷଗଲା । ୩ ବର୍ଷ ସେଠି ରହିଲେ ତାପରେ ୪ ବର୍ଷ କଲିକତାରେ ତାପରେ ୩ ବର୍ଷ ଏଠି ରହିଲେ । କଟକରେ ଯେମିତି ଦୁଇ ବର୍ଷ ନ ହୁଏ ।

 

: ନାଏରେ ମା, କଟକରେ ଚାରି ବର୍ଷ ରହିଲା ପରେ M.S. କରିବାକୁ London ଯିବି ଚାରି ବର୍ଷ ପାଇଁ ତା ପରେ, govt. service ଛାଡ଼ି privately କାମ କରିବି । କଣ କହୁଛୁ ? ଝିଅର ବ୍ୟବସ୍ତା ପାଇଁ ପ୍ରଶ୍ନ କଲେ ବିଜୟ ବାବୁ ।

 

: ବାପା ମୋ ମତରେ ତ ଏବେଠୁ ଛାଡ଼ି ଦିଅନ୍ତୁ ସେ govt. service । କଣ ମିଳୁଛି ସେଥିରୁ କେଜାଣେ ? ମୁଁ କେତେ ଡକ୍ଟର ଦେଖିଛି ହେଲେ....

 

: ମାରେ ତୁ ସତ କହୁଛୁ ହେଲେ M.S ଟା ନ କଲେ ମୋ ଜୀବନଟା ଅସମ୍ପୂର୍ଣ୍ଣ ହୋଇଯିବ । ବିଶେଷତଃ Lond. University ରେ ।’ ଝିଅର କଥା ମଝିରୁ ବାହାରକୁ ଚାହିଁ କଥା କହୁ କହୁ ହଠାତ୍ ଗାଡ଼ି ଭିତରେ ବସି ରହିଥିବା ଝିଅର ମୁହଁକୁ ଚାହିଁ ରହିଲେ କିଛି ସମୟ । ହଠାତ୍ ନୀରବ ରହିଥିବା ବାପାଙ୍କର ମୁହଁ ଦିଗରେ ମୁହଁ ବୁଲେଇ ଆଶ୍ଚର୍ଯ୍ୟ ହେଲା ମାମି । ତାଙ୍କର ପିତୃତ୍ଵପୂର୍ଣ୍ଣ ସେଇ ସ୍ନେହମୟ ଚକ୍ଷୁଦ୍ଵୟ ସେ ଦିନ କଣ ଖୋଜୁଥିଲେ ମାମି ପାଖରେ ? ପୁନର୍ବାର କଥା ଆରମ୍ଭ କଲେ ସେ ।

 

: ମାରେ govt. service ଛାଡ଼ିଦେବି । ତେବେ ଗୋଟେ ସର୍ତ୍ତ ଅଛି ତୋ ପାଖେ ।

 

: କଣ କହିଲ service ଛାଡ଼ି ଦେବାରେ ପୁଣି ମୋ ପାଖେ ସର୍ତ୍ତ ? ଆଚ୍ଛା ବାପା କୁହତ ତମ ପରିଶ୍ରମ କମ୍ ପାଇଁ ମୁଁ କଣ ଯେ କୌଣସି ସର୍ତ୍ତରେ ରାଜି ହୋଇଯିବି ବୋଲି ତମର ବିଶ୍ଵାସ ନାହିଁ ।

 

: ଆରେ ମା ତୋ ନିଜ କଥା ହୋଇଥିଲେ ସିନା ହୋଇଥାନ୍ତା । ତୋ ହାତର କଥା ଅବଶ୍ୟ ପ୍ରତିଜ୍ଞା କର ରଖିବୁ ନା ମୋ କଥା ? ହସି ହସି କହିଲେ ବିଜୟ ବାବୁ ।

 

: ତମର ପ୍ରସ୍ତାବ ସର୍ତ୍ତ ସବୁଥିରେ ମୁଁ ରାଜି ବାପା କୁହ କଣ ହୋଇଛି ? କି ସର୍ତ୍ତ ?

 

: ତେବେ ଶୁଣ—ମତେ ତୋ ଜ୍ଵାଇଁ କରିବୁ । ତୋ ଝିଅକୁ ବାହାହବା ପାଇଁ ପଚାଶ ହଜାର ଟଙ୍କା ଯୌତୁକ ଦେଇ ଦବୁ ମୋ ପଢ଼ା ପାଇଁ ମୁଁ ଶେଷ କରିନେବି । କଣ ଦବୁ ନା ଏବେ ।’ ବାପାଙ୍କର ରସିକିଆ କଥାରେ ହସି ଉଠିଲା ମାମି । ହସି ହସି କହିଲା ସେ ।

 

: ବାପା ତମେ ପାଗଳ ହେଲ କି ? କେଉଁଠାରୁ ପାଇବି ଏତେ ଟଙ୍କା ମୁଁ ତ ରୋଜଗାର କରିବାକୁ ଅତି କମରେ ତିନି ଚାରି ବର୍ଷ....

 

: ଆରେ ମା ତୋ ଟଙ୍କା ମୋର କଣ ହେବ ? ତୋ ଶ୍ଵଶୁର ଟଙ୍କାରୁ ଦେବୁ ମ ।

 

ବାପାଙ୍କର ରସିକ କଥା ଶୁଣୁଥିବା ଅନ୍ୟମନସ୍କ ମାମି ହଠାତ୍ ଝୁଙ୍କି ଗଲା ଆଗକୁ । ଗାଡ଼ି ଅଟକିଲା । ଘର ହୋଇ ଯାଇଥିଲା । କବାଟ ଖୋଲି ଠିଆ ହୋଇଥିଲେ ବାପି, ବୁବୁ ଓ ମିତା ସହ ବୋଉ । ହସି ହସି ବାପା ଓ ମାମି ଗାଡ଼ିରୁ ଓହ୍ଲେଇ ଆସିଲେ ।

 

: ମାମି ବୋଉ ତମରତ ଏଥର ଛୁଟି ।’ ହସି ହସି କହୁଥିବା ବିନୟ ବାବୁଙ୍କ କଥା ନଶୁଣି ପିଲାଏ କହିଲେ ।

 

: ଅପା ହସୁଛିମ ତାର ନିଶ୍ଚୟ ଭଲ ହୋଇଛି ।

 

: ଅପା କଣ ତୁମରିମାନଙ୍କ ପରି ଗଧ ହୋଇଛି କି ? ବୋଉଙ୍କ ଉତ୍ତର ପିଲାଙ୍କର ଖୁସିରେ ହଠାତ୍ ଦୁଃଖର ରେଖା ଟାଣି ଦେଲା । ମନଦୁଃଖରେ ସେ ଘର ଛାଡ଼ି ଚାଲିଗଲେ ସେମାନେ । ନବମ ଓ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି ଏଇ ବାପି, ବୁବୁ । ବୋଉର କଥା ସତରେ ଭାରି ବାଧିଥିଲା ତାଙ୍କୁ । ମାମିର ଛୋଟ ଭଉଣୀ ମିତା ବୁଝିପାରିନଥିଲା କିଛି । ଅପା ପଛେ ପଛେ ସେ ଆସି ଉପରେ ପହଁଞ୍ଚିଲା । ସେଇଟା ତାଙ୍କର ପଢ଼ାଘର ଓ ଶୋଇବା ଘର ମଧ୍ୟ । ହଷ୍ଟେଲର ଗୋଟିଏ ରୁମ୍ ପରି । ଲୁଗା ବଦଳେଇ ମାମି ଦେଖିଲା ପାଠ ପଢ଼ୁଥିଲେ ବାପି ଓ ବୁବୁ ।

 

: କିରେ ବାପି-ବୁବୁ କଣ ପଢ଼ି ବସିଲଣି ?’ ଲୁଗାଟା ରଖୁ ରଖୁ ପ୍ରଶ୍ନ କଲା ମାମି ।

 

: କଣ ହେଲା ସେଠୁ ? ଗଧ ପିଲା ତ ସବୁବେଳେ ପଢ଼ିବା କଥା ।’ ଉତ୍ତର ଦେଲା ବାପି ।

 

: ବାପି ।’ ଉତ୍ତର ନ ପାଇ ଭାଉ ଦିଗରେ ଆଗେଇଗଲା ମାମି । ତା ମୁଣ୍ଡରେ ହାତ ବୁଲାଇ କହିଲା ‘ବାପି ତତେ ମୁଁ କେତେଥର ମନା କରିଛି ରାଗିବାକୁ ? ଏଁ, ପୁଣି ରାଗ । ହଉ ଆଉ ସେ ସେତିକିରେ ଚାଲ ଖାଇ ଆସିବା ।’

 

: ନା ମତେ ଭୋକ ନାହିଁ......

 

: ଏଁ ତତେ ଭୋକ ନାହିଁ ? ପୁଣି ଅବାଧ ପୁଣି ରାଗ ମୋ ସୁନା । ଭାଇଟା ପରା ଚାଲ ଉଠୁ । ତୁ ଖାଇବୁନି ତ ମୋର ଆଜି ପୂରା ଉପାସ । କଣ କହୁଛ ?’ ଅପା କଥାର ଜବାବ ନ ଦେଇ ଉଠି ଠିଆ ହେଲା ବାପି । ତାକୁ ଧରି ତା ମୁହଁକୁ ଚାହିଁଲା ମାମି ।

 

: ତୋ ମନରେ ଏବେ ବି ରାଗ ଅଛି । ସତରେ ବାପି ତୁ ଏତେ ନିର୍ବୋଧ ହେବୁ ବୋଲି ମୁଁ ଜାଣି ନଥିଲି । ତୁ କଣ ଏତିକି ବୁଝିପାରୁନୁ ଅପା ତୋର କିଛି ବି କରିପାରିବନି ବାପା ବୋଉଙ୍କ ପାଇଁ ? କେବଳ....

 

: ମୋର ଭୁଲ ହୋଇଛି ଅପା, ସତ କହୁଛି ଆଉ ଜମାରୁ ରାଗିବିନି । ଚାଲ ଖାଇବା ତତେ ଭୋକ ହବଣି ବୁବୁ ମିତା ଚାଲ ।

 

ସମସ୍ତେ ଆସିଲେ ଖାଇବା ଟେବୁଲ ପାଖକୁ । ସେଠାରେ ଅପେକ୍ଷା କରିଥିଲେ ମାମିର ବୋଉ ବାପା ମଧ୍ୟ । ବୋଉ ହଠାତ୍ ପଚାରିଲା—‘ସତରେ ମୁଁ ଭୁଲି ଯାଇଛି, କିଓଃ ତମର ଆଜି ଏତେ ଡେରି ହେଲା ଯେ ?’ ପିଲାଙ୍କୁ ବାଢ଼ୁଥିବା ଅବସ୍ଥାରେ ।

 

: ଏଇ ଗୋଟେ ପ୍ରସ୍ତାବ ଆସିଥିଲା ଯେ....

 

: ପ୍ରସ୍ତାବ । କି ପ୍ରସ୍ତାବ ମ କାହାପାଇଁ ବାପି, ବୁବୁନା, ମିତା ?

 

: ମଲା ସେମାନେ ଛୁଆ ଗୁଡ଼ା ତାଙ୍କର କଣ ହବ ? ମୋ ପାଇଁ ମୋ ବାହାଘର ହବ ।

 

: ବାପାଙ୍କ କଥାରେ ହସି ଉଠିଲେ ସମସ୍ତେ । ବୋଉ ହସି ହସି କହିଲା—

 

: କଣ ପକ୍କା ହୋଇଗଲା ନା ନାହିଁ ? କେବେ ମତେ ଛୁଟିମିଳିବ ?

 

: ଖାଲି ପକ୍କା ନୁହେଁ ପଚାଶ ହଜାର ଯୌତୁକ । କଣ ମାମି ମିଛ କହୁଛି ।’ ମାମି ଟିକେ ହସି ଦେଲା ।

 

: ଆଚ୍ଛା ମାମୁନିକୁ ଶାଢ଼ି ପିନ୍ଧିବାକୁ ତମେ କହିଛ ?

 

: ମଲା ତମେ ସିନା ବୁଢ଼ା ଦିନେ ବରସାଜୁଛ ହେଲେ ଦୁଇ ତିନି ବର୍ଷ ପରେ ଝିଅ ବାହା ହବ—ସେ କଥା କଣ ତମର ମନେ ଅଛି ?

 

: ବାସ୍ ମାମି ଯେତେ ଶୀଘ୍ର ବାହା ହବ ସେତେ ଶୀଘ୍ର ମୋ ବାହାଘର । ଶଳାଟା ଭାବିଛି ମୋ ଝିଅକୁ ଖାଲିରେ ଖାଲିରେ ବୋହୂ କରିବ । ସ୍ତ୍ରୀଙ୍କ କଥାର ଉତ୍ତର ଦେଲେ ବିଜୟ ବାବୁ ।

 

: ଖାଇଲ ଚୁପ୍ କରି ? ମୋର କଣ କିଛି ନାହିଁ ଯେ ମୋ ଝିଅ ବାହାଘରକୁ ତାଙ୍କଠୁ...

 

: ମଲା ସେ ମୋ ସାଙ୍ଗ ବୋଲି...

 

: ରଖ ହୋ ତମ ସାଙ୍ଗ ଭାଙ୍ଗ କଥା ମୋ ଝିଅ ସୁନ୍ଦର ନ ହୋଇଥିଲେ...

 

: ବୋଉ ବାପାଙ୍କୁ ଟିକେ ତରକାରୀ ଦେଲୁ । ମାମି କଥା ସଜାଗ କରି ଦେଲା ସମସ୍ତଙ୍କୁ-

 

ପରୀକ୍ଷା ସରିଗଲା ପରେ ଘରର ସମସ୍ତ ଦାୟିତ୍ଵ ମୁଣ୍ଡକୁ ଉଠାଇ ନେଇଥିଲା ମାମି । ତାର ସାହାଯ୍ୟକାରୀ ଥିଲେ ବାପି ଓ ବୁବୁ । ବାପାଙ୍କୁ ତାଗିଦ୍ କରିଦେଇଛି ମାମି ବେଶୀ ସମୟ ମେଡ଼ିକାଲରେ ନ କଟାଇବାକୁ । ବାଧ୍ୟ ସନ୍ତାନପରି ବିଜୟ ବାବୁ ମଧ୍ୟ ଦୁଇଟା ପରେ ଆଉ ଯାଉ ନଥିଲେ ମେଡ଼ିକାଲକୁ । ବାପି ଓ ବୁବୁଙ୍କର ପରୀକ୍ଷା ସରିଯାଇଥିଲା । ଖରାଟା ଖସି ଯିବାପରେ ଖୋଲା ଛାତରେ ବସି ବାରମଜା ଖିଆ ସାଙ୍ଗେ ତାସ୍ ଖେଳ ବେଶ୍ ଜମୁଥିଲା । ମଝିରେ ମଝିରେ ସୁଲେଖା ଦେବୀ ମଧ୍ୟ ଯୋଗ ଦେଉଥିଲେ ସେମାନଙ୍କ ସାଙ୍ଗରେ । ଅପା ପାଖରେ ବସି ଖେଳ ଦେଖିବା ଥିଲା ମିତାର ପ୍ରଧାନ କାମ ମାତ୍ର ସାଙ୍ଗମାନେ ଡାକ ଦବାପରେ ସେ ଚାଲି ଯାଉଥିଲା ତାର ସେଇ ସାଥି ମେଳକୁ । ବୁବୁକୁ ଚିଡ଼େଇବାକୁ ଯାଇ ସବୁଦିନେ ଖେଳରେ ହାରୁଥିଲେ ବିଜୟ ବାବୁ । ମାତ୍ର ଖେଳ ଶେଷରେ ତା ମନରେ ଆଶାର ସଂଚାର କରି ପରଦିନ ଜିତିବା ପାଇଁ ଚୁକ୍ତିକରି ଖେଳରୁ ଉଠୁଥିଲେ ସେ । ସବୁଦିନ ପରି ସେଦିନ ଖେଳରେ ବସିବା ପରେ ପରେ ମିତା ଆଣି ବାପାଙ୍କ ହାତରେ ଧରେଇଦେଲା ଦୁଇଖଣ୍ଡ ଚିଠି । ଖଣ୍ଡେ ଦେଖି ସଙ୍ଗେ ସଙ୍ଗେ ରଖିଦେଲେ ମାତ୍ର ଅନ୍ୟଟି ମନଧ୍ୟାନ ଦେଇ ପଢ଼ି ବସିଲେ । ବାପାଙ୍କ ହାବଭାବ ଦେଖି ବୁବୁ ରାଗି ଉଠିଲା ।

 

: ଯାହା ଜଣାଗଲାଣି ଆଜିବି ତମେ ହାରିବ । ମୁଁ ଖେଳିବିନି ।’ ମୁହଁ ଫୁଲାଇ ତାସ ପକାଇ ଦେଲା ବୁବୁ । ବୁବୁର ମୁହଁକୁ ଚାହିଁ ଖେଳ ଧରୁ ଧରୁ ହସୁଥିଲେ ମାମି ଓ ବାପି ମାତ୍ର ବାପା ସାଙ୍ଗେ ସାଙ୍ଗେ କହିଲେ—ଦେଖ ବୁବୁ ତୁ ଖେଳ ଧରନା । ଆଜି ମୁଁ ଜମାରୁ ହାରିବିନି ହାରିଲେ ତତେ ୫୦ ଟଙ୍କା ଦେବ, ଦେଖ୍ ଯଦି ଜିତିଲେ’.....ବାପାଙ୍କ କଥାରେ ବୁବୁ ହସିଦେଲା ।

 

....‘ନା ନା ତୁ ହସିଲେ କଣ ହବ ମୁଁ ଜିତିଲେ ତୁ ଏଇଠି ରହିବୁ କଟକ ଯାଇ ପାରିବୁନି-।’

 

: ବାପା ଆମେ କେବେ କଟକ ଯିବା’ ମଝିରୁ କହିଲା ମିତା ।

 

ଏଇପରା ମଉସା ଚିଠି ଦେଇଛନ୍ତି । ଯା’ ବୋଉକୁ ପଚାରିବୁ କେବେ ଯିବା ।

 

ଖେଳ ଆରମ୍ଭ ହୋଇଗଲା ସନ୍ଧ୍ୟା ପରେ ୩।୪ ଥର ଆସି ବୁଲିଗଲେଣି ମାମି ବୋଉ ହୁଏତ ତାଙ୍କର କିଛି କାମଥିଲା ବିଜୟ ବାବୁ ପ୍ରଶ୍ନ କଲେ ମାମିକୁ—

 

: ତୋ ବୋଉର କଣ କାମ ଥିଲା କି ମା ? ଚମକି ପଡ଼ି ଖେଳ ଭାଙ୍ଗି ଦେଲା ମାମି ।

 

: ବାପା, ମୋର ମନେ ନ ଥିଲା, ବୋଉ ଆଜି ବଣିଆ ପାଖକୁ ଯିବ ବୋଲି କହୁଥିଲା । ଖେଳଥାଉ ସେତିକିରେ । ତମେ ଗଲେ ପୁଣି ବୋଉର marketing ବଢ଼ିଯିବ । ରାତିରେ ଡର ଲାଗିବ ଆମକୁ । ଚାଲ ଉଠନା... । ମାମି ଉଠି ଠିଆହେଲା, ସମସ୍ତେ ଉଠିଗଲେ । ସେ ଦିନ ଖେଳରେ ଜିତିଗଲେ ବିଜୟ ବାବୁ । ବୁବୁ ମନ ଖୁସି ।

 

ରାତି ବଢ଼ିଗଲା ନ’ଟା ହୋଇଗଲାଣି ବୁବୁ ମିତା ଖାଇକରି ଶୋଇ ପଡ଼ିଲେଣି । ବାପି ଜଗି ବସିଛି ଅପାକୁ । ପଢ଼ୁଥିଲା ବହିଖଣ୍ଡେ । ମାମି ହାତରେ ମଧ୍ୟ ବହି ଖଣ୍ଡେ ଥିଲା । ତଥାପି ସେ ରାଗୁଥିଲା ବୋଉ ଉପରେ । ବଜାର ଗଲେ ତା ସଉଦା ସରେନି । ରାତି ଦଶଟା ପାଖାପାଖି ହେଲା-। ବାପି ଆଖିକୁ ନିଦ ଆସିଲା । ଚୌକି ଉପରୁ ଉଠି ବୁଲେଇ ହେଉଥିଲା । ସେ ହଠାତ୍ ଅପା ଉପରେ ଆଖି ପଡ଼ିଗଲା, କିଛି ସମୟ ଚାହିଁବା ପରେ କହିଲା—

 

: ଅପା ।

 

: କଣ ହେଲା ?

 

: ଗୋଟେ କଥା କହିବି ଅପା ରାଗିବୁନି ?

 

: ପାଗଳ ହେଲୁକିରେ ? ତୁ ମତେ କଥାଟେ ପଚାରିବୁ ଆଉ ମୁଁ ରାଗିବି ? ହସିଦେଲା ମାମି ।

 

: ଅପା....

 

: ଆରେ ରହିଗଲୁ ଯେ ? କଣ କହୁନୁ ?

 

: ଅପା ଆମେ କଟକ ଗଲେ କୁଆଡ଼େ ତୋ ବାହାଘର...

 

: ତତେ କିଏ କହିଲା ? ହସି ହସି ପ୍ରଶ୍ନ କଲା ମାମି । ଆରେ ତୁ ପାଗଳ ହେଲୁ କି ? ମୋ ପାଇଁ କଣ କଟକରେ ଖାଲି ଲୋକମାନେ ଚାହିଁ ରହିଛନ୍ତି ?

 

: ଅପା ତୁ କଣ କିଛି ଜାଣିନୁ ?

 

: କେଉଁ ବିଷୟରେ ?

 

: ଏଇ ତୋ ବାହାଘର ବିଷୟରେ, ତୋର ଯେ’ ଛୋଟ ବେଳୁ ନିର୍ବନ୍ଧ ହୋଇଯାଇଛି ।

 

: ବାପି...

 

: ହଁ ଅପା ବାପା ତତେ ବାହା କରି ଦେବେ । ତୁ ଗଲେ ଆମେ କେମିତି ରହିବୁ କହିଲୁ-? ଆଜି ତ ପୁଣି ସେଇ କଥା ମନ୍ମଥ ମଉସାଙ୍କ ଚିଠିରେ ଲେଖାଥିଲା । ସତ କହ ଅପା ତୁ ଆମକୁ ସେମିତି ଭଲ ପାଇବୁ ନା ? ବାପି ପ୍ରଶ୍ନକରି ଚାହିଁଲା ଅପା ମୁହଁକୁ, ମାମି ବୋକାଙ୍କ ପରି ଚାହିଁଥିଲା-। ତା ଆଖିରୁ ଝରିଗଲା ଦୁଇଧାର ଲୁହ । ଅପାର ଆଖିରୁ ଲୁହ ପୋଛି ବାପି ପୁଣି କହିଲା ଦେଖ ଅପା । ତୁ ଆମକୁ ସବୁବେଳେ ଯଦି ଏମିତି ଭଲ ପାଇବୁ ତେବେ ଭାଇ ନିଶ୍ଚୟ ଆମକୁ ଭଲ ପାଇବେ ଯେ, ହେଲେ ଭାଇ ଯଦି... ।

 

ହଠାତ୍ ଗାଡ଼ିର ଶବ୍ଦ ଭାଇ ଭଉଣୀଙ୍କ ଚିନ୍ତାଧାରାରେ ପୂର୍ଣ୍ଣଛେଦ ଟାଣିଲା । ରାଧିକୁ ଡାକି ଡାକି ତଳକୁ ଆସି କବାଟ ଖୋଲିଲା ମାମି । ବାପି ପଛରୁ ଚାହିଁଥିଲା ତାର ଅପାକୁ ।

 

ବାଲେଶ୍ଵର ଛାଡ଼ି ଆସିଲେ ସେମାନେ । ସକାଳୁ ଜିନିଷ ପତ୍ର ବୋଝେଇ ହୋଇ ଯାଇ ସାରିଛି । ସମସ୍ତେ ବହୁତ ଖୁସିଥିଲେ । ହେଲେ ବାପି ସେ କେମିତି ଚୁପ୍‍ଚାପ୍‍ ହୋଇଯାଇଥିଲା । ସେ ଯେମିତି ଚାହୁଁ ନଥିଲା କଟକ ଯିବାକୁ । ମାତ୍ର ପ୍ରଥମେ ତାକୁଇ ଯିବାକୁ ପଡ଼ିଲା ଗୋପାଳ ସହ ଟ୍ରକରେ ଗଲା, ବାପି । ଗୋପାଳର ଅନୁରୋଧ ଏଡ଼େଇ ପାରିଲାନି ସେ । ଯଦିଓ ଗୋପାଳ ତାଙ୍କର ଭୃତ୍ୟ ଥିଲା । ଏଇ ଗୋପାଳ ଆଉ ରାଧି କେତେ ଉପକାର କରନ୍ତି ସତରେ । ବାପା କହନ୍ତି ସେ ଦୁହେଁ ହେଲେ ତାଙ୍କର ପ୍ରଥମ ସନ୍ତାନ । ଅନାଥ ଗୋପାଳକୁ ମଣିଷ କରି ଦେଇଛନ୍ତି ସେ । ରାଧିକୁ ବୋହୂ କରି ଆଣିଛନ୍ତି । ସତରେ କେତେ ଉପକାର କରନ୍ତି ଏଇ ରାଧି ଆଉ ଗୋପାଳ । ବିଜୟ ବାବୁଙ୍କୁ ବାବୁ ଓ ସୁଲେଖା ଦେବୀଙ୍କୁ ମା ଡାକିଲେ ମଧ୍ୟ ବ୍ରାହ୍ମଣ ଘର ପିଲା ହୋଇଥିବା ହେତୁ ପିଲାମାନେ ରାଧିକୁ ନାନୀ ଓ ଗୋପାଳକୁ ଗୋପାଳ ବାବୁ ବୋଲି ଡାକିବାରେ ଅଭ୍ୟସ୍ତ ଥିଲେ । ଗାଡ଼ିଟା ତାଙ୍କର ବାଲେଶ୍ଵର ଛାଡ଼ି କଟକ ଦିଗରେ ମୁହାଁଇଲା । କଟକରେ ଜନ୍ମ ହୋଇଥିଲା ଏଇ ମାମି ଓ ବାପି । ତିନି ବର୍ଷର ମାମିକୁ ନେଇ ଚାଲି ଯାଇଥିବା ବିଜୟ ବାବୁ ପନ୍ଦର ବର୍ଷର ମାମିକୁ ଧରି କଟକ ଫେରୁଛନ୍ତି । ମାମି ସ୍ମୃତିକୋଣ କଟକର ରୂପ ହୁଏତ କିଛି ନ ଥିଲା । ନିଜ ଘରର ନୂତନ ରଙ୍ଗ ରୂପକୁ କଳ୍ପନା କରି ସେମାନେ ଉତ୍କଣ୍ଠାର ସହ ଚାହିଁ ରହିଥିଲେ କଟକର ପଥକୁ ।

 

ଟ୍ରକ୍‍ଟା ମନ୍ମଥ ବାବୁଙ୍କ ଘର ଦେଇ ଆସିଲା । ଗାଡ଼ିରୁ ଓହ୍ଲାଇ ତାଙ୍କ ଘର ଦିଗରେ ଆଗେଇଲା ବାପି । ହଠାତ୍ ଭୁକି ଉଠିଲା କୁକୁରଟା ଚମକି ପଡ଼ିଲା ବାପି ।

 

: ଆରେ ଏମିତି ଡରିଗଲୁ ଯେ, ଯୁବକର କଣ୍ଠସ୍ୱର “କାହାକୁ ଖୋଜୁଛ ?” ଆଗେଇ ଆସି ପ୍ରଶ୍ନ କଲା ଯୁବକଟି । ହସି ହସି ଉତ୍ତର ଦେଲା ବାପି ।

 

: ତମେ ମନୁ ଭାଇ ନିଶ୍ଚୟ, ମଉସା କଣ ଘରେ ନାହାନ୍ତି ? ମାନେ ମନ୍ମଥ ମଉସା । ଚାବିଟା... ।

 

: ଓଃ ତମେ ତେବେ Doctor Dasଙ୍କ ପୁଅ ନା ? ବାପା ତ ଅପେକ୍ଷା କରି ବର୍ତ୍ତମାନ ଗଲେ । ମୁଁ ଚାବିଟା ଆଣୁଛି ଆସ, ଘରକୁ ଆସ । କହିବା ସହ ଭିତରକୁ ଚାଲିଗଲେ । ସେ ମନ୍ଥର ଯିବା ପଥକୁ ଚାହିଁ ହସୁଥିଲା ବାପି । କିଛି ସମୟ ପରେ ଭଦ୍ରମହିଳା ଜଣେ ପରଦା ଟେକି ବାହାରକୁ ଆସିଲେ ପଛରେ ତାଙ୍କର ମନୋଜ ।

 

: ଆରେ ତୁ ସୁଲେଖା ପୁଅ ? ଭଦ୍ରମହିଳାଙ୍କ ପ୍ରଶ୍ନରେ ଚମକି ପଡ଼ିଲା ବାପି । ସଙ୍ଗେ ସଙ୍ଗେ ଯାଇ ପ୍ରଣାମ କଲା ପାଦତଳେ—‘ହଁ ମାଉସୀ ମୋ ନା’ ବାପି ।’

 

: ମୁଁ ଭାବୁଥିଲି ସେଇକଥା ଠିକ୍ । ମା ଲେଖେଁ ହେଉଛୁ । ବୋଉ ଘରିକା କେବେ ଆସିବେ ?

 

: ପଛରେ ଆସୁଛନ୍ତି । ଏଇ ଗୋପାଳ ବାବୁଙ୍କ ସହ ଜିନିଷ ପତ୍ରଧରି... ।

 

: ଆସୁ ତୋ ମା । ତାକୁ ପଚାରୁଛି ଏଇ ଛୋଟ ଛୁଆଟାକୁ...... ।

 

: ମାଉସୀ ଚାବିଟା... ।

 

: ହଁ ମନୁ ଭାଇ ଆଣୁଛି । ଟିକେ କଣ ନ ଖାଇ...

 

: ନାଇ ମାଉସୀ ଆପଣ କାହିଁକି ବ୍ୟସ୍ତ ହଉଛନ୍ତି; ମୁଁ ଆପେ ଆସିବିନି ସେତେବେଳେ ଆପଣ ରାଗିଯିବେ ଯେ ।

 

ଚାବିଟା ଆଣି ବଢ଼ାଇଦେଲା ମନୋଜ । ଚାବିଟା ନେଇ ଚାଲିଗଲା ବାପି । ମନୁକୁ ପୁନର୍ବାର ବୁଲିପଡ଼ି ଚାହିଁ ହସିଦେଲା ମଧ୍ୟ । ତାକୁ ଦେଖି ମନରେ ଯେମିତି ଅତ୍ୟଧିକ ଶାନ୍ତି ପାଉଥିଲେ ବାସନ୍ତୀ ଦେବି ।

 

ଘରେ ପହଞ୍ଚି ଗୋପାଳ ସହାୟତାରେ ଘରଟି ସଜାଡ଼ି ରଖିଥିଲା ବାପି । ବଗିଚାରେ ଲାଗିଥିଲା କିଛି କିଛି ଫୁଲଗଛ । ଦୁଇ ମହିଳା କୋଠାଟିଏ ତାକୁ ଘେରି ରହିଥିଲା ଛୋଟ ବଗିଚାଟିଏ । ସେଠାରୁ ନ’ଟା ବେଳେ ବାହାରି କଟକରେ ଦିନ ବାରଟାରେ ପହଞ୍ଚିଲେ ବିଜୟବାବୁ-। ଗୋପାଳ ଓ ବାପି ତାଙ୍କର ପ୍ରତୀକ୍ଷାରେ ଥିଲେ । ମାମିକୁ ଚାହିଁ ହସୁଥିଲା ବାପି । ବାପାଙ୍କ ସମସ୍ତ ଖବର ଜଣେଇ ଅପା ସହ ଉପରକୁ ଚାଲିଗଲା ସେ । ଚାରିଜଣ ପିଲାଙ୍କର ସ୍ଵତନ୍ତ୍ର ରୁମ୍‍ ଥିଲେ ମଧ୍ୟ ହଲଟାକୁ ଚାରି ଭାଇ ଭଉଣୀଙ୍କ ପାଇଁ ସଜାଇ ରଖିଥିଲା ସେ । ବାପାଙ୍କୁ ମଧ୍ୟ ଜଣାଇ ଦେଇଛି—ଲାଇବ୍ରେରୀ ପାଇଁ ତିନିମହଲା କରିବାକୁ ପଡ଼ିବ ଘରଟା । ବୈଠିକଖାନାରେ ବସି ରହିଥିଲେ ବିଜୟବାବୁ ସମସ୍ତେ ଚାଲିଗଲେଣି ଭିତରକୁ—

 

: କଣ କହୁଛ ଗୋପାଳ କେମିତି ଲାଗୁଛି । ଗୋପାଳକୁ ପ୍ରଶ୍ନ କଲେ ବିଜୟ ବାବୁ ।

 

: ବେଶ୍‍ ଭଲ ହୋଇଛି ଆଜ୍ଞା । ବାପି ମୁଁ ମିଶି ରୋଷେଇଟା ମଧ୍ୟ ସାରିଦେଇଛୁ ।’

 

: ସାବାସ୍ । ତେବେ ଏ ଖରାରେ ହୋଟେଲ୍ ଆଡ଼େ ଯିବାକୁ ପଡ଼ିବନି । କଣ ମନ୍ମଥ ବାବୁ—

 

: ନାଇ ଆଜ୍ଞା ମାଉସୀଙ୍କ ସହ ଦେଖା ହୋଇଥିଲା ସେ ଖାଇବା ପିଇବା’ ଆୟୋଜନ କରିବାକୁ ଚାହୁଁଥିଲେ । ଆମେ ମନା କରିଦେଲୁ । କହିଲୁ ହୁଏତ ବାବୁ ସନ୍ଧ୍ୟାବେଳେ ପହଞ୍ଚି ପାରନ୍ତି-। ଆମେ ଦି’ଜଣ ହୋଟେଲରେ ଖାଇଦେବୁ... ।’ ହଠାତ୍ ମାମିବୋଉ ପଶି ଆସିଲେ ଘର ଭିତରକୁ-। ଗୋପାଳର କଥା ରହିଗଲା । ହସି ହସି ପ୍ରଶ୍ନକଲେ ବିଜୟବାବୁ—‘କିହୋ କଣ ତାରିଫ୍ କରୁଛଟି ବିଖ୍ୟାତ କଣ୍ଟ୍ରାକ୍ଟର ମନ୍ମଥ ବାବୁଙ୍କ କାମକୁ ?

 

: ସତରେ ଭାରି ଭଲ ହୋଇଛି ଘରଟା । ଉତ୍ତର ଦେଇ ଚାଲିଯିବାକୁ ବସିଥିଲେ ସୁଲେଖା ଦେବୀ । ହଠାତ୍ ଗୋପାଳକୁ ଦେଖି—ସତରେ ଗୋପାଳ ଭାରି ହଇରାଣ ହେଲା ଯାଅ ଆଗ ତମେ ଖାଇପି’ ବିଶ୍ରାମ ନେଲ । ଆଦେଶ ଦେଲେ ସୁଲେଖା ଦେବୀ ।

 

କାମ ସବୁ ସରିଗଲା । ମାମି ଏକା ଏକା ଚାହୁଁଥିଲା ଚାରିଆଡ଼େ । ସତରେ ବଡ଼ ସୁନ୍ଦର ହେଇଛି ଘରଟା । ଆରେ ଆଜି ତ ରବିବାର, ହଠାତ୍ ଘଡ଼ିକୁ ଚାହିଁ ଚୁପହେଲା ମାମି । ତିନିଟା ବାଜି ସାରିଥିଲା । ସମସ୍ତେ ବିଶ୍ରାମ ନେଲେଣି । ଘରର ତଳପଟେ ଦୁଇବଖରା ଘରଥିଲା ଗୋପାଳ ପାଇଁ । ବାଲକୋନୀରୁ ଚାହିଁଲା ମାମି—ତା ଘରୁ ମଧ୍ୟ କୌଣସି ଆବାଜ ଆସୁନି, ସମସ୍ତେ କ୍ଳାନ୍ତ ହେଲେ ମାମି ତ କ୍ଳାନ୍ତ ହୋଇନି । ଶେଯରେ ପଡ଼ି ଭାବିଲା ମାମି । କଣ କଟକରେ ତା ପାଇଁ ତନ୍ଦ୍ରା ନାହଁ ? ତେବେ ଏତେ କ୍ଳାନ୍ତ ହୋଇ ସୁଦ୍ଧା ତା ଆଖିରେ ନିଦ ନାହିଁ ଯେ ?

 

ଘର ଭିତରେ କଥାବାର୍ତ୍ତାର ଆବାଜ୍ ମାମି ନିଦ୍ରାରେ ବାଧା ସୃଷ୍ଟି କଲା, ମାତ୍ର କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କଲା ସେ । ନୂତନ କଣ୍ଠ ସ୍ଵରଟିଏ ତେବେ କିଏ ଆସିଛନ୍ତି ନିଶ୍ଚୟ । କଣ ସମୁଧୁଣି ? ବୋଉର ସମ୍ବୋଧନ ଓ ଭଦ୍ର ମହିଳାଙ୍କ ଉତ୍ତରରେ ରାଗି ଉଠିଲା ମାମି । ବାପା ବି ଆଜି ସେଇ କଥା କହୁଥିଲେ । ତେବେ ବାପି ଠିକ୍ କହିଛି, ସେ ହୁଏତ ବାପାଙ୍କ ଠାରୁ କିଛି ଶୁଣିଛି । ପୁନର୍ବାର ଶୋଇବାକୁ ଚେଷ୍ଟାକଲା ମାମି । କିଛି ସମୟ ପରେ ବୋଉର କଣ୍ଠସ୍ୱର–‘ମାମିକୁ ଉଠେଇଲୁ ମିତା, ପାଞ୍ଚଟା ହେଲାଣି ଯେ ରାତିକି ନିଦ ହବନି ପୁଣି । ବୋଉଙ୍କ କଥା ଶୁଣି ବାଧ୍ୟ ସନ୍ତାନ ପରି ଅପାକୁ ଉଠେଇବାକୁ ଗଲା ମିତା, ମାତ୍ର ତା ପୂର୍ବରୁ ଉଠି ପଡ଼ିଛି ମାମି-। ମୁଣ୍ଡ ତଳକୁ ପୋତି ଘରୁ ବାହାରିଗଲା, ମୁହଁ ଧୋଇ ଲୁଗାରେ ମୁହଁ ପୋଛି ପୋଛି ତଳକୁ ଯିବାକୁ ଉଦ୍ୟତ ହେଉଥିଲା, ମାମିର ପାଦ ଦିଟା ହଠାତ୍ ବୋଉର ଡାକରେ ଫେରି ଆସିଲା ସେ । ଆଗନ୍ତୁକା ନାରୀ ଜଣକ ପାଦ ତଳେ ପ୍ରଣାମ କରିବା ପରେ ଉଠେଇ ନେଇ ପାଖରେ ବସାଇ କହିଲେ—

 

: ସତରେ କେତେ ଦିନୁ ଦେଖି ନ ଥିଲି ମାକୁ ମୋରି । ଦୁଇ ତିନି ବର୍ଷର ତ ହୋଇଥିଲା ଗଲାବେଳେ । କଣ ମୋତେ ମନେ ରଖିଛୁଟି ? ଭଦ୍ରମହିଳାଙ୍କ ପ୍ରଶ୍ନରେ କେବଳ ହସି ଦେଲା ମାମି-

 

: ଗଲୁ ମା ଚା’ ଟିକେ ଆଣିବୁ । ବୋଉଙ୍କ କଥାରେ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ମାମି ।

 

: ହଁ ମ ଖାଲି ଚା’ ଟିକେ ଆଣ, ବାପି ସବୁ କାମ ସାରି ଦେଇଛି । ସୁଲେଖା ଦେବୀଙ୍କ କଥା ସାରିବା ସଙ୍ଗେ ସଙ୍ଗେ ଘରୁ ବାହାରିଗଲା ମାମି । ପଛରୁ ଶୁଭୁଥିଲା—

 

: ବାଟ ଘରେ ଦି’ କପ ଦେଇ ଦେବୁ, ଶୁଭିଲାଟି । ବୋଉଙ୍କ କଥା ଶୁଣିବା ପୂର୍ବରୁ ସେ ଘର ଛାଡ଼ିଥିଲା ମାମି ହେଲେ ତାର ଛୋଟ ହଁ ଟି ଫେରି ଆସିଲା ପଛକୁ । ଆଗନ୍ତୁକା ଜଣକ ମନମୁଗ୍ଧ ନୟନରେ ଚାହିଁ ରହିଥିଲେ ତାର କାର୍ଯ୍ୟକଳାପକୁ । ସେ ଚାଲିଯିବା ପରେ କହିଲେ—‘କି ହୋ ସମୁଧୁଣୀ ଝିଅ କଣ ସବୁ.... ।

 

: ମଲା କେମିତି କହିବି । ତା ବୟସ ହଉ । ବାହା ହେଲେ ବଳେ ଜାଣିବନି କଣ ଦରକାର କହିବା । ତା ଖୁସିରେ ସେ ଯାହା କରିଯାଏ । ପିଲାଏତ ତା ହାତରେ ମଣିଷ ହେଲେଣି ।

 

: ହଁ ମୂଳଦୁଆ ପଡ଼ିଗଲାଣି । ଯାହା ହଉ ତମେ ଭାରି ଭାଗ୍ୟବାନ୍ ।

 

: ହଁ ନୁହେଁ ଆଉ କଣ ? ‘ଝିଅ ତ ପରଧନ ଅତି ବଡ଼ ଦୁଇ ତିନିଟା ବର୍ଷ ରହିବ ମୋ ପାଖେ ।’ ଦୀର୍ଘନିଶ୍ଵାସ ଛାଡ଼ିଲେ ସୁଲେଖା ଦେବୀ । ହସିଦେଲେ ବାସନ୍ତୀ ଦେବୀ ।

 

: ତମେ ତ ମାଉସୀଙ୍କର କେତେ ଗେହ୍ଲା ଝିଅ ଥିଲ । ଏଇଲେ....

 

ମାମି ପ୍ରବେଶ କରିଛି ସେ ଘର ଭିତରେ । ମାମିର କପାଳରେ ଲାଗି ରହିଥିଲା ଶ୍ଵେଦବିନ୍ଦୁ କେତେଗୁଡ଼ିଏ । ଝିଅ ମୁହଁକୁ ଚାହିଁ ରାଗିଗଲେ ବାସନ୍ତୀ ଦେବୀ ।

 

: ଚା’ଟା କଣ ନିହାତି ଦରକାର ଥିଲା ? ପ୍ରଶ୍ନ କରିବା ସହ ଉଠିଯାଇ ମାମି କପାଳରୁ ପୋଛି ଦେଲେ ଶ୍ୱେତବିନ୍ଦୁ ଗୁଡ଼ିକୁ ।

 

ଚା’ ପିଇବା ଶେଷ ହୋଇଗଲା । ଦୀର୍ଘ ବାର ବର୍ଷପରେ ଦୁଇବନ୍ଧୁ ଏକାଠି ହୋଇଥିଲେ-। ତାଙ୍କ କଥା ସରୁ ନଥିଲା । ହେଲେ ବ୍ୟସ୍ତ ହୋଇ ଉଠିଲେ ବାସନ୍ତୀ ଦେବୀ, ମନୁ ତାଙ୍କର ଖାଇ ନଥିବ । ମାତ୍ର ମନ୍ମଥ ବାବୁ ଯିବାକୁ ରାଜି ନଥିଲେ । ସ୍ତ୍ରୀଙ୍କ ବ୍ୟସ୍ତତା ଦେଖି ହସି ହସି କହିଲେ–‘ଯାହା କହ ବିନୟ, ଏଟା ହେଲା ଏ ମାତୃ ଜାତିର ଗୁଣ । କିହୋ ପୁଅ କଣ ଛୋଟ ପିଲା ହୋଇଛି ? ନା ହବନି, ଚାଲ ବସେଇ ଦବନି ତମେ ।’ ଉଠି ଠିଆ ହେଲେ ବିଜୟ ବାବୁ । ସେମାନେ ଗାଡ଼ିନେଇ ଚାଲିଗଲେ । ସମସ୍ତେ ଆଜି ଭାରି ପ୍ରଫୁଲ୍ଲ ଜଣା ଯାଉଥିଲେ । ଏକୁଟିଆ ଅପାକୁ ପାଇ ବାପି କହିଥିଲା, ‘ଦେଖିନେଲି ଅପା ସତରେ ଭାରି ଭଲ । ରାଗିଗଲା ମାମି, ଟିକିଏ ହସିଦେଲା ବାପି । ତାର ସ୍ନେହର ଆଦରର ସାନଭାଇ ବାପି ।

 

ଖରା ମଉଳି ଗଲାଣି ହେଲେ ସୂର୍ଯ୍ୟ କିରଣର ପ୍ରଖରଟା କମିନି । ବଗିଚାରେ ବୁଲି ବୁଲି ନିଜର ପ୍ରିୟ ବୃକ୍ଷଲତାଗୁଡ଼ିକ ମଧ୍ୟରେ ହଜି ଯାଇଥିଲେ ମନ୍ମଥ ବାବୁ । ତାଙ୍କ ପଛରେ ଥିଲେ ବାସନ୍ତୀ ଦେବୀ, ହେଲେ ତାଙ୍କର ଚଞ୍ଚଳ ମନଟା ବାରମ୍ବାର ଫେରି ଚାହୁଁଥିଲା ଫାଟକ ଦିଗରେ । କିଛି ସମୟ ପରେ ଗେଟ୍‍ଟା ଖୋଲିବାର ଶବ୍ଦ ଶୁଣି ଫେରି ଚାହିଁଲେ ସେ । ତାଙ୍କ ଚଞ୍ଚଳତା କମିଗଲା, ମୁହଁରେ ହସ ଖେଳିଗଲା । ସ୍ଵାମୀଙ୍କ ଅଜଣାତରେ ସେ ଖସି ଆସିଲେ ସେଠାରୁ । ପୁଅ ଫେରିଲା । ମନ୍ମଥ ବାବୁ ମଧ୍ୟ ସମସ୍ତଙ୍କ ଅଜଣାତରେ ଫେରି ଚାହିଁଲେ ତାଙ୍କରି ପୁଅ ଦିଗରେ । ଏଇ ତାଙ୍କର ଏକ ମାତ୍ର ସନ୍ତାନ ମନୁ । ଭାରି ଅଭିମାନୀ । ରାଜାପୁଅ ପରି ଚେହେରାଟା ତାର ମଳିନ ଦିଶୁଥିଲା, ବାଳଗୁଡ଼ା ଉଡ଼ୁଥିଲା । ସାଇକଲଟା ବାରଣ୍ଡା ଉପରେ ରଖି ଦେଇ ଚଞ୍ଚଳ ପଦକ୍ଷେପରେ ମନୁ ଚାଲିଗଲା । ପଛରେ ଥିଲେ ବାସନ୍ତୀ ଦେବୀ । ତାରି ପଢ଼ାଘର ଭିତରକୁ ପଶିଗଲା ମନୁ, ଚଞ୍ଚଳତା ସହକାରେ ସେ ଖୋଜି ପକାଉଥିଲା କିଛି । ବାସନ୍ତୀ ଦେବୀ ପ୍ରବେଶ କଲେ ତା ମଧ୍ୟରେ ପୁଅକୁ ଚାହିଁ ହସି ହସି କହିଲେ—‘ହଇରେ ମନୁ, ତୋ ପରୀକ୍ଷା ଆଜି ସରିଲା ପରା ।’

 

: ହଁ ବୋଉ । ପ୍ରଶ୍ନର ଛୋଟ ଉତ୍ତର । ବାସନ୍ତୀ ଦେବୀ ଆଗେଇ ଗଲେ ମନୁର ଶ୍ୱେଦ ବିନ୍ଦୁଗୁଡ଼ିକ ନିଜ ପଣତ କାନିରେ ପୋଛୁ ପୋଛୁ କହିଲେ—‘ଆରେ ବାପା ତୋରି ପାଇଁତ ସେ ଗାଡ଼ି ଥୁଆ ହୋଇଛି, ତୁ ଏମିତି ଭାବେ ସାଇକେଲ ଗଡ଼େଇ ଗଡ଼େଇ ନ ଗଲେ କଣ ତତେ ଭଲ ଲାଗେନା ।’

 

: ତମ କଥା ସରିଲା ନା ନାହିଁ ? ସ୍ନେହମୟୀ ଜନନୀର ମନରେ ବହୁତ ଆଘାତ ଲାଗିଥିଲା ପୁଅର ସେ ଉତ୍ୟକ୍ତ କଥା ପଦକ । ସେ ତାଙ୍କର ଅଭିମାନୀ ମନର ଅସୁମାରୀ ଆଶାର ସୌଧ ଭାଙ୍ଗି ଦେଇ ଚାଲିଗଲେ କେବଳ ‘ନା’ କହିଦେଇ, ଗଲାବେଳେ ସୁଇଜ୍ ବୋର୍ଡ଼ର ହାତଟା ବାଜିଗଲା । ବୁଲିବା ଆରମ୍ଭ କରିଦେଲା ପାଖର ଟେବୁଲ୍ ଫାନ୍‍ଟା । ମା’କୁ ଫେରି ଯାଉଥିବାର ଦେଖି ସ୍ଵସ୍ଥିରେ ନିଶ୍ୱାସ ମାରିଲା ମନୋଜ । ସେ ଜାଣେ ବୋଉ ଅଭିମାନ କରିଛି ।

 

ନିଜର ବଗିଚାରୁ ଅନେକ ଫୁଲ ନେଇ ବାସନ୍ତୀ ଦେବୀ ଗୁନ୍ଥନ୍ତି କେତୋଟି ହାର । ପ୍ରତ୍ୟେହ ଚଣ୍ଡି ମନ୍ଦିର ଯାଇ ଠାକୁରଙ୍କ ମଥାରେ ମାଳ ବଢ଼ାଇବା ବେଳେ ସେ କେତେ କ’ଣ କହିଯାଆନ୍ତି ସେଇ ପ୍ରସ୍ତର ମୂର୍ତ୍ତି ସମ୍ମୁଖରେ । ସ୍ତ୍ରୀଙ୍କ ପ୍ରକୃତି ଜାଣନ୍ତି ମନ୍ମଥବାବୁ । ଦିନେ ଦିନେ ସେ ମଧ୍ୟ ତାଙ୍କ ସାଙ୍ଗରେ ମନ୍ଦିର ଯା’ନ୍ତି । ସେ ଜାଣନ୍ତି ତାଙ୍କ ସ୍ତ୍ରୀ ଅଭିମାନୀ । ମା’ର ସେ ଗୁଣଟି ଗଭୀର ଭାବରେ ଗ୍ରହଣ କରି ନେଇଛି ମନୋଜ ।

 

ନିଜର ଛୋଟ ସେଇ ଲାଇବ୍ରେରୀ ଘରୁ ବାହାରିଲା ମନୋଜ । ଛୋଟ ହେଲେ ମଧ୍ୟ ତା ମଧ୍ୟରେ ଥିବା ବହିତକ ପଢ଼ିବାକୁ ହୁଏତ ସାରା ଜୀବନ ଲାଗିଯିବ ତାକୁ । ଲୁଗା ବଦଳେଇ ଶିଡ଼ିଦେଇ ଓହ୍ଲାଇ ଆସିବା ସମୟରେ ସେ ଶୁଣିଲା ଗାଡ଼ି ଷ୍ଟାଟ ହେବାର ଶବ୍ଦ । ହୁଏତ ବାପା କୁଆଡ଼େ ଗଲେ । ଆନନ୍ଦରେ ସିଟି ବଜାଇ ତଳକୁ ଆସିଲା ମନୋଜ । ଗାଧୁଆ ଘରୁ ବାହାରି ଆସିବା ସମୟରେ ରଘୁଆ ଆଣି ଧରାଇ ଦେଲା ତଉଲିଆଟା, ଆଉ ‘ପପି’ ଆସି ଗେହ୍ଲା ଦେଲା ତା ପାଖରେ ତା ଆଦରର କୁକୁର ‘ପପି’ ।

 

: ‘ରଘୁ ଦା’ ବୋଉ କୁଆଡ଼େ ଗଲା ?

 

: ସାନ ବାବୁ ଯାହା କୁହ ତମେ ଜମାରୁ ଭଲ କାମ କରୁନ ।

 

: କାହିଁ ମୁଁ ତ କିଛି କହିନି । ହସି ହସି କହିଲା ମନୁ । ସେ ଜାଣେ ତାକୁଇ ଯଦି ଖୋଲା ଖୋଲି ଭାବେ ତାଗିଦ୍ କିଏ କରିଥାଏ ସେ ହେଲା ଏଇ ରଘୁଆ । ବୋଉ ଟିକେ କଥାରେ ଅଭିମାନ କରେ ବାପା ତ ସବୁବେଳେ ଗମ୍ଭୀର ।

 

: ବୋଉକୁ ରାଗି କରି କଥା କହିବନି ବୋଲି କେତେ କହିବି ? ରଘୁର ପ୍ରଶ୍ନ ।

 

: ଏଥରକ ଭୁଲ ହୋଇଗଲା । ଆଉ କହିବିନି । ହସି ହସି ଖାଇବା ଆରମ୍ଭ କଲା ମନୁ । ରଘୁ ହସିଦେଲା ମଧ୍ୟ । ଏଇ ପିଲାଟିକୁ ଏତେ ବଡ଼ କରିଛି ସେ । ସତରେ କେତେ ଛୋଟ ଏଇ ସାନବାବୁ ମୋର । ହଠାତ୍ ବାହାରେ ବେଲ୍ ବାଜି ଉଠିଲା, ରଘୁ ଉଠିଗଲା ।

 

କବାଟ ଖୋଲିଲା ରଘୁଆ ପ୍ରବେଶ କଲେ ଦୁଇଜଣ ଆଧୁନିକ ଯୁବକ । ତାଙ୍କୁ ଦେଖି ରଘୁଆ ଟିକେ ହସିଦେଲା । ଘରକୁ ଆସନ୍ତି ସାନବାବୁଙ୍କର ଏଇ ସାଙ୍ଗ ଦିଓଟିଙ୍କୁ । ଦୁହେଁ ଏକା ସାଙ୍ଗେ କହିଲେ ‘ନମସ୍କାର ରଘୁଦା’ କଣ ଚିହ୍ନିପାରୁନ ?

 

: ଆରେ ପିଲେ ତମକୁ ଚିହ୍ନିବନି ତ ଆଉ କାହାକୁ ଚିହ୍ନିବି ?

 

: କଣ ମନୋଜ ଅଛି ?

 

: ସେ କଣ କୁଆଡ଼େ ଯା’ନ୍ତି ? ସତରେ ବାବୁ ଭାରି ତାଗିତ୍ କରିଛନ୍ତି । ସେ ଭାବୁଛନ୍ତି ସାନବାବୁ ଆମର ଛୋଟ ଅଛନ୍ତି ।

 

: ଆଚ୍ଛା ‘ରଘୁଦା’ ତମେ କଣ କେବେ ଭାବିଛି ମନୋଜ ବଡ଼ ହୋଇଗଲାଣି ବୋଲି ?

 

: ତମର ପରୀକ୍ଷା ସରିଲାଣିଟି । ସନ୍ତୋଷର ପ୍ରଶ୍ନକୁ ଆଡ଼େଇ ଦେଇ ହସିଦେଇ କହିଲା ରଘୁ । ଠିକ୍ ସେଇ ସମୟରେ ମନୋଜ ପ୍ରବେଶ କରିଛି ।

 

: ତମେମାନେ ଆସିଛଟି ? ମୁଁ ଜାଣେ ରଘୁଦା’ ଆଉ କାହା ସାଙ୍ଗେ ଏମିତି ଗପିବେ ।

 

: ସବୁ ଖାଇ ସାରିଛ ନା ନାହିଁ ? ମନୋଜକୁ ଦେଖି ରଘୁର ପ୍ରଶ୍ନକୁ ହସିଦେଇ କହିଲା ମନୋଜ ।

 

: ହଁ ହଁ, ମୁଁ ଆସୁଛି । ହସି ହସି ଚାଲିଗଲା ରଘୁ ।

 

: ପରୀକ୍ଷାରେ କେମିତି ? ସନ୍ତୋଷର ପ୍ରଶ୍ନ ।

 

: ବୁଝିଲୁ ପ୍ରକାରେ ହୋଇଛି । ଆଜି ହଲରୁ ଯେମିତି ବାହାରିଲି ରଂଜନ, ଦୀପକମାନଙ୍କ କଥାଶୁଣି ମୋ ମୁଣ୍ଡ ଗରମ । ଭାବିଲି ଆଉ ମୋର ରକ୍ଷା ନାହିଁ.....

 

: ସତରେ ମନୋଜ ତୁ ମଉସାଙ୍କୁ ଭାରି ଡରୁ ନା ? ଅସୀତର ପ୍ରଶ୍ନ ।

 

: ଧେତ୍ ମଉସା କଣ ବାଘ ଭାଲୁ ହୋଇଛନ୍ତି ? ବୁଝିଲୁ ଯେ ଯାହାକୁ ଯେତିକି ଭଲ ପାଏ ଆଉ ଭକ୍ତି କରେ ଠିକ୍ ସେତିକି ଡରେ । ନା କଣ ମନୋଜ ମିଛ କହିଲି ? ସମସ୍ତେ ହସି ଦେଲେ—ଆଚ୍ଛା କଣ ହେଲା କହିଲୁ ?

 

: ସେଥିପାଇଁ ପରା ବୋଉର ରାଗ ତାକୁ ଟିକେ ରାଗିଗଲି । ସେମିତି ହେଇଛି ପରୀକ୍ଷା-

 

: କଥା ଦେ ଭାଇ Best Graduate ହେବୁ ତ ? ସନ୍ତୋଷର ଉତ୍କଣ୍ଠା ।

 

: ପୁଣି ସେଇ କଥା ? କିରେ ସେଟା କଣ ମୋ ହାତ କଥା ? ଆଚ୍ଛା ମୋ କଥା କେମିତି ମନେ ପଡ଼ିଲା ?

 

: କଣ କହିଲୁ ? ତୋ ପରୀକ୍ଷା ସରିଛି ଆଜି ଆଉ.......

 

: ଏ ସନ୍ତୋଷ ସେତିକି । କହ ଆଉ ସବୁ ଖବର କଣ ? ମନୋଜ କଥାରେ ରାଗି ଆସୁଥିବା ସନ୍ତୋଷ ହସିଦେଲା ଟିକେ ।

 

: ଆମେ ଭାଇ ସେମିତି କରିଛୁ ପରୀକ୍ଷାରେ ନା କଣ ସନ୍ତୋଷ ? ଅସୀତର ପ୍ରଶ୍ନ ।

 

: ଧେତ୍ ତୁ ଟା ସିନା ମଉସାଙ୍କ ବ୍ୟବସାୟ ଧରିବୁ ଯେ ପରୀକ୍ଷାରେ ଯାଛାତା କରିବୁ । ମୋର କାହିଁକି ଖରାପ ହେବ ?

 

: ଯାହାକହ ସନ୍ତୋଷ ମନୋଜକୁ ଦେଖିଲେ ତୋ ନିଜକୁ ବୋଧେ ତୁ ଭୁଲିଯାଉ ।

 

କଥା ମଝିରେ ରଘୁ ଆଣି ଚା’ ବିସ୍କୁଟ ଦେଇଯାଇଛି । ଚା’ଟା ଧରି ନେଉଛି ସନ୍ତୋଷ ।

 

: ଏ ଅସୀତ୍ ମୁଁ କଣ କଲି କି ଦେଖ ଭାଇ....ଚା କପ୍‍ଟା ଓଠରେ ଦେଇ ‘ବୁଝିଲୁ ମନୁ, ଏଇ ରଘୁଦା’ ଚାଟା ଭାରି ବଢ଼ିଆ ବନାନ୍ତି । ମନୋଜ ହସୁଥିଲା । ‘ହଁ ମନୋଜ ଶୁଣ୍ ଏଟା ଆସି ମେ’ ମାସ ସାରିବାକୁ ବସିଲାଣି....’ ।

 

: ତୁ ନୂଆ କଥାଟେ କଣ କହିଲୁ ? ମନୋଜର ପ୍ରଶ୍ନ ।

 

ଧେତ୍ କ୍ଲବର ଆନୁଏଲ୍ ଫକ୍‍ସନ କଥା କହୁଛି, କଥା ନ ଶୁଣି...

 

: ସତକଥା ମୋର ତ ମନେ ନଥିଲା ?

 

ତୋର କଣ ମନେ ଥିଲା କହିଲୁ ? ନିଜକୁ କି ଆମକୁ...ଅସୀତ୍‍ର ପ୍ରଶ୍ନ ।

 

: ଅସିତ୍ ଦେଖ୍ ଭାଇ...ମନୋଜର ଉଦାସିଆ କଥା ଶେଷ ହବାକୁ ଦେଲାନି ସନ୍ତୋଷ ।

 

: ହଁ ଆଉ । ଶୁଣ ମନୋଜ, ତତେ ମିଶିବାକୁ ପଡ଼ିବ ଏଥର ।

 

: କେଉଁଥର ନ ମିଶିଛି ଯେ ? ମନୋଜର ପ୍ରଶ୍ନ ।

 

: ତୁ ଜାଣୁ ମନୋଜ ଯେ କ୍ଲବ ତରଫରୁ ଗୋଟେ ପିଲାଙ୍କ ଲାଇବ୍ରେରୀ ଖୋଲିବାକୁ ଆମର ପ୍ରସ୍ତାବ ଅଛି, ହେଲେ ଟଙ୍କା ଅବସ୍ଥା ତ ତୁ ଜାଣୁ । ସେ ହିସାବରେ ଏ ବର୍ଷ ବ୍ୟବସାୟିକ ଦୃଷ୍ଟି...

 

: ଆରେ ସବୁ ବର୍ଷତ ସେମିତି ହୁଏ ତମେ....

 

: ନା ନା ସବୁ ବର୍ଷଠାରୁ ଏବର୍ଷ ଏତିକି ଭିନ୍ନ ଯେ ଏବର୍ଷ ‘ଶକୁନ୍ତଳା’ ନାଟକଟା...

 

: କିରେ ତୁ ପାଗଳ ହେଲୁକି ? ଝିଅ ପିଲା....

 

: ତୁ ବ୍ୟସ୍ତ ହନା ଭାଇ, ସନ୍ତୋଷ ଥାଉ ଥାଉ.....ଅଟକିଲା ସନ୍ତୋଷ ଗାଡ଼ି ଆସିବାର ଶବ୍ଦ—‘ମନୋଜ ମଉସା ?’

 

: ବେଶ୍ ମୁଁ ବୋଉଙ୍କୁ ପଚାରି ଖବର ଦେବି, କଣ କହୁଛୁ ?

: ନା ମନୋଜ ସେ କଥା ହବନି....ପ୍ରବେଶ କରିଛନ୍ତି ବାସନ୍ତୀ ଦେବୀ ସନ୍ତୋଷ ଓ ଅସୀତ୍ ନମସ୍କାର କରିଛନ୍ତି । ହସିଦେଇ ଭିତରକୁ ଯାଇଛନ୍ତି । ମନୋଜ ଡାକିଛି ।

 

: ବୋଉ....

 

: କଣ ହେଲା ? ବୋଉଙ୍କର ଗମ୍ଭୀର ସ୍ୱର । ଧରିଥିବା ଲୁଗା କାନିଟା ଛାଡ଼ିଦେଲା ସେ-

 

: ଓଃ ମୋ ଉପରେ ରାଗିଛନା, ବେଶ୍ ଠିକ୍ ଅଛି ।’ ମନୋଜ ମଧ୍ୟ ଗମ୍ଭୀର ହୋଇଗଲା-। ସନ୍ତୋଷ ଓ ଅସୀତ୍ ଠିଆ ହେଲେ । ଭୋଗଧରି ଆସିଲା ରଘୁ । ସନ୍ତୋଷ ଓ ଅସୀତ୍ ଭୋଗନେଲେ । ହେଲେ ମନାକଲା ମନୋଜ । ସାମାନ୍ୟ ଟିକେ ପାଟିରେ ଲଗାଇଲା ସନ୍ତୋଷର ଅନୁରୋଧ କ୍ରମେ । ଏଇ ସନ୍ତୋଷ ତାର ଛୋଟ ବେଳର ସାଥୀ । ତା କଥାରେ ବାଧା ଦେଇପାରେନା ମନୋଜ । ସାଙ୍ଗମାନଙ୍କୁ ବିଦାୟ ଦେଇ ଘରକୁ ଫେରିଲା ମନୋଜ । ପଛକୁ ମନ୍ମଥ ବାବୁଙ୍କ କଣ୍ଠସ୍ୱର—

 

: ମନୁ । ଫେରି ଚାହିଁଲା ମନୋଜ । ବାପାଙ୍କ ଆଖିରେ ଭରି ରହିଲା ଅସୀମ ବାତ୍ସଲ୍ୟତା, ହେଲେ ମୁହଁ ଗମ୍ଭୀର । ପରୀକ୍ଷାରେ କେମିତି ହୋଇଛି ? କଣ ଫାଷ୍ଟ କ୍ଲାସଟା ହେବ ନା ନାହିଁ ? କିଛି କହୁନୁ ଯେ, କେଉଁଥିରେ ଖରାପ କରିଛୁ ?

 

: ସେମିତି ଖରାପ ହୋଇନି ହେଲେ ଏକଜାମିନର...... ’ ବାପାଙ୍କ ମନ ଚିହ୍ନି କଥାଟା କହିଲା ମନୋଜ । ହସିଦେଲେ ମନ୍ମଥବାବୁ । ଦୂରରୁ ବାପ ପୁଅଙ୍କୁ ଚାହିଁଥିଲେ ବାସନ୍ତୀ ଦେବୀ ।

 

: ଆଚ୍ଛା ଯା ମୋ ଡ୍ର’ରୁ ସ୍କୁଟର ଚାବିଟା ନେଇ ପାଖରେ ରଖିବୁ କିନ୍ତୁ ବି.ଏ. ରେ ଫାଷ୍ଟ କ୍ଲାସ ନ ପାଇଲେ ଗାଡ଼ିଟା ବିକ୍ରି କରିଦେବି ପଛେ ତତେ ଦେବିନି । ଏତିକି ଯେମିତି ସବୁବେଳେ ମନେ ରଖିଛୁ ବୋଲି ଆଶା । ସେ ଘରୁ ବାହାରିଗଲା ମନୋଜ । ମାଟ୍ରିକ ପରୀକ୍ଷା ପରେ ସାଇକେଲ୍ ମିଳିଲା, ହେଲେ ବାପାଙ୍କ ପାଖେ ଚାବି ଆଇ.ଏ. ପର ସ୍କୁଟର ମିଳିଲା, ହେଲେ ବାପାଙ୍କ ପାଖେ ଚାବି । ବି.ଏ. ପରେ ଗାଡ଼ି ମିଳିଲେ ମଧ୍ୟ ତାଙ୍କପାଖେ ଚାବି ରହିବ ତେବେ ଏମ୍.ଏ.... ? ମନର ପ୍ରଶ୍ନବାଚୀ ନେଇ ଉପରକୁ ଉଠିଗଲା ମନୋଜ ।

 

: ରଘୁ, ମନୁକୁ ଛେନାପୋଡ଼’ ଦେଲ ?

 

: ନା ମା, ସେ ଖାଇଲେନି ପରା ।

 

: ତମେ ?

 

: ମଲା ମାଙ୍କର ଗୋଟେ କଥା....ରଘୁର କଥା ରହିଗଲା । ତା ମୁହଁକୁ ଚାହିଁ ଟିକିଏ ହସିଦେଲେ ବାସନ୍ତୀ ଦେବୀ । ସତରେ ମନୁ ପ୍ରତି କେତେ ସ୍ନେହ ଏ ରଘୁର । ଭୋଗ ନେଇ ଉପରକୁ ଯିବାକୁ ଚାହିଁଲେ ବାସନ୍ତୀ ଦେବୀ ରଘୁଆ ଆଣି ଧରେଇ ଦେଲା ପ୍ଲେଟଟା । ଶେଯ ଉପରେ ଶୋଇ ରହି ବହି ଖଣ୍ଡେ ପଢ଼ୁଥିଲା ମନୋଜ । ପାଦଶବ୍ଦ ଶୁଣି ଚାହିଁଲା ବହି ଭିତରୁ, ବୋଉ ଆସୁଛନ୍ତି । ମନେ ମନେ ହସିଲା ମନୋଜ । ସତରେ ବଡ଼ ଆଶ୍ଚର୍ଯ୍ୟ ପ୍ରକୃତର ଏଇ ତାର ମା’ । ବାସନ୍ତୀ ଦେବୀ କିନ୍ତୁ ଭାବୁଥିଲେ ପୁଅର କଥା, ସତରେ ବଡ଼ ଜିଦିଆ ହେଲା ପିଲାଟା । କିନ୍ତୁ ମାମି ଆସିଲେ ବଳକେ ଠିକ୍ ହୋଇଯିବ ଯେ—ପାଖରେ ବସିଲେ ବାସନ୍ତୀ ଦେବୀ । ମନୁ ବହିଟା ରଖିଦେଇ ଚାହିଁଲା—

 

: ନେ’ ଭୋଗ ଟିକେ ଖାଇଦେ । ହସି ହସି କହିଲେ ବାସନ୍ତୀ ଦେବୀ ।

 

: ନା’ ମୁଁ ଆଉ ଖାଇବିନି ମୁଁ ଖାଇଛି ।

 

: ମୋ ସୁନା ପୁଅଟା ପରା ଉଠୁ ଉଠିଲୁ.....

 

: ନାହିଁ କଲି ପରା, ତମେ ମତେ ଡାକନି.....

 

: କିଏ ଆଉ ଡାକିବ ? ହଉ ହେଲା B.A. ପାସ କରି ସାରେ ବାହା କରି ଦେବୀ ଯେ.....

 

: ବୋଉ....ତମେ କାହିଁକି ମତେ ରାଗିଲ କି ?

 

: ଆଉ ରାଗିବିନି । ଉଠୁ, ହଠାତ୍ ପ୍ରବେଶ କରିଛନ୍ତି ମନ୍ମଥ ବାବୁ । ସ୍କୁଟର ଚାବି ଧରି; କାରଣ ସେ କହିଥିଲେ ବି ମନୋଜ ଅଣିନି । ମନୋଜ ଜାଣେ ସେ ଯଦି ଆଣିବ ବାପା ରାଗିବେ ମାତ୍ର ନ ଆଣିଲେ ନିଜେ ଦେଇଯିବେ......

 

: କଣ ହେଲା ତା ଦେହ ଭଲ ନାହିଁ କି ?

 

: ନା’ ମ ତା ଦେହ କାହିଁକି ଖରାପ ହେବ ?

 

: ତେବେ ରୁଷା ହୋଇଛି ? ଛି ଛି ମନୁ, ତମେ ପୁଅ ପିଲା, ଦାବି କରିବାଟା, ଯୋର କରି କହିବାଟା ତମ ପାଖରେ ଶୋଭା ପାଏ କିନ୍ତୁ ଏମିତି ରୁଷିବାଟା ନୁହେଁ । ବୁଝିଲ ପୁଅକୁ ଥରେ ନେଇଯାଅ ବିଜୟ ବାବୁଙ୍କ ଘରକୁ, ଦେଖି ଆସୁ ବାପି ବୁବୁଙ୍କୁ ।

 

: ମଲା, ଗଲାବେଳେ ଯିବନି, ତମେ ଏଡ଼େ ଉଚ୍ଛନ୍ନ କାହିଁକି ଯେ ହଉଛ ଯେ.....

 

: ହଉ ହେଲା, ନେ ମନୁ ଚା’ବିଟା ରଖ । ତମେ ମା ପୁଅ ବୁଝା ବୁଝି ହୁଅ କିନ୍ତୁ ଏତିକି ମନେରଖ ଏ ରୁଷା ବେଉଷାରେ ଯେମିତି କିଛି ଗଣ୍ଡଗୋଳ ସୃଷ୍ଟି ନ ହୁଏ । ଚାଲିଗଲେ ମନ୍ମଥ ବାବୁ-। ମନୁ ଚାହିଁଲା ମା’ ଦିଗରେ, କଣ ହେଲା ?

 

: କିଛି ନାହିଁ ହେବ କଣ ? ଚାଲ ତୁ ଖାଇବୁ ଚାଲିଲୁ....

 

: ନାହିଁ କଲିପରା, ମତେ ତମେ ବାଧ୍ୟ କରନି....

 

: ବେଶ୍‍ ଅବାଧ୍ୟ ହେଲେ କିଛି କାମ ହବନି, ନା ସିନେମା ଯାଇ ପାରିବୁ ନା ଆଉ କିଛି....

 

: ବୋଉ...... ।

 

: କଣ ହେଲା ?

 

: ତମେ ଗୋଟେ କଥାରେ ବାପାଙ୍କ ଠାରୁ ପରିମିଶନ୍ ଆଣିଦବ ଯଦି....

 

: କଣ କଥାଟା କହୁନୁ, ତୋର କେଉଁ କଥାଟା ରହିନି ଯେ ହସି ଦେଲେ ବାସନ୍ତୀ ଦେବୀ-

 

: ବୋଉ, ବ୍ଲକର ଆନୁଏଲ୍ ଫଙ୍କସନରେ...... ।

 

: ସବୁ ଥରତ ମିଶୁ ଏଥର ମିଶିବୁ । ବାପା କାହିଁକି ଅନୁମତି ଦେବେନି । ପୁଅକୁ ମିଠା ଦେଇ ଚାଲିଗଲେ ବାସନ୍ତୀ ଦେବୀ । ମନୁ ମନରେ ଆନନ୍ଦ ହାତରେ । ଥିଲା ସ୍କୁଟର ଚାବିଟା । ମନଟା ତାର କହୁଥିଲା ବୁଲି ଯିବାକୁ ସାରା ସହର, ହେଲେ ବିବେକ୍ ତାର ବାଧା ଦେଲା । ସେଇ ରାତିରେ ସମସ୍ତ ଖବର ଜଣାଇ ଦେଲା ସନ୍ତୋଷକୁ । ସମସ୍ତଙ୍କ ମନରେ ଆନନ୍ଦ । ମନୋଜ ଭାବୁଥିଲା, ସତରେ ସେ କେମିତି କରିବ ଏଥର । ନିଜ ଆଲମିରା ଖୋଲି ‘ଶକୁନ୍ତଳା’ ନାଟକ ବହିଟା କାଢ଼ିଲା ସେ । ନାରୀ ଚରିତ୍ର ସର୍ବସ୍ଵ ନାଟକଟା କାହିଁକି ? ଗୋଟେ ଆଧୁନିକ ନାଟକ କଲେ ତ କିଛି କ୍ଷତି ନାହିଁ । ବହିଟା ଧରି ନିଜର ଭାବନା ରାଜ୍ୟରେ ବିଚରଣ କରିବାକୁ ଲାଗିଲା ମନୋଜ-। ଶେଷ ସିଦ୍ଧାନ୍ତରେ ପହଞ୍ଚିଲା ସେ ହୁଏତ ସେମାନେ ବେଶୀ ଦୂର ଆଗେଇ ନ ଥିବେ । ତେବେ ନାଟକଟା ବଦଳାଇ ଦେବାକୁ ପଡ଼ିବ କିଛି ଗୋଟେ ଆଧୁନିକ ନାଟକ କଲେ ହୁଏତ ଭଲ ହେବ ସତରେ ଯାତ୍ରା ପାର୍ଟିର ବେଶ ପୋଷାକ ଭାରି ବିରକ୍ତ ଲାଗେ ମନୋଜକୁ ।

 

ଜୀବନରେ ନିଜର ଜନ୍ମ କଲା ମା ବ୍ୟତୀତ ଅନ୍ୟ ଦୁଇ ଚାରି ଜଣ ଝିଅଙ୍କ ସହ ଆଜି ପରିଚିତ ହେଲା ମନୋଜ । ହୁଏତ ନାରୀ ହିସାବରେ ସେ ଜଣଙ୍କୁ ଦେଖିଥିଲା ସେ ଜଣକ ତାରି ମା’ ମାଉସୀ, ପିଉସୀ, ଖୁଡ଼ି, ଆଈ ଏସବୁ ସମ୍ବନ୍ଧ ଦୁନିଆରେ ଥାଏ ବୋଲି ସେ ଶୁଣିଛି, ହେଲେ ତା ଜୀବନ ପରିଧିରେ କେହି ଆସି ନାହାନ୍ତି । ବୁଦ୍ଧି ପାଇବା ବେଳକୁ ଆଈ ଓ ବୁଢ଼ୀ ମା ସଂସାରରୁ ବିଦାୟ ନେଇଥିଲେ । ନିଜର ଭଉଣୀଟିଏ ବି ନ ଥିଲା ସ୍ତ୍ରୀ ଜାତିକୁ ଅନ୍ୟ ରୂପେ ଦେଖିବାକୁ, ମାତ୍ର ଆଜି ଅଭିନୟ କ୍ଷେତ୍ରରେ ତାର ପ୍ରଣୟୀ ଥିଲା ସେଇ ଚଳ ଚଞ୍ଚଳା ଝିଅଟି । ଯାହାର ଆଖି ଦୁଇଟାର ମାକଦତା ଓ ସୌନ୍ଦର୍ଯ୍ୟ ପାଶ୍ୱର୍ରେ ନିଜକୁ ହରାଇ ଦେଲା ପରି ଲାଗୁଥିଲା ତାକୁ । ସତରେ ଚମତ୍କାର ଅଭିନୟ କରୁଛି ଝିଅଟି । ଅଭିନୟ ସାରି ଘରକୁ ଫେରିବା ବାଟରେ ନିଜର ମନଟାକୁ ହଜେଇ ଦେଇଥିବା ମନୋଜ ପହଞ୍ଚିଗଲା ଘର ପାଖରେ । ସ୍କୁଟରଟି ରଖି ଦେଇ ଘର ଭିତରକୁ ପ୍ରବେଶ କଲା । ମୁହଁ ହାତ ଧୋଇ ଖାଇବା ଶେଷ କରି ସେଇ ‘ଶକୁନ୍ତଳା’ ନାଟକ ଭିତରେ ନିଜକୁ ହଜେଇ ଦେଇଥିବା ମନୋଜ ପ୍ରଥମେ ଶୁଣି ପାରିଲା ନାହିଁ ରଘୁଦା’ଙ୍କର ଡାକ, ମାତ୍ର ଦ୍ଵିତୀୟ ଡାକ ସଜାଗ କରିଦେଲା ତାକୁ । ଫେରି ଚାହିଁଲା ସେ । ରଘୁଦା କଣ କହୁଛନ୍ତି । ସେ କହିଲା—

 

: କଣ କହିଲ ରଘୁଦା’ ?

 

: ବାପା ଡାକୁଛନ୍ତି ବଗିଚାକୁ ଯାଅ ।

 

: ଯାଉଛି । ରଘୁ କଥାରେ ସମ୍ମତି ଜଣାଇ ବଗିଚା ଦିଗରେ ଆଗେଇଲା ଅନ୍ୟମନସ୍କ ମନୁ । ହାତରେ ‘ଶକୁନ୍ତଳା’ ନାଟକ ବହିଟା ଥିଲା, ସଂସ୍କୃତ ଲେଖାଟି ପଢ଼ିବା ଉଦ୍ଦେଶ୍ୟରେ ଧରିଥିଲା ସେ । ବାପାଙ୍କ ସହ ଅନ୍ୟ ଜଣେ ଭଦ୍ର ଲୋକ ‘କିଏ ସେ ?’ ମନକୁ ମନ ପ୍ରଶ୍ନକଲା ମନୋଜ । ହୁଏତ ଆଜି ତାଙ୍କୁ ନୂଆ କରି ଦେଖୁଛି । ପାଖକୁ ଆସି ପ୍ରଣାମ କଲା ମନୋଜ । ଦୁଇ ବନ୍ଧୁଙ୍କ ଆଳାପରେ ବାଧା ପଡ଼ିଲା । ମନୋଜକୁ ପ୍ରତି ନମସ୍କାର ଜଣାଇ ବସିବାକୁ କହିଲେ ବିଜୟ ବାବୁ—ବୁଝିଲୁ ମନ୍ମଥ କେତେ ବଡ଼ ହୋଇଗଲା ଏଇ ମନୁ, ଏଇ ଆଠ ନଅ ବର୍ଷର ହୋଇଥିଲା ଦେଖିଥିଲି ନା କଣ ?

 

: ହଁ ସାତ ଆଠ ବର୍ଷ ବେଳେ ତାକୁ ଦେଖିଥିଲୁ ।

 

ସେମାନଙ୍କ କଥା ବିରକ୍ତ ଲାଗୁଥିଲା ମନୋଜକୁ । ସେ ଠିଆ ହୋଇ ରହିଛି । ବାପାଙ୍କ ପାଶ୍ୱର୍ରେ ଖାଇବା ବେଳ ବ୍ୟତୀତ ଅନ୍ୟ ସମୟରେ ବସିବାକୁ ସଂକୋଚ ଲାଗୁଥିଲା ତାକୁ, ବିଶେଷତଃ ତାଙ୍କ ସାଙ୍ଗ ଓ ବାପାଙ୍କ ମଝିରେ ବିରକ୍ତବୋଧ କରୁଥିବା ମନୋଜ ଚାହିଁ ରହିଥିଲା ବଗିଚାର ଅନ୍ୟ ଦିଗରେ ।

 

: ତୁ କଣ ଜାଣୁନା ବିଜୁ, ମନୁ ମୋର କେତେ ଆଶା....

 

: କିରେ ଠିଆ ହୋଇ ରହିଛୁ ଯେ ? ବିଜୟ ବାବୁଙ୍କ ପ୍ରଶ୍ନ ।

 

: ବସୁନୁ କାହିଁକି ? ବାପାଙ୍କ ପ୍ରଶ୍ନ । ମନୁ ଭାବିଲା ‘ବାପା କଣ ଜାଣନ୍ତିନି ?’

 

ମନୋଜ ବସିବା ପରେ ବିଜୟ ବାବୁ ପ୍ରଶ୍ନ କଲେ, ପରୀକ୍ଷା ସମ୍ବନ୍ଧରେ । ସମସ୍ତ ପ୍ରଶ୍ନର ଛୋଟ ବଡ଼ ଉତ୍ତର ଦେଉଥିଲା ମନୋଜ ।

 

: ଆଚ୍ଛା ମନୁ ମତେ ଚିହ୍ନି ପାରୁଛୁ ? ବିଜୟ ବାବୁଙ୍କ ପ୍ରଶ୍ନରେ ମନୋଜ ଟିକେ ହସି ଦେଲା ।

 

: ସେ ତତେ କେମିତି ଚିହ୍ନିବନି । ମନୋଜ ଆଶ୍ଚର୍ଯ୍ୟ ହେଲା ବାପାଙ୍କ କଥାରେ ‘ବୁଝିଲୁ ବାପି ଆସି ସେଦିନ ନ ଚିହ୍ନି ନ ଜାଣି ଚିହ୍ନିଗଲା । ଆଉ ମନୁ କେମିତି ନଜାଣି ପାରିବ ଯେ । ବାପି କଟକ ଛାଡ଼ିଲା ବେଳକୁ ଦୁଇ ତିନି ବର୍ଷର ହୋଇଥିଲା ଆଉ ମନୁକୁ ? ବାପାଙ୍କ କଥା କହିବାର ଅର୍ଥ ମନୋଜ ବୁଝି ପାରିଲା । ବିଜୟ ବାବୁଙ୍କୁ ମଧ୍ୟ ବୁଝିବାକୁ ବାକି ରହିଲାନି ବନ୍ଧୁ ସୁଲଭ ହସ ହସି ସେ କହିଲେ—ହଉ ହେଲା, ତୋ କଥା ଚାତୁରୀ ମତେ ଅଜଣା ନାହିଁ । ହସି ଉଠିଲେ ମନ୍ମଥ ବାବୁ ବିଜୟ ବାବୁଙ୍କ କଥାରେ । ବିଜୟ ବାବୁ ମଧ୍ୟ ବାଦ ଗଲେନି । ମନୋଜ ବସି ନୀରବ ଦର୍ଶକ ହୋଇଥିଲା । ତା ହାତକୁ ବହିଟା ନେଇ ଖୋଲିଲେ ବିଜୟ ବାବୁ ।

 

: ବା ଚମତ୍କାର, ସଂସ୍କୃତ ପ୍ରତି ବି ତୋର ବେଶ୍ ଅନୁରାଗ ଦେଖୁଛି । ବେଶ୍ ଯା ପଢ଼ିବୁ, ହେଲେ ମୋ ପିଲେ ହେବେନି । ଯା’ ପଢ଼ିବୁ, ମନୋଜ ବହିଟି ଧରି ନୀରବରେ ଉଠିଗଲା ।

 

: ବୁଝିଲ ମନ୍ମଥ, ମନୁ ଠିକ୍ ତୋ ଲେଖେଁ ହୋଇଛି ।’

 

: ଧେତ୍ ବାଜେ କଥା । ତା ବୋଉର । ଆଖି, କାନ, ଓଠ ମୋ ଗଢ଼ଣ ଅବଶ୍ୟ ହୋଇପାରେ ।

 

: କିନ୍ତୁ ତୁ ତାକୁ ଏତେ ଶାସନ ଭିତରେ ରଖିଛୁ । ମୋ ପିଲେ ତ ମୋ ସାଙ୍ଗ ଭାଇ ଯାହା କହ । ମାମି ନଥିଲେ ସବୁ ଗୁଡ଼ା ବାଳୁଙ୍ଗା ହୋଇ ଯାଇଥାନ୍ତେ ।

 

ବାପାଙ୍କ ଶେଷ କଥା ପଦକ ମନୁ କାନରେ ବାଜିଲା । ମନେ ମନେ ହସୁଥିଲା ସେ । ସନ୍ଧ୍ୟା ହୋଇଗଲାଣି । ବହୁତ ବେଳୁ ପଢ଼ାଘରେ ଆଲୁଅ ଦେଇ ବହିଟାକୁ ଚାହିଁ ବସିଥିଲା ସେ...ଲୀନା ଚମତ୍କାର ନା’ଟା ଝିଅଟା ମଧ୍ୟ ଇଂଲିଶ ଅନର୍ସ ରଖି ପଢ଼ୁଛି, ଆମରି କଲେଜରେ । ହେଲେ କେବେ ତ ତାକୁ ମୁଁ ଦେଖିନି ? ମନୋଜ ମନର ପ୍ରଶ୍ନ ‘ଓଃ ସେଟା ହୁଏତ ତାର ଭୁଲ ଧାରଣା । କେଉଁଦିନ କୌଣସି ଝିଅ ମୁହଁ ଚାହୁଁ ନଥିବା ମନୋଜ ଯେ ଝିଅମାନଙ୍କୁ ମଧ୍ୟରେ ଏକ ଆଲୋଚ୍ୟ ବସୁଥିଲା । ସେ କଥା ଲୀନା କଥାରୁ ସ୍ପଷ୍ଟରୂପେ ଜାଣିପାରିଛି ମନୋଜ । କଣପାଇଁ ସେ ଏକ ଆଲୋଚ୍ୟ ବସ୍ତୁ, ସନ୍ତୋଷ କହେ ତାର ଏ ଚେହେରା ଖଣ୍ଡକ ହିଁ ସବୁର ମୂଳ । ସେ ଆହୁରି ମଧ୍ୟ କହେ, ନା ତୁ ଯେ ଏଡ଼େ ବଡ଼ ଲୋକର ପୁଅ କିନ୍ତୁ ନିଜେ ଯେ ଏତେ ବଡ଼ଲୋକର ପୁଅ ସେ କଥା ତ ସେ ନିଜେ ମଧ୍ୟ ଭାବେନି । ତେବେ ଅନ୍ୟମାନେ କାହିଁକି ଭାବିବେ । ମନେ ମନେ ହସିଲା ମନୋଜ । ସତରେ ବଡ଼ ଆଶ୍ଚର୍ଯ୍ୟ ଝିଅଟିଏ ଲୀନା । ତାକୁ କେମିତି ସଂକୋଚ ଲାଗୁନି ଏମିତି ଭାବେ ଅଭିନୟ କରିବାକୁ । ମନୋଜ ହାର ମାନୁଥିଲା ଲୀନାର ସୌନ୍ଦର୍ଯ୍ୟ ସମ୍ବନ୍ଧରେ ଭାବିଲା ବେଳକୁ, ହୁଏତ ନାରୀର ସୌନ୍ଦର୍ଯ୍ୟ ହିଁ ସର୍ବଦା ତାର ଶ୍ରେଷ୍ଠତ୍ଵ ପ୍ରତିପାଦିତ କରେ; ନୁହେଁତ ଆଉ କଣ ? ଭାବନା ରାଜ୍ୟରେ ବିଚରଣ କରୁଥିବା ମନୋଜ ସେଦିନ ପଢ଼ି ପାରିନି ଗୋଟେ ପୃଷ୍ଠା । ବୋଉଙ୍କ ଡାକରେ ଭାବନା ରାଜ୍ୟରୁ ଫେରିଗଲେ ସେ । ଖାଇବା ଟେବୁଲରେ ତାଙ୍କମାନଙ୍କ ସହ ସହଯୋଗ କରିଥିଲେ ବିଜୟବାବୁ ।

 

ରାତି ଦଶଟା ବେଳକୁ ସେଦିନ ଘରକୁ ଫେରିଥିଲେ ବିଜୟବାବୁ । କବାଟ ଖୋଲିଲା, ମାମି ହାତରେ ତାର ପ୍ୟାକେଟ୍ ଟା ଧରେଇ ଦେଇ ଭିତରକୁ ଯିବାକୁ ଉଦ୍ୟତ ହେଉଥିଲେ ବିଜୟବାବୁ । ହଠାତ୍ ଅଟକି ଗଲେ, ଝିଅର ପ୍ରଶ୍ନରେ—

 

: ଏତେ ରାତିଯାଏ କେଉଁଠାରେ ଥିଲ ବାପା ?

 

: ତୋ ଶାଢ଼ିଟା...

 

: କଣ ସନ୍ଧ୍ୟା ବେଳୁ ଶାଢ଼ି କିଣୁଥିଲ ?

 

: ନାଇ ମ ଏଇ ମନ୍ମଥ ଘରକୁ ଯାଇଥିଲି ଯେ....ଦୋଷୀପରି ଚାହିଁଲେ ବିଜୟ ବାବୁ । ହସିଦେଲା ମାମି, ସତରେ ତାର କେତେ ବାଧ୍ୟ ଏଇ ତାର ବାପା—

 

: ମୁଁ ଜାଣେ ପରା ତମକୁ ସାଙ୍ଗ ମିଳିଲେ କିଛି ମନେ ରହିବନି ।

 

ଶାଢ଼ିଟା କେମିତି ହୋଇଛି କହିଲୁ ମା ?

 

ଶାଢ଼ିଟିକୁ ଖୋଲି ଦେଖିଲା ମାମି । ମୁହଁରେ ତାର ସେହି ଋଷି ମନଭୁଲା ହସ ଖଣ୍ଡେ । ବାପା, ବୋଉ ଚାହିଁଥିଲେ ତାଙ୍କର ସେଇ ଆଦରଣୀୟା କନ୍ୟାର ମୁହଁକୁ । ବାପାଙ୍କ ମୁହଁକୁ ଚାହିଁଲା ମାମି । ଏଇ ତାର ଆଦରର ଅବାଧ୍ୟ ବାପା । ଶାଢ଼ି ଧରି ଚାଲିଗଲା ଶୋଇବା ଘରକୁ । ସେଇଦିନ ହିଁ ମାମି ଜାଣିଲା ମନ୍ମଥ ବାବୁ ତାକୁ ଦେଇଥିଲେ ଶାଢ଼ିଟା । ଏତେ ପର୍ଯ୍ୟନ୍ତ ତା ପାଇଁ ସବୁ ପୂଜାରେ ଯେ ଦୁଇଟା ଡ୍ରେସ ହେଉଥିଲା ସେଥିରେ ମୂଳ ଥିଲେ ମନ୍ମଥ ବାବୁ । ବାପା କହୁଥିଲେ ବୋଉକୁ–‘ସତରେ ମ ମନୁଟା ସାଙ୍ଗେ ମାମି ଆମର ଭାରି ଭଲ ଲାଗିବ ।’

 

: ତମେ ଯାଇଥିଲ କି ?

 

: ଯାଉନ ଥରେ ବୁଲି ଆସିବ । ସତରେ ପିଲାଟା ଭାରି ଭଲ । ମାମି ମୋର ସୁଖୀ ହେବ ।

 

: ଶାଢ଼ିଟା କେତେ ପଡ଼ିଲା ?

 

: ମୁଁ କିଣିନି, ମନ୍ମଥ ଦେଇଛି ।

 

: ସେଇକଥା ମୁଁ ଭାବୁଥିଲି । ତମେ ମନୁ ପାଇଁ....ବୋଉ କଥାରେ ହସି ଉଠିଲେ ବାପା-

 

: ହଁ ଭଲ ସାର୍ଟପ୍ୟାଣ୍ଟ କନା କିଣି ପଠେଇ ଦେଇଛି ।

 

କ୍ଳବର ଫକସନ୍ ସରିଗଲା ହେଲେ ଲୀନାକୁ କିଛି ବି କହି ପାରିଲାନି ମନୋଜ । କେତେ ଶୀଘ୍ର ଚାଲିଗଲା ଦିନଗୁଡ଼ା । ବିଶ୍ଵାସ ଲାଗୁନି ମନୋଜକୁ—ତା ମନ, ଦେହ, ସ୍ମୃତି ସବୁଥିରେ ଭରି ରହିଥିଲା ଲୀନାର ସେଇ କଥା ଆଉ ଚାହାଣୀ । ଆଜି ଜେନରାଲ୍ ମିଟିଙ୍ଗକୁ ନିଶ୍ଚୟ ଆସିବ ଲୀନା । ଆଜି ତାକୁ... । ଭାବିପାରୁନି ମନୋଜ, ବ୍ୟସ୍ତତା ତାର ବଢ଼ିଗଲା । ସେ ଦିନ ମନ ମଧ୍ୟରେ କୌଣସି ସିଦ୍ଧାନ୍ତ ନେବା ପୂର୍ବରୁ ନିଦ ହୋଇଯାଇଛି ମନୋଜକୁ ।

 

ବୋଉର ସେଇ ଆଦର ଭରା ଡାକରେ ନିଦ ଭାଙ୍ଗିଗଲା ତାର । ବୋଉ ଡାକୁଛି, ସନ୍ଧ୍ୟା ହୋଇ ଆସିଲାଣି, ତର ତର ହୋଇ ଉଠିଗଲା ମନୋଜ । ସାତଟା ବେଳକୁ ମିଟିଙ୍ଗ୍ ଆରମ୍ଭ ହୋଇଯିବ । ତରତରରେ ସେ ବୋଉକୁ କହି ଚାଲିଗଲା । ଲୀନା ଅପୂର୍ବ ସାଜରେ ସଜାଇଥିଲା ନିଜକୁ । ସମସ୍ତେ ନୀରବରେ ଅପେକ୍ଷା କରିଥିଲେ ମନୋଜ ପାଇଁ, ତାକୁ ଦେଖି ରାଗିଗଲା ସନ୍ତୋଷ—

 

: ଦେଖ୍ ମନୋଜ ଏ କଣ ଭଲ ହେଉଛି ?

 

: କଣ ଖରାପ କଲି ? ଆସନ ଗ୍ରହଣ କରୁ କରୁ ଓଲଟା ପ୍ରଶ୍ନ ପଚାରି ହିଁ ଦେଇଥିଲା ସେ ।

 

: ନାଇଁ ବରବେଶ ସାଜି ଆସୁଥିଲୁ । ସତରେ ମନୁ ଯେତେ ମନା କଲି ତୋ ଚେହେରା ସାଙ୍ଗକୁ ମ୍ୟାଚ କରି ଡ୍ରେସ୍ ପିନ୍ଧନା ତୁ ସେତିକି ପିନ୍ଧିଲୁ...

 

: ନାଇଁ ଭାଇ ତୋ କଥା ମୁଁ ମାନୁଛି । ଏଟା ଉପୁରି, ବାପାଙ୍କ ସାଙ୍ଗ...

 

: କିରେ ମଉସାଙ୍କ ସାଙ୍ଗ ତତେ କାହିଁକି ? କଣ ଜ୍ଵାଇଁ....

 

: ନା ସେମିତି କିଛି ନୁହେଁ, ମନୋଜର ଗମ୍ଭୀର କଥାଟା ଲୀନା ଉପରେ ସ୍ଥିର ହୋଇଗଲା । ଛାଡ଼ ବାଜେ କଥା, ହଁ ଖବର କଣ ? ସମସ୍ତେ ଏମିତି ଚୁପଚାପ ଯେ ?

 

: ତୁ ତ ଜାଣୁ ମନୁ, ଆଜି ସବୁ ବିଚାର ହେବାର ଥିଲା, ହେଲେ...

 

: ହେଲେ କଣ ହେଲା ?

 

: ମାଟ୍ରିକ ରେଜେଲ୍ଟ ବାହାରୁଛି ତ । ଅସୀତ ଉତ୍ତର ଦେଲା ।

 

: କିରେ ଆମ ଭିତରେ ତ କେହି ମାଟ୍ରିକ ପିଲା ନାହାନ୍ତି ।

 

: ନାଇଁ ତମ ଘରେ ସିନା କେହି ନାହାଁନ୍ତି ତୁ ଏକା, ହେଲେ ମୋ ସାନ ଭଉଣୀ ଦେଇଛି-। ଅସୀତର ମାଉସୀ ପୁଅ ଦେଇଛି ଏମିତି ଆହୁରି କେତେ ଜଣ ।

 

: ଓଃ ଠିକ୍ ଅଛି ତେବେ ଭାଙ୍ଗିଯାଉ ଏ ସଭା । ମନୋଜର ଉତ୍ତର—

 

: ଧେତ୍ ସତରେ ତମେମାନେ ଭାରି ବଦ୍‍ମାସ ଅତି କମରେ ମନୋଜକୁ ତ ବଧେଇ ଜଣେଇ ପାରିଥା’ନ୍ତା ।

 

: ହଁ ହଁ ସତକଥା । ଦୀପକର କଥାକୁ ସମର୍ଥନ ଜଣାଇଲେ, ଲୀନା, ଦୀପା, ଅସୀତ୍ ଓ ଅନ୍ୟମାନେ ମାତ୍ର କ୍ଷୋଭରେ ହସିଉଠି ମନୋଜ କହିଲା—

 

: ଧେତ୍ ମୁଁ କଣ ଏକ୍ଟିଙ୍ଗ କଲି କିନ୍ତୁ ବାସ୍ତବିକ୍ ଲୀନା ଖୁବ୍ ଭଲ ଏକ୍ଟିଙ୍ଗ କରି ପାରୁଥିଲା-

 

: ସେ କଥା କାହିଁକି କହୁଛନ୍ତି ମନୋଜ ବାବୁ ଯେତେ କଲେ ବି ଆପଣଙ୍କ ସ୍ଥାନ ଉଚ୍ଚରେ.....

 

: ଓଃ ହେଲେ ମୁଁ ତ ସେଟାକୁ ଅଭିନୟ ଭାବେନା, ହୁଏତ ସେଟା ଜୀବନର......

 

: ବାସ୍ତବ ପ୍ରଣୟ ତଥା ପ୍ରଥମ ପ୍ରଣୟ ନା କଣ ? ହସି ହସି ଉତ୍ତର ଦେଲା ସନ୍ତୋଷ ମନୋଜର ଚାହାଣିର ଉଦ୍ଦେଶ୍ୟ ବୁଝି ପାରି । ହସି ଦେଇ ସମ୍ମତ ଜଣାଇଲା ମନୋଜ ମାତ୍ର ଲାଜରେ ଲୀନା ମୁହଁଟା ଲାଲ ହୋଇଗଲା । ହସି ଦେଇ କହି ଉଠିଲା ସେ—

 

: ଯାହା କୁହନ୍ତୁ ମନୋଜ ବାବୁ ଦୁଷ୍ମନ୍ତ ସିନା ଶକୁନ୍ତଳା ପ୍ରଣୟକୁ ବାସ୍ତବ ରୂପ ଦେଲେ ହେଲେ ଲୀନାର ପ୍ରଣୟରେ ପୂର୍ଣ୍ଣାହୂତି ଆପଣ ଦେଇପାରିବେନି । ସମସ୍ତେ ହସି ଉଠିଲେ ସମ ସ୍ଵରରେ, ମନୋଜ ଗମ୍ଭୀର ଭାବେ ଚାହିଁଥିଲା ଲୀନାକୁ । ହଠାତ୍ ବାଜି ଉଠିଲା ରେକର୍ଡ଼ ପ୍ଲେୟାରଟା-। ତା ମଧ୍ୟରୁ ଭାସି ଆସିଲା ବିଖ୍ୟାତ ହିନ୍ଦୀ ଗାୟକ ମୁକେଶଙ୍କର କଣ୍ଠସ୍ୱର—

 

‘ଏକନା ଏକ ଦିନ ଏ କାହାନୀ ବନେଗୀ

 

ତୁ ମେରେ ସପନୋ କି ରାନୀ ବନେଗୀ......’

 

ମନୋଜର ଅପମାନ ସହ୍ୟ ନ କରି କାମଟି କରିଥିଲା ସନ୍ତୋଷ, ସେ ହସୁଥିଲା ବିଜୟର ହସ ଆଉ ମନୋଜ ଚାହିଥିଲା ଲୀନାକୁ । ଗୀତ ସରିଗଲା । କହିଲା ସନ୍ତୋଷ—

 

: କଣ ଲୀନା ବିଶ୍ଵାସ ହେଲା ? ସମସ୍ତେ ହସି ଉଠିଲେ । ସେମାନଙ୍କ ହସ ସେ ଦିନ ସମଥର୍ନ ଜଣାଇଲା ସେ ଦୁହିଁଙ୍କର ପ୍ରଣୟନ । ଘରକୁ ଫେରିଲେ ସମସ୍ତେ । ମନୋଜ ମନରେ ପୂର୍ଣ୍ଣତା ଆସିଗଲା ଟିକିଏ ଶାନ୍ତି... ।

 

ମାଟ୍ରିକ ରେଜେଲ୍ଟ ବାହାରିଗଲା । ଝିଅର ରେଜେଲ୍ଟ ବାହାରୁ ବୁଝି ଆସି ବୈଠକ ଖାନରେ ବସିଥିଲେ ବିଜୟ ବାବୁ । ମାମି ପାଖାରେ ବସିଥିଲା ସମସ୍ତଙ୍କୁ ମିଠା ଦେଉଥିଲା ଶୁଲେଖା ଦେବୀ । ଝିଅର first class ହୋଇଛି । ଅବଶ୍ୟ ବିଜୟ ବାବୁ ଭାବୁଥିଲେ ଆଉ ଟିକେ ଅଧିକ, ହେଲେ ଝିଅ ପଢ଼ାରେ ତ ସେ ପ୍ରଥମରୁ ହେଳା କରିଥିଲେ । ମାମି ଏତେ ଖୁସି ନ ଥିଲା ହଠାତ୍ ଫୋନ୍‍ଟା ବାଜି ଉଠିଲା । ଉଠାଇ ନେଲା ମାମି । କିଛି ସମୟ ପରେ ବାପାଙ୍କୁ ଦେଇ ଦେଲା ଫୋନ୍ । ଝିଅର ରେଜେଲ୍ଟ ହୁଏତ କେହି ପଚାରୁଛନ୍ତି କଥାରୁ ଅନୁମାନ କଲେ ସୁଲେଖା ଦେବୀ ହେଲେ ପ୍ରଶ୍ନ କଲେ ସେ—

 

: କିଏ ସେ ଫୋନ୍ କରିଥିଲା କି ?

 

: ଏଇ ମନୁ କରିଥିଲା । ସମୁଧୁଣୀ ଲାଇନ୍ ପାଇଲେନି ତ ସେ ଲଗେଇ ଦେଲା । ମାମି, ବାପି, ବୁବୁ ସେ ଘରୁ ଯାଉଥିଲେ, ବାପାଙ୍କ କଥାଟା କାନରେ ବାଜିଛି ହସି ଦେଲେ ସୁଲେଖା ଦେବୀ ।

 

: ଅପା କିଏ ଫୋନ୍ କରିଥିଲା ? ବାପି ଚୁପ୍ କରି ପ୍ରଶ୍ନ କଲା । ରାଗିଗଲା ମାମି ।

 

: ବାପି ।

: ଅପା ରାଗିଲୁ ? ବାପିର ପ୍ରଶ୍ନରେ ହସି ଦେଲା ମାମି । ମାତ୍ର କିଛି ବୁଝି ପାରିଲାନି ବୁବୁ । ସେ ଦିନ ବାପିର ଖୁସି ଦେଖି ଆଶ୍ଚର୍ଯ୍ୟ ହେଲା ମାମି, ସତରେ ବାପି କେତେ ଖୁସି ଆଜି ? ଶୋଇବା ସମୟରେ ମନରେ ଭାବୁଥିଲା ମାମି । ମନୋଜ କହିଥିଲେ—Manoj speaking please called Doctor Das.

 

: ଟିକେ ଅପେକ୍ଷା କରନ୍ତୁ । କହି ଫୋନଟା ବାପାଙ୍କ ହାତକୁ ଦେଇ ଦେଲା ସେ ।

 

ଲୀନା ସହିତ ଅନେକଥର ଦେଖାହୁଏ ଯଦିଓ କଲେଜ ଛୁଟି ଥିଲା ସେମାନଙ୍କ ପାଇଁ । ଲୀନା ପ୍ରାୟ ଏକାକୀ କ୍ଵଚିତ ସାଙ୍ଗରେ ଥାଏ ବାନ୍ଧବୀ ଦୀପା ନଚେତ୍ ଗାଡ଼ି ଡ୍ରାଇଭର ହିଁ ତାର ସାଥୀ । କେତେବଳେ ଦୋକାନରୁ ମାର୍କେଟିଂ କରି ପଶିଯା’ନ୍ତି କୌଣସି ହୋଟେଲକୁ ନଚେତ୍ ସିନେମାହଲ ମଧ୍ୟରେ ଚାରିଚକ୍ଷୁର ମିଳନ ହୁଏ । ମନୋଜ ମନରେ ଅନେକ ଭଲପାଇବା । ନୀରବ ଭଲପାଇବାର ପର୍ଯ୍ୟାୟ କେଉଁଠିକୁ ଚାଲିଯାଇଛି ସେ କଥା ଜାଣିପାରେନା ମନୋଜ । ମାତ୍ର ସେ ବାରମ୍ବାର ଲକ୍ଷ୍ୟ କରିଛି ଲୀନାର ବିଶେଷ ଉତ୍କଣ୍ଠା ନାହିଁ । ମନେ ମନେ କ୍ଷୋଭ ପ୍ରକାଶ କରେ ମନୋଜ କାହିଁକି ସେ କଣ କିଛିଟା ଯୋଗ୍ୟତା ସମ୍ପନ୍ନ ନବ ଯୁବକ ନୁହେଁ ? ତେବେ ଲୀନାର ତା ପ୍ରତି.... । ଛାଡ଼ ନୀରବରେ ଦିର୍ଘନିଶ୍ୱାସ ଛାଡ଼େ ମନୋଜ ଲୀନାର ପରିଚୟ ତା ପାଖରେ ‘ଲୀନା’ ବ୍ୟତୀତ ଅନ୍ୟ କିଛି ନାହିଁ । ଲୀନା ଉପରେ ଅନେକ ରାଗିଥିଲେ ମଧ୍ୟ ଲୀନାକୁ ଦେଖିଲେ ସବୁ କିଛି ଭୁଲିଯାଏ ମନୋଜ । କେବଳ ତାକୁ କିଛି ସମୟ ମନଭରି ଦେଖିନେଲେ ତା ମନ ପୂରିଯାଏ । ଲୀନା ମଧ୍ୟ ଜାଣେ ମନୋଜ ତାକୁ ଗଭୀର ଭାବରେ ଭଲପାଏ ବୋଲି । ସେ ମନୋଜକୁ ମଧ୍ୟ ସ୍ଵୀକାର କରିଛି । ସେ ଦୁନିଆରେ କାହା ଉପରେ ଏତେ ବିଶ୍ୱାସ ରଖିପାରେନା । ଥରେ ଅଗାଧ ବିଶ୍ୱାସ କରି ହାରିଗଲେ ମନ ଆଉ କାହାକୁ ମାନେନା, ତାହାହିଁ ହୋଇଛି ଲୀନାର ପରିସ୍ଥିତି । କ୍ଷୀଣ ବିଶ୍ଵାସର ରେଖା ତାର ଜନ୍ମି ଉଠିଛି ମନୋଜ ଉପରେ । ଲୀନା ସମ୍ବନ୍ଧରେ ଅନଭିଜ୍ଞ ମନୋଜ କିନ୍ତୁ ଗଭୀର ଭାବରେ ଭଲପାଉଛି ତାକୁ ଅଶେଷ ବିଶ୍ୱାସ ଓ ଆଶା ରଖି ।

 

ସେଦିନ ଖଣ୍ଡେ ରିକ୍ସାରେ ମନୋଜ ଓ ସନ୍ତୋଷ ଫିଲିମ୍‍ ହଲ ଦିଗରେ ମୁହାଁଇଥିଲେ । କିଛି ସମୟ ନୀରବରେ ବସି ରହିବା ପରେ ସନ୍ତୋଷ ମନୋଜକୁ ପ୍ରଶ୍ନ କରେ—“ମନୁ, ତୁ କଣ ସତରେ ଲୀନାକୁ ଭଲପାଉ ?”

 

: କାହିଁକି ହଠାତ୍ ଏ ପ୍ରଶ୍ନ ? ତାଛଡ଼ା ତୋର କଣ ବିଶ୍ୱାସ ନାହିଁ ମୋ ଉପରେ ।

 

: ତୁ କଣ କରିପାରିବୁ ମନୁ ? ଆମେ ତ ଟ୍ରାଡ଼ିସନ ଛାଡ଼ି ପାରିବାନି ?

 

ତୁ ତ ଜାଣୁ ତମ ଦୁହିଁଙ୍କ କାଷ୍ଟ ଭିନ୍ନ ।

 

: ହଁ ।

 

: ଭାବିଛୁ ମାଉସୀ ତୋର ଏପ୍ରକାର ପିଲାଳିଆମି ଗ୍ରହଣ କରି ନେବେ ? ବର୍ତ୍ତମାନ ବି ଟାଇମ ଅଛି ମନୁ ତୋ ଗତିପଥ ତୁ ଚେଞ୍ଜ୍ କରିନେ । ତାଛଡ଼ା ତତେ କଣ ମାଉସୀ ଭଲଝିଅଟିଏ ବାହାକରି ଦେବେନି ? ଆଉ କେତୋଟି ବର୍ଷର କଥା ?

 

: ନୀରବ ।

 

: ମୁଁ ତା ସମ୍ବନ୍ଧରେ ଅନେକ କିଛି ଜାଣିଛି ପ୍ରକୃତରେ ସେ ଗୋଟିଏ ଭଲ ଝିଅ.....

 

: ଷ୍ଟପ୍ଇଟ୍ ସନ୍ତୋଷ ଆଗତୁ ବଢ଼ିଯା’ ନା । ସବୁଥିରେ ଗୋଟେ ଲିମିଟ୍ ଥାଏ । ତୁ ମୋର ଫ୍ରେଣ୍ଡ୍ ତୋର ମୋ ପ୍ରାଇଭେଟ କଥାରେ ଏତେ ଦୂର ହସ୍ତକ୍ଷେପ କରିବା ଅନୁଚିତ......

 

: । am sorry manoj, really very sorry, please excuse me.

 

ପୁନର୍ବାର କିଛି ସମୟ ନୀରବତାର ରାଜୁତି । ରିକ୍ସାବାଲା ଡାକରେ ସମ୍ବିତ ଫେରି ପାଇଲେ ଦୁହେଁ । ପଇସାଦେଇ ସେମିତି ନୀରବରେ ଆଗେଇ ଗଲେ ।

 

: ମନୁ ।

 

: ହୁଁ ।

 

: ଅପେକ୍ଷା କର ମୁଁ ଟିକେଟ ନେଇ ଆସେ ସନ୍ତୋଷ ଚାଲିଗଲା ଅନ୍ୟମନସ୍କ ଭାବରେ ମନୋଜ ଠିଆ ହୋଇଥିଲା । ଫିଲିମ୍ ଦେଖି ଫେରୁଥିବା ଲୀନା ହଠାତ୍ ଦେଖିନେଲା ମନୋଜକୁ–‘ହ୍ୟାଲୋ ମନୋଜ’ କିନ୍ତୁ ମନୋଜ ଶୁଣିପାରିନି । ପାଖକୁ ଗଲା ଲୀନା—ନମସ୍କାର ଆଜ୍ଞା, ଚମକି ପଡ଼ିଲା ମନୋଜ—

 

: ଏଁ ଓଃ ନମସ୍କାର ତମେ ? କଣ ଦେଖିବାକୁ.....

 

: ନା ବାବା ମୁଁ ଦେଖିସାରିଲିଣି ଆମେ ଘରକୁ ଯାଉଛୁ କିନ୍ତୁ ତମେ ଏତେ ଅନ୍ୟମନସ୍କ ହୋଇ ଏଠି ଏମିତି......

 

: ସନ୍ତୋଷ ଟିକେଟ ପାଇଁ ଯାଇଛି ।

 

ସେଥିରେ ଏମିତି ଅନ୍ୟମନସ୍କ ହୋଇଯିବାର କଣ ଅଛି ? କଣ ଭାବୁଥିଲେ ? ......ରେଜେଲ୍ଟ କଥା ?

 

: ଏଁ...ହଁ... ହୁଏତ ପାଞ୍ଚ ଦିନ ଭିତରେ ବାହାରି ଯାଇପାରେ ।

 

: ହଁ ତମର କଣ ଚିନ୍ତା କରିବାରେ ଅଛି ମନୋଜ ? ତମେ ତ best graduate ।

 

: Really you are correct ଟିକେଟ ନେଇ ପହଞ୍ଚି ଯାଇଥିଲା ସନ୍ତୋଷ ।

 

: ଆପଣଙ୍କୁ ରିକ୍‍ସାରେ ଆସୁଥିବାର ଦେଖିଲି, ରିଏଲି ବଡ଼ ହାସ୍ୟସ୍ପଦ କଥା । ଛାଡ଼ନ୍ତୁ ବେକାର କଥା । ଫିଲିମ୍‍ଟା ଦେଖି ଆସନ୍ତୁ ବହୁତ ଭଲ ହୋଇଛି । ଗୁଡ଼୍ ବାଏ ଲୀନା ଚାଲିଗଲା ।

 

: ଗୁଡ଼୍ ବାଏ ମନୋଜ ଅନ୍ତରର କେଉଁ ଗହନ କୋଣରୁ ଭାସି ଆସୁଥିଲା କଥାଟା ।

 

: ମନୁ, ମୋ ଉପରେ ବହୁତ ରାଗି ଯାଇଛୁ ନାରେ ?

 

: ଧେତ୍ ରାଗିବାର କଣ ଅଛି । ତୋ ପ୍ରକୃତି କଣ ମୁଁ ଜାଣେନା ? ସବୁ ଦିନେ ତୋର ସେଇ ଗୋଟିଏ କଥା । ମନେ ନାହିଁ ସ୍କୁଲରେ କେମିତି ସାମାନ୍ୟ ପ୍ରୋବ୍ଲୋମ୍ ଗୁଡ଼ିକୁ କ୍ରିଟିକାଲ୍ କରି ମୋ ପାଖରେ ଧରି ବସୁ ।

 

: ସତରେ ସେଇଆ ହିଁ ହେଉ । ଭାଗବାନ କରନ୍ତୁ ମୋର ସବୁ ଆଶଙ୍କା ଧୂଳିସାତ୍ ହେଇଯାଉ । କାରଣ ତୋ କଷ୍ଟଟା ମୁଁ ସହିପାରିବିନିରେ । ବହିର ପ୍ରୋବ୍ଳୋମ୍ ଗୁଡ଼ା ସହଜ କିନ୍ତୁ ଜୀବନ ଯାତ୍ରାର ପ୍ରୋବ୍ଳୋମ୍ ଗୁଡ଼ା ଭାରି କଷ୍ଟ । ତାକୁ ସେଲ୍‍ଭ କରିବାକୁ ଏକ୍ସପେରିଏନ୍ସ ଦରକାର-। କୋଲଡ଼ ଡ୍ରିଙ୍କ୍ ଦି’ଟାର ପଇସା ପେମେଣ୍ଟ କରି ହଲ ଭିତରେ ପଶିଗଲେ ଦୁହେଁ ।

 

ଏତେ ବଡ଼ ଘରଟାରେ ଦି ପ୍ରହରଟା ଭୀଷଣ ଭାବରେ ଏକୁଟିଆ ଲାଗେ ସୁଲେଖା ଦେବୀଙ୍କୁ । ପିଲାଙ୍କର ସ୍କୁଲ କଲେଜ ଆରମ୍ଭ ହୋଇଗଲାଣି । ଦ୍ଵିପ୍ରହରେ ଶୋଇ ପଡ଼ିବା ମଧ୍ୟ ଅଭ୍ୟାସ ନାହିଁ । ଟିକେ କୁଆଡ଼େ ବୁଲିଆସିଲେ ମଧ୍ୟ ଚଳନ୍ତା, କିନ୍ତୁ ବର୍ତ୍ତମାନ ସେ ଜାଗାଟାରେ ନୂଆ-। ଯାଇ ଯାଇ ମନ୍ମଥ ବାବୁଙ୍କ ଘରକୁ ଯିବେ । ନା ଏକୁଟିଆ ଯାଇ ପାରିବେ ନା ଘରଟା ଛାଡ଼ି ଯାଇପାରିବେ । ମିତାଟା ସ୍କୁଲ ଯାଇ ନ ଥାନ୍ତାକି ବିଭିନ୍ନ ଚିନ୍ତା ମନରେ ତାଙ୍କର ଖେଳି ବୁଲୁଥିଲା ରାଧି ପାଖରେ ବସିଥିଲା । ସେ ଥିଲା ତାଙ୍କର ଏକାକୀ ବେଳର ସାଙ୍ଗ । ଟେବୁଲ କ୍ଳଥଟା ବୁଣୁଥିଲେ ସେ । ହଠାତ୍ ଫୋନ୍ ରିଂ ହେଲା....

 

: ହ୍ୟାଲୋ

 

..........

 

: ଡାକ୍ତର ବାବୁଙ୍କ ଘରୁ କହୁଛି ।

 

..........

 

: ନା ଆଜ୍ଞା ସେ ବର୍ତ୍ତମାନ ଘରେ ନାହାନ୍ତି ମେଡ଼ିକାଲରେ ଥିବେ ।

 

...........

 

: ନମସ୍କାର । ଫୋନଟା ରଖି ବୁଲି ପଡ଼ିଲେ ସେ । କବାଟ ଖଟ୍ ଖଟ୍ ହେଲା । କାହାରତ ଆସିବା ବେଳ ନୁହେଁ କିଏ ଆସିଲା ? କବାଟ ଖୋଲିଲା ସେ । ମାମି ଓ ମିତା ଘର ଭିତରକୁ ଚାଲି ଆସିଲେ ।

 

: କିରେ ଅବେଳରେ ତମେମାନେ କଣ ପ୍ଲାନ୍ କରିଥିଲ ଆଜି ?

 

: ବୋଉକୁ ଡରେଇବାକୁ । ମିତା କହିଲା । କବାଟ ବନ୍ଦ କରି ମାମି ଆସୁଥିଲା । ମିତା ଗେହ୍ଲା ହେଉଥିଲା ବୋଉ ପାଖରେ ।

 

: ବୁଢ଼ି ଗେହ୍ଲା ହଉଛି......

 

: ଅପା ପିଟି ଦେବି କହୁଛି ।

 

: ଆଚ୍ଛା, ତୁ କାହିଁକି ସ୍କୁଲରୁ ଆସିଲୁ ଭାରି ? ପାଠ ଚୋରିଣୀ ହେଲୁଣି ନା ? ଆଜି ବାପା ଆସନ୍ତୁ ।

 

: ଏ ବୋଉ ଦେଖନାଲୋ ଅପାକୁ ?

 

: ତୁ କହୁନୁ—ତୁ ତ ଶୀଘ୍ର ଆସିଛୁ, ମୁଁ ତୋ ନା ବାପାଙ୍କୁ କହି ଦେବି ବୋଲି ?

 

: ହଁ ସତ କଥା ରହିଥା ଯିବୁ କୁଆଡ଼େ ?

 

: ମୋର କ୍ଳାସ ସସପେଣ୍ଡ ହୋଇଗଲା । ବି. ଏ. ରେଜେଲ୍ଟ ବାହାରିଲା, ତୋର କଣ ହୋଇଛି କହୁନୁ ?

 

: ମୋର କାହିଁକି କଣ ହବ ମୋ କ୍ଳାସର ଝିଅଟିଏ ମରିଯାଇଛି । ଆଜି ସକାଳେ । ଏବେ ଖବର ଆସିଲା ତ ସ୍କୁଲ ଛୁଟି ।

 

: ଆଚ୍ଛା ଲୋ ମୋ ଗେହ୍ଲୋଇ ନାନୀ । ମିତାକୁ ଧରିବାକୁ ହାତ ବଢ଼ାଇଲା ମାମି ମାତ୍ର ମିତା ଓହ୍ଲାଇ ଖଟ ଚାରିପାଖେ ଖେଳିଲା—

 

: ମତେ ତ ଧରି ପାରିବୁନି ।

 

: ହଉ ହେଲା ମୁଁ ହାରିଲି । ମିତା ମାମି ପାଖକୁ ଚାଲିଆସିଲା । ଦୁଇ ଭଉଣୀଙ୍କୁ ବସି ଦେଖୁଥିଲେ ସୁଲେଖା ଦେବୀ ଓ ରାଧା । ସୁଲେଖା ଦେବୀ ପଚାରିଲେ ।

 

: କେମିତି ହୋଇଛି ବି.ଏ. ରେଜେଲ୍ଟ ?

 

: ହୋଇଛି ଭଲ ଯେ କିନ୍ତୁ ଝିଅମାନଙ୍କର ରେଜେଲ୍ଟ ବେଶି ଭଲ ।

 

: ଆଚ୍ଛା ଇଂଲିଶରେ ଫାଷ୍ଟ୍ କ୍ଲାସ କେତେ ଜଣ ପାଇଛନ୍ତି ?

 

: ଇଂଲିଶରେ କୋଡ଼ିଏ ଜଣ ବୋଧେ ।

 

: ଫାଷ୍ଟ୍ କିଏ ହୋଇଛି ?

 

: ବୋଉ ତୁ ଡାଇରେକ୍ଟ ପଚାରୁନି କାହିଁକି ଯେ ? ଅବଶ୍ୟ ମୁଁ ରେଜେଲ୍ଟ ବୋର୍ଡ଼ ଦେଖିନି କିନ୍ତୁ ଶୁଣିଛି ଇଂଲିଶର ଫାଷ୍ଟ୍ ପିଲାଟି ଏଥର best graduate ହୋଇଛି । ମାନେ ତୋର ଆକାଂକ୍ଷିତ ବ୍ୟକ୍ତି ।

 

ଉଠିଗଲା ମାମି । ହସି ଦେଲେ ସୁଲେଖା ଦେବୀ । ମିତା କିଛି ବି ବୁଝିପାରୁ ନ ଥିଲା—କିଏ ବୋଉ ? ସେ କିଏ କି ? ମିତାର ପ୍ରଶ୍ନ ।

 

: ସେ ଯେଉଁ ମାଉସୀ ଆସନ୍ତିନି ଟିକେ ସାବନା ରଙ୍ଗ ହୋଇକି...

 

: ଓ...ହଁ ବୁଝିଲି ବାସନ୍ତୀ ମାଉସୀ ।

 

: ତାଙ୍କ ପୁଅ ।

 

: ସେ ଆମର କଣ ହେବେ କି ବୋଉ ।

 

: ଭାଇ ହେବେ ଆଉ କଣ ହେବେ ।

 

: ଓଃ ଏଇ କଥା ତ ? ମିତା ଚାଲିଗଲା ଉପରକୁ ।

 

: ସେମାନେ ତମର କେମିତି ଚିହ୍ନା ଜଣା କି ମା ?

 

: ସେ କିଛି ନୁହନ୍ତି ମ, ବାବୁଙ୍କ ସାଙ୍ଗ ତ, ପିଲା ବେଳୁ ଠିକ୍ କରିଛନ୍ତି ମାମିକୁ ବୋହୂ କରିବେ ବୋଲି ।

 

: ଓହଃ । ହସି ଦେଲା ରାଧା । ‘ଭାରି ଭଲ ଲୋକ କିନ୍ତୁ’ ।

 

: ରାଧି ଲୋ ମାମୁନି ତ ଆସିଗଲା, ମୁଁ ମିତାକୁ ନେଇ ଟିକେ ଯାଉଛି ବୁଲି ଆସିବି ।

 

: ମଲା ମାଙ୍କର ମୋଟେ କଥା, ମୁଁ କଣ ମନା କରିବି ?

 

: ତୁ ଟିକେ ମିତାକୁ ବାହାର କରି ଦବାକୁ କହି ଦେଲୁ, ମାମିକୁ ମୁଁ ଟିକେ ଧୋଇ ହୋଇ ଆସେ ।

 

: ବୋଉ ଲୋ । ଭୋକ ଲାଗିଲାଣି ମାମି କହିଲା ।

 

: ହଉ ଚାଲ । ତୁ ମିତା ମିଶି କରି ଟିକେ ଖାଇନବ କି ମୁଁ ବାହାରିବି......

 

: ତୁ......କୁଆଡ଼େ ଯିବୁ ? ଉତ୍ତରରେ କେବଳ ହସିଥିଲେ ସୁଲେଖା ଦେବୀ । ମାମି କିଛି ସମୟ ଚାହିଁଲା ମା’ର ମୁହଁକୁ ନିର୍ବାକ ହୋଇ । ତା ମନରେ ଅନେକ ପ୍ରଶ୍ନ । ଏଇ ତାର ମା । ତାକୁ ଜନ୍ମ ଦେଇଛି ଆଉ ତା ଖୁସି ପାଇଁ ବହୁତ ବଡ଼ ଘରେ ତାର ସମ୍ବନ୍ଧ ବାନ୍ଧି ସାରିଛି କିନ୍ତୁ ସେ କଣ ଜାଣିଛି ତା ଝିଅ ଭାଗ୍ୟରେ କଣ ଲେଖାଅଛି ?

 

: କଣ ଏମିତି ଚାହିଁଛୁ ମାମା । କଣ ହୋଇଛି ତୋର । ମତେ କଣ କିଛି କହିବୁ......ହସି ଦେଲା ମାମି ।

 

: ନା ଲୋ ବୋଉ ଭାବୁଛି ତୁ କେତେ ଖୁସି ଆଜି....

 

: ବାପା ମା କଣ ଚାହାନ୍ତି କହିଲୁ ମା । ତୁ ତ ମୋର ବୁଝିବା ପିଲା । ସବୁ ବୁଝୁଛୁ ତୁ । କଣ ଭାବିଛୁ ତତେ ଛାଡ଼ି ମୁଁ କଣ ଖୁସି ହେବି ?

 

: ନାଇ ମ ମୁଁ ଖୁସି ରହିବି ? ଶୁଷ୍କ ହସି କହିଲା ମାମି । ମାମିର ମୁଣ୍ଡରେ ହାତ ବୁଲାଇ ଦେଇଥିଲେ ସୁଲେଖା ଦେବୀ । ସେତେବେଳକୁ ମାମି ଶୋଇ ଯାଇଥିଲା ତାଙ୍କ କୋଳରେ ମୁଣ୍ଡ ରଖି—ମା’ରେ ତୁ ଖୁସି ହବୁନି କାହିଁକି ? ବାପା ମାଙ୍କ ଖୁସି ମନ ଓ ଆଶୀର୍ବାଦ ହିଁ ପିଲାଙ୍କୁ ସୁଖି ରଖେ । ମିତା ପଶି ଆସିଛି ଘର ଭିତରକୁ—ବୋଉ ମୁଁ ଆସିଗଲି......

 

: ତୁ ଖାଇବୁନି କି ?

 

: ନା ମୁଁ ଖିର ପିଇ ଦେଲି......ଅପା ତୁ କାହିଁକି ବୋଉ କୋଳରେ ଶୋଇଛୁ ?

 

: ମଲା । ବୋଉଟା କଣ ତୋର ଏକା କି ମୁଁ ଉଠିବିନି... ମାମିର କଥା ଶୁଣି ମିତା ମୁହଁ ଫୁଲାଇ ଦେଲା । ସୁଲେଖା ଦେବୀ ହସୁଥିଲେ ।

 

: ଅପା ତୁ ତ ବଡ଼ ହେଲୁଣି ତୁ ଶାଢ଼ି ପିନ୍ଧିଲୁଣି ଯେ । ମାମିର ନୀରବତା ଦେଖି ମିତା ପୁଣି କହିଲା ତୁ କହିଥିଲୁନା ଖାଇବୁ ବୋଲି । ରାଧି ନାନୀ ତତେ ଡାକୁଛି ।

 

: ବୋଉ ଦେଖିଲୁ, ତୋ ଝିଅ କେତେ ବଦମାସ । ହଉ ହେଲା, ତୋ ଝିଅକୁ ନେଇ ତୁ ବୁଲିଯା । ମୋ ପାଇଁ କଣ ଆଣିବୁ କହିଲୁ । ମିତା ତୁ ଯଦି ମୋ ପାଇଁ କଣ ଆଣିବୁ କହିଦବୁ ତେବେ ମୁଁ ଉଠିଯିବି ।

 

: ପପିନସ୍ ଆଣିବି ଲୋ ଅପା । ତୁ ଉଠିଯାନା । ମାମି ହସି ଦେଇ ଉଠିଗଲା ।

 

: ବୋଉଲୋ, ତିନିଟା ବାଜିଲାଣି । ପାଞ୍ଚଟା ବେଳକୁ ଚାଲି ଆସିବ । ଯେମିତି ନ ହେଲେ ବାପାଙ୍କ ପରି ଭୋକ ହୋଇ ଗପ କରୁଥିବୁ ଯଦି.....

 

: ନାଇଲୋ ମୁଁ ଚାଲିଆସିବି । ବାକ୍ସରୁ ଶାଢ଼ି କାଢ଼ି ଆଣିଲା ମାମି ।

 

: ନେ ଏଇ ଶାଢ଼ିଟା ପିନ୍ଧି କରିଯା ।

 

: ମଲା ଏଟା ପିନ୍ଧି କରି କେମିତି ଯିବିମ ?

 

: ସେମିତି କଥା କହିବୁନି, ବୋଉ ଯାହା କହୁଛି ସେଇଆ କର ।

 

: ମାମି ଚାହୁଁଥିଲା ତା ବୋଉକୁ । ବୋଉ ତାର କେତେ ଖୁସି ହେଉଛି । ଭଗବାନ, ତମେ ତ କାହାର ଚିରସ୍ଥାୟୀ କରିନ । ଖୁସି ମୋ ବୋଉ ଖୁସିକୁ କଣ ଚିରସ୍ଥାୟୀ କରିବ ? ପ୍ରଶ୍ନବାଚୀ ମନ ନେଇ ମାମି ଚାହିଁଥିଲା, ତାର ବୋଉ ଦୂରରେ ରିକ୍ସାରେ ବସିବା ପର୍ଯ୍ୟନ୍ତ ।

 

ମନ୍ମଥ ବାବୁଙ୍କ ଗେଟ୍ ସାମ୍ନାରେ ଠିଆ ହୋଇଥିଲା ଅନେକ ସାଇକେଲ । ଘର ଭିତରେ ଭିଡ଼ । ପ୍ରାୟ ଆଠ ଦଶ ଜଣ ପିଲା ଥିଲେ ବାସନ୍ତୀ ଦେବୀ ମଧ୍ୟ ବସିଥିଲେ । ସନ୍ତୋଷ ଯୁକ୍ତି କରୁଥିଲା ତାଙ୍କ ପାଖରେ ବସି ଅନ୍ୟ ପିଲାମାନେ ତାଙ୍କ ସମର୍ଥନ କରୁଥିଲେ—

 

: ମାଉସୀ ଆମେ କିଛି ବି କହିବୁନି ତାକୁ ଡାକନ୍ତୁ ଏଠିକୁ ।

 

: ତୁ ଯାଉନୁ ଡାକି ଆଣିବୁ ? ମୁଁ କଣ କରିବି କହୁନୁ ? ସେ ତ ଘରେ କବାଟ ବନ୍ଦକରି ଶୋଇଛି । ମନ୍ମଥ ବାବୁ ଆସି ପହଞ୍ଚିଗଲେ । କଥାଟା ତାଙ୍କର କାନରେ ବାଜିଥିଲା । ରେଜେଲଟ୍ ସେ ଇଉନିଭରସିଟିରୁ ବୁଝି ସାରିଥିଲେ । ସେ ମଧ୍ୟ ଚାହିଁଥିଲେ ଏଥର ମନୁ ତାଙ୍କୁ ରେଜଲ୍‍ଟା ଶୁଣାଇଦବ ବୋଲି । ଏଣୁ ସେ ଅପେକ୍ଷା କରିଥିଲେ । ମାତ୍ର ସ୍ତ୍ରୀଙ୍କ ଯୁକ୍ତି ଓ ପିଲାଙ୍କ ଜିଦ୍ ଦେଖି ସେ ବାଧ୍ୟ ହୋଇ ଆସିଥିଲେ—

 

: ସନ୍ତୋଷ, ତମ ମାଉସୀଙ୍କ ସହ କାହିଁକି କଥା ହଉଛ । ସେ ବର୍ତ୍ତମାନ କହିଲେ ଯାଆ ମନୁ ପାଖରେ ରେଜଲ୍‍ଟଟା ଶୁଣାଇଦେବ......

 

: ମଉସା କଥା କଣ କି...... ନମସ୍କାର କରି ଠିଆ ହୋଇଥିବା ପିଲାଙ୍କ ମଧ୍ୟରୁ ସନ୍ତୋଷ କହି ଉଠିଲା ମାତ୍ର ତା କଥା ଅଧାରେ ରହିଗଲା । ମନ୍ମଥ ବାବୁ କହୁଥିଲେ—

 

: କଥା ଆଉ କଣ ? ତା ପ୍ରକୃତି ସବୁଦିନ ସେମିତି ପିଲା । ଏତେ ବଡ଼ ହେଲା କିନ୍ତୁ କିଛି ଜାଣିଲାନି ମା’ଙ୍କ ଗେହ୍ଲା......

 

: ଏଇ ସାବଧାନ କହୁଛି, ମୋ ପୁଅକୁ ସେମିତି କହିବନି । ତା’ର କିଛି ବି ଭୁଲ ନାହିଁ । ବଂଶଗତ ପ୍ରଭାବ ପଡ଼ିବନି ? ତମେ ସବୁବେଳେ ମତେ କାହିଁକି ଦୋଷ ଦିଅ ଯେ ? ବାପର ପୁଅଟି...କହି କ୍ଷଣରାଗି ବାସନ୍ତୀ ଦେବୀ ଉଠି ଯାଉଥିଲେ, ମାତ୍ର ହଠାତ୍ ସୁଲେଖା ଦେବୀଙ୍କ ପ୍ରବେଶ ନିଆଁରେ ପାଣିଦେଲା ପରି ତାଙ୍କ ରାଗ ଶାନ୍ତ କରିଦେଲା ।

 

: କିଓ, ତମେ କେମିତି......ପିଲାମାନେ ବୁଲି ଚାହିଁଲେ । ମିତା ହାତଯୋଡ଼ି ଠିଆ ହୋଇଥିଲା । ମନ୍ମଥ ବାବୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଅନାଇଥିଲେ । ମିତା ଆସି ତାଙ୍କୁ ପ୍ରଣାମ କଲା ଗୋଡ଼ ତଳେ । ତାକୁ ଉଠାଇ ନେଉ ନେଉ ସେ କହିଲେ—

 

: କିରେ ସୂର୍ଯ୍ୟ ଆସି କେଉଁ ଦିଗରେ ଥିଲେ କି ଯାହାହେଉ ତମେ କିନ୍ତୁ ଠିକ୍ ଟାଇମରେ ପହଞ୍ଚିଛ ।

 

: ଆଚ୍ଛା । ତା ମାନେ ତମେ ମତେ ସ୍ମରଣ କରୁଥିଲ ?

 

: ସେ କଥା କେଉଁଠୁ କହିପାରିବି ? ବିଜୁ ଖାଇଯିବ ମତେ । ଆଚ୍ଛା ଆମେ ସବୁ ଗୋଟେ ବଡ଼ ପ୍ରୋବ୍ଲମରେ ପଡ଼ିଯାଇଛୁ ... ...

 

: କି ପ୍ରୋବ୍ଲମ୍ ? କିଛି ସେମିତି ପ୍ରୋବ୍ଲମ୍ ଥିଲେ ଡକ୍ଟର ସାହେବଙ୍କ......

 

: ସେମିତି ନାହିଁ, ତମେ ପାରିଯିବ । କାରଣ ଏକ୍ସପେରିଏନ୍ସ ମଦର୍ ତ ?

 

: ଦେଖ ବାବା ! ଏତେ କଥାର ଭୂମିକା ନବା ଦରକାର ନାହିଁ । ପିଲାମାନେ ଠିଆ ହୋଇଛନ୍ତି । ଶୀଘ୍ର ଯଦି କହିବ କୁହ......

 

: ମଲା ତମେ ତ ଶୁଣୁନ । ଶୁଣ, ହସୁଥିଲେ ସୁଲେଖା ଦେବୀ, ଆମ ପୁଅ ମନୋଜ ବାବୁଙ୍କର ଆଜି ରେଜଲ୍‍ଟା ବାହାରିଛି କିନ୍ତୁ କାଲିଠୁ ନିଉଜ୍ ପାଇ ପୁଅଙ୍କ ରୁମ୍ ବନ୍ଦ । ସାଙ୍ଗମାନଙ୍କ ଜିଦ୍ ସେ ଆସିଲେ ଆମେ ରେଜଲ୍‍ଟା କହିବୁ । ତାଙ୍କର ଜିଦ୍ ରେଜଲ୍‍ଟା ଶୁଣିଲେ ସେ ଆସିବେ । କଣ କରାଯିବ ବର୍ତ୍ତମାନ୍ । ପୁଅଙ୍କ ମା’ଙ୍କର ମୁଡ଼୍ ଖରାପ । ସାଙ୍ଗମାନେ ଘଣ୍ଟେ ଉପରେ ଅପେକ୍ଷା କରୁଛନ୍ତି ।

 

: ଏଇ ସାମାନ୍ୟ ପ୍ରୋବ୍ଲମ ତ ମିତୁ ମୋର ସଲଭ୍ କରିଦବ । ତମେ କଣ ଚିନ୍ତା କରୁଛ-?

 

: ଆଚ୍ଛା ? ମିତା ! କଣ ବୋଉଙ୍କ ଟ୍ରେନିଙ୍ଗ୍ ରାଇଟ୍ ।

 

: ନା ମାଉସା ବୋଉର ନୁହେଁ, ଅପାର । ସମସ୍ତେ ହସିଦେଲେ । ମିତା କହିଲା ହସୁଛ କଣ ମ, ମୋ ଅପା ତ ତମ ସମସ୍ତଙ୍କୁ ଠିକ୍ କରିଦବ ? ସରମି ଯାଇ ମିତା କହିଲା । ସମସ୍ତେ ସାମାନ୍ୟ ହସିଲେ । ମନ୍ମଥ ବାବୁ କହିଲେ—

 

: ଆଚ୍ଛା ଅପାକୁ ତ ବୋଉ ଟ୍ରେନିଂଙ୍ଗ୍ ଦେଉଛି.....

 

: ସେଠୁ କଣ ହେଲା ? ଅପାତ ମୋ ମାଷ୍ଟର......

 

: ଠିକ୍ ଅଛି । ତୋ ଅପାକୁ ଟିକେ ପଠେଉ ଦେବୁ ଯେ ସେ ମନୁ ଭାଇକୁ ଠିକ୍ କରିଦବ-

 

: ନା ବାବା, ସେ କଥା ହବନି । ଅପାକୁ ଆମେ ଛାଡ଼ିବୁନି......

 

: ନା ଅପା ଆସିବନି, ତୁ ଯା’ ଟିକେ ମନୁ ଭାଇକୁ ଉଠାଇ ଆଣିବୁ ମିତାର ପ୍ରକୃତି ଜାଣି ସୁଲେଖା ଦେବୀ କହିଲେ । ବାସନ୍ତି ଦେବୀ ତାକୁ ବାଟ ଦେଖାଇ ଦେଇଥିଲେ......ବାସନ୍ତୀ ଦେବୀ ଫେରି ଆସିଲେ । କବାଟରେ ଠକ୍ ଠକ୍ କଲା ମିତା । କବାଟ ଫାଙ୍କରେ ସେ ଦେଖିଲା କବାଟକୁ ଆଉଜି ମନୋଜ ଠିଆ ହୋଇଛି । ସେ ଚୁପ୍ କି କହିଲା—ମନୁ ଭାଇ କବାଟ ଖୋଲନା, ମୁଁ ଭିତରେ ଚାଲିଯିବି ଆମେ ଚୁପ୍‍ଚାପ କଥା ହବା ତାପର ସବୁ ଠିକ୍....ସତ କହୁଛି ଏଠି କେହିବି ନାହାନ୍ତି....ଆଉ ବିଦ୍ୟାରାଣ ପକାଉଛି । ମୁଁ ସବୁ ଜାଣିଛି ଚୁପ୍‍କରି କହିଦେବି ।

 

ମନୋଜକୁ ଆଶ୍ଚର୍ଯ୍ୟ ଲାଗିଲା, କିଏ ସେ ଏପିଲା ? ତାକୁ ତ ସେ ଜାଣେନା ? ତଥାପି କେମିତି କେ ଜାଣେ ତା ପ୍ରତି ବିଶ୍ଵାସ ଆସୁଥିଲା । ମିତା ପୁଣି କହୁଥିଲା—ମନୁ ଭାଇ.....ସତ କହୁଛି, ଆଜି ମୁଁ ଯଦି ହାରି ଯାଏନା......ମିତା କଣ୍ଠ ଭାରି ହୋଇ ଆସୁଥିଲା । ମନୋଜ ଅଟକି ପାରିଲାନି । କବାଟ୍ ଖୋଲିଦେଲା । ମିତା ଆଖିରେ ଲୁହ । ସେ ଘର ଭିତରେ ପଶିଯାଇ କବାଟ୍ ବନ୍ଦ କରିଦେଲା । ମନୋଜକୁ ଚାହିଁଲା କିଛି ସମୟ ଆଖିରୁ ଲୁହ ପୋଛିଲା—“ତମକୁ କଣ ମୋ କଥାରେ ବିଶ୍ଵାସ ନାହିଁ ?” ମିତା ପ୍ରଶ୍ନରେ ଫବିତ୍ ଫେରି ପାଇଲା ମନୋଜ—ଏଁ କଣ କହିଲ ? ମୁଁ....ମୁଁ ତ ତମକୁ ଜାଣେ ନା ? ମନୋଜର କଥା ଶୁଣି ହସିଦେଲା ମିତା—ସେଥିପାଇଁ ତ ରକ୍ଷା ପାଇଗଲ, ନଚେତ୍ ପିଟି ପକାଇଥାନ୍ତି । ମୁଁ ମିତା Dr. B. K. Dasଙ୍କ ସାନ ଝିଅ । ମୁଁ କେବେ ବି ମିଛ କହେନି । ଥରେ ପରୀକ୍ଷା କରିନିଅ ଯଦି ଫେ’ଲ୍ ହୁଏ ତେବେ ଯାହା, ଦଣ୍ଡ ଦବ ମୁଁ ଗ୍ରହଣ କରିନେବି କିନ୍ତୁ ତମେ ଯଦି ମୋ କଥା ନ ଶୁଣିବ ସତ କହୁଛି କାନ୍ଦିବି ଆଉ ତମକୁ ପିଟି ପକାଇବି-।” ମିତା କଥାରେ ଅନେକ ଆତ୍ମୀୟତା ଭରି ରହିଥିଲା । ମନୋଜ କାନରେ କଣ କହିଗଲା ସେ । ମନୋଜ କିଛି ସମୟ ଭାବିଲା । ତାପରେ ତା ସହ ତଳକୁ ଓହ୍ଲାଇ ଆସିଲା । ଡ୍ରଇଁ ରୁମରେ ମନୋଜ ଅପେକ୍ଷାରେ ବସିଥିବା ତା ସାଙ୍ଗମାନେ ହସୁଥିଲେ । ମିତା ମନୋଜର ହାତଧରି ତା ସାଙ୍ଗରେ ଆସୁଥିଲା । ମନୋଜ ଠିଆ ହୋଇଥିଲା ସମସ୍ତଙ୍କ ସମ୍ମୁଖରେ ଦୋଷୀଟିଏ ପରି, ସମ୍ମୁଖରେ ବାପା । ବାପା ହସୁଛନ୍ତି । ମିତା କହିଲା—

 

: ମଉସା । ଆଣି ଦେଲି ନା ମନୁଭାଇଙ୍କୁ । ତାଙ୍କୁ କହୁନ ତାଙ୍କ ରେଜେଲ୍ଟ କଣ ହୋଇଛି-?

 

: ତୁ କଣ ମନୁ ଭାଇର ପାଟି ?

 

: ବାଃରେ ଭାରି ଚାଲାକ୍ ତ, ସେ କଥା ହବନି । ତମର ଖାଲି ଜୟ ହବ ସବୁଥିରେ ? କହିବତ କୁହ ନଚେତ୍ ଆମେ ଫୋନ୍ କରି କଲେଜରୁ ବୁଝି ନବୁ । ଚାଲ ତ ମନୁ ଭାଇ, ମିତାର ବାଧ୍ୟ ଛାତ୍ର ପରି ମନୋଜ ମଧ୍ୟ ଫେରି ଯାଉଥିଲା ମାତ୍ର ସନ୍ତୋଷ ଅଟକି ପାରିଲାନି । ରିତି ମଧ୍ୟ ଦଉଡ଼ି ଯାଇ ଧରି ନେଲା ତ ତାକୁ—

 

: ଶୁଣିବୁନି ରେଜଲଟ୍ । ମନୋଜ ନୀରବ । ‘ହଁ ଶୁଣୁ ତୁ ଫେଲ୍ ହୋଇଛୁ ।’

 

: ଓଃ ? ଚମକି ଉଠିଛି ମନୋଜ । ସନ୍ତୋଷର ଶକ୍ତ ହାତ ମୁଠା ଦ୍ଵୟ ତାକୁ ଏମିତି ଧରି ରଖିଥିଲା ଯେ ମନୋଜର ହଲିବାର ଉପାୟ ନ ଥିଲା ।

 

: ତୁ କଣ ଆଶା କରିଥିଲୁ ? ସଙ୍ଗେ ସଙ୍ଗେ ସନ୍ତୋଷର ପ୍ରଶ୍ନ । ମିତା ଆଖିରେ ଲୁହ । ଅପାର କଥା ସେ ଶୁଣିଛି । ତେବେ ବର୍ତ୍ତମାନ କଣ ହବ ?

 

: କିଛି ନାହିଁ । ମନୋଜର ଶୁଷ୍କ ଉତ୍ତର । ସନ୍ତୋଷ ଟାଣି ଆଣି ତାକୁ ଚୌକି ଉପରେ ବସାଇଁ ଦେଇଛି—ମଉସା ପିଲାକୁ ଦଣ୍ଡ ଦିଅନ୍ତୁ ? ମନ୍ମଥ ବାବୁ ହସିଦେଲେ । ମନୋଜ ଆଖି ମୁଦି ଦୀର୍ଘ ନିଶ୍ଵାସ ଛାଡ଼ିଲା ।

 

: ଏ ପିଲାକୁ ଯେତେ ଶିକ୍ଷାଦେଲେ ହବନି ।

 

: ସନ୍ତୋଷ ଏକ୍ସସେସ୍ ହୋଇଗଲା । ଛାଡ଼ି ଦେ’ ତାକୁ । ମଉସା ଫିଷ୍ଟ କେବେ ଖାଇବୁ-? ତାର ବେଷ୍ଟ ଗ୍ରାଜୁଏଟ ହବାର ଚାନ୍ସ ବି ଅଛି । ମନୋଜର କୌଣସି ରିଆକ୍ସନ୍ ନଥିଲା ଅସୀତ୍ କଥାରେ । ତାକୁ ସବୁ ସ୍ଵପ୍ନପରି ଲାଗୁଥିଲା । ସମ୍ପୂର୍ଣ୍ଣ ଭାବରେ ସେ ଝାଳରେ ଗାଧୋଇ ପଡ଼ିଥିଲା । ମିତାର ରାଗର ମିଟର ଉପରକୁ ଉଠି ଯାଇଥିଲା । ସନ୍ତୋଷକୁ ସେ ଠେଲିଦେଲା, କାରଣ ସେ ମନୋଜ ମୁହଁକୁ ଚାହିଁ ହସୁଥିଲା—‘ଚାଲିଯାଅ ତମେ, ମନୁଭାଇ ମୋ ସାଙ୍ଗେ କଥା କହିବେନି । ମିଛୁଆ, ଏତେ ବଡ଼ ମିଛକଥା କେମିତି କହିଲ ଯେ ? ମିତା ଆଖିରୁ ଲୁହ ପୋଛିଲା । ମିତାର ରିଆକ୍ସନ ଦେଖି ସମସ୍ତେ ହସି ଉଠିଲେ । ମାତ୍ର ଡରିଯାଇଥିଲେ ସୁଲେଖା ଦେବୀ । ଅବଶ୍ୟ ମିତା ଛୋଟ ପିଲା କିନ୍ତୁ ତା ଛୋଟ ପାଟିରେ ବହୁତ ବଡ଼କଥା କହିଦିଏ ସେ । ତାର କଥା ମନ୍ମଥବାବୁଙ୍କ ମନକୁ ସ୍ପର୍ଶ କରିଥିଲା । ସେ ମିତାକୁ ଡାକି ପାଖରେ ବସାଇ କହିଲେ—‘କିରେ ମନୁଭାଇ ପାଇଁ ତୁ କାନ୍ଦିଲୁ କାହିଁକି ।’

 

: କାନ୍ଦିବି କାହିଁକି ମ ? ଏହି ମିଛୁଆମାନଙ୍କ କଥାରେ ମୁଁ ରାଗିବି କାହିଁକି ?

 

: ଆରେ ବାବା ମୁଁ ମିଛ କାହିଁକି କହିଲି ମିତା ତମେ ହୁଏତ ଜାଣନା.....

 

: କଣ ଜାଣିନି ମ ? ମନୁଭାଇ ତ ମୋର ଫାଷ୍ଟ୍ ହୋଇଛନ୍ତି ଆଉ ତମେ ତାଙ୍କୁ........

 

: ହେଲା ବାବା ଭୁଲ ହୋଇଗଲା କାନ ଧରୁଛି......ତମ ମନୁଭାଇଙ୍କୁ କହିଦିଅ ସେ ଟିକେ ହସି ଦିଅନ୍ତୁ । ମନୋଜକୁ ଦେଖି ସନ୍ତୋଷ ମିତାକୁ କହିଲା । ମୁହଁକୁ ତଳକୁ କରି ମନୋଜ ବସିଥିଲା । ମନ୍ମଥ ବାବୁ ମନୋଜକୁ ଚାହିଁ ହସୁଥିଲେ ।

 

: ମିତୁ ମା ଭାଇଙ୍କୁ ତମେ ହସାଇ ଦିଅତ..... ଆଚ୍ଛା ଆମେ ଉଠିଲୁ । ତମେ ଟିକେ ତମ ଭାଇଙ୍କୁ ଶିକ୍ଷା ଦିଅ କେମିତି କଣ କରାଯାଏ....

 

: କାହିଁକିମ ମନୁଭାଇ କଣ ଜାଣନ୍ତି କି ? ତମେ ତ ଏତେ କାମ କଲ ?

 

: ଆଚ୍ଛା.....ହସୁଥିଲେ ମନ୍ମଥ ବାବୁ । ମାତ୍ର ସୁଲେଖା ଦେବୀ ଅଟକାଇ ଥିଲେ ମିତାକୁ ।

 

: ମିତା ବଡ଼ମାନଙ୍କୁ କିଏ ଏମିତି କହେ ?

 

: କଣ ମିଛ କହିଲିକି ? ବାପା କେମିତି ରେଜଲ୍‍ଟ ବୁଝିଆସି ମିଠା ଆଣନ୍ତି । ଯିଏ ପରୀକ୍ଷା ଦେଇଥାଏ ତାକୁ ଆଗେ ମିଠା ଖୋଇ ଦେଇ ରେଜଲ୍‍ଟ କହି ଦିଅନ୍ତି । ତେବେ ମଉସା କାହିଁକି ସେମିତି କଲେନି ? ମନୋଜ ମଧ୍ୟ ମିତାର କଥାରେ ନହସି ରହିପାରିଲାନି । ମନୋଜ ହସଟା ପ୍ରତିଫଳିତ ହୋଇଥିଲା ମନ୍ମଥ ବାବୁଙ୍କୁ ମୁହଁରେ । ସେ ଆଜି ବହୁତ ଖୁସି । ସେ ମିତାକୁ କହିଲେ—

 

: ମାମି ତା ପରେ.....

 

: ଆରେ ମଉସା ମାମି କାହିଁ ? ଅପା ତ ଆସିନି ?

 

: ତମେମାନେ କାହିଁକି ତା ସହ କଥାବାର୍ତ୍ତା କରୁଛ କୁହତ ? ମୁଣ୍ଡ ଗରମ କରିଦବ । କଥାଟା ସେ ଏଠୁ ନେଇ ସେଠି ରଖିଦବ । ପିଲାଙ୍କୁ ଗପ କରିବାକୁ ଛାଡ଼ିବ କି ନାହିଁ ? କିନ୍ତୁ ଯାହା କୁହନା କାହିଁକି, ପିଲା ତ ହବ ଏମିତି । ବି ଫ୍ରାଙ୍କ୍; ଏତେ ଡରିବା କଣ ଅଛି-? ଏତେ ଡରିବା କଣ ଭଲ ? ଯିଏ ସାମାନ୍ୟ କଥାରେ ଏତେ ଡରିଯିବ ବଡ଼ ବଡ଼ କଥାକୁ ଫେସ୍ କରିବାକୁ ତାର ସାହସ ଆସିବ କେଉଁଠୁ ?

 

: ବାଃରେ ପରୀକ୍ଷାଟା ତ ଭାଗ୍ୟ ଉପରେ ନିର୍ଭର କରେ । ରେଜଲ୍‍ଟଟା ଉପରେ କିଏ କେମିତି କନଫର୍ମ ହୋଇ ରହିବ ।

 

: ସେ କଥା ମୁଁ ଜାଣେ, କିନ୍ତୁ ସାଙ୍ଗମାନଙ୍କୁ ପଚାରୁନ ସେ ଏକ୍‍ସେସ୍‍ ହୋଇ ଯାଉଛି କି ନାହିଁ ?

 

: ‘ହଉ ହେଲା ବାବା ତମର ଜିତ୍ ।’ କହି ଉଠିଗଲେ ସୁଲେଖା ଦେବୀ ବାସନ୍ତୀ ଦେବୀଙ୍କ ସହ । ମନୁ ଅଟକାଇ ନେଲା ମିତାକୁ । ମନ୍ମଥ ବାବୁ ସେମାନଙ୍କ ପଦାଙ୍କ ଅନୁସରଣ କରିଥିଲେ ଏବଂ କହୁଥିଲେ—ଯାହା କୁହନା କାହିଁକି ଏକ୍‍ସେସ୍‍ ଅଫ୍ ଏନିଥିଙ୍ଗ୍ ଇଜ୍ ଭେରୀ ବ୍ୟାଡ଼-। ତମେ ଦି’ ଜଣ ସବୁବେଳେ ତା ଫରରେ ରହିଲ ।

 

: ଆଚ୍ଛା ମହାଶୟ, ଆପଣ କଣ ଥିଲେ କହିଲେ ? ସେ ଘରୁ ଆସିବା ପରେ ସୁଲେଖା ଦେବୀ ପ୍ରଶ୍ନ କଲେ ।

 

: ଆରେ ସେଇଥି ପାଇଁ ତ କହୁଛି । ସେ ରାସ୍ତାରେ ଆସିଛି, ପଥ କଣ ଜାଣେ । ମୋ ପାଇଁ ସିନା ବିଜୁ ବାବୁ ହାଜର ଥିଲେ, କିନ୍ତୁ ତା ପାଇଁ......

 

: ଡାକ୍ତର ବାବୁଙ୍କ ଝିଅ ହାଜର ଅଛି । ସୁଲେଖା ଦେବୀଙ୍କ କଥାରେ ହସି ଉଠିଲେ ସେମାନେ ।

 

ସନ୍ଧ୍ୟାବେଳେ । ମାମି, ବାପି ଓ ବୁବୁ ବସି ଜଣାଣ ଗାଉଥିଲେ ଠାକୁରଙ୍କ ଘରେ । ଜଣାଣ ପରେ ଭାଇ ଭଉଣୀ ପ୍ରଣାମ କରି ଉଠିଲେ । ବାପି ପ୍ରଥମେ କହିଲା—

 

ଅପା, ବୋଉ କେଉଁଠିକି ଯାଇଛି, କଣ କିଛି କହିନି ?

 

: ନ କହୁନା ଭାଇ, କଣ ହେଲା ସେଠୁ । ଆଜି ଆମର ବୋଉ ସହ କଟି କହିଦେଇ ବୁବୁ ଘରୁ ବାହାରିଗଲା । ମାତ୍ର ବାପି ମାମିର ପିଛା ଛାଡ଼ିଲାନି । ସେ ଜାଣେ ବୋଉ ଯେଉଁଠିକି ଯାଉନା କାହିଁକି ଅପାକୁ ନିଶ୍ଚୟ କହିକରି ଯାଇଥିବ ।

 

: ଆଚ୍ଛା ଅପା ବୋଉ ତ କାହାକୁ ଜାଣେନି । ଆମେ ତ ଆସିବାର ୪/୫ ମାସ ଖଣ୍ଡେ ହୋଇଛି । କାହା ପାଖରେ ଯାଇ ବୋଉ ଏତେ ଗପ କରୁଛି ?

 

: ବାପି, ରାଗିବାକୁ ଚାହିଁ ମଧ୍ୟ ରାଗି ପାରୁନଥିଲା ମାମି । ତା ଗୋଡ଼ ପାଖରେ ବସି ବାପି କହୁଥିଲା ଗେହ୍ଲେଇ ହୋଇ—

 

: ଅପା କହନା ପ୍ଳିଜ୍....କହିବୁନି ତ ତତେ ମୋ ରାଣ....

 

: ବାପି ତୋର କଣ ମାଡ଼ ଖାଇବାକୁ ଇଚ୍ଛା ହଉଛି, ତୁ ଜାଣିନୁ ବୋଉ ଯେଉଁଠିକି ଯାଇଛି ? ‘ଉହୁଁ’ ମୁଣ୍ଡ ହଲାଇ ଜବାବ୍ ଦେଲା ବାପି । ମନ୍ମଥ ମଉସାଙ୍କ ଘରକୁ ଯାଇଛି । ହେଲା ତ ମନ ଶାନ୍ତି ?

 

: ହଁ ହେଲା କିନ୍ତୁ ମନୁ ଭାଇଙ୍କ ରେଜଲ୍‍ଟ ଟା...

 

: ବାପି, ତୋର ଇଚ୍ଛା ହେଲା ତ ଫୋନ କରି ବୁଝିନେ, ମତେ ବେଶି ରଗାଇବୁ ତ ତୋ ସହ କଥାବାର୍ତ୍ତା କରିବିନି । ମାମିର କୃତ୍ରିମ ରାଗ ଦେଖି ବାପି ହସିଦେଲା । ମାମିର ବେଣୀଟା ଟାଣିଦେଲା—‘ରାଗନା ବାବା ଆଉ ପଚାରିବିନି’ ଉଠିଗଲା ବାପି ! ସେ ଫୋନ ଡାଏଲ୍ କଲା—

 

: ହ୍ୟାଲୋ...

 

: ମନୁଭାଇ ନମସ୍କାର, ମୁଁ ଡାକ୍ତରବାବୁଙ୍କ ଘରୁ କହୁଛି...

 

: ହଁ ହଁ ବିଜୟବାବୁ...

 

: କଣ ରେଜଲ୍‍ଟଟା ଜଣାଇବେନି ?

 

: ମିତା କହିଲା ଓ ଆଚ୍ଛା ଠିକ୍ ଅଛି । heartly congratulation to you...

 

: ବୋଉ ହରିକା କଣ କରୁଛନ୍ତି ?

 

: ଆସିଲେଣି । ଠିକ୍ ଅଛି । ନମସ୍କାର, ମିଠା ଖୋଇବେଟି । ରଖୁଛି । ଫୋନ ରଖି ଅପା ପାଖରେ ହାଜର ହୋଇଗଲା । ବାପି ଚାହିଁଲା ତା ମୁହଁକୁ । ମାମି ଦାନ୍ତ ଚିପି ହସୁଥିଲା—ଅପା ।

 

: ଭୁଲ୍ ହୋଇଛି ବାବା କିନ୍ତୁ ତୁ ବି ଭୁଲ୍ କରିନୁ କି ? କହତ ତୁ ଜାଣି ଶୁଣି ରାଗି ଏତେ କଥା କେମିତି ପଚାରୁଛୁ ?

 

: ତା ବୋଲି ତୁ କହିବୁନି । ଠିକ୍ ଅଛି, ବର୍ତ୍ତମାନ କଣ ଦବୁ କହ ମନୁଭାଇଙ୍କ ରେଜଲ୍‍ଟଟା ଏତେ ଭଲ ହୋଇଛି...

 

: କିରେ ମୁଁ କାହିଁକି କଣ ଦେବି ? ହଠାତ୍ କଲିଂବେଲ୍‍ଟା ବାଜି ଉଠି ଭାଇ ଭଉଣୀଙ୍କ କଥାରେ ବାଧା ସୃଷ୍ଟି କଲା । ଦାନ୍ତ କାମୁଡ଼ି ଉଠିଗଲା ବାପି । ହସି ଦେଇ ତାକୁ ପଛରୁ ଦେଖୁଥିଲା ମାମି । ତା ନିଜ ଅଜାଣତରେ ଦୁଇଟୋପା ଲୁହ ଝରିଗଲା ତା ଗଣ୍ଡ ଦେଇ । ମିତାର ପାଟି ଶୁଭୁଥିଲା । ବୋଉ ବୋଧହୁଏ ଆସିଗଲା । ମାମି ମଧ୍ୟ ଉଠିଗଲା । ମନ୍ମଥବାବୁ ଆସିଥିଲେ ! ଅଜାଣତରେ ପଶି ଯାଇଥିବା ମାମି ତାଙ୍କୁ ପ୍ରଣାମ କରି ଫେରି ଆସିଲା । ପଛରୁ ମିତା କହୁଥିଲା—

 

: ବୋଉ ଅପା ପାଇଁ ପପିନ୍‍ସ୍‍ ଆଣିନୁ ?

 

: ତୁ ତ ମନୁ ଭାଇ ସହ ଏତେ ଖୁସି ଗପ କଲୁ ଯେ ସବୁ ଭୁଲିଗଲୁ । କଣ ଦବୁ ଏଇଲେ ଅପାକୁ ?

 

ମିତା କଥାରେ ହସିଦେଲେ ମନ୍ମଥ ବାବୁ ମିତାର ଚିନ୍ତା କିନ୍ତୁ ବଢ଼ି ଯାଇଥିଲା । କହିଲେ–ଯାଉନୁ ଅପାକୁ ଗୋଟେ ‘ପପି ଦେଇଦେବୁ । ସେ ତ ବହୁତ ମିଠା । ପପିନ୍‍ସ୍‍ ଖାଇଲେ ଦାନ୍ତ ପୋକ ଖାଇବ । କହିଲେ କହିଦବୁନା ମନୁଭାଇ ପାଇଁ ଭୁଲିଗଲୁ ବୋଲି । ମିତା ଚାଲିଗଲା । ବିଜୟ ବାବୁ ପଛରୁ ଆସି ସବୁ କଥା ଶୁଣିଥିଲେ । ସମସ୍ତେ ଏକାସାଙ୍ଗେ ହସି ଉଠିଲେ । ବାପାଙ୍କୁ ଦେଖି ବାପି ମଧ୍ୟ ମିତା ପଛରେ ଚାଲିଗଲା ।

 

ସେଦିନ ମିତା ମନର ଉତ୍କଣ୍ଠାକୁ ସୁନ୍ଦର ଭାବରେ ରୂପାୟିତ କରିଥିଲା ବାପି । ଵାପିର କଥାବାର୍ତ୍ତା ଶୁଣି ହସ ଲାଗୁଥିଲା ମାମିକୁ । କିନ୍ତୁ ସବୁ ଶୁଣି ସେ ନ ଶୁଣିବାର ନ ଜାଣିବାର ଅଭିନୟ କରୁଥିଲା । ବାପି କହୁଥିଲା—‘ତୁ କହିଦେଲୁନି ଆମ ଅପାର ଏତେ ଡରୁଆ ଲୋକଙ୍କୁ ଆଦୌ ପସନ୍ଦ ନାହିଁ ।’

 

: ଏଁ ମୁଁ ତ ସେ କଥା କହିନି, ତେବେ କଣ କରିବା ? ମିତାର ନିରୀହ ପ୍ରଶ୍ନ ।

 

: ଚାଲ ତେବେ ଫୋନ୍ କରିଦବା, ବାପି ଓ ମିତା ଉଠିଲେ । ଶେଷରେ ମାମି ମୁହଁ ଖୋଲିବାକୁ ବାଧ୍ୟ ହୋଇଥିଲା—ବାପି, କଣ ହୋଇଛି ତୋର ଆଜି ? ପଢ଼ାପଢ଼ି କିଛିନାହିଁ କି ତୋର ? ମାମି ସାମାନ୍ୟ ରାଗିଥିଲେ ମଧ୍ୟ ବାପିର ମୁହଁକୁ ଚାହିଁଲେ ତାକୁ ହସ ଲାଗୁଥିଲା । ବାପି ମୁଣ୍ଡ କୁଣ୍ଡାଇ କୁଣ୍ଡାଇ କହିଲା—

 

: ସରି ମାଡ଼ାମ୍ । ମିତା ତୁ ଯା, ଅପା ରାଗିବ । ଫୋନ୍ କରିବୁନି, ପଢ଼ି ବସିବୁ । ମିତା ଚାଲିଗଲା ପରେ କହିଲା—ଅପା ରାଗିଲୁ କି ? ସତ କହିଲୁ ମୁଁ କେମିତି ଜାଣିଲି ତୁ ତାଙ୍କୁ ଏତେ ପସନ୍ଦ କରିଗଲୁଣି ବୋଲି ?

 

: ବାପି ତୁ ପାଠ ପଢ଼ିବୁନି ? ଦାନ୍ତ ଚିପି ମାମି ପ୍ରଶ୍ନ କଲା ।

 

: ଅପା ତୁ ରାଗୁଛୁ କାହିଁକି କହିଲୁ, ମନୁ ଭାଇତ କଟକରେ ରହିବେ । ତମରି କଲେଜରେ ପଢ଼ିବେ ମ, ସେମିତି ମୁଣ୍ଡ କୁଣ୍ଡାଇ କୁଣ୍ଡାଇ ବାପି କହିଲା ।

 

: ଓଃ ତତେ ପାରିହବନି ଦେଖୁଛି ଡାକିବି ବାପାଙ୍କୁ ?

 

ଉପରକୁ ଆସୁଥିବା ବିଜୟ ବାବୁଙ୍କ କାନରେ ମାମିର କଥା ପଡ଼ିଗଲା । ମାମି ପାଖକୁ ଆସି ସେ ପ୍ରଶ୍ନକଲେ—କଣ ହେଲା କି ମା ?

 

: ଏଇ ବାପି, ଆଜି ତାର କଣ ହୋଇଛି କେଜାଣେ, ପଢ଼ୁନିକି ପଢ଼ାଇ ଦଉନି ।

 

: ନା ମ ବାପା, ମୁଁ କଣ ବଦମାସି କରୁଥିଲି କି ? କହୁଥିଲି ନା ଗୋଟେ କଥା—

 

: କି କଥା.... ?

 

: ଏଇ ମନୁ ଭାଇଙ୍କୁ କଥା । ତାଙ୍କ ରେଜଲ୍‍ଟ ଶୁଣି ଆଜି ମଉସାଙ୍କୁ କେତେ ଖୁସି ଲାଗୁ ନଥିବ । ଆମ ଅପା ଯଦି ସେମିତି କରନ୍ତା ନା.....

 

: କଣଟା ଅଧିକ ହୁଅନ୍ତା ବାବା । ମନୁଭାଇ ରେଜଲ୍‍ଟ ଭଲ ହବା ଯାହା ଅପା ରେଜଲ୍‍ଟ ଭଲ ହବା ସେଇକଥା । କିନ୍ତୁ ତୁ ଆମର ଭଲ ରେଜଲ୍‍ଟ କର ତେବେ ଦେଖାଯିବ । ବାପି ହସୁଥିଲା ବାପାଙ୍କ କଥାରେ । ମାମି ଗମ୍ଭୀର ହୋଇ ପ୍ରଶ୍ନ କଲା—ତା ମାନେ ତମେ ମୋର ଉନ୍ନତି ଚାହଁନା, ନା କଣ କହୁଛ ବାପା ?

 

: ଆରେ ସେ କଥା କିଏ କହିଲା ? ମୁଁ ତ ବାପିକୁ କହୁଥିଲି ଭଲ ପଢ଼ିବା ପାଇଁ, ମାନେ ଅପା କାହିଁକି ଏକା ଭଲ ରେଜଲ୍‍ଟ କରିବ ସେ କାହିଁକି ନ କରିବ ? ଏଁ କଣ କହୁଛୁ ? ମାମି ନୀରବ ରହିଲା । ବିଜୟ ବାବୁ ତାକୁ ବୁଝାଇ ବାପିକୁ ରାଗୁଥିଲେ । ମାମି ଶେଷରେ ହସିବାକୁ ବାଧ୍ୟ ହେଲା ।

 

ମନୋଜର ରେଜେଲ୍‍ଟ ପାଇଁ ଯେ କେବଳ ମନ୍ମଥ ବାବୁ ଖୁସି ହଉଥିଲେ ସେ କଥା ନୁହେଁ ତାଙ୍କଠାରୁ ଅଧିକ ଯେମିତି ଖୁସି ହଉଥିଲେ ବିଜୟବାବୁଙ୍କ ଘରେ । ମାମିର ମୁହଁ ଫୁଲା ପରେ ଅବଶ୍ୟ ସେ କଥା ଘରେ ପଡ଼ି ନ ଥିଲା । ମାମିର ମଧ୍ୟ ବିଜୟ ହୋଇଥିଲା ।

 

ମନୋଜର କଟକରେ ପଢ଼ିବା ସ୍ଥିର ହୋଇଯିବା ଖବର ମଧ୍ୟ ଲୀନା ପାଇଥିଲା । ସର୍ବଶେଷରେ ବାପାଙ୍କ ସହ ଜିଦ୍ କରି ସେ ମଧ୍ୟ କଟକରେ ପଢ଼ିବ ବୋଲି ସ୍ଥିର କରିନେଲା । ମନୋଜର ଦିଲ୍ଲୀ ଯିବାର ଥିଲା, ବିଜୟ ବାବୁ ସୁଲେଖା ଦେବୀ, ମନ୍ମଥବାବୁ, ସମସ୍ତେ କହିବା ସତ୍ତ୍ଵେ ମଧ୍ୟ ବାସନ୍ତୀ ଦେବୀ ରାଜି ହୋଇ ନ ଥିଲେ ତାଙ୍କର ଏକମାତ୍ର ସନ୍ତାନକୁ ଆଖି ଆଗରେ ଦୂରକୁ ଛାଡ଼ିବା ପାଇଁ । ତାଙ୍କ କଥାରେ—“ଦରକାର ନାହିଁ ମୋ ପୁଅ ବଡ଼ ଅଫିସର ହବା, ମୋର ଯାହା ଅଛି ସେତିକି ସେ ବସି ଖାଇଲେ ତା’ ପାଇଁ ଯଥେଷ୍ଟ ।” ତାଙ୍କର ମମତାର ଗଭୀରତ୍ଵଟା ଉପଲବ୍ଧି କରି ପାରିଥିଲେ ସମସ୍ତେ । ସେଥିରେ କୌଣସି ନୂତନତ୍ଵ ନଥିଲା କାରଣ ମନୋଜ ତାଙ୍କର ଏକମାତ୍ର ସନ୍ତାନ ଆଉ ତାର ଚବିଶ ଘଣ୍ଟା ବୋଉ ପାଖରେ ଅଳି ଥିଲା । ତାଙ୍କ ଜୀବନରେ କଣଟା ଆଉ ଥିଲା ? ତାଙ୍କର ଗଭୀର ସ୍ନେହ ମମତା ହିଁ ମନୋଜର ନୀରବ ଜିଦ୍‍କୁ ବଢ଼ାଇ ଦେଉଥିଲା । ଅବଶ୍ୟ ସେମିତି ଅବାସ୍ତବ ଜିନିଷ ସେ ମାଗୁ ନଥିଲା । ତାର ପ୍ରାପ୍ୟ ସେ ଜିଦ୍ କରି ନୁହେଁ ରୁଷି କରି ମା ଠାରୁ ଆଦାୟ କରୁଥିଲା । ବାପାଙ୍କ ମନୋଭାବକୁ ଗଭୀର ଭାବରେ ବିଶ୍ଳେଷଣ କରି ମଧ୍ୟ ତାର ପ୍ରାପ୍ୟ ସେ ଜିଦ୍ କରି ମାଗିପାରୁ ନଥିଲା ଯେଉଁଟାକି ମନ୍ମଥ ବାବୁଙ୍କ ମନରେ ଗଭୀର ଯନ୍ତ୍ରଣା ଦେଉଥିଲା । ନିଜର ଅତୀତ ମଧ୍ୟକୁ ସେ ଟାଣି ହୋଇ ଯାଉଥିଲେ । ଅଭିମାନୀ ମନୋଜର ସବୁ ଅଳି ଥିଲା ମା’ ପାଖରେ । ସେ ଥିଲା ଭୀଷଣ ଭାବରେ ଅଭିମାନୀ ଯେଉଁଟାକି ଗୋଟିଏ ପୁଅ ପିଲା ପାଖରେ ଶୋଭନୀୟ ନୁହେଁ । ସବୁ ଜାଣି ଶୁଣି ମଧ୍ୟ ମନୋଜ ନିଜସ୍ଵ ପ୍ରକୃତିକୁ ପରିବର୍ତ୍ତନ କରିପାରୁ ନଥିଲା । କଲେଜ ଯିବା ତାର ଆରମ୍ଭ ହୋଇଗଲା, ତାର ବନ୍ଧୁ ଗୋଷ୍ଠୀରେ ବାନ୍ଧବୀ ହିସାବରେ ଲୀନା ସଂଖ୍ୟା ବୃଦ୍ଧି କରିଥିଲା ।

 

ଲୀନା ମହାପାତ୍ର ମନୋଜ ଦାସର ବାନ୍ଧବୀ ନଥିଲା, ଥିଲା ପ୍ରେମିକା । ଭଲ ପାଇବାର ମଞ୍ଜି ପୋତି ହୋଇ ସାରିଥିଲା ମନୋଜ ମନ ମଧ୍ୟରେ । ମାତ୍ର ପାରିପାର୍ଶ୍ଵିକ ପ୍ରତିକୂଳ ପରିସ୍ଥିତି ଅଙ୍କୁରୋଦଗ୍‍ମ କରିବାକୁ ଦେଉ ନଥିଲା । ମନୋଜକୁ କଲେଜ ଲାଇଫ୍‍ଟା ଏବେ ବେଶ ମଧୁମୟ ଲାଗୁଥିଲା । କଲେଜରେ ପହଞ୍ଚିବା କ୍ଷଣି ଆଖି ଦି’ଟା ତାର ଖୋଜି ବୁଲୁଥିଲା ଲୀନାକୁ; ଚାରି ଚକ୍ଷୁର ମିଳନ ହୁଏ । ହସର ବିନିମୟରେ ସବୁର ଇତିଶ୍ରୀ ଘଟେ । ଆଗକୁ ପାଦ ବଢ଼ାଇବା ସାହସ ମନୋଜର ନାହିଁ । ତା ମନଟା ଭୀଷଣ ଡରୁଆ । ବିଶେଷତଃ ବଦନାମ ଓ ଅପଯଶ ପାଇଁ । ଲୀନା ସହିତ ତା ପ୍ରେମ ଗଳ୍ପର ଅପପ୍ରଚାର ହୁଏତ, ତା ବେଷ୍ଟ ଗ୍ରାଜୁଏଟ ପଦକୁ କିମ୍ଭୁତ କିମ୍ବାକାର କରି ଗଢ଼ି ତୋଳିପାରେ । ସାଥି ମହଲରେ ନ ହେଲେ ମଧ୍ୟ କୌଣସି ଲେକ୍‍ଚର ପାଖରୁ କଡ଼ା ଗାଳି ଦୁଇପଦ ଶୁଣିବାକୁ ପଡ଼ିପାରେ । ତା ଛଡ଼ା ସର୍ବଶେଷରେ କଥାଟା ବାପାଙ୍କ କାନକୁ ଗଲେ ତାର ଭୟାନକ ପରିସ୍ଥିତି ସମ୍ବନ୍ଧରେ ଭାବି ପାରେନା ମନୋଜ ।

 

ଲୀନାକୁ ଭଲ ପାଇବା ଥିଲା ମନୋଜର ବ୍ୟକ୍ତିଗତ କଥା । ନିଜର ପାରିପାର୍ଶ୍ଵିକ ସ୍ଥିତି ପାଇଁ ଯେ ସେ ଲୀନା ସହ ସମୟ ସୁବିଧାରେ କଥାବାର୍ତ୍ତା କରୁ ନଥିଲା ସେ କଥା ମିଛ । ମନୋଜ ଯାହା ହଉନା କାହିଁକି ସମୟର ସତ୍ ଉପଯୋଗ କରୁଥିଲା । ଲୀନାକୁ ସେ ଆଭଏଡ଼୍ କରିପାରୁ ନଥିଲା ।

 

ମନୋଜ ଏ ଲୀନାର ପ୍ରେମ ଐତିହ୍ୟ ଗୁରୁତ୍ଵ ଭାବରେ ନ ହେଲେ ମଧ୍ୟ ଧୀର, ମନ୍ଥର ଓ ଅତି ସୁନ୍ଦର ଭାବରେ କଲେଜ କ୍ୟାମ୍ପସ୍ ମଧ୍ୟରେ ମଧୁଗୁଞ୍ଜନ ସୃଷ୍ଟି କରିଥିଲା । ଯାହାର ଧୀର ସମୀରଣ କି ମାମି କାନରେ ତା ଭବିଷ୍ୟତର କାହାଣୀ ଶୁଣାଇ ଦେଉଥିଲା । ଶାନ୍ତ ସରଳ ମାମି ମନୋଜର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟିପାତ କରିବାରେ ସକ୍ଷମ ହୋଇ ପାରିଥିଲା । ଯଦିଓ ସେ କୌଣସି ପଦକ୍ଷେପ ନେବାରେ ସମର୍ଥ ନଥିଲା, ତେବେ ବି ଘଟଣାର ଗତିପ୍ରବାହ ଲକ୍ଷ୍ୟ କରିବା ତ ତାର କର୍ତ୍ତବ୍ୟ ଥିଲା; ଯେହେତୁ ସେ ଥିଲା ମନୋଜର ବାଗ୍‍ଦତ୍ତା ।

 

ବହୁତ ଦିନପରେ ମାମି ଉପଲବ୍ଧି କଲା ସେଦିନ ବୋଉ କାହିଁକି ତାକୁ ରେଭେନ୍ସା କଲେଜରେ ପଢ଼ିବା ପାଇଁ କହୁଥିଲା । ନିଜର ଅଜାଣତରେ ଏକ ଶୁଷ୍କ କ୍ଷୀଣ ହସରେଖା ଖେଳିଯାଏ ତା ମୁହଁରେ । ଇକୋନୋମିକ୍ସ ଡିପାର୍ଟମେଣ୍ଟ ଯିବାପାଇଁ ମିସେସ୍ ମହାନ୍ତି ତାକୁ କ୍ଲାସରେ କହି ଦେଇ ଯାଇଥିଲେ । ଭଗବାନଙ୍କୁ ଜଣା କାହିଁକି ସେ ଡାକିଥିଲେ । ଗୀତା ସହ ମାମି ରୁମ୍ ଭିତରକୁ ପଶିଯିବା ସମୟରେ ସଡ଼ନ୍ଲି ଧକ୍କା ହୁଏ ମନୋଜ ସହିତ । ଅବଶ୍ୟ ସ୍କାଇଟ୍‍ଲି ଧକ୍କା ହୋଇଥିଲା । ତଥାପି ମାମିର ବହି ଖାତା ଦିଖଣ୍ଡ ତଳେ ପଡ଼ିଯାଇଥିଲା । ମନୋଜର ଫେରି ଚାହିଁବା ପାଇଁ ହୁଏତ ସମୟ ନଥିଲା, ମାତ୍ର ମାମିର ମୁହଁ ଖୋଲିଲା—

 

: ଟିକିଏ ଦେଖି ଚାହିଁ ଚାଲନ୍ତୁ ଆଜ୍ଞା । ଏମିତି ଭାବରେ ଅନ୍ୟକୁ ଟ୍ରବୁଲର ପକାଇବା ଭଲ ନୁହେଁ । ବହିପତ୍ର ଗୋଟାଉଥିବା ଅବସ୍ଥାରେ ମାମି କହିଥିଲା । ତା କଥା ଶୁଣି ଫେରି ଚାହିଁଥିଲା ମନୋଜ । ମାତ୍ର ମାମିର ସେଥିପ୍ରତି ଭ୍ରୂକ୍ଷେପ ନଥିଲା—

 

: ଏକ୍ସକ୍ୟୁଉଜ୍ ମି ପ୍ଲିଜ.....ଅତି କଷ୍ଟରେ କହିଥିଲା ମନୋଜ । ସାମାନ୍ୟ ହସି ଉତ୍ତର ଦେଇଥିଲା ମାମି—ହୁଁ, ଆପଣମାନେ ଅଧିକଟା କଣ ଜାଣନ୍ତି, ମାମି ଅବଶ୍ୟ ରାଗିଯାଇଥିଲା ସେ ରୁମ୍ ଭିତରକୁ ଚାଲିଗଲା । ମାତ୍ର ମନୋଜ ଚାହିଁଥିଲା ତାକୁ । ଦୂରରୁ ଲୀନା ଓ ସନ୍ତୋଷ ଆସୁଥିଲେ-

 

: ମନୋଜ ! ତାର କାନ୍ଧକୁ ହଲାଇ ଦେଲା ସନ୍ତୋଷ । ସନ୍ତୋଷ ଡାକରେ ସ୍ୱିତ୍ ଫେରି ପାଇଲା ମନୋଜ—କଣ ଶୁଣାଇ ଦେଲାଟି ଦି’ପଦ ? ଲୀନାର ପ୍ରଶ୍ନ ।

 

: ଏଁ.....ହଁ । କିଏ ସେ କେ ଜାଣେ ଝିଅଟା, କିନ୍ତୁ ଭାରି ଆଡ଼ାମେଣ୍ଟ ନେଚରର, ଛାଡ଼ ବେକାର କଥା । ଦୀର୍ଘ ନିଶ୍ଵାସ ଛାଡ଼ିଲା ମନୋଜ ।

 

: ଆମକୁ ଅପେକ୍ଷା କରାଇ ଦେଇ ତୁ ଏମିତି ଭାବରେ ଏକ୍ସିଡ଼େଣ୍ଟ କଲେ କେମିତି ହେବ ଯେ ?

 

: ପ୍ଲିଜ ସନ୍ତୋଷ.....ଗୀତା ଓ ମାମି ବାହାରି ଆସିଲେ ଡିପାଟମେଣ୍ଟରୁ । ମନୋଜ ନୀରବ ହୋଇଗଲା । ମନୋଜକୁ ଦେଖି ଗୀତା ମଧ୍ୟ ନୀରବ ହୋଇଗଲା, ମାତ୍ର ଗୀତାର ପ୍ରଶ୍ନର ଉତ୍ତର ଦଉଥିଲା ମାମି—ହଁ ବୋଉର ସାଙ୍ଗ, ଆରେ ତୁ ଏମିତି ଚୁପ୍ ହୋଇଗଲୁ ଯେ ? ମନୋଜକୁ ଦେଖି କହିଛି ସେ ଏ ସାମାନ୍ୟ କଥାଟା ପାଇଁ......

 

: ହଁ ମ କଥାଟା ସାମାନ୍ୟ କିନ୍ତୁ କଲେଜରେ ତାଙ୍କ ପୋଜିସନ୍‍ଟା ତ ସାମାନ୍ୟ ନୁହେଁ ?

 

: ଛାଡ଼ ସେ କଥାଟା, ସାମାନ୍ୟ ହୋଇ ମଧ୍ୟ ସାମାନ୍ୟ ନୁହେଁ । କହିଲୁ ଆଜିଠୁ ଅଲଗା ହୋଇ ୧୫ । ୧୬ ବର୍ଷ ପରେ ତୋର ଓ ମୋ ମଧ୍ୟରେ ସାକ୍ଷାତ ହେଲେ । ମାମି ହସି ଦେଇ ଗୀତା କଥାରେ—କଣ ଛାଡ଼ି ଯିବାର ଆୟୋଜନ ଚାଲିଛି ।

 

: ନା ମ ଏମିତି କହୁଥିଲି ନା । ମାମି ! ତୁ ଜାଣିଛୁ ସେ ପିଲାକୁ ?

 

: କାହିଁକି କଣ ହେଲା କି ? ତା କଥା ବହୁତ ଭାବୁଛୁ ଦେଖୁଛି, ପୁଣି ମୋ କଥା ନ ଶୁଣି-

 

: ସେ ନା ଏ ବର୍ଷର ବେଷ୍ଟ ଗ୍ରାଜୁଏଟ୍ ।

 

: କଣ କହୁଛୁ ତେବେ ?

 

: ତୋର କିନ୍ତୁ ଏମିତି କହିବା ଠିକ୍ ହୋଇନି ।

 

: ଗୀତା ତୁ ତ ମୋ ପ୍ରକୃତି ଜାଣୁ, ଟୁ ଦି ପଏଣ୍ଟ ମୁଁ ବାପାଙ୍କୁ ବି ମାନେନା । ତାଙ୍କଠୁ ତ କେହି ମୋର ଅଧିକ ରେସପେକଟେଡ଼ ପରସନ୍ ନାହିଁ । ତାଛଡ଼ା ସେ ବେଷ୍ଟ ଗ୍ରାଜୁଏଟ୍ ହୋଇଗଲେ ବୋଲି କଣ ସମସ୍ତଙ୍କୁ ଧକ୍କା ମାରି ଚାଲିବେ ? ଆଉ ସମସ୍ତେ ତାଙ୍କୁ ଯୋଡ଼ ହସ୍ତରେ ଚାହିଁଥିବେ ? ମାମିକୁ ଜଣା ନଥିଲା, ତାଙ୍କ ପଛରେ ମନୋଜ, ଲୀନା ଓ ସନ୍ତୋଷ କଥାବାର୍ତ୍ତା କରି ଆସୁଥିଲେ । ଗୀତା ଜାଣିଥିଲେ ମଧ୍ୟ କିଛି କହିପାରୁ ନଥିଲା—ସେ କଥା ନୁହେଁ, ହୁଏତ ସେ ଜାଣିପାରି ନାହାନ୍ତି ଅଜାଣତରେ.....

 

: ଏଟା ଆଜିକାଲି ପିଲାଙ୍କର କଥା କହିବାର ଗୋଟେ (...ପି) । ଛାଡ଼ ବେକାର କଥା ଚାଲିଲୁ । ଶୀଘ୍ର ମତେ ଭୀଷଣ ଭୋକ କଲାଣି ।

 

ମନୋଜ କାନରେ ମାମି କଥା ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା । ସେ କିଛି ସମୟ ଚାହିଁଲା ମାମିର ଚଲାପଥକୁ । ତାପରେ ସାମାନ୍ୟ ହସିଥିଲା, କହିଲା—

 

: ଅଦ୍ଭୁତ ଝିଅ, ଛାଡ଼ ବେଶୀ ଦିନ ହେଲେ ବେଶୀ ଏକ୍ସପିରିଏନ୍ସ ହୁଏ ।

 

: ମନୁ, ସେ ବେକାର କଥା ଛାଡ଼ିଲୁ, କହିଲୁ ସାର ତତେ ପିକ୍‍ନିକ୍‍ ଯିବା କଥା କହିବାକୁ ଡାକିଥିଲେ ସେ କଥା କଣ ହେଲା ?

 

: ହଁ, ସାର୍‍ ମତେ ଡାକିବାର କାରଣ ହେଲୁ ତୁ, ତୁ ଛାତ୍ରନେତା, ଆଉ ତତେ ମନେଇବା ପାଇଁ ମୁଁ ହେଲି ସାର୍‍ଙ୍କ ଅସ୍ତ୍ର । ବୁଝିଲୁ ମୋ ମୁଣ୍ଡ ଗରମ ହୋଇ ଯାଇଛି—ମୁଁ କହିଲି ଏକ୍ସସକ୍ୟୁଉଜ୍‍ମି ପ୍ଲିଜ୍ । ମତେ ଉତ୍ତର ମିଳିଲା କଣ ନା—ଆପଣମାନେ ଅଧିକଟା ଆଉ କଣ କହି ପାରନ୍ତି ?

 

: ତୁ ତ ବଡ଼ ଅଦ୍ଭୁତ ପିଲା । ସେ କଥା ଉପରେ ଏତେ ଯୋର ଦବା କଣ ଅଛି । ଭାଇ ଆସ ଟପିକକୁ ଆସ ।

 

: କଣ ଟପିକ୍ ଉପରକୁ ଯିବ ମ ବାସ୍ତବ କଥା ନ ଜାଣି ମୋ ଉପରେ ଏମିତି ଭାବରେ ଆକ୍ଷେପ କରିବା......

 

: ଆରେ ବାପରେ ଏଟା ହେଲା କେତେ ଜଣଙ୍କ ପ୍ରକୃତି । ତୋର କେମିତି ସାମାନ୍ୟ କଥା ଉପରେ ଗଭୀର ଭାବରେ ବସି ଭାବିବା ।

 

: ଛାଡ଼ ସେ କଥା, ପିକ୍‍ନିକ୍‍ କଥା କଣ ହେଲା ମନୋଜ ? ସିକ୍ସଥ ଇଅର ପିଲାମାନେ ନାହାନ୍ତି, ସେମାନେ ଆସିଗଲେ ପିକ୍‍ନିକରେ ମଜା ଆସିବନି । ସେଠି ଆମର ନିଜତ୍ଵ ରହିବନି ।

 

: ସାର କହିଲେ ୧୫ ଜଣ ଗଲେ କଣ ମଜା କରିବ ଆଇଦର୍ ଡ୍ରପ କର ଅର୍; ଆଉ ୧୫ ଜଣ ଯୋଗାଡ଼ କର ।

 

: Of course, it is a point...ସନ୍ତୋଷ କହିଲା ।

 

: ଅନର୍ସ ପିଲାଙ୍କୁ ନେଲେ ଚଳନ୍ତା ଯେ, ସେମାନେ ବହୁତ ହୋଇଯିବେ । ତମେ ତ ସେ କଥା ଭାବୁନ, ଭାବୁଛ ଖାଲି କେମିତି ଡ୍ରପ୍ କରିବ ।

 

: ଆରେ ଲୀନା ସେ କଥା ନୁହେଁ, ତୁମେ କୁହ କଣ କରାଯିବ । ପିଲାମାନେ କେହି ରାଜି ହେବେନି । ପଏଣ୍ଟ ଗୋଟିଏ—ଉପର କ୍ଳାସ ପିଲାଙ୍କ ସହ ଗଲେ ନିଜତ୍ଵ ରହିବନି । ମୁଁ ଫାଷ୍ଟ ଇଅରର ଜେନେରାଲ ଏକୋନୋମିକ୍ସ କ୍ଳାସର ପଚାରିଥିଲି, କାରଣ ମୁଁ ଜାଣିଥିଲି ସାର ଏ’କଥା ନିଶ୍ଚୟ କହିବେ ।

 

: କିନ୍ତୁ କଣ ହେଲା ?

 

: କଣ ଆଉ ହବ । ସେମାନେ ରାଜି ନୁହଁନ୍ତି । ଝିଅ ୨ । ୪ ଜଣ ରାଜି ଥିଲା ପରି ଲାଗିଲା, ତମେ କମନ୍ ରୁମରେ ପଚାରି । ନିଅ ୧୦ । ୧୨ ଜଣ ହୋଇଗଲେ ଚଳିଯିବ ।

ସନ୍ତୋଷ ଓ ଲୀନାର କଥାକୁ ଅନ୍ୟମନସ୍କ ଭାବରେ ଶୁଣି ଶୁଣି କ୍ଳାସ ପର୍ଯ୍ୟନ୍ତ ଯାଇଥିଲା ମନୋଜ ।

 

ମନୋଜ କ୍ଲାସରେ ମାଇଁଣ୍ଡଫୁଲି ପଢ଼ା ଶୁଣି ପାରୁ ନ ଥିଲା । ମନୋଜର ଏ ପ୍ରକାର ପରିବର୍ତ୍ତନ ମିଷ୍ଟର ମହାପାତ୍ରଙ୍କ ତୀକ୍ଷ୍ଣ ଦୃଷ୍ଟିକୁ ଏଡ଼ାଇ ପାରି ନ ଥିଲା । ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ପଢ଼ିବା ଅବସ୍ଥାରେ ତାକୁ ଲକ୍ଷ୍ୟ କରୁଥିଲେ ସେ । ମାତ୍ର ମନୋଜର ସେଥିପ୍ରତି ଭ୍ରୂକ୍ଷେପ ନଥିଲା । ତା ମନରେ ଭୀଷଣ ଦୁଃଖ । ବେଷ୍ଟ ଗ୍ରାଜୁଏଟ୍ ସିଲେକ୍ସନ୍ ପରେ ଓ ପୂର୍ବରୁ ନିଜର ପ୍ରକୃତି ସମ୍ବନ୍ଧରେ ସେ ବିଶ୍ଳେଷଣ କରୁଥିଲା । ବାସ୍ତବରେ ସେ ତ କୌଣସି ଦିନ ଗର୍ବ କରୁ ନଥିଲା ବା କରୁନି ମଧ୍ୟ । ତେବେ ତା ଭୁଲର ପଏଣ୍ଟଟା କେଉଁଠି ? କଣ ଭଲ ରେଜେଲ‍୍‍ଟ କରିବା ଅପରାଧ-? ମୁହଁକୁ ତଳକୁ କରି ବସିଥିଲା ସେ । ହଠାତ୍‍ ଲେକ‍ଚର ଡାକିଥିଲେ—‘ମନୋଜ’ । ମାତ୍ର ମନୋଜ ଶୁଣିପାରି ନଥିଲା ତାଙ୍କ ଡାକ । ଚମକି ଉଠିଲା ସନ୍ତୋଷ । ଏ ପର୍ଯ୍ୟନ୍ତ ସେ ଲକ୍ଷ୍ୟକରି ନଥିଲା ମନୋଜକୁ—ମନୋଜ ସାର୍ ଡାକୁଛନ୍ତି ପରା...

 

: ଏଁ, ଚମକି ଠିଆ ହୋଇଗଲା ମନୋଜ । ତା ମୁହଁରେ ଅନେକ ଦିନର ବ୍ୟସ୍ତତା ଚିନ୍ତା ଭାରି ରହିଥିଲା । ତାକୁ ଚାହିଁ ହସୁଥିଲେ l ଲେକଚର ମନୋଜ....

 

: ଇଏସ୍ ସାର୍...

 

: What happen to you ? ...why are you so much unmindful ?

 

: Sorry sir...

 

: Don’t bother...ପିଲାମାନେ କ୍ଲାସଟା ସସପେଣ୍ଡ କରିଦବା କଣ କହୁଛ, ମୋର ବି ଆଜି ପଢ଼ାଇବାରେ ଇଣ୍ଟରେଷ୍ଟ ନାହିଁ । ଗୁଡ଼୍ ଆପଟରନୁନ୍ । ଚାଲ, କମ୍ ଅନ ମନୋଜ...ମନୋଜକୁ ସାଙ୍ଗରେ ଡାକି ନେଲେ ସାଙ୍ଗରେ, ସନ୍ତୋଷ ମଧ୍ୟ ଥିଲା । ସେ ବୁଝାଉ ଥିଲେ ମନୋଜକୁ—

 

: ମନୋଜ, ତମେ ଭାବନା ତମ ବାପାଙ୍କ ସହ ଫ୍ରେଣ୍ଡସିପ୍ ଅଛି ବୋଲି ମୁଁ ତମ ପ୍ରତି ଏତେ ସଜାଗ ଦୃଷ୍ଟି ରଖିଛି । ତମେ ଆଟ୍‍ଲିଷ୍ଟ ଏତିକି ମନେରଖ ମନୋଜ, ତୁମକୁ କଲେଜର ନାଁ ରଖିବାକୁ ପଡ଼ିବ । ଫାଷ୍ଟରୁ ଅନମାଇଁଣ୍ଡଫୁଲ ହେଲେ କଣ ହବ ତମର ? Manoj Please make up your mind. I hope you will be...

 

: ଇଏସ୍ ସାର୍...ସାମାନ୍ୟ ହସି ଉତ୍ତର ଦେଲା ମନୋଜ ।

 

ସାର୍ ଚାଲିଗଲେ । ସନ୍ତୋଷ ବୁଝାଇ ଥିଲା, ମାତ୍ର ନିଜ ମସ୍ତିସ୍କକୁ ଠିକ୍ କରି ପାରୁ ନଥିଲା ମନୋଜ । ବୋଉ ବ୍ୟସ୍ତ ହୋଇ ଉଠିଲେ ସେ ଦିନ ତା’ ପାଇଁ, ମାତ୍ର କିଛିର ଫଳ ନାହିଁ । ସର୍ବଶେଷରେ ବୋଉଙ୍କୁ ସବୁ ଖୋଲି କହିଥିଲା । ବୋଉ ସାମାନ୍ୟ ହସିଥିଲେ—ଆରେ ପାଗଳା, ତା ମାନେ କଣ ସେ କଥା, ସେ କାହିଁକି ତତେ ଗର୍ବ କରିବା କଥା କହିବ । ହୁଏତ ସେ ତତେ ଜାଣେ, ଏଣୁ ତତେ ହିଂସା କରୁଥିବ; ତା ନ ହେଲେ ସୁନ୍ଦର ଝିଅ ହୋଇଥିବ ତୁ ତାକୁ ଦେଖିବୁ ବୋଲି ଏମିତି କହିଥିବ ।

 

: ହଁ ସେ କଥା ହୋଇଥିବ । ବୋଉ କୋଳରେ ମୁଣ୍ଡ ରଖି ଶୋଇ କିଛି ସମୟ ଭାବି ଉତ୍ତର ଦେଲା । ତାର ଚିନ୍ତା ଉପଶମ ହୋଇଗଲା । ବୋଉ ପୁଣି କହୁଥିଲେ—

 

: ଝିଅ ଗୁଡ଼ାକ ସେମିତିରେ ବାପା, ତାଙ୍କୁ ତ ଆଉ କିଛି ଜଣା ନାହିଁ ? ତାଙ୍କ ମନର ଗଭୀର କୋଣରୁ କଥାଗୁଡ଼ା ଭାସି ଆସୁଥିଲା । ‘ହଁ’ ତୁ ସେମିତି ଭୁଲ କରିବୁନିଟି, ମୋର ତ ତୁ ଏକମାତ୍ର ଆଶା ।

 

ସେ ଦିନ ରାତିକୁ ମାମି ଆଖିରେ ମଧ୍ୟ ନିଦ ନଥିଲା । ତାର କଥାଗୁଡ଼ା କହିବା ଉଚିତ୍ ହୋଇନି । କଣ ଭାବିଥିବେ ସେ କେଜାଣେ । ମନୋଜର ଶାନ୍ତ ସରଳ ମୁହଁଟା ବାରମ୍ଵାର ତା ଆଖି ଆଗରେ ଭାସି ଯାଉଥିଲା । ଏତେ ଶାନ୍ତ ସରଳ ଭାବରେ ଦୁନିଆଁକୁ ଚାହିଁଲେ ଦୁନିଆ କଣ ତାକୁ ତିଷ୍ଠି ରହିବାକୁ ଦେବ ? ତାଙ୍କ ମାନଙ୍କ ପରି ଆଜିର ଯୁବକମାନଙ୍କ ପାଖରୁ କି ପ୍ରକାର ଭବିଷ୍ୟତ ଆଶା କରୁଥିବ ଏ ଦୁନିଆଁ ? ଏ ଦୁନିଆଁ ଭୀଷଣ ଜଟିଳ । ମନୋଜ ପାଇଁ ଭୀଷଣ ଦୁଃଖ ଲାଗୁଥିଲା ତାକୁ । ତାକୁ କିଛି ଆକ୍ଷେପ କରିବାଟା ଅପରାଧ । ସେ ଅପରାଧର ଯନ୍ତ୍ରଣା ମାମି ମନର ବ୍ୟସ୍ତତା ବଢ଼ାଇ ଦେଉଥିଲା ।

 

ପରଦିନ ବୋଉ କଥାର ଯଥାର୍ଥତା ବୁଝିବା ପାଇଁ ମନୋଜର ଆଖି ଦି’ଟା ମାମିକୁ ଖୋଜୁଥିଲା । ମାତ୍ର ମାମି ଯଥା ସମ୍ଭବ ତାଠାରୁ ଲୁଚି ରହିବାକୁ ଚେଷ୍ଟା କରୁଥିଲା । ମାମିକୁ କଲେଜରେ ଛାଡ଼ି ଫେରିବା ସମୟରେ ମନୋଜକୁ ଦେଖି ପାଟି କରି ଉଠିଲା ମିତା—ମନୁ ଭାଇ......ସ୍କୁଟର ଅଟକାଇ ଦେଲା ମନୋଜ—ଆରେ ମିତୁ ତମେ.....ସେମାନେ କିଛି ସମୟ କଥାବାର୍ତ୍ତା ହୋଇଥିଲେ, ସେ ସମୟରେ ସେମାନଙ୍କ ପାଖ ଦେଇ ଗୀତା ଯାଇଥିଲା; ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା କାରଣ ସେ ମିତାକୁ ଜାଣେ । ତାଙ୍କରି ଘର ପାଖରେ ଗୀତାର ଘର, କିନ୍ତୁ ସେଦିନ ଘରେ ନ ଥିବାରୁ ୧୫ ମିନିଟ୍ ଲେଟରେ ସେ କଲେଜରେ ପହଞ୍ଚିଥିଲା । ରିସେସରେ ସେ ମାମିକୁ ପଚାରୁଥିଲା—ମାମି, ମିତା କେମିତି ମନୋଜକୁ ଚିହ୍ନିଲା କିଲୋ,

 

: ସେ କଥା ପକାନି ପ୍ଲିଜ୍......

 

: କଣ ପକାଇବିନି ମ, ମୁଁ ପରା ଦେଖିଛି, କେତେ ଗପ ହୋଇଛନ୍ତି ସେମାନେ ।

 

: ତୁ କଣ ମିତାକୁ ଜାଣୁ ନା, ଯାହାକୁ ନା ତାକୁ ଡାକି ଫ୍ରେଣ୍ଡସିପ୍ କରି ନବ ।

 

: ଇମ୍ପଶିବୁଲ୍ ବାହାର ଅଜଣା ଲୋକ ସହ ଏତେ ଇଣ୍ଟିମେସି ?

 

: ତୋ ପାଇଁ କଣ ପସିବୁଲ ମୁଁ କେମିତି ଜାଣିବି ? ଏଇ ଶୁଣ ଲୀନା ଅପା କଣ ସବୁ କହୁଛନ୍ତି ।

 

ରିସେସ୍ ଥିଲା । ସବୁ ପିଲାମାନେ ଏକାଠି ଥିଲେ । ଫାଷ୍ଟ ଇୟର ଇକୋନୋମିକ୍ସ ପିଲାଙ୍କୁ ଡାକି ଲୀନା ପିକ୍‍ନିକ୍‍ କଥା କହୁଥିଲା । ଗୀତା ଉଚ୍ଛନ୍ନ ହୋଇ ଉଠୁଥିଲା । ମାମି ତାକୁ ଅଟକାଇ ରଖିଥିଲା—

 

: ରହିଥା ! ଏଠିକି କଣ ଶୁଭୁନି ? ଆରେ ଏତେ ବ୍ୟସ୍ତ କଣ ହଉଛୁ ? ମାତ୍ର ଅଟକି ପାରି ନଥିଲା ଗୀତା ସେ ପାଟି କରି ଉଠିଥିଲା—“ଲୀନା ଅପା ଆମେ ଦି’ ଜଣ ଅଛୁ” । ଲୀନା ହସି ଦେଇ ଚାହିଁଲା ତାକୁ ତା ପରେ ତାଙ୍କ ପାଖକୁ ମଧ୍ୟ ଆସିଲା । ମାମି ଗୀତାକୁ ପିଟି ଦେଇଥିବାର ମଧ୍ୟ ସେ ଦେଖିଛି, ମାମି କହିଥିଲା—‘‘ତୁ ଏମିତି କଣ ହଉଛୁ କହିଲୁ ଏତେ ଚଞ୍ଚଳତା ଭଲ ନୁହେଁ-।’’

 

କିଛି ସମୟ ପରେ ଲୀନା ପାଖରୁ ଭିଡ଼ କମିଗଲା । ସେମାନଙ୍କ ଦିଗରେ ଲୀନାକୁ ଆସୁଥିବାର ଦେଖି ଦୁଇଜଣ ଯାକ ଉଠିଗଲେ । ମାମିକୁ ଲୀନା ପ୍ରଶ୍ନ କଲା ।

 

: ତମର କଣ ଆକ୍ଚୁଆଲି ଇଣ୍ଟରେଷ୍ଟ ନାହିଁ ? ଫିପଥ୍ ଇଅର ପିଲାଙ୍କ ସହ ଯିବାକୁ ତ କେହି ବି ରାଜି ନୁହଁନ୍ତି, ହୁଏତ......ହସି ହସି କହୁଥିବା ଲୀନା କଥା ମଝିରୁ ମାମି କହି ଉଠିଲା—ଆରେ ଲୀନା ଅପା ସେ କଥା କିଏ କହିଲା । ଷ୍ଟୁଡ଼େଣ୍ଟ ଲାଇଫରେ ତ କେବଳ ଏମିତି ଚାନସ ମିଳେ । ମୋର କହିବା କଥା କଣଟି—ପିଲାମାନେ ତାଙ୍କୁ ଘେରି କରି ଅଛନ୍ତି, କଥାଟା ଶୁଣିଥିଲେ ପରେ କହିଥିଲେ କଣ ଚଳି ନଥାନ୍ତା ? ମାମି ପ୍ରଶ୍ନରେ ଲୀନା ହସି ଦେଲା, ମାତ୍ର ମୁହଁ ଫୁଲାଇ ଗୀତା କହିଲା—ହେଲା ବାବା ! ମୋର ଭୁଲ ହୋଇଛି । ମୁଁ ଭାବିଲି କାଳେ ସିଟ୍ ଫିଲ୍ ଅପ୍ ହୋଇଯିବ ।

 

: ଓଃ ସେ କଥାତ ମତେ କହି ପାରିଥାନ୍ତୁ । ତାଛଡ଼ା ତୋର ଯଦି ଏତେ ଇନ୍ଟେରେଷ୍ଟ ଆମେ ଘରୁ ଅନ୍ୟ ଗାଡ଼ିରେ ଯାଇଥାନ୍ତେ ସେଠିକୁ ପିକ୍‍ନିକ୍‍ କରି । ସେମାନଙ୍କ ଯୁକ୍ତି ଶୁଣି ହସି ଦେଇଥିଲା ଲୀନା । ନାଁ ଲେଖିବା ପରେ ସେ ମାମିକୁ ଚାହିଁ କହିଲା—“ମାମି ତମକୁ ବଡ଼ ଭଉଣୀ ହିସାବରେ ଗୋଟେ କଥା କହିବି, ଆଶା କରେ ମାଇଣ୍ଡ କରିବନି ।”

 

: ଆରେ ବଡ଼ ଭଉଣୀ ହେବା ପରେ ଏମିତି ଫର୍ମାଲିଟି ମେଣ୍ଟେନ୍‍ କରିବା କଣ ଦରକାର । କୁହନା, କଣ କହିବାର ଅଛି । ହସିଦେଇ ମାମି ପ୍ରଶ୍ନ କଲା ।

 

: କାଲି ମନୋଜ ସହ ତମର ଡିପାର୍ଟମେଣ୍ଟ ସାମ୍ନାରେ ଦେଖା ହୋଇଥିଲା....

 

: ଦେଖା ନୁହେଁ ଲୀନା ଅପା, ସ୍ଲାଇଟ୍ ଧକ୍କା ହୋଇଯାଇଥିଲା ।

 

: ତମେ ଭାରି ସ୍ପଷ୍ଟବାଦୀ ସତରେ । ମାମି, କାଲି ଘଟଣା ପରେ ମନୋଜ ଏତେ ଦୂର ଅନମାଇଣ୍ଡଫୁଲ ରହିଲା ଯେ, ମିଷ୍ଟର ମହାପାତ୍ର ବାଧ୍ୟ ହୋଇ କ୍ଳାସ ସସପେଣ୍ଡ କଲେ । କାଲି ବିଚରା ମନରେ ଭୀଷଣ ଆଘାତ ହୋଇଛି....

 

: ସେଥିପାଇଁ ମୁଁ ବହୁତ ଦୁଃଖିତ ଲୀନା ଅପା, କିନ୍ତୁ....

 

: ହଁ ମାମି, ତମେ ନିଶ୍ଚୟ କରିବ ତାର ଭୁଲ୍ ଥିଲା । ରିଏଲି ସେ କିଛି ବି ଜାଣି ନଥିଲା ଘଟଣାଟା ଏମିତି ସଡ଼ର୍ଣ୍ଣିଲି ହୋଇଗଲା... । ଛାଡ଼, ମାମି ସେ ବହୁତ ସେନସିଟିଭ ପିଲା । ସାମାନ୍ୟ କଥାରେ ଗୁରୁତ୍ଵ ଦେଇ ଭାବିବା ତାଙ୍କର ପ୍ରକୃତି । ଏମିତି ନ ହୋଇ ଯାଉ କି ତମର ସାମାନ୍ୟ କଥାର ପ୍ରଭାବ ପଡ଼ିଲେ, ସେ ତାଙ୍କର ପୋଜିସନ ହରାଇ ବସିବେ । ମୁଁ ତାଙ୍କୁ ବହୁତ ବଡ଼ ଭାବରେ ଦେଖିବାକୁ ଚାହେଁ ମାମି, ପ୍ଳିଜ୍ ଫର୍ ମାଇସେକ ଏକସ୍କ୍ୟୁଉଜ୍ ହିମ୍ ?’ ଅଧିକ ଭାବୁକ ହୋଇ ଉଠୁଥିଲା ଲୀନା । କମନ ରୁମ୍‍ରୁ ପିଲା ଗହଳି କମି ଯାଉଥିଲା । ଗୀତା ନୀରବରେ ଚାହିଁଥିଲା ସେମାନଙ୍କୁ । ମାମି ମୁହଁରେ କୃତ୍ରିମ ହଲକା ହସ ଖେଳିଗଲା । ମନ ତାର କହି ଦବାକୁ ଚାହୁଁଥିଲା—‘ଲୀନା ଅପା ମନୋଜର ଉନ୍ନତିପାଇଁ ମୋ ଆଶାର ମିନାର ଠାରୁ କଣ ତମର ଆଶାର ମିନାର ଅଧିକ ଉଚ୍ଚରେ..... ।’ ମାତ୍ର ସେ ପାରିଲାନି, ମନ କଥା ତାର ମନରେ ରହିଗଲା । ହସିଦେଇ ସେ କହିଥିଲା—ଆଚ୍ଛା ମୋ କଥାଟା ଯଦି ତାଙ୍କ ଫେଲିଏରର କାରଣ ହୁଏ ତେବେ ମୋ କଥା ମୁଁ ଫେରାଇ ନେଉଛି ଲୀନା ଅପା । ସୁବିଧା ଦେଖି କ୍ଷମା ମଧ୍ୟ ମାଗି ନେବି ।

 

ସେ ଦିନର କଥା ସେଇଠାରେ ସମାପ୍ତ ହେଲା । ପିକ୍‍ନିକ୍‍ ଯିବାର ଠିକ୍ ମଧ୍ୟ ହୋଇଗଲା । ମନୋଜ ସହିତ ମାମି ଦେଖାକରି ନଥିଲା, ମାତ୍ର ଲୀନା କଥାରେ କ୍ଷୀଣ ବିଶ୍ୱାସ ଜନ୍ମି ଯାଇଥିଲା ମନୋଜ ମନରେ; କାରଣ ଭଲ ପାଇବାର ଅନ୍ୟ ନାମ ତ ବିଶ୍ୱାସ କରିବା । ଘରକୁ ଫେରିବା ସମୟରେ ଦୂରରୁ ମନୋଜକୁ ଆସୁଥିବାର ଦେଖି ଗୀତା କହିଥିଲା—ହେଇଲୋ ମାମି ମନୋଜ ଆସୁଛି । ମାତ୍ର ଗୀତା କଥା ଶୁଣି ନଶୁଣିଲା ପରି ମାମି ରିକ୍ସାରେ ଉଠିଗଲା ଆଉ ମନୋଜ ସେମାନଙ୍କ ପାଖଦେଇ ଚାଲିଗଲା; ହୁଏତ ସେ ଜାଣିପାରିନି ଯେ ମାମି ତାକୁ ଦେଖି ନ ଦେଖିବାର ଅଭିନୟ କରୁଛି ବୋଲି । ଅଗତ୍ୟା ମାମି ପଛରେ ରିକ୍ସାକୁ ଉଠିଯାଇ ଗୀତା କହିଲା—ମାମି, ତୁ ପରା ମନୋଜକୁ କ୍ଷମା ମାଗିବୁ ବୋଲି କହୁଥିଲୁ ?

 

: ହଁ କିନ୍ତୁ ବର୍ତ୍ତମାନ ନୁହେଁ ।

 

: କାହିଁକି କଣ ହୋଇଥା’ନ୍ତା କି ?

 

: ତୁ ସେ ଟପିକ୍ ଉପରେ ଏତେ ଇଣ୍ଟରେଷ୍ଟେଡ଼୍ କାହିଁକି କହିଲୁ ?

 

: ନା ସେମିତି କିଛି ନୁହେଁ ତଥାପି..... ।

 

: ତଥାପି କଣ ଗୀତା ଅଟକି ଗଲୁ କାହିଁକି ? ଏଇ କଥା ନା ମନୋଜର ନିରୀହପଣ ଦେଖି ତତେ କଷ୍ଟ ଲାଗେ, ଆଉ ମନୋଜର ଫେଲିଏର ତୁ ସହିପାରିବୁନି ?

 

: ରିଏଲି୍ ! ତୁ ଠିକ୍ କହିଛୁ, ମନୋଜର ଫେଲିଏର ତୁ କଣ ସହିତୋ ମନ କଣ ଏତିକି ସ୍ଵୀକାର କରିପାରୁନି ଯେ ସେ ଦିନେ କେବଳ ଆମ କଲେଜର ଗର୍ବ ଓ ଗୌରବ ନୁହେଁ ଓଡ଼ିଶାର ମଧ୍ୟ ଗୌରବ ହୋଇପାରିବ ?

 

: ଗୀତା, ତୁ ଅବଶ୍ୟ ଠିକ୍ କହିଛୁ; କିନ୍ତୁ ମୋକଥା ଭିନ୍ନ ତୁ ଏତେ ଆଗ୍ରହୀ ଯେତେବେଳେ ଶୁଣ ମୁଁ ତତେ କହିଦେବି । କିନ୍ତୁ ତତେ ଭଗବାନଙ୍କ ରାଣ ତୁ ଏକଥା କାହାକୁ କହିବୁନି, ପ୍ରତିରୋଧ କରିବୁନି, ଖାଲି ଶୁଣିବୁ ଆଉ ଚୁପ୍ ରହିବୁ ।

 

: କାହିଁକି ସେ ବିଶ୍ୱାସ କଣ ତୋର ଏପର୍ଯ୍ୟନ୍ତ ହୋଇନି ?

 

: କିଏ କହିଲା ? ନ ହୋଇଥିଲେ ମୁଁ ଏତେ ବଡ଼ ଷ୍ଟେପ ଉଠାଇବାକୁ ଯାଇ ନଥାନ୍ତି । ମନୋଜ—ହେଲେ ବାପାଙ୍କ ସାଙ୍ଗର ପୁଅ ଆଉ ମୁଁ......ବହୁ ଦିନରୁ ହୋଇଯାଇଛି ତାଙ୍କର.....ବାଗ୍‍ଦତ୍ତା..... ।

 

: ମାମି...ତୁ ଏ କଣ କହୁଛୁ ? ଲୀନା ଅପା ଆଉ ମନୋଜକୁ ନେଇ... ।

 

: ମୁଁ ସବୁ ଶୁଣିଛି ତେବେ ବି ନୀରବ । ମୁଁ ଜାଣେ ମୋ ଜୀବନର ଗତି କେଉଁ ଦିଗକୁ । ମନୋଜ ଯେ ଲୀନା ଅପା ପାଇଁ ମରୀଚିକା ଏ କଥା କିନ୍ତୁ ନିରାଟ ସତ୍ୟ.... ।

 

: କିନ୍ତୁ ମାମି ବର୍ତ୍ତମାନ ତ କିଛି କରାଯାଇପାରେ ।

 

: ନା, ହୋଇ ପାରିବନି । ମନୋଜ ତା ବାପା ମାଙ୍କ ବିରୁଦ୍ଧରେ ଯାଇପାରିବନି । ମୁଁ ଯଦି ନେବି ଦୁନିଆଁ ମତେ କଣ କହିବ ? ଯେତେ ହେଲେ ମୁଁ ଝିଅ ପିଲା । ତାଛଡ଼ା ମୁଁ ଜାଣେ ବାପା ବୋଉ ଜାଣି ଶୁଣି ସବୁ କରିଛନ୍ତି । କେବଳ ସେମାନଙ୍କ ବନ୍ଧୁତ୍ୱ ରହିବା ଏହାର ମୁଖ୍ୟ କାରଣ ନୁହେଁ, ବଂଶରକ୍ଷା ହିଁ ମୁଖ୍ୟ କାରଣ । ଛାଡ଼ ବାଜେ କଥା.... ।

 

: ବାଜେ କଥା, ତୁ ଏକଥାକୁ ବାଜେ କଥା ବୋଲି କହିପାରିଛୁ ? ତୁ ଯଦି ଜାଣିଛୁ, ତେବେ ମନୋଜ ନିଶ୍ଚୟ ଜାଣିଥିବ.... ।

 

: ନା, ଏକଥା ଜାଣିଥିଲେ ମନୋଜ କଦାପି ଏମିତି ଭୁଲ କରି ନଥାନ୍ତା । ମନୋଜକୁ କିଛି ବି ଜଣାନାହିଁ । ସେ ଖାଲି ମୋ ଉପରେ ରାଗି ଜାଣେ, ନଖାଇ ରୁଷି ଜାଣେ ବାପା, ସାମ୍ନାରେ ଠିଆ ହବାର ସାହସ ତାର ନାହିଁ । ମନୋଜ ସତରେ ଭାରି ନିରୀହ । ରେଜଲ୍‍ଟ ବାହାରିବା ପୂର୍ବଦିନରୁ ଘରେ କବାଟ ବନ୍ଦକରି ବସିଥିଲା...

 

: ତୁ କଥାର ମୋଡ଼ ଚେଞ୍ଜ୍ କରି ଦଉଛୁ କାହିଁକି ?

 

: କଣ ଆଉ କରିବି କହ ସେ ତ ମୋର ଭାଗ୍ୟ । ମୋ ବାପା ବୋଉଙ୍କର ନୁହେଁ, ମନୋଜ ବାପା ମାଙ୍କର କି ଆଶା ଆଉ ଭରସା । ଛାଡ଼ ସେ କଥା ପିକ୍‍ନିକ୍‍ କଥା କହିଲୁ କଣ ମୁଁ ମାଉସୀଙ୍କୁ କହିବାକୁ ପଡ଼ିବ ?

 

: ନା ମ ତୁ ଯାଉଛୁ ଜାଣିଲେ ବୋଉ ରାଜି ହୋଇଯିବ ଯେ ।

 

ମନୋଜ ବୋଉ ପଛରେ ଲାଗିଥିଲା । ବାସନ୍ତୀ ଦେବି ରାଗୁଥିଲେ ତାକୁ ବୁଝାଉଥିଲେ ମଧ୍ୟ । ‘ବାପ ମନଦୁଃଖ କରୁଛନ୍ତି । ତୋର ଅନ୍ତତଃପକ୍ଷେ ବାପାକୁ କହିଯିବା କଥା, ମାତ୍ର କାହିଁ ତୁ ତ ଦିନେ ତାଙ୍କୁ କିଛି କହିଲୁନି ।’ ମାତ୍ର ବୋଉ କଥାରେ ମନୋଜ ଯୁକ୍ତି କରୁଥିଲା—ତୁ କହିଦେଲେ କଣ ହବନି । ବୋଉ ପ୍ଲିଜ୍ । ଜାଣୁ ନା ସମସ୍ତେ ଯାଉଛନ୍ତି, ସମସ୍ତେ କଣ ଆଉ ବାପାଙ୍କୁ କହୁଛନ୍ତି ? ସମସ୍ତେ ପରା ବୋଉମାନଙ୍କୁ କହନ୍ତି ।

 

: ଆଚ୍ଛା ତୁ ବାପାଙ୍କୁ କହିବୁନି କାହିଁକି ?

 

: ମତେ ଡର ଲାଗିବ ।

 

: କିରେ ବାପାକୁ କିଏ ଏତେ ଡରେ । ତୋ ଛଡ଼ା ଆଉ କିଏ ଅଛି ତାଙ୍କୁ କିଛି ଅଳି କରିବାକୁ । ସେ ମନଦୁଃଖ କରିବେନି ।

 

: ସେକଥା କହନି ସିଧା ତ ମନା କରିଦେବୁ, ତୋର ଗୋଟିଏ ପୁଅ କାଳେ କଣ ହୋଇଯିବ ନହେଲେ ନାହିଁ । ମୁହଁ ବୁଲାଇ ମନୋଜ ବସିଲା ।

 

: ତୁ ଆଉ କଣ ଜାଣିଛୁ ରୁଷିବା ଛଡ଼ା ଏଁ । ଆରେ ସେ ଝିଅକୁ ଆଉ ଦେଖିଥିଲୁ ? ତା’ ନା’ ଟା କଣ ଜାଣିଛୁ ?

 

: ନା ମ ଏତେ କଥା ମୋର କିଏ ବୁଝୁଛି କ୍ଷମା ମାଗି ନେଇଛି ଅନ୍ୟ ପିଲା ହାତରେ । ଆଚ୍ଛା ତୁ ସେ କଥାକୁ ପକାଇ ମୋ କଥା......

 

: ତୁ ଯିବୁରେ ତତେ କିଏ ମନା କରୁଛି । ସାବଧାନ ରହିବୁ; କିନ୍ତୁ ସବୁ ଝିଅଙ୍କୁ ମନେ ରଖିଥା । ହସିଦେଇ ମନୋଜ ଟିକେ ଗେହ୍ଲା ହୋଇଥିଲା ବୋଉ ପାଖରେ ।

 

ସେଦିନ ଥିଲା ରବିବାର । ପିକ୍‍ନିକ୍‍ ଯିବାକୁ ଠିକ୍‍ ହୋଇଥିଲା ଦିନଟା । ଅପାତ କୋଣାର୍କ ବୁଲିଯିବାକଥା ସମସ୍ତେ ଜାଣିଥିଲେ । ମିତା ବିଜୟବାବୁଙ୍କୁ ଲଗେଇଥିଲା—‘ଆମେ କେବେ କୋଣାର୍କ ଯିବା ବାପା ?’ ହସିଦେଇ ବିଜୟ ବାବୁ ଉତ୍ତର ଦେଉଥିଲେ, ‘ଅପା କଲେଜରୁ ଯାଉଛି, ମୁଁ ବି କଲେଜରୁ ଯାଇଥିଲି, ତମେ ବି କଲେଜରୁ ଯିବ ।’ ମିତା ରାଗ ଦେଖି ବିଜୟ ବାବୁ କହିଥିଲେ—“ତମେ ଯାଅନା ଦେଖି ଆସିବ, ଅପାମାନେ କେମିତି ଯାଉଛନ୍ତି, ତାପରେ ଗୋଟେ ରବିବାର ଠିକ୍ କରି ଆମେ ବି ଯିବା ଅପାକୁ ନବାନି ।” ଘୋଡ଼େଇହେଲା କାଢ଼ି ଉଠିପଡ଼ିଥିବା ମିତା କହିଲା—“ନା ଅପା ବି ଆମସହ ଯିବ ।” “ହଁ ହଁ ଅପା ଯିବ”—ମିତାକୁ କଥାରେ ସମ୍ମତି ଜଣାଇ ତାକୁ ବିଦାୟ କରି ଶୋଇବାର ଚେଷ୍ଟା କରୁଥିଲେ ବିଜୟବାବୁ । ମିତାକୁ ଥଣ୍ଡାରେ ନବାର ଉଦ୍ଦେଶ୍ୟ ଯଦିଓ ମାମିର ନଥିଲା ତେବେ ବି ତା ମନରେ କଷ୍ଟଦେଇ ତାକୁ ଅଟକାଇବାକୁ ମଧ୍ୟ ଚାହିଁନଥିଲା । ଗୀତା ଘରୁ ଗୀତାକୁ ନେଇ ମାମି କଲେଜକୁ ଚାଲିଗଲା । ନିର୍ଦ୍ଧିଷ୍ଟ ସମୟର ଅଳ୍ପ ସମୟ ପୂର୍ବରୁ ସେମାନେ ପହଞ୍ଚିଲେ । ଅବଶ୍ୟ ବହୁତ ପିଲା ପହଞ୍ଚି ଯାଇଥିଲେ । ଗାଡ଼ି ଭିତରୁ ମନୋଜକୁ ଦେଖି ବାହାରି ଆସିଲା ମିତା । ସନ୍ତୋଷ ମିତାକୁ ଦେଖି ହସିଦେଇ କହିଥିଲା—ହାଓ ଆର୍ ୟୁ ମିସ୍ ମିତା-

 

: ଆଇ ଆମ ଭେରି ୱେଲ୍ । ଓଃ ମିଛୁଆ ଭାଇ ଭାବନା ମୁଁ ଇଂଲିଶ ପଢ଼ିନି କ୍ଲାସ ଫୋର୍‌ ହୋଇଗଲା ବୋଲି । ମନେ ନାହିଁକି ମାମି ଅପା ମୋ ମାଷ୍ଟର ବୋଲି । ହସିଦେଲେ ମନୋଜ ଓ ସନ୍ତୋଷ । ବାପି ମଧ୍ୟ ଗାଡ଼ିରୁ ଓହ୍ଲାଇ ଆସିଲା । ଗୋପାଳ ବସିଥିଲା ଗାଡ଼ିରେ । ବାପି ନମସ୍କାର କଲା ମନୋଜକୁ ସନ୍ତୋଷକୁ ମଧ୍ୟ—‘ଭାଇ ତମକୁ ଯେଉଁ ମିଛୁଆ ଭାଇଙ୍କ କଥା କହୁନଥିଲି ଏଇ ହେଲେ ସିଏ’—ସନ୍ତୋଷକୁ ଦେଖାଇ ମିତା କହିଲା । ବାପି ତାକୁ ଧମକେଇ ଦେଲା ।

 

: “ଅପାକୁ କହିବି ଏମିତି ଅଭଦ୍ରଙ୍କ ପରି କଥାବାର୍ତ୍ତା କରୁଛୁ ?” ଗାଡ଼ିରୁ ମାମି ଓ ଗୀତା ଉଭୟ ବାହାରିଥିଲେ ତେଣୁକରି କିଏ ସେମାନଙ୍କ ଭଉଣୀ ସେକଥା କେହି ଅନୁମାନ କରି ନଥିଲେ-। ଗୀତା ଗାଡ଼ିକୁ ଚଢ଼ିଗଲା । ମାମି ବାପିକୁ ଡାକିଲା ନ ଶୁଣିଲା ପରି ବାପି ଠିଆ ହୋଇ ମନୋଜ ସହ ଗପୁଥିଲା । ବାଧ୍ୟହୋଇ ଗାଡ଼ିକୁ ଉଠିଯାଉଥିଲା ମାମି, ମାତ୍ର ଡାକିଲା ମିତା—“ଅପା ତୁ କ୍ୟାମେରା ନବୁନି କି ?” ମିତା ଡାକରେ ଫେରିଆସିଲା ମାମି ଗୀତା ଗାଡ଼ିରୁ ଚାହିଁଥିଲା । କ୍ୟାମେରା ଆଣିବା ସମୟରେ ମାମି କହିଲା—

 

: ‘ଶୀଘ୍ର ଘରେ ଯେମିତି ପହଞ୍ଚିଯାଅ ।’ ଉତ୍ତରରେ ବାପି ଖାଲି ହସିଥିଲା । ମନୋଜ ଏକରକମ ବୋକାଙ୍କ ପରି ମାମିକୁ ଅନାଇଥିଲା । ମିତା କହିଲା—

 

: ମନୁ ଭାଇ ଏଇ ମୋ ଅପା ମାନେ ମାମି ଅପା, ଅପା ମ ତୁ କଣ ମନୁ ଭାଇଙ୍କୁ ଜାଣିନୁ ? ସେ ସିନା ତତେ ଜାଣି ନଥିଲେ । ଦାନ୍ତ କାମୁଡ଼ି ମନୋଜକୁ ହାତ ଉଠାଇ ନମସ୍କାର କଲା ମାମି । ମନୋଜ ହସିଦେଇ କହିଲା—“ବାଃ ବାଃ ତମେ ଏଇ ଅପାଙ୍କର ଏତେ ପ୍ରଶଂସା କରୁଥିଲ ?”

 

: କାହିଁକି ମୋ ଅପା କଣ ପ୍ରଶଂସା ପାଇବା ଯୋଗ୍ୟ ନୁହେଁ କି ?

 

: ଜମାରୁ ନୁହେଁ । ମିତା ତମ ଅପାଙ୍କର ତ ତମଠୁ କିଛି ଶିକ୍ଷା କରିବାର ଅଛି ।

 

: ‘ଦୁନିଆଁରେ ସମସ୍ତଙ୍କର ସମସ୍ତଙ୍କ ଠାରୁ କିଛି ନା କିଛି ଶିକ୍ଷା କରିବାର ଥାଏ ।’ ମାମି କଥାରେ ମନୋଜ ଚୁପ୍ ହୋଇ ତାକୁ ଚାହିଁଥିଲା । ବାପି ହସି ଦେଇ କହିଲା—

 

: ମନୁ ଭାଇ ଅପାତ ଆମ ମାଷ୍ଟର । ସେ ଆମଠୁ କଣ ଶିକ୍ଷା କରିବ । ପାର ଯଦି ତମେ କିଛି ଶିକ୍ଷା ଦିଅନା ।

 

: ଆରେ ବାପ ! ସେ କଥା କୁହନା ଅପା କଥା ଶୁଣିଲେ ତ ଭାଇଙ୍କ ପାଟି ବନ୍ଦ ଆଉ ସେ ଅପାକୁ କଣ ଶିକ୍ଷା ଦେବେ ? ସନ୍ତୋଷର ପ୍ରଶ୍ନ ।

 

: ସନ୍ତୋଷ ଭାଇ ତମେ ତମ ଫ୍ରେଣ୍ଡର ସପୋର୍ଟ ନେଇ କୁହ ତ ମୁଁ କଣ କିଛି ମିଛ କହିଛି ? ତା ଛଡ଼ା ସେଦିନର ଇନ୍‍ସିଡ଼େଣ୍ଟ ପରେ ଯାହା ଘଟିଲା ମୁଁ ଲୀନା ଅପାଙ୍କଠୁ ଶୁଣିଛି । ସେ ଯାହା ହଉନା କାହିଁକି ସନ୍ତୋଷ ଭାଇ ମୁଁ ଜାଣେ ମୋ କଥାର ସତ୍ୟତା କେତେ ସେଥିପାଇଁ ଅନ୍ୟର କ୍ଷତି ହେଲେ ମୁଁ ବହୁତ ଦୁଃଖିତ ।

 

: ଅପା ତୁ ରାଗିଲୁ କି ? ମିତାର ପ୍ରଶ୍ନ ।

 

: କାହିଁକି କଣ ହେଲା କି ମୋର, ମୁଁ ରାଗିବି କାହିଁକି ? ତୋ ମନୁ ଭାଇଙ୍କୁ ମୋ କଥା ଭଲ ଲାଗୁନି, ଠିକ୍ ଅଛି ତୁ ଆଉ କେବେ ବି ମୋ କଥା କହିବୁନି ପ୍ରୋମିଜ୍—

 

: ପ୍ରୋମିଜ୍ ହାତ ମିଳାଇଲା ମିତା ।

 

: ଘରେ ଦୁଷ୍ଟାମୀ ବନ୍ଦ ବାପାଙ୍କୁ ହଇରାଣ କରିବୁନି । ବାପି ଯା’ ଭାରି ଶୀଘ୍ର, ବାପା ବ୍ୟସ୍ତ ହଉଥିବେ ।

 

: ହଁ, ଏଇତ ଆମେ ଗଲୁ ଆସୁଛୁ ମନୁ ଭାଇ ପୁଣି ଇଭିନିଙ୍ଗରେ ଦେଖା ହବ । ହଁ ଅପା କେତେବେଳକୁ ଫେରିବୁ । ସନ୍ତୋଷ ମୁହଁକୁ ଚାହିଁ ମାମି କହିଲା—ସନ୍ତୋଷ ଭାଇଙ୍କଠୁ ବୁଝିନେ । ଗୁଡ଼୍ ବାଏ ହସି ହସି ଗାଡ଼ିକୁ ଚାଲିଗଲା ମାମି । ସନ୍ତୋଷ ବାପିକୁ କହିଲା—“ସାଢ଼େ ଆଠଟା ଭିତରେ ଫେରିବୁ, ଅତି ବେଶୀ ୯ ଟା ।”

 

: ‘ନମସ୍କାର’ ଆସୁଛି, ବାପି ଫେରୁଥିଲା । ମିତା ପାଟି କଲା ‘ଭାଇ ଅପାର ଖାଲଟା’ ।

 

: ଅପାକୁ କଣ ଥଣ୍ଡା ଲାଗୁଛି କି ? ସନ୍ତୋଷର ପ୍ରଶ୍ନ । ହସି ଦେଲା ବାପି ।

 

Unknown

: ‘ମୋ ବାପାଙ୍କୁ ବି କେବେ ଥଣ୍ଡା ଲାଗେନା ।’ ଉତ୍ତର ଦେଲା ମନୋଜ । ବାପି ଶୁଣି ପାରିଛି । ମନୋଜର କଥାକୁ ହସି ଦେଇ କହିଲା—ମନୁ ଭାଇ ରାଗିଲୋକମାନଙ୍କୁ ବିଶେଷ ଥଣ୍ଡା ଲାଗେନା । କାରଣ ତାଙ୍କ ପଏଣ୍ଟ ଏକଡ଼ ସେକଡ଼ ହେଲେ ଆପେ ହିକ୍ ଆସିଥାଏ । ହସି ଦେଲେ ସମସ୍ତେ । ମାମି ମଧ୍ୟ କଥାଟା ଜାଣିପାରିଲା, ତଥାପି ନ ଜାଣିଲା ପରି ସେ ବସିଗଲା ।

 

ସର୍ବଶେଷରେ ଲୀନା ଆସି ପହଞ୍ଚିଲା । କେବଳ ତାରି ପାଇଁ ଗାଡ଼ି ଛାଡ଼ିବାରେ ପନ୍ଦର ମିନିଟ୍ ଲେଟ୍ ହୋଇଗଲା । ଗାଡ଼ି ତା ଗନ୍ତବ୍ୟପଥରେ ଆଗେଇ ଚାଲିଲା । ୨।୩ ଜଣ ଲେକ୍ଚର ଆସିଥିଲେ ସେମାନେ ଆଗରେ ବସି ଯାଇଥିଲେ । ମାତ୍ର ୨୫ ଜଣ ପିଲା ବସିବାରେ କୌଣସି ଅସୁବିଧା ହୋଇନଥିଲା । ଝରକା ପାଖରେ ବସି ମାମି ଦୂର ଦିଗବଳୟ ଆଡ଼କୁ ଅନାଇଥିଲେ ମଧ୍ୟ ତାର ତ୍ୟର୍ଯ୍ୟକ ଦୃଷ୍ଟି ମନୋଜ ଓ ଲୀନା ଉପରେ ଥିଲା । ସନ୍ତୋଷ ଏକ ରକମ ନୀରବ ଥିଲା । ମାମିର ତାକୁ ‘ଭାଇ’ ଡାକିବା ପରେ ସେ ନିଜ ଅଜଣାତରେ ଢଳିଯାଇଥିଲା ମାମି ଦିଗରେ କିନ୍ତୁ କାହିଁକି ? ମାମିର ଭାଇ ଡାକିବାରେ ତା’ପାଇଁ ଅନେକ ଆତ୍ମୀୟତା ଭରି ରହିଥିଲା । ତାର ମଧ୍ୟ ନିଜର ଭଉଣୀଟିଏ ନଥିଲା, ସେ ଥିଲା ସେ ବହୁଦିନରୁ ଚାଲି ଯାଇଛି । ଆଉ ସେ ଫେରିବନି । ଦୀର୍ଘନିଶ୍ଵାସ ବାହାରି ଆସିଲା ସନ୍ତୋଷର ଅନ୍ତର ଥରାଇ । ହଁ ତା ମନ ସ୍ଵୀକାର କରୁଛି ମାମି ହିଁ ତାର ଭଉଣୀ । ସେ ବାରମ୍ବାର ଚାହୁଁଥିଲା ମାମିକୁ ଆଉ ଖୋଜୁଥିଲା ମାମି ମନରେ ତା ପାଇଁ କେତେ ସ୍ନେହ ଆଉ ମମତା ଥିଲା । ଆସିଥିବା ବଡ଼ ଡେକଚିରେ ବାଜା ବଜାଉଥିଲା ଅତୀସ୍ । କିଛି ସମୟପରେ ସେ କହିଲା—

 

: ଏ ସନ୍ତୋଷ ‘ଗାନା’ କିଛି ହଉ ? ଏମିତି ବେଷ୍ଟ ସିଙ୍ଗରମାନେ ଖାଲି ଖାଲି ଯିବା ଶୋଭା ପାଏନା ।

 

: ଏଁ ହଁ, ତୁ ସତ କଥା କହୁଛୁ । ମନୁ ହେଇଯାଉ ଗୋଟେ...

 

: ଆର ଗଲା ବର୍ଷ ମୁଁ ବେଷ୍ଟ ସିଙ୍ଗର ହୋଇପାରିନଥିଲି ତ ଅବଶ୍ୟ ବେଷ୍ଟ୍ ଆକ୍ଟର୍ ଥିଲି, ତା ବୋଲି କହୁଛ କଣ ଚଳନ୍ତା ଗାଡ଼ିରେ ଆକ୍ସନ୍...... ।

 

: ଆରେ ନା ମ’ ଫାଷ୍ଟ ନଥିଲେ ତ ସେକେଣ୍ଡ ଥିଲୁ...ଅତୀସ କହିଲା ।

 

: ସେମିତି ହବନି ଫାଷ୍ଟ ପିଲା ପ୍ରଥମେ । ମନୋଜ କହିଲା—“ନା କଣ କହୁଛୁ ସନ୍ତୋଷ-? ସନ୍ତୋଷର ନୀରବତା ଦେଖି ପୁନର୍ବାର କହିଲା ସେ—ସନ୍ତୋଷ କଣ ହୋଇଛି ତୋର ଏମିତି, ଚୁପ୍ ହୋଇ ବସିଛୁ କାହିଁକି ?”

 

: ନା କିଛି ନାହିଁ । ହସିଦେଲା ସନ୍ତୋଷ—ହଁ ଲୀନା ବୋର୍ ହବାକୁ ଦିଅନା । ଗଲାଥର ଯେଉଁଟା ଗାନକରି ପ୍ରଥମ ହୋଇଯାଇଥିଲ ସେଇଟା ହଉ ବେଷ୍ଟ ଗୀତଟା ତ ଥିଲା... ।

 

: ଆରେ ବାପରେ ଥାଉ ମୁଁ ପ୍ରଥମେ ବୋଲି ପାରିବିନି । ଫାଷ୍ଟ ଇୟର ପିଲାଙ୍କ ଭିତରୁ କିଏ ବୋଲିଲେ ଭଲ ହୁଅନ୍ତା ଛୋଟ ପିଲାମାନେ ତ । ଠିକ୍ ଅଛି ଗୀତା ତମେ ଗୋଟେ....

 

: ଆରେ ବାପରେ ଗାଡ଼ି ଚାଲିବା ବନ୍ଦ ହୋଇଯିବ ମୋ ଗୀତ ଶୁଣିକି ପିକ୍‍ନିକ୍‍ ବି ବନ୍ଦ-। ଫାଷ୍ଟ ପିଲା ନ ହେଲେ ସେକେଣ୍ଡ ପିଲା ତ ପାରିବ । ମନୋଜ ଭାଇ ତମେ ବୋଲୁନ...ଗୀତା କଥାରେ ମନୋଜ ହସିଦେଇ କହିଲା—‘ମୁଡ଼୍ ନାହିଁ ନଚେତ୍ ମୋର ତ ଆପତ୍ତି ନାହିଁ ।’

 

: ଠିକ୍ ଅଛି, ମୁଁ ସିଲେକ୍ଟ କରୁଛି ଏବେ କନ୍ଦି କରିବାର କଣ ଅଛି ? ମାମି ତତେ ହିଁ ପ୍ରଥମେ ଗୀତ ଗାଇବାକୁ ପଡ଼ିବ ରାଇଟ୍ ସାଇଡ଼ରେ ବସିଥିବା ମାମିକୁ କହିବା ସହ ଚମକି ପଡ଼ିଲା ସନ୍ତୋଷ । ମନୋଜ ମଧ୍ୟ । କାରଣ ଅଜଣାତରେ ସନ୍ତୋଷ ସମ୍ବୋଧନ କରିବାରେ ଭୁଲ କରିଥିଲା-। ସଙ୍ଗେ ସଙ୍ଗେ ଭୁଲ ସୁଧାରିବା ପାଇଁ ସେ କହିଲା—କ୍ଷମା କରି ମାମିବ ଭୁଲରେ... ।

 

: ସମ୍ବୋଧନ କରିବାଟା ବଦଳେଇ ଦେଇଛ ନା ? ମାମିର ପ୍ରଶ୍ନ । ପୁନର୍ବାର ହସି ଦେଇ କହିଲା—“ଭାଇ ଭଉଣୀ ହେଲା ପରେ ସେଟା ଦେଖା ଯାଏନି । ତମେ କଣ ତମ ଭଉଣୀଙ୍କୁ ଏମିତି କ୍ଷମା ମାଗ ? ହସି ଦେଲା ସନ୍ତୋଷ—

 

: ଆରେ ଛାଡ଼ ବାଜେ କଥା ତତେ ଗୀତ ଗାଇବାକୁ ପଡ଼ିବ ।

 

: ହଁ, ମୁଁ ବି ଗାଇବି, ତମେ କହିଛ ନା ?

 

ଗଲା ଠିକ୍ କରି ନେଇ ମାମି ଗୀତ ଆରମ୍ଭ କଲା । ଗାଡ଼ିରେ ପୂର୍ଣ୍ଣ ନୀରବତା । ସେ ଗାଇଥିଲା ‘ରେଶମ କି ଡୋରୀ’ ପିଲ୍ମିର ଟାଇଟେଲ୍ ସଙ୍ଗୀତଟା ।

 

“ବହ ନା ନେ ଭାଇକି କଲାଇ ସେ ପ୍ୟାରବାନ୍ଧା ହେ

ପ୍ୟାରକି ଡୋରି ସେ ସଂସାର ବାନ୍ଧା ହେ

ରେଶମ କି ଡୋରୀ ସେ ରେଶମ କି ଡୋରୀସେ ।”

 

ଗୀତର ପ୍ରବାହ ଅନ୍ୟ ଉପରେ କେମିତି ପଡ଼ିଥିଲା କେଜାଣେ, କିନ୍ତୁ ସେ ଗୀତ ଯେ ସନ୍ତୋଷ ମନର ଗଭୀର କୋଣକୁ ସ୍ପର୍ଶ କରିଥିଲା ସେକଥା ସତ । ଗୀତ ଗାଉଥିବା ଅବସ୍ଥାରେ ମାମି ବାରମ୍ବାର ସନ୍ତୋଷକୁ ଚାହୁଁଥିଲା, ଯଦ୍ଵାର ମାମି ମନର ପବିତ୍ରତା ଉପଲବ୍ଧି କରିବାକୁ ସକ୍ଷମ ହୋଇପାରିଥିଲା ସନ୍ତୋଷ । ସେ ହସୁଥିଲା ଅତି ଆନନ୍ଦରେ, ଯେପରି ତା ଜୀବନରେ ସେ ଆଜି ସବୁ କିଛି ପାଇଯାଇଛି । ଗୀତ ସରିଗଲା । ଗୀତଟି ଯେ ସମସ୍ତଙ୍କ ମନରେ ପ୍ରଭାବ ପକାଇଥିଲା ସେ କଥା ସତ, କାରଣ ମାମିର ସ୍ୱର ଅତ୍ୟନ୍ତ ମଧୁର ଥିଲା । ଏକ ସଙ୍ଗେ ତାତି ବାଜି ଉଠିଲା । ଲୀନା କୃତଜ୍ଞତା ଜଣାଇ କହିଲା—

 

ରିଏଲି ସନ୍ତୋଷ ତମ ସିଲେକ୍ସନ୍ ବେଷ୍ଟ୍ । ତମେ ଆକଚୁଆଲି ଭଲ କରୁ ନ ଥିଲ ମାମି-। ଏତେ ସୁନ୍ଦର ଗୀତ ଜାଣି ତମେ କେମିତି ଚୁପ୍ ଚାପ ବସିଥିଲ ?

 

ଲୀନା ଅପା ଠକିଦେଲେ ଚଳିବନି ମ, ବର୍ତ୍ତମାନ ତ ତମ ପାଳି ! କହିଲା ଗୀତା ହସି—ହସି ସମସ୍ତେ ସମର୍ଥନ କରିଥିଲେ ତା’ କଥାକୁ । ତା’ ପରେ ସମସ୍ତଙ୍କ ଅନୁରୋଧରେ ତାର ନିଜର ସେଇ ପୁରୁଣା ଗୀତଟିକୁ ସେ ଗାଇଥିଲେ, ଗୀତଟା ଥିଲା ହିନ୍ଦି କଥାଚିତ୍ର ‘ପ୍ରେମ ନଗର’ର—

 

“ଏ କୈସା ସୁର ମନ୍ଦିର ହେ, ଯିସମେ ସଙ୍ଗୀତ ନୈହି”

 

ଟାଇମ୍ ଇଣ୍ଟରଭାଲ୍ ରଖି ଗୀତ ବୋଲିଥିଲେ ମାମି ଓ ଲୀନା । ମନୋଜ ରାଜି ହେଲାନି କହିଲା—ଭଲ ଗୀତ ଶୁଣି ଦେଇଛ, ମୋ ଗୀତ ଶୁଣି ମନ ଖରାପ କରିବା ଅପେକ୍ଷା ଚୁପ୍‍ଚାପ୍‍ ପ୍ରକୃତିର ଦୃଶ୍ୟକୁ ଉପଭୋଗ କର ।

 

: ଓଃ ଫିଲୋସୋଫର (ଦାର୍ଶନିକ) ମହାଶୟ, ଠକିଦେଲେ ଚଳିବନି ।

 

: ହଁ ମନୋଜ ଭାଇ ତମେ ଠକି ପାରିବନି । ସନ୍ତୋଷ କଥାକୁ ସମର୍ଥନ କଲା ଗୀତା, ମାତ୍ର ମନୋଜ କାଟି ଦେଲା । କହିଲା—

 

: “ବିଶ୍ୱାସ କର ମୁଁ ଠକୁନି, ମୋ ଗଳା ଖରାପ ଅଛି ଥଣ୍ଡା ଧରିଛି ନା ? ତେଣୁ କରି ଭଲ ହୋଇ ପାରିବନି । ମିଛରେ କାହିଁକି ତମମାନଙ୍କ ମନ ଖରାପ କରିବି ?”

 

: ଆରେ ସତରେ ତ ମନୁ ତତେ ଏତେ ଯୋର ଥଣ୍ଡା ଧରିଛି, ମାଉସୀ ତତେ ଛାଡ଼ିଲେ କେମିତି ? ଅସ୍ତ୍ର ପ୍ରୟୋଗ ହୋଇଛି ନିଶ୍ଚୟ... ।

 

: ନା, ମ, ଆଜି ସକାଳୁ ହଠାତ୍‍ କେମିତି ଥଣ୍ଡାଟା ଧରି ନେଇଛି । ବୋଉ ଜାଣିଥିଲେ କ’ଣ ଛାଡ଼ିଥାନ୍ତା । ତାର ଗୋଟିଏ ପୁଅଟି ଯଦି କିଛି.... ।

 

: ଛି ଲାଜ ନାହିଁ, ଏମିତି ସବୁବେଳେ ବେକାର କଥା କହିବା ତୋର ପ୍ରକୃତି ହୋଇଗଲାଣି ଦେଖୁଛି ।

 

ବିଭିନ୍ନ କଥୋପକଥନ ମଧ୍ୟରେ ଗାଡ଼ିଟି ପହଞ୍ଚିଗଲା ନିର୍ଦ୍ଦିଷ୍ଟ ସ୍ଥାନରେ । ପହଞ୍ଚିଗଲା ପରେ ଓହ୍ଲାଇଗଲେ ସମସ୍ତେ । ସନ୍ତୋଷ ଅପେକ୍ଷା କଲା ଶେଷ ପର୍ଯ୍ୟନ୍ତ ମନୋଜ ପରମିଶନ୍ ଚାହିଁଲା ସନ୍ତୋଷଠାରୁ, ହସି ଦେଇ ଉତ୍ତର ଦେଲା ସନ୍ତୋଷ ୟୁ ଗୋ ମେଁ । ଲୀନା ଓ ମନୋଜ ଚାଲିଗଲେ ଦୂରକୁ ସମସ୍ତଙ୍କ ଦୃଷ୍ଟି ଅନ୍ତରାଳକୁ ।

 

ଆସିଥିବା କଲେଜର ପିଅନ ଜିନିଷପତ୍ର ଓହ୍ଲାଇ ଦେଲା । ସନ୍ତୋଷ ତା ସହ କଥାବାର୍ତ୍ତା କରୁଥିଲା ରୋଷାଇ ସମ୍ବନ୍ଧରେ । ଚୁଲି ତିଆରି ହୋଇଗଲା । ରୋଷେଇର ପ୍ରାରମ୍ଭ କାର୍ଯ୍ୟ ହେଉଥିଲା । ଗୀତା ଓ ମାମି ଟିକେ ବୁଲି ଆସିଲେ । ସନ୍ତୋଷକୁ ବ୍ୟସ୍ତ ଅବସ୍ଥାରେ ଦେଖି ମାମି ଆସି କହିଲା—

 

: ସନ୍ତୋଷ ଭାଇ କଣ ରୋଷେଇ ଚାର୍ଜ ତମର ?

 

: ହଁ ପରା କ’ଣ କରିବି ? ପିକ୍‍ନିକ୍‍ ଆସିବାର ଜିଦ୍ ଧରିବାର ଫଳ ।

 

: ଆରେ ତମେ ଚିନ୍ତା କରିବା କଣ ଅଛି, ଭଉଣୀ ଥାଉ ଥାଉ ଭାଇ କାହିଁକି ହଇରାଣ ହେବେ... ।

 

: ତୁ ପାରିବୁନି ମାମି ଏତେ ଜଣଙ୍କୁ ତୁ ରୋଷେଇ କରି ଦେଇପାରିବୁନି ।

 

: ଆଜ୍ଞା, ଦେଖନ୍ତୁ ନା ଜମାରୁ ୨୦ । ୨୫ ଜଣତ......ଗୀତା କହିଲା ।

 

: ଭାଇ, ବିଶ୍ଵାସ କର ମୁଁ ପାରିବି । ଗୀତା ଓ ମୁଁ ଦୁଇଜଣ ଅଛୁ । ତା ଛଡ଼ା ଆମକୁ ହେଲପ କରିବାକୁ ତ ମହେନ୍ଦ୍ର ଅଛନ୍ତି । ତମର ତ ଲାଷ୍ଟ୍ ପିକ୍‍ନିକ୍‍ ତମେ ଯାଅ ବୁଲିବ । କଣ କହୁଛ ମହେନ୍ଦ୍ର ?

 

: ହଁ ସନ୍ତୋଷ ବାବୁ, ଠିକ୍ କଥା କହିଛନ୍ତି ଆପଣଙ୍କ ଭଉଣୀ ।

 

: ଆଚ୍ଛା ତୋ କଥାରେ ବିଶ୍ଵାସ ରଖି ମୁଁ ଆସୁଛି । ମାମି ତୋ କ୍ୟାମେରାରେ ରିଲ୍ ଅଛି-?

 

: ହଁ ଅଛି ନେଇଯାଅ, କ୍ୟାମେରାଟା କାନ୍ଧରୁ ବଢ଼ାଇ ଦେଲା ମାମି । କ୍ୟାମେରା ଖୋଲି ସନ୍ତୋଷ ପ୍ରଥମେ ଉଠାଇନେଲା ମାମିର ଫଟୋ ଦି’ଟା । ତାପରେ ସେ ଚାଲିଗଲା । ସନ୍ତୋଷ ଚାଲିଗଲା ପରେ ମାମି ପ୍ରଶ୍ନ କଲା ଗୀତାକୁ—ଗୀତା ଦେଖିଲୁ ତାକୁ ?

 

: ହଁ କିନ୍ତୁ ତୁ ଯାହା କହନା କାହିଁକି ମତେ କାହିଁକି ଏସବୁ ଭଲ ଲାଗୁନି ।

 

: ମତେ ବହୁତ ଭଲ ଲାଗୁଛି ନା ? ଛାଡ଼ ସେକଥା ଯାହା ଘଟିବାର ଘଟିଯିବ ।

 

: ମନୋଜ ଭାଇ ଚୁପ୍‍ଚାପ୍‍ ବସିଥିଲେ, କିନ୍ତୁ ଲୀନା ଅପା ପେଟେଇ ପଡ଼ି ବାଲି ଉପରେ ଚାହିଁଥିଲା ତାଙ୍କୁ । ତୁ ଯାହା କହନା କାହିଁ ଆଜିକାଲି ଝିଅ ଗୁଡ଼ାକ... ।

 

: ପ୍ଲିଜ୍ ଗୀତା ତୁ ଝିଅଟେ ହୋଇ ଝିଅଙ୍କ ନିନ୍ଦା କରିବାକୁ ତୋର କେମିତି ଇଚ୍ଛା ହେଉଛି ଲୋ ?

 

: ନା, ସତଟା କାହିଁକି କହିବି ? ଝିଅମାନଙ୍କ ପ୍ରକୃତି ସେମିତି । କହତ କିଏ ଏତେ ମେକ୍ଅପ୍ ନେଇ ଆସିଛି ?

 

: ମନୋଜର ବି ଭୁଲ ଅଛି ଗୀତା ପୁଅ ପିଲା ଏତେଦୂର ଉଇକ୍ ମାଇଣ୍ଡେଡ଼ ହୋଇଯିବା ଭଲ ନୁହେଁ ?

 

: ଅବଶ୍ୟ ସତ କଥା । ଏମିତି ଗପ ଭିତରେ କାମ ଆରମ୍ଭ କରି ଦେଇଥିଲେ ମାମି ଓ ଗୀତା ।

 

ସବୁ ପିଲାଙ୍କ ଦୃଷ୍ଟି ଅନ୍ତରାଳରେ ବସି ରହିଥିଲେ ମନୋଜ ଓ ଲୀନା । କିଛି ସମୟ ନୀରବରେ ବସି ରହିବାପରେ ସେମାନେ ଗପ ଆରମ୍ଭ କଲେ ।

 

: ମନୋଜ ତମେ ମୋର ଇତିହାସ ଜାଣନା, କିନ୍ତୁ ତମେ ଜାଣିବା ପରେ ତ ମତେ ଆଘାତ ଦବନି ? ଲୀନାର ଉଦାସ ମୁହଁର ଭାଷା ବୁଝିବାରେ ଅକ୍ଷମ ହୋଇଉଠିଛି ମନୋଜ ।

 

: ତମେ ମୋଠାରୁ କଣ ଆଶାକର ଲୀନା ? ତମେ କଣ ଭାବିଛ ଚାଲିଯାଇଥିବା ଘଟଣା ଭବିଷ୍ୟତରେ ମୋ ଉପରେ ପ୍ରଭାବ ପକାଇବ ?

 

: ସେ କଥା ମୁଁ କହିପାରିବିନି ମନୋଜ ସେଟା ମୋର ଭାଗ୍ୟ । ମୁଁ କଣ ଏତିକି କହିପାରିବିନି ତମେ ବହୁତ ସେନ୍‍ସିଟିଭ୍ ।

 

: ଅଫକୋର୍ସ...

 

: ତେବେ ଆଗକୁ ଯିବା ପୂର୍ବରୁ ସମାଧାନଟା ହୋଇଯିବା ଭଲ । ତମେ ଶୁଣିନିଅ ମୋ ଅତୀତର କାହାଣୀ । ତା’ପରେ ଭବିଷ୍ୟତରେ ସହାୟତା କରିବାର ଆଶାକୁ ହୁଏତ ଦୃଢ଼ କରି ଦବା କିମ୍ବା ଭାଙ୍ଗି ଦବା ।

 

: ତମେ ଏତିକି ମନେରଖ ଲୀନା, ତମ ଅତୀତ ମୋ ଉପରେ କୌଣସି ପ୍ରଭାବ ପକାଇ ପାରିବନି । କିନ୍ତୁ ଯେତେବେଳେ ଜିଦ୍ କରୁଛ ସବୁ କହିଦବା ହିଁ ଭଲ । ତମ ଜିଦ୍‍କୁ ସମ୍ମାନ ଦେଇ ମୁଁ ସବୁ ଶୁଣିବି ।

 

: ସେ କଥା ନୁହେଁ ମନୋଜ । କଥାଗୁଡ଼ା ତମ ଉପରେ ପ୍ରଭାବ ନ ପକାଇଲେ ମଧ୍ୟ କାହା ସମ୍ମୁଖରେ ପ୍ରକାଶ କରିଦବା ଦ୍ୱାରା ମୋ ମନରୁ ବୋଝତ ଖସିଯିବ । ମୋ ଅଣନିଶ୍ଵାସୀ ମନ ତ ଟିକେ ଶାନ୍ତିରେ ନିଶ୍ୱାସ ନେଇ ପାରିବ ?

 

: ହଁ, ଲୀନା କାହାଣୀ ଆରମ୍ଭ କରନା ଏମିତି ଖାଲି ବସିଲେ ଭୀଷଣ ଖରାପ ଲାଗିବ, ତା ଛଡ଼ା ଥଣ୍ଡାଟା ଧରିଛି ନା ? ଚୁପ୍‍ଚାପ୍‍ ବସିଲେ ସେ ଦିଗକୁ ମନଟା ଚାଲିଯାଉଛି ଆଉ ଯନ୍ତ୍ରଣାଟା ବଢ଼ି ଯାଉଛି ।

 

: କହିବି ତ ନିଶ୍ଚୟ କେଉଁଠୁ ଆରମ୍ଭ କରିବି ଭାବୁଛି । ଛାଡ଼ ସେଟା କଣ ଗୋଟେ କଥା ପ୍ରଥମରୁ କହିନବା ହିଁ ଭଲ ।

 

ସହରର ଖ୍ୟାତନାମା ବ୍ୟବସାୟୀ ଚୌଧୁରୀ ଗୌର ପ୍ରସାଦ ମହାପାତ୍ର ମୋର ବାପା । ତା ଛଡ଼ା ମୋର ଦୁଇଜଣ ଭାଇ ମଧ୍ୟ ଅଛନ୍ତି । ସେମାନେ ଆଜି ଭାରତ ବାହାରେ । ବଡ଼ ଭାଇ ଲଣ୍ଡନରେ ଓ ସାନ ଆମେରିକାରେ ଅଛନ୍ତି ହୁଏତ ଅଳ୍ପଦିନ ପରେ ନାଗରିକତ୍ୱ ପାଇଯିବେ । ସେମାନେ ଘରଛାଡ଼ିବା ବେଳକୁ ମୁଁ ବହୁତ ଛୋଟ ଥିଲି । ବୋଉ ବହୁତ ଦିନରୁ ଚାଲିଯାଇଛି ଆମକୁ ଛାଡ଼ିକରି । ବାସ୍ତବିକ୍ କହିବାକୁ ଗଲେ ମୁଁ ବୋଉକୁ ଦେଖିନି । ହଁ ସ୍କୁଲ ଛାଡ଼ିବା ସଙ୍ଗେ ସଙ୍ଗେ ଓଡ଼ିଶା ଛାତିରେ ମୋର ଦୁଇ ଭାଇ । ତାପରେ ତାଙ୍କର ମନୋଭାବ ଜାଣିପାରି ବାପା ଭୀଷଣ ମନଦୁଃଖ କଲେ । ମତେ ନେଇ ଗାଁରୁ ଫେରୁଥିଲେ ସେ ଦିନ—ବୁଲିଯାଇ ମନ ଭୁଲାଇବାର ସେ ଥିଲା ଗୋଟିଏ ଉପାୟ । ଗାଁକୁ ତ ସେ କେବେ ଯାଆନ୍ତିନି ତଥାପି ସେଦିନ କାହିଁକି ବାପା ହଠାତ୍ ଗାଁକୁ ବାହାରିଲେ ସେ କଥା ଭଗବାନଙ୍କୁ ଜଣା । ସେତେବେଳେ ମୁଁ କ୍ଳାସରେ ଥିଲି । ଗାଁର ମଶାଣୀ ଭୂଇଁରେ ପିଲାଟିଏ ବସି କାନ୍ଦୁଥିଲା । ବାପାଙ୍କ ମନ ଭୀଷଣ ଭାବରେ ଦୟାଳୁ । ଗାଡ଼ି ଅଟକାଇ ତା ପାଖକୁ ଗଲେ, ବାପା ଭୂମିରୁ ଉଠାଇଲେ ପିଲାଟିକୁ । ପିଲାଟି ୧୫ । ୧୬ ବର୍ଷର ଥିଲା କିନ୍ତୁ ସେ ଏମିତି ଦେଖାଯାଉଥିଲା ମନୋଜ ସେ ଦୃଶ୍ୟ ଏବେ ବି ମୋ ମନରୁ ଯାଇନି । ବାପା ତାକୁ ପଚାରି ଜାଣିଲେ—ପିଲାଟିର ବାପା ଅନେକ ଦିନରୁ ମରିଯାଇଥିଲେ ଆଉ ମାଟି ତାକୁ ବଡ଼ ମଣିଷ କରିବାର ଆଶାନେଇ ତାକୁ ବହୁ କଷ୍ଟ ସ୍ୱୀକାର କରି ମଧ୍ୟ ପାଠ ପଢ଼ାଉଥିଲା । ସର୍ବଶେଷରେ ତାଙ୍କର ଦାରିଦ୍ରତା ହିଁ ତାଙ୍କ ମୃତ୍ୟୁର କାରଣ ହେଲା ବର୍ତ୍ତମାନ ତାଙ୍କପାଇଁ ଚତୁର୍ଦ୍ଦିଗ ଶୂନ୍ୟ ଥିଲା ଏମିତି ମଶାଣି ଭୂମିରେ ପଡ଼ି ରହି ବାପ ମା’ଙ୍କ ପଦାଙ୍କ ଅନୁସରଣ କରିବା ତାର ଲକ୍ଷ୍ୟ ଥିଲା ପିଲାଟିର ନାମ ଥିଲା—ପ୍ରକାଶ ମିଶ୍ର... ।

 

: ପ୍ରକାଶ ମିଶ୍ର...ଗଲା ୨ ବର୍ଷ ତଳେ ଏମ୍. ଏସ୍‍. କରିବାକୁ ଫରେନ୍ ଗଲାଟି... ।

 

: ଏସ୍ ମନୋଜ ୟୁ ଆର୍ କରେକ୍ଟ । ଅବଶ୍ୟ ପ୍ରକାଶ ସହ ମୋର ସମ୍ପର୍କଟା ମୁଁ କହିବାକୁ ଠିକ୍ ଭାଷା ପାଉନି ତେବେ ମୋ ଜୀବନର ପ୍ରଥମ ପ୍ରଭାତ ହିଁ ଥିଲା ପ୍ରକାଶ । ପ୍ରକାଶ ପାଇଁ ମୁଁ ପ୍ରଗଳଭା ଥିଲି ଦୀର୍ଘ ୬/୭ ବର୍ଷ ଏକାଠି ଚଳିଥିଲୁ ଆଉ ପ୍ରକାଶ ସବୁବେଳେ କହୁଥିଲା–‘‘ଲୀନା ମୁଁ ବହୁତ ବଡ଼ ହବାକୁ ଚାହେଁ ଆଉ ତାପରେ... ।” ପର କଥାଟା ନୀରବତା ଦ୍ୱାରା ହିଁ ଉପଲବ୍ଧି କରୁଥିଲୁ ଦୁହେଁ । ପ୍ରକାଶ ମୋ ପାଖରୁ ଦୁଇବର୍ଷ ତଳେ ଚାଲିଗଲା । ମନୋଜ ଆଉ ଯିବାର ୪/୬ ମାସ ପରେ ମତେ ଭୁଲିଗଲା ଚିଠି ଆସିଲାନି ବରଂ ଚିଠି ଫେରି ଆସିବା ଚିଠିଗୁଡ଼ିକ ଧରିରଖି ମୁଁ କ୍ରମଶଃ ମୂକ ହୋଇଗଲି । ମୋ ଯନ୍ତ୍ରଣାର ମୂଳ ବିନ୍ଦୁ ଥିଲେ ବାପା ତାଙ୍କ ମନର ଯନ୍ତ୍ରଣା ବଢ଼ିଗଲା ମାତ୍ର ମୋ ପାଇଁ ସେ ଚୁପ୍ ରହିଲେ ଆଉ ମୋତେ ସମ୍ପୂର୍ଣ୍ଣ ରୂପେ ସ୍ଵାଧୀନତା ଦେଇ ଦେଲେ । ଲୀନା ଆଖିରେ ଲୁହ ଅଣୁ ଉପରେ ଛନ୍ଦି ହୋଇ ରହିଥିବା ହାତ ଉପରେ ମୁଣ୍ଡ ରଖି ସେ ଫୁଲି ଫୁଲି କାନ୍ଦୁଥିଲା । ଆଉ ମନୋଜ ବିଚଳିତ ହୋଇ ଉଠୁଥିଲା—

 

: ପ୍ଲିଜ୍ ଲୀନା ଡୋଣ୍ଟ କ୍ରାୟ ଆଇ ହେଟ ଟିଅର୍ ପ୍ଲିନ୍...ସର୍ବଶେଷରେ ବାଧ୍ୟ ହୋଇ ଲୀନାର ହାତଟା ଧରି ନେଇଥିଲା ମନୋଜ କାନ୍ଦୁଥିବା ଅବସ୍ଥାରେ ସାମାନ୍ୟ ହସିଥିଲା ଲୀନା ।

 

: ମନୋଜ, ମୁଁ ତମର ଶକୁନ୍ତଳା ହୋଇ ଅଭିନୟ କରିଥିଲି ମାତ୍ର ମୁଁ ପ୍ରକାଶର ଶକୁନ୍ତଳା ସବୁଦିନ ତା’ର ମଧ୍ୟ ହୋଇ ରହିଯିବି । ମନୋଜ, ତମେ ସେ ଦିନ ଆମ ଘରୁ ଫେରି ଆସିଲ ବାପା ତମକୁ ଦେଖି ବହୁତ ଖୁସି ହେଲେ ତମେ ମୋର ବନ୍ଧୁ ବୋଲି ମଧ୍ୟ ଜାଣିଲେ ମାତ୍ର ତମର ଜାତି ଜାଣିବା ପରେ ସେ ନୀରବ ରହିଲେ । ତାଙ୍କ ଅନ୍ତରର କଥା ମୁଁ ଠିକ୍ ଉପଲବ୍ଧି କରିପାରିଛି । ମନୋଜ ତାଙ୍କୁ ମୁଁ କଥା ଦେଇଛି—ତାଙ୍କ ଇଚ୍ଛା ବିରୁଦ୍ଧରେ ମୁଁ ଗୋଟାଏ ବି ଷ୍ଟେପ ଯାଇପାରିବିନି... ।

 

: ଓଃ ସେ ସବୁ ମତେ କହିବାର କଣ ଅଛି ? ତମେ ମତେ ଡାଇରେକ୍ଟ ତ କହି ପାରିଥାନ୍ତ, ଯେ ଆମ ଫ୍ରେଣ୍ଡସ୍‍ସିପ୍‍ଟା କ୍ଷଣସ୍ଥାୟୀ ।

 

: ନା, ମନୋଜ ନା ତମେ ସେକଥା କୁହନି ମୁଁ ବଞ୍ଚି ରହିବାର ଗୋଟାଏ ସୋର୍ସ ଦେଲ ତମେ । ସେକଥା ନ ହୋଇଥିଲେ ମୁଁ ତମକୁ ମୋ ଅତୀତର ଇତିହାସ ଶୁଣାଇ ନଥାନ୍ତି । ଲୀନା ଆଖିରେ ଲୁହ ଆଉ ମନୋଜ ମନରେ ଗଭୀର ପ୍ରତିକ୍ରିୟା, ଲୀନା ପୁନର୍ବାର କହିଛି—ମନୋଜ, ମୁଁ ତମକୁ ବହୁତ ବଡ଼ କରିବାକୁ ଚାହେଁ । ଆଉ ତାପରେ ତମରି ଆଶ୍ରାରେ ମୋ ମନର ସବୁ ଜ୍ଵଳନ ଲୋପ କରିଦେବାକୁ ଚାହେଁ । ମୋ ଆଶ୍ରା ମୁଁ ଖୋଜି ନେଇଛି । ମନୋଜ ତମେ ଦେଖିବ ମୋ ବାପା ଦିନେ ନିଶ୍ଚୟ ତମ ଦ୍ଵାରସ୍ଥ ହେବେ....କେବଳ ପ୍ରକାଶ ନୁହେଁ, ପ୍ରକାଶ ପରି ଅନେକ ପିଲା ଉଚ୍ଚ ଶିକ୍ଷାର ମହତ୍ତ୍ଵ ବୁଝିବେ । ମନୋଜ ତମ ମନରେ କିଛି ପ୍ରଶ୍ନ ଉଠୁନି.... ।

 

: ମୋ ମନରେ ପ୍ରଶ୍ନ ଉଠିବାର କଣ ଅଛି ଲୀନା ତମେ ହିଁ ମୋ ଜୀବନର ପ୍ରଥମ ନାରୀ, ତମ ଅତୀତର ଭଲ ପାଇବା କିମ୍ବା ତମ ବାପାଙ୍କ ଜାତିଆଣ ଭାବ ମୋ ମନରେ ପ୍ରଭାବ ପକାଇବ ନାହିଁ । ମୁଁ ତମକୁ କଥା ଦଉଛି ମୋ ମା’ ନାମରେ ଶପଥ ନେଇ କହୁଛି ଯେ ପର୍ଯ୍ୟନ୍ତ ମୋ ସହଚର୍ଯ୍ୟ ତମର ଦରକାର ସେ ପର୍ଯ୍ୟନ୍ତ ମୁଁ କେବଳ ତମର ହୋଇ ରହିଥିବି ।

 

: ମନୋଜ... ।

 

: ଲୀନା ବିଶ୍ୱାସ କର, ମୋ ମା ପରି ଦୁନିଆଁରେ ମୁଁ କାହାରିକୁ ବି ବଡ଼ ମନେ କରେ ନାହିଁ । ମୋ କଥାରେ ତମର ଯଦି ବିଶ୍ୱାସ... ।

 

: ନା ମନୋଜ, ସେ ପ୍ରଶ୍ନ ଉଠୁଛି କାହିଁକି ? ମଣିଷତ ତା ମନର ବିଶ୍ୱାସ ନେଇ ବଞ୍ଚି ରହେ ମୁଁ ତମର ନିରୀହତାକୁ ଭଲପାଏ ମୋ ନିଜଠାରୁ ବି ତମକୁ ଅଧିକ ବିଶ୍ୱାସ କରେ ମନୋଜ...-

 

: କିଛି ସମୟ ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିବେ ନୀରବରେ । ସନ୍ତୋଷ ସେମାନଙ୍କୁ ଖୋଜି ଖୋଜି ସେଠାରେ ପହଞ୍ଚିଛି । ମୋଟେ ଫୋଟ ଉଠାଇବାକୁ ମଧ୍ୟ ସେ ଭୁଲି ଯାଇନି—‘ଇଏସ୍ କରେକ୍ଟ୍, ପୋସ ଇଜ୍ ରାଇଟ୍’ ସନ୍ତୋଷ କଥାରେ ସ୍ତମ୍ଭିତ ଫେରି ପାଇଲେ ଦୁହେଁ । ହସିଦେଇ ମନୋଜ ଚାହିଁଲା ସନ୍ତୋଷକୁ ।

 

: ଆରେ, ତୁ ବି କ୍ୟାମେରା ଆଣିଥିଲୁ ?

 

: ନା, ମାମିର... ।

 

ଓଃ ମୁଁ ତ ଭାବୁଥିଲି ସନ୍ତୋଷକୁ କ୍ୟାମେରାଟା ଦେଇଥିଲେ ହୋଇଥାନ୍ତା ବୋଲି, ଦେଖନା ଗୋଟେ ବି ଫଟେ ଉଠିନି ।

 

: ଅବଶ୍ୟ, ଫୋଟ ଉଠାଇବାକୁ ତୋର ଟାଇମ କାହିଁ ? ଆଚ୍ଛା ଟାଇମ କେତେ ହେଲା ? ଆଶା ଯେ ନିଶ୍ଚୟ ଦୁଇଜଣଙ୍କ ପାଖରେ ଘଣ୍ଟା ଅଛି... ।

 

କଥା କଣ, ସନ୍ତୋଷ ତମେ ଏତେ ଗମ୍ଭୀର... ।

 

: ନା ମାଡ଼ମ୍ ଗମ୍ଭୀର କାହିଁକି ହେବି । ଘଣ୍ଟାଏ ହବ ତମକୁ ମୁଁ ଖୋଜୁଛି ବାବା ରକ୍ଷା ମିଳିଗଲା ନଚେତ୍... ।

 

: ନଚେତ୍...କଥା ଉଡ଼େଇ ନେଲା ମନୋଜ ।

 

: ଷ୍ଟୁଫିଡ଼୍ ମାଉସୀଙ୍କୁ କଣ କହିଥାନ୍ତି ? କହିଥାନ୍ତି ନା ମିସ୍ ଲୀନା ସହ ମନୋଜ ବାବୁ ଫେରାର...ହସିଦେଲା ସନ୍ତୋଷ । ଲୀନା ଓ ମନୋଜ ମଧ୍ୟ ନ ହସି ରହି ପାରିଲେନି । ‘ଚାଲ ବାବା ଖିଆପିଆ କରିବା ନା... ।’

 

: ଭାଷଣ ଥାଉ ଚାଲ... ।

 

ସମସ୍ତଙ୍କୁ ଖାଇବାକୁ ବସାଇ ଦେଇ ଯାଉଥିଲା ସନ୍ତୋଷ । ବଢ଼ାବଢ଼ି ଚାଲିଥିବା ସମୟରେ ପହଞ୍ଚି ଯାଇଥିଲା ସନ୍ତୋଷ । ବହୁତ ବ୍ୟସ୍ତ ଥିଲା ମାମି । ସେ ଫେରି ଚାହିଁନଥିଲା ମନୋଜକୁ ମାତ୍ର ଗୀତା ବାରମ୍ଵାର ଚାହିଁଥିଲା ଲୀନା ଓ ମନୋଜକୁ । ଖାଇ ବସିଲେ ସମସ୍ତେ ସର୍ବଶେଷରେ ମାମି ଖାଇ ବସିଥିଲା କିଛି ସମୟ ପରେ ମନୋଜ ପଚାରିଥିଲା—କୋବି ତରକାରୀଟା କେଉଁଠି ରହିଲା ସନ୍ତୋଷ ? ଟିକେ ଦରକାର ହଉଛି ମୋର... । ମନୋଜର କଥାଶୁଣି ସନ୍ତୋଷ ମାମିକୁ ଚାହିଁଲା ମାମି ଉଠିଗଲା । ସନ୍ତୋଷ ସାମାନ୍ୟ ହସିଦେଲା ମାମିକୁ ଦେଖି—ସତରେ ମାମା ତୁ ଯାହାର ଭଉଣୀ ନା ସେ ବହୁତ ଭାଗ୍ୟବାନ୍... ।

 

: ତମେ ତ ତା ଭିତରୁ ଜଣେ...ଉତ୍ତର ଦେଲା ମାମି, ମାମି ଉଠି ଯିବାର ଦେଖି ରାଗି ଯାଇଥିଲା ଗୀତା । କେବଳ ମନୋଜକୁ ନୁହେଁ ଅନ୍ୟମାନଙ୍କୁ ଦରକାର ଅନୁଯାୟୀ ଖାଦ୍ୟ ପରସି ଯାଉଥିଲା ମାମି ସାକ୍ଷାତ ଅନ୍ନପୂର୍ଣ୍ଣା ସଦୃଶ୍ୟ । ରାଗି ଯାଇଥିଲା ବେଳେ ଗୀତା ଅଳ୍ପ ଦୂରରେ ବସିଥିବା ସନ୍ତୋଷକୁ ସେ କହିଥିଲା—ଜାଣିଛ ମାମି କିଛି ବି ଖାଇନି ?

 

: ଏଁ କିନ୍ତୁ... ।

 

: କିନ୍ତୁ...କଣ ଭାଇ ମୁଁ ରୋଷେଇ କଲେ ମତେ ଖାଇବାକୁ ଭଲ ଲାଗେନି ତା ଛଡ଼ା ବେଶୀ ଖୁସି ହେଲେ ବି ମୁଁ ଖାଇ ପାରେନି ।

 

: ସନ୍ତୋଷ ମାମି କଥା ଶୁଣି କେବଳ ନିମ୍ନ ଦୃଷ୍ଟି ତା ଉପରେ ପକାଇଥିଲା । ସନ୍ତୋଷକୁ ଚାହିଁ ମାମି ହସି ଦେଲା ଟିକେ—

 

: ତମ ମନ ଖରାପ ଲାଗୁଛି କି ଭାଇ ? ଦିନେ ଆମ ଘରକୁ ଯିବ ସାଙ୍ଗ ହୋଇ ଖାଇବା-। ଦିନେ କଣ ମ, କାଲି ପରା ମୋ ଜନ୍ମ ଦିନ କାଲି ଯିବ ନିଶ୍ଚୟ । ଏବେଠୁ ନିମନ୍ତ୍ରଣ, ଯଦି କହିବ ବାବାଙ୍କୁ... ।

 

: ତୁ କହି ଦେଲୁ ଯଥେଷ୍ଟ । ବାପାଙ୍କ ପ୍ରଶ୍ନ ଉଠୁଛି କେଉଁଠୁ ।

 

ଖିଆ ପର୍ବ ଶେଷ ହେଉ ହେଉ ପ୍ରାୟ ତିନିଟା ବାଜି ଯାଇଥିଲା । ଚନ୍ଦ୍ରଭାଗାରେ ସୂର୍ଯ୍ୟାସ୍ତ ଦେଖିବା ପାଇଁ ଅପେକ୍ଷା କରିଥିଲେ ସମସ୍ତେ । ସନ୍ତୋଷ ମାମି ପାଖରେ ବସି ତାଙ୍କ ଘର ସମ୍ବନ୍ଧରେ ଗପ ହଉଥିଲା ଆଉ ଲୀନା ସହ ହାତରେ ହାତ ଛନ୍ଦି ବହୁ ଦୂରରୁ ଆସୁଥିଲା । କିଛି ବାଟ ଆସିବା ପରେ ଦୁହିଁଙ୍କ ହାତରୁ ହାତ ଖସି ଯାଇଥିଲା । ଦୁହେଁ କିନ୍ତୁ ବେଶ ପ୍ରଫୁଲ୍ଲିତ ଲାଗୁଥିଲେ । ଗୀତା ଚାହୁଁଥିଲା ସେମାନଙ୍କୁ ହଠାତ୍ ମାମିର ଆଖି ପଡ଼ିଗଲା, କିଛି ନ ଜାଣିଲା ପରି ମୁହଁ ବୁଲାଇ ନେଲା ସେ, ସନ୍ତୋଷ ତାକୁ କହୁଥିଲା—

 

: ତମ ମାନଙ୍କ ଭିତରେ ମିତା ବୋଧହୁଏ ବେଶି ଚାଲାକ୍...ଅଚ୍ଛା ମାମି, ମନୋଜ ଘର ସହ ତମର କି ସମ୍ପର୍କ । ସେ ଦିନ ବୋଉ... ।

 

: ହଁ ତାଙ୍କ ରେଜଲ୍‍ଟ ଶୁଣି ବୋଉ ଯାଇଥିଲା... ।

 

: ତା ମାନେ ମିତା ବି ରେଜଲ୍‍ଟ ଜାଣିଥିଲା ।

 

: ହଁ ।

 

: ସେ କଥା କହ ନଚେତ୍ ଏମିତି ଆଶ୍ଚର୍ଯ୍ୟ କଥା ସେ ଘଟାଇ ଥାନ୍ତା କେମିତି ?

 

: ଆଶ୍ଚର୍ଯ୍ୟ କଥା କଣ କଲା ଯେ, ନିହାତି ବୋକିଟା ତମ ସହ ଆଉ ୫/୧୦ ମିନିଟ୍ କଥା ହୋଇଥିଲେ ସବୁ କହିଥାନ୍ତା । ତା ଛଡ଼ା ସନ୍ତୋଷ ଭାଇ ଆମେ ଭାଇ ଭଉଣୀ, ସମସ୍ତେ ଭାରି ରୋକ ଠୋକ୍ । ଯାହା କହିବାର କହି ଦେଉ, କିନ୍ତୁ ଏତେ ଦୂର ଭାବୁକ ନୁହେଁ... ।

 

: ନା’ ରେ ତୋ ଧାରଣା ହିଁ ଭୁଲ, କହ ତ ଗୋଟେ ପିଲା ଯଦି ସବୁବେଳେ ନଜର ଉପରେ ରହେ, ତା ଛଡ଼ା... ।

 

: ଭାଇ ପ୍ରକୃତରେ କହିବାର କିଛି ନାହିଁ । ଫ୍ରେଣ୍ଡ ବୋଲି ତମେ ତାଙ୍କ ସପକ୍ଷରେ କହି ଯାଉଛ... ।

 

: ସେ କଥା ନୁହେଁ ମାମି, ତୁ ତା’ ସହିତ ମିଶିନୁ ନଚେତ୍ ଏତେ କଥା କୁହନ୍ତୁ କେମିତି । ତମର ତ ସେ ସମ୍ପର୍କୀୟ... ।

 

: ସମ୍ପର୍କୀୟ ନୁହନ୍ତି ଭାଇ, ତାଙ୍କ ବାପା ମୋ ବାପାଙ୍କର ପିଲା ଦିନର ସାଙ୍ଗ ତ... ।

 

: ସେ ଯାହା ହଉ ତା ସହ ମିଶିଗଲେ ତୋ ଧାରଣା ବଦଳି ଯିବ... ।

 

: ‘ଭଗବାନ ସେ କଥା କରନ୍ତୁ’ । ଦୀର୍ଘ ନିଃଶ୍ଵାସ ଛାଡ଼ି ମାମି କହିଲା ସେତେବେଳେ ମନୋଜ ଆସି ବସିଗଲା ତା ପାଖରେ, ମାମିର କଥା ସରିବା ପରେ ମନୋଜ ଡାକିଥିଲା ସନ୍ତୋଷକୁ ସମସ୍ତେ ସେ ଦିଗରେ ଚାହିଁଥିଲେ ମାତ୍ର ମାମି ବାଲିରେ ଗାର ପକାଉଥିଲା—କଣ ସାହେବ, ବୁଲା ସରିଲାଟି ? ସନ୍ତୋଷର ପ୍ରଶ୍ନ ।

 

: ହଁ ବୁଲା ତ ସରିଲା ମାତ୍ର ଘରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଯିବ... ।

 

: କଣ ଆରମ୍ଭ ଗାଳି ମାଡ଼ ନା, ସ୍ନେହର ଆଦର... ।

 

: ହଁ ବୁଲି ବୁଲି ଗଲେ ବୋଉ ଗେହ୍ଲା କରିବନି ତ ଆଉ କଣ ?

 

: ଛାଡ଼ ମ, ମାଉସୀଙ୍କୁ ମୁଁ କହିଦେବି । ଲୀନା...

 

: ଭାଇ ମୁଁ ଆସୁଛି । କଥା ମଝିରୁ ମାମି ଓ ଗୀତା ଉଠିଗଲେ । ହସି ଦେଲା ସନ୍ତୋଷ–ଟାଇମ ତ କମ, ଶୀଘ୍ର ବୁଲା ବୁଲି ଶେଷ କରିଦିଅ । ହସି ଦେଇ ମାମି ଚାଲିଗଲା । ମାତ୍ର ଗୀତା ପାଖରେ ସେ ସବୁ ଅସହ୍ୟ ହୋଇ ଉଠୁଥିଲା । ସେମାନେ ଯିବା ପରେ ସନ୍ତୋଷକୁ କହିଥିଲା ମନୋଜ—ବିଚରାର ଜୀବନଟା ବଡ଼ ଯନ୍ତ୍ରଣାମୟ ଜାଣୁ ସନ୍ତୋଷ, ମୁଁ ତାକୁ କଥା ଦେଇଛି, ସେ ଯେ ପର୍ଯ୍ୟନ୍ତ ଚାହିଁବ ସେ ପର୍ଯ୍ୟନ୍ତ ମୁଁ କେବଳ ତାର ହୋଇ ରହିବି । ଅନ୍ୟ କାହାରି ବି ନୁହେଁ ।

 

: ଆଚ୍ଛା, ମନୁ ତୁ ଏମିତି କହି କି ବିରାଟ ଭୁଲ କରିଛୁ । ସେ କଥା ଭାବି ପାରୁଛୁ... ।

 

: କି ଭୁଲ୍ ମୁଁ କିଛି ବି ଭୁଲ୍ କରିନି...

 

: ତୁ ସବୁଦିନେ ଏମିତି ନିର୍ବୋଧ ପରି କାହିଁକି କଥା କହୁଛୁ କହିଲୁ ? ତୁ ଏତେ ଜ୍ଞାନୀ ତେବେ ବି ଏ ସାମାନ୍ୟ କଥା କେମିତି ବୁଝି ପାରୁନୁ ? ତା ବାପା ହୁଏତ ଏ ପ୍ରସ୍ତାବରେ ରାଜି ହବାପାଇଁ ୪/୫ ବର୍ଷ ନେବେ, ସେ ପର୍ଯ୍ୟନ୍ତ ମଉସା ମାଉସୀ ଅପେକ୍ଷା କଲେ ତ ? ନା ତୋର ସାହସ ଅଛି ଏସବୁ ଘରେ କହିବାକୁ ? ସବୁ କଥାରେ ଗୁରୁତ୍ଵ ଦେ’ ମନୁ ତୁ ଭାବନା ସଂସାରଟା ତୋ ପରି ସରଳ ଆଉ ନିରୀହ...

 

: ଅବଶ୍ୟ ତୁ ସତ କହୁଛୁ କିନ୍ତୁ...

 

: କିନ୍ତୁ...ପୁଣି କଣ । କଥା ଦେଇଛୁ ଦେଖାଯାଉ କଣ ହଉଛି । ତୁ କେବଳ ଏତିକି କର ମନୁ ଯେମିତି ତୋ ଏମ୍. ଏ. ରେଜଲ୍ଟ ଉପରେ ଏ କଥାର କୌଣସି ପ୍ରଭାବ ନ ପଡ଼େ ।

 

: ତୁ ଠିକ୍ କହିଛୁ ସନ୍ତୋଷ ଛଡ଼ା ତା ଉପରେ ଆଲୋଚନା କରି ଲାଭ ନାହିଁ ।

 

: ସମସ୍ତେ ବୋଧହୁଏ ବସକୁ ଗଲେଣି । ବାଲି ଉପରୁ ଉଠିଯିବା ସମୟରେ ମନୋଜ କହୁଥିଲା—ଏ ପିକ୍‍ନିକ୍‍ ନିଶ୍ଚୟ ସବୁଦିନ ପାଇଁ ମନେ ରହିଯିବାର ସନ୍ତୋଷ କେବଳ ଏଇଥି ପାଇଁ ଯେ ଗୋଟିଏ ନିରୀହ ଝିଅ ମନରେ । ମୁଁ ଆଜି ବଞ୍ଚି ରହିବାର ଅନେକ ଆଶା ଜାଗ୍ରତ କରିପାରିଛି ।

 

: ହଁ, ନୁହେଁ ତ ଆଉ କଣ ?’ ମନୋଜ ସାମାନ୍ୟ ଗମ୍ଭୀର ହୋଇ ଯାଇଥିଲା । ତା କଥା ସନ୍ତୋଷ ମନରେ କି ପ୍ରଭାବ ପକାଇଥିଲା ସେ କଥା ମଧ୍ୟ ସେ ଜାଣିଥିଲା । ତେବେ ବି ଦୁଇବନ୍ଧୁ ନୀରବ ଥିଲେ ।

 

ଗାଡ଼ିକୁ ଆସିବା ପରେ ସନ୍ତୋଷ ସମସ୍ତଙ୍କୁ ଅନୁରୋଧ କରିଥିଲା ମାମି ପାଇଁ ଭଲରେ ସ୍ଥାନଟିଏ ଦବାକୁ । କେବଳ ସେତିକି ନୁହେଁ ମାମିର ନ ଖାଇଥିବା ଖବର ମଧ୍ୟ ସେ ପିଲାଙ୍କୁ ଜଣାଇ ଦେଇଥିଲା । ମାମିର ନ ଖାଇଥିବା କଥା ଶୁଣି ନିଜ ଅଜଣାତରେ ଚମକି ଉଠିଥିଲା ମନୋଜ । କିନ୍ତୁ କାହିଁକି ତା ମନରେ ମାମି ପ୍ରତି ଏମିତି ସହାନୁଭୂତି ସୃଷ୍ଟି ହଉଥିଲା ସେ କଥା ଜାଣିବାରେ ଅସମର୍ଥ ଥିଲା ମନୋଜ ।

 

ମାମିକୁ ନବାକୁ ସେଦିନ ରାତିରେ ବିଜୟବାବୁ ଆସି ପହଞ୍ଚିଥିଲେ । ମନୋଜର ପିକ୍‍ନିକ୍‍ ଯିବା ଖବର ଜାଣିଥିଲେ ସେ ହସିଦେଇ ତାକୁ ଭଦ୍ର ନମସ୍କାରର ଉତ୍ତର ଦେଇ କହିଥିଲେ–କଣ ବହୁତ ମଜ୍ଜା କଲଟି ? ହସିଦେଇ ମୁଣ୍ଡ ହଲାଇଥିଲା ମନୋଜ । ସନ୍ତୋଷ ସହ ମଧ୍ୟ ତାଙ୍କର ପରିଚୟ ହୋଇଗଲା । ଖୁସି ହୋଇଥିଲେ ସେ । ବାସ୍ତବିକ୍ ସନ୍ତୋଷଟି ବେଶ୍ ଭଲ ପିଲା ଥିଲା ।

 

ଶୀତ ସକାଳର ଖରାହେଲେ ମଧ୍ୟ ତାର ତେଜସ୍ଵୀ ପ୍ରତି ଫଳନରେ ନିଦ୍ରା ଭଗ୍ନ ହେଲା ମନୋଜର । ପିକ୍‍ନିକ୍‍ରୁ ରାତି ଡେରିରେ ଫେରିଥିବାରୁ ତାକୁ ସକାଳୁ କେହି ଉଠାଇ ନଥିଲେ । ଘଡ଼ିକୁ ଚାହିଁ ଚମକି ଉଠିଲା ସେ, ପ୍ରଥମ କ୍ଲାସ୍‍ଟା କରି ହବନି । କାରଣ ସେତେବେଳକୁ ୯ଟା ବାଜିବାକୁ ପନ୍ଦର ମିନିଟ୍ ବାକିଥିଲା । ବାହାରେ ଆସି ସେ ଦେଖିଲା ସମସ୍ତେ କାର୍ଯ୍ୟରତ କେହିବି ତା ପାଇଁ ଅପେକ୍ଷା କରି ନାହାନ୍ତି । ଏହାର ସୃଷ୍ଟିର ବୈଚିତ୍ର୍ୟ, ସମୟ କାହାକୁ ଅପେକ୍ଷା କରେନି । ଠାକୁର ଘରୁ ବାହାରି ବ୍ୟସ୍ତ ହେଉ ଥିଲେ ବାସନ୍ତୀ ଦେବୀ । ତାଙ୍କର ପାଟି ଶୁଭୁଥିଲା । ବାପାଙ୍କୁ ନିଜର ଦୋଷ ଲୁଚାଇବା ପାଇଁ ବହି ଖଣ୍ଡେ ଧରି ଇଜି ଚୌକି ଉପରେ ବସିଗଲା ସେ । ଯେଉଁଠିକୁ କି ବାପାଙ୍କୁ ପାଟି ସ୍ପଷ୍ଟ ଶୁଭୁଥିଲା—“କାହିଁକି ପାଟି ଗୁଡ଼ାଏ କରୁଛ କହିଲ ? ପିଲାଟା ତ କେବେ ବି ଶୁଏନା ହୁଏତ ଦେଟହା ଭଲ ଲାଗୁ ନଥିବ ।” ବାପାଙ୍କ କଥା ସରିବା ସଙ୍ଗେ ସଙ୍ଗେ ମନୋଜକୁ ଥଣ୍ଡା ହୋଇଥିବାର ଖବର ମିଳିଗଲା । ଏକା ସଙ୍ଗେ ୨।୩ଟା ଛିଙ୍କ ହୋଇଯିବା ଦ୍ଵାରା । ସିଡ଼ି ଦେଇ ଆସୁଥିବା ବାସନ୍ତୀ ଦେବୀଙ୍କ ରାଗ ସ୍ଥଗିତ ହୋଇଗଲା । ବାଲକୋନୀରେ ବସିଥିବା ଅତ୍ୟଧିକ ଥଣ୍ଡାଗ୍ରସ୍ଥ ପୁଅଟିକୁ ଦେଖି ।

 

: କିରେ, କେତେବେଳୁ ଉଠିଲୁଣି ? ତତେ ଏତେ ଜୋରରେ ଥଣ୍ଡା ହେଲା କେମିତି ? ମନୁର କପାଳରେ ହାତ ମାରି ପ୍ରଶ୍ନ କରୁଥିଲେ ସେ ।

 

: କାଲି ଟିକେ କେମିତି ଥଣ୍ଡାଟା ଧରି ନେଲା ଯେ... ।

 

: କାଲି କେତେ ରାତିରେ ଫେରିଲୁ ?

 

: ବାରଟା... ।

 

: କାହିଁକି ? ଶୀଘ୍ର ଫେରିବାର ଥିଲା ପରା ?

 

: ଟିକେ ଗପ କରୁ କରୁ ଡେରି ହୋଇଗଲା... ।

 

: ଦେହ ଖରାପ ଲାଗୁଥିଲା ଯଦି ଶୀଘ୍ର... ।

 

: ଓଃ ବୋଉ ପାଟି କରନି ବାବା, ବାପା ଜାଣିବେ କାନ ଧରୁଛି ଆଉ ଜମାରୁ ଡେରି ହବନି । ମନୋଜର ପିଲାଳିଆମି ବାସନ୍ତୀ ଦେବୀଙ୍କ ମା’ ମନଟା ଟାଣି ନେଇଗଲା କୌଣସି ସତାହୀନ ଗହ୍ୱର ଭିତରକୁ । ବୋଉର ଅବସ୍ଥା ଦେଖି ବିଚଳିତ ମନୋଜ ପୁନର୍ବାର ପ୍ରଶ୍ନ କରିଥିଲା–ବୋଉ ବାପା କଣ ବର୍ତ୍ତମାନ କୁଆଡ଼େ ଯିବେନି ? ବାସନ୍ତୀ ଦେବୀ ସମ୍ଭିତ ଫେରି ପାଇଲେ । ବାହାରେ ଗାଡ଼ି ବାହାରି ଯିବାର ଶବ୍ଦ ।

 

ନିତ୍ୟକର୍ମ ସାରିଲା ବେଳକୁ ଦଶଟା ବାଜି ଯାଇଥିଲା ଖାଇ ବସିଲା ମନୋଜ ପାଖରେ ବସିଥିଲେ ବାସନ୍ତୀ ଦେବୀ ।

 

: କାଲି ତ ପିକ୍‍ନିକ୍‍ ଗଲୁ ଆଜି ପୁଣି କି କଲେଜ ?

 

: ବୋଉ, ତୁ କଲେଜର ପ୍ରିନିସ୍‍ପାଲ ହୋଇଥିଲେ ଭଲ ହୋଇଥାନ୍ତା ଦେଖୁଛି । ଆମେ ତ ପିକ୍‍ନିକ୍‍ ଗଲୁ, କଲେଜ କାହିଁକି ଛୁଟି ହବ ଏଁ ?

 

: ତେବେ ତୋର ଆଜି ସକାଳୁ କ୍ଲାସ ଥିଲା... ।

 

: କ୍ଲାସ ଦିଟା ହବନି, ସାର୍ ମନା କରିଥଲେ ।

 

: ଛାଡ଼ ସେ କଥା । କହିଲୁ କାଲି କଣ ସବୁ କଲ ?

 

: କଣ ଆଉ ହବ, ଖିଆ ପିଆ ବୁଲା ବୁଲି... । ପିଲାତ ମୂଳରୁ ପଚିଶ ଜଣ । ଠିକ୍ କଥା ମନେ ପଡ଼ିଛି । ସେ ଝିଅଟା ଯାଇଥିଲା ।

 

: କିଏ ମ ? ବାସନ୍ତୀ ଦେବୀଙ୍କ ବିରକ୍ତିକର ପ୍ରଶ୍ନ ଅବୋଧ୍ୟ ମନୋଜ ବୁଝି ପାରିଥିଲା ।

 

: ଯେଉଁ ଝିଅ କଥା ତତେ କହୁଥିଲି ମତେ କମେଣ୍ଟ...

 

: ଓଃ ହଁ, କଣ ହେଲା ସେଠୁ ?

 

: ହବ ଆଉ କ’ଣ ? ଯାହା କହ ବୋଉ ଝିଅଟା ଭୀଷଣ ରାଗି ଠିକ୍ ବାପାଙ୍କ ପରି ବାପରେ ମୋ ଜୀବନରେ ଏମିତି ଝିଅଟେ ଦେଖି ନଥିବି ।

 

: ଏମିତି କେତେ ଝିଅ ଦେଖିଲୁଣି କି ? ବାସନ୍ତୀ ଦେବୀଙ୍କ ବିଚଳିତ ପ୍ରଶ୍ନ ଓ ମୁହଁର କାଳିମାକୁ ବେଶ୍ ଲକ୍ଷ କରିଥିଲା ମନୋଜ—ସେ ଝିଅଟି ନାଁ କଣ ? ତତେ କିଛି କହୁଥିଲା କି ?

 

: ଆରେ ବୋଉ କଣ ହେଲା, ସେଥିରେ ତୁ ଏତେ ବ୍ୟସ୍ଥ ହୋଇ ଯାଉଛୁ... ।

 

: ସେ ଝିଅ ଯଦି ଗଲା, ତୁ କାହିଁକି ଗଲୁ ଯେ ? ସେ ଝିଅ କିଏ ଶୀଘ୍ର କହ ନଚେତ୍ ବାପାଙ୍କୁ କହିଦେବି ।

 

: ମାରିଦବ ଦେଖୁଛି ? ଶୁଣିବୁ ସେ କିଏ ? ଖାଉଥିବା ଅବସ୍ଥାରେ ପ୍ରଶ୍ନ କଲା ସେ ।

 

: ହଁ, ଶୁଣିବି । ମତେ ଯାହା ଜଣାଗଲାଣି । ତୁ ମତେ ବହୁତ କଥା ଲୁଚାଉଛୁ । ଏତେ ଜଗିଥିଲି କଣ ଏଇଥି ପାଇଁ ? ଅତ୍ୟଧିକ ଭାବପ୍ରବଣ ହୋଇ ଉଠୁଥିଲେ ସେ । ଖାଇସାରି ହାତ ଧୋଉଥିବା ଅବସ୍ଥାରେ ମନୋଜ ଲକ୍ଷ କରିଥିଲା ତା ମା’କୁ ଯାହାକୁ କି ସେ ତା ଜୀବନର ପ୍ରଧାନ ଆଶ୍ରୟସ୍ଥଳୀ ବୋଲି ଜାଣେ । ବାସନ୍ତୀ ଦେବୀଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ଯାଇଥିଲା ବୋଉ ଆଖିରୁ ଲୁହ ପୋଛି ତା ମୁହଁକୁ ଅନାଇଥିଲା ମନୋଜ—‘ବୋଉ କଥାଟା କିଛି ନୁହେଁ ଝିଅଟାକୁ ତମେ ଭଲରେ ଜାଣ ତମକୁ ଚିଡ଼ାଇବାକୁ ମୁଁ ଏମିତି ଭୂମିକା ନେଉଥିଲା ସେ ବିଜୟ ମଉସାଙ୍କ ବଡ଼ ଝିଅ,...’ । ମନୋଜ କଥାରେ ହଠାତ୍ ଅପ୍ରକାଶ୍ୟ ଆନନ୍ଦରେ ହସି ଦେଲେ ବାସନ୍ତୀ ଦେବୀ ପରମୂହୁର୍ତ୍ତରେ କହିଥିଲେ—ସତ....ସତ କହୁଛୁ ତତେ ମାମି ଏମିତି କହିଲା... ।

 

: ହଁ ବୋଉ ସତ କହୁଛି ତମକୁ କଣ ମୁଁ କେବେ ମିଛ କହେ କିନ୍ତୁ— । କିନ୍ତୁ ତମେ ଏମିତି ଅସହ୍ୟ ହୋଇ ଉଠିଲ କାହିଁକି ? ଆଖିରୁ ଲୁହ ପୋଛି ବାସନ୍ତୀ ଦେବୀ କହୁଥିଲେ—ବାପାରେ ବାପ କଥା ପୁଅକୁ କହିବି କଣ ? ଏଇ ରଘୁ ସବୁର ସାକ୍ଷୀ ବାପା ମା’ଙ୍କ ପସନ୍ଦରେ ମତେ ବାହା ହେଲେ ମଧ୍ୟ ତୋ ଜନ୍ମ ୪ । ୫ ମାସ ପୂର୍ବରୁ ତୋ ବାପା ଭୁଲ କରି ଦେଲେ ସେ ଭୁଲ ପାଇଁ ମୁଁ ୩ ବର୍ଷ ବହୁତ କଷ୍ଟ ପାଇଛି । ତୋ ସାଙ୍ଗିଆ ବିଜୟ ବାବୁଙ୍କ ପୁଅଟିଏ ହୋଇଥିଲା ସେ ଚାଲିଗଲା କିନ୍ତୁ ସେ କଷ୍ଟରେ ବି ତୋ ବାପା ପଛରେ ଲାଗି ଲାଗି ତାଙ୍କୁ ବାଟକୁ ଆଣିଲେ ତୁ ବାପ ପାଇଲୁ ମୁଁ ସଂସାର ପାଇଲି ପ୍ରାୟ ସାଢ଼େ ତିନିବର୍ଷ ପରେ ଆମେ ଦି’ଜଣ ତତେ ନେଇକରି ମାମିର ମାସିକିଆ ଭୋଜି ଖାଇ ଯାଇଥିଲୁ ଝିଅର ନାଁ ବଛା ଯାଇଥିଲା ସେ ମୋ କୋଳରେ ଥିଲା ତୁ ରାଗୁଥିଲୁ ତାକୁ ମୋ କୋଳରେ ଦେଖିକରି ଶେଷରେ ତୋ ନାଁରେ ତା ନାଁକୁ ମୁଁ ଏକାଠି କରିଥିଲି ସେ ଦିନଠୁ ତାକୁ ମୋର କରି ନେଇଥିଲି । କହିଲୁ ବାପା ମୁଁ କଣ କିଛି ଭୁଲ କରିଛି ?

 

: ଓଃ ତା ମାନେ ବିଜୟ ମଉସା ବାପାଙ୍କ ସାଙ୍ଗ ନୁହନ୍ତି— ।

 

: କିଏ କହିଲା । ସେ ତାଙ୍କ ପିଲାଦିନର ସାଙ୍ଗ କିନ୍ତୁ ବାହାଘର ପରେ ୨ । ୩ ବର୍ଷ ଏକଡ଼ ସେକଡ଼ ହୋଇଯାଇଥିଲା, ହେଲେ କଣ ହବ ବିପଦ ବେଳେ ସେ ମୋର ସହାୟ ହେଉଛନ୍ତି-। ତାଙ୍କ ଋଣ ସବୁଦିନ ଧରି ରଖିବାକୁ ମୁଁ ତାଙ୍କ ମାମିଙ୍କୁ ମାଗିଥିଲି । ତୁ ତାକୁ ଆଉ କିଛି ବି କହିବୁନି-? ଅବୋଧ୍ୟ ମନୁ ବୋକା ପରି ଅନାଇଥିଲା ବୋଉକୁ—

 

: ଆଚ୍ଛା ବୋଉ ତା ନାଁ ଶୁଣିଲା ପରଠୁ ତ ଏତେ ଖୁସି ତାକୁ ପାଖରେ ଦେଖିଲେ କଣ ନ ହଉଥିବୁ ? ବୋଉର ଆନନ୍ଦ ଉପଲବ୍ଧ କରିଥିଲା ମନୋଜ । “ବିଜୟ ମଉସାଙ୍କୁ ତ ମାଗିଥିଲୁ ତେବେ ତାକୁ ପାଖକୁ ଆଣୁନୁ କାହିଁକି ? ପୁଅର ପ୍ରଶ୍ନରେ ସ୍ତମ୍ଭୀଭୂତ ହୋଇଗଲେ ସେ ଧାରଣା ତାଙ୍କର ଦୃଢ଼ହୋଇ ଉଠିଲା ଯେ ମାମି ପାଖରେ ବାନ୍ଧିହୋଇ ଯାଇଛି ଅବୋଧ୍ୟ ଅବାଧ୍ୟ ମନୁ—

 

: କଣ କହିଲୁ ଆଣିବି ? ହସୁଥିଲା ମନୋଜ ପୂର୍ବପରି ତା’ ମା’ର ଆନନ୍ଦରେ ହିଁ ତାର ଖୁସି—

 

: ହଁ...କିନ୍ତୁ ବୋଉ ତାକୁ ଆଣିବା ଦିନ ମତେ କହିଦବୁ... ।

 

: କିରେ କାହିଁକି ?

 

: ନୁହେଁ ତ ଆଉ କଣ ମତେ ଦେଖିଲେ ସେ ବାଟରୁ ପଳାଇବ—ବିଚରା ତୋ ସ୍ନେହ ପାଇବନି କିନ୍ତୁ ବୋଉ ସତ କହ ମୋଠୁ’ ତାକୁ ବେଶୀ ଭଲ ପାଇବୁନିତ ।” ଅବୁଝା ମନୋଜ କହି ଯାଉଥିଲା ତା କଥା, ଆଉ ହସୁଥିଲେ ବାସନ୍ତୀ ଦେବୀ, ଆଖିରେ ତାଙ୍କର ଲୁହ ।

 

ଆରେ ପାଗଳ ତାକୁ ମୁଁ ଆଣିବାର ହୋଇଥିଲେ କେବେଠୁ ଆଣି ସାରନ୍ତିଣି । ତାକୁ ମୁଁ କେମିତି ଆଣିବି ? ତାକୁ ତୁ—ମନୋଜର ମୁଣ୍ଡ ଗଣ୍ଡଗୋଳ ହୋଇ ଉଠୁଥିଲା’—

 

: ଏଁ—ମୁଁ—ନା—ନା—ସେ କଥା କେମିତି ହବ ? ମନୋଜ ତଟସ୍ଥ ହୋଇ ଚାହିଁଥିଲା ତାକୁ ଯୋରରେ ହଲାଇ ଦେଇ କହୁଥିଲେ—

 

: ସବୁ ହବରେ ପାଗଳ ସବୁହବ ସେ ପରା ଦତ୍ତା ହୋଇଯାଇଛି—ସେ ରହିବ କେଉଁଠି ସବୁଦିନେ ସେ ତୋର—ନିରୀହା ମା’ର ମାତୃ ହୃଦୟ ଭାଙ୍ଗିଦବାର ଶକ୍ତି ହଜିଗଲା ମନୋଜର, ମା ଖୁସିରେ ଭାଗ ନବାପାଇଁ ମଧ୍ୟ ତାର ଶକ୍ତି ନଥିଲା ଯୋରକରି ହସରେଖା ମୁହଁ ଉପରକୁ ଟାଣିଆଣି ବାହାରି ଆସିଲା ବୋଉ ପାଖରୁ ନତ ମସ୍ତକରେ । ପଛରୁ ତାକୁ ଚାହିଁ ଅତ୍ୟଧିକ ଖୁସିରେ ହସୁଥିବା ବୋଉର ସ୍ଥିତିକୁ ସେ ବେଶ୍ ଉପଲବ୍ଧି କରିପାରିଥିଲା । କଥାଟା ଜାଣିବା ପରେ ଗୋଟେ ମୁହୂର୍ତ୍ତବି ତାକୁ ଘରେ ରହିବାକୁ ଇଚ୍ଛା ହଉନଥିଲା ବୋଉର ହସଟା ତାକୁ ଅତ୍ୟଧିକ ଦୁର୍ବଳ କରି ଦଉଥିଲା । ସନ୍ତୋଷକୁ ସେ କିଛିଟା କହିବ, କିନ୍ତୁ ସନ୍ତୋଷ ମାମି ପ୍ରତି ବିରୋଧଭାବ ଦେଖାଇବ ନାହିଁ; ତାଛଡ଼ା ମାମିକୁ ବିରୋଧ କରି ବୋଉ ମନରେ ମଧ୍ୟ ସେ କଷ୍ଟ ଦବନି । ସନ୍ତୋଷ ତାକୁ ଉପଦେଶ ଦେବାର ଗୁରୁତ୍ଵ ସେ ବର୍ତ୍ତମାନ ଉପଲବ୍ଧି କରୁଥିଲେ ମଧ୍ୟ ତା ହାତରେ କିଛି ବି ନଥିଲା । କଲେଜ ଚାଲିଯିବା ପୁଅକୁ ପଛରୁ ଡାକୁଥିଲେ ବାସନ୍ତୀ ଦେବୀ ।

 

: ମନୁ...

 

: ଆଜ୍ଞା...

 

: କଲେଜ ବାହାରିଲୁ କି ?

 

: ହଁ, ବୋଉ ମନର ଅକୁହା ପୁଲକ ବେଶ୍ ଉପଲବ୍ଧି କରିପାରୁଥିଲା ମନୋଜ ।

 

: ଶୀଘ୍ର ଆସିବୁ... ?

 

: ଆଚ୍ଛା ବୋଉ କହତ ସେମିତି କାମ ନପଡ଼ିଲେ ମୁଁ କଣ ଡେରି କରେ ?

 

: ଆରେ ଯାହା ବି କାମ ଥିଲେ ତେବେ ଆଜି ଆସିବାକୁ ପଡ଼ିବ, ବାପା କହିଛନ୍ତି ।

 

: ମୁଁ ତ ତାଙ୍କ ହାତ ଖେଳଣା ଯେଉଁ ଦିଗକୁ ମୋଡ଼ିବେ ଚାଲିବି... ।

 

: ଆରେ, ତାଙ୍କ ଘରକୁ ମାନେ ବିଜୟ ମଉସାଙ୍କ ଘରକୁ ଯିବା ସମସ୍ତେ... ।

 

: ଏଁ, ପ୍ରକାଶ୍ୟରେ ଚମକି ପଡ଼ିଥିଲା ମନୋଜ । ବୋଉ ଏ ପାଗଳାମି କାହିଁକି ମୁଣ୍ଡକୁ ଆସିଲା କହତ ? କଣ ସମସ୍ତଙ୍କୁ ଜଣାଇବାକୁ ? ତାଛଡ଼ା ତୁ ତ ଜାଣିଛୁ ମତେ ବାହା ଘରକୁ ଯିବାକୁ ଭଲ ଲାଗେନା ।

 

: ସେଠିକୁ ତ ଯିବାକୁ ତତେ ପଡ଼ିବ, ସତକଥାଟା ତ ସମସ୍ତେ ଜାଣନ୍ତି ଅଧିକ କଣ ଜାଣିବେ । ବୋଉ ଆନନ୍ଦଟା ଉପଲବ୍ଧି କରୁଥିଲା ମନୋଜ । ବୋଉକୁ ମନେଇବାକୁ ହିଁ ପଡ଼ିବ ରାଗିଲେ କଦାପି ହବନି, ବାପାଙ୍କ ପ୍ରକୃତି ସେ ଜାଣେ...

 

: ବୋଉ ଭାରି ଖୁସି ନା ? ତୁ କହ ମୁଁ କେମିତି ଯିବି ? ସନ୍ତୋଷକୁ କାଲିଠୁ ସେ ନିମନ୍ତ୍ରଣ କରିଛି । ତୁ ତ ସନ୍ତୋଷ କଥା ଜାଣୁ, ସେ ମତେ ବାଟ ଚଳାଇ ଦବନି । ସେଇ କଲେଜରେ ପୁଣି ଗୋଟେ ବର୍ଷ ପଢ଼ାଅଛି, ସମସ୍ତେ ଜାଣିବେ... ।

 

: ଜାଣନ୍ତୁ ସମସ୍ତେ କଣ ହେଲା ସେଠୁ ?

 

: ହବ ଆଉ କଣ ପରୀକ୍ଷାରେ ଫେଲ୍... ।

 

: କିରେ ପରୀକ୍ଷାରେ ଫେଲ୍ କାହିଁକି ହବୁ ?

 

: ଓଃ ବୋଉ ତତେ କେମିତି କହିବି ? ସେ ଜାଣିବ ମୁଁ ଜାଣିବି ସାଙ୍ଗସାଥୀ, ଲେକ୍ଚର ପ୍ରଫେସର ସମସ୍ତେ ପାସ୍ କଣ ଫାଷ୍ଟ କ୍ଲାସ ଫାଷ୍ଟ...

 

: ହେଲା, ମୁଁ ସନ୍ତୋଷକୁ କହିଦେବି ସେ କାହାକୁ ବି କହିବନି । ଆଉ ମାମି ସେ ତା’ ସୁନ୍ଦର ସ୍ୱାମୀଙ୍କ ପରିଚୟ କାହାକୁ କହିବନି, ସେ ଏତେ ନିର୍ଲ୍ଲଜ ନୁହେଁ ।

 

: ତୁ କେମିତି ବୁଝୁନୁ ଯେ ?

 

: କଣ ମୁଁ ବୁଝୁନି । ମୁଁ ସବୁ ବୁଝିଛି, ଆରେ ପାଗଳ ମାମି ବହୁପୂର୍ବରୁ ସବୁ ଜାଣେ ତତେ ବି ଜାଣେ...ତୋ ଗୁଣ ବି ଜାଣେ । ବୋଉ କଥାରେ ନିଜ ଅଜାଣତରେ ମଧ୍ୟ ଚମକି ପଡ଼ିଥିଲା ମନୋଜ ଯୁକ୍ତିକରି ଲାଭ ନାହିଁ । ସମୟରେ ଫେରି ଆସିବାର କଥାଦେଇ ସେ ଚାଲିଗଲା ତାର ଲୀନାକୁ ଦେଇଥିବା କଥା ବାରମ୍ଵାର ମନେ ପଡ଼ୁଥିଲା—ମୋ ବୋଉ ନାଁ’ରେ ଶପଥ କରି କହୁଛି...-

 

ମନୋଜର ମନ ଭାରାକ୍ରାନ୍ତ ହୋଇ ଉଠୁଥିଲା ମାମି ଜାଣିଛି, ଅଥଚ ଲୀନାସହ ତାକୁ ଦେଖି ସବୁ ଜାଣିଶୁଣି ମଧ୍ୟ ସେ ବିରୋଧ କଲାନି କାହିଁକି ? ସେ କଥା ମନୋଜ ପାଖରେ ଅବୋଧ୍ୟ ରହିଗଲା କେମିତି ସେ ମାମିର ସମ୍ମୁଖୀନ ହବ ତାହା ହିଁ ଥିଲା ତାର ପ୍ରଧାନ କଥା । ମାମି ଯଦି ସିଧାସଳଖ ସବୁ ପ୍ରକାଶ କରି ମନୋଜକୁ ଅପଦସ୍ତ କରେ ? ଲୀନାକୁ ବୋଉ ଗ୍ରହଣ କରିବ ତ ? ବୋଉ ମନରେ ଅଶାନ୍ତି ଦେଇ ସେ କଣ ଲୀନାକୁ ନେଇ ସୁଖୀ ହୋଇପାରିବ ? ଅନେକ ପ୍ରଶ୍ନକୁ ନେଇ ସେ ଗୋଟିଏ ପୁରୁଷ, ସେ ସମସ୍ତ ତାକୁ ଆଜି ସମ୍ମୁଖୀନ ହବାକୁ ପଡ଼ିବ ଏଟା ଯେମିତି ଥିଲା ତା ଜୀବନର ଲକ୍ଷ୍ୟ ଆଇ. ଏ. ଏସ୍, ପରୀକ୍ଷା ପ୍ରଶ୍ନରୁ ଅଧିକ ଜଟିଳତର । ଅନେକ ପ୍ରଶ୍ନନେଇ କଲେଜ ହତା ଭିତରେ ପଶିଗଲା ମନୋଜ । କଲେଜରେ ପ୍ରଥମେ ଦେଖାହେଲା ସନ୍ତୋଷ ସହିତ, ସତେ ଯେମିତି ସନ୍ତୋଷ ତାକୁ ଅପେକ୍ଷା କରିଥିଲା, ମନୋଜର ଭାବପ୍ରବଣତାକୁ ଲକ୍ଷ୍ୟ କରୁଥିଲା ସେ ଅନେକ କିଛି ଜାଣିଲା ପରି, କିନ୍ତୁ କିଛି ନଜାଣିଲା ପରି ବନ୍ଧୁର ସହୃଦୟତା ରକ୍ଷାକରି କହିଲା–ତୋର କଣ ହୋଇଛି କିରେ ? ମୁହଁ କାହିଁକି ଏମିତି ଶୁଖିଯାଇଛି ?

 

: ଏଁ, ନାଁ କିଛି ନାହିଁ ? ମନୋଜ ଭାବିଲା ଝିଅମାନଙ୍କ ପରି ସେ ଯଦି ତା ସାଙ୍ଗ ସନ୍ତୋଷ ସମ୍ମୁଖରେ କାନ୍ଦି ପାରନ୍ତା ତେବେ ତା ଯନ୍ତ୍ରଣାଟା କିଛି ପରିମାଣରେ କମିଯାନ୍ତା, ମାତ୍ର ସେ କାନ୍ଦି ପାରିବନି ଲୋକେ ହସିବେ କାରଣ ସେ ପୁଅପିଲା । କାନ୍ଦ ଉପରେ ଝିଅ ପିଲାଙ୍କର କେବଳ ଏକଚାଟିଆ ଅଧିକାର ।

 

: ମନୁ, ଛାଡ଼ ମୁଁ ତୋର କିଏ ଯେ ମତେ କହିବୁ ? ତତେ କିନ୍ତୁ ମୋର ଗୋଟେ କଥା କହିବାର ଥିଲା, ଛାଡ଼ କଥା ବର୍ତ୍ତମାନ ଦୁଇଟା ହୋଇଗଲାଣି ।

 

: କଣ କହ ? ଧୀରେ ପ୍ରଶ୍ନ କଲା ମନୋଜ ।

 

: ପ୍ରଥମ କଥା ଏତେ ଗମ୍ଭୀର ହ’ନା ଭାଇ ? ତୋ, ଏ ମୁହଁଟା ମୁଁ ଜମାରୁ ସହ୍ୟ କରିପାରୁନି । ଆଉ ଦ୍ଵିତୀୟରେ ମୁଁ ଟିକେ ମାମି ଘରକୁ ଯିବି । ତୁ ଟାଇମରେ ମୋପାଇଁ ଥାଡ଼‌ପେପର ପାଇଁ ଭଲ ବହିଟେ ଲାଇବ୍ରେରୀରୁ ବାଛି ଆଣିଥିବୁ । ମୋ କାର୍ଡ଼ରେ ତୋ କାର୍ଡ଼ରେ ନୁହେଁ ?

 

: ହୁଁ ! ଦିନରେ କାହିଁକି ଯିବୁ ? ସନ୍ଧ୍ୟାରେ ତ ତାଙ୍କର ଭୋଜି ।

 

: କଣ ଲାଭ କହିଲୁ ? ଆମ ସମାଜ କଥାତ ଜାଣୁ ? ଆଜି ପୁଣି ମାମିର ନିର୍ବନ୍ଧ ବୋଲି ମଉସା କହୁଥିଲେ, ସେ ଭାଗ୍ୟବାନକୁ ଦେଖିବାକୁ ଭାରି ଇଚ୍ଛାଥିଲା । କିନ୍ତୁ କଣ ହବ ଭାଗ୍ୟରେ ଏବେ ଥିଲେ ସିନା, ଦେଖିବା ପାଇଁ ବାହାଘରରେ...ସନ୍ତୋଷର ହସର ଅର୍ଥ ବୁଝିପାରୁଥିଲା ମନୋଜ । ଦାନ୍ତକାମୁଡ଼ି ରହିଗଲା ସେ—ସନ୍ତୋଷ ତୋର ହସିବାର ସମୟ ଆସିଛି ତୁ ହସିବୁନି ତ ଆଉ କଣ ?

 

: କିରେ ମନୁ ତୋର କଣ ହେଲା ? ସନ୍ତୋଷର ଅଜଣା ପ୍ରଶ୍ନ ।

 

: କିଛି ଜାଣିନୁ ନା ? ରାଗି ଯାଇଥିଲା ମନୋଜ । ସେଟା ତା’ ସ୍ଵଭାବ ।

 

: ଆରେ ପାଗଳ କହିଲୁ, ମୁଁ କଣ ଖାଲି ତୋ ସାଙ୍ଗ ? ମୁଁ ଖୁସି ହେବିନି ତ ଆଉ କିଏ ହବ ? ଭାବିଥିଲି ସକାଳୁ ମାମିକୁ ଶୁଭ ଜନ୍ମଦିନ ଜଣାଇ କାମ ଶେଷ କରିଦେବି କିନ୍ତୁ କଣ ହବ ମଉସାଙ୍କ ହାବୁଡ଼ରେ ପଡ଼ିଲି, ସେ ତ ଜାଣନ୍ତି ମୁଁ ତୋ ସାଙ୍ଗ । ତାଙ୍କ ସହ କଥାବାର୍ତ୍ତାରୁ ମୁଁ ତାଙ୍କର ତୋ ପ୍ରତି ଥିବା ଗଭୀର ଆତ୍ମୀୟତା ବୁଝିନେଲି, ତାଙ୍କ ମନଭାଙ୍ଗି ଦବାର ଇଚ୍ଛା ନଥିଲା । ତାଛଡ଼ା ମାମି କହିଲା, ସେ ପୂର୍ବରୁ ସବୁ ଜାଣେ... ।

 

: ସେମିତି ଝିଅକୁ କଣ କହିବ କହିଲୁ, ବର୍ତ୍ତମାନ ଆପତ୍ତି କରିଦେଲେ ହୁଏତ ସମସ୍ତଙ୍କର ମଙ୍ଗଳ ହୁଅନ୍ତା ।

 

: ସେ ବିଷୟରେ ମାମି କଣ କହିଲା ଜାଣୁ ? ‘ଆଶ୍ଚର୍ଯ୍ୟ ଭାବରେ ମନୋଜ ଚାହିଁଥିଲା ସନ୍ତୋଷକୁ—ତା’ ମାନେ ସନ୍ତୋଷ ସବୁକିଛି କାମ ବଢ଼ାଇ ଦେଇଛି । ମନୋଜର ଅବ୍ୟକ୍ତ ଭାଷା ଉପଲବ୍ଧି କରି ସନ୍ତୋଷ କହିଲା—ସେଟା ୟୁଥ୍ ମୁଡ୍ (ଯୁବ ସ୍ଵଭାବ), ସନ୍ତୋଷ ଭାଇ ସେଥିପାଇଁ ମୁଁ ମୋ ବାପାଙ୍କ ମନ ଭାଙ୍ଗି ପାରିବିନି ।’

 

: ସନ୍ତୋଷ ସେ ତା’ ବାପା ମନ ଭାଙ୍ଗିନପାରିବା ପରି ମୁଁ ମଧ୍ୟ ମୋ ବୋଉ ମନ ଭାଙ୍ଗିପାରିବିନି ସନ୍ତୋଷ । ମୋ ବୋଉ ପାଇଁ ମୁଁ, ତା ଖୁସି ପାଇଁ ମାମିକୁ ସ୍ତ୍ରୀ କରି ଆଣିବି, କିନ୍ତୁ ଲୀନାକୁ ଦେଇଥିବା କଥା ଭାଙ୍ଗିଦବା ମୋ ପକ୍ଷେ ସହଜ ନୁହେଁ ।

 

: ତୁ ଏମିତି ଅବୋଧ୍ୟ ରହିଯିବାକୁ ଚାହୁଁଛୁ କାହିଁକି ମନୁ ? ପ୍ଲିଜ୍ ବି ଫ୍ରାଙ୍କ୍... ।

 

: ମୁଁ କିଛି ବି ପାରିବିନି ସନ୍ତୋଷ । ମୋ ପାଖେ ସମୟ ନାହିଁ, ତା ଛଡ଼ା ତୁ ତ ମୋ ବାପାଙ୍କୁ ଜାଣୁ ? ସେ ଝିଅର ଯଦି ଏତେ ସାହସ ସେ ଜ୍ଵଳନ୍ତା ଅଗ୍ନିକୁ ଡେଇଁ ପଡ଼ିବ, ସେଥିରେ ମୋର କହିବାର କିଛି ନାହିଁ ।

 

: ତେବେ ମୁଁ ଲୀନା ସହ ଦେଖାକରୁଛି ?

 

: ଲାଭ... ।

 

: ସେ ଯଦି ତତେ ମୁକ୍ତି କରିଦିଏ... ।

 

: ସେ ମତେ ରଖିନି ସନ୍ତୋଷ, ତାକୁ ବାନ୍ଧି ରଖିବାର ଅପଚେଷ୍ଟା ମୁଁ କରିଥିଲି ।

 

: ତଥାପି କଥାଟା ଜାଣିବା ପାଇଁ... ।

 

: କଥାଟା ମୋଠାରୁ ଜାଣିଲେ ମଧ୍ୟ ଯଥେଷ୍ଟ, କିନ୍ତୁ ସନ୍ତୋଷ ଏତିକି ମନେ ରଖ, ତୁ କିଛି ବି କରିପାରିବୁନି ।

 

: ଆରେ ଝିଅମାନଙ୍କ ପ୍ରକୃତି ତୁ ଜାଣୁନା । ତୁ ହୁଏତ ଲୀନାକୁ କଥାଟା ପ୍ରଚାର ପୂର୍ବରୁ ଜଣାଇଲେ ସେ ଖୁସି ହବ, ନଚେତ୍ ଅନେକ ଅଭିଶାପ ଦବ... ।

 

: ସେ ଅଭିଶାପ ଦଉ ସନ୍ତୋଷ, ତା ଅଭିଶାପରେ ମୁଁ ଜଳିଗଲେ ସେ ଯଦି ଶାନ୍ତି ପାଇବ ତେବେ ଭଗବାନ ସେଇଆ କରନ୍ତୁ । ସନ୍ତୋଷ ସାମାନ୍ୟ ହସିଦେଇ କଥାଟା ହାଲୁକା କରିବା ପାଇଁ କହିଥିଲା—ଛାଡ଼; ତୁ ଯାହା କହୁଛୁ ତାହାହିଁ ହବ । ଦୁହେଁ ଉଠି ନୀରବରେ ଚାଲିଲେ, ମାତ୍ର ସନ୍ତୋଷର ଇଚ୍ଛା ହଉଥିଲା କହିଦେବାକୁ—“ମନୁ, ତୁ କେଡ଼େ ସ୍ୱାର୍ଥପରରେ ତୁ ଜଳିଗଲେ ତୋ ମା’ କଣ ଶାନ୍ତି ପାଇବ, ତୋ ଭଲ ପାଇବାଟା କଣ ତୋ ମା’ର ଶ୍ରଦ୍ଧାଠାରୁ ମଧ୍ୟ ବଡ଼ ହୋଇଗଲା ?” ମାତ୍ର ସେ କହିପରିଲାନି କେବଳ ତାସହ ମାମି ଘରକୁ ଯିବାର ପ୍ରତିଶ୍ରୁତି ଦେଇଗଲା । ମନୋଜ ନୀରବରେ ଘରକୁ ଫେରିଲା, କାରଣ କଲେଜରେ ସେଦିନ ସବୁ କ୍ଲାସ ସସପେଣ୍ଡ ହୋଇ ଯାଇଥିଲା ।

 

ବିଜୟ ବାବୁଙ୍କ ପରେ ହଉଥିବା ପୋଥିପାଲା ସରିଗଲା । ସମସ୍ତେ ପ୍ରମାଣକରି ଉଠିଯିବାପରେ ମନୋଜ ଆଣିବା ଖବର ସମସ୍ତଙ୍କୁ ଜଣାଇଥିଲା ମିତା ସନ୍ତୋଷ ଓ ମନୋଜ ମଝିରେ ଠିଆହୋଇ କଥାଟା କହିଥିଲା ସେ । ହିନ୍ଦୁ ରୀତିରେ ବାହାଘରର ନିର୍ବନ୍ଧକାର୍ଯ୍ୟ ପରିସମାପ୍ତି ହୋଇଗଲା । ସମସ୍ତଙ୍କ ଆନନ୍ଦ ମଧ୍ୟରେ ମାମି ଓ ବିଜୟ ବାବୁ ମନୋଜ ଗମ୍ଭୀର ମୁହଁର ଭାଷା ବୁଝୁଥିଲେ ଓ ପଢ଼ୁଥିଲେ କିଛି ସମୟ ପାଇଁ । ମାମି ମୁହଁକୁ ତଳକୁ ପୋତି ତା’ ଯନ୍ତ୍ରଣା କ୍ଲିଷ୍ଟ ମନଟାକୁ ଶାନ୍ତ କରୁଥିଲା । ଝିଅ ମୁହଁକୁ ଚାହିଁବାପରେ ହସି ଦେଇଥିଲେ ସେ । ଲାଇବ୍ରେରୀ ରୁମକୁ ଗୀତା, ମାମି, ମନୋଜ, ସନ୍ତୋଷ, ବାପି, ବୁବୁ ଓ ମିତା ଚାଲିଯାଇଥିଲେ । ମନୋଜକୁ ଦେଖି ସେଦିନ ସବୁଠୁ ବେଶୀ ଖୁସୀ ହୋଇଥିଲା ବାପି, ସେ ଅବ୍ୟକ୍ତ ଖୁସିରେ ସେ କରିଯାଉଥିଲା ଅନେକ କାମ । ଖିଆପିଆ ସରିଗଲା, ଅତିଥିମାନେ ସମସ୍ତେ ଚାଲିଗଲେ ମାମିକୁ ଅନେକ ଆଶୀର୍ବାଦ କରି । ପଥର ମୂର୍ତ୍ତି ପରି, ସେଦିନ ମାମି ଚାଲୁଥିଲା ଚାବିଦିଆଯାଇ, ସେ ସମସ୍ତ ଉପଲବ୍ଧି କରୁଥିଲେ ବିଜୟ ବାବୁ ଓ ସନ୍ତୋଷ ଓ ଗୀତା । ପ୍ରାୟ ସମସ୍ତେ ଯିବା ପରେ ଏକାଠି ବସି ଗପକରୁଥିବା ଅବସ୍ଥାରେ ମିତା କହିଥିଲା—

 

: ମନୁ ଭାଇ, ତମେ କାହିଁକି ଅପାକୁ କିଛି କହିଲନି ?

 

: କଣ କହିଥାନ୍ତି ? ମନୋଜର ପ୍ରଶ୍ନ ।

 

: କାହିଁକି ସନ୍ତୋଷ ଭାଇ ତ ଆଶୀର୍ବାଦ କଲେ, ସେ ଯେ ତମ ପରି କିନ୍ତୁ... ।

 

: ବୋକି, ସେ କଣ କହିବେ ମାଉସୀ ତ କହିଲେ ।

 

: ତମେ ଜାଣିନ ସାନଭାଇ, କଥା କଣ କି ସେ ଅପାକୁ ଡରୁଛନ୍ତି, ସେଥିପାଇଁ କିଛି କହୁନାହାନ୍ତି ମୁଁ ଠିକ୍ ଜାଣିଛି ?

 

: ତୁ କିଛି ଜାଣିନୁ ମିତା, ସେ ମାମିକୁ ମନେ ମନେ ଆଶୀର୍ବାଦ କରୁଛି । କଣ ବାପି ମୁଁ ମିଛ କହୁଛି ?

 

: ବିଲ୍‍କୁଲ୍ ସତ... ।

 

: ତେବେ କୁହନା... କୁହନା ମନୁଭାଇ କଣ ଆଶୀର୍ବାଦ କରୁଛ । ମିତାର ଅଳି ନଭାଙ୍ଗି ପାରି ମନୋଜ ହସିଦେଇ କହିଲା—“ମିତା, ମୁଁ କଣ ଭଗବାନ୍ ? ତମ ଅପାଙ୍କୁ ଭଗବାନ ଆଶୀର୍ବାଦ କରନ୍ତୁ ଶକ୍ତି, ସାହସ ଦିଅନ୍ତୁ ସୁଖୀ କରନ୍ତୁ, । ମୁଁ କଣ ଅଧିକ କହିବି ?” ମନୋଜ କଥାଟା କେତେଦୂର ଶୁଷ୍କ ଥିଲା ତାହା କେବଳ ମାମି ଓ ସନ୍ତୋଷ ଉପଲବ୍ଧି କରି ପାରୁଥିଲେ, ମାତ୍ର ଅନ୍ୟମାନେ କଥାର ମଜ୍ଜା ନଉଥିଲେ ।

 

: ମନୁଭାଇ ତମେପରା ଅପାର ସ୍ଵାମୀ ଆଉ ତମେ କଣ ଜାଣିନ ଝିଅର ତା’ ସ୍ଵାମୀ ହିଁ ଦେବତା ଓ ଭଗବାନ । ବୁବୁର ନିର୍ବୋଧ ପ୍ରଶ୍ନରେ ସନ୍ତୋଷ ଟିକେ ହସିଥିଲା । ମାମି କ୍ରୋଧିତଚକ୍ଷୁର ଭାଷା ଉପଲବ୍ଧି କରି ବାପି କହିଲା—‘ହେଇରେ ଏ ଶସ୍ତାଭାଷା ଜାଣିଲୁ କେମିତି ? ବାପାଙ୍କୁ କହିବି ?’

 

: ନାଇରେ ବାପି ଭାଇ ସେଦିନ ଗାଁରେ ଯାତ୍ରା ଦେଖିବାକୁ ରାଧି ନାନୀ ସାଙ୍ଗରେ ଯାଇଥିଲି । ସେ ଝିଅଟା ପରା କହୁଥିଲା—‘ନାଥ, ସ୍ଵାମୀ ମୋର, ମୋ ନାରୀ ଜୀବନର ଆଧାର, ତମେ ହିଁ ମୋ ଦେବତା, ତମେ ହିଁ ମୋ ଭଗବାନ...ଆହୁରି କେତେ କଣ ମୁଁ କଣ ମିଛ କହିଲି ? ବୁବୁର ଅଭିନୟ ଦେଖି ସମସ୍ତେ ହସି ଉଠିଥିଲେ । ଏତେ ସମୟ ପରେ ମନୋଜ ହସିଥିଲା ମନଖୋଲା ହସ—ବୁବୁ ପ୍ଲିଜ୍ ବନ୍ଦ କରନି... ।

 

: ଆରେ ମନୁଭାଇ ତମେ ମୋ ଅଭିନୟ ଦେଖିବତ ? ଅପାଠୁ ଟିକେ ପରମିଶନ୍‍ଟା ହାତ ମଳି ମଳି ମାମିକୁ ଚାହିଁ ବୁବୁ କହିଲା, ମାତ୍ର ତା’ କଥା ସରିବା ପୂର୍ବରୁ ମାମି ଚାଲିଗଲା । ତାକୁ ପଛରୁ ପ୍ରଣାମ କରିଥିଲା ବୁବୁ ତାର ଅଭିନୟ ଦେଖିବା ପୂର୍ବରୁ ସମସ୍ତେ ଗୋଟେ ହାସ୍ୟରୋଳ ସୃଷ୍ଟି କରିଥିଲେ ।

 

: ଠିକ୍ ସେଇ ସମୟରେ ଡ୍ରଇଂ ରୁମରେ ବସି ଜୋରରେ ହସୁଥିଲେ ବିଜୟବାବୁ, ତାଙ୍କ ସ୍ତ୍ରୀ, ମନ୍ମଥବାବୁ ଓ ତାଙ୍କ ସ୍ତ୍ରୀଙ୍କର ସେ ଥିଲା ସର୍ବାପେକ୍ଷା ଆନନ୍ଦର ଦିନ । ବିଜୟ ବାବୁ କହୁଥିଲେ–ତୁ ଯାହା କହ ମନ୍ମଥ ପିଲାଟା ଉପରେ ତମର ନଜର ବହୁତ ଅଛି ।

 

: ନହେଲେ ହାତରୁ ଖସି ଯାଇଥାନ୍ତା ।

 

: ତୁ ଭାବିଥିଲୁ ମୋ ଝିଅ କଣ ତାକୁ ଠିକ୍‍ କରି ପାରିନଥାନ୍ତା ?

 

: ସେ ପ୍ରଶ୍ନ ଉଠୁଛି କେଉଁଠି ?

 

: ସେ ପ୍ରଶ୍ନ ଉଠିପାରିବନି ବୋଲି କିଏ କହିଲା ? ଏବେବି ତ ସମୟ ଅଛି ।

 

: ଅବଶ୍ୟ ସତ କିନ୍ତୁ କଣ....

 

: କିରେ ‘କଣ’ ପୁଣି କଣ ? ତୋଘରେ ବାସନ୍ତୀ ପ୍ରଥମେ ମୋ ଭଉଣୀ ଯେକି ତୋ ପାଖରେ ସୁରକ୍ଷିତ ରହିବା, ତାପରେ ମାମି କଥା ବିଚାର କରାଯିବ ।

 

: ହଁ ମନେରହିଲା ତୋକଥା । ଦେଖ ମିତା ଆସୁଛି...ଆରେ ସେ ହସୁଛି ନା କାନ୍ଦୁଛି...ସେ ବସି ବସି ଆସୁଛି ତାର ହେଲା କଣ ? ମନ୍ମଥ ବାବୁଙ୍କ କଥା ସରିବା ସଙ୍ଗେ ସଙ୍ଗେ ଉଠିବସି ମିତା ପହଞ୍ଚିଗଲା ସେ ଭରେ ଅତିକଷ୍ଟରେ କହିଲା—‘ବାପା, ବୁବୁ ଭାଇ ସମସ୍ତଙ୍କୁ ହସେଇ ହସେଇ ମାରିବ ତମେ ତାକୁ ଟିକେ ଡାକ ତ !’

 

: କଣ କରୁଛି ? ମନ୍ମଥ ବାବୁଙ୍କ ପ୍ରଶ୍ନ ।

 

: ଆସନ୍ତୁନା ମଉସା ଦେଖିବେ ।

 

ସମସ୍ତେ ଧୀର ପଦକ୍ଷେପରେ ଯାଇଥିଲେ ଶାଢ଼ୀ ପିନ୍ଧି ଅଭିନୟରତ ବୁବୁକୁ ଦେଖି ସମସ୍ତେ ହସିଉଠିଥିଲେ । ଶାଢ଼ୀ ଫୋପାଡ଼ି ବୁବୁ ଅନ୍ୟ କବାଟ ଖୋଲି ଅପାଘରେ ଆଶ୍ରୟ ନେଇଥିଲା । ହାସ୍ୟରୋଳ ମାଧ୍ୟମରେ ସେଦିନର ପରିସମାପ୍ତି ହେଲା । ମନୋଜ ସନ୍ତୋଷ ସହ ଚାଲିଗଲା ସେ ଘରୁ ବିଦାୟ ନେଇ ଅତି ସନ୍ତର୍ପଣରେ । ଖୁସି ମନରେ ବିଦାୟ ନେଲେ ମନ୍ମଥ ବାବୁ ଓ ତାଙ୍କର ସ୍ତ୍ରୀ, ମାତ୍ର ବିଜୟ ବାବୁ ମନରେ ଶାନ୍ତି ପାଇ ପାରୁ ନଥିଲେ ବନ୍ଧୁତ୍ୱ ରକ୍ଷାକରି ସେ କିଛି କରିପାରୁ ନଥିଲେ । ମନ୍ମଥର ଔଦ୍ଧତ୍ୟ ସେ ଦେଖିଥିଲେ ମନୋଜ ଔଦ୍ଧତ୍ୟର ସୀମା ବିଚାର କରିବା ତାଙ୍କ ପକ୍ଷେ କଷ୍ଟକର ନଥିଲା । ସବୁ ଜାଣି ଶୁଣି ମଧ୍ୟ ତାଙ୍କ ଆଦରର ମା’ କୁ ଆଜି ସେ ଅନ୍ୟକୁ ସମର୍ପଣ କରି ଦେଲେ । କଣ ହବ ତାର ଭବିଷ୍ୟତ ତା ବାପାକୁ ସେ ଭୁଲ ବୁଝିବନି ତ । ସେ ତ ସବୁ ଜାଣେ ତେବେ ମୁହଁ ଖୋଲିଲାନି କାହିଁକି ? ହୁଏତ ବାପର ସମ୍ମାନ ପାଇଁ, ଯେଉଁଥି ପାଇଁ ଝିଅ ଗରଳ ପିଇ ଯିବାକୁ ପ୍ରସ୍ତୁତ ହେଲା । ତାକୁ ଗରଳ ପାତ୍ର ଧରାଇ ସେ ଭୁଲ କରି ଦେଇ ନାହାନ୍ତି ତ ? ଅନେକ ପ୍ରଶ୍ନବାଚୀ ନେଇ ସେ ଶୋଇ ଯାଇଥିଲେ, ଆଉ ମାମି କାନ୍ଦିଥିଲା ବହୁତ । ଅନ୍ୟକୁ ଲୁଚାଇ ତା ଆଖିର ସବୁ ଲୁହକୁ ସାରି ଦବା ପାଇଁ ।

 

ବିଜୟ ବାବୁଙ୍କ ଘରୁ ଫେରି ଆସିବା ପରେ ଅନେକ ସମୟ ପର୍ଯ୍ୟନ୍ତ ନିଜର ବିପର୍ଯ୍ୟସ୍ଥ ମନଟିକୁ ସ୍ଥିର କରି ପାରି ନଥିଲା । କଣ ହବାକୁ ଯାଇ କଣ ହୋଇଗଲା ତାର ? ସେ ଦିନ ଲୀନା ଘରେ ହୋଇଯାଇଥିବା ଘଟଣା ଭାବିଲା ବେଳକୁ ତା ମନ ବିଷାକ୍ତ ହୋଇ ଉଠୁଥିଲା ତେବେ ବି ସେ ଲୀନା ବିରୁଦ୍ଧରେ ପଦକ୍ଷେପ ନେଇ ପାରୁ ନଥିଲା । କାରଣ ଲୀନାର ସହାୟତା କରିବ ବୋଲି ସେ ତା ମା’ ନାରେ ଶପଥ ନେଇଛି । ସେ ଶପଥ କଣ ଭାଙ୍ଗି ଦିଆଯାଇପାରେ ? ନା ସେ କଥା ହୋଇ ପାରେନା କଦାପି ହୋଇ ପାରିବନି । ବୋଉ କଥା ଭାବିଲା ବେଳକୁ ମନୋଜ ଦୁର୍ବଳ ହୋଇ ଯାଉଛି । ଏ କଥା ସେ ବୋଉକୁ ମଧ୍ୟ କହି ପାରିବନି । ସବୁ ଜାଣି ମଧ୍ୟ ମାମି ନୀରବ । ତାର ସମସ୍ତ ରାଗ ଏକତ୍ରୀକରଣ ହୋଇଥିଲା ମାମି ଉପରେ । ଝିଅଟା ଅସମ୍ଭବ ରକମର ଅହମିକା ରଖିଛି ମନରେ । ଭାବିଛି ତା ସୁନ୍ଦର ରୂପ ଓ ଗୁଣ ନେଇ ମନୋଜ ଦାସକୁ ତା ହାତର ଖେଲଣା କରିବ, କିନ୍ତୁ ନା ସେ କଥା କଦାପି ହୋଇ ପାରେନା... ।

 

ସେ ଦିନର ରାତି ପାହି ସକାଳ ହେଲା, ମନୋଜ ଦାସ ଜୀବନର ଏକ ନୂତନ ଦିଗନ୍ତ ନେଇ ସେ ପ୍ରଭାତରେ ମନୋଜ ଦାସ ମନରେ ଅତୀତରେ ଅଲିଅଳ ମନୁ ଉଙ୍କି ମାରି ନଥିଲା । ତା ପାଇଁ ଯେମିତି ସୃଷ୍ଟିରେ କେହି ବି ନଥିଲା ସେ ସୃଷ୍ଟି ଛଡ଼ା ହୋଇ ଯାଇଥିଲା ସତ, ମାତ୍ର ତା ପଢ଼ାରେ ଅବହେଳା କରି ନଥିଲା । କିଛି ଦିନ ପରେ ଆଖିରେ ଲାଗି ଯାଇଥିଲା ତାର ସାଥୀ ‘ଚଷମା’ଟି । ମନ୍ମଥବାବୁ ବ୍ୟସ୍ତ ହୋଇଥିଲେ । ମାତ୍ର ତାର କୌଣସି ପ୍ରଭାବ ନଥିଲା ମନୋଜ ପ୍ରତି-। ସନ୍ତୋଷ ଉପଦେଶ ଆଉ ଲୀନାର ସହଚର୍ଯ୍ୟ ଶୁଷ୍କ ହୋଇଯାଇଥିଲା ମାତ୍ର ବୋଉ...ବୋଉର ଲୁହ ସେଦିନ ପୋଛି ଦେଇ ସେ କହିଥିଲା—“ବ୍ୟସ୍ତ ହୁଅନି ବୋଉ, ମୁଁ ଆଇ. ଏ. ଏସ୍‍ଟା ଦେଇ ଦିଏ । ମାମି ଆସିଗଲେ ତମକୁ ଜମାରୁ କାନ୍ଦିବାକୁ ପଡ଼ିବନି । ପୁଅଟା ତ ଅବାଧ୍ୟ ତମ ଆଖିରେ ହସ ଦେଲାନି, କିନ୍ତୁ କେତେ ଅବୋଧ୍ୟ ଦେଖତ ମୁଁ ତମ ଲୁହଟା ଦେଖିଲେ ସହି ପାରୁନି ।” ମନୋଜ କଥାର ଅର୍ଥ ଭିନ୍ନ ଦିଗରେ ନେଇଥିଲା ତାର ମା’ । ବର୍ଷଟେ କଟିଗଲା । ମନୋଜର ବିନା ଆପତ୍ତି ଅଭିଯୋଗରେ । ତା କାର୍ଯ୍ୟ କଳାପରେ କୌଣସି ବିଘ୍ନ ଘଟିଲାନି । ପର ବର୍ଷ ମାମିର ଜନ୍ମଦିନ ବେଳକୁ ‘ଷ୍ଟଡ଼ିଟୁର’ ରେ ଚାଲି ଯାଇଥିଲା ମନୋଜ । ଲୀନା—ଝିଅଟାକୁ ସେ ଜାଣି ପାରୁ ନଥିଲା ଜାଣିବାର ସ୍ଫୃହା ମଧ୍ୟ ତାର ନଥିଲା କଣ ମିଳିବ ତାକୁ ? ଲୀନାର କୌଣସି ସଂକୋଚ ନଥିଲା ମନୋଜ ପାଖରେ । ମନୋଜ ପାଖରେ ସମୁଦ୍ର ବେଳା ଭୂମିରେ ବସି ରହି ସେ କହୁଥିଲା ତାର ଅତୀତର ପ୍ରେମ କାହାଣୀ ତା କଥା ମନୋଜ ପ୍ରତି ଶୁଷ୍କ ଥିଲା । ଲୀନା ସମ୍ମୁଖରେ ପ୍ରଥମେ ସିଗ୍ରେଟ୍ ଧରିଥିଲା ମନୋଜ । ହସିଦେଇ ଲୀନା କହିଲା—“ବହୁତ ସ୍ମାଟ୍ ଲାଗୁଚ ମନୋଜ-।” ମାନୋଜକୁ ସ୍ମାଟ୍ କରିବା ପାଇଁ ତା ହାତରେ ସିଗ୍ରେଟ୍ ଦେଲା ଲୀନା । କଥା ଦେଇଥିବା ମନୋଜ ମଧ୍ୟ ଗ୍ରହଣ କରିନେଲା ।

 

ବିଜୟବାବୁଙ୍କର ଲଣ୍ଡନ ଯିବାର ଠିକ୍ ହୋଇଗଲା । ମାମିର ଆଇ. ଏ. ପରୀକ୍ଷା ମଧ୍ୟ ସରିଗଲା । ମାତ୍ର ମନୋଜର ପରୀକ୍ଷା ଥିଲା । ତେବେ ବି ଶେଷ ତିଥିଟାରେ ବାହାଘର କରିଦବା ପାଇଁ ସ୍ଥିର କରିଥିଲେ ଦୁଇବନ୍ଧୁ । ମାମି ବ୍ୟତୀତ ଅନ୍ୟ ପିଲାମାନେ ଇଂରାଜି ସ୍କୁଲରେ ପଢ଼ୁଥିଲେ ସିନିୟର କେମ୍ରିଜ ପରୀକ୍ଷା ଦେଇ ସାରିଥିଲା ବାପି ରେଜଲ୍‍ଟ ମଧ୍ୟ ବାହାରିଗଲାଣି ତାର ବୁବୁ ଆଉ ମିତା ତ ଅନେକ ଛୋଟ ତାଙ୍କ ପଢ଼ାରେ ଯୋର ଦେଇ ଲାଭ କଣ ? ପରିବେଶ ବିଜୟବାବୁଙ୍କ ପାଇଁ ଅନୁକୂଳ ଥିଲା । ବିଜୟବାବୁ ଭାବିଥିଲେ ମନ୍ମଥ ଯଦି ମନୁର ପଢ଼ା ଉପରେ ଗୁରୁତ୍ଵ ଦିଏ ତେବେ ସେ ନେଇଯିବେ । ତେବେ ସେ ନେଇଯିବେ ତାଙ୍କ ଝିଅକୁ । ଆସିଲାବେଳକୁ ମନୋଜର ବଦଗୁଣ ସମ୍ବନ୍ଧରେ ଜାଣିପାରିଥିବ ନିଶ୍ଚୟ । ତେବେ ସେ କଣ ଚାହିଁବ ମୋ ମା’ର ଜୀବନ ବରବାଦ୍ କରିଦବାକୁ ? ମାତ୍ର କଥା ଏତେ ଦୂର ଆଗେଇ ପାରିଲା ନାହିଁ । ମନ୍ମଥ ପ୍ରଥମରୁ ହିଁ ଚାହିଁଥିଲା ମାମିକୁ ରଖିନବାକୁ । ସେଦିନ ମନ୍ମଥକୁ କଥାଦେଇ ଫେରିବା ପରେ ଅଧିକ ଚିନ୍ତିତ ହୋଇ ପଡ଼ିଥିଲା ବିଜୟବାବୁଙ୍କର ପିତୃ ହୃଦୟଟା; ବନ୍ଧୁତ୍ୱ ଡୋରି ଶକ୍ତ ହୋଇପାରୁନଥିଲା ସେ, ପିତୃ ହୃଦୟଟା ପାଖରେ । ଘରେ ହୁଏତ କେହିବି ନଥିଲେ ତାଙ୍କ ଚିନ୍ତାରେ ବାଧାସୃଷ୍ଟି କରିବାକୁ । ନିଶୂନ ଘରଟା ତାଙ୍କ ଚିନ୍ତାଧାରାକୁ ନେଇ ଯାଉଥିଲା କେଉଁ ଅନାବନା ରାସ୍ତା ଦେଇ, ସେ ଅଡ଼ୁଆ ଖିଅରେ ସୂତା ସେ ଖୋଜି ପାଇ ପାରୁନଥିଲେ ଯଦ୍ୱାରା ଗୋଟିଏ ପରେ ଗୋଟିଏ ସିଗ୍ରେଟର ଧୁଆଁ ପି’ ଯାଉ ଦୁଇଟି ପ୍ୟାକେଟ୍ ଶେଷକରି ଦେଇଥିଲେ । ଚିନ୍ତାଶୀଳ ଯେ କୌଣସି ଧୂମପ୍ୟାୟୀ ବ୍ୟକ୍ତି ପାଖରେ ସେଥିରେ କୌଣସି ବୈଚିତ୍ରତା ନଥିଲା । ତୃତୀୟ ପ୍ୟାକେଟ ସିଗ୍ରେଟ୍ ଖୋଲିବା ଅନେକ ପୂର୍ବରୁ ବାପକୁ ଲକ୍ଷ କରୁଥିବା ମାମି ପ୍ୟାକେଟ୍‍ର ପ୍ରଥମ ସିଗ୍ରେଟରେ ଅଗ୍ନି ସଂଯୋଗ କରିଥିଲା । ଅନ୍ୟମନସ୍କ ବିଜୟବାବୁ ଚମକି ପଡ଼ିଲେ ଝିଅକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା ତାଙ୍କୁ କାରଣ ଝିଅ ତାଙ୍କର ହସୁଥିଲା ଯଦିଓ ସେ ଭଲରେ ଜାଣେ । ତା ପାଇଁ ଗୋଟିଏ ବିପଦ ଶାଙ୍କୁଳ ରାସ୍ତାର ଦ୍ଵାର ଉନ୍ମୁକ୍ତ ହବାକୁ ଯାଉଛି ।

 

: କଣ ହେଲା ବାପା, ତମେ ଏତେ ଚିନ୍ତିତ ଜଣା ପଡ଼ୁଛ କାହିଁକି ?

 

: ଏଁ...ନା...ନା ତ ମା’ ମୋର କାହିଁକି କଣ ହବ ? କଣ୍ଠ ଥରି ଉଠୁଥିଲା ବିଜୟ ବାବୁଙ୍କର ।

 

: ମତେ ମିଛ କହୁଛ ? ମାମିର ଅଭିମାନୀ ପ୍ରଶ୍ନ ଶୁଣି ବାଧ୍ୟ ହୋଇ ଠିଆ ହେଲେ ବିଜୟ ବାବୁ ଦୀର୍ଘ ନିଃଶ୍ଵାସ ବାହାରି ଆସିଲା, ତାଙ୍କ ଅନ୍ତରର କେଉଁ ଗଭୀରତମ ପ୍ରଦେଶର ଶୁଷ୍ମ ହସି ଝିଅ ଦିଗକୁ ପଛ କରି କହିଲେ ।

 

: ମା’ ରେ ହୁଏତ ସତ କହିବାର ସାହସ ମୋର ନାହିଁ ।

 

: ତମ ମାମି କଣ ଏଡ଼େ ନିର୍ବୋଧ ବାପା ? ସେ କଣ କିଛି ବି ବୁଝି ପାରୁନି ?? ଗୋଟିଏ ଝିଅ ପାଇଁ ତମେ ଏମିତି କ୍ଷତିକାରକ ଜିନିଷ ଗ୍ରହଣ କରି କଣ ଠିକ୍ କରୁଛ ବାବା ???

 

: ଏବେ ବି ସମୟ ଅଛି ମା, ତୁ ଯଦି କିଛି କହିବାକୁ ଚାହୁଁଛୁ... ।

 

: ତମ କଥା ଉପରେ ମୁଁ ତ ଅଧିକ କିଛି କହି ପାରିବିନି, କିନ୍ତୁ ବାପା ଅନେକ ଦିନର ତମ ବନ୍ଧୁତ୍ୱଟା କେବଳ ଭାଙ୍ଗି ଯିବନି ମୋ କଥାରେ, ମୋର ଅପମାନ ହବ...ଗୋଟେ କାନର କଥା ଦଶ କାନକୁ ଯିବ...ସବୁ ହୁଏତ ସହି ହବ । କିନ୍ତୁ ସମାଜରେ କଳଙ୍କିତା ଝିଅର ବାପା ହବାର, ଲୋକପବାଦ ତମ ଉପରକୁ ଆସିବା ପୂର୍ବରୁ ତମର ଅଲିଅଳ ମା’ ହୁଏତ ଅପରାଧ କରିଦବ ଯାହାକି ଅକ୍ଷମଣୀୟ...ବାପାକୁ ପଛ କରି ଠିଆ ହୋଇଥିବା ମାମି, ଏତେ ଦୂର ଅଭିମାନରେ କଥା ଗୁଡ଼ାକ କହିଗଲା ହୁଏତ ତାହା ବାପର ଅସ୍ଥିର ମସ୍ତିଷ୍କକୁ ଶାନ୍ତି ଦବାକୁ । ମାତ୍ର ଝିଅର ଅଭିମାନ ବୁଝିବା ପରିବର୍ତ୍ତେ ଝିଅ କଥାରେ ଆନନ୍ଦିତ ହୋଇ ଉଠିଥିଲେ—

 

: ତୋ ଠାରୁ ହୁଏତ ଏମିତି ଉତ୍ତର ମୁଁ ଆଶା କରୁଥିଲି । କିନ୍ତୁ ଏତ ତୋ ଜୀବନ ଯାତ୍ରାର ମୁଖ୍ୟ ଆଉ ଗୁରୁତ୍ୱପୂର୍ଣ୍ଣ । ରାସ୍ତାର ହାର ଉନ୍ମୁକ୍ତ କରିବା କଥା । ତେବେ କିଛିଟା ବିଚାର କରି କହିବା ଭଲ...ବାପର ଉଦ୍ଦେଶ୍ୟ ବୁଝିବାକୁ ବାକି ନଥିଲା । ମାମି ପାଖରେ ମୁହଁରେ ଶୁଷ୍କ ହସ ଫୁଟାଇ କହିଥିଲା—ମତେ ତମେ ଜନ୍ମ ଦେଇଛ ବାପା...କିଛିଟା ଶିକ୍ଷାଦୀକ୍ଷା ଦେଇଛ, ତେବେ ବି କଣ ମୋ କଥାରେ ତମର ବିଶ୍ୱାସ ନାହିଁ ? ପ୍ରଶ୍ନ ପଚାରିବା ସଙ୍ଗେ ସଙ୍ଗେ ମାମି ବୁଲି ଚାହିଁଲା ବାପର ମୁହଁକୁ । ତାଙ୍କ ମନରେ ବିଶେଷ ଚିନ୍ତାର ରେଖା ନଥିଲା । ଝିଅକୁ ଆଶୀର୍ବାଦ ଦେଇଥିଲେ, ସେ ବାପର ଆଶୀର୍ବାଦ ପାଇ, ଦୁଇ ଠୋପା ଲୁହ ଝରାଇ ମାମି ଚାଲି ଆସିଥିଲା ନିର୍ଜନ ଛାତ ଉପରକୁ, ଆସି ଅନେକ ଲୁହ ଝରାଇ ସେ ଭାବୁଥିଲା—ବାପା ତମ ଆଶୀର୍ବାଦ ଯଦି ମୋ ପାଇଁ ଅଶ୍ରୁ ଲେଖା ହୋଇଥାଏ । ମୋ ମନରେ ଦୁଃଖ ନାହିଁ । କିନ୍ତୁ ବାପାଙ୍କ ସହ ନିଜ ବାହାଘର ବିଷୟରେ ଆଲୋଚନା କରିଥିଲା ସେ ନିର୍ଲ୍ଲଜ ହୋଇ । ନିର୍ଲ୍ଲଜ ହେଲା ସତ ମାତ୍ର ସ୍ଵାର୍ଥପର ତ ହେଲାନି । ନିଜ ସ୍ଵାର୍ଥ ପାଇଁ ବାପାଙ୍କ ମନରେ ଯନ୍ତ୍ରଣା ତ ସେ ଭରି ଦେଇନି, ଯଦ୍ୱାରା ତାଙ୍କର ଅନ୍ୟ କର୍ତ୍ତବ୍ୟ କରିବାରେ ସେ ଅବହେଳା କରି ସଂସାର ଉପରେ ଅଭିମାନ କରି ଚାଲିଯିବାର ସୁଯୋଗ ତ ପାଇ ପାରିଲେ ନାହିଁ । ବୋଉ କିଛି ବି ଜାଣେନା ତା ମାଧ୍ୟମ ନେବାର ଉପାୟ ଶୂନ୍ୟ ଥିଲା । ତା ଛଡ଼ା ବାସନ୍ତୀ ଦେବୀ ଆଉ ବିଜୟ ବାବୁଙ୍କ ମଧ୍ୟରେ ଥିବା ଭାଇ ଭଉଣୀ ସ୍ନେହ ବନ୍ଧନ ଯଦି ମାମି ପାଇଁ ଭାଙ୍ଗି ଯାଇଥାନ୍ତା ତେବେ ମାମି କଣ ସାତ ଜନ୍ମରେ ଭାଇଟିଏ ପାଇଥାନ୍ତା ? ଏତେ ଗୁଡ଼ିଏ ଧାରାକୁ ବିଚାର କରି ମାମି ତାର ଲୁହ ଢାଳିଲା ସତ, ମାତ୍ର ସ୍ଵାର୍ଥପର ହୋଇ ପାରିଲାନି । କଣ୍ଟକିତ ପଥକୁ ପୁଷ୍ପିତ କରି ସେ, ସେ ରାସ୍ତାର ଦ୍ୱାର ଉନ୍ମୁକ୍ତ କରି ଦେଲା । ବାପାଙ୍କ ମନରେ ଗର୍ବ ସେ ଠିକ୍ ଉପଲବ‍୍ଧି କରି ପାରୁଥିଲା ।

 

ମନୋଜ ପରୀକ୍ଷାର ତୃତୀୟ ପତ୍ର (ଥାଡ଼ପେପର) ସରିବା ଠିକ୍ ପରଦିନ ବାହାଘର ହବାର ଥିଲା । ସେଦିନ ପରୀକ୍ଷା ସାରି ଖୁସି ମନରେ ହଲରୁ ବାହାରି ମନୋଜ ଖବର ପାଇଥିଲା ବନ୍ଧୁ ମହଲରୁ ତା ଖୁସି କ୍ଷଣିକ ଭିତରେ ଲୋପ ହୋଇଗଲା । ବନ୍ଧୁମାନଙ୍କ ଥଟା ରହସ୍ୟ ସହି ନ ପାରି ଘରକୁ ଆସୁଥିବା ରାସ୍ତାରେ ସେ ଉପଲବ‍୍ଧି କରି ପାରିଲା । ଘରେ ଏତେ ଲୋକ ଜମା ହୋଇଥିବାର ରହସ୍ୟ । ବହୁ ଦିନ ଧରି ଢାଳୁଥିବା ସୁପ୍ତ ଆଗ୍ନେୟଗିରି ଜାଗ୍ରତ ହୋଇ ଉଠିଥିଲା । ବନ୍ଧୁ ବାନ୍ଧବ ମହଲରେ ଆଦରଣୀୟ ମନୋଜ ରୂପ ଦେଖି ସ୍ତବ୍ଧ ହୋଇ ଉଠିଥିଲେ ସମସ୍ତେ । ବହି ପତ୍ର ଏକତ୍ରିତ କରି ଜାଳି ଦବାକୁ ବସିଥିବା ମନୋଜର ହାତ ଧରି ନେଇଥିଲେ ମନ୍ମଥବାବୁ । ଡିଆସିଲିଟା ଛିଟିକି ପଡ଼ିଲା ଅନ୍ୟ ଦିଗରେ ଜଳୁଥିବା କାଠି ସହ ଛୋଟ ବହି ମଲାଟଟା ଜଳିଯିବାର ଦେଖୁଥିଲେ ସେ ।

 

: ଏ ସବୁ କଣ ହଉଚି ମନୋଜ ବାବୁ ? ତମ ବୋଉ ଏତେ କାନ୍ଦୁଛନ୍ତି ଯେ... ।

 

: ତା ପୁଅ ମରିଗଲା କାନ୍ଦିବନି କେମିତି ? ବାପା କଥାର ପ୍ରଥମ ଉତ୍ତର ଥିଲା ମନୋଜ ମୁହଁର କ୍ରୋଧିତ ମନ୍ମଥ ବାବୁ କ୍ରୋଧ ସମ୍ବରଣ କରି ନେଇ ପ୍ରଶ୍ନ କରିଥିଲେ—

 

କାହିଁକି କଣ ହୋଇଥିଲା କି ତାର ? ବାପାଙ୍କ ପ୍ରଶ୍ନ ନିହାତି ସରଳ ହେଲେ ମଧ୍ୟ ମନୋଜ ତାର ଉତ୍ତର ପାଉ ନଥିଲା । ମଲାଟରୁ ନିଆଁ ଲିଭିଯିବା ସଙ୍ଗେ ସଙ୍ଗେ ତା ମନର କ୍ରୋଧ ଯେ ଲିଭିଯାଇ ଅଙ୍ଗାରରେ ପରିଣତ ହୋଇ ଯାଇଥିଲା । ସେ କଥା କେହିବି ଉପଲବ୍ଧି କରିପାରି ନ ଥିଲେ—ଚୁପ ରହିଲ ଯେ ? ... ଉତ୍ତର ନାହିଁ ନା ? ପୁଅକୁ ନୀରବ ରହିବାର ଦେଖି ମୁହଁ ଖୋଲିଥିଲେ ମନ୍ମଥ ବାବୁ...ଆଶାକରେ କାଲି ହବାକୁ ଯାଉଥିବା କାମ ଉପରେ ତମର କୌଣସି ମନ୍ତବ୍ୟ ନଥିବ କାରଣ କାମଟା ମୋର ସମ୍ପୂର୍ଣ୍ଣ ମତାମତ ନେଇ ଉପସ୍ଥାପନା କରାଯାଇଛି... ।

 

: କିନ୍ତୁ ମୋ ପରୀକ୍ଷା ମଝିରେ...ବାପାଙ୍କ ମାଜ୍ଜିତ ଭାଷା କହିବାର ଅର୍ଥ ଠିକ୍ ଭାବରେ ବୁଝି ପାରି ମନୋଜ ଧୀରେ ଉତ୍ତର ଦେଲା ବାପାଙ୍କୁ, କିନ୍ତୁ ହସି ଦେଇଥିଲେ ମନ୍ମଥବାବୁ—

 

: ସାମାନ୍ୟ ପରୀକ୍ଷାଟା ପାଇଁ ବନ୍ଧୁ ବାନ୍ଧବଙ୍କ ସାମ୍ନାରେ ତମର ବେଶ୍ ସୁପ୍ରବୃତ୍ତିର ଉପସ୍ଥାପନ କରି ଦେଲ । ମନୋଜ ବାବୁ, କାମଟା ହବା ଦ୍ୱାରା ତମ ପଢ଼ା ଉପରେ ତ କୌଣସି ବ୍ୟାଘାତ ସୃଷ୍ଟି ହଉନି…ତମେ ତମ ଭବିଷ୍ୟତ କଥା ଚିନ୍ତା କରୁଛ କିନ୍ତୁ ମନେରଖ ତମେ ଆଇ. ଏ. ଏସ୍. ନ ହବା ପୂର୍ବରୁ ତମେ ନିଜକୁ ମାମିର ଯୋଗ୍ୟ ବୋଲି ଭାବିବା ତମ ପାଇଁ ହାସ୍ୟାସ୍ପଦ କଥା… ।

 

: ଆଜି ଚାରି ତାରିଖ ପରୀକ୍ଷା ଥିଲା, ପୁଣି ଆଠ ତାରିଖରେ ଅଛି । ମନୋଜର ମୁହଁ ଫୁଲା ଦେଖି ହସ ଲାଗୁଥିଲା ମନ୍ମଥ ବାବୁଙ୍କୁ, କାରଣ ଅନେକ ବଡ଼ ହୋଇ ଯାଇଥିଲେ । ମନୋଜର ବୁଦ୍ଧି ଏତେ ପରିପକ୍ୱ ନଥିଲା—ତମ ସଂଯମତା ଉପରେ ମୋର ବିଶ୍ୱାସ ଥିଲା, କିନ୍ତୁ ଆଜି ଭାବୁଛି ହୁଏତ ସେ ବିଶ୍ୱାସ କରି ମୁଁ ଭୁଲ କରିଛି…ତମେ ପରୀକ୍ଷା ନ ଦେଲେ ମୋ ମନରେ କୌଣସି ଦୁଃଖ ନାହିଁ ମନୋଜ । ମୋ ବନ୍ଧୁତ୍ୱ ଭାଙ୍ଗିଗଲେ ବି ନୁହେଁ, କିନ୍ତୁ ସବୁ ଦିନେ ତମକୁ ଖୁସି ଦଉଥିବା, କେବଳ ତମରି ପାଇଁ ବଞ୍ଚି ରହିଥିବା ମା ଆଖିରୁ ତମେ ଲୁହ ଝରାଇବାର ଅପଚେଷ୍ଟା କରନି । ହୁଏତ ସେ ଦୃଶ୍ୟ ମୁଁ ସହ୍ୟ କରିପାରେ, ମାତ୍ର ଭଗବାନ ପାରିବେନି ସେଥିପ୍ରତି ସଜାଗ ରୁହ… । ମନ୍ମଥ ବାବୁ କଥା ଶେଷ କରିବା ସଙ୍ଗେ ଚାଲିଗଲେ ସେ ସ୍ଥାନରୁ । ଭିଡ଼ ଜମି ରହିବା ସ୍ଥାନ କ୍ରମଶଃ ନିଶୂନ ହୋଇ ଯାଉଥିଲା । ମାତ୍ର ମନୋଜ ବସି ରହିଥିଲା ନିର୍ଭିକ ହୋଇ ।

ବାହାଘର ହୋଇଗଲା । ବେଶ ଆଡ଼ମ୍ବରରେ ସମସ୍ତେ ଖୁସିଥିଲେ । ଯନ୍ତ୍ର ଚାଳିତ ମନୋଜ ସବୁ କରି ଯାଉଥିଲା ନୀରବରେ । ଘରକୁ ବୋହୂ ଆସିଲା । ସମସ୍ତେ ମଧ୍ୟ ଖୁସି ହେଲେ-। ମାତ୍ର ମନୋଜ ମୁହଁରୁ ହସ ଲିଭି ଯାଇଥିଲା । ସବୁ କର୍ମ ଘରେ ହେଉଥିଲା, ଅନ୍ୟର ପରାମର୍ଶରେ ମନୋଜ କରୁଥିଲା । ସମସ୍ତେ ହସୁଥିଲେ, ମାତ୍ର ମନୋଜ ପାରୁ ନଥିଲା । ବହୁ କଷ୍ଟରେ ସାମାନ୍ୟ ହସିବା ସମୟରେ ତା ମସ୍ତିଷ୍କରେ ଗୋଟିଏ ବାକ୍ୟ ପ୍ରତିଦ୍ୱନ୍ଦିତ ହେଉଥିଲା—ବୋଉ ନା’ ରେ ଶପଥ କରି କହୁଛି ତମେ ଚାହିଁବା ପର୍ଯ୍ୟନ୍ତ ମୁଁ ତମର ହୋଇ ରହିବି, କେବଳ ତମରି ହୋଇ । ଚେଷ୍ଟା କରି ମଧ୍ୟ ବିଶେଷ ହସି ପାରୁ ନଥିଲା । ମନୋଜ ତଥାପି ତା ଅଖୁସି ବୋଉକୁ ନ ଜଣାଇବାକୁ ସେ କିଛିଟା ହସିଥିଲା । ଚତୁର୍ଥୀ ଦିନ ପରୀକ୍ଷାକୁ ଯାଇଥିଲା ସେ ପାଠ ନ ପଢ଼ି । ପାଦର ଅଳିତା ଲିଭି ଯାଇଥିଲା, କିନ୍ତୁ ହାତର ସେହି ସୂତାଟା ଦେଖି ସମସ୍ତେ ଟିକେ ଟିକେ ହସିଥିଲେ । ପ୍ରଫେସର ମଧ୍ୟ ବାଦ୍ ଯାଇ ନଥିଲେ, କିନ୍ତୁ ସେ କହିଥିଲେ—ମନୋଜ ଯାହା ହଉନା କାହିଁକି ପରୀକ୍ଷା ଫଳ ଉପରେ ଆମମାନଙ୍କ ଆଶା ସେମିତି ବିଫଳ ନ ହୁଏ… ।

: କିନ୍ତୁ ସାର୍… ।

: କିନ୍ତୁ କଣ, ମନୋଜ ତମର କଣ ସାମାନ୍ୟ ଏତିକି ସଂଯମ ନାହିଁ ? ପ୍ରଫେସରଙ୍କ ପ୍ରଶ୍ନରେ ମନୋଜ ମୁହଁ ବନ୍ଦ ହୋଇଯାଇଥିଲା । ପରୀକ୍ଷାରେ ସେଦିନ ତାର ଆଶାନୁରୂପ ହୋଇ ପାରି ନଥିଲା । ପରୀକ୍ଷା ସାରି ଘରକୁ ଆସିଲା । ଘରେ ଭୋଜିଥିଲା ଅନେକ ଲୋକ ଆସିଥିଲେ । ସେ ଦିନ ମନୋଜ ହସି ହସି ସମସ୍ତଙ୍କ ସହିତ ମିଶିଥିଲା ସେ, ଅନେକଙ୍କ ମଧ୍ୟରେ ଲୀନା ମଧ୍ୟ ଥିଲା-। ତାକୁ ଦେଖି ମନୋଜ ସ୍ଥିର ହୋଇ ଯାଇଥିଲା, ମାତ୍ର କି ଅଦ୍ଭୁତ ସେ ଝିଅ । ମନୋଜ ହାତକୁ ଆଣିଥିବା ଫୁଲ ତୋଡ଼ାଟା ଦେବା ସଙ୍ଗେ ସଙ୍ଗେ ତାର ଜୀବନ ଯାତ୍ରା ସୁଖମୟ ହେଉ ବୋଲି ଶୁଭେଚ୍ଛା ଜଣାଇଥିଲା । ସମସ୍ତେ ଚାଲିଯିବା ପରେ ବିଶ୍ରାମ ନବାକୁ ନିଜ ରୁମ ଭିତରକୁ ଆସିଥିବା ମନୋଜ ଦୁଆର ବନ୍ଧ ପାଖରେ ଠିଆ ହୋଇ ରହି ଯାଇଥିଲା । କିଛି ସମୟ ତାପରେ ଧୀରେ ଘରକୁ ଆସିଲା ସେ । ସୁସଜ୍ଜିତ ଖଟ ଉପରକୁ ପୁଷ୍ପ ତା ପାଇଁ କଣ କୋମଳ ଥିଲା ? ନା ହୁଏତ କଣ୍ଟକିତ… । ଦୂରରେ ଥିବା ମାମି ଉପରେ ଦୃଷ୍ଟି ପଡ଼ିଲା ତାର । ତା ପାଖକୁ ଗଲା ସେ, ପଛ କରି ଠିଆ ହେଲା କିଛି ସମୟ, ତା ପରେ ଧୀରେ କହିଥିଲା—'ପ୍ରଥମେ ବାନ୍ଧି ଯାଇଥିବା ଡୋରିକୁ ସେ ଛିଣ୍ଡାଇ ଦେବାର ଶକ୍ତି ମୋର ନଥିଲା । ସେ କଥା ନୁହେଁ, ମାତ୍ର ମୋ ମା’ ପାଇଁ କେବଳ ମୁଁ ବାଧ୍ୟ ହୋଇ ସବୁ କରିଗଲି, କାରଣ ସେ ତା ଜୀବନରେ ଶାନ୍ତି ପାଇ ପାରିନି । ମୁଁ ସ୍ୱାର୍ଥପର, ମୋ ମା’ ର ଖୁସି ପାଇଁ ମୁଁ ଅନ୍ୟ ଜଣଙ୍କର ଖୁସି ଛିଣ୍ଡାଇ ଦେଇଛି, ସେ କଥା ବି ମୁଁ ଜାଣେ କିନ୍ତୁ ସବୁ ଦିନ ମନେ ରଖିବ ମୁଁ ଅନ୍ୟ କାହା ପାଖରେ ବନ୍ଧା ଅଛି । ଜୀବନରେ ଯଦି ମୁକ୍ତି ପାଏ, ତେବେ ହୁଏତ କିଛି କରିପାରିବି । ରାତି ଅନେକ ହେଲାଣି, ଆଶା କରେ ବୋଉ ଯେମିତି କିଛି ବି ଜାଣି ପାରିବନି । ଅନେକ ପ୍ରଶଂସା ଶୁଣିଛି ତାହା କେତେଦୂର ଯଥାର୍ଥ ସେ କଥା ଜାଣିବାର ସମୟ ହୁଏତ ଆସି ଯାଇଛି । ମୋ ପରୀକ୍ଷା ନିକଟରେ, ମୋର ପଢ଼ା ଅଛି ତମେ ଶୋଇଯାଅ । ମନୋଜ ପଢ଼ିବାକୁ ଚାଲିଗଲା । ଅଭିମାନୀ ମାମି ମୁହଁ ଖୋଲି ପାରିଲାନି । ବାଧ୍ୟ ଶିଶୁଟି ପରି ସେ ଶୋଇଗଲା । ଆଖିରୁ ଅନେକ ଲୁହ ଝରାଇ ତକିଆ ତାର ଭିଜାଇ ଦେଇଥିଲା । ଆଉ ମନୋଜ କିଛି ସମୟ ପଢ଼ି ଆସି ଶୋଇ ଯାଇଥିଲା ନୀରବରେ ।

ଚତୁର୍ଥୀ ରାତ୍ରିର ପରିସମାପ୍ତି ପରେ ମାମିର ଗୋଟିଏ ରୁଟିନ୍ ବନ୍ଧା ଜୀବନ ଆରମ୍ଭ ହୋଇଗଲା । ଘର ବନ୍ଧୁ ବାନ୍ଧବ ବୋହୂ ବ୍ୟବହାରରେ ଖୁସି ହୋଇଥିଲେ । ତା ସହ ଅନେକ ଆଶୀର୍ବାଦ ଦେଇଥିଲେ ତାକୁ । ବାପା, ମା, ଭାଇ ଭଉଣୀଙ୍କୁ ବିଦେଶ ଯାତ୍ରା ପଥରେ ଖୁସି ମନରେ ଛାଡ଼ି ଦେଇଥିଲା ମାମି । ତା ଜୀବନର ବିପର୍ଯ୍ୟସ୍ତ କାହାଣୀ ସେମାନେ ଜାଣିବାର ସମୟ ନଥିଲା । ବାପା, ମା’ ର ବାଧ୍ୟରେ ମାମିକୁ ନେଇ ମନୋଜ କାଶ୍ମୀର ଯାଇଥିଲା । କିଛି ଦିନ ପାଇଁ, ମାତ୍ର ଦୁଇ ତିନି ମାସ ପରେ ଫେରି ଆସିଥିଲେ ମନର ଗ୍ଳାନିକୁ ପରିଷ୍କାର ନ କରି । ଦୁହିଁଙ୍କ ମଧ୍ୟସ୍ଥ ନୀରବତା ପ୍ରାଚୀର ଭାଙ୍ଗି ଯାଇ ନଥିଲା । କେତେବେଳେ କେମିତି ଆବଶ୍ୟକତା ନେଇ ପ୍ରଶ୍ନ କରେ ମାମି, ମାତ୍ର ହଁ, ନାହିଁ ମଧ୍ୟରେ ଉତ୍ତର ଦେଇ ନୀରବ ରହେ ମନୋଜ । ଆଇ.ଏ.ଏସ୍. ପରୀକ୍ଷା ପ୍ରାରମ୍ଭରୁ ଛଅ ମାସ ଦିଲ୍ଲୀରେ ରହି ପାଠ ପଢ଼ିଲା ମନୋଜ । ପରୀକ୍ଷା ଦେଇ ଦେଲା ମଧ୍ୟ ପରୀକ୍ଷା ସାରି ଦେଇ ମାତ୍ର ତିନି ମାସ ପାଇଁ ଘରକୁ ଆସିଥିଲା । ସେ ତିନି ମାସ ଚାଲିଗଲା ସେମିତି ନୀରବତା ମଧ୍ୟରେ, ହଠାତ୍ ନୀରବତା ଭାଙ୍ଗିଗଲା । ଯେଉଁଦିନ ଘରେ ମନୋଜ ଆଇ.ଏ.ଏସ୍. ପାଇ ଯାଇଥିବାର ଖବର ପହଞ୍ଚିଲା, କାରଣ ମନୋଜକୁ ସେଦିନ ଅଧିକ ଖୁସି ଥିବାର ଉପଲବ୍ଧି କରିପାରିଥିଲା ମାମି । ସେ ଖୁସିର କାରଣ ଯେ କେବଳ ମାମି ଠାରୁ ଦୂରରେ ରହିବାର ସୁଯୋଗ ମିଳିଥିବାରୁ, ସେ କଥା ମଧ୍ୟ ମାମି ଜାଣେ । କେବଳ ମାମି ନୁହେଁ ଘରୁ ମଧ୍ୟ ଦୂରରେ ରହିବାକୁ ଚାହୁଁଥିଲା ମନୋଜ । ବାହାଘରର ଦ୍ଵିତୀୟ ବର୍ଷଟା ଟ୍ରେନିଂ ନେବାରେ କଟିଗଲା । ତାପରେ ଘରକୁ ଦୁଇଦିନ ପାଇଁ ଆସି, ମନୋଜ ଦେଖିଥିଲା ଦୁଇ ଜଣଙ୍କର—ମାମି ଓ ମନୁ ମଧ୍ୟସ୍ଥ ପ୍ରାଚୀର ସ୍ୱରୂପ ଦୁଇଟି ଖଟ ମଧ୍ୟସ୍ଥ ଛୋଟ ଟେବୁଲଟିକୁ ଆଉ ତା ଉପରେ ଫଟୋ ଷ୍ଟାଣ୍ଡରେ ତିନୋଟି ଫୋଟ ଦୁଇଟି ଦୁଇ କଡ଼ରେ ଅବିବାହିତ ମାମି ଓ ମନୁର ଆଉ ମଝିଟି ପିକ୍‍ନିକରେ ଉଠିଥିବା ସେଇ ଫଟୋଟି ଯେଉଁଟିରେ ମନୁ ଓ ଲୀନାକୁ ମୁଖ୍ୟ ଭାବରେ କେନ୍ଦ୍ରୀଭୂତ କରି ଉଠାଇଥିଲା ସନ୍ତୋଷ ।

ଆଡମିନିଷ୍ଟ୍ରେଟର ଭାବରେ ମନୋଜ ପ୍ରଥମେ ପ୍ରଥମେ ଓଡ଼ିଶା ବାହାରେ ମୁଖ୍ୟତଃ ସୀମାନ୍ତ ଅଞ୍ଚଳରେ ରହୁଥିଲା । କେଉଁଠାରେ ତାର ବିଶେଷ ସ୍ଥାୟୀତ୍ୱ ନଥିଲା । ସେମିତିରେ ପାଖା ପାଖି ଗୋଟିଏ ବର୍ଷ ଚାଲିଗଲା । ଛୁଟି ନ ଥିବାର ବାହାନା କରି ମନୋଜ ଘରକୁ ଆସୁ ନଥିଲା । ହୁଏତ କେତେବେଳେ ଚିଠିରେ ଲେଖି ଦେଉଥିଲେ—“ସୀମାନ୍ତ ଅଞ୍ଚଳରେ ରହୁଥିବା ଆଡମିନିଷ୍ଟ୍ରେଟରକୁ ଏମିତି ଘରକୁ ଯିବାକୁ ସମୟ ନାହିଁ । ପୁଅ ତ ବୋହୂର ଉପଯୁକ୍ତ ହୋଇଗଲା-। ଘରେ ନ ରହିଲେ କ୍ଷତି କଣ ?” ମା’ ପାଖକୁ ଲେଖା ଯାଇଥିବା ଚିଠିର ଉଦ୍ଦେଶ୍ୟ, ମନୋଜର ବାପା ଠିକ୍ ଉପଲବ୍ଧି କରି ପାରିଥିଲେ । ସହରରେ ଧନୀମାନି ବ୍ୟକ୍ତି ହିସାବରେ ତାଙ୍କର ରାଜନୈତିକ କ୍ଷେତ୍ରରେ ମଧ୍ୟ ହାତ ଥିଲା । ଶେଷରେ ନିଜର ବୁଦ୍ଧି ପ୍ରୟୋଗ କରି ପୁଅକୁ କଟକର କଲେକ୍ଟର କରି ଆଣିବାରେ ସକ୍ଷମ ହୋଇ ପାରିଥିଲେ ସେ । ମାତ୍ର ଅବସ୍ଥାର ବିଶେଷ ପରିବର୍ତ୍ତନ ଘଟି ନଥିଲା । ସକାଳ ସାତ ସାଢ଼େ ସାତରୁ ଘର ଛାଡ଼ି ମନୋଜ ରାତି ଦଶ ଏଗାରରେ ଫେରୁଥିଲା ଘରକୁ । ମାମି ତା କର୍ତ୍ତବ୍ୟରେ ଅବହେଳା କରୁ ନଥିଲା । ଘରେ କେହି ବି ପ୍ରତିରୋଧ କରି ପାରୁ ନଥିଲେ । ମନୋଜ କଟକ ଆସିବା ଦ୍ଵାରା ଗୋଟିଏ କଣ ହୋଇଥିଲା, ଯାହାର କି ପିଲା ଦିନର ବନ୍ଧୁତ୍ୱଟା ତାର ଭାଙ୍ଗି ଯାଇଥିଲା ସନ୍ତୋଷ ଠାରୁ । ବନ୍ଧୁକୁ ଖୋଜି ସନ୍ତୋଷ ପାଖକୁ ଯାଇ ନଥିଲା ମନୋଜ । ଅଭିମାନରେ ସନ୍ତୋଷ ମଧ୍ୟ କଲେକ୍ଟର ମନୋଜ ପାଖକୁ ଆସି ନଥିଲା । ସେଦିନ ହଠାତ୍ ଅଫିସରୁ ଫେରିବା ବାଟରେ ସନ୍ତୋଷ ସହିତ ଦେଖା ହୋଇ ଯାଇଥିଲା । ବହୁତ ଦିନ ପରେ ବନ୍ଧୁକୁ ଦେଖି ମନୋଜ ନିଜ ମନର ଅଭିମାନ ଭାଙ୍ଗି ତାକୁ ରାସ୍ତା ମଝିରେ ଠିଆ କରେଇ ଦେଇଥିଲା ନିଜ ଖୁସି ପ୍ରକାଶ କରିଥିଲା । ଅଭିମାନ କରିଥିବା ସନ୍ତୋଷ ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅନଭିଜ୍ଞ ବନ୍ଧୁ ମନୋଜକୁ ଦେଖି ତାର ପୂର୍ବ ଅଭିମାନ ଭୁଲିଗଲା ଏବଂ ତାକୁ ଘରକୁ ଡାକିଥିଲା । ନିକଟରେ ସନ୍ତୋଷର ଭଡ଼ା ଘରଟି ଥିଲା କାଠଯୋଡ଼ି କୂଳରେ ନୂଆ ଘର କରିବା କଥା ସେ ପ୍ରଥମେ ଜଣାଇଥିଲା ମନୋଜକୁ । ତା କଥାର ଅର୍ଥ ବୁଝି ପାରି ନ ଥିଲା ମନୋଜ, ସନ୍ତୋଷ ସେ କଥା ମଧ୍ୟ ଜାଣି ପାରିଥିଲା । କାଠଯୋଡ଼ି ବାଲି ଉପରେ ରାତିର ଅର୍ଦ୍ଧକ ସମୟ କଟାଉଥିବା ଉଦ୍ଭଟ ପ୍ରେମିକ ମନୋଜ ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲା । ଦୁଇ ବନ୍ଧୁଙ୍କର ସାକ୍ଷାତ ପ୍ରାୟ ତିନି ବର୍ଷ ପରେ ହୋଇଥିଲା । ଅନେକ ଭଲ ମନ୍ଦ ପ୍ରଶ୍ନ ପଚରା ପଚରି ହବା ପରେ ଦୁଇବନ୍ଧୁ ନୀରବ ହୋଇ ଯାଇଥିଲେ । ସ୍ମୃତି ଭିତରେ ଥିଲା ଅତୀତର ରଙ୍ଗମୟୀ ଘଟଣା କେତେ । ସେ ସବୁ କେବଳ ସେ ଦୁହିଁଙ୍କୁ ନେଇ ସଂଶ୍ଳିଷ୍ଟ ଥିଲା । ଘରେ ପହଞ୍ଚିବା ସଙ୍ଗେ ସଙ୍ଗେ ସନ୍ତୋଷର ଝିଅ ରୋଜି ଦଉଡ଼ି ଆସିଥିଲା । ପିଲାଟା ବଡ଼ ଆକର୍ଷଣୀୟ ହୋଇଥିଲା ତାକୁ ଦେଖି । ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ମନୋଜ ହସି ଦେଇ, ମନୋଜ କହିଲା—

: ବାହାଘରକୁ ତୁ ସିନା ଆସିଲୁନି ମାଉସୀ କିନ୍ତୁ ମାମିକୁ ନେଇ କରି ଆସିଥିଲେ । ଆଶ୍ଚର୍ଯ୍ୟ ଭାବରେ ସନ୍ତୋଷକୁ ଚାହିଁଥିବା ମନୋଜର ସ୍ମୃତିରେ ଥିଲା । ସନ୍ତୋଷ ବାହାଘର ସମ୍ବନ୍ଧରେ ପାଇଥିବା ମାମିର ଚିଠି କଥା—

“ସନ୍ତୋଷ ଭାଇଙ୍କ ବାହାଘର ବାର ପାଞ୍ଚକୁ ଠିକ୍ ହେଲା । ସୁବିଧା ହେଲେ ଆସିବ, ବହୁତ କରି କହିକରି ଯାଇଛନ୍ତି । ବାପା, ବୋଉ ଭଲ ଅଛନ୍ତି—ମାମି ।”

ଚିଠିରେ ଅଧିକ କିଛି ନଥିଲା । ମାମିର ପ୍ରତ୍ୟେକ ଚିଠି ସେମିତି ଥିଲା । ସନ୍ତୋଷ ବ୍ୟକ୍ତିଗତ ଭାବରେ ଜଣାଇ ନ ଥିଲା । ଅଭିମାନରେ ବୋଧ ହୁଏ, କାରଣ ତାର କୌଣସି ଚିଠିର ଉତ୍ତର ମନୋଜ ଦଉ ନ ଥିଲା । ସେ କଥା ଜାଣି ମଧ୍ୟ ଆସି ନଥିଲା ମନୋଜ, କାରଣ ସମସ୍ତଙ୍କ ଠାରୁ ଦୂରରେ ରହିବା ତାର ଉଦ୍ଦେଶ୍ୟ ଥିଲା ।

: ମନୁ...ସନ୍ତୋଷ ଡାକରେ ଭାବନାର ପୂର୍ଣ୍ଣଛେଦ ପଡ଼ିଲା ମନୋଜର ।

: ହଁ...... ।

: କଣ ହୋଇଛି ତୋରରେ, ତୁ କାହାକୁ କହି ନ ପାରିଲେ ମତେ ତ କହି ପାରନ୍ତୁ ?

: କଣ କହିବି ? ତୁ କଣ ସବୁ କିଛି ଜାଣିନୁ ? ଉଦାସ ହସଟିଏ ହସିଥିଲା ମନୋଜ । “ଭାଉଜଙ୍କୁ ଡାକ, ସତରେ ତୋ ଝିଅଟା ବେଶ ଭଲ ହୋଇଛି... ।

: ବାପ ହବାର ବୟସ ତୋର ହୋଇ ଯାଇଛି । ସେଇଥି ପାଇଁ ପିଲାଟିଏ ଦେଖିଲେ ତୋର ସୁପ୍ତ ପିତୃତ୍ଵ ଜାଗି ଉଠୁଛି ନିଶ୍ଚୟ । ମନୁରେ ତୋ ବାହାଘର ହବାର ଚାରିବର୍ଷ ହୋଇଯିବ ସେତକ ଦିନରେ ତୁ କାହାକୁ କଣ ଦେଇଛୁ, କାହାଠୁ କଣ ପାଇଛୁ ସେ ହିସାବ ରଖିଛୁ ?

: ଆବଶ୍ୟକ ପଡ଼ିନି ସନ୍ତୋଷ, ସେ ସବୁର ପୁନରାବୃତ୍ତି କରି ଲାଭ ନାହିଁ ।

ମନୁ, ବନ୍ଧୁ ହିସାବରେ ତ ତତେ ଅନେକ କିଛି କହିବାର ଅଛି । କିନ୍ତୁ ମୁଁ କିଛି କହିବିନି, କାରଣ ମୁଁ ତତେ ସେ ହିସାବରେ ଭଲରେ ଜାଣେ । ତୁ ମୋ କଥା ମାନି ନବୁନି ବରଂ ରାଗିବୁ, ଅଭିମାନ କରିବୁ । ଯଦି ମୁଁ ତତେ ମାମିର ଭାଇ ହିସାବରେ... ।

: ସନ୍ତୋଷ.....ରାଗି ଯାଇଥିଲା ମନୋଜ । କାରଣ ସେ ନିଜର ପରିବାର ସମ୍ବନ୍ଧରେ କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲା ।

: ଥରେ ବୁଝିବାକୁ ଚେଷ୍ଟାକର ମନୁ । କଥାଟା କଣ ଗୁରୁତ୍ଵ ନୁହେଁ ?

: କଣ ବୁଝିବି ? ମୋ ପାଇଁ ବୁଝିବାକୁ କଣ ବାକି ଅଛି । ମୋ କଥା ତ କେହିବି ବୁଝୁନି-?

: ବେଶି ଠିକ୍ ଅଛି । ତୋ ଖୁସି, ହଠାତ୍ ସ୍ତ୍ରୀର ପାଦ ଶବ୍ଦ ଶୁଣି ପାରି କଥା ବଦଳାଇ ଦେଲା ସନ୍ତୋଷ । ମନୋଜ ଓ ସନ୍ତୋଷର ସ୍ତ୍ରୀ ଆଶ୍ଚର୍ଯ୍ୟ ଭାବରେ ଅନାଇ ଥିଲେ ଦୁହେଁ ଦୁହିଁଙ୍କୁ । ନମସ୍କାରର ଆଦାନ ପ୍ରଦାନ ଚାଲିଲା । ହସି ଦେଇ ଗୀତା କହିଲା—ତମେ ନ ଚିହ୍ନାଇଲେ ମୁଁ କଣ ଜାଣି ପାରିବିନି କି ? ମନୁ ଭାଇ ନିଶ୍ଚୟ, ସନ୍ତୋଷ ହସୁଥିଲା, ମନୋଜ କହିଲା ।

 

: ମତେ କେମିତି ସବୁ ଗଣ୍ଡଗୋଳ ଲାଗୁଛି । ସନ୍ତୋଷ ମହାଶୟାଙ୍କୁ ଚିହ୍ନା ଚିହ୍ନା ଲାଗୁଛି-

 

: ତା ମାନେ, ତମେ ଚିହ୍ନି ପାରୁନ ତ ?

 

: ମୁଁ ମାମିର ସାଙ୍ଗ ଗୀତା...ତମ ବନ୍ଧୁ ପତ୍ନୀ ହବା ପୂର୍ବରୁ । ମାମିକୁ ଆଣିଲନି... ।

 

: ଏ ସବୁ ମାମିର କାମ ମନୋଜ । ବାହାଘର ଠାରୁ ମାମି ଆସିନି, ତାର ସମୟ ନାହିଁ କି, ମୋର ବି ସମୟ ନାହିଁ । ତାକୁ ଟିକେ ନେଇ ଆସିବାକୁ । ସେଥିପାଇଁ ଭାରି ଅଭିମାନ ମହାଶୟାଙ୍କର... ।

 

: ଏତେ ଦିନ ହେଲା କଟକ ଆସିଲଣି । ତମେ ତ ତାକୁ ଟିକେ ଆଣି ପାରନ୍ତ ? ମନୋଜକୁ ପ୍ରଶ୍ନ କଲା ଗୀତା, ମନୋଜ ବୋକା ହୋଇ ଯାଇଥିଲା । ସନ୍ତୋଷ ହସି ଦେଇ କହିଲା... ।

 

: ଗୀତା, ମନୋଜ ବାବୁ ତମ ସ୍ଵାମୀଙ୍କ ପରି ବ୍ୟାଙ୍କର ଦ୍ଵିତୀୟ ଶ୍ରେଣୀ କର୍ମଚାରୀ ନୁହଁନ୍ତି ଯେ ସ୍ତ୍ରୀଙ୍କ ସହ ବନ୍ଧୁ ଘରକୁ ବୁଲି ଯାଉଥିବେ... ।

 

: କଣ ମନୁ ଭାଇ ସତ ? କିନ୍ତୁ ତମେ ମାମିକୁ କହିଦବ ଯେ, ଗୀତା କହିଛି କଲେଜରେ ସବୁ ଜାଣିବି ଅଜଣା ସ୍ଵାମୀଙ୍କୁ ଅନ୍ୟ ପାଖ ଦେଇ ନ ଯିବା ପାଇଁ ଯେମିତି ଉତ୍ତମ ମଧ୍ୟମ ଶୁଣାଇ ଦେଇଥିଲା । ସେମିତି ଟିକେ ଶୁଣାଇ ଦେଲେ ସମୟ ଠିକ୍ ମିଳିଯିବ... ।

 

: କଲେଜରେ...ଚା ଖାଉଥିବା ମନୋଜ ଆଶ୍ଚର୍ଯ୍ୟ ହୋଇଗଲା ।

 

: ହଁ କମନ୍ ରୁମ ସାମ୍ନାରେ ମାମି ସହ ଯେଉଁ ଧକ୍କା ହୋଇଥିଲା... । ହଁ ମ ପାଖରେ ରହିଲେ ସମସ୍ତେ ସେମିତି ଭୁଲିଯାନ୍ତି । ସନ୍ତୋଷ କଥାଟା ହାଲକା କରିବା ପାଇଁ ଯୋରରେ ହସି ଉଠିଲା । କାରଣ ମନୋଜ ସ୍ମୃତିରୁ କଥାଟା ହୁଏତ ଲିଭି ଯିବଣି, କାରଣ ମାମି ମନୁଠାରୁ ବର୍ତ୍ତମାନ କେତେ ଦୂରରେ, ସେ କଥା କଣ ଗୀତା ଜାଣେ ?

 

: ବୁଝିଲ ଗୀତା, ତମ ପାଖରେ ତ ସମୟ ବହୁତ ତେଣୁ କରି ତମେ ଅତୀତକୁ ଫେରିଯିବାକୁ ସମୟ ପାଉଛ, କିନ୍ତୁ ଆମ ପାଇଁ ଅତୀତ କିଛି ବି ନୁହେଁ । ସେ ଭାବନା ମନକୁ ଆଣିଲେ ଜୀବନ ଯାତ୍ରାର ପରିସମାପ୍ତି ହୋଇଯିବ । କହିଲା ସନ୍ତୋଷ—

 

: ହଉ ବାବା, ତମେ ଦୁଇବନ୍ଧୁ କଥା ହୁଅ ମୁଁ ଆସୁଛି ମୋର ବି ତମ ପାଇଁ ସମୟ ନାହିଁ-। କିନ୍ତୁ ମନେ ରଖିଥାଅ ମନୁ ଭାଇ, ଏଥର ଏକା ଆସିଲେ କବାଟ ବନ୍ଦ । ଗୀତା ଉଠି ଚାଲିଗଲେ, ତାର ଯିବା ରାସ୍ତାକୁ ଦେଖୁଥିଲେ ଦୁଇ ବନ୍ଧୁ । ଦୀର୍ଘ ନିଃଶ୍ଵାସ ଛାଡ଼ିଲା ସନ୍ତୋଷ–‘ଗୀତାର ଅନେକ ସନ୍ଦେହ ଲୀନା ଉପରେ...ସେ ତାକୁ ବୋଧ ହୁଏ ପସନ୍ଦ କରେନି ।’

 

: ନାରୀର ସେଟା ସହଜାତ ପ୍ରବୃତ୍ତି, ସେ ଅନ୍ୟକୁ ପସନ୍ଦ କରେନା, ସନ୍ଦେହ କରେ । କିନ୍ତୁ ନିଜକୁ ବିଶ୍ଳେଷଣ କରି ପାରେନା ।

 

: ବାଃ ସୁନ୍ଦର କହି ଶିଖିଲୁଣି ତ ? କିନ୍ତୁ ମାମି ସେ ସବୁରୁ ଭିନ୍ନ... ।

 

: ନୁହେଁ କେମିତି ସନ୍ତୋଷ ? ଉପେକ୍ଷିତା ହବା ଦ୍ଵାରା ସେ କଣ ସ୍ୱାମୀର ମଜବୁରିକୁ ଉପଲବ୍ଧି କଲା ବରଂ ସ୍ଵାମୀର କଥା ରକ୍ଷା କରି ପାରିଲାନି । ନିଜର ପ୍ରଶଂସା ଶୁଣିବାକୁ ଉପେକ୍ଷିତା ହୋଇ ମଧ୍ୟ ସ୍ଵାମୀ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରୁଥିବା କଥା ପ୍ରଚାର କରୁଛି ।

 

: ପ୍ରଣାମ...ସନ୍ତୋଷ କଥାରେ ହସି ଉଠିଲା ମନୋଜ ।

 

: ତୁ କଣ ଜାଣୁନା ? ମନୋଜର ତୀକ୍ଷ୍ଣ ପ୍ରଶ୍ନ ।

 

: ତୋ କଥା ମୁଁ ଠିକରେ ବୁଝି ପାରୁନି, କିନ୍ତୁ ତୁ ଯଦି ମୋ ପ୍ରଶ୍ନ ପଚାରିବାରୁ ମାମିକୁ ସନ୍ଦେହ କରୁଛୁ ତେବେ ତୁ ଭୁଲ କରୁଛୁ । ମାମି ସାଧାରଣ ନାରୀ ଠାରୁ ବହୁତ ଉଚ୍ଚରେ.... ।

 

: ହଁ ନୁହେଁ କାହିଁକି ? ସେ ଯେତେ ହେଲେ ବି ତୋ ଭଉଣୀ ତ ? ସବୁ ନାରୀ ବିଷଧର ସାପ । ସନ୍ତୋଷ କେହି ବି ଭଲ ନୁହନ୍ତି, ସମାଜର ଅଧୋଗତି ପାଇଁ କେବଳ ସେହିମାନେ ହିଁ ଦାୟୀ... ।

 

: ଏତେ ବଡ଼ କଥାଟେ କାହିଁକି ନାରୀ ବିରୁଦ୍ଧରେ କହୁଛ ମନୁ ?

 

: ଜାଣିବାକୁ ଚାହୁଁଛୁ ନା ? ଶୁଣ ପ୍ରଥମେ ମୋ ମା’—ମତେ ବହୁତ ଭଲପାଏ, କିନ୍ତୁ ସେ ମତେ ବୁଝିବାକୁ ଚେଷ୍ଟା କଲାନି । ଲୀନା—ମତେ ନିଜର କରିବା ପାଇଁ ଭଟକାଇ ଦେଲା । ବାନ୍ଧି ହୋଇଯିବା ପରେ ମତେ ମୁକ୍ତି ଦେଉନି ଆଉ ମାମି—ହସି ଦେଲା ମନୋଜ—ନିଜର ମହନୀୟତା ଦେଖାଇବାକୁ ଜାଣି ଶୁଣି ମତେ ବାହା ହୋଇଛି । ଆଉ ଅଧିକ କଣ ଶୁଣିବୁ ?

 

: ମନୁ; ଲୀନା ତତେ ବାନ୍ଧି ରଖିବାକୁ ଭଟକାଇ ଥାଇପାରେ । ମାତ୍ର ତତେ ଜନ୍ମ ଦେଇଥିବା ମା’ ତତେ ବୁଝିନି ଭାବିଛୁ ? ତାଙ୍କ ହାତରେ ତୁ ଗଢ଼ା ହୋଇଛୁ ନିଜ ସ୍ଵାର୍ଥ ପାଇଁ । ସେ ମାମି ସହ ବାହା ଦେଇ ନାହାନ୍ତି ତୋ ମଙ୍ଗଳ ପାଇଁ ସବୁ କରିଛନ୍ତି । ସେ ଆଉ ମାମି ପିଲା ଦିନରୁ ଗଢ଼ି ଉଠିଥିବା ବନ୍ଧନଟା ଭାଙ୍ଗି ଦେଇଥିଲେ ତୋର କୈଣସି କ୍ଷତି ହୋଇ ନ ଥାନ୍ତା । କ୍ଷତ ହୋଇଥାନ୍ତା ମାମିର, ବିଶେଷତଃ ତା ଚରିତ୍ରଗତ ତ୍ରୁଟି କାଢ଼ିଥାନ୍ତା ଆମ ସମାଜ । ସେ କଥା ବୁଝିନୁ କାହିଁକି ?

 

ଓଃ ଷ୍ଟପ ଲଟ୍ (ବନ୍ଦକର) ମନୋଜ ରାଗି ଯାଇଥିଲା । ମାତ୍ର ସନ୍ତୋଷ କହୁଥିଲା ।

 

: ନାରୀ ଯୁଗେ ଯୁଗେ ସମ୍ମାନୀୟା ଏ ସାମାନ୍ୟ କଥାଟା ଭୁଲିଯାନାରେ ମନୁ କଷ୍ଟ ପାଇବୁ । ତୁ ବହୁତ ଅବିଚାର କରୁଛୁ ମାମି ପ୍ରତି । ସେ ସରଳ ପ୍ରକୃତିର ଝିଅ, ତା ଆଖିରୁ ଲୁହ ତୋ ଉପରେ ପଡ଼ିବନି । ପଡ଼ିବ ଲୀନା ଉପରେ....ଯେଉଁ ଲୀନାକୁ ତୁ ଏତେ ଭଲ ପାଉଛୁ ଯେ, ତୋ କର୍ତ୍ତବ୍ୟରେ ହେଳା କରୁଛୁ । ତୁ ସେଇ ଲୀନାର ଜଳିଯିବା ସଂସାରକୁ ଦେଖି ସାରା ଜୀବନ କାନ୍ଦିବୁ-

 

: ସନ୍ତୋଷ; ଚିତ୍କାର କରିବା ସଙ୍ଗେ ସଙ୍ଗେ ମନୋଜ ଯୋରରେ ମାରିଥିଲା ସନ୍ତୋଷ ଗାଲକୁ ଗୋଟେ ଚଟକଣି—ଲୀନା ମଧ୍ୟ ଗୋଟିଏ ଝିଅ; ନାରୀ ଜାତି ପ୍ରତି ତୋର ଯଦି ଏତେ ସମ୍ମାନ, ତେବେ କିଏ ତତେ ଅଧିକାର ଦେଲା ଜଣକ ପାଇଁ ଅନ୍ୟ ଜଣକୁ ଅଭିଶାପ ଦବା ପାଇଁ ?

 

ହଁ, ସମାନ୍ୟ ହସି ଦେଲା ସନ୍ତୋଷ । ‘ସତ କହୁଛୁ ମନୁ; କିନ୍ତୁ ଭାବି ଦେଖିଲୁ ଆଜି ତୋ ପିଲା ଦିନର ବନ୍ଧୁ ଉପରକୁ ହାତ ଉଠାଇବାର ଶକ୍ତି ତତେ କିଏ ଦେଇଛି ? ହୁଏତ ସେ ମତେ ଏ ଅଭିଶାପ ଦବାର ଅଧିକାର ଦେଇଛି । ତୋ ମନର ତିକ୍ତତା ମୁଁ ଅନେକ ବଢ଼ାଇ ଦେଇଛି । ଆଶା କରେ ଶେଷ ଥର ପାଇଁ ମତେ କ୍ଷମା କରିବୁ, କିନ୍ତୁ ଏତିକି ମନେ ରଖିବୁ ଆଜିଠାରୁ ତୋ ବନ୍ଧୁ ସନ୍ତୋଷ ମରିଗଲା । କେବଳ ରହିଗଲା ମାମିର ଭାଇ... ।

 

: ଏ କଣ ତୋର ଶେଷ କଥା ? ଉତ୍ୟକ୍ତ ମନୋଜ ଥରି ଉଠୁଥିଲା । ସନ୍ତୋଷକୁ ପଛ କରି ସେ ପ୍ରଶ୍ନ କରିଥିଲା, ହସି ଦେଇ ଉତ୍ତର ଦେଇଥିଲା ସନ୍ତେଷ—ହଁ ।

 

: ତେବେ ଠିକ୍ ଅଛି । ତୁ ମଧ୍ୟ ମନେରଖ, ମୋ ବନ୍ଧୁ କିମ୍ବା ଅଜଣା ଅତିଥି ହେଲେ ମୁଁ ତତେ ପୂର୍ବ ପରି ଗ୍ରହଣ କରିପାରେ । ମାତ୍ର ମାମିର ସମ୍ପର୍କୀୟ ହିସାବରେ ନୁହେଁ.... ଗୁଡ୍ ବାଏ.... ।

 

ମନୋଜ ଚାଲିଗଲା ସନ୍ତୋଷ ଘରୁ, ମନରେ ଅନେକ ତିକ୍ତତା ନେଇ । ସନ୍ତୋଷ ତାକୁ ଅଟକାଇ ପାରି ନଥିଲା । ହୁଏତ ତାର ଇଚ୍ଛା କରି ନୁହେଁ, ବାଧ୍ୟ ବାଧକତାରେ । ଘରକୁ ଆସି ଉତ୍ୟକ୍ତ ମନୁ ହାତରେ ପ୍ରଥମେ ପଡ଼ିଥିଲା ମିତାର ଚିଠି, ଚିଠିଟି ବହୁତ ବିଳମ୍ଵରେ ଖୋଲିଲା ଅବଶ୍ୟ, ସେଥିରେ ଲେଖାଥିଲା—ମନୁ ଭାଇ;

 

ପ୍ରଣାମ ଗ୍ରହଣ କରିବ । ମଉସା ଓ ମାଉସୀଙ୍କୁ ପ୍ରଣାମ ଅପାକୁ ମଧ୍ୟ, ତମେ ତ ଦୀର୍ଘ ଚାରିବର୍ଷ ମଧ୍ୟରେ ଖଣ୍ଡେ ବି ଚିଠି ଦେଉନ । କାହିଁକି ଦବ ଯେ, ବଡ଼ ଅଫିସର ହୋଇଯାଇଛ ତ ସମୟ ପାଉ ନଥିବ କିମ୍ବା ଆମ ପ୍ରତି ସ୍ନେହ ନଥିବ । ବାଧ୍ୟ ତ ଅନେକ କରିଛି, କିନ୍ତୁ ଆଉ କରିବିନି-। କିନ୍ତୁ ମନେ ରଖିଥିବ ମନୁ ଭାଇ ମତେ ତମର ଗୋଟେ ଜିନିଷ ଦେବାର ଅଛି । ଆମେ ତ ନିକଟରେ କଟକ ଫେରୁଛୁ । ଲେଖିବାର ବିଶେଷ କିଛି ନାହିଁ । କାରଣ ବିନା ଉତ୍ତରରେ ବାରମ୍ଵାର ଚିଠି ଦବା ଯେ କେତେ କଷ୍ଟ ସେ କଥା ତମେ କେଉଁଠୁ ବୁଝିବ ? ॥ମିତା॥

 

ଅପା ଲୋ,

 

ତୋ ଚିଠି ପାଇଛି । ଆମେ ତ ଅଳ୍ପ ଦିନରେ ଯିବୁ, କଣ ଆଉ ଲେଖିବି ? ହୁଏତ ଆମେ ସେଠାରେ ପହଞ୍ଚିବା ପରେ ତୁ ଏ ଚିଠି ପାଇବୁ । କାରଣ ଅବଶ୍ୟ ଜାଣିନି, କିନ୍ତୁ ଏତିକି କେବଳ ଜାଣେ ଯେ ବାପା ବୋଉ ତୋ ପାଇଁ ବହୁତ ଚିନ୍ତିତ । ଆଶାକରେ ଆମେ ପହଞ୍ଚିଲା ବେଳକୁ ସେ ସବୁର ସମାଧାନ ହୋଇ ଯାଇଥିବ ଫଳରେ ବାପା ବୋଉଙ୍କ ବ୍ୟସ୍ତତା ରହିବନି । ତୁ ଲେଖିଥିଲୁ ନା ମୁଁ ବହୁତ ବଡ଼ ହୋଇ ଯାଇଥିବି ବୋଲି, ସତରେ ମୁଁ ବହୁତ ବଡ଼ ହୋଇଯାଇଛି । ଆଉ ତା ସଙ୍ଗେ ସଙ୍ଗେ ମୋଟା ମଧ୍ୟ ହୋଇଯାଇଛି । ତୁ ବୋଧହୁଏ ମତେ ଚିହ୍ନି ପାରିବୁନି । ବୁବୁ ଭାଇତ ସେମିତି ଜୋକରିଙ୍ଗ୍ କରୁଛି ।

 

କିନ୍ତୁ ବାପି ଭାଇ ବହୁତ ରାଗି ହୋଇଯାଇଛି, କହିଲି ମନୁ ଭାଇଙ୍କ ପାଖକୁ ଚିଠି ଦେ ବୋଲି ଯେ, ରାଗିଗଲା କହିଲା—‘ଯିଏ ମୋ ଚିଠିର ଉତ୍ତର ଦିଏନା ମୁଁ ତା ପାଖକୁ ମଧ୍ୟ ଚିଠି ଦେଇ ପାରିବିନି । ମୋର ମଧ୍ୟ ସମୟ ନାହିଁ । ରହୁଛି ରାଗିବୁନି ମୋ ଉପରେ, ଓଡ଼ିଆ ତ ଭଲରେ ଲେଖି ପାରୁନି । ଇତି ।

 

ତୋର ସ୍ନେହର ମିତୁ

 

ଚିଠିଟା ପଢ଼ି ଟେବୁଲ ଉପରେ ପକାଇ ଦେଇଥିଲା ମନୋଜ । ଚିଠିଟା ନେଇ ପଢ଼ିଲା ମାମି । ସେଇ ଦିନଠାରୁ ସେ ଗୁରୁତ୍ଵ ଦେଇ ଭାବି ଚାଲିଛି । ସାରା ପରିବାରଟା କି ଅପରାଧ କିରିଛି ମନୋଜ ପାଖରେ ? ଏବେ ବି ସେ ଉତ୍ତର ଖୋଜି ପାଉନି । ସବୁ ଜାଣି ଶୁଣି ମଧ୍ୟ ତା ପାଖରେ ଆଜି ସମାଧାନ ପାଇଁ କୌଣସି ରାସ୍ତା ନାହିଁ । ଆଖିରୁ ଲୁହ ପୋଛିଲା ମାମି । ଅନ୍ତହୀନ ଭାବନାରେ ତାର ହୁଏତ ସମାପ୍ତି ଘଟିଲା । ଆଖିରୁ ଲୁହ ଧାର ଶୁଖି ନଥିଲା । ଭୀଷଣ ଭାବରେ କାନ୍ଦିବାକୁ ଇଚ୍ଛା ହେଲା ତାର । କାନ୍ଦି କାନ୍ଦି କେତେବେଳେ ନିଦ୍ରା ଦେବୀଙ୍କ କୋଳରେ ସେ ଆଶ୍ରୟ ନେଇ ଯାଇଛି ।

 

ପାଞ୍ଚଟା ବାଜିଗଲା, ବିବ୍ରତ ହୋଇ ଉଠିଲେ ମନ୍ମଥ ବାବୁ ସ୍ତ୍ରୀଙ୍କୁ କହିଥିଲେ । “ମୁଁ ଜାଣେ ସେ ପିଲା ଆସିବନି, ଠିକ୍ ଅଛି ନ ଆସୁ, ତମେ ମାମାକୁ ଡାକ ।” ସ୍ଵାମୀଙ୍କ କଥାରେ ଚମକି ଉଠିଲେ ବାସନ୍ତୀ ଦେବୀ । ମନୁ ଓ ମାମିର ମନମାଳିନ କଥା ସେ ଏଇ କେତେ ଦିନ ହେଲା ବେଶ ଭଲ ରୂପେ ଉପଲବ୍ଧି କରି ପାରୁଛନ୍ତି ସତ, ମାତ୍ର କହିବାକୁ ତାଙ୍କର ଭାଷା ନାହିଁ । ମାମି ସେ ବିଷୟକୁ ସାମାନ୍ୟ ହସରେ ସମାଧାନ କରି ଦେଇ ଦୂରେଇ ରହୁଛି, ମନୋଜକୁ ପଚାରିବାର ପ୍ରଶ୍ନ ନାହିଁ । ପୁଅ ତାଙ୍କର ଆଇ. ଏ. ଏସ୍. ହବା ପରେ ଅସମ୍ଭବ ଭାବରେ ବଦଳି ଯାଇଛି । ସେ କଥା ମଧ୍ୟ ସେ ଉପଲବ୍ଧି କରି ପାରୁଛନ୍ତି । ତେଣୁ କରି ପ୍ରତ୍ୟେକ ପ୍ରମାଣ ବିନା ଏତେ ବଡ଼ ଦୋଷାରୋପ କରିବାର ସାହସ ସେ ପାଉ ନାହାନ୍ତି । ଶାଶୁଙ୍କ ଡାକରେ ମାମି ଉଠିଗଲା, ଶୀଘ୍ର କାମ ସାରି ନେଲା ସେ । କାରଣ ବାପା ଆସିବାର ସମୟ ନିକଟ ହୋଇ ଆସୁଥିଲା । ବାପାଙ୍କ ଆଗମନ ଧ୍ଵନି ମାମି ହୃଦୟରେ ଅପୂର୍ବ ସ୍ପନ୍ଦନ ଆଣୁଥିଲା । ସେଥିରେ ଖୁସିର କିମ୍ବା ଭୟର ଲେସ ମାତ୍ର ସ୍ଥାନ ନଥିଲା । ତେବେ ସେ କି ପ୍ରକାରର ଅନୁଭୂତି, ସେ କଥା ମାମି ନିଜେ ମଧ୍ୟ ଜାଣି ପାରୁ ନଥିଲେ । ବାପାଙ୍କୁ ଜଣାଇବା ପାଇଁ ତା ପାଖରେ କୌଣସି ନୂତନ ସମ୍ବାଦ ନଥିଲା । ହୁଏତ ଜଣାଇବା କଥା ସେ ଆଗରୁ ଜଣାଇ ଦେଇଛି । ଯାହା ଜାଣିବା ପାଇଁ ବାପାଙ୍କ ମନରେ ଉତ୍କଣ୍ଠା ନେଇ ଆସିଥିବେ । ସେ କଥାର କଣ କିଛି ସୁଫଳ ମାମି ତାଙ୍କୁ ଦେଇ ପାରିବ । ଗାଡ଼ି ତାଙ୍କ ଘରୁ ତିନି ଜଣଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଚାଲିଥିଲା ।

 

ଗୋପାଳ ମନରେ ଅଫୁରନ୍ତ ଆନନ୍ଦ । ଅନେକ ଦିନ ପରେ ଫେରୁଛନ୍ତି । ବିଜୟ ବାବୁ ଦିନ ନୁହେଁ ତ ବର୍ଷ । ଦୀର୍ଘ ଚାରି ବର୍ଷ ଧରି ନିଜର କୌଣସି କାମରେ ହେଳା କରିନି ସେ । ବ୍ୟତିକ୍ରମ ଗୋପାଳ ଜୀବନରେ ନାହିଁ । ଦାନା ଦାତା ବିଜୟ ବାବୁଙ୍କ ଦୃଷ୍ଟିରେ ସେ ଯଦି ତାଙ୍କର ବଡ଼ ପୁଅ ହୋଇପାରେ ତେବେ ସେ କାହିଁକି ତାର କର୍ତ୍ତବ୍ୟ କରିବନି । ବିଜୟ ବାବୁଙ୍କର ସବୁ କିଛି ଜଗି ରହିଛି ସେ । ମାମିର ଶାଶୁ ଘରକୁ ବିଧିବଧ ଭାବରେ ସସ୍ତର ବେଭାର ମଧ୍ୟ ଦେଇଛି । କୌଣସି ତ୍ରୁଟି ତା ଜଣାତରେ ନାହିଁ । ଏତେ ଦିନ ପରେ ବିଜୟ ବାବୁଙ୍କ ଗାଡ଼ି ଦୀର୍ଘ ପଥରେ ଚାଲୁଛି କଟକରୁ ଭୁବନେଶ୍ୱର । ସେ ତ ଗୋପାଳର ନିଜସ୍ଵ କାମ ପାଇଁ ନୁହେଁ, କିମ୍ବା ନିଜ ଇଚ୍ଛାରେ ନୁହେଁ । ସେ ମଧ୍ୟ ଥିଲା ବିଜୟ ବାବୁଙ୍କ ଆଦେଶ । ସେଠାରେ ପହଞ୍ଚି ସେ ମାମିକୁ ଦେଖିବ ବୋଲି ତ ଜାଣିଥିଲା । କିନ୍ତୁ ମନୋଜ... ? ମନୋଜ କଥା କଣ କିଛି ଅଛପା ଅଛି ଗୋପାଳକୁ ? ମାମି ମୁହଁରୁ ଶୁଣିବାର ତ କିଛି ଆଶା କରିବା ଭୁଲ । ତେବେ ଚାଲି ଚଳଣରୁ ସେ କଣ ଏତିକି ଜାଣିପାରିବନି ? ପିଲାଟି ଦିନରୁ ଚଳିଛି ତାଙ୍କ ମାନଙ୍କ ପାଖରେ, ଠିକ୍ ନିଜର ଭାଇ ଭଉଣୀ ପରି । ତେବେ ମାମିର ଏପରି ବିପର୍ଯ୍ୟସ୍ତ ବୈବାହିକ ଜୀବନ ପାଇଁ ତା ପକ୍ଷେ ଦୁଃଖିତ ହବା ତ ସ୍ଵାଭାବିକ-। କେବେ କିଏ ଦାୟୀ, ମାମିର ଏପରି ଦୁର୍ଭାଗ ପାଇଁ ? ଭାବି ପାରୁ ନଥିଲା ଗୋପାଳ । ମନ ତାର ଭାରାକ୍ରାନ୍ତ ।

 

ନୀଳ ଗଗନର ବୁକୁ ଚିରି ଉଡ଼ି ଆସିଥିବା ଜାହଜଟି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲା । ଉପରେ ଆଲୋକ ଦେଇ ଜଳୁଥିବା ଜାହାଜ ଦିଗରେ ଚାହିଁଥିଲେ ଅନେକ ଦର୍ଶକ ଉତ୍କଣ୍ଠା ସହକାରେ । କିଛି ସମୟର ବ୍ୟବଧାନ ସହ୍ୟ କରିବା କଠିନ ହୋଇ ଉଠୁଥିଲା, ଜାହାଜଟି ଭୂମିଷ୍ଠ ହେଲା । ଯାତ୍ରୀମାନେ ଓହ୍ଲାଇ ଆସୁଥିଲେ ଲାଇନରେ ମାମି ଚାହିଁଥିଲେ ଆଖିରେ ପର ପଲକ ପଡ଼ୁ ନଥିଲା । ମିତା ଓ ବୁବୁ ଆଗରେ ଥିଲେ । ସେମାନଙ୍କୁ ଦୂରରୁ ଭଲରେ ଚିହ୍ନି ପାରୁ ନଥିଲେ କି ବାପା, ବୋଉଙ୍କୁ ଚିହ୍ନିବାରେ ମାମି ଆଖି କୌଣସି ପ୍ରକାର ବ୍ୟତିକ୍ରମ କରି ପାରି ନଥିଲା । ମାମି ଅନ୍ତରର କୋହ ବଢ଼ି ଚାଲିଥିଲା ଅସୀମ ପଥରେ । ସମସ୍ତେ କ୍ରମଶଃ ପାଖେଇ ଆସୁଥିଲେ ନିଜର ଲୋକମାନଙ୍କ ପାଖକୁ । ବିଜୟ ବାବୁ ମାମିକୁ ହାତ ହଲାଇ ତାଙ୍କ ମାନଙ୍କୁ ଅଭିବାଦନ କରିବାର ସେ ଦେଖି ନଥିଲେ । କିନ୍ତୁ ମନ୍ମଥ ବାବୁ ଅତ୍ୟଧିକ ପରିମାଣରେ ଆନନ୍ଦିତ ହୋଇ ଉଠୁଥିଲେ । ବୁବୁ, ମିତାକୁ ଗେହ୍ଲା କରିବା ପରେ ମାମି ସମସ୍ତଙ୍କୁ ପ୍ରଣାମ କରିଥିଲା । କିନ୍ତୁ ବିଜୟ ବାବୁଙ୍କୁ ପ୍ରଣାମ କରିବା ସମୟରେ ତାଙ୍କ ହାତର ସ୍ପର୍ଶ ପାଇଁ ମାମି ତା କୋହକୁ ଅଟକାଇ ପାରି ନଥିଲା । ବାପର ଆଶିଷ ପରଶର ମମତା ହିଁ ଉପଲବ୍ଧି କରି ସେ କାନ୍ଦି ଉଠିଥିଲା । ବୋଉତ କିଛି ବି ଜାଣେନା କିନ୍ତୁ ବାପା ତ ତାଙ୍କ ମୂକ ଝିଅର ଅନ୍ତରର ଭାଷା ପଢ଼ି ପାରୁଥିବେ ବିଜୟ ବାବୁଙ୍କ ଆଖିରେ ମଧ୍ୟ ଲୁହଥିଲା । ମାମିକୁ ବୁଝାଇବାକୁ ଯାଇ ସେ କହିଥିଲେ—ମୋ କାମ ସରିଗଲା ମା, ଆଉ ତତେ ଛାଡ଼ି ମୁଁ କେଉଁଠିକି ବି ଯିବିନି କେଉଁଠି ରହିବିନି, ଏତକ ଦିନତ କେବଳ ମୁଁ ରହିଥିଲେ ତୋ ଚିଠିର ଭରସାରେ...... । ମାମି କାନ୍ଦର ଉଦ୍ଦେଶ୍ୟ ବୁଝିଥିଲେ ମଧ୍ୟ ପରିସ୍ଥିତି ଓ ପରିବେଶକୁ ଆୟତ୍ତ କରି ନେବା ପାଇଁ କଥା । ପଦକ କହିଥିଲେ ସେ, ମାତ୍ର ସେ କଣ ଠିକ୍ ରୂପେ ଉପଲବ୍ଧି କରିପାରୁ ନଥିଲେ । ବିଗତ ଚାରି ବର୍ଷର ଘଟଣାବଳୀକୁ... ? ସମସ୍ତେ ଚୁପ ଥିଲେ ପରିସ୍ଥିତିର ଚାପ ନେଇ ମାତ୍ର ମିତା ବାରମ୍ବାର ପ୍ରଶ୍ନ କରୁଥିଲା—

 

: ଅପା ମୁଁ ତ ଭାଇଙ୍କ ପାଖକୁ ଚିଠି ଦେଇଥିଲି । ସେ କାହିଁକି ଆସିଲେନି ? ମମସ୍ତେ ଚାହିଁଥିଲେ ମାମିକୁ କି ଉତ୍ତର ଦବ ସେ । ମାମି ଆଖିରୁ ଲୁହ ପୋଛୁଥିଲା, ପାଖରେ ଶାଶୁ ଓ ମା । ପଥରରୁ ପାଣି ଶୁଖିଗଲା, ଶୁଷ୍କ ପ୍ରସ୍ତର ମୂର୍ତ୍ତି ପୁନର୍ବାର ଅଭିନୟ କରିବାର ଉପକ୍ତମ କଲା—

 

: ଏ ଅପା କହନା.....ଭାଇ କାହିଁକି ଆସିଲେନି ?

Unknown

 

: ମୁଁ ତତେ କହିନି ପରା, ଭାଇ ତୋ ପାଇଁ ଖବର ଦେଇଛନ୍ତି, କହିଛନ୍ତି ଯେ—ମିତୁକୁ କହିବ ଏତେବାଟ ଆସିଲା ସେ ଆସିଯିବ; ମୁଁ ଥଣ୍ଡାରେ ଯାଇ ଲାଭ କ’ଣ ?

 

: ଅପା ଭାରି ମିଛ କହୁଛି...ବୁବୁ କଥାରେ ମାମି ନିଜ ଅଜଣାତରେ ଚମକି ପଡ଼ିଥିଲା । ତଥାପି ହସି ଦେଇ କହିଲା—ଆରେ ମିଛ କାହିଁକି କହିବି ? ଚାଲୁନ ଦେଖିବ ତମ ଭାଇଙ୍କ ଦେହ ସତରେ ଭଲ ନାହିଁ ଯେ... ।

 

: ସେ କଥା ଠିକ୍ ନୁହେଁ ଲୋ ମିତା, ଭାଇ ବଡ଼ ଅଫିସର ହୋଇଗଲେ ତ ଆମେ ଛୋଟ ପିଲା ଭାବି ଖାତିର କରୁ ନାହାନ୍ତି । ସେ ଭାବୁଛନ୍ତି ଆମେ ସେମିତି ଛୋଟ ହୋଇଅଛୁ ।

 

: ସାନ ଭାଇ, ଭାଇ ତମ ପରି କିନ୍ତୁ ବୋକା ହୋଇ ନଥିବେ... ।

 

: ଆରେ ବୁବୁ, ତୋ ବୋକାମି ମିତା ହାତରେ ଧରା ପଡ଼ିବାକୁ ମଧ୍ୟ ରହିଲା ? ଛାଡ଼ ସେ କଥା, ତୁ ହବୁନି ଆଉ; ବାପି ଖବର କଣ କେମିତି ଅଛି ସେ ? ସେ ତ ଚିଠି ଖଣ୍ଡେ ବି ଦଉନି...... ।

 

: ସେ ମନା କରିଛି । କହିଛି ଭାଇ ମୋ ଚିଠିର ଉତ୍ତର ନ ଦେଲା ପର୍ଯ୍ୟନ୍ତ ମୁଁ ଅପା ଚିଠିର ମଧ୍ୟ କୌଣସି ଉତ୍ତର ଦେବିନି...... ।

 

: ଆଚ୍ଛା, ବୁବୁ ଉତ୍ତରରେ ହସି ଦେଇ କହିଲା ମାମି, ତମ ମାନଙ୍କ ଦୟାରେ ବୁବୁ ଆମେ କଣ କରିପାରିବୁ ? ଖାଲି ଉଦାସ ହୋଇ ଅତୀତର ବାଲୁକା ରାଶିରୁ ସ୍ନେହର ବାଲି ଗରଡ଼ା କେତୋଟି ବର୍ତ୍ତମାନ ପାଇଁ ଧରି ରଖିବାଟାକୁ ସାର ମନେ କରିବୁ ।’

 

: ଅପା ରାଗିଲୁ କି... ।

 

: ଅପା କଥା ତମେ ବୁଝିବା ପାଇଁ ସକ୍ଷମ ନୁହଁରେ, ଅପା କଣ କେବେ ରାଗେ ? ହସି ଦେଲା ମାମି ।

 

: ଭାଇ ଭଉଣୀଙ୍କ କଥାରେ ହଜି ଯାଇ ନଥିଲେ । ବଡ଼ ଲୋକମାନେ ଜିନିଷ ପତ୍ର ଗାଡ଼ିକୁ ନେବାର କାମ କରୁଥିଲେ । ସେମାନେ କାମ ସାରି ମନ୍ମଥ ବାବୁଙ୍କୁ କହିଥିଲେ ।

 

: ଗୋପାଳ ବାବୁ; ତମେ ମିଛରେ ହଇରାଣ କଥା କହୁଛ । ବିଜୁ ପ୍ରଥମେ ମୋ ଘରକୁ ନ ଯିବ କେମିତି ?

 

: ସେ କଥା ହବନି ଆଜ୍ଞା, ପିଲାମାନେ ଯାନ୍ତୁ କିନ୍ତୁ ବାବୁ କେମିତି ଯିବେ ? ଆଉ କଣ ପୂର୍ବ କଥା ଅଛି । ସେ ପରା ଝିଅ ଘର । ନାତି, ନାତୁଣୀ ନ ହେଲେ ସେମାନେ କଣ ଆପଣଙ୍କ ଘରେ ଖାଇବା କଥା ?

 

: ଅବଶ୍ୟ ତମେ ଠିକ୍ କହିଛ ଗୋପାଳ, ଆମ ମାନଙ୍କ ସମୟ ଭିନ୍ନ ଥିଲା । ଏବେ ସମୟ ବାହାଘର ଚାରି ପାଞ୍ଚ ବର୍ଷ ନ ଗଲେ ପିଲା ଝାମେଲା ନ ଆସିବା ଭଲ । ତମେ ଲୋକଙ୍କୁ କଣ ଉପଦେଶ ଦେଉଛ କହିଲ ? ଏତେ ଦିନ ମୁଁ ଅପେକ୍ଷା କରି ପାରିବିନି...ବୁଝିଲେ ସମୁଦି ମୁଁ ଅପେକ୍ଷା କରି ପାରିବିନି... ।

 

: ହେ ଶଳା ଆଉ ଦିନେ ସମୁଦି ଡାକିବୁ ? ବିଜୟ ବାବୁ ହସି ହସି ମାରିବାକୁ ଉଠିଥିଲେ ବନ୍ଧୁକୁ ।

 

: କିଏ କାହାର ଶଳା ସମ୍ପର୍କୀୟ ବିଜୁ ଭୁଲ କାହିଁକି କରୁଛୁ ? ବନ୍ଧୁଙ୍କର ଉଠିଥିବା ହାତଟାକୁ ଧରି ନେଇ ମନ୍ମଥ ବାବୁ, ଏତେ ଦିନ ପରି ଥଟ୍ଟା ତାମସାରେ ମାତି ଉଠିଲେ । ତାକୁ ଦେଖିବାକୁ ଅପେକ୍ଷା କରି ପାରିଲେନି ମାମି, ବୁବୁ, ମିତା ଓ ଗୋପାଳ ସେମାନେ ଆଗରେ ଚାଲିଗଲେ ଘର ଅଭିମୁଖେ ।

 

ମନ୍ମଥ ବାବୁଙ୍କ ଗାଡ଼ିରେ ଦୁଇ ବନ୍ଧୁ ଏବଂ ଦୁହିଁଙ୍କ ପତ୍ନୀ ବସିଥିଲେ । ଆଗରେ ବସିଥିଲେ ଦୁଇ ବନ୍ଧୁ ଅନେକ ସମୟ ନୀରବରେ । ଅନେକ ସମୟ ପରେ ନୀରବତା ଭଗ୍ନ କଲେ ମନ୍ମଥ ବାବୁ—ବିଜୁରେ ମନୁ କଥା କହିବାକୁ ମୋ ପାଇଁ କିଛିବି ନାହିଁ । ମୁଁ ସ୍ଵପ୍ନରେ ମଧ୍ୟ ଭାବି ନଥିଲି ଏମିତି ସବୁ ହୋଇଯିବ ବୋଲି... ।

: ହୋଇଛି କଣ ? କିଛିବି ହୋଇନିରେ ସବୁ ଭଗବାନଙ୍କ ହାତର କଥା, କଣ କରିବା ? ଦେଖାଯାଉ କଣ ହଉଛି...କେଉଁ ପାଣି କୁଆଡ଼େ ଯାଉଛି ଦେଖ...ଅପେକ୍ଷା କର... ।

: କହି ହେଉନି କିଛି, କାରଣ କିଛିର ପ୍ରମାଣ ମୋ ପାଖରେ ନାହିଁ... ।

: କଣ ପୁଅକୁ କୋର୍ଟକୁ ନବୁ ?

: ସେ କଥା ମୁଁ କହିବି କେମିତି ? ଯେତେ ହେଲେ ଏ ସବୁ ମା’ ଙ୍କ ବଢ଼ାଣ... ।

: ସେ କଥା ତମେ କୁହନି ସମୁଦି, ସେ ସବୁ ଭାଗ୍ୟ ଲେଖା ମା କଣ କରିବ ? ତା ଛଡ଼ା ତମର ତ ଚାରି ପାଞ୍ଚଟା ନାହାନ୍ତି ଯେ ସେ ଗୋଟିକୁ ନଷ୍ଟ କରି ଦେଲେ ଅନ୍ୟର ମୁହଁ ଚାହିଁ ଚଳିଯିବେ । ତା ଛଡ଼ା ମା କେବେ ପିଲାର ଅନିଷ୍ଟ ଚିନ୍ତା କରେନି... ।

: ବାପରେ; କିରେ ବିଜୁ ବାରିଷ୍ଟରି ପଢ଼ା ଶେଷ ହୋଇଗଲା କି ? ସମସ୍ତେ ହସି ଉଠିଲେ ଅବଶ୍ୟ ଦୁଇ ବନ୍ଧୁଙ୍କ ହସଟା ମୁଖ୍ୟ ଥିଲା । ବାସନ୍ତୀ ଦେବୀଙ୍କ ମୁହଁରେ ହସ ଅନେକ ବେଳରୁ ଲିଭି ଯାଇଛି । ସେ ସବୁ କିଛିଟା ଉପଲବ୍ଧି କରି ପାରୁଥିଲେ ବିଜୟ ବାବୁ—

: ଆରେ ଝିଅଟା ମୋର ବହୁତ ଛୋଟ, କିଛି ବି ଜାଣେନା ହୁଏତ ତାକୁ ମଣିଷ କରିବା ସମୟରେ ଆମର କେଉଁଠି ଭୁଲ ରହିଗଲା । ଯେଉଁଥି ପାଇଁ ସେ ବାହାଘରର ଚାରି ବର୍ଷ ପରେ ମଧ୍ୟ କିଛି ବି କରି ପାରିଲା ନାହିଁ । ଦେଖାଯାଉ ଭଗବାନ ତା ଭାଗ୍ୟରେ କଣ ଲେଖିଛନ୍ତି । ଆମେ ସିନା ଜନ୍ମ ଦେଇଛେ କିନ୍ତୁ କର୍ମ ତ ଦେଇନେ; କଣ କହୁଛୁ ବାସନ୍ତୀ ? ବାସନ୍ତୀ ଦେବୀ ନୀରବ ରହିଥିଲେ । କଥାର ଗୁରୁତ୍ଵ ବୁଝି ହସି ଦେଇ ବିଜୟ ବାବୁ କହିଲେ—ଆରେ ତୁ ଭାବୁଛୁ କଣ ? କହିଲୁ ମନ୍ମଥ ଠୁ ତ ତା ପୁଅ ବେଶି ବାଟକୁ ଯାଇନି, ତେବେ ଚିନ୍ତା କରିବାର କଣ ଅଛି ? ପୁଅ ତ ବାପଠୁ ବଳି ବହୁତ ଆଗକୁ ଯିବା କଥା... ।

: ବିଜୁ; ତା ମାନେ ମୋର ସବୁ ଭୁଲ ? ମନ୍ମଥର ପ୍ରଶ୍ନ ।

: ଆରେ ନା; ସେ କଥା କହିବ କିଏ ? ପିଲାଙ୍କ ପାଇଁ ବାପ, ମାଙ୍କ ହାତ ବହୁତ ଛୋଟ, ଭାଗ୍ୟର ହାତ ବହୁତ ବଡ଼, କିନ୍ତୁ କହିଲୁ ମୁଁ କଣ ସେମିତି କିଛି କରିଛି ଯଦ୍ୱାରା ବାପି ମୋର ଏତେଦୂର ଏକଜିଦିଆ ହୋଇ ଯାଇଛି ଯେ ସେ କଥା କାହାକୁ କହିବାକୁ ମତେ ଖରାପ ଲାଗୁଛି । ଗୋଟିଏ କଥାରୁ ବୁଝିବ ନିଶ୍ଚୟ ମନ୍ମଥ, ବହୁତ ବାଧ୍ୟ କରିବା ପରେ ମଧ୍ୟ ମୋ କଥା ରଖି ମନୁ ପାଖକୁ ଚିଠି ଖଣ୍ଡେ ଦେଲା ନାହିଁ...ତେବେ ବର୍ତ୍ତମାନ ମୁଁ କଣ ଆଉ କରିପାରିବି ? ଚୁପ୍ ରହିବା ହିଁ ଭଲ ।

କଥା ବାର୍ତ୍ତାରେ ବାଟ କଟିଗଲା । ଗୋପାଳ ସହ ମନ୍ମଥ ବାବୁଙ୍କ ଘରେ ପ୍ରଥମରୁ ପହଞ୍ଚି ଯାଇଥିଲେ ବୁବୁ, ମିତା ଓ ମାମି । ମାମି ପ୍ରଥମେ ଘରକୁ ଆସି ମନୋଜର ଆସିବା ଖବର ବୁଝି ନେଇଥିଲା । ସେ କଥାର ଉତ୍ତର ଦେଲା ବେଳେ ରଘୁ ଆଖିରେ ଲୁହ ଥିଲା, ସେ କହିଥିଲା—ବୋହୂ ମା ସାନ ବାବୁ ଆସିଛନ୍ତି ଜ୍ୱରରେ କମ୍ପି କମ୍ପି । ଠିକ୍ ତମେ ଗଲା ପରେ ଘରକୁ ଆସିଲେ । ଡାକ୍ତର ଦେଖେଇଛନ୍ତି ବୋଲି କହିଲେ । ଖାଇବାକୁ କହିଲାରୁ ରାଗିଲେ । ଖାଲି ସିଗ୍ରେଟ୍ ଗୁଡ଼ାଏ ଖାଇ ଯାଉଛନ୍ତି । ଟିକେ ହେଲା ଖିର ଟିକେ ପିଇ ଶୋଇଗଲେ । ସତରେ ମନୋଜ ଶୋଇ ଯାଇଥିଲା । ଅନେକ ଦିନରୁ ହୁଏତ ଦେହ ଖରାପ ହେଲାଣି କିନ୍ତୁ ତିନି ଚାରିଟା ଦିନ ଧରି ଦେହ ଖରାପ କଥା ସେ ଲେଖିଥିଲା, ମରିଯିବା ତାର ଏକାନ୍ତ କାମନା ବୋଲି ମଧ୍ୟ ଲେଖି ଦେଇଥିଲା । ଆଠ ଦଶ ଦିନ ହେଲା ସନ୍ତୋଷ ସହ ବନ୍ଧୁତା ଭାଙ୍ଗିଯିବା ପରେ ସିଗ୍ରେଟ୍ ପିଇବା ତାର ବଢ଼ି ଯାଇଛି । ମନୋଜକୁ ଘୋଡ଼ାଇ ଦେଉଥିଲା ମାମି, ପଛରେ ଠିଆ ହୋଇଥିଲେ ବୁବୁ ଓ ମିତା । ଅସମ୍ଭବ ରକମର ତାତିଥିଲା ମନୋଜର ଦେହଟା । ବହୁତ ନିସ୍ତେଜ ଲାଗୁଥିଲା, ତାର ସମ୍ପୂର୍ଣ୍ଣ ଶରୀରଟା । ବହୁତ ଧିରେ ଚାଲୁଥିଲା ନିଃଶ୍ୱାସ ପ୍ରଶ୍ୱାସ, ବୁବୁ ବସିଥିଲା ମନୁ ପାଖରେ । ଲୁଗା ବଦଳାଉଥିବା ମାମି ଆଖିରେ ଲୁହ । ଲୁହ ଲୁଚାଇବାକୁ ଗାଧୁଆ ଘରକୁ ଚାଲିଗଲା ସେ, ମାତ୍ର ମିତା ଡାକି ଆଣିଥିଲା ଗୋପାଳକୁ କାରଣ ମନୋଜ ଯେ ଚେତାଶୂନ୍ୟ ଥିଲା ସେ କଥା ମଧ୍ୟ ସେ ଠିକରେ ଜାଣି ପାରିଥିଲା । ମନୋଜ ପାଖରେ ବସି କିଛି ପରୀକ୍ଷା ନିରୀକ୍ଷା ପରେ ଗୋପାଳ ଜାଣି ପାରିଥିଲା । ଅତ୍ୟଧିକ ଜ୍ୱର ହେତୁ ମନୋଜ ଚେତାଶୂନ୍ୟ ଥିଲା ଜ୍ଵରଟା ସାମାନ୍ୟ କମାଇ ଚେତା ଫେରି ଆସିବାର ବ୍ୟବସ୍ଥା ସେ କରୁଥିଲା ।

ସର୍ବାପେକ୍ଷା ଅଧିକ ଅସ୍ଥିର ହୋଇ ଉଠିଥିଲା ମିତା । ଡ୍ରଇଁ ରୁମରେ ଅସ୍ଥିର ପଦଚାଳନା କରୁଥିବା ମିତା ଚାହିଁ ରହିଥିଲା ବାପାର ଆସିବା ରାସ୍ତାକୁ । ବିଶେଷ ସମୟର ବ୍ୟବଧାନ ନଥିଲା । ଘରେ ପହଞ୍ଚି ଯାଇଥିଲେ ମନ୍ମଥ ବାବୁ ବନ୍ଧୁ, ବନ୍ଧୁ ପତ୍ନୀ ଓ ପତ୍ନୀଙ୍କ ସହିତ । ଗାଡ଼ି ଦେଖି ବାହାରକୁ ଆସିଥିବା ମିତା ଅପେକ୍ଷା କରି ପାରି ନଥିଲା । ଗାଡ଼ିରୁ ଓହ୍ଲାଉ ଥିବା ବାପାକୁ ଏକ ରକମ ଟାଣି ନେଉଥିଲା ସେ ।

: କଣ ହେଲା ମା ? ମନ୍ମଥ ବାବୁଙ୍କର ପ୍ରଶ୍ନ ।

: କଣ ଆଉ ହବ ? ଯାହା କୁହନ୍ତୁ ମଉସା ଆପଣମାନେ ସମସ୍ତେ ମିଶି ମନୁ ଭାଇଙ୍କୁ ନଷ୍ଟ କରି ଦେଇଛନ୍ତି । ବୁଝିଲେନା ବାପା ଯେଉଁ ଅପାକୁ ଆଦର୍ଶ ବୋଲି ଆମେ ଗ୍ରହଣ କରି ନେଇଥିଲୁ । ସେ ବି ଏମିତି ସ୍ଵାର୍ଥପର ହୋଇଯିବ, ସେ କଥା ସ୍ଵପ୍ନରେ ମଧ୍ୟ ଭାବି ନଥିଲି ।

: କଣ ହେଲା ଏତେ ବ୍ୟସ୍ତ କାହିଁକି ?

: କଣ ନ ହୋଇଛି ବାପା, ଆମେ ଆସିଲା ବେଳକୁ ମନୁ ଭାଇଙ୍କର ସେନ୍‍ସ (ଚେତା) ନାହିଁ । ଦେହରେ ତାତି ଭର୍ତ୍ତି, ଶୋଇ ରହିଛନ୍ତି... ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ବିଶେଷ କରି ମନ୍ମଥ ବାବୁ କାରଣ ମନୁ ଦେହ ଯେ ଏତେ ଖରାପ ସେ କଥା କେହିବି ଜାଣନ୍ତି ନାହିଁ ? ବିଜୟ ବାବୁ କିଛିଟା ପରୀକ୍ଷା କରି ନେବା ପରେ ହୁଏତ ଦେହର ଅସୁସ୍ଥତାର ଗୁରୁତ୍ଵ ଉପଲବ୍ଧି କରି ପାରିଥିଲେ । ସଙ୍ଗେ ସଙ୍ଗେ ଗୋଟାଏ ଇଞ୍ଜେକ୍ସନ୍ ଗୋପାଳ ହାତରେ ଆଣି ନିଜେ ଦେଇଥିଲେ । ବିଜୟବାବୁ କେବଳ ବସି ନଥିଲେ, ଅନ୍ୟମାନେ ମଧ୍ୟ ଥିଲେ ସେଠାରେ । ଯାତ୍ରା ଜନିତ କ୍ଳାନ୍ତି ତାଙ୍କ ମାନଙ୍କ ମନରେ ବା ଦେହରେ ନଥିଲା, ଆଖିରେ ନଥିଲା ନିଦ କିମ୍ବା ପେଟରେ ନଥିଲା ଭୋକ । ମାମି କିନ୍ତୁ ସମସ୍ତଙ୍କ ଠାରୁ ଦୂରରେ ରହି କାନ୍ଦୁଥିଲା ଲୁଚି ଲୁଚି । କିଛି ସମୟ ପରେ ଚେତା ଫେରି ଆସିଲା ଘଣ୍ଟାଏ ସମୟ ଅପେକ୍ଷା କରିବାର ଥିଲା । ମାତ୍ର ଅଧ ଘଣ୍ଟା ମଧ୍ୟରେ ଚେତା ଆସିଗଲା । ତେଣୁ ସେ ରାତି ପାଇଁ ଭୟର କୌଣସି କାରଣ ନ ଥିଲା । ସମସ୍ତଙ୍କୁ ନିସ୍ତେଜ ଭାବରେ ଚାହିଁଥିଲା, ସେ ତା ଆଖି ଜାଣିବାକୁ ଚାହୁଁଥିଲା ମାମି ସେଠାରେ ଅଛି କି ନାହିଁ ? ହୁଏତ ମାମିର ତା ପ୍ରତି ଭଲ ପାଇବାର ଗଭୀରତା ଜାଣିବାକୁ ଚାହିଁଥିଲା । ହଠାତ୍ ଦୂରରେ ଠିଆ ହୋଇଥିବା ମାମି ଉପରେ ଆଖି ପଡ଼ିଲା ତାର ସେ କି ଆଖିରୁ ଲୁହ ପୋଛୁ ଥିଲା । ମିତା ପାଖରେ ଥିଲା ମନୋଜର, ମିତା ମନୋଜର ପଲକ ଫେରାଇ ଆଣିଥିଲା ମାମି ଉପରୁ, ହସି ଦେଇ ସେ କହୁଥିଲା—ନମସ୍କାର ଭାଇ ମତେ ଚିହ୍ନି ପାରୁଛଟି ? ମୁଣ୍ଡ ହଲାଇ ସମ୍ମତି ଜଣାଇଲା ମନୋଜ । ଦୁଇ ତିନି ଘଣ୍ଟା ଅପେକ୍ଷା ପରେ ସମସ୍ତ ଚାଲିଗଲେ ମନୋଜ ପାଖରୁ, ରହିଗଲା ମାମି କାରଣ ବାର ଘଣ୍ଟା ପର୍ଯ୍ୟନ୍ତ ଚିନ୍ତାର କୌଣସି କାରଣ ନଥିଲା । କିନ୍ତୁ ମାମି ବାପାର ଉପଦେଶ ସତ୍ତ୍ୱେ ସେ କଣ ଶୋଇ ପାରିଲା ? ବାପା କହିଥିଲେ—‘ମା’ ରେ ଆଜି ରାତିକ ଶୋଇପଡ଼ ହୁଏତ ଅନେକ ରାତି ତତେ ଅନିଦ୍ରା ରହିବାକୁ ପଡ଼ି ପାରେ । ମନୋଜ ଦ୍ଵାରା ଅବହେଳିତା ହେଲେ ମଧ୍ୟ ସେ ମନୋଜର ସ୍ତ୍ରୀ । ନ ଚାହୁଁ ପଛେ, ମନୋଜ ତା ଦିଗରେ ତେବେ ବି ମନୋଜ ରାସ୍ତାରେ ଫୁଲ ବିଛାଡ଼ି ଦବାକୁ ନିଜ କଣ୍ଟକିତ ପଥ ପ୍ରତି ଦୃଷ୍ଟିପାତ ସେ କରି ପାରିବ ନାହିଁ । ଏହାହିଁ ଗୋଟିଏ ହିନ୍ଦୁ ନାରୀର ପ୍ରଧାନ କର୍ତ୍ତବ୍ୟ । ମାମି ଜୀବନର ସବୁ କିଛି ଆଜି ହଜି ଯାଇଛି । ସେ ହାରି ଯାଇଛି ଯେମିତି ପୂର୍ଣ୍ଣଙ୍ଗ ଭାବରେ । ମନୋଜର ସ୍ତ୍ରୀ ହୋଇ ମଧ୍ୟ ସେ ସ୍ତ୍ରୀ ନୁହେଁ । ମନ ଭିତର ସମସ୍ତ ଯନ୍ତ୍ରଣାକୁ ପିଇ ଯାଉଥିଲା ମାମି-। ତା ପାଇଁ ଅନେକ ରାସ୍ତା ଅଛି, ସେ ଯାଇ ପାରିବ ସମାଜରେ ସୂଚାରୁ ରୂପେ ପ୍ରତିଷ୍ଠିତ ମଧ୍ୟ ହବା ପାଇଁ ତାର କ୍ଷମତା ଅଛି, କିନ୍ତୁ ମନୋଜର ସହ ବାନ୍ଧି ଯାଇଥିବା ଡୋରୀକୁ ସେ କଣ ଛିଣ୍ଡାଇ ପାରିବ ? ସେ ସାହସ ଶକ୍ତି କଣ ମାମିର ଥିଲା । ତା ମନ କହୁଥିଲା—“ଏମିତି ଉପେକ୍ଷିତା ହୋଇ ରହିଲେ ତତେ କଣ ମିଳିବ ମାମି, କଣ ବା ମିଳୁଛି ? ଚାଲି ଯା ତୋ ପାଇଁ ରାସ୍ତା ଉନ୍ମୁକ୍ତ । ତୋର ବ୍ୟସ୍ତ ହବାର କିଛି ବି ନାହିଁ, ତୁ ସୁନ୍ଦର, ପାଠୋଇ ରୂପ ଯୌବନ ସବୁ ଅଛି ପେଟ ପୋଷିବାରେ ତତେ କଷ୍ଟ କରିବାକୁ ପଡ଼ିବନି । କିଛି ନ ପାଇଲେ ଶାନ୍ତି ଟିକିଏ ତ ତୁ ପାରିବୁ ।” ମାମିର ମନ ମସ୍ତିଷ୍କ ଉଜ୍ଜ୍ୱଳ ହୋଇ ଉଠୁଥିଲା । ମାସ ହଠାତ୍ ସ୍ଥିର ହୋଇଗଲା । ସବୁ ତାର ବିବେକ ହସୁଥିଲା କହୁଥିଲା—“ଅପେକ୍ଷା କରିବାର କଣ ଅଛି । ଚାଲି ଯାଉନୁ ରାତ୍ରିର ଏ ସୁପ୍ତ ପ୍ରହରରେ ଗଲେ କେହି ବି ଜାଣିବେନି । ଭାବୁଛୁ ଆଉ କଣ ? ତୁ ତ ବାପ ଘରକୁ ଯାଇ ପାରିବୁ; ଯିବୁ ଯଦି ଯିବୁ ଅନ୍ୟ ରାସ୍ତାରେ । କାଲି ଲୋକ ଜାଣିବେ ହସିବେ କହିବେ—ଛି, ବିଜୟ ବାବୁର ଝିଅ ଶାଶୁ ଘରୁ କୁଆଡ଼େ ଚାଲି ଯାଇଛି । ବାପ ଘରକୁ ତ ଯାଇନି, ଗଲା କୁଆଡ଼େ ? ସ୍ଵୟଂ ବିଜୟ ବାବୁ କହିବେ ନା ମାମି ମୋ ଝିଅ ନୁହେଁ । ମୋ ଝିଅ ଏମିତି ପଳାୟନପନ୍ଥୀ ହୋଇ ନ ପାରେ, ଆଉ ସୁଲେଖା ଦେବୀଙ୍କ ମାତୃ ହୃଦୟ କାନ୍ଦିଥାନ୍ତା ନୀରବରେ । ଶାଶୁ ଶ୍ୱଶୁରଙ୍କ ଯନ୍ତ୍ରଣାର ମାତ୍ରା ବଢ଼ାଇ ମନୋଜ ହୁଏ କହିବାକୁ ଭୁଲିବନି—ଝିଅଟାର ବହୁତ ପ୍ରଶଂସା କରି ଯାଉଥିଲା ଦେଖିଲାତ ଝିଅଟା ଚରିତ୍ରହୀନ ଥିଲା...ନା...ଘମାକ୍ତି ହୋଇ ଉଠିଥିଲା ମାମି । ସେ ପାରିବନି ବାପ ଭାଇ, ଶାଶୁ ଶ୍ୱଶୁରଙ୍କ ମଥାରେ କଳଙ୍କର ଟୀକା ପିନ୍ଧାଇ ଦେଇ ସ୍ଵାର୍ଥପର ମନୋଜକୁ ଜୟଯୁକ୍ତ କରାଇ ଦେଇ ପାରିବନି । ଆଜି ହୁଏତ ମନୋଜ ପାଇଁ ତା ମନରେ ଶ୍ରଦ୍ଧା ନଥିଲା ଉକ୍ତି ନଥିଲା କେବଳ ଟିକିଏ କର୍ତ୍ତବ୍ୟ ଜ୍ଞାନ, ଟିକିଏ ଥିଲା ବାପଘର ଓ ଶ୍ଵଶୁର ଘରର ପ୍ରତିଷ୍ଠାତା ରକ୍ଷା କରିବା ପାଇଁ । ତା ମନର ଭାବ ଆଜି ଘୃଣାରେ ବଦଳି ଯାଇଥିଲା । କେବଳ ଗୋଟିଏ ଡାକ୍ତରର ଝିଅ ହିସାବରେ ତା ମନରେ ଥିବା ସେ ବିବୃତ୍ତି ନେଇ ସେ ହୁଏତ ମନୋଜର ସେବା କରିବ କିନ୍ତୁ ସ୍ଵାମୀ ପ୍ରତିଥିବା ପ୍ରେମ ବା ସେହ୍ନ ପାଇଁ ନୁହେଁ ମନୋଜ ପାଇଁ । ସେ ଆଜି ସୀମାନ୍ତୀନି । ତା ଜୀବନରେ ରଙ୍ଗ ଦେଇଛି ମନୋଜ, କିନ୍ତୁ ସେ ରଙ୍ଗର ମୂଲ୍ୟ କଣ ? ଇତଃସ୍ତତଃ ପ୍ରଦଚାରଣା କରୁଥିବା ମାମି ତା ଆଖିରୁ ଲୁହ ପୋଛିଲା । ସେ ଦର୍ପଣରେ ଚାହିଁଲା ତା ସିନ୍ଦୂର ରଙ୍ଗକୁ—ନା ଏ ସିନ୍ଦୂରର ରଙ୍ଗ ଏବେ ଫିକା ପଡ଼ିବନି । ମନୋଜ ଭଲ ହବ ନିଶ୍ଚୟ ଭଲ ହବ, ଆଉ ତା ପରେ....ନିଜସ୍ଵ ସ୍ପଷ୍ଟବାପୀତାକୁ ପୁନଃ ପ୍ରତିଷ୍ଠା କରିବ ସେ ମନରେ ଦୃଢ଼ ଧାରଣା ନେଇ ଶୋଇ ଯାଇଥିଲା ।

ସମ୍ବାଦ ପତ୍ରରୁ ବିଜୟ ବାବୁଙ୍କ ଆସି ଯାଇଥିବା ଖବର ପାଇଲା । ସନ୍ତୋଷ ସକାଳୁ ପହଞ୍ଚି ଯାଇଥିଲା ତାଙ୍କ ଘରେ । ବିଜୟ ବାବୁଙ୍କ ସହ କଥାବାର୍ତ୍ତରୁ ମନୋଜର ଦେହ ଖରାପ ସମ୍ବନ୍ଧରେ ମଧ୍ୟ ସେ ଜାଣିଥିଲା । ସନ୍ତୋଷଠାରୁ ସବୁ ଶୁଣି ସାରିବା ପରେ ଶୁଷ୍କ ହସ ହସି ସନ୍ତୋଷକୁ ଉତ୍ତର ଦେଇ କହିଥିଲେ ବିଜୟ ବାବୁ—ସନ୍ତୋଷ, ମାମି ତାର ସ୍ତ୍ରୀ ମାମି ପ୍ରତି ତା ମନ ଭିତରେ ଟିକେ ବି ସ୍ଥାନ ନାହିଁ । ତେବେ ତମକୁ କହିବା କଥାରୁ କଣ ବୁଝିଲ—ଶ୍ଵଶୁର ଘର ପ୍ରତି ମଧ୍ୟ ତାର ରାଗ, କିନ୍ତୁ ଅପରାଧ ଆମର କଣ ଅଛି କହି ପାରିବ ?

: ଅପରାଧ ମୋର ମଉସା ମୁଁ ଭୁଲ କଲି, ମୋର ମନ୍ମଥ ମଉସାଙ୍କୁ କହି ସବୁ ଭାଙ୍ଗି ଦବାର ଥିଲା ।

: ସନ୍ତୋଷ, ମନ୍ମଥକୁ କହିଥିଲେ, ତମେ ମନୋଜକୁ ହରାଇ ବସିଥାନ୍ତ । ଫାଶି ଖୁଣ୍ଟରେ ଚଢ଼ିବାଟା ସେ ଶ୍ରେୟସ୍କର ମନେ କରିଥାନ୍ତା । ମାତ୍ର ମୋ ବନ୍ଧୁତ୍ୱ ଭାଙ୍ଗି ଦବାରେ ନୁହେଁ... ।

: ଆପଣ ଭୁଲ ବୁଝୁଛନ୍ତି ମଉସା, ସମସ୍ତଙ୍କ ଉପସ୍ଥିତିରେ କଥାଟା ହୋଇଥାନ୍ତା । ସେ ଝିଅ କଣ ମନକୁ ବାହା ହବାକୁ ରାଜିଥିଲା ?

: ତେବେ... ।

: ସେ ମନୁକୁ କହି ଦେଇଥିଲା—ମୁଁ ତ ତମକୁ ବାହା ହବାକୁ ନାହିଁ କରିନି, ମନୋଜ ତମେ ତ ଜାଣ ମୁଁ ଞ୍ଚିବାହିତା ବୋଲି... ।

: ତେବେ ଲାଭ କିଛି ବି ହୋଇ ନଥାନ୍ତା । ବାସନ୍ତୀକୁ ଭଉଣୀ କରି ତା ସଂସାରକୁ ଉଜାଡ଼ି ଦେବାକୁ, ମୁଁ ଛାଡ଼ିଦେବା ସାର ହୋଇଥାନ୍ତା ।

: ଵର୍ତ୍ତମାନ କଣ ସେ ସଂସାର ହସୁଛି ?

: ସନ୍ତୋଷ ପ୍ରଥମର ଲୁହଟା ପରେ ଅନନ୍ଦରେ ବଳିଯାଏ । ତମେ ମାନେ ବହୁତ ଧୌର୍ଯ୍ୟହରା ଦେଖୁଛି । ଛାଡ଼ ତମେ ମାଉସୀ ପାଖକୁ ଯାଅ । ମୁଁ ଟିକେ ମନୋଜକୁ ଦେଖିବାକୁ ଯିବି । କିନ୍ତୁ ମତେ ତମେ ଭଲ ଖବରଟେ ଦେଇଛ... ।

: କି ଖବର ମଉସା ? ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲା ସନ୍ତୋଷ ।

: ଏଇ ମନୋଜର ଆମମାନଙ୍କ ଉପରେ ଥିବା ଅଭିମାନ କଥା...ଏଇଟି ତମ ମାଉସୀ ଆସିଲେଣି, ସୁଲେଖା ଦେଖିଲେଣି ସନ୍ତୋଷ ଆସିଛି ।

: ହଁ, ମିତାଠାରୁ ଖବର ପାଇ ଚା’ ଟିକେ କରୁଥିଲି ଯେ... ।

: ତମେ ସନ୍ତୋଷକୁ ଆସିବା କଥା କେମିତି ଜଣାଇ ନଥିଲ ? ଯାଅ ସନ୍ତୋଷ ଘଡ଼ିଟା ନେଇ ଆସ ।

: ହଁ ମୁଁ ଆସୁଛି...ଉଠିଗଲେ ସୁଲେଖା ଦେବୀ ।

: ସନ୍ତୋଷ କଥାଟା ତମେ ମୁଁ ଆଉ ମାମି ଛଡ଼ା ଅନ୍ୟ କେହିବି ଜାଣନ୍ତି ନାହିଁ । ଏମିତି କି ତମ ମାଉସୀ ମଧ୍ୟ ନୁହେଁ । ଯେତେ ହେଲେ ତ ମା’ ହୁଏତ ଭାବ ବିଚାର ନ ରଖି ଝିଅର ମଙ୍ଗଳ କରିବାକୁ ଯାଉ ବିରାଟ କ୍ଷତି କରି ଦେଇ ପାରନ୍ତି । ତେଣୁ ସତର୍କ ରହିବ...ମୁଁ ଆସୁଛି ସୁଲେଖା । ବଡ଼ ପାଟିରେ କହି ଦେଇ ବାହାରିଲେ ଡାକ୍ତର ବାବୁ । ସୁଲେଖା ଦେବୀଙ୍କ ପଛେ ପଛେ ଘରକୁ ଆସିଛି ମିତା । ସନ୍ତୋଷ ହାତରେ ଘଣ୍ଟା ବାନ୍ଧି ଦେଉଥିଲା ସେ ଗେହ୍ଲା ହୋଇ କହୁଥିଲା—

 

: ସନ୍ତୋଷ ଭାଇ ମୁଁ ତମ ସାଙ୍ଗେ ତମ ଘରକୁ ଯିବି... ।

 

: ମିତା ମୋ ସାଙ୍ଗେ ଯିବୁ, ସନ୍ତୋଷକୁ କାହିଁକି ହଇରାଣ କରିବୁ ?

 

: ହଇରାଣ କଣ ମାଉସୀ, ସେ ଚାଲୁନା... ।

 

: ତୁ କାହିଁକି ନାହିଁ କରୁଛୁ ବୋଉ ରୋଜିର କଣ୍ଢେଇ ଗୁଡ଼ାକ ମୁଁ ତ ଭାଇଙ୍କ ହାତରେ ଦେବିନି ।

 

: ଓଃ ରୋଜି ତୋର ବଡ଼ ହେଲା, ମୁଁ ମୋ ବୋହୂକୁ ଦେଖି ଯିବିନି ?

 

: ନା ମୁଁ ବର୍ତ୍ତମାନ ଯିବି... ।

 

: ସେ ଚାଲୁନା ମାଉସୀ, ଗୀତା ବି ଖୁସି ହବ । ଆଉ ରୋଜି ତ ଠିକ୍ ମିତା ପରି ଗେଲା ହୋଇଛି ।

 

ହାରିଗଲେ ସୁଲେଖା ଦେବୀ, ସବୁ ଦିନେ ସେ ହାର ମାନନ୍ତି ମିତା ପାଖରେ, କିନ୍ତୁ ମାମି-। ମାମି ସବୁ ଦିନ ସମ୍ମାନ ଦେଇ ଆସିଛି ତା ବୋଉର କଥାକୁ ମାମି ତାଙ୍କଠାରୁ ଜନ୍ମ ନେଇଛି, ସେ ତାଙ୍କ ଝିଅ । ମାତ୍ର ମାମି କଣ କେବଳ ଝିଅ ହୋଇ ରହିଥିଲା । ସୁଲେଖା ଦେବୀ ମା ବୋଲି ତାକୁ କହିଲେ ହୁଏତ ଭଲ ହବନି । ସନ୍ତୋଷ ସହି ଯାଉଥିବା ମିତାକୁ ଦେଖି ଆଦରର ମାମି କଥା ମନେ ପଡ଼ିଗଲା ତାଙ୍କର ।

 

ମନୋଜର ଜ୍ୱର ବେଶୀ ନଥିଲା ସତ, ମାତ୍ର ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲା । ମାମିର କୌଣସି ପ୍ରତିକ୍ରିୟା ନଥିଲା, ସେ ପ୍ରାୟ ସ୍ଥାଣୁ ହୋଇ ଯାଇଥିଲା । ବିଜୟ ବାବୁ କିଛି ସମୟ ପର୍ଯ୍ୟନ୍ତ ପରୀକ୍ଷା କରିଥିଲେ ତାକୁ । ମନୋଜ ପ୍ରାୟ ଚୁପ ରହୁଥିଲା ବିଜୟ ବାବୁଙ୍କ ପ୍ରଶ୍ନରେ । ସମସ୍ତଙ୍କୁ ଚାଲିଯିବାକୁ କହିଥିଲେ ବିଜୟ ବାବୁ । ମନୋଜ ପାଖରେ ଏକା କି ସେ ଥିଲେ । ଡାକ୍ତରର ପ୍ରଶ୍ନ କରିବା ପ୍ରଣାଳୀ ସେ ଆରମ୍ଭ କଲେ—

 

: ମନୋଜ, ହୁଏତ ଭଗବାନଙ୍କ ବରାଦ ଥିଲା । ଏଠିକୁ ଆସିଲେ ତମେ ହିଁ ମୋର ପ୍ରଥମ ପେସେଣ୍ଟ ହେବ ବୋଲି । ବର୍ତ୍ତମାନ ତମେ ଅନ୍ୟ ସମ୍ପର୍କ ଭୁଲିଯାଅ । କାରଣ ତମେ ମତେ ଠକି ପାରିବନି, ତା ଛଡ଼ା ମୁଁ ତମକୁ ମୃତ୍ୟୁ ମୁହଁକୁ ଛାଡ଼ି ଦେବିନି... ।

 

: ତେବେ ଆପଣ ସବୁଠୁ ବଳି ସ୍ୱାର୍ଥପର । ମନୋଜ ଉତ୍ତରରେ ଚମକି ପଡ଼ିଲେ ବିଜୟ ବାବୁ । ମାତ୍ର ପର ମୁହୂର୍ତ୍ତରେ ହସି ଦେଇ କହିଥିଲେ—

 

: ୟୁ ଆର କରେକ୍ଟ (ତମେ ଠିକ୍ କହୁଛ) । କେବଳ ମୁଁ ନୁହେଁ ମନୋଜ ପ୍ରତ୍ୟେକ ଡାକ୍ତର ସ୍ୱାର୍ଥପର, ସେମାନେ ଜୀବନ ଦିଅନ୍ତି, ମାତ୍ର ନେଇ ପାରନ୍ତି ନାହିଁ । ଛାଡ଼, ତମେ ଜାଣ ତମର କଣ ହୋଇଛି ?

 

: ହଁ...... ।

 

: ତାର କାରଣ ମୋଟେ ଡାକ୍ତର ପାଖରେ ଅଛପା ନୁହେଁ ମନୋଜ । କେତେ ଦିନୁ ସିଗ୍ରେଟ୍ ଅଭ୍ୟାସ କଲଣି ? ମନୋଜ ନୀରବ ରହିଲା, କାରଣ ତାର ପ୍ରଥମ ଉତ୍ତରରୁ ସେ ଯେ କେତେଦୂର ଉତ୍ତ୍ୟକ୍ତ ଆଉ ମ୍ୱର୍ଥ କେନ୍ଦ୍ରିକ ସେ କଥା ସ୍ପଷ୍ଟ ହୋଇଯାଇଛି । ଗୋଟିଏ ଶିକ୍ଷିତ ବ୍ୟକ୍ତି ମୁହଁରେ ଏମିତି ଭାଷା କେତେ ଅଶୋଭନୀୟ ତାହା ସେ ଠିକ୍ ଉପଲବ୍ଧି କରି ପାରୁଥିଲା । ମୁହଁକୁ ତଳକୁ ପୋତି ବସିଥିଲା ସେ । ମନୋଜର ନୀରବତାର ଉଦ୍ଦେଶ୍ୟ ମଧ୍ୟ ବୁଝି ପାରିଥିଲେ ବିଜୟ ବାବୁ । ସାମାନ୍ୟ ହସ ମୁହଁରେ ଖେଳେଇ କହିଥିଲେ—ମନୋଜ ତମେ ହୁଏତ ଉତ୍ତର ଦବନି କିନ୍ତୁ ମୁଁ ଏତିକି ଭଲରେ ଜାଣେ, ମାମି ସହ ତମ ବାହାଘର ହବା କଥା ତମେ ଜାଣିବା ପରଠାରୁ ସିଗ୍ରେଟ୍ ପିଉଛ, କିନ୍ତୁ କେବେ ଠାରୁ ଡ୍ରିଙ୍କ୍ (ମଦ ପିଇବା) କଲ ସେ କଥା ଜାଣନା, କିନ୍ତୁ ଏ କଥା ସତ ଯେ, ଗଲା କାଲି ତମେ ଡ୍ରିଙ୍କ୍ କରିଥିଲ । ବିଜୟ ବାବୁଙ୍କ କଥା ଗୁଡ଼ାକ ନିରାଟ ସତ୍ୟ ଥିଲା । ମଣିଷ ସତ୍ୟଟା ସହଜରେ ସହ୍ୟ କରି ପାରେନା । ଭୟାଳୁ ମନୋଜ ସେଥିରୁ ବାଦ୍ ଯାନ୍ତା କେମିତି-? ଇତସ୍ତତଃ ହୋଇ ଅନୁରୋଧ କରିଥିଲା ସେ ବିଜୟ ବାବୁଙ୍କୁ—“ସେ ସବୁର ହିସାବ ମୁଁ ରଖିନି ଆଜ୍ଞା ଆପଣ ଦୟା କରି ଜାଣିଥିବା କଥାର ପୁନରାବୃତ୍ତି କରନ୍ତୁ ନାହିଁ ।” ସାମାନ୍ୟ ହସି ଦେଇଥିଲେ ବିଜୟ ବାବୁ କହିଲେ—ବର୍ତ୍ତମାନ ତ ଅନେକ କିଛି କହିବାର ଅଛି । ମନୋଜ ଅବଶ୍ୟ ସେ କଥା ଗୋଟେ ଡାକ୍ତରର ଉପଦେଶ ମନେକଲେ ତମର ଉପକାର ହବ । ମନୋଜ ଚାରି ବର୍ଷରେ ଯେଉଁ କାମ ହୋଇ ପାରିନି, ତମେ ଭାବିଛ ସାରା ଜୀବନ ଲାଗିଲେ ସେ କାମ କଣ ହୋଇ ପାରିବ ? କିନ୍ତୁ ମନୋଜ ତମେ ଏମିତି ପଳାୟନପନ୍ଥୀ ହୋଇ ଉଠିବା ଅନୁଚିତ । ଭାବିଛ ତମେ ମରିଗଲେ ସବୁର ସମାଧାନ ହୋଇଯିବ ? ତମେ ମୁକ୍ତି ପାଇଯିବ ? ଅସମ୍ଭବ ମନୋଜ ତମର ମୁକ୍ତି ଜନ୍ମାନ୍ତରରେ ପ୍ରାୟଶ୍ଚିତରେ ମଧ୍ୟ ହୋଇ ପାରିବନି ସ୍ତ୍ରୀ ଲୁହର ମୂଲ୍ୟ ଅନେକ ଅବଶ୍ୟ ମୁଁ ଏତିକି ଗର୍ବର ସହ କହି ପାରିବି ମାମିର କୌଣସି ଆଶା ନାହିଁ । କିନ୍ତୁ ବାସନ୍ତୀ ତମର ମା... । ଡୁନଟ୍ ବି କ୍ୱାଡ଼୍ ମାଇଁ ବଏଟ୍ରାଏ ଟୁ ଫେସଲାଇଫ୍ ଥ୍ରଗ ୟୋର୍ ପାଥ୍ । ଛାଡ଼, ଦୀର୍ଘ ନିଃଶ୍ଵାସ ଛାଡ଼ିଲେ ବିଜୟ ବାବୁ—ମନୋଜ ଆସୁଛି । ଡାକ୍ତର ହିସାବରେ ଦେଇଥିବା ଉପଦେଶ ଗୁଡ଼ାକରେ ଯଦି କିଛି କଟୁକ୍ତି ଭରି ରହିଥାଏ । ବାପର ବନ୍ଧୁ ହିସାବରେ ପିତୃସ୍ଥାନୀୟ ମନେ କରି କ୍ଷମା କରିଦେବ । ହଁ ମୋ ଅପେକ୍ଷା ତମ ପାଇଁ ଡାକ୍ତର ସାହୁଙ୍କ ଚିକିତ୍ସା ବିଶେଷ ଆବଶ୍ୟକ । ମନୋଜ ହାତ ଉଠାଇ ପ୍ରଣାମ କଲା, ହସି ଦେଇ ଚାଲିଗଲେ ବିଜୟ ବାବୁ ।

 

ବିଜୟ ବାବୁ ଚାଲିଗଲେ ମାତ୍ର ତାଙ୍କ କଥା ଗୁଡ଼ାକ ମନୋଜ ମନ ମସ୍ତିଷ୍କରେ ପ୍ରତିଦ୍ଵନ୍ଦ୍ୱିତା ହୋଇ ଉଠୁଥିଲା । ଅଭୁତ ବାପ ସେ, ସେ କଣ ସବୁ କିଛି ଜାଣନ୍ତି ? ଜାଣିବେନି କାହିଁକି ସନ୍ତୋଷ ଅଛି । ସନ୍ତୋଷ କଥା ମନକୁ ଆସିବା ପରେ ମନୋଜର ଭାରାକ୍ରାନ୍ତ ମସ୍ତିଷ୍କଟା ଶାନ୍ତ ହୋଇ ଯାଇଥିଲା । ବାସନ୍ତୀ ଦେବୀ ସକାଳୁ ଠାକୁର ଘରୁ ବାହାରି ନାହାନ୍ତି ସେ କାନ୍ଦୁଛନ୍ତି । ଯାହା ବି ହେଲେ ସେ ତାର ମା’ । ମନୋଜ ତାଙ୍କ ଶରୀରର ଗୋଟିଏ ଅଙ୍ଗ । ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଗଲେ କେହି ତାକୁ କାଟି ଦେଇ ପାରେନା । ମନୋଜ ଭୁଲ କରିଛି ନଷ୍ଟ ପଥକୁ ଚାଲି ଯାଇଛି, ଅନ୍ୟମାନେ ତାକୁ ଘୃଣା କରି ପାରନ୍ତି ତା ଯନ୍ତ୍ରଣା କ୍ଳିଷ୍ଟ ମନ ଓ ଦେହକୁ ଦେଖି କିଏ ହୁଏତ ଦୟା ଦେଖାଇ ପାରେ, ମାତ୍ର ବାସନ୍ତୀ ଦେବୀଙ୍କ ପାଇଁ କଣ ତାହା ସମ୍ଭବ ? ମନୋଜର କଷ୍ଟଟା ତ ତାଙ୍କ ଶରୀରର ଯନ୍ତ୍ରଣା । ମାମି...ସେ ତ ଥିଲା ଗୋଟାଏ ଚାବି ଦିଆ କଣ୍ଢେଇ ।

 

ଭଉଣୀ ଘରକୁ ଯିବାକୁ ପିଲାମାନଙ୍କୁ ବାରଣ କରିଥିଲେ ବିଜୟ ବାବୁ, ସୁଲେଖା ଦେବୀଙ୍କ ପାଇଁ ମଧ୍ୟ ମନା ଥିଲା । କାରଣ ସେ ଜଣାଇ ଥିଲେ ଯେ ଝିଅ ଘରକୁ ଏତେ ଯିବା ଭଲ ନୁହେଁ । ତାଛଡ଼ା ଭଲ ମନ୍ଦ ବୁଝିବା ପାଇଁ ତ ଫୋନ ଅଛି । ଗଲେ କେବଳ ତାଙ୍କ ସହ ଯିବା ପାଇଁ ଅନୁମତି ଥିଲା, ଅନ୍ୟ ବେଳେ ନୁହେଁ । ସ୍ଵାମୀଙ୍କର ଅନୁଗତା ସୁଲେଖା ଦେବୀ ସେଥିରେ କୌଣସି ତ୍ରୁଟି କରି ନଥିଲେ ।

 

ଡାକ୍ତର ସାହୁ କେବଳ ବିଜୟ ବାବୁଙ୍କ ମୁହଁକୁ, ଚିକିତ୍ସା ଭାର ଗ୍ରହଣ କରିଥିଲେ ଯଦିଓ ସେ ଜାଣିଥିଲେ ମନୋଜ କଲେକ୍ଟର ବୋଲି, ତେବେ ବି କାହା ଘରକୁ ଯାଇ ଚିକିତ୍ସା କରିବା ତାଙ୍କର ନୀତି ନିୟମ ବାହାରର କଥା ହୋଇ ଯାଉଥିଲା । ତାଙ୍କ ମତରେ ଯଦି ଲୋକଙ୍କ ଘରକୁ ଯାଇ ଚିକିତ୍ସା କରାଯାଏ ତେବେ ମେଡ଼ିକାଲର ଲୋକମାନେ ଅବହେଳିତ ହେବେ । ଫଳତଃ ଡାକ୍ତର ମାନଙ୍କର ବଦନାମ ହବା ସାର ହବ । ବିଚଳିତ ବାସନ୍ତୀ ଦେବୀଙ୍କ ସମ୍ମୁଖରେ ନିଜର ନୀତି ନିୟମର ବାଖ୍ୟା କରିବାକୁ ଯାଇ, ଡାକ୍ତର ସାହୁ ତାଙ୍କ ମନରେ ବ୍ୟାକୁଳତା ଜାଣି ହସି ଦେଇ କହିଥିଲେ—ତମର ବ୍ୟସ୍ତ ହବାର ନୁହେଁ ଭଉଣୀ । ଡାକ୍ତର ହେଲେ ବି ମୁଁ ତ ସମାଜର ଗୋଟିଏ ଲୋକ, ନିଜର ମଣିଷ ପାଖେ ସେ ସବୁ ଚଳିବା କଥା ନୁହେଁ । ମନୋଜ, ବିଜୟ କେବଳ ଜ୍ଵାଇଁ ନୁହେଁ, ମୋର ମଧ୍ୟ କେବେ ସେଥିରେ କୌଣସି ହେଳା ହୋଇ ନ ପାରେ । ଡାକ୍ତର ବାବୁଙ୍କ କଥା ଅଦ୍ଭୁତ ଥିଲା, କାରଣ ମାମି ସହ ତାଙ୍କ ପରିଚୟ ପରେ ଅତୀତ ପୃଷ୍ଠା ଖୋଲି ସେ ବିଜୟ ବାବୁଙ୍କ ସହ ବନ୍ଧୁତ୍ୱ ଡୋରିରେ ବାନ୍ଧି ହୋଇଥିଲେ । ମାମି ଯେ କେବଳ ଘରେ ଆଦରଣୀୟା ଥିଲା, ସେ କଥା ନୁହେଁ । ତା ବ୍ୟବହାର ଓ ପ୍ରକୃତି ହିଁ ତାକୁ ସମସ୍ତଙ୍କର ପ୍ରିୟ କରିପାରିଥିଲା । କଣ ଥିଲା ତାର ସେ ପ୍ରିୟ ହବାର ମହତ୍ତ୍ୱ ? ସେ ନାରୀ ତା ରୂପ ଗୁଣ ଆଉ ବ୍ୟବହାର ଯଦି ତା ସ୍ଵାମୀକୁ ମୁଗ୍ଧ କରି ନ ପାରିଲା ତେବେ ସେ ସବୁର ହଜାରେ ମହତ୍ତ୍ୱ ସାର୍ଥକ ହୁଏନା । ଏ ମାମି ମନର ପ୍ରଶ୍ନ ନଥିଲା, ସେ ଦିନ ଡାକ୍ତର ବାବୁ ଗଲାପରେ ମାମିକୁ ଚାହିଁ ସେ ଭାବୁଥିଲେ—କଣ ଥିଲା ଏ ଝିଅ ଆଉ ଆଜି କଣ ହୋଇଛି । ଚାରି ବର୍ଷରେ ତା ଜୀବନର ଗତି ଦଶ ବର୍ଷ ଅଧିକ ଆଗକୁ ଚାଲି ଯାଇଛି ବୋଧହୁଏ ।

 

ଡାକ୍ତର ସାହୁ କହନ୍ତି—ତାଙ୍କ ଚିକିତ୍ସାରେ ବିଶେଷ କାମ ନାହିଁ । କାମ ତ ଥିଲା ମାମି ହାତରେ । ମାମି ସ୍ତ୍ରୀ, ସ୍ତ୍ରୀ ହାତର ଗୁଣଥିଲେ ସ୍ଵାମୀ ପାଖରେ ରୋଗ ରହି ପାରେନା, କିନ୍ତୁ ମାମି ସେ ଜାଣେ ମନୋଜକୁ ଔଷଧ ଦବା କେତେଦୁର କଷ୍ଟକର । ଅବାଧ୍ୟ ସ୍ଵାମୀ ତାର ତା କଥା ମାନୁ ନଥିଲେ ସ୍ତ୍ରୀର ସରାଗ ଭାବି ପ୍ରଥମେ ବିରକ୍ତି ହୋଇ ଉଠିଥିବା ମନୋଜକୁ ସେ ସ୍ପଷ୍ଟ କହି ଦେଇଥିଲା—‘ଅସୁସ୍ଥତା ଭିତରେ ପଡ଼ି ରହି ଯନ୍ତ୍ରଣା ପାଇ, ତମେ ଯଦି ମୋଠାରୁ ମୁକ୍ତି ପାଇଯିବାର ବାଟ ଖୋଜୁଥାଅ ତେବେ ତୁମେ ଭୁଲ କରୁଛ । ସ୍ତ୍ରୀ ଅନେକ ମିଳିଯିବେ କିନ୍ତୁ ମା’ ମିଳି ପାରିବନି, ତମେ ଯଦି ମୋଠାରୁ ମୁକ୍ତି ଚାହଁ ମୁଁ ଏଇ ମୁହୂର୍ତ୍ତରେ ମୁକ୍ତି ଦେଇ ଦେବି । ବୋଉଙ୍କୁ ସବୁ କହିଦେଲେ ସେ ଠିକ୍ ବୁଝିଯିବେ କାରଣ ସେ ମୂର୍ଖ ନୁହନ୍ତି । ତାଙ୍କୁ ଅନ୍ଧାର ଭିତରେ ରଖି ଏମିତି ସବୁ କରିଗଲେ କିଛି ଲାଭ ହବନି । ଠିକ୍ ସେଦିନ ତା ପରଠାରୁ ମନୋଜ ମୁହଁରେ କୌଣସି ପ୍ରତିବାଦ ନଥିଲା । ସେ ଚାହୁଁ ନଥିଲା ତା ମା ସବୁ ଜାଣୁ ବୋଲି ତା ମା’ ହିଁ ତ ତା ଜୀବନର ପ୍ରଧାନ ଦୁର୍ବଳତା । ଚାରିବର୍ଷର ଅତୀତ ଘଟଣା ସବୁ ମାମି କଣ ବୋଉ ଆଗରେ କହି ପାରିବ ? ନ ପାରିବ ବା କାହିଁକି । ତା ପକ୍ଷେ ସବୁ କିଛି ସମ୍ଭବ, ପରେ ଉତ୍ୟକ୍ତ ମନୋଜର ଭାରାକ୍ରାନ୍ତ ମନକୁ ଶାନ୍ତ କରିବା ପାଇଁ ମାମି ଧୀରେ କହିଥିଲା—‘ସ୍ତ୍ରୀ ଭାବି ମୋ ହାତର ଜିନିଷ କିଛି ଗ୍ରହଣ ନ କର ମୋର କୌଣସି ଆପତ୍ତି ନାହିଁ କେବଳ ସେତିକି ନୁହେଁ, ସ୍ତ୍ରୀର ଅଧିକାର ମୋର ପ୍ରୟୋଜନ ନାହିଁ । କେବଳ ତମ ମା’ ଆଖିରୁ ଲୁହ ପୋଛି ଦେବାକୁ ତମେ ଭଲ ହୋଇଯାଅ । ସେଥିପାଇଁ ହୁଏତ ଯଦି ଡାକ୍ତର ସାହୁଙ୍କ ଦ୍ଵାରା ନିର୍ବାଚିତା ମୁଁ ଗୋଟିଏ ସେବିକା ବୋଲି ଭାବିନିଅ ସେଥିରେ ବରଂ ମୋର ଆନନ୍ଦ ।

 

ମନୋଜ ସମ୍ମୁଖରେ ମାମି ମୁହଁ ଖୋଲିଥିଲା । ନୀରବ ରହିଥିଲା ମନୋଜ କାରଣ ତା ପାଖରେ ଏମିତି ସିଧା ସଳଖ କଥାର ଉତ୍ତର ନଥିଲା, ସେ ତ ଉତ୍ତର ଦେଇ ଶିଖିନି । ଏଟା ତାର ପରୀକ୍ଷା ଖାତା ନୁହେଁ ବା ଅଫିସ ନୁହେଁ ଯେ ସେ କିଛି କାହିଁ ପାରିବ ତା ଛଡ଼ା ସେ କଣ ମାମିର ଦୋଷୀ ନୁହେଁ ? ଅପରାଧୀ ପରି ନୀରବତା ମଧ୍ୟରେ ମୋନଜ ବାଧ ହୋଇ ଉଠିଥିଲା ମାମିର । ତାଙ୍କ ମଧ୍ୟରେ ସେମିତି କୌଣସି କଥାବାର୍ତ୍ତା ହେଉ ନଥିଲା, ମାମିର ମଧ୍ୟ ଉତ୍କଣ୍ଠା ନଥିଲା ଯଦିଓ ରୋଗୀ ବା ସ୍ଵାମୀ ହିସାବରେ ମନୋଜର ମାମି ପ୍ରତି ସହାନୁଭୂତି ବଢ଼ି ଯାଇଥିଲା । ମାମି ସେବା ଯତ୍ନରେ କୌଣସି ପ୍ରକାର ତ୍ରୁଟି ନଥିଲା । ଭଗବତ୍ ବିଶ୍ୱାସୀ ମାମି ସବୁ କିଛି ସେଇ ସର୍ବଶକ୍ତିବାନ ଈଶ୍ଵରଙ୍କ ଉପରେ ଛାଡ଼ି ଦେଇଥିଲା । ନିଜ ପ୍ରତି ତାର କୌଣସି ମମତା ନଥିଲା । ସେ ତ ତା ସିଦ୍ଧାନ୍ତରେ ପହଞ୍ଚି ସାରିଥିଲା— ଲୀନା ମନୋଜକୁ ମୁକ୍ତି ଦେଇ ନ ପାରେ ମାତ୍ର ମାମି ପାରିବ । ଏମିତି ଭାବରେ ସେ ମନୋଜକୁ ମୁକ୍ତି କରିଦବ ଯେ, ନୀଳ ଆକାଶରେ ଘୂରି ବୁଲୁଥିବା କ୍ଳାନ୍ତ ମନୋଜ ହୁଏତ ଦିନେ ତାର ଆଖିରୁ ଲୁହ ଝରାଇବ କେବଳ ତା’ରି ପାଇଁ ।

 

ବିଜୟ ବାବୁ ଝିଅ ଉଦାସୀନତାକୁ ଉପଲବ୍ଧି କରିପାରି ନଥିଲେ ବରଂ ମାମିର କାର୍ଯ୍ୟକଳାପ ତାଙ୍କୁ ମୁଗ୍ଧ କରି ପାରିଥିଲା । ମନୋଜ କ୍ରମଶଃ ସୁସ୍ଥ ହୋଇ ଉଠୁଥିଲା, ସେଦିନ ଡାକ୍ତର ସାହୁ କହିଥିଲେ—ମୋର ଠିକ୍ ମନେ ଅଛି ମା, ଥରେ ବିଜୟ ବାବୁ କହିଥିଲେ—ପରିବାରର ପରିବେଷ୍ଟନୀ ଓ ବାପ, ମା’ଙ୍କ ମଧ୍ୟରୁ ହିଁ ପିଲାମାନେ ଶିକ୍ଷା ଆହରଣ କରନ୍ତି, ସେଦିନ ମୁଁ ଯୁକ୍ତି କରିଥିଲି ମାତ୍ର ଆଜି ଦେଖୁଛି ସେ ଠିକ୍ କହିଥିଲେ ଉଚ୍ଚ ଶିକ୍ଷା ନେଇ ଡିଗ୍ରୀ ଧରି ବସିଗଲେ ପିଲାମାନେ ଶିକ୍ଷିତ ହୋଇ ପାରିବେନି । ଆଜି କାଲି ଝିଅମାନଙ୍କୁ ପ୍ରବୃତ୍ତି ବଦଳି ଯିବା ପାଇଁ ଆଧୁନିକ ଶିକ୍ଷା ଦାୟୀ ନୁହେଁ । ମା’ କାରଣ ତତେ ତ ତାର ଉଜ୍ଜ୍ୱଳ ପ୍ରମାଣ ସ୍ଵାମୀ ତମର ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ । ସତରେ ସବୁ ଝିଅ ଯଦି ମାମି ପରି ହୋଇପାରନ୍ତା ତେବେ ପ୍ରତ୍ୟେକ ପରିବାର ସ୍ଵର୍ଗରେ ପରିଣତ ହୋଇଯିବା ସଙ୍ଗେ ସଙ୍ଗେ ଦେଶ ବି ଆମର ସ୍ଵର୍ଗପୁରୀ ହୋଇପାରନ୍ତା । ମାମି ବସିଥିଲା ଡାକ୍ତର ସାହୁଙ୍କ ପାଖରେ ମନୋଜ ବସିଥିଲା ତା ବେଡ୍ ଉପରେ ପାଖରେ ବିଜୟବାବୁ ଓ ସ୍ଵସ୍ତୀକ ମନ୍ମଥ ବାବୁ ସମସ୍ତଙ୍କ ମନରେ ଖୁସି କଥା ନ ଶୁଣିଲା ପରି ବହିଧରି ବସିଥିବା ମନୋଜର ଆଖି ଦି’ଟା ସମସ୍ତଙ୍କ ଅଜଣାତରେ ମାମି ଉପରେ ଥିଲା । ବିଜୟ ବାବୁଙ୍କ ଆଖି ପଡ଼ିଥିଲା ମନୋଜ ଉପରେ, ଯେଉଁ ମନୋଜ ପଢ଼ିବାକୁ ଚାହୁଁଥିଲା ତାଙ୍କ ଝିଅ ମନର ଭାଷା କିନ୍ତୁ ମନୋଜ ଚେଷ୍ଟା ସଫଳ ହୋଇ ପାରି ନଥିଲା । ତା ମନରେ କୌଣସି ପ୍ରତିକ୍ରିୟା ନଥିଲା, ଥରେ ମାତ୍ର ଚାହିଁଥିଲା ବାପର ମୁହଁକୁ; ତାଙ୍କ ମନର ଭାଷା ମୁହଁରେ ସ୍ପଷ୍ଟ ପ୍ରତିଫଳିତ ହୋଇ ପାରିଥିଲା । ତା ଆଖିରେ ଲୁହ ନଥିଲା କେବଳ ଶୁଷ୍କ ହସଟିଏ ହସି କହିଥିଲା—

 

: ମଉସା, ମିଛରେ ମୋର ପ୍ରଶଂସା କରୁଛନ୍ତି କାରଣ ମଣିଷ ନିଜର ପ୍ରଶଂସା କରି ପାରେନା ବୋଲି । ମଉସା ଆପଣଙ୍କ ଝିଅର ଅଧିକ ପ୍ରଶଂସା କରିବେନି ନଚେତ୍ ମୁଁ ହୁଏତ ଜୀବନରେ କେବଳ ଆପଣଙ୍କ ପାଖରେ ଋଣୀ ରହିଯିବି ।’ ମାମି କଥାର ଶେଷ ପଦକ ତା ଅନ୍ତରର କେଉଁ ଗଭୀରତମ ପ୍ରଦେଶରୁ ଆସିଥିଲା ସେ କଥା ମାମି ମଧ୍ୟ ଜାଣେନା କିନ୍ତୁ ଏ କଥା ସତ ଯେ ସେ ପଦକ କଥା ଉପସ୍ଥିତ ପ୍ରତ୍ୟେକଙ୍କ ସହ ମାମିକୁ ମଧ୍ୟ ଚମକାଇ ଦେଇଥିଲା ।

 

ସମସ୍ତେ ଚାଲିଗଲେ; ଝରକା ଦେଇ ମାମି ଚାହିଁ ରହିଥିଲା ଦୂର ଦିଗ୍‍ବଳୟ ତଳକୁ । ଯେଉଁଠାରୁ ସେ ପ୍ରତ୍ୟେକ ଦିନ ସୂର୍ଯ୍ୟୋଦ୍ଵୟ ଦେଖେ; ଯେଉଁ ସୂର୍ଯ୍ୟର ପ୍ରଥମ ରଶ୍ମି ତା କୁମାରୀ ମନରେ ଦିନେ ପୁଲକ ସଞ୍ଚାର କରୁଥିଲା । ଆଜି ସେ ତା ବିବାହିତ ଜୀବନରେ ହୋଇ ଯାଉଥିବା ଘଟଣାର ମୂକ ସାକ୍ଷୀ ହୋଇ ରହି ଯାଇଛି । ପ୍ରଥମେ ଡାକ୍ତର ସାହୁ ଆସି ମାମିର ଅସଫଳ ବୈବାହିକ ଜୀବନ ସମ୍ବନ୍ଧରେ ସନ୍ଦେହ କରି ପାରିଥାନ୍ତେ ମାତ୍ର ବିଜୟ ବାବୁ ହସି ଦେଇ କହିଥିଲେ–“ମୋ ସନ୍ଦେହ ଶୁଣି ମନୋଜ ଏସବୁ କରିଦେଇଛି ।”ସଫଳ ଅଭିନେତା ମନୋଜ ହସି ଦେଇଥିଲା । ଡାକ୍ତର ସାହୁ ସଙ୍ଗେ ସଙ୍ଗେ କହିଥିଲେ । —“ଭୁଲ କରିଛ କିନ୍ତୁ ରୋଗୀକୁ ଏମିତି କହିଦେବା ଉଚିତ୍ ହୋଇନି । କଥା ତ ବେଶୀ ଆଗକୁ ଯାଇନି, ସେଥିରେ ତମେ ଡାକ୍ତର ହୋଇ ବ୍ୟସ୍ତ ହବାର ଉଚିତ୍ ହୋଇନି ।” ଦୁଇ ବନ୍ଧୁଙ୍କ ହସ କଥାବାର୍ତ୍ତା ମାମି କାନ ମଧ୍ୟରେ ବାଜିଥିଲା, ନ ଜାଣିବାର ଅଭିନୟ କରିଥିଲା । ମନୋଜକୁ ଚାକିରୀ ଜୀବନରେ ଅନେକ ଦିନ ଛୁଟି ନେବାକୁ ପଡ଼ିଥିଲା ।

 

ବିଜୟ ବାବୁ ଆସିଥିଲେ ମନୋଜକୁ ଦେଖିବା ପାଇଁ । ମନୋଜ ସହ ଏକାକୀ କିଛି ସମୟ କଥାବାର୍ତ୍ତା କରି ସାରିବା ପରେ ବନ୍ଧୁ ପାଖକୁ ଫେରି ଆସିଥିଲେ । ଡାକ୍ତର ହିସାବରେ ଅନେକ ଉପଦେଶ ଦେଉଥିଲେ ମନୋଜକୁ । ବିଜୟ ବାବୁଙ୍କ କଥାରେ ଯାଦୁଥଲା ଯଦ୍ୱାରା ମନୋଜ ଦିନକୁ ଦିନ ଆକର୍ଷିତ ହୋଇ ଯାଉଥିଲା ତାଙ୍କ ଦିଗକୁ । ବନ୍ଧୁ ସମ୍ମୁଖରେ କୌଣସି କଥା ଗୁପ୍ତ ରଖିପାରନ୍ତି ନାହିଁ ବିଜୟ ବାବୁ । ସେଦିନ ଅନେକ ସମୟ ଏକାଠି ଗପ ସପ କରିସାରିବା ପରେ ମୁଖ୍ୟ କଥାର ଉତ୍‍ଥାପନ କରିଥିଲେ ବିଜୟ ବାବୁ । ଅନୁତପ୍ତ ମନ୍ମଥ ବାବୁ ହଠାତ୍ ଗମ୍ଭୀର ହୋଇ ଉଠିଥିଲେ ସବୁ ଶୁଣିବା ପରେ ।

 

: ପିଲାଟାକୁ ତୁ ଭୀରୁ କରିଦେଲୁ ମନ୍ମଥ, କିନ୍ତୁ ସେ କିଛିବି ନୁହେଁ ସବୁ ଠିକ୍ ହୋଇଯିବ-। କଥାଟା ନିହାତି ମାମୁଲି ତୁ ଚିନ୍ତା କରନା, ହୁଏତ ଆଉ ଅଳ୍ପ ଦିନ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।

 

ଜାଣୁ ବାସନ୍ତୀ କହୁଥିଲା ଅଳ୍ପ ଦିନରେ ଠିକ୍ ହୋଇଯିବ ବୋଲି ତାଙ୍କୁ କେଉଁ ଜ୍ୟୋତିଷ କହିଥିଲା ।

 

: ତୁ ଚିନ୍ତା କରନା ମନ୍ମଥ ସବୁ ଠିକ୍ ହୋଇଯିବ । ମନୋଜ ଦେହ ଖରାପ ହବାଟା ଅନୁକୂଳ ପରିବେଶ ସୃଷ୍ଟି କରିଛି । ତୁ କଣ ଏତିକି ଟିକେ ଜାଣୁନା ମଣିଷର ମନସ୍ତତ୍ତ୍ୱ ସମ୍ବନ୍ଧରେ ? ତାଛଡ଼ା ମୁଁ ଯାହା ଲକ୍ଷ୍ୟ କରିଛି ମାମି ତା ସେବାରେ କୌଣସି ହେଳା କରିନି ।

 

: ତୁ ଭାଗ୍ୟବାନ ବିଜୁ, ମାମି ପରି ଝିଅ... ।

 

: ଆଚ୍ଛା; ମାମି ତୋର କଣ କିଛି ନୁହେଁ ?

 

: ସେ କଥା କହିବାର ମୋର ସାହସ ନାହିଁରେ ବିଜୁ ଭଗବାନ ତାକୁ ଆଶୀର୍ବାଦ କରନ୍ତୁ-। ହଁ ତାକୁ ତୁ ଟିକେ ଘରକୁ ନବୁ ବୋଲି କହୁଥିଲୁ... ।

 

: ତୋ ଅନୁମତି ମିଳିଲେ ସିନା.....ହସି ଦେଲେ ବିଜୟ ବାବୁ ।

 

: ବୁଝିଲୁ ବିଜୁ, ପୁଅ ମୋର ମଣିଷ ହୋଇଥିଲେ ମୁଁ କଦାପି ଅନୁମତି ଦେଇନଥାନ୍ତି । ଛାଡ଼, ହଁ ସନ୍ଧ୍ୟାବେଳେ ଛାଡ଼ିଦବୁ... ।

 

: ରଖିବାର ହୋଇଥିଲେ ଝିଅ ଧନ କଣ କିଏ ଛାଡ଼ିପାରେ ? ଝିଅ ତ ସବୁ ଦିନ ପରର କିନ୍ତୁ ମୋ ଝିଅକୁ ତ ମୁଁ ପରକୁ ଦେଇନି, ନିଜ ଲୋକ ପାଖରେ ରଖି ଦେଇଛି । ତୁ ତ ତା ବାପା ମନ୍ମଥ ଆଜି ମୁଁ କଣ ? ମୁଁ କେବଳ ଜନ୍ମଦାତା.... ।

 

ଦୁଇ ବନ୍ଧୁଙ୍କ ଗପ ମଧ୍ୟରେ ମାମି ଆସି ପହଞ୍ଚିଗଲା । ତା’ ଯିବା କଥା ଶୁଣି ତା ନିର୍ଜୀବ ହୋଇ ଯାଉଥିବା ଜୀବନ୍ତ ଆଖି ଦି’ଟା କିଛି ସମୟ ସ୍ଥିର ହୋଇ ଯାଇଥିଲା ବାପ ଉପରେ । ତା ପରେ ଲୁଗା ବଦଳାଇବାକୁ ଚାଲିଗଲା ସେ । ବିଜୟ ବାବୁ ଥିବା କଥା ଜାଣି ନଥିଲା ମନୋଜ ଦୀର୍ଘ ଚାରି ବର୍ଷରେ ଏ ହୁଏତ ପ୍ରଥମ ଯେ ମନୋଜର ଉପସ୍ଥିତିରେ ମାମି ବାହାରକୁ ବାହାରିଛି । କିନ୍ତୁ କୁଆଡ଼େ ଯିବ ସେ ? ମନୋଜ ଲକ୍ଷ୍ୟ କରୁଥିଲା ତାକୁ, ତାର ଇଚ୍ଛା ହଉଥିଲା ପଚାରି ଦବାକୁ—କୁଆଡ଼େ ଯାଉଛ ? କିନ୍ତୁ ସେ ପାରିଲା ନାହିଁ । ବାରମ୍ବାର ଚେଷ୍ଟା କରି ସେ ହାରି ଯାଇଥିଲା । ସତ, ମାତ୍ର ମାମି ଠିକ୍ ମନେ ରଖିଥିଲା ନିଜର କର୍ତ୍ତବ୍ୟକୁ ଧିରେ ସେ କହିଥିଲା—“ବାପାଙ୍କ ସହ ଘରକୁ ଯାଉଛି ସମୟରେ ଔଷଧ ଖାଇନବ କାରଣ ସେ ସବୁ ବୋଉଙ୍କୁ ଜଣା ନାହିଁ ।”

 

ବାପାଙ୍କ ସହ ମାମି ଯାଇଥିଲା ବାପାଙ୍କ ଘରକୁ । ସେ ଘର ଆଜି ତା ପାଇଁ ନିଜର ନୁହେଁ । ବଡ଼ ଅଦ୍ଭୁତ ସତରେ ବିଧିର ବିଧାନ ଯେଉଁ ଘରେ ଝିଅ ଜନ୍ମ ନେଇ ଭାଷା ଶିଖେ ଚାଲି ଶିଖେ ଦିନେ ସେଇ ଘରର ଅତିଥି ହୋଇଯାଏ ସେ ତା’ କର୍ତ୍ତବ୍ୟ କେବଳ ପର ପାଇଁ ଜନ୍ମ ଦେଇଥିବା ବାପା ମା’ଙ୍କ ପାଇଁ ଇଚ୍ଛା କରି ମଧ୍ୟ କିଛି କରିବାକୁ ଗଲେ ତା ଗୋଡ଼ ବାନ୍ଧି ହୋଇଯାଏ-। ଶକ୍ତ ଫାଶ ଦ୍ୱାରା । ବିନା ଆମନ୍ତ୍ରଣରେ ବାପ ଘରକୁ ଆସିବା ଝିଅ ପାଇଁ ହୁଏତ ନିଷେଧ ହୋଇ ନପାରେ ତେବେ ଝିଅ ମନର ଅକୁହା ଅବୁଝା ଅଭିମାନକୁ ନେଇ ସେ ଦୂରେଇ ରହେ । ସାମାନ୍ୟ ପରିହାସର କଥା ବା ଉପଦେଶ ମଧ୍ୟ ସମୟେ ସମୟେ ତାକୁ ଅପମାନିତ କରିଥାଏ ଏହାହିଁ କେବଳ ଗୋଟିଏ ଝିଅ ଜୀବନର ବୈଚିତ୍ରତା । ମାମି ଆଜି କାହା ଉପରେ ଅଭିମାନ କରିପାରୁନି କାହା କଥା ମଧ୍ୟ ତାକୁ ଅପମାନ ଦେଇ ପାରୁନି, ସେ ମୂକ ବଧିର ହୋଇଯାଇଛି । ସମସ୍ତଙ୍କର ହୋଇ ମଧ୍ୟ ସେ ଆଜି କାହାର ନୁହେଁ । ତା’ ପାଇଁ ସବୁ ରାସ୍ତା ବନ୍ଦ । ବାପ ଘରେ ଝିଅ ହୋଇ ବା ଶାଶୁ ଘରେ ବୋହୂ ହୋଇ ଆଜି କଣ ପାଇଛି ସେ ? ତାର ହିସାବ ନିକାସ ହୁଏତ ସେ ରଖିନି, କିନ୍ତୁ ସେ କଣ କେବଳ ଏତିକି କହି ପାରିବ ଯେ ତା ମନରେ ସେ ଟିକିଏ ଶାନ୍ତି ପାଇଛି ନା ପାଇଛି ନିର୍ଭୟତା ? ନିଜର ବୈବାହିକ ଜୀବନର ଅସଫଳତା ସମ୍ବନ୍ଧରେ କାହା ମୁହଁରୁ ଶୁଣିବା ଭୟରେ ସେ ସମସ୍ତଙ୍କ ପାଖରେ ଦୂରେଇ ରହିଛି । ସାଙ୍ଗ ସାଥି ବନ୍ଧୁ ବାନ୍ଧବ ସମସ୍ତଙ୍କ ପାଇଁ ସେ ହଜି ଯାଇଛି ତା ଅଜଣା ରାଜ୍ୟରେ ଯଦିଓ ସମସ୍ତଙ୍କ ମନରେ ସେ ଅଜଣା ରାଜ୍ୟ ମନୋଜର ପର, ତେବେ ତା ପାଇଁ ସେ କେବଳ ତା ପଢ଼ା ବହି ଛଡ଼ା ଅନ୍ୟ କିଛି ବି ନୁହେଁ । ସେ ପାଠ ପଢ଼ୁଛି ହୁଏତ ସେତିକି ନଥିଲେ ଅନେକ ଦିନରୁ ସେ ପାଗଳ ହୋଇ ସାରନ୍ତାଣି । ସେ ସବୁ ଭାବି ବସିଲେ ହସ ଲାଗେ ତାକୁ ସେ ହୁଏତ କେଉଁ ଅନାମଧେୟ ଉପନ୍ୟାସର ନାୟିକା ଯାହାର ସବୁ କିଛି ଥାଇ ବି ସେ ଶୂନ୍ୟ ନିସ୍ଵ ସମସ୍ତଙ୍କ ମନରେ ଆନନ୍ଦ ଭରି ଦେଇଥିବା ସର୍ବଗୁଣସମ୍ପନ୍ନା ନାୟିକା କେବଳ ହାରି ଯାଇଛି ତାର ନାୟକ ପାର୍ଶ୍ଵରେ ଯେଉଁ ପରାଜୟର ଗ୍ଳାନି ନେଇ କେହି କେବେ ବଞ୍ଚି ପାରେନା ସେ ପରାଜୟ ପରେ ମଧ୍ୟ ସେ ଆଜି ହସୁଛି ପୂର୍ବପରି । ସେ ବିଜୟିନୀ ହୋଇପାରିଛି, ହୁଏତ ଅନ୍ୟ କେଉଁଥିରେ ନ ହେଲେ ତା କର୍ତ୍ତବ୍ୟ କ୍ଷେତ୍ରରେ ।

 

ସୁଲେଖା ଦେବୀ ପୂର୍ବରୁ ଜାଣିଥିଲେ ମାମିର ଆସିବା କଥା । ଆଜି ତାଙ୍କ ସ୍ଵାମୀ ତାଙ୍କୁ କହି ଯାଇଥିଲେ ଅନେକ ଯାହାକି ଆଜି ପର୍ଯ୍ୟନ୍ତ ତାଙ୍କ ପାଇଁ ଗୋପନ ଥିଲା । ଯାହା ଗୋଟିଏ ମା’ ପାଖରେ ଗୋପନ ରଖାଯାଇ ନପାରେ ତାକୁ ତାଙ୍କ ପାଇଁ ଗୋପନ କରାଯାଇଥିଲା । ସ୍ଵାମୀ ଗଲାପରେ ଅନେକ କାନ୍ଦିଥିଲେ ସେ, ଏମିତି ଭାବରେ ଝିଅକୁ ତାଙ୍କର ବଳି ଦେଇ ଦବାର କି ଅଧିକାର ଥିଲା ତାଙ୍କର ? ସେ କଣ ମାମିର କିଛି ବି ନୁହେଁ ? ଅନେକ ସମୟ ପରେ ପ୍ରକୃତିସ୍ଥ ହୋଇଥିଲେ ସେ । କି ସ୍ଵପ୍ନ ଦେଖି ନଥିଲେ ସେ, ତାଙ୍କର ଆଦରର ମାମି ପାଇଁ କିନ୍ତୁ କଣ ସବୁ ହୋଇଗଲା ? ଯେଉଁ ମାମି ଦିନେ ରୁଷି ବସିଲେ ବିଜୟ ବାବୁ କାମ ଦାମ ଛାଡ଼ି ତା ପଛରେ ଲାଗି ରହୁଥିଲେ ସେ କାହିଁକି ଏମିତି ସବୁ କରିଗଲେ, ସେ ପ୍ରଶ୍ନର ଉତ୍ତର ଖୋଜି ପାଇ ପାରୁନଥିଲେ ସେ-। ମାମି ଆସିଗଲା । ବାହାଘର ପରେ ପ୍ରଥମ ଥର ଆସିଛି ବାପ ଘରକୁ । ବିଜୟ ବାବୁଙ୍କର ସେଦିନ ସମସ୍ତ କାମ ସ୍ଥଗିତ ରହିଥିଲା । ଖିଆ ପିଆ ସରିଲା । ବୁବୁ ମିତା ଘରେ ନଥିଲେ ବୋଧହୁଏ ଅପା ଆସିବା କଥା ସେମାନଙ୍କୁ ଜଣା ନଥିଲା । ବାପ ଓ ମା’ ଉଭୟ ଥିଲେ ଝିଅ ପାଖରେ । ଅନେକ ସମୟ କଥବାର୍ତ୍ତା ଚାଲିଥିଲା, ସେ କଥାବାର୍ତ୍ତାର କୌଣସି ଅନ୍ତ ନଥିଲା କିମ୍ବା କୌଣସି ନିର୍ଦ୍ଧିଷ୍ଟ ଡୋରରେ ବନ୍ଧା ନଥିଲା । ତାଙ୍କର କଥାବାର୍ତ୍ତା କିନ୍ତୁ ବାରମ୍ବାର ଚେଷ୍ଟା କରି ମଧ୍ୟ ବିଜୟ ବାବୁ ମାମି ଆଖି ତଳ ଅନନ୍ତ ଭୟର ସୀମା ନିର୍ଦ୍ଧାରଣ କରିପାରୁ ନଥିଲେ । ସମୟ ତାଙ୍କ ପାଖରେ କମ୍ ଥିଲା କିନ୍ତୁ କହିବାକୁ ଅନେକ କଥା ଥିଲା । ଶେଷରେ ସେ ଆରମ୍ଭ କରିଥିଲେ—ମା’ରେ ତତେ ଅନେକ କିଛି କହିବା ପାଇଁ ମୁଁ ଆଜି ଡାକି ଆଣିଛି । ବାପ କଥାରେ ଚମକି ପଡ଼ିଲା ମାମି ଭୟରେ ତା ପାଟି ଅଠା ହୋଇ ଯାଉଥିଲେ, ଛାତିରେ ଅଜସ୍ର କମ୍ପନ ମୁହଁ ବନ୍ଦ । ବାପା କହୁଥିଲେ—ମା’ରେ ତୁ ହୁଏତ ଜାଣିନୁ କିନ୍ତୁ ତୁ ଅଭିଶପ୍ତା ମୁଣ୍ଡରେ ଅଭିଶାପର ଭାର ନେଇ ତୁ ଜନ୍ମ ନେଇଛୁ କିନ୍ତୁ ମୋ ମନରେ ଦୃଢ଼ଧାରଣା ଥିଲା କର୍ତ୍ତବ୍ୟ ପରାୟଣ ନାରୀ ସର୍ବଦା ଅଭିଶାପ ମୁକ୍ତ ବୋଲି କେବଳ ସେଇଥି ପାଇଁ ମୁଁ ମୁଖ୍ୟତଃ ତତେ କର୍ତ୍ତବ୍ୟ ପ୍ରଥମେ କରାଇବାର ଉପଦେଶ ଦେଲି କିନ୍ତୁ କେବଳ ଉପଦେଶ ନୁହେଁ ତତେ କରାଇଥିଲି ମଧ୍ୟ କିନ୍ତୁ ମା’ତମେ ତମ କର୍ତ୍ତବ୍ୟରେ କିଛି ହେଳା କରିଛ କି ?

 

: ବାପା, ମାମିର କଣ୍ଠ ଥରି ଉଠିଥିଲା । ହସି ଦେଇଥିଲେ ବିଜୟ ବାବୁ । ପୁନର୍ବାର ସେ କହିଲେ—ଭୟ କରିବାର କଣ ଅଛି, ମୁଁ ଜାଣେ କଥାଟା ଲୁଚି ରହିବା ପାଇଁ ତମେ ପାଠପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବା ଦ୍ଵାରା ତମ କର୍ତ୍ତବ୍ୟରେ ହେଳା କରିଛ । କିନ୍ତୁ ମାମି ହୁଏତ ତମେ ଜାଣନା କିନ୍ତୁ ସାରା ସହରବାସୀ ଏକଥା ଜାଣନ୍ତି ବିଖ୍ୟାତ କଣ୍ଟ୍ରାକ୍ଟର ମନ୍ମଥର କାର୍ଯ୍ୟକଳାପ । ଅତୀତରେ ତାହାରି ସାମାନ୍ୟ ଭୁଲରୁ ଯେଉଁ ଭଲପାଇବା ସୃଷ୍ଟି ହୋଇଥିଲା ଏସବୁ କେବଳ ତାର ପ୍ରତିଫଳନ ମାତ୍ର । ଲୀନା ମହାପାତ୍ର...ସେ ହୁଏତ ତା ମାଉସୀର ଅତୀତ ପାଇଁ ମନୋଜକୁ ଖେଳାଉଥିବ ମାତ୍ର ତୁ ଦୀର୍ଘ ଚାରି ବର୍ଷର ପାଠକୁ ବଡ଼ କରିବା ଦ୍ଵାରା ଖେଳ କଣ୍ଢେଇ ମନୋଜର ଚାବି ଭାଙ୍ଗି ପାରିଲୁ ନାହିଁ । ମୀନା ସମାଜ ସେବିକା ଥିଲା କୋଟି କୋଟି ସମ୍ପତ୍ତିର ମାଲିକ କିନ୍ତୁ ମନ୍ମଥର ବ୍ୟକ୍ତିର ଦ୍ଵାରା ସେ ଭାଙ୍ଗିଗଲା ଜାଣିଆଣ ମଧ୍ୟ ଭୁଲିଗଲା, ମାତ୍ର ସେତେବେଳେ କେବଳ ବାସନ୍ତୀ ଆଖିରୁ ଲୁହ ପୋଛି ଦବାକୁ ଗୋଟିଏ ଭାଇର ମନ ନେଇ କୁପଥଗାମୀ ବନ୍ଧୁର ପଥରୋଧ କରିଥିଲି । କଥାର ପ୍ରଚାର ହେଲା ମୀନା ସବୁକିଛି ଜାଣିଲା । ଅବ୍ୟର୍ଥ ପ୍ରେମିକା ହୋଇ ତା ଆଖିର ଅବ୍ୟକ୍ତ ଅଶ୍ରୁକୁ ବନ୍ଦକରି ଦବାର ଅନ୍ୟ ଉପାୟ ନପାଇ ସେ ଆତ୍ମହତ୍ୟା କଲା । ଆଉ ମତେ ଦେଇଗଲା ଅଭିଶାପ କାରଣ ସବୁ ଜାଣି ମଧ୍ୟ ମୁଁ ପୂର୍ବରୁ ତାକୁ ନ ଜଣାଇଥିବା ଅପରାଧ ପାଇଁ । ସେ ଆତ୍ମହତ୍ୟା କରିବା ଠିକ୍ ପରଦିନ ତୋର ଜନ୍ମ ହେଲା । ମନ୍ମଥର ସମ୍ପର୍କ ଭାଙ୍ଗି ଯାଇଥିଲା, ମାତ୍ର ମୀନାର ଶେଷ ଚିଠି ପାଇଥିବା ମନ୍ମଥ ଅନେକ ପଶ୍ଚାତାପ କରିଥିଲା ବନ୍ଧୁ ପାଖକୁ ଫେରି ଆସିଥିଲା । ଠିକ୍ ସେତିକିବେଳେ ତୋ ଜନ୍ମ ଖବର ମଧ୍ୟ ପାଇଲା, ସେହି ଦିନଠାରୁ ବୋହୂ କରିନେଲା ତତେ, ଅନୁତପ୍ତ ବନ୍ଧୁ ମନରେ ଟିକେ ଶାନ୍ତି ଦେବା ପାଇଁ ମୁଁ ନୀରବ ରହିଗଲି, ମାତ୍ର ସମ୍ପର୍କ ବଢ଼ି ଚାଲିଲା । ସବୁ ଜାଣି ଶୁଣି ମୁଁ ନୀରବ ରହିଲି କାରଣ ମୁଁ କେବଳ ଏତିକି ଜାଣିଥିଲି ଯେ, ମନୋଜ ମନଟା ନିହାତି ଅପରିପକ୍ଵ । ତୋ ଶାନ୍ତି ପାଇଁ ଅନେକ ପ୍ରାୟଶ୍ଚିତ କରିଥିଲି ଶେଷରେ ଜଣେ ମହାତ୍ମାଙ୍କ ଠାରୁ ଶୁଣିଲି କର୍ତ୍ତବ୍ୟ ପରାୟଣ ନାରୀ ପାଖରେ ଶାନ୍ତି, ସୁଖ, ଐଶ୍ଚର୍ଯ୍ୟ ସର୍ବଦା ବିଦ୍ୟମାନ । ଏଣୁ ଫଳ ପ୍ରତି ଆଶାବାନ୍ ନ ହୋଇ କର୍ତ୍ତବ୍ୟ କରିବା ପାଇଁ ତମକୁ ମୁଁ ଶିକ୍ଷା ଦେଇଥିଲି । ଏ ସବୁ ଅଦେଖା ହାତର କାମ କିନ୍ତୁ ମଣିଷ ସବୁ କିଛି ଭାଙ୍ଗି ଦେଇପାରେ, ମା, କାରଣ ମଣିଷ ତାର ଭାଗ୍ୟ ବିଧାତା ମଧ୍ୟ ହୋଇପାରେ ।

 

: ଏ କଥା ସମ୍ଭବ ନୁହେଁ ବାପା, ମାମି କଣ୍ଠରେ ଦୃଢ଼ତା ।

 

: ତୁ କହୁଛୁ ଏ କଥା...ମାନେ ଡାକ୍ତର ବିଜୟର ଝିଅ ? ମା’ ତୁ କଣ ପାଠ ପଢ଼ିନୁ ଇତିହାସରେ ନେପୋଲିୟନ ଲେଖି ଯାଇଛନ୍ତି—ଇମ୍ପସିବୁଲ ଇଜ୍ ଏ ବ୍ୟାଡ଼ ହୁଇଚ ଫାଇଣ୍ଡ ଇନ୍ ଫୁଲ୍‍ସ ଡିସନ୍ୟାରୀ... ତେବେ ତୁ କଣ ସେଇ ବୋକା... ।

 

: ବାପା... ।

 

: ମୋ ଶିକ୍ଷା ଦୀକ୍ଷାର କଣ ଏଇ ଶେଷ ଫଳ । ତେବେ ପାଠ ପଢ଼ାଇଥିଲି କଣ ସମାଜକୁ ଛାଡ଼ି ଦୂରକୁ ଚାଲିଯିବାକୁ ? ...ଚାକିରି କରି ତୋ ପାଠର ମାହାତ୍ମ୍ୟ ଦେଖାଇବାକୁ ?

 

: ବାପା... ।

 

: ନା, ମୁଁ ତୋ ବାପ ନୁହେଁ, ଏତିକି କେବଳ ମନେରଖ ମା ତୁ ନାରୀ ସର୍ବପ୍ରଥମେ ତୋ ର ଗୋଟିଏ ନାରୀର କର୍ତ୍ତବ୍ୟ କରିବା ଦରକାର । ଦୁନିଆରେ ପ୍ରତିଷ୍ଠିତ ଜାୟା ଜନନୀ ହୋଇ ପାରିଲେ ତୋ ଜୀବନ ସାର୍ଥକ ହେବ, ମାନ୍ତ୍ର ସ୍ଵାବଲମ୍ବନକାରିଣୀ ହେଲେ କଷ୍ଟ ପାଇବୁ । ସ୍ୱାବଲମ୍ବନକାରିଣୀ ସ୍ତ୍ରୀ ନାରୀ ନୁହେଁ ସେ... ସେ ସଂସାରର ସଂଗଠନ କାରିଣୀ ନୁହେଁ ଧ୍ଵଂସକାରିଣୀ ଆଉ ମୋ ଝିଅ ହୋଇ ତୁ...ନା...ନା ତାହା ମୁଁ କଦାପି ସହ୍ୟ କରି ପାରିବିନି ।

 

: ତମେ ଯାହା ଚାହିଁବ ଯେମିତି ଚାହିଁବ ସେ କଥା ଠିକ୍ ସେମିତି ଭାବରେ ଗଢ଼ି ଉଠିବ ବାପା, କିନ୍ତୁ ବାପା ଜଣକ ପାଇଁ, ବାପା, ମା, ଭାଇ, ଭଉଣୀ, ବନ୍ଧୁ ବାନ୍ଧବ ଉପେକ୍ଷା ସ୍ତ୍ରୀର ସ୍ଥାନ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ...ଗୋଟିଏ କକ୍ଷଚୁତ୍ୟ ଗ୍ରହକୁ ଟାଣି ରଖିବାର ଶକ୍ତି ମୋର ନାହିଁ ।

 

: ତେବେ ତୁ କଣ କହିବାକୁ ଚାହୁଁ ? କଣ କରିବୁ...ମାମି କାନ୍ଦୁଥିଲା । ମାତ୍ର ପିତା ହୋଇ ବେଶ୍‍ ଶକ୍ତ ହୋଇ ବସିଥିଲେ ବିଜୟ ବାବୁ । ସୁଲେଖା ଦେବୀ ସହ୍ୟ କରି ପାରିଲେନି ସେ ଦାୟନୀୟ ଦୃଶ୍ୟ, ଉଠିଗଲେ । ଦୁର୍ବଳ ମୁହୂର୍ତ୍ତଟା କଟି ଯିବାର ଅପେକ୍ଷାରେ ଥିଲେ ବିଜୟ ବାବୁ, ମାମି ନୀରବ ଥିଲା ମାତ୍ର ଫୁଲି ଫୁଲି କାନ୍ଦୁଥିଲା ସେ । ବିଜୟ ବାବୁ ଧୀରେ ଧୀରେ କହିଥିଲେ—

 

: ସବୁ ହୁଏତ ମୁଁ ସହ୍ୟ କରିପାରିବି, ମାତ୍ର ତତେ ଆଶ୍ରା ଦେଇ ପାରିବିନି ମା’ ଅନେକ ଦିନ ହେଲା ମୋ ଆଶ୍ରାରୁ ତତେ କର୍ତ୍ତବ୍ୟ ଦିଗକୁ ପଠାଇ ଦେଇଛି ବର୍ତ୍ତମାନ ସେ କାମଟା ଶୋଭାନୀୟ ନୁହେଁ । ସ୍ୱାମୀ ଉପେକ୍ଷିତା କନ୍ୟାର ମୋ ଘରେ ସ୍ଥାନ ନାହିଁ ମା; ଯଦିଓ ମୁଁ ଏକଥା ଭଲରେ ଜାଣେ ଯେ ତୋର କୌଣସି ଭୁଲ ନାହିଁ... ।

 

: ବାପା...ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା ମାମି ତାର ବାପକୁ ଏ ତ ତାର ସେଇ ବାପା ତେବେ ଆଜି ଏତେ ପ୍ରଭେଦ...ବିଜୟ ବାବୁ ନୀରବ ନଥିଲେ ଚୌକିରୁ ଧିରେ ଉଠିଯାଇ ସେ ପୁନର୍ବାର କହିବାକୁ ଆରମ୍ଭ କରି ଦେଇଥିଲେ—ମୋର ତୋ ଉପରେ ଆଜି କୌଣସି ଅଧିକାର ନାହିଁ । କେବଳ କିଛି ଉପଦେଶ ଦେବା କଥା,ହଁ ମା ତୁ ଏ ଘରର ଅତିଥି, ସେ ଘର ତୋର ପ୍ରବେଶର ଅଧିକାର ଅଛି କେବଳ ମନୋଜ ସହିତ, ଯେଉଁ ମନୋଜର ହାତ ଧରି ଏ ଘରୁ ତୁ ଗୋଡ଼ କାଢ଼ିଥିଲୁ । ଆଜି କେବଳ ମୋ ପ୍ରୟୋଜନ ପାଇଁ ନୁହେଁ, ତୋର ମଧ୍ୟ କିଛି ଜାଣିବାର ଥିଲା ଭାବି ମୁ ଡାକି ଆଣିଛି । ମାତ୍ର ଆଉ ନୁହେଁ... ।

 

: ବାପା... ।

 

: କଣ କହିବୁ ? ଝିଅକୁ ସେମିତି ପଛ କରି ଠିଆ ହୋଇଥିଲେ ବିଜୟ ବାବୁ, ମାମି ଆଖିରୁ ଲୁହ ପୋଛି ମାନ ସହ କଣ୍ଠ ମଧ୍ୟ ଶକ୍ତ କରି ନେଲା—“ହଁ ବାପା କହିବି, ହୁଏତ ମୋ ଜୀବନର ପ୍ରଥମ ଓ ଶେଷ କଥା, ମୋ ଉପରେ ଟିକିଏ ବିଶ୍ୱାସ ରଖନ୍ତୁ ବାପା ମୁ ଜଳିଯିବି ମାତ୍ର ସମସ୍ତଙ୍କୁ ଆଲୋକିତ କରିଦେବି, ଆପଣଙ୍କ ଶିକ୍ଷାର ଅପବ୍ୟବହାର କରିବିନି ।” ମାମିର କଥା ଗୁଡ଼ାକ ବିଜୟ ବାବୁଙ୍କ କାନକୁ ନୂଆ ଲାଗୁଥିଲେ ବି ସେ ଫେରି ଚାହିଁ ନଥିଲେ ତାଙ୍କ ଆଦରର ମାମି ଅଶ୍ରୁଭିଜା ମୁହଁକୁ ତାଙ୍କ ଶକ୍ତ ପିତୃ ହୃଦୟରେ କୁଠାରଘାତ ହଉଥିଲା ଝରକାର ଲୁହା ଗ୍ରୀଲ୍‍କୁ ମୁଠାଇ ଧରି ମଧ୍ୟ ଆଖିରୁ ବୋହି ଆସୁଥିବା ଲୁହ ଧାରକୁ ଅଟକାଇ ପାରି ନଥିଲେ ସେ ମାତ୍ର କହିଥିଲେ କାରଣ ଶକ୍ତ ହୋଇ ଆସୁଥିବା ସେଇ ଦୁର୍ବଳ ମୁହୂର୍ତ୍ତକୁ ସେ ଭାଙ୍ଗିଦବାକୁ ଚାହୁଁ ନଥିଲେ–ହଁ, ମା ମୁଁ ଠିକ୍ ମନେରଖିବି କିନ୍ତୁ ତୁ ଯେମିତି ଭୁଲି ନଯାଉ ଯେ ତୁ ଜଳିଯାଇ ଲିଭିଗଲେ କୌଣସି ଫଳ ହବନି । ତୋର ଅକ୍ଳାନ୍ତ ପରିଶ୍ରମରେ ଆଲୋକିତ ହୋଇଥିବା ସ୍ଥାନ ପୁନର୍ବାର ଅନ୍ଧାର ହୋଇଗଲେ ତୋ ତପସ୍ୟାର ଫଳ ରହିବନି । ମାମି ସ୍ତବ୍ଧ ହୋଇ ଚାହିଁ ରହିଥିଲା ତାର ବାପକୁ ତାଙ୍କ କଥାର ମର୍ମ ମାମି ପାଖରେ ଅବୁଝା ନଥିଲା । ନୀରବ ରହିଥିବା ଝିଅ ମନର ଭାଷା ମଧ୍ୟ ବାପ ପାଇଁ ଅବୁଝା ନଥିଲା । ବାପ ଝିଅର କଥା ସରିଗଲା । ଚୁପ ରହିଲେ ଦୁହେଁ ତାଙ୍କର ଶେଷ କଥା ଜଣାଇ ଦେଲେ ବିଜୟ ବାବୁ ଠିକ୍ ଯେମିତି ବନ୍ଧୁ ମନ୍ମଥକୁ କହିଥିଲେ—ତୁ ଯଦି ମୋର ବନ୍ଧୁତ୍ଵ ଚାହୁଁ ତେବେ ମୋ ଘରକୁ ଏକାକୀ ଆସିବୁନି ବାସନ୍ତୀକୁ ସାଙ୍ଗରେ ନେଇ ଆସିବୁ ତାର ପୁନଃ ପ୍ରତିଷ୍ଠା ପାଇଁ । କିନ୍ତୁ ଝିଅକୁ କହିଲେ—ବାପ ଘର ତୋ ପାଇଁ ସେତେବେଳେ ଖୋଲା ମା । ଯେତେବେଳେ ତୁ ତୋ ସ୍ଵାମୀ ସହ ଆସିବୁ, କିନ୍ତୁ ଏକାକୀ ଆସିଲେ ନୁହେଁ । ତୁ ତୋ ବାପାର ଜିଦ୍ ତ ଜାଣୁ ମା ଅଧିକ କିଛି କହିବାର ମୋର ନାହିଁ ।

 

ମାମି ଘରୁ ଫେରିଥିଲା ମନରେ ଅନେକ ଅଭିମାନ ନେଇ ତା ପାଇଁ ଆଜି ଯେମିତି ସବୁ ରାସ୍ତା ବନ୍ଦ ହୋଇଗଲା । ନିବୁଜ କୋଠରୀ ମଧ୍ୟରେ ତାର ଶ୍ମାସରୁଦ୍ଧ ହୋଇ ଯାଉଥିଲା । ଯେମିତି ସେ ଶକ୍ତିହୀନ ହୋଇ ଉଠୁଥିଲା । କ୍ରମଶଃ ତା’ର ହସ କାନ୍ଦ ସବୁ ବନ୍ଦ ହୋଇ ଯାଉଥିଲା, କାନ୍ଦିବାକୁ ଇଚ୍ଛା କରି ସେ ଆଜି କାନ୍ଦିପାରୁନି ହସିବାକୁ ଚାହିଁଲେ ମଧ୍ୟ ସେ ହସି ପାରୁନି । ଆଉ ଦିନ ଦୁଇ ତିନିଟା, ପିଲେ ବାପି ଆସିଯିବ ତା ପ୍ରକୃତି ତ ସମସ୍ତଙ୍କ ଠାରୁ ଭିନ୍ନ । ସେ କ’ଣ କହିବ ଆଉ କରିବ ତାର କଳ୍ପନା ମଧ୍ୟ କରି ପାରୁନଥିଲା ମାମି । ଏ ମଧ୍ୟରେ ତିନିମାସ କଟିଗଲା ତାର କେବଳ ରୋଗୀ ସେବାରେ ମନ ଭାରାକ୍ରାନ୍ତ ନଥିଲା କିନ୍ତୁ ମନଟା ବାପି ଆସିବା ଖବର ଜାଣିବା ପରେ ଭାରାକ୍ରାନ୍ତ ହୋଇ ଉଠୁଛି । ଏତେ ଦିନ ଧରି ସେ ରୋଗୀର ସେବା କରିଛି କିନ୍ତୁ ଆନ୍ତରିକତା ବିହୀନ ମନକୁ ନେଇ ସେଇଥି ପାଇଁ ହୁଏତ ସେ ରୋଗୀର ତା ପାଇଁ କିଛି ବି ଦରଦ ନଥିଲା । ଏଟା କେବଳ ମାମି ମନର ଭାବନା ଆଉ ବିକାର, କିନ୍ତୁ ମନୋଜ—ସେ କେତେ ଦୂର ଦୁର୍ବଳ ସେ କଥା ମନୋଜ ନିଜେ ମଧ୍ୟ ଜାଣେନା, ମନୋଜ ମନରେ ଯେ ମାମି ପ୍ରତି କୌଣସି ଦରଦ ନଥିଲା ସେ କଥା ଭାବିବା ଭୁଲ କାରଣ ଭୟାଳୁ ମନୋଜ ମନରେ ଗୋଟିଏ କଥା ବାରମ୍ବାର ପ୍ରତିଧ୍ୱନିତ ହୋଇ ଉଠୁଥିଲା । ସେଥିଲା ତାର ଲୀନାକୁ ଦେଇଥିବା କଥା ଆଉ ଶପଥ ଯେଉଁଥି ପାଇଁ କେବଳ ସେ ଭୁଲି ଯାଇଥିଲା ତାର ସ୍ଵାମୀର କର୍ତ୍ତବ୍ୟ କିନ୍ତୁ ତା ମନ ଉପରେ ମାମି ତିନି ମାସ ଧରି ବେଶ୍ ପ୍ରଭାବ ବିଛାଇ ଦେବାରେ ସକ୍ଷମ ହୋଇ ଉଠିଥିଲା । ମାମିର ସଂସ୍ପର୍ଶରେ ଆସି ସେ ବଦଳି ଯାଉଥିଲା, ମନୋଜ କିଛି କହିବାକୁ ଚାହୁଁଥିଲା ତାକୁ ମାତ୍ର ସଙ୍କୋଚ ଲାଗୁଥିଲା । ଫଳପ୍ରଦ ହୋଇ ପାରୁନଥିଲା ସେ, କାରଣ ହୁଏତ ସେ ମାମିର ଅଭିମାନୀ ମନଟାକୁ ଦେଖି ପାରୁନଥିଲା । ଭଗ୍ନବୀଣାର ତାରକୁ ସଜାଡ଼ି ସ୍ଵର ଦେବାକୁ ତାର ପ୍ରବଳ ଇଚ୍ଛା ହେଉଥିଲା । କାରଣ ମା’କୁ ତାର ହୁଏତ ସେ ମୃତ୍ୟୁ ଶର୍ଯ୍ୟାରେ ଦେଖିଲେ ଏତେ ଦୁଃଖ ପାଇବିନି ଯେତେ ଦୁଃଖ ସେ ତାର ନିଶ୍ଚିତ ମୃତ୍ୟୁପଥ ଯାତ୍ରୀର ଯନ୍ତ୍ରଣା ଭରା ମା’କୁ ଦେଖି ପାରୁଛି । ମା ତାର ପ୍ରତି ମୁହୂର୍ତ୍ତରେ ମୃତ୍ୟୁର କରାଳ ଛାୟାରେ ନିଜକୁ ଆଚ୍ଛାଦିତ କରି ରଖିଛି । ସେ କଥା କଣ ମନୋଜ ବୁଝି ପାରୁନି-? କିନ୍ତୁ ମାମିର ସେ ବଡ଼ ବଡ଼ ଉଜ୍ଜ୍ୱଳ ଆଖି ଦି’ଟା ଯେତେବେଳେ ଦେଖୁଛି ମନୋଜ ସେତେବେଳେ ସେ ଚୁପ ରହିଯାଉଛି ତା ଶକ୍ତି ହଜି ଯାଉଛି । ସେ ଯଦି ଏ ସୃଷ୍ଟିରେ କାହାର ଅପରାଧୀ ହୋଇଥାଏ ସେ କେବଳ ମାମି ଅନ୍ୟ କେହିବି ନୁହେଁ । ମାମି ମଧ୍ୟ ନୀରବ ହୁଏତ ସେ ଯଦି ମନୋଜକୁ କିଛି କହି ପାରନ୍ତା, ଅଭିମାନରେ ହଉବା ରାଗରେ ହଉ, ତେବେ କଥାର ସମାଧାନ ହବାରେ ବିଳମ୍ବ ହୁଅନ୍ତା ନାହିଁ ।

 

ମନୋଜ ବସି ବହି ଖଣ୍ଡେ ପଢ଼ୁଥିଲା । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ, ତା ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ଘଟିଛି ଜଣକ ଅନୁପସ୍ଥିତରେ ଯେ ତା କଥା ବାରମ୍ବାର ମନେ ପଡ଼େ ସେ କଥା ଅନୁଭବ କରି ପାରୁଛି ମନୋଜ । ମାମି ଗଲାପରଠାରୁ ଅନେକ ଏକାକୀ ଲାଗୁଛି ତାକୁ ଏଇ ସୀମିତ ସମୟ ମଧ୍ୟରେ ବାରମ୍ବାର ମାମିର ସ୍ମୃତି ତା ମନ ଭିତରେ ଉଜାଗ ହୋଇ ଉଠୁଛି । ବାହାଘର ପୂର୍ବରୁ ଓ ପରର ଅନେକ ଘଟଣା ତା ବହି ଭିତରେ ଯେମିତି ଆଙ୍କି ହୋଇ ରହିଛି । ବହିଟି ରଖି ଦେଲା ମନୋଜ ଆଲମିରା ମଧ୍ୟରେ ଫଟୋ ଆଲବମରେ ଦୃଷ୍ଟି ପଡ଼ିଲା ତାର ସେଗୁଡ଼ିକ ଆଣି ଦେଖୁଥିଲା ସେ ବାହାଘର ଫଟୋରେ ଅନେକ ସୁନ୍ଦର ଦିଶୁଥିଲେ ମାମି ଓ ମନୋଜ ମାତ୍ର ଦୁହେଁ ଉଦାସ ଦିଶୁଥିଲେ ଅନେକ । ଅନ୍ୟଟି ଥିଲା ମାମିର ଆଲବମ୍ ବୋଉ ତାର ଉପହାର ଦେଇଥିଲେ ତାକୁ । ପ୍ରଥମେ ଫଟୋ ଦେଖି ସ୍ତମ୍ଭିତ ହୋଇ ଉଠିଥିଲା ମନୋଜ । କାରଣ ଛୋଟ ମନୋଜ ଛୋଟ ପିଲାକୁ ତା ମା’ କୋଳରେ ଦେଖି ରାଗରେ ଚାହିଁଥିଲା । ଅନ୍ୟ ସବୁ ଫଟୋ ହୁଏତ ସେଇ ଦିନର ଚାପରେ ହୁଏତ ବର୍ଷକ ପରର ଫଟୋ ଲାଗି ଥିଲା । ଛୋଟ ଝିଅଟିଏ ବେଶ ହୋଇ ବସିଥିଲା ଗୋଟିଏ ଚୈକିରେ ଅନ୍ୟଟିରେ ଥିଲା ଛୋଟ ମନୋଜ ଆଉ ତା ପର ଫଟୋଟିରେ ଛୋଟ ଝିଅ ମୁଣ୍ଡରେ କଣ ଲଗାଇ ଦଉଥିଲା । କଣ...ସେ ହୋଇପାରେ ବିବାହର ପ୍ରଥମ ଅଧ୍ୟାୟ ବୋଧହୁଏ । ସେ ଝିଅଟି କ୍ରମଶଃ ବଡ଼ ହୋଇଛି, ଛୋଟ ମନୋଜ ସହ କିଛି ଫଟୋ କାରଣ ସେଇ ଛୋଟ ଝିଅଟିର ପ୍ରତିରୂପ ହିଁ ମାମି । ସେ ଫଟୋଗୁଡ଼ିକ ମନୋଜ ମନରେ କିଛିଟା ନୂତନ ଭାବ ଦଉଥିଲେ ଆଜି । ସେ ଭାବୁଥିଲା ଆଜିର ମାମି ଆଉ ଫଟୋର ଏ ମାମି ମଧ୍ୟରେ କେତେ ପ୍ରଭେଦ । ତା ବଡ଼ ବଡ଼ ଆଖି ତଳର କଳାଦାଗ ସହ ତା ନିସ୍ପନ୍ଦ ଆଖି ଦୁଇଟି ତା ବଦଳି ଯାଇଥିବା ଭାବହୀନ ରୂପ ହୁଏତ ମାମି ଓ ମନୁ ମଧ୍ୟରେ ଥିବା ସମ୍ପର୍କ ଓ ଶାନ୍ତି ଅଶାନ୍ତି ସମସ୍ତଙ୍କୁ ଜଣାଇ ଦଉଛି । ସେଥିପାଇଁ ଦାୟୀ କିଏ ? ଭାବିବା ସଙ୍ଗେ ସଙ୍ଗେ ସେଠାରେ ଆଲବମ୍ ଦୁଇଟି ରଖି ଉଠିଗଲା ମନୋଜ ଦୀର୍ଘ ଚାରିବର୍ଷରେ ସେ ତ ଥରେ ବି ମାମିର ମୁହଁକୁ ଚାହିଁନି ତାର କଥା ମଧ୍ୟ ଶୁଣିନି କେବଳ ସେଇଥି ପାଇଁ ହୁଏତ ତାକୁ ଆଜି କିଛି କହିବାର ସାହସ ମନୋଜର ନାହିଁ । ମାମି ଅନେକ ଦିନ ଧରି ତା’ କଥାବାର୍ତ୍ତାର କୈାଣସି ପ୍ରତିବାଦ କରୁ ନଥିଲା କି ରାଗୁ ନଥିଲା କିନ୍ତୁ ବର୍ତ୍ତମାନ୍ ତା କ୍ରୋଧ ତା ଆଖିରେ ଅଛି ଆଉ ସାମାନ୍ୟ କଥାର ଉତ୍ତର ବଡ଼ କଠିନ ହୋଇ ଉଠୁଛି । କାହାର ପାଦ ଶବ୍ଦ ମନୋଜକୁ ସଜାଗ କରିଦେଲା । ବୁଲି ଚାହିଁଲା ସେ ବାସନ୍ତୀ ଦେବୀ ପୁଅ ପାଇଁ ଜଳଖିଆ ଆଣି ଆସିଥିଲେ । ଜଳଖିଆ ଟେବୁଲ “ଉପରେ ରଖି ଚୈକିରେ ବସିଗଲେ ସେ । ହୁଏତ ବାହାଘର ପରେ ପ୍ରଥମ ଥର ପାଇଁ ସେ ପୁଅକୁ ଜଳଖିଆ ଦବାକୁ ଯାଉଛନ୍ତି ମନରେ ତାଙ୍କର ଆଜି ଅସୀମ ଅଭିମାନ । ମନୋଜ ତାଙ୍କ ପଛରେ ଆସି ଠିଆ ହୋଇଥିଲା ତାଙ୍କୁ ଜଣା ନାହିଁ । ପ୍ରକୃତିସ୍ଥ ହବାକୁ ଚେଷ୍ଟା କରୁଥିଲେ ସେ—ବୋଉ...ଧୀରେ ଡାକିଲା ମନୋଜ ଯେମିତି ସେ ପୂର୍ବରୁ ଡାକୁଥିଲା । ମାତ୍ର ଗମ୍ଭୀର ହୋଇଯାଇଥିଲେ ତା’ ର ମା’ ବାସନ୍ତୀ ଦେବୀ ।

 

: ହଁ; କଣ ହେଲା ?

 

: ମତେ ତୁ କଣ କହିବୁ କି ବୋଉ ?

 

: ନା... କହିବା ପାଇଁ ତ ମୋ ପାଖରେ ଆଜି କିଛି ବି ନାହିଁ ।

 

: ମୋ ଉପରେ ରାଗିଛୁ ?

 

: ସେ ଅଧିକାର ତ ମୋର ନହିଁ । ବାସନ୍ତୀ ଦେବୀଙ୍କ ଆଖିରୁ ବୋହି ଆସୁଥିବା ଲୁହକୁ ପୋଛିବାକୁ ଦେଲାନି ବରଂ ତାକୁ ଗଡ଼ି ଯିବାର ଦେଖୁଥିଲା, ମା’ର ମୁହଁଟା ଦୁଇ ହାତରେ ଧରି । ନିଜେ ହସିଥିଲା, କିଛି ସମୟ ପରେ ସେ ହସର ଶୁଷ୍କତା ଅନୁଭବ କରି ପାରୁଥିଲେ ବାସନ୍ତୀ ଦେବୀ-। ସେଇ ସୋଫା ଉପରେ ଶୋଇଗଲା ମନୋଜ ମା’ କୋଳରେ ମୁଣ୍ଡ ରଖି । ଅନେକ ଦିନ ପରେ ବାସନ୍ତୀ ଦେବୀଙ୍କ ଅତୀତ ଯେମିତି ଫେରି ଆସୁଥିଲା ତାଙ୍କ କୋଳକୁ ମନୋଜର ଘନ କେଶଗୁଚ୍ଛ ମଧ୍ୟରେ ସେ ଅଙ୍ଗୁଳି ସଞ୍ଚାର କରୁଥିଲେ ଆଉ ମନୋଜ ଧୀରେ କହିଥିଲା—ବୋଉଲୋ; ତତେ ହସେଇବାକୁ ଯାଇ ମୁଁ ଏମିତି ଭାବରେ କନ୍ଦାଇବି ସେ ମୋର କଳ୍ପନା ନ ଥିଲା । ଯେମିତିକି ତତେ ବହୁତ ଦିନ ଜୀବିତ ଦେଖିବାକୁ ଚାହିଁ ମୃତ୍ୟୁର ହାତକୁ ଆଜି ମୁଁ ବଢ଼ାଇ ଦଉଛି । କେତେ କଣ କହିବାକୁ ଚାହୁଁଛି କିଛିବି କହିପାରୁନି । ଦୀର୍ଘ ନିଃଶ୍ଵାସ ଛାଡ଼ିଲା ମନୋଜ । ବାସନ୍ତୀ ଦେବୀ ନୀରବରେ ଅଶ୍ରୁ ଗଡ଼ାଇ ଚାଲିଥିଲେ । ତାଙ୍କର ଜୀବନଟା ତ ଖାଲି ଅଶ୍ରୁ ଲେଖା ହୁଏତ ତାହା ତାଙ୍କର ଅନ୍ୟ ନାମ । ବହୁତ ସମୟ ନୀରବ ରହିଥିଲେ ମା ଓ ପୁଅ । ବାସନ୍ତୀ ଦେବୀ ଅନେକ କିଛି ଭାବୁଥଲେ । ମାତ୍ର ମା’ କୋଳ ପାଇ ସବୁ କିଛି ଭୁଲି ଯାଇଥିଲା ମନୋଜ, ଆଖିପତା ତାର ଲାଗି ଯାଇଥିଲା କେତେବେଳୁ ସେକଥା କେହିବି ଜାଣେନା । ହଠାତ୍ ଜଳି ଉଠିଥିବା ରାସ୍ତାର ଅଲୋକ ଆଉ ତା ସହ ଅସ୍ତଗାମୀ ସୂର୍ଯ୍ୟଙ୍କ ଉପରେ ଆଖି ପକାଇବା ଦ୍ଵାରା ସମ୍ବିତ୍ ଫେରି ପାଇଥିଲେ ସେ ତାଙ୍କ କୋଳରେ ଅନେକ ଶାନ୍ତିରେ ଶୋଇ ଯାଇଥିବା ପୁଅର ମୁହଁକୁ ଥରେ ମାତ୍ର ଚାହିଁଥିଲେ ସେ ଅନେକ ଶ୍ରଦ୍ଧାରେ ତାପରେ ଧୀରେ ଉଠାଇଥିଲେ ତାକୁ—ମନୁ,...ଏ ମନୁ ତୋର ବେଳ ହୋଇଯିବ ବାପା, ଜଳଖିଆ ଟିକେ ଖାଇନେ । ପୁଣି କଣ ଔଷଧ ଖାଇବୁ...

 

ନା ବୋଉ ଔଷଧ ଆଉ ଖାଇବାକୁ ନାହିଁ । ଉଠିଯାଇ ମୁହଁ ଧୋଇ ଆସି ମା’ ପାଖରେ ଖାଇ ବସିଲା ମନୋଜ । ବାହାରକୁ ଯିବା ତା ପାଇଁ ଆଉ ବନ୍ଦ ନୁହେଁ, ତେବେ ବି ସେ ଯାଉଛି ଇଚ୍ଛା ତ ନାହିଁ ତା ଛଡ଼ା ଗଲେ ତ ଯିବାକୁ ପଡ଼ିବ ମାମି ସାଙ୍ଗରେ । ଯେଉଁ ମାମି ପ୍ରତି କି ତା ମନରେ କିଛି ଅଜଣା ଭୟ ଜାଗ୍ରତ ଥିଲା ସବୁବେଳେ । ଖିଆପିଆ ସାରି ସବୁଦିନ ପରି ମନୋଜ ଚାଲିଗଲା ଖୋଲା ଛାତ ଉପରକୁ ଘରର ଲାଇଟ୍ ଜାଳି ବାସନ୍ତୀ ଦେବୀ ମଧ୍ୟ ତଳକୁ ଚାଲିଗଲେ । ଖୋଲା ଛାତ ଉପରେ ବୁଲୁଥିବା ମନୋଜ ହଠାତ୍ ଦେଖି ପାରିଥିଲା ଗେଟ୍ ସମ୍ମୁଖରେ ଅଟକିଥିବା ବିଜୟ ବାବୁଙ୍କ ଗାଡ଼ିଟାକୁ ଆଉ ବଗିଚାରେ ଦୁଇ ବନ୍ଧୁ ଗପ କରିବା ଦୃଶ୍ୟକୁ ତା ମାନେ ମାମି ଫେରି ଆସିଛି ତା କର୍ମ କ୍ଷେତ୍ରକୁ ମନୋଜ ମନରେ କେମିତି ଅହେତୁକ ଆନନ୍ଦ ସୃଷ୍ଟି ହଉଥିଲା ସେ କଥା ମଧ୍ୟ ସେ ବେଶ ଅନୁଭବ କରୁଥିଲା । ନିଃସଙ୍ଗ ନାୟକ ମନରେ କିଛି ଗୀତର ସ୍ୱର ଗୁଞ୍ଜରିତ ହୋଇ ଉଠୁଥିଲା ତା ଭାବକୁ କେନ୍ଦ୍ର କରି ।

 

ମାମି ଚାହିଁଲା ପୂରା ଘରକୁ କେମିତି ଏକ ଶୂନ୍ୟ ଦୃଷ୍ଟିରେ । ଘରେ ମନୋଜ ନଥିଲା କିନ୍ତୁ ଚାଦରଟା ପଡ଼ିଥିଲା । ମନୋଜ ସବୁ ଦିନପରି ଉପରେ ଥିବ ଭାବି ଚାଦରଟା ନେଇ ଉପରକୁ ଗଲା ସେ, ମନୋଜ ଚୌକିରେ ବସି କିଛି ଗାଉଥିଲା ତନ୍ମୟ ହୋଇ ନୀରବରେ ଠିଆ ହେଲା ମାମି-। ଦୂର ଦିଗ୍‍ବଳୟ ତତେ ଥିଲା ମନୋଜର ସ୍ଥିର ଦୃଷ୍ଟି । ଉଦ୍ଭଟ ପ୍ରେମିକ ମନୋଜର ଭାଷା ବୁଝିବାକୁ ଅକ୍ଷମ ନଥିଲା ମାମି ସେଥିପାଇଁ ତା ମନରେ ଦୁଃଖ ନଥିଲା ସେ ଜଣେ ମନୋଜ ତାର କଦାପି ହୋଇ ପାରିବନି । ଯାହା ମନରେ ଜଣକ ପାଇଁ ଏତେ ଭାବ ସେ କେମିତି ଅନ୍ୟ ଜଣକୁ ହସାଇ ପାରିବ ? ଦୀର୍ଘ ନିଃଶ୍ୱାସ ନେଇ ମନୋଜ ଦେହରେ ପଛରୁ ଚାଦରଟା ଘୋଡ଼ାଇ ଦେଇଥିଲା ସେ । ଚମକି ଚାହିଁଲା ମନୋଜ ସ୍ୱର ତାର ଅଟକିଗଲା ଠିଆ ହୋଇଗଲା ଫେରି ଯାଉଥିବା ମାମି ସମ୍ମୁଖରେ ମାମି ଚାହିଁଲା ତାକୁ ତା ଆଖି ହୁଏତ ପ୍ରଥମ ଥର ପାଇଁ ମନୋଜ ଆଖିରେ ପଡ଼ିଥିଲା—ଥଣ୍ଡା ତ ନାହିଁ ଚଦରଟା ଆଣୁଥିଲ କାହିଁକି ? ମନୋଜ ହସୁଥିଲା ସ୍ୱାଭାବିକ ଭାବରେ ମାତ୍ର ମାମି ଗମ୍ଭୀର ।

 

: ସନ୍ଧ୍ୟାବେଳେ ପବନଟା ଥଣ୍ଡା ଧରିବ ।

 

: ଆରେ ମୁଁ ତ ବର୍ତ୍ତମାନ ତଳକୁ ଚାଲିଯିବି ବରଂ ତମେ ଚାଦରଟା ନେଇଯାଅ...ମିଛରେ ହଇରାଣ ହେଲ । ଚାଦର ଧରି ନୀରବରେ ଠିଆ—ହୋଇଥିବା ମାମିକୁ କହିଥିଲା ମନୋଜ କେବଳ କଥା ବଢ଼ାଇବା ପାଇଁ ମାତ୍ର ନୀରବରେ ମନୋଜ ଆଖି ଭିତରେ କିଛି ଖୋଜି ନେଇ ଚାଦର ଧରି ଧୀରେ ଚାଲିଗଲା ମାମି କେବଳ ଏତିକି କହିଗଲା—‘ହୁଁ...ତମର ଖୁସି’ ମନୋଜ ଆଶା କରିଥିଲା ମାମି ତାକୁ ବାଧ୍ୟ କରିବ ବୋଲି ମାତ୍ର ହେଲାନି । ସେମିତି ଆଶା କରିବା ମଧ୍ୟ ତାର ଉଚିତ୍ ନଥିଲା ତେବେବି ସେ କରିଥିଲା ହୁଏତ ତାର ସ୍ୱାମୀର ଅଧିକାର ନେଇ ମାତ୍ର ମାମି ଯେ କେବଳ ତାର କର୍ତ୍ତବ୍ୟ କରିଯାଉଥିଲା ସେ କଥା ସେ ଜାଣେନା । ମନୋଜ ମନରେ ରାଗ ଆସୁଥିଲା ତାର ଇଚ୍ଛା ହଉଥିଲା ମାମିକୁ ଅଟକାଇ ନବାକୁ, ପାରିଲାନି ସେ ତାର ପାଦ ଅଟକିଗଲା । ମାମି ତା ସମ୍ମୁଖରେ ଚାଲିଗଲା ତାକୁ ଚାହିଁଥିଲା ସେ ଶୂନ୍ୟ ଦୃଷ୍ଟିରେ । କିଛି ସମୟ ପରେ ମନୋଜ ମଧ୍ୟ ତଳକୁ ଚାଲି ଆସିଥିଲା । ସନ୍ଧ୍ୟା କାମ ସାରି ବାହାରକୁ ବାହାରିଲା ସେ । ଆଉ ଦିନ ଦୁଇଟା ପରେ ସେ କାମ ଉପରକୁ ଯିବ । ଦୀର୍ଘ ତିନି ମାସ ଘରେ ପଡ଼ି ରହିବା ଦ୍ୱାରା ତାର ଯେଉଁ ବିରାଟ ପରିବର୍ତ୍ତନ ଘଟିଛି ସେ କଥା ହୁଏତ ମନୋଜ ବ୍ୟତୀତ ଅନ୍ୟ କେହିବି ଜାଣନ୍ତି ନାହିଁ । ମନୋଜ ତଳକୁ ଆସି ପ୍ରଥମେ ଖୋଜିଛି ତାର ମା’କୁ ପୂର୍ବପରି ବାହାରକୁ ଯିବା ପାଇଁ ତାର ଆଜି ବୋଉର ଅନୁମତି ଦରକାର ପଡ଼ୁଛି । ମାତ୍ର ବାସନ୍ତୀ ଦେବୀ ଘରେ ନଥିଲେ ସ୍ଵାମୀଙ୍କ ସହ ବାହାରକୁ ଚାଲି ଯାଇଥିଲେ । ବୁଢ଼ା ରଘୁଆ କଥାଟା ଜଣାଇବା ସଙ୍ଗେ ସଙ୍ଗେ ପ୍ରଶ୍ନ ମଧ୍ୟ କରିଥିଲା–କୁଆଡ଼େ ବାହାରିଲ କି ସାନବାବୁ ?

 

: ହଁ...ମୁଁ ଟିକେ ବୁଲି ଆସୁଛି ।

 

: ବାବୁ କଣ ଏକା ଯିବ ? ବୋହୂ ମା’ଙ୍କୁ ଡାକି ଦେବି କି ?

 

: ତମ ବୋହୂମା କଣ ମୋ ଡାକ ଶୁଣି ପାରିଲେନି ସେ, ନ ଆସିଲେ ଯଦି ଡାକିବା କଣ ଦରକାର ?

 

: ଶୁଣି ପାରି ନଥିବେ ସାନବାବୁ ରୋଷେଇରେ ବ୍ୟସ୍ତ ଅଛନ୍ତି । ତା ଛଡ଼ା ତମେ ଏକା କୁଆଡ଼େ ଯିବ ?

 

: ମୋ ଅପେକ୍ଷା ତାଙ୍କ ପାଇଁ ରୋଷେଇଟା ବଡ଼ ରଘୁଦା । ଦେଖିଲ ତ ସେ ମୋ ଡାକ ଶୁଣି ପାରିଲେନି ତେବେ ତମେ କେମିତି ଭାବି ପାରୁଛ, ମୋ କଥାରେ ସେ ମୋ ସହ ବୁଲିଯିବେ ? ଛାଡ଼ ସେ କଥା ମୁଁ ଆସୁଛି ଅଳ୍ପ ସମୟ ଭିତରେ ଚାଲି ଆସିବି । ହସି ଦେଇ ମନୁ ଚାଲିଗଲା ପଛରୁ ତାକୁ ଚାହିଁ ଆଖିରୁ ଲୁହ ପୋଛୁଥିଲା । ମନୁ ତାହାରି ହାତରେ ଗଢ଼ା ଏଇ ମଣିଷଟି ପାଇଁ ତା ମନରେ ଅନେକ ଆଶା । ଅନେକ ଦିନ ପରେ ତା ପାଖରୁ ପୂର୍ବର ସେଇ ଗେହ୍ଲାଳିଆ କଥା ପଦକ ଶୁଣି ଆଜି ରଘୁଆ ମନରେ ଆନନ୍ଦର ସୀମା ନାହିଁ । ଘର ଦ୍ଵାର ପିଲା ସଂସାର ଛାଡ଼ି ସେ ଅନେକ ଦିନରୁ ଏଇଠି ପଡ଼ି ରହିଛି କେବଳ ଏଇ ମନୋଜ ପାଇଁ । ‘ଭଗବାନ’ ମନୁକୁ ମୋର ସଦବୁଦ୍ଧି ଦିଅ କହିବା ସଙ୍ଗେ ସଙ୍ଗେ ମୁଣ୍ଡରେ ହାତ ଲଗାଇଲା ସେ ।

 

ବାପ, ମା ନଥିବାର ଶୁଣି ମନୋଜ କଥା ଗୁଡ଼ିକ କେବଳ ମାମିକୁ ଶୁଣାଇ ଶୁଣାଇ କହିଥିଲା । ମାମି—ନିଜ ମନର କ୍ରୋଧକୁ ଦାନ୍ତ ଚିପି ଅଟକାଇ ନେଇଥିଲା ନଚେତ୍ ହୁଏତ ତା’ର ଏତେ ଦିନର ତପସ୍ୟା ସାମାନ୍ୟ କଥାରେ ଭାଙ୍ଗି ମାଟିରେ ମିଶିଯିବ । ସେ କଣ ତା କଥାରୁ କେବଳ ଏତିକି ବୁଝି ପାରିଲା ନାହିଁ ଯେ ମନୋଜ । ଏବେ ବି ଚାହେଁ କଥାଟା ଲୁଚି ରହୁ ବୋଲି । ସତରେ ଶ୍ରେଷ୍ଠ ଅଭିନେତା ପଦକ ପାଇବା ଯଥାର୍ଥ ହୋଇଛି ମନୋଜର । ମନ ଭିତରେ କଥା ପଦଟିଏ ଗମ୍ଭୀର ଭାବ ନେଇ ଘୋଷଣା କରିଥିଲା ସେ—‘ତମକୁ ଏବେ କିଛି ବି କହିବାର ପ୍ରୟୋଜନ ନାହିଁ ମନୋଜ । ତମର ପ୍ରଥମ ରାତ୍ରିର ପ୍ରଥମ କଥା ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ମନେ ରଖିଥିବି । ତମର ସିନ୍ଦୂର ମଥାରେ ଧରି ମୁଁ କେବଳ ମୋ କର୍ତ୍ତବ୍ୟ କରିଯିବି, କିନ୍ତୁ ତମେ ସାରାଜୀବନ ପଶ୍ଚାତାପରେ ହିଁ ବିତାଇ ଦେବ ମନୋଜ । ଆଉ କିଛି ବି ନୁହେଁ ।’ ଚୁଲିକୁ ଉତୁରି ଆସୁଥିବା କ୍ଷୀରକୁ ଦେଖି ଅନ୍ୟମନସ୍କ ମାମିକୁ ଚମକାଇ ଦେଇଥିଲା ରଘୁଆ । ଆଉ ମାମି ତାର ପ୍ରତିକ୍ରିୟା ବିହୀନ ମନକୁ ନେଇ ସବୁ କାମ କରି ଯାଇଥିଲା । ଘରର ପୂର୍ବର ସମୟାନୁବର୍ତ୍ତିତା କିଛି ପରିମାଣରେ ଫେରି ଆସିଛି । ସମୟରେ ଖିଆପିଆ ସାରି ସମସ୍ତେ ଶୋଇ ଯାଇଥିଲେ । ନିସ୍ତବଧ ରାତ୍ରିର ପ୍ରହର ବିତାଇ ନିସ୍ତବଧତା ଭଗ୍ନ କରୁଥିବା ଘଣ୍ଟାର ଠନ୍, ଠନ୍ ଶବ୍ଦକୁ ଅନେକ ସମୟ ପର୍ଯ୍ୟନ୍ତ ଶୁଣୁଥିଲା ମାମି ।

 

ବାପିର ଆସିବା ଦିନଟି ଯେତିକି ପାଖେଇ ଆସୁଛି ମାମି ମନର ଭୟ ଓ ଉତ୍କଣ୍ଠା ସେତିକି ବଢ଼ି ଚାଲିଛି । ସେ ସ୍ଥିର ମନରେ କିଛି ବି ଭାବି ପାରୁ ନଥିଲା, କଣ ହବ ଆଉ କଣ ନହବ-। ବାପି ବହୁତ ବଡ଼ ହୋଇ ଯାଇଥିବ, ହୁଏତ ଅପାକୁ ତାର ଚିହ୍ନି ପାରିବନି । ମାମିର ଆଖିରେ ଲୁହ ଅସୁଥିଲା, ବାପି ଓ ତାକୁ ନେଇ ତାର ଯେଉଁ ମଧୁମୟ ଅତୀତ ତା ଭବିଷ୍ୟତକୁ କଣ କରିବ ତାହା ହୁଏତ ଆଜି ଅନିଶ୍ଚିତ । କିନ୍ତୁ ବର୍ତ୍ତମାନ ଓ ଅତୀତର ସେତୁବନ୍ଧ ପ୍ରତିଷ୍ଠାତା, ବର୍ତ୍ତମାନ ତ ବେଶ୍ ଭଲ ଅଛି । ହାତରେ ବହିଟା କେବଳ ଧରିଥିଲା ମାମି ପଢ଼ିପାରୁ ନଥିଲା ଉପନ୍ୟାସଟା ହୁଏତ ବେଶ ଭଲ ଥିଲା । ମନୋଜ କେତେବେଳେ ଆସି ପାଖରେ ଠିଆ ହୋଇଛି ସେ କଥା ଜାଣେନି ମାମି, ମାତ୍ର ମନୋଜ ଡାକରେ ସ୍ତମ୍ବିତ ଫେରି ପାଇଲା ସେ, ମନୋଜ ଠିକ୍ ଜାଣି ପାରିଛି ମାମି ହଜି ଯାଇଥିଲା ତା ଭାବ ରାଜ୍ୟରେ ବୋଲି ସେଥିପ୍ରତି ମଧ୍ୟ ମାମିର ଭ୍ରୂକ୍ଷେପ ନଥିଲା । ମନୋଜ ମାଗୁଥିଲା ତାର କାଗଜପତ୍ର ସବୁ ଯେଉଁଗୁଡ଼ିକ କି ତା ଅସୁସ୍ଥତା ସମୟର ମୂକ ସାକ୍ଷୀ ହୋଇ ରହି ଯାଇଥିଲେ କେବଳ । ହୁଏତ ସେମାନେ କିଛି କହିବେ ନାହିଁ, କିନ୍ତୁ ତାଙ୍କ ମଧ୍ୟରେ ଅନେକ ପ୍ରମାଣ-। ମାମି ଉଠିଗଲା ବହିଟାକୁ ଟେବୁଲ ଉପରେ ରଖି ଦେଇ, ମନୋଜ ଦେଖୁଥିଲା ବହିଟା । ବହିଟା ତାର ନୁହେଁ, କାରଣ ସେଥିରେ ତାର ନାମ ଲେଖା ନାହିଁ । ନୂଆ ଲେଖିକା ପ୍ରତିଭା ରାୟଙ୍କର ଉପନାୟିକା ଥିଲା ଉପନ୍ୟାସର ନାମ ମନୋଜର ଆଗ୍ରହ ବଢ଼ିଥିଲା ଉପନ୍ୟାସଟି ପ୍ରତି, କାରଣ ସେଥିରେ ଲେଖାଥିଲା ବହିଟା ସ୍ଵାମୀ ପରିତ୍ୟକ୍ତାମାନଙ୍କ ପାଇଁ ହିଁ ଉଦ୍ଧିଷ୍ଟ ବୋଲି । ମାମି ଫେରି ଆସିବା ପରେ ମନୋଜ ପ୍ରଥମେ ପ୍ରଶ୍ନକଲା—ପଢ଼ି ସାରିଛ ବହିଟା ?

 

: ନା...ଟିକେ ଆରମ୍ଭ କରିଛି ।

 

: ତେବେ ତମେ ଟିକେ ଅପେକ୍ଷା କରିପାରିବ, ବହିଟା ମୁଁ ପଢ଼ି ସାରିବା ପର୍ଯ୍ୟନ୍ତ ?

 

: ପଢ଼ିପାର....ଦୀର୍ଘ ନିଃଶ୍ଵାସ ନେଇ କହିଥିଲା ମାମି । ମନୋଜ ତାକୁ ଚାହିଁ ଭାବୁଥିଲା ଗୋଟିଏ ସ୍ଥାନରେ ରହି ମଧ୍ୟ ଦୁହେଁ ଆଜି ସମ୍ପୂର୍ଣ୍ଣ ଅପରିଚିତ । ସେମାନେ ପୁଣି ଏକ ଡୋରୀରେ ବନ୍ଧା ହୋଇଛନ୍ତି, ସେଥିରେ ଯେଉଁ ସମ୍ପର୍କ ସେ ହୁଏତ ଭଙ୍ଗାଯାଇ ପାରେନା । ସେ ଥିଲା ଗୋଟାଏ ପତି, ପତ୍ନୀର ସମ୍ପର୍କ । ବହି ଥାକରୁ ଅନ୍ୟ ବହି ଖୋଜୁଥିବା ମାମି ମଧ୍ୟ ଠିକ୍ ସେଇ ଗୋଟିଏ କଥା ଭାବୁଥିଲା ।

 

ସନ୍ଧ୍ୟାବେଳେ ବୁଲି ବାହାରିଥିବା ବାସନ୍ତୀ ଦେବୀ ଡାକୁଥିଲେ ମାମିକୁ । ମନୋଜ ଖବରଟା ଜଣାଇଥିଲା ଖୋଲା ଛାତରେ ବୁଲୁଥିବା ମାମିକୁ । ମାମି ଆସିଥିଲା ପଛରେ ମଧ୍ୟ ମନୋଜ ଆସୁଥିଲା । ମାମିକୁ ବାସନ୍ତୀ ଦେବୀ କିଛି କହିବା ସମୟରେ ମନୋଜ ଭାବିଥିଲା ହୁଏତ ସେ ମାମିକୁ ତାଙ୍କ ସାଙ୍ଗରେ ଯିବାକୁ ଡାକୁଛନ୍ତି । ତେଣୁ ସିଡ଼ି ପାଖରେ ଅପେକ୍ଷା କରିଥିବା ମନୋଜ, ପାଖକୁ ଆସି କହିଥିଲା—‘ବୋଉ ମୁଁ ତମ ସାଙ୍ଗରେ ଯିବି ।’ ମନୋଜର ଏ ପ୍ରକାରର କଥା ବାସନ୍ତୀ ଦେବୀଙ୍କୁ କିଛି ନୂଆ ଲାଗୁଥିଲା । ସେ ମାମିକୁ ଅନାଇଥିଲେ ତାର ଉଦ୍ଦେଶ୍ୟ ଜାଣିବା ପାଇଁ । ମା ସମାନ ଶାଶୁ ମନରେ କଷ୍ଟ ନଦବା ପାଇଁ ମାମି ହସି ଦେଇଥିଲା ଏକ ଶୁଷ୍କତାର ହସ, ମାତ୍ର ସେ କଣ ଜାୟା ଜନନୀ ସର୍ବୋପରି ଜଣେ ନାରୀ ନୁହେଁ ସେ କଣ ଆଜି କିଛି ବୁଝିପାରୁ ନାହାନ୍ତି ? ସବୁ ଲକ୍ଷ୍ୟ କରୁଥିବା ମନୋଜ ତାର ମା’କୁ ହଲାଇ ଦେଇ କହିଲା—କଣ ଏତେ ଦେଖୁଛୁ ତୋ ବୋହୂକୁ ? ତାକୁ କଣ ଦେଖିନୁ କି ? କଣ କହୁଛୁ ମତେ ନବୁନି... ।

 

: ତୁ କେମିତି ଯିବୁ... ।

 

: କାହିଁକି ? ମତେ ତ ଡାକ୍ତର କହିଛି ସବୁଆଡ଼େ ଯିବାକୁ ।

 

: ମୁଁ ବିଜୁ ଭାଇଙ୍କ ଘରକୁ ଯାଉଛି, ଶ୍ୱଶୁର ଘରକୁ ବିନା ନିମନ୍ତ୍ରଣରେ କିଏ ଯାଏ ?

 

: ଓଃ ଯା’ ତେବେ ଶୀଘ୍ର ଚାଲି ଆସିବୁ । ତାପରେ ମାମିକୁ ଠାରି କହିଥିଲା ‘ତମ ବୋହୂ ଯିବେ କି ?’ ମନୋଜର ପ୍ରଶ୍ନ ମାମି ମନରେ ଅନେକ ଆଗ୍ରହ ବାପା, ଭାଇ ତାର ଏତେ ପାଖରେ ଥାଇ ମଧ୍ୟ ତାଠାରୁ ଆଜି ଅନେକ ଦୂରରେ ହଠାତ୍ ବାପାଙ୍କ କଥା ମନେ ପଡ଼ିଗଲା ତାର ସେ ଯେମିତି ତା କାନ ପାଖରେ କହୁଥିଲେ—‘ମା’ରେ ମନୁ ତୋର ସ୍ୱାମୀ ତା ସହ ଆସିଲେ ତୋ ପାଇଁ ଏ ଘର ଦ୍ଵାର ଉନ୍ମୁକ୍ତ, କିନ୍ତୁ ଏକାକୀ ଆସିଲେ ନୁହେଁ । ମାମିକୁ କେତେଦୂର କଷ୍ଟ ଲାଗୁଥିଲା ସେ କଥା କେବଳ ସେ ଜଣେ । ବାସନ୍ତୀ ଦେବୀ ମାମିକୁ ଯିବା ନଯିବା କଥା ପଚାରୁଥିଲେ, ମାତ୍ର ମାମିକୁ ନିରୁତ୍ତର ଦେଖି ତା କାନ୍ଧରେ ହାତ ଥୋଇ କହିଥିଲେ—‘ଲାଜ କରିବାରକି ସଙ୍କୋଚ କରିବାର କିଛି ନାହିଁ ମା ଘରେ ବସି ବସି ବିରକ୍ତ ଲାଗୁଥିବ ଚାଲ ମୋ ସାଙ୍ଗରେ ଯିବୁ, ଆସିବୁ ତ ।’

 

: ଏଁ, ଚମକି ପଡ଼ିଥିଲା ମାମି, ‘ନା ବୋଉ ମୁଁ ଯିବିନି ।’ ଦୃଢ଼ କଥାଟାସ୍ୱରରେ କହିଥିଲା ମାମି । ସତମାତ୍ର ତା ଧୈର୍ଯ୍ୟବନ୍ଧ ଭାଙ୍ଗି ଯାଇଥିଲା ବିଜୁଳି ବେଗରେ, ସେ ସ୍ଥାନ ଛାଡ଼ି ଚାଲିଗଲା ସେ । ପଛରୁ ତାକୁ ଚାହିଁଥିଲେ ମା’ ପୁଅ । ମାମି ପଛରେ ଯାଇଥିଲେ ବାସନ୍ତୀ ଦେବୀ କାରଣ ମାମିର ବ୍ୟବହାର ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ଥିଲା । ଗାଧୁଆ ଘର ଭିତରେ ପଶି ଯାଇ ଅନେକ କାନ୍ଦିଥିଲା ମାମି, ବାହାରୁ ଡାକୁଥିଲେ ବାସନ୍ତୀ ଦେବୀ ମାମି ମନରେ ରାଗ ଆସୁଥିଲେ, ତାକୁ ଟିକେ କାନ୍ଦିବାକୁ ମଧ୍ୟ ଏମାନେ ଦେବେନି । ମୁହଁ ହାତ ଧୋଇ ହୋଇ ବାହାରକୁ ଆସିଲା ସେ । ମାମି ମୁହଁକୁ ଚାହିଁଲେ ସେ, ପିନ୍ଧା ଲୁଗା କାନିରେ ମୁହଁ ପୋଛିବାକୁ ଯାଉଥିଲେ ଅଟକାଇ ଦେଲା, ମାମି ତଉଲିଆଟା ତା ହାତରେ ଥିଲା । ମାମିର ମୁଣ୍ଡକୁ ଆଉଁସୁଥିଲେ । ଥରେ ମୁଣ୍ଡରେ ପାଣି ଦେଇଛି କି ନାହିଁ ଜାଣିବା ପାଇଁ ଶେଷରେ ସେ ସ୍ଥିର ନିଶ୍ଚିତ ହେଲେ ଯେ ମାମି କାନ୍ଦୁଥିଲା । ତାଙ୍କୁ କଣ ସବୁ କଥା ଅଛପା ଅଛି, ତେବେ ବି କହିବାର ତ କିଛି ବି ନାହିଁ । ଦୀର୍ଘ—ନିଶ୍ୱାସ ଛାଡ଼ି ମାମି ହାତ ଧରି ସେ ଆଗକୁ ବଢ଼ିଥିଲେ । ତାଙ୍କ ଯିବା ଆଜି ନିଶ୍ଚିତ, ଧୀରେ ମାମିକୁ କହୁଥିଲେ ସେ । ତାଙ୍କ କଥାରେ ଯୋର ନଥିଲା—‘ମା’ରେ ମୁଁ ଆସୁଛି, ଶୀଘ୍ର ଆସିବି ଡେରି ହେଲେ, ସେ ବାପ ପୁଅଙ୍କୁ ଖାଇବାକୁ ଦେଇ ଦବୁ । ମୁଣ୍ଡ ହଲାଇ ସମ୍ମତି ଜଣାଇଲା ମାମି । ଗାଡ଼ି ପାଖକୁ ଗଲେ ସେ, ଡ୍ରାଇଭର ଗାଡ଼ି ଷ୍ଟାଟ୍ କଲା । ଗାଡ଼ିଟି ଗେଟ୍ ଅତିକ୍ରମ କରି ଚାଲିଯିବା ପର୍ଯ୍ୟନ୍ତ ଚାହିଁଥିବା ମାମି ଅନ୍ୟମନସ୍କ ଭାବରେ ଘର ଭିତରକୁ ପ୍ରବେଶ କରିବା ସମୟରେ ମନୋଜକୁ ଦେଖି ତାର ଶିଥିଳ ଗତି ଚଞ୍ଚଳ ହୋଇଗଲା ମନୋଜ ତାକୁ ପଛରୁ ଚାହିଁ ଭାବୁଥିଲା—‘ମୁଁ ଜାଣେ ମାମି ତମର ମୋ ପ୍ରତି ଆଜି କୌଣସି ଭାବ ନାହିଁ ତେବେ ବି ହୁଏତ ମୁଁ ସବୁର ସମାଧାନ କରି ପାରନ୍ତି ଯଦି ମୁଁ କର୍ତ୍ତବ୍ୟ ଜ୍ଞାନ ଭଲରେ ଜାଣି ପାରନ୍ତି ।’ ତା ମାନେ ମନୋଜ ଏବେ ବି ନିର୍ବୋଧ ଅଛି ସମାଧାନ କରିବାର ରାସ୍ତା ତାକୁ ଭଲରେ ଜଣାନାହିଁ । ଅଜଣା ପଥରେ ଗଲେ ଯେଉଁ ବିଘ୍ନ ଘଟିବାର ଭୟ ଅଛି ସେ ଭୟ ତା ମନକୁ ବେଶୀ ବାନ୍ଧି ରଖୁଛି ଆଜି । ସବୁ ଜାଣି ମଧ୍ୟ ସବୁ କରିବାର ଆଗ୍ରହ ଥାଇ ମଧ୍ୟ ସେ ଆଜି କିଛି ବି କରିପାରୁନି । ମାମିର କାର୍ଯ୍ୟକଳାପରୁ ସେ କଣ କେବଳ ଏତିକି ଅନୁଭବ କରିପାରୁନି ଯେ ମାମିର ତା ପ୍ରତି ଆଜି କୌଣସି ସହାନୁଭୂତି ବା ଦରଦ ନାହିଁ ସେ ଯାହା କରି ଯାଉଛି କେବଳ ତାର କର୍ତ୍ତବ୍ୟପରାୟଣତା ଦୃଷ୍ଟିରୁ । ମନୋଜ ଥରେ ମାତ୍ର ଆଜି ମାମିର ହାତ ଧରି କହିଦବାକୁ ଚାହୁଁଛି—‘ମତେ ଭୁଲ ବୁଝିବନି ମାମି ମୁଁ ଯାହା ସବୁ କରି ଯାଇଛି ହୁଏତ ମୋ ନିଜ ପାଇଁ ନୁହେଁ ତେବେ ମୋ ପାଇଁ ଆଜି ମୁଁ କିଛି କହିବାକୁ ଗଲେ ମୋର ପ୍ରଥମେ ତମର ସହଚର୍ଯ୍ୟ ଦରକାର ତମକୁ ମୋର ଅନୁରୋଧ ତମେ ସବୁ ଭୁଲିଯାଅ ।’

 

ବାସନ୍ତୀ ଦେବୀଙ୍କୁ ହଠାତ୍ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମାମିର ବୋଉ । ଆଶ୍ଚର୍ଯ୍ୟ ହବାର ତ ଅନେକ କାରଣ ମାତ୍ର ଗୋଟିଏ ମଧ୍ୟ ପ୍ରକାଶ୍ୟ ନୁହେଁ । ବିଜୟ ବାବୁ ଘରେ ନଥିଲେ ପରିବେଶ ଶାନ୍ତଥିଲା ପିଲାମାନେ ପଢ଼ା ପଢ଼ି କରୁଥିଲେ । ମାମି ବୋଉ ମୁହଁରେ ଯେମିତି ଭାଷା ନ ଥିଲା । ହଠାତ୍ ଫୋନ୍ ଘଣ୍ଟି ବାଜି ଉଠିଲା । ବିଜୟବାବୁଙ୍କ ଫୋନ ଥିଲା । ପ୍ରାରମ୍ଭିକ କଥାବାର୍ତ୍ତା ପରେ ବାସନ୍ତୀ ଆସିବା ଖବର ସେ ଜଣାଇଥିଲେ । ଦୁଇଟି ନାରୀ ବସିଥିଲେ ନୀରବରେ କିଛି ସମୟ ଦୁହିଁଙ୍କ ମନରେ ଅବ୍ୟକ୍ତ ଅକୁହା ଅନେକ କୋହ ଥିଲା ମାତ୍ର କାହାର କିଛି ବି କହିବାର ନଥିଲା । ଉଭୟ ବେଶ୍ ଭଲରେ ଜାଣନ୍ତି ଉଭୟଙ୍କର ପରିବେଶ ଫଳତଃ ନିଜ ଅଜଣାତରେ ବି ଦୁହେଁ ଯେମିତି ଶକ୍ତିହୀନ ହୋଇ ଉଠୁଥିଲା । ଘରକୁ ଆସିଥିବା ବନ୍ଧୁ ପରିଚର୍ଯ୍ୟା ପାଇଁ ମାମି ବୋଉକୁ ମୁହଁ ଖୋଲିବାକୁ ପଡ଼ିଥିଲା—‘ହଠାତ୍ କେମିତି ମନେ ପଡ଼ିଗଲୁ ? ମନୁ ଦେହ ବର୍ତ୍ତମାନ କେମିତି... । ମାମି ବୋଉ ମୁହଁରେ କେବଳ ବାସନ୍ତୀ ଦେବୀଙ୍କ ମନରେ କଷ୍ଟ ନ ଦେବାକୁ ହସ ଖେଳି ଯାଇଥିଲା । ସାମାନ୍ୟ ମାତ୍ର ତାର ଅର୍ଥ ବୁଝିବା ପରି ମଧ୍ୟ ବାସନ୍ତୀ ଦେବୀଙ୍କର ଥିଲା । ଦୀର୍ଘ ନିଶ୍ଵାସ ବାହାରି ଆସିଲା ତାଙ୍କ ଅନ୍ତରରୁ ।

 

: ହଁ ଭଲ ତ ଅଛି ହୁଏତ କେବଳ ମାମିର ସେବା ଆଉ ଭାଇଙ୍କ ତତ୍ପରତା ପାଇଁ.... ।

 

: ଛାଡ଼, ସେ କଥା କଣ ଅଧିକଟା କରିଛନ୍ତି ସେମାନେ ? ସେଟା ହୁଏତ ତାଙ୍କ କର୍ତ୍ତବ୍ୟ ଭିତରେ ସୀମିତ । ହଁ ଜାଣିଛ ତମ ଭାଇ କଣ କହୁଥିଲେ ?

 

: କଣ କହୁଥିଲେ ? ସାମାନ୍ୟ ଭୟଥିଲା ବାସନ୍ତୀ ଦେବୀଙ୍କ ମନରେ ।

 

: କହୁଥିଲେ ବାସନ୍ତୀ ମୋ ଉପରେ ରାଗିଛି ବୋଧହୁଏ । କଥା କଣ କି ସେତ ସବୁବେଳେ କ୍ଲିନିକ୍ ନେଇ ବ୍ୟସ୍ତ ରହିଲେ ଆଉ ଭଉଣୀ ପାଖକୁ ଯିବା ଆସିବା କରିପାରୁ ନାହାନ୍ତି । ନିଜର ଭୁଲତ ଅଛି ଏଣୁ... ।

 

: ଆଉ ତମ କଥା ସେତିକିରେ ଭଉଣୀ ତାଙ୍କର ରାଗିବନି; ଭଉଣୀପାଇଁ ଏବେ ତ୍ୟାଗ କରିଛନ୍ତି ସେ କଥା ହୁଏତ ରାଗିବାର ପ୍ରଧାନ କାରଣ । ତମେ ହୁଏତ ବିଶ୍ୱାସ କରିବନି ଭାଉଜ ଯେ ମୁଁ କିଛି ବି ଜାଣି ନଥିଲି । ଦୁନିଆ ମତେ କିଛି ଦେଇନି ମୋ ଜୀବନରେ ମୁଁ କିଛି ପାଇନି ପାଇଥିବି ଯଦି ସେ କେବଳ ଗୋଟିଏ ଜିନିଷ ଯେ କି ଭାଇ ନହୋଇ ମଧ୍ୟ ଏମିତି ଭାବରେ ଭାଇର କର୍ତ୍ତବ୍ୟ କରି ଯାଉଛି ସେ କଥା ହୁଏତ ମୋ କଳ୍ପନା ବାହାରର କଥା ହୁଏତ ସେ ବି ମୋଠାରୁ ଦୂରକୁ ଚାଲିଯିବେ ରତ୍ନଗର୍ଭା ଭଉଣୀ ପାଖରୁ ଆଶାକରି ପାରିଥାନ୍ତେ ସେ ? ମନ ବହୁତ କିଛି କରିଗଲା ମୋ ଶାନ୍ତି ସୁଖ ସବୁ ଛଡ଼ାଇ ନେଲା... ।’ କାନ୍ଦି ଉଠିଥିଲେ ବାସନ୍ତୀ ଦେବୀ ଆଖିରୁ ଲୁହ ଅନ୍ତରର କୋହ ତାଙ୍କର ଏକାକାର ହୋଇଗଲା । ମାମି ବୋଉର ମାତୃ ହୃଦୟ ଥରି ଉଠୁଥିଲା ଆଖିରୁ ବୋହି ଆସୁଥିବା ଲୁହ ଓ ଅନ୍ତରର କୋହକୁ ସେ ଚାପି ରଖିଥିଲେ ହୁଏତ କେବଳ ସ୍ଵାମୀଙ୍କୁ ଭୟରେ ବାସନ୍ତୀ ଦେବୀଙ୍କ ବୁଝାଇବାର ଅପଚେଷ୍ଟା କରିବା ସଙ୍ଗେ ସଙ୍ଗେ ଅନ୍ତରର କ୍ଷତକୁ ଯେମିତି ବଢ଼ିଯିବାକୁ ଦଉଥିଲେ । ହଠାତ୍ ସେମାନଙ୍କ ବୁଝାବୁଝି ମଧ୍ୟରେ ଆସି ପହଞ୍ଚିଗଲେ ବିଜୟବାବୁ ପରିବେଶଟିକୁ ବେଶ୍ ଭଲ ଭାବରେ ଅନୁଧ୍ୟାନ ସାମାନ୍ୟ ହସି ଦେଇ ଭଉଣୀ ପାଖକୁ ବସିଯାଇ ପ୍ରଶ୍ନ କଲେ—ବାସନ୍ତୀ ଭାଇ ଘରେ ବସି କାନ୍ଦୁଥିଲୁ ? ହଠାତ୍ ବିଜୟ ବାବୁଙ୍କ ପ୍ରଶ୍ନରେ ଆଣ୍ଠୁ ଉପରେ ମୁହଁରଖି କାନ୍ଦୁଥିଲେ ବାସନ୍ତୀ ଦେବୀ ଚମକି ଚାହୁଁଥିଲେ—ଭାଇପରେ କାନ୍ଦୁଛୁ ମାନେ ଭାଉଜ କିଛି କହିଛି କି ?

 

ତମ ଉଦାରତାକୁ ବଢ଼ାଇ ଦେଇ ତମେ ମତେ ଏମିତି ଭାବରେ କାହିଁକି ଦ୍ରୋହୀ କରିଦଉଛ ଭାଇ ? ମୋ ଜୀବନରେ ଯଦି କେବଳ ଅଶ୍ରୁଲେଖା ଥିଲା ତମେ ନିଜକୁ ଏମିତି ଭସାଇ ଦେଇ କଣ ହସ ଦେଖିପାରିଲ ମୋ ମୁହଁରେ ?’

 

: ଆଉ କଣ କହିବୁ ? କଥା ଶେଷକରି କାନ୍ଦୁଥିବା ବାସନ୍ତୀକୁ ବିଜୟବାବୁଙ୍କ ଧୀର ପ୍ରଶ୍ନ-। ସୁଲେଖା ଦେବୀ ଚାଲି ଯାଇଥିଲେ ସେ ସ୍ଥାନ ଛାଡ଼ି । ବାପର ଶେଷ ବାକ୍ୟ ଶୁଣି ସେ ଘରୁ ମାମି ଗୋଡ଼ କାଢ଼ିବା ପରେ ତାଙ୍କ ବୟସର ଅନେକ ଆଗକୁ ବଢ଼ି ଯାଉଛି ସେ କଥା ମଧ୍ୟ ଜାଣନ୍ତି ବିଜୟବାବୁ—ତଥାପି ତାଙ୍କର ତ କହିବାକୁ ବହୁତ କିଛି ଅଛି । ମୁଁ ଜାଣେ ବାସନ୍ତୀ, ତତେ ମନ୍ମଥ କିଛି କହିନି ତୁ ଆଜି ମନୁ ଆଉ ମାମି ରବି ପର୍ଯ୍ୟନ୍ତ ଭାଗ୍ୟପାଇଁ କାନ୍ଦୁଛୁ ମାତ୍ର ତୋର ସେଥିପାଇଁ କାନ୍ଦିବା ସମ୍ପୂର୍ଣ୍ଣ ଭିତ୍ତିହୀନ ତା ଛଡ଼ା ଅନୁଚିତ ମଧ୍ୟ... ।

 

: ଅନୁଚିତ୍ ? ତମେ ସେ କଥା କେମିତି କହିପାରୁଛୁ ଭାଇ ? ମୁଁ ଝିଅ ଜନ୍ମ କରିନି କିନ୍ତୁ ମୁଁ ତ ପୁଣି ମା, ମୁଁ ତ ପୁଣି ଗୋଟିଏ ଝିଅର ଅନ୍ତର ନେଇ ବଢ଼ିଥିଲି ? ମୁଁ ମନୁ ପାଇଁ ଆଜି ଚିନ୍ତିତ ନୁହେଁ ଭାଇ ମୋ ଚିନ୍ତାର କାରଣ ଆଜି କେବଳ ମାମି । ମନୁ ପାଇଁ ମାମି ମନର ଭାଷାକୁ ମୁଁ ମରିଯିବାକୁ କଦାପି ଦେବିନି ।’ ହସି ଦେଇଥିଲେ ବିଜୟବାବୁ ଭଉଣୀର କଥାରେ ପୂର୍ବପରି ହସିଦେଇ ଉତ୍ତର ଦେଲେ—ଆଚ୍ଛା, ତୁ କଣ ପାଗଳ ହେଲୁ । ତୁ କଣ ଆଜି ଏତିକି ଭୁଲି ଯାଉଛୁ ତୋ ବୋହୂ ମାମି ତା ପୂର୍ବରୁ ମୋର ଝିଅଥିଲା ବୋଲି ? ତା ଛଡ଼ା ତୁ ଏତିକି କାହିଁକି ଭୁଲି ଯାଉଛୁ ମନ୍ମଥ ପ୍ରେମିକା ମୀନାର ମୃତ୍ୟୁ ଦିନ ସେଇ ମାମିର ଜନ୍ମ । ଜନ୍ମ ପୂର୍ବରୁ ମୁଣ୍ଡରେ ତାର ଅନେକ ଅଭିଶାପର ବୋଝ । ମାମି ଆଜି ସବୁ ଜାଣେ ମୀନାର ଆତ୍ମବଳୀଠାରୁ ଆରମ୍ଭ କରି ମନୋଜ ତାକୁ ଉପେକ୍ଷା କରିବାର କାରଣ ପର୍ଯ୍ୟନ୍ତ । ସବୁ ଜାଣିବାପରେ ଗୋଟିଏ ଝିଅର ସ୍ଥିତି ଯାହା କହିବା କଥା ସେ କଣ ତା ଅପେକ୍ଷା ଅଧିକ ଉଦାସୀ ହୋଇ ଯାଇଛି ? ଯଦି ବି ସେ ତା ମନର ଭାଷାକୁ ମାରିଦେଇ ବସି ରହେ ତେବେ ସେଟା ତାର ଭାଗ୍ୟ । ଭାବିଛୁ ମନୁ କେବଳ କଷ୍ଟ ପାଇଥାନ୍ତା । ମାମି ମୋର ସେଥିରୁ ବାଦ୍ ଯାଇଥାନ୍ତା ? ଅସମ୍ଭବ । ତା ମୃତ୍ୟୁ ପାଇଁ ମୁଁ ମୁଖ୍ୟତ ଦାୟୀ ଥିଲି । ସେଥିପାଇଁ ତୋ ପ୍ରସ୍ତାବରେ ମୁଁ ରାଜି ହୋଇଗଲି କାରଣ ସେ ଦୁହିଁଙ୍କୁ ଭିନ୍ନ କରି ତାଙ୍କ ଅଭିଶାପ ପାଇଁ ଅନ୍ୟ ଦୁଇଜଣଙ୍କୁ ଧ୍ୱଂସ ମୁହଁକୁ ଟାଣି ଆଣିବା ସଙ୍ଗେ ସଙ୍ଗେ ଆମର ସମାଜରେ ଆଜି ମର୍ଯ୍ୟାଦା ଓ ପ୍ରତିଷ୍ଠା ବୋଲି କିଛି ଥା’ନ୍ତା ବୋଲି ଭାବିଛୁ ? ହୋଇପାରି ନଥାନ୍ତା ତେଣୁ ତୋର ମନଦୁଃଖ କରିବାର କଣ ଅଛି ବାସନ୍ତୀ । ହଁ ଏକଥା ବି ସତ ଯେ କେବଳ ଟିକିଏ ମାତ୍ର ମନରେ ଶାନ୍ତି ପାଇଁ ମୁଁ ମୋ ନିଜ ହାତରେ ସବୁ କିଛି କରିଛି । ମୁଁ ତାର ବାପ ହୁଏତ ମୁଁ କାନ୍ଦୁନି ତାଙ୍କମାନଙ୍କ ପାଇଁ କିନ୍ତୁ ସୁଲେଖା ? ସେ ମାମିର ଜନ୍ମ କଲା ମା’ ସେ କାନ୍ଦିବ ମାମି ପାଇଁ ତୁ କାନ୍ଦୁନୁ ମାମି ପାଇଁ ତେବେ.....ତେବେ ମନୁ ହବ କାହାର ? ମା, ଶାଶୁ ଉଭୟ ମା’ ହୋଇ ପାରିଲ ମାମି ପାଇଁ କିନ୍ତୁ ମନୁ ମନକଥା ବୁଝିବାକୁ କେବେ ଚେଷ୍ଟା କରିଚ ତମେ ? ତାଛଡ଼ା ତମେ ହୁଏତ ଏତିକି ବି କେବେ ଭାବି ପାରିଛ ଯେ ଆଜି ମନୁ ବିନା ମାମିର ସ୍ଥିତି କଣ ? ବାସନ୍ତୀକୁ କାନ୍ଦୁଥିବାର ଦେଖି ସାମାନ୍ୟ ହସିଦେଇ ବିଜୟ ବାବୁ କହୁଥିଲେ ମୁଁ ଜାଣେ ତୋ ମନ ଭାରାକ୍ରାନ୍ତ ହୋଇ ଯାଇଥିବା ବେଳେ ତୁ ମୋ ପାଖକୁ ଧାଇଁ ଆସିଥିଲୁ ହୁଏତ ସାମାନ୍ୟ ସାନ୍ତ୍ୱନା ପାଇବା ପାଇଁ କିନ୍ତୁ ମୁଁ ଯାହା ଭାବୁଛି ତୁ ମୋ ଘରେ ଆଜି ବେଶୀ କାନ୍ଦିଲୁଣି ମୁଁ ତତେ ବହୁତ କନ୍ଦେଇ ଦେଲି ତତେ ମୋ ସୁନା ଭଉଣୀଟା ପରା ଟିକେ ଭାବିଦେଖ ତ ମଣିଷ ଜୀବନରେ ଧନ ସମ୍ପଦର ପ୍ରାଚୁର୍ଯ୍ୟ, ତାକୁ ସୁଖୀ କରେନା ସୁଖୀ କରାଏ ତାର ଭାଗ୍ୟ । ଆମ ଭାଗ୍ୟରେ ଏମିତି ଗୋଟାଏ ଅର୍ପଣ ସହିବାର ଥିଲା ତେବେ ଆମର ସେଥିରେ କାନ୍ଦିବାର କଣ ଅଛି ? ଆମର କି ଅଧିକାର ଅଛି ଆତ୍ମାକୁ ଏତେ କଷ୍ଟ ଦବାପାଇଁ ? ମୋର ହୃଦ ବିଶ୍ଵାସ ବାସନ୍ତୀ ଆମପାଇଁ ସେମିତି ବିଶେଷ ଅଘଟଣ କିଛି ଘଟିବ ନାହିଁ ସବୁ ଠିକ୍ ସମାଧାନ ହୋଇଯିବ । ମାମି ଉପରେ ମୋର ଅଗାଧ ବିଶ୍ୱାସ ଅଛି ହୁଏତ ସେତିକି ମୋ ନିଜ ଉପରେ ନାହିଁ । ତାଛଡ଼ା ତମେମାନେ ମନୁ ର ମସ୍ତିଷ୍କକୁ ସେତେ ଶକ୍ତ ଭାବରେ ଗଢ଼ିପାରିନ । ପିଲାଟା ଭାରି ଦୁର୍ବଳ । ତାର ଓ ମୋର ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ମୁଁ କେବଳ ଏତିକି ଭଲ ଭାବରେ ଜାଣି ପାରିଛି ମନ ବଦଳିଯିବ କିନ୍ତୁ ଏକଥା ମଧ୍ୟ ସତ ଯେ ମନୁକୁ ଦେଖିବା ପୂର୍ବରୁ ମୁଁ ଭାବୁଥିଲି ପିଲାଟା ବଦଳି ପାରିବିନି ଯାହା ଚାରିବର୍ଷ ମଧ୍ୟରେ ହୋଇପାରିନି । ତାହା ସାରା ଜୀବନର ପରିଶ୍ରମ ବିନିମୟରେ ମଧ୍ୟ ଠିକ୍ ହୋଇପାରେନା । ତା ଛଡ଼ା ତୁ ଏତିକି ଭଲରେ ମନେରଖ ବାସନ୍ତୀ ଗୋଟିଏ ରୋଗୀର ଦୁର୍ବଳ ମନକୁ କେବଳ ସେବିକା ହିଁ କିଣିପାରେ ଅନ୍ୟ କେହି ନୁହେଁ ତାଛଡ଼ା ସେ ଦୁର୍ବଳ ମୁହୂର୍ତ୍ତ ମଧ୍ୟ ତାକୁ ଅନେକ ପରିବର୍ତ୍ତନ କରି ଦେଇପାରେ । ଏସବୁ ହେଲା ମନସ୍ତତ୍ତ୍ୱ ମାନେ ମନ୍ମଥ ପଢ଼ିଥିବା ପାଠ । ସେ କେମିତି ନିର୍ଭୟର ଅଛି ଦେଖିପାରୁଛୁ ତ ? ତୁ ଭଗବାନଙ୍କ ଉପରେ ବିଶ୍ଵାସ ରଖ, ଏମିତି ହାରାସ ହୋଇ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣା ଅନୁଭବ କଲେ କଣ ମିଳିବ ତତେ ?

 

ଭଉଣୀ ସମ୍ମୁଖରେ ଜୀବନକୁ ନେଇ ନିଜର ଦାର୍ଶନିକ ମତରେ ଅନେକ କିନ୍ତୁ କହିଗଲେ ବିଜୟବାବୁ ତାଙ୍କ ମତରେ ଅତୀତକୁ ଅତୀତ ମଧ୍ୟରେ ହଜାଇ ଦେଇ ଭବିଷ୍ୟତରେ କୌଣସି ଅପଚିନ୍ତା ନକରି ବର୍ତ୍ତମାନ ଅପେକ୍ଷା ଉନ୍ନତତର ଆଶା କରିବା ବୁଦ୍ଧିମାନ ବ୍ୟକ୍ତିର କାମ । ତେବେ କଣ ମିଳିବ । ଏକଥା ଭାବି ? ‘ମାମି, ମନୁର ଅତୀତ କିଛି ନଥିଲା ବର୍ତ୍ତମାନ ଆଶାବିହୀନ ହେଲେ ଭବିଷ୍ୟତ ଅନ୍ଧକାରମୟ ହୋଇ ଯିବାରେ କୌଣସି ନିଶ୍ଚିତତା ନାହିଁ ।’ ମନରେ ଅନେକ ସାନ୍ତ୍ୱନା ନେଇ ଭାରାକ୍ରାନ୍ତ ମନକୁ ଭାର ଶୂନ୍ୟକରି ଭାଇ ସହ ଘରକୁ ଫେରିଥିଲେ ବାସନ୍ତୀ ଦେବୀ ରାତି ବେଶୀ ହୋଇନଥିଲା ଭଉଣୀଙ୍କୁ ଛାଡ଼ିବା ସମୟରେ କହିଥିଲେ—‘ମନ୍ମଥକୁ, କହିବୁ କାଲି ଦ୍ଵିପ୍ରହରରେ ଆସିବି ମୋ ପାଇଁ ଅପେକ୍ଷା କରିଥିବ ।’ ବାସନ୍ତୀ ମନରେ ସାନ୍ତ୍ୱନା ଦେଇ ଖୁସି ହଉଥିବା ବିଜୟବାବୁ ଏତିକି ଭଲରେ ଜାଣନ୍ତି ନିଜ ସ୍ତ୍ରୀର ରୋଗର କାରଣ ଡାକ୍ତର ହୋଇ ମଧ୍ୟ ଚିନ୍ତାଶୀଳ ମନକୁ ଶୀଥିଳ କରିବା ପାଇଁ ନିଦ ବଟିକାର ବ୍ୟବହାର ବିନା ଅନ୍ୟ କିଛି କରିପାରୁ ନାହାନ୍ତି ସେ ହୁଏତ ଏମିତି ହେଲେ କେଉଁଦିନ ହୃତରୋଗରେ ଆକ୍ରାନ୍ତ ହୋଇ ସ୍ତ୍ରୀ ତାଙ୍କର ତାଙ୍କୁ ଛାଡ଼ି ଚାଲିଯିବେ । ତଥାପି ହୃତରୋଗ ବିଶେଷଜ୍ଞ ପ୍ରତି କଣ ସହଜରେ ସେଇ ରୋଗରେ ମାରିଦେବେ ତାଙ୍କ ସ୍ତ୍ରୀକୁ ?

 

ମନ୍ମଥବାବୁ ଜାଣନ୍ତି ଭଲରେ ଯେ ମାମି ଓ ମନୁ ପାଇଁ ବିଜୟର ଯିବା ଆସିବା କମ୍ ହୋଇଯାଇଛି ତେବେ ବି ସେ କିଛି କହିପାରନ୍ତି ନାହିଁ କାରଣ ସେ ନିଜକୁ ହିଁ ଏ ପ୍ରକାର ଅଘଟଣ ପାଇଁ ଦାୟୀ କରନ୍ତି । ଅନେକ ଦିନରୁ ସାକ୍ଷାତ ହୋଇ ପାରିନି ଦୁଇବନ୍ଧୁଙ୍କ ମଧ୍ୟରେ, ଏତେ ପାଖରେ ରହି ମଧ୍ୟ ତାଙ୍କର ସାକ୍ଷାତ ନହବା ସେମାନଙ୍କ ଭାବନା ବାହାରର ଘଟଣା ଥିଲା । ଅତୀତର ପୃଷ୍ଠା ଆଜି ଉନ୍ମୋଚନ କରିବାର ଅଭିପ୍ରାୟ ତାଙ୍କର ନାହିଁ । ସେ ପ୍ରାୟ ନୀରବ ରହୁଛନ୍ତି ପ୍ରତ୍ୟେକ କଥାରେ । ତେବେ ସେ ନୀରବ ରହି କରୁଥିଲେ କଣ ? ନିଜର ଭବିଷ୍ୟତ କର୍ମପନ୍ଥା ନିର୍ଣ୍ଣୟ କରୁନଥିଲେ କି ? ଦୁଇଜଣଙ୍କ ବନ୍ଧୁତ୍ୱ ଶତ୍ରୁତାରେ ପରିଣତ ହବା ପୂର୍ବରୁ ସବୁର ପରିସମାପ୍ତି କରିଦବା ପାଇଁ ସେ ସ୍ଥିର ନିଶ୍ଚିତ ହୋଇଯାଇଥିଲେ । ନିଜକୁ ଦୋଷୀ ସାବ୍ୟସ୍ତ କରି ସେ କି ପ୍ରକାର ପ୍ରାୟଶ୍ଚିତ କରିବାକୁ ଚାହୁଁଥିଲେ ସେ କଥା ତାଙ୍କ ବ୍ୟତୀତ ଅନ୍ୟ କେହି ଜାଣେନା ।

 

‘ବାପି ଆଜି ଆସୁଛି’ ସେ କଥା ଭାବିଲେ ମାମିକୁ ଭୀଷଣ ଭୟ ଲାଗୁଛି । ସେ ତାକୁ ଆଣିବାକୁ ଯାଇପାରୁନି । ଘରୁ ଖବର ଆସିଥିଲା ଗୋପାଳ ତାକୁ ଆଣିବାକୁ ଯାଉଛି ବୋଲି, ମାମି ଯିବା କଥା ମଧ୍ୟ ପଚରା ଯାଇଥିଲା ମାତ୍ର ମାମି ନୀରବ ରହିଥିଲା । ସକାଳୁ ହଠାତ୍ ଗାଧୁଆ ପାଧୁଆ ସାରି ସିନ୍ଦୁର ଲଗାଉଥିବା ସମୟରେ ମାମିକୁ ଡାକିଥିଲା ମନୋଜ ଅବଶ୍ୟ ବେଶୀ ଦୂରରୁ ନୁହେଁ ଗୋଟିଏ ଘର ମଧ୍ୟରେ ସେତେବେଳେ ଥିଲେ ଦୁହେଁ ମନୋଜ ବାଜି ଉଠିଥିବା ଫୋନ୍ ଘଣ୍ଟି ବନ୍ଦ କରିବା ପାଇଁ ଫୋନ ଉଠାଇ ଶୁଣିଥିଲା ମିତାର ସ୍ୱର ଶୁଭ ସକାଳ ଜଣାଇଦବା ପରେ ସେମାନେ ବାପିକୁ ଆଣିବାକୁ ଯିବେ କି ନାହିଁ ପ୍ରଶ୍ନ କରିଥିଲା । ହସିଦେଇ ତାକୁ ଉତ୍ତରରେ ମନୋଜ କହିଥିଲା—ଅପେକ୍ଷା କରି ମିତା, ଅପାକୁ ତମର ପଚାରିଦିଏ । ଫୋନଟି ଧରି ଡାକିଥିବା ମାମିକୁ ପ୍ରଶ୍ନ କରିଥିଲା ମନୁ—ମିତା ପଚାରୁଛନ୍ତି ତମେ ବାପିକୁ ଆଣିବାକୁ ଯିବ ?

 

: ଯା; ମାମିର ଗଭୀର ଆଉ ଦୃଢ଼ ନିଶ୍ଚିତ ସ୍ୱର ।

 

: କାହିଁକି ? ମନୋଜର ପ୍ରଶ୍ନ ।

 

: ମୋ’ ଇଚ୍ଛା.....ଚାଲିଗଲା ମାମି ମନୋଜ ଚାହିଁଥିଲା ତାକୁ, ମୁହଁରେ ଥିଲା କ୍ଷୀର ହସ ଧାରାଟିଏ ଅଦ୍ଭୁତ ଝିଅଟା ସତରେ ଅତ୍ୟାଚାରିତ ହବା ସମୟରେ ନୀରବ ରହିଲା କିନ୍ତୁ ବିନା ଦୋଷରେ ଏମିତି ଭାବରେ ପ୍ରତିରୋଧ କରି ଉଠୁଛି କାହିଁକି ? ତେବେ ଏ ପ୍ରତିରୋଧ ତା ନିଜ ପ୍ରତିଶୋଧଠାରୁ କିଛି ବି ଅଧିକ ନଥିଲା । କିଛି ସମୟ ପରେ ପ୍ରକୃତିସ୍ଥହୋଇ ଉଠିଲା ମନୋଜ ମିତାକୁ ଜଣାଇଦେଲା ସମସ୍ତ କଥା ଯଦିଓ ମିତା ପୂର୍ବରୁ ସବୁ ଶୁଣି ପାରିଥିଲା । ଅପାର ରାଗଟା ନୂଆ ନଥିଲା ସେ ସାମାନ୍ୟ କିଛି ଭୁଲ କଲେ ରାଗିଯାଏ ତେବେ ମନୁଭାଇ ନିଶ୍ଚୟ କିଛି ଭୁଲ୍ କରିଛନ୍ତି ନଚେତ ଅପା ରାଗିଥାନ୍ତା କାହିଁକି ? ଅପା କଥାଗୁଡ଼ାକ ଯେ ରାଗର ଥିଲା ସେକଥା ମଧ୍ୟ ଭଲରେ ଜାଣେ ମିତା । ଅପା ରାଗିବାର କାରଣ ସେ ଜାଣିବା ପାଇଁ ହୁଏତ ଅତି ଛୋଟ ପିଲା ନଥିଲା । ଆଜି ସେ ଶୁଣିଥିବା ଅପା ଓ ଭାଇଙ୍କ କଥା ବାପା ଓ ବୋଉର ଉପସ୍ଥିତିରେ ବାଲ୍ୟଚପଳତା ଫୁଟାଇ ପ୍ରକାଶ କରିବାକୁ ମଧ୍ୟ ଭୁଲିଯାଇ ନଥିଲା ସେ ।

 

ଏରୋପ୍ଲେନରୁ ଓହ୍ଲାଉଥିବା ବାପିର ଆଖି ପ୍ରଥମେ ଘୂରିବୁଲି ଥିଲା ଦର୍ଶକମଣ୍ଡଳୀ ମଧ୍ୟରେ । ଅପା ଆସିଥିବ ବୋଲି ଭାବି ସେ ଯେ ଭୁଲ କରିଛି ସେ କଥା ମଧ୍ୟ ଜାଣିପାରିଛି ବାପି । ମନରେ ତାର ବିଶେଷ ଦୁଃଖ ନଥିଲା ଅଶେଷ ରାଗ ସେ ତ ଆଉ ଛୋଟ ପିଲା ନୁହେଁ ? ପଛରେ ଆସୁଥିବା ଭଦ୍ରବ୍ୟକ୍ତି ହଠାତ୍ ଅନ୍ୟମନସ୍କ ବାପି କାନ୍ଧରେ ହାତ ରଖିଲେ ଚମକି ପଡ଼ିଲା ବାପି ପରିବେଶ ସମ୍ଭାଳି ନବାକୁ ସାମାନ୍ୟ ହସିଦେଲେ ସେ । ଭଦ୍ରବ୍ୟକ୍ତି ପ୍ରଶ୍ନ କରିଥିଲେ—ତମ ଘରୁ କଣ କେହି ଆସି ନାହାନ୍ତି କି ବାପି ?

 

: କେହି ଆସି ନାହାନ୍ତି କହିବା ଭୁଲ ଭାଇ । ହୁଏ ସୂର୍ଯ୍ୟ ଚନ୍ଦ୍ର ଆମ ପାଇଁ ଲିଭିଯାନ୍ତି କିନ୍ତୁ ଗୋପାଳ ଭାଇ ନୁହେଁ ।’ ଗୋପାଳକୁ ଦୂରରୁ ଠିକ୍ ଚିହ୍ନି ପାରିଥିଲା ବାପି ଚଷମାଟା କାଢ଼ି ହାତରେ ଧରିଲା ସେ ଖରା ଅବଶ୍ୟ ବେଶି ନଥିଲା ତଥାପି ହଠାତ୍ ବାହାର ଦେଶରୁ ଆସିଲେ ଭାରତର ଖରାଟା ଅପେକ୍ଷାକୃତ ଅଧିକ ଲାଗିବ । ଗୋପାଳ ସହ ଭଦ୍ରଲୋକଙ୍କ ପରିଚୟ କରାଇ ଦେଇଥିଲା ବାପି ସେ ଅନ୍ୟ କେହି ନୁହେଁ ସେ ଥିଲା ପ୍ରକାଶ... ।

 

ପ୍ରକାଶ—ଲୀଳାର ପଥଭ୍ରଷ୍ଟ ପ୍ରେମିକ । କେବଳ ପ୍ରେମିକ ନୁହେଁ ସ୍ଵାମୀ ମଧ୍ୟ । ଯାହାର ବାଟକୁ ଲୀଳା ଏବେ ବି ଅନାଇ ବସାଇଛି । ପଥଭ୍ରଷ୍ଟ ପ୍ରକାଶର ପାଦ ଖସି ଯାଇଥିଲା ଅନେକ ତଳକୁ ସେ ବାଟକୁ ଫେରି ଆସିବାର କୌଣସି ପ୍ରଶ୍ନ ନଥିଲା । ଅନେକ ଦିନ ଅପଚେଷ୍ଟା କରିଥିଲା ସେ କୌଣସି ରୋଗୀକୁ ନିଜର କରି ରଖିବାକୁ ମାତ୍ର ପାରିଲାନି ତା ମୁଣ୍ଡରୁ ନିଶା ଖସିଗଲା କାରଣ ପତିର ସମ୍ମାନ ସ୍ନେହ ସୋହାଗ ପାଇବା ପରିବର୍ତ୍ତେ ସେ ସେମାନଙ୍କଠାରୁ ପାଇଥିଲା ଆଜ୍ଞାକାରୀ ଭୃତ୍ୟର ବ୍ୟବହାର ସେଥିରେ ସେ ହାରିଯାଇ ନଥିଲା ବିଦେଶ ରାଷ୍ଟ୍ରର ଚମକ ଧମକ ତା ମନର ନିଶା ବଢ଼ାଇ ଦଉଥିଲା ତେଣୁ ସେ ଆଗକୁ ଚାଲୁଥିଲା । ହଠାତ୍ ସେ ଦିନ ମେଡ଼ିକାଲରେ ପଡ଼ିଥିବା ରୋଗାକ୍ରାନ୍ତ ପ୍ରକାଶର କ୍ଷତ ବିକ୍ଷତ ଶରୀର ସହ ମନଟାକୁ ମଧ୍ୟ କ୍ଷତ ବିକ୍ଷତ କରି ଚାଲିଯାଇଥିବା ସ୍ତ୍ରୀ ପାଇଁ ସିଗ୍ରେଟ୍ ପି’ଇ ଯାଉଥିବା ପ୍ରକାଶର ହାତଟା ଅଟକାଇ ନେଇଥିଲା ବାପି । ବାପି ସେଇ ମେଡ଼ିକାଲ ସଂଲଗ୍ନ କଲେଜର ଛାତ୍ର ଥିଲା ସ୍ତ୍ରୀ ପାଇଁ ଦୁର୍ଘଟଣା ସମ୍ମୁଖୀନ ହୋଇଥିଲା ସ୍ଵାମୀଟି ପ୍ରତି ତା ମନରେ ଅନେକ ଦରଦ ଥିଲା ହୁଏତ ସେ କେବଳ ଭାରତୀୟ ଥିଲା ବୋଲି । ବିଦେଶରେ ପ୍ରକାଶ ପାଇଁ ବିଜୟ ବାବୁଙ୍କ ପରିବାର ନିଜର ପରିବାର ହୋଇ ଯାଇଥିଲେ ବିଜୟବାବୁ ଚାଲି ଆସିବା ପରେ ପ୍ରକାଶ ଆଶ୍ୱସ୍ତି ହୋଇଥିଲା ଅନେକ କାରଣ ଏତେ ଦିନ ତାଙ୍କ ସହ ରହିବା ପରେ ସେ ମଧ୍ୟ ଗୋଟେ ଠିକ୍ ସେମିତି ସୁଖୀ ପରିବାରର ସ୍ଵପ୍ନ ଦେଖୁଥିଲା । ସେ କେବଳ ଭାବିଥିଲା ବାପି ମଧ୍ୟ ଦିନେ ଏମିତି ଚାଲିଯିବ ମାତ୍ର ହୋଇପାରିଲାନି । ବାପି ଉଦାସୀ ପ୍ରକାଶ ମନକଥା ଜାଣିବାରେ ସଫଳ ହୋଇ ପାରିଥିଲା କାରଣ ଭାଇ ଭଉଣୀ ବାପ ମାଙ୍କ କଥା ମନେକରି ଲୁହ ଝରାଉଥିବା ବାପିକୁ ବୁଝାଇବାକୁ ଯାଇ ନିଜର ସୁପ୍ତ ଅତୀତର ରହସ୍ୟ ଉନ୍ମୋଚନ କରିଥିଲା ପ୍ରକାଶ ମାତ୍ର ସ୍ଵଭାବତଃ ବାପି ହଠାତ୍ ଉତ୍ୟକ୍ତ ହୋଇ ଭୀଷଣ ଗାଳି ଦେଇଥିଲା ପ୍ରକାଶକୁ । ପ୍ରକାଶ ସେ ସମସ୍ତ ସହ୍ୟ କରି ନେଇଥିଲା କାରଣ ସେ ଦୋଷୀ ଥିଲା । ପ୍ରକାଶର ଅତୀତ ବାପି ମନରେ ବେଶ୍ ରେଖାପାତ କରିଥିଲା । ଶେଷରେ ଅନୁତପ୍ତ ପ୍ରକାଶ ବାପି ସମ୍ମୁଖରେ ନିଜର ଦୋଷ ସ୍ଵୀକାର କରି ନେଇଥିଲା । ବାପି ଓ ପ୍ରକାଶ ମଧ୍ୟରେ ଗଢ଼ି ଉଠିଥିବା ଆତ୍ମୀୟତା ବେଶ ଗଭୀର ହୋଇ ଉଠିଥିଲା ଫଳରେ ପ୍ରକାଶକୁ ବିଦେଶରେ ସତ୍ୟକୁ ଆମନ୍ତ୍ରଣ କରିବା ପାଇଁ ଛାଡ଼ି ଆସିଲାନି ବାପି, ପ୍ରକାଶର ପଦ ପ୍ରଦର୍ଶକ ହୋଇ ତାକୁ ନେଇ ଆସିଲା ସେ ଅନେକ ବାଟ । ବାପି ମନର ଦୃଢ଼ତା ଥିଲା ଭାରତୀୟ ନାରୀ ପତିକୁ ତ୍ୟାଗକରି ଅନାପତି ଗ୍ରହଣ କରେନା । ପ୍ରକାଶ ମନରେ କୌଣସି ଦ୍ଵନ୍ଦ ନଥିଲା କାରଣ ଲୀନା ମନର ପବିତ୍ରତା ସେ କଣ ପରଖି ଦେଖିନି ? ପ୍ରକାଶ ଚଞ୍ଚଳ ହୋଇ ଉଠୁଥିଲା ଫଳରେ ମନରେ ଉଠିଥିଲା ଅନେକ ଅସମାଧିତ ପ୍ରଶ୍ନ ହଠାତ୍ ଗାଡ଼ିଟା ଅଟକି ଗଲା, ଝୁଙ୍କିଗଲେ ସମସ୍ତେ ସେଟା ଥିଲା ଲୀନା ଘରର ମୁଖ୍ୟ ଦ୍ଵାର ପୁରୁଣା ଅଭ୍ୟାସ ପରି ଲୀନା ବଗିଚାର ଗୋଟେ କଣରେ ବସି କିଛି ପଢ଼ୁଥିଲା ହଠାତ୍ ଗାଡ଼ିଟା ଅଟକି ଯିବାର ଶବ୍ଦ ଯଦିଓ ସେ ଜାଣି ପାରିନଥିଲା ତେବେ ତାକୁ ସଜାଗ କରି ଦେଇଥିଲା ତାର ପ୍ରିୟ କୁକୁର ଲକି ବହିଟା ହାତରୁ ଖସି ପଡ଼ିଲା ଲୀନାର କୁକୁର ଭୁକିବା ଦିଗକୁ ଲକ୍ଷ କରି ପ୍ରକାଶ ଦେଖିଥିଲା ବଗିଚାର ଜୀବନ୍ତ ସଜାଗ ପୁଷ୍ପ ଲୀନାକୁ, ଲୀନା ଠିଆ ହୋଇଥିଲା ଦୂରରେ ଥିଲା ପ୍ରକାଶ । ଲୀନା ସ୍ତମ୍ଭୀଭୂତ ହୋଇଯାଇଥିଲା ଗେଟ ବାହାରେ ଠିଆ ହୋଇଥିବା ପ୍ରକାଶକୁ ଡାକିବାର ଶକ୍ତି ହଜି ଯାଇଥିଲା ତାର ଆଖିରେ ଲୁହ ପ୍ରକାଶକୁ ଚିହ୍ନିବାରେ ସେ କଦାପି ଭୁଲ୍ କରିପାରିବନି ଅନେକ ଦିନ ଚଳିଛି ତା ସାଙ୍ଗରେ ତା ଛଡ଼ା ପ୍ରକାଶ ତ ତା ଜୀବନର ପାଥେୟ । କୁକୁରଟା ଯୋର ଭୁକୁଥିଲା ଲୀନା ନୀରବତା ଭାଙ୍ଗି ପ୍ରଥମେ ତାକୁ ଡାକିଥିଲା ତାକୁ ବସାଇ ଆଉଁସି ଦେଇ ଗେଟ୍ ଦିଗରେ ଆଗେଇଗଲା ସେ । ତା ମନରେ କୌଣସି ସନ୍ଦେହ ନଥିଲା ଗାଡ଼ି ଅଟକି ରହିଛି ମାନେ ପ୍ରକାଶ ସସ୍ତ୍ରୀକ ଆସିଛି କ୍ଷତି କଣ ତା ସ୍ଵାମୀତ ତା ପାଖରେ ରଖିବ । ଭାରତୀୟ ନାରୀର ମହନୀୟତା ଆଖିରୁ ଲୁହ ପୋଛି ଶକ୍ତ ହୋଇ ଗେଟ୍ ପର୍ଯ୍ୟନ୍ତ ଗଲା ସେ ମୁହଁରେ କୃତ୍ରିମ ହସ ଫୁଟାଇ ପ୍ରଥମେ କହିଥିଲା—ଅଟକି ଗଲ କାହିଁକି ପ୍ରକାଶ ? ଏ ଘରର ଦ୍ଵାର ତ ତମପାଇଁ ସବୁଦିନ ଖୋଲା ଏକଥା କଣ ପୂର୍ବରୁ ଜାଣି ନଥିଲ ? ପ୍ରକାଶ ପ୍ରସ୍ତର ମୂର୍ତ୍ତିପରି ଚାହିଁଥିଲା ଲୀନାକୁ-। ଲୀନା ଆଖିରେ ଲୁହ ଜକେଇ ଆସୁଥିଲା ତଥାପି ଓଠ କାମୁଡ଼ି କିଛି ସମୟ କୋହକୁ ଅଟକାଇ କହିଥିଲା—ମୁଁ ପ୍ରତିବନ୍ଧକ ହେବିନି ପ୍ରକାଶ ଗାଡ଼ି ଭିତରକୁ ମଣିଷକୁ ଆସିବାକୁ ଦିଅ ମୁଁ......ମୁଁ......ପାରିଲିନି ଲୀନା ମୁହଁରେ ଲୁଗାଦେଇ ସେ ଚାଲିଯିବା ପୂର୍ବରୁ ପ୍ରକାଶର ହାତର ଶକ୍ତ ବନ୍ଧନ ଭିତରେ ଥିଲା ସେ ପ୍ରକାଶ କରୁଥିଲା ।

 

—ଲୀନା ତମ ଅଧିକାର ତମରି ହାତରେ ଆଣିନି ବିଶ୍ୱାସ କର ମୁଁ ଏକାକୀ ଆସିଛି । କେବଳ ଏତିକି ଜାଣିବାକୁ ଅପେକ୍ଷା କରିଥିଲି ଯେ ଏପର୍ଯ୍ୟନ୍ତ ତମ ଉପରେ କେବଳ ମୋ ଅଧିକାର ଅଛି ନା......ପ୍ରକାଶ ମୁହଁରେ ହାତ ଦେଇ ଦେଇଥିଲା କାନ୍ଦୁଥିବା ଲୀନା କାରଣ ଆଗକୁ ପ୍ରକାଶର କଥା ସେ ଜାଣିଥିଲା ଲୀନା କାନ୍ଦୁଥିଲା । ସ୍ଥାନ କାଳପାତ୍ର ଭୁଲି ଯାଇଥିଲା ପ୍ରକାଶ ସେଇଠାରେ ସେମିତି ଠିଆହୋଇ ଲୀନାର କାନ୍ଦୁଥିବା ମୁହଁଟି ଛାତି ଉପରେ ଲୁହ ଝରାଇବାକୁ ଛାଡ଼ିଦେଇ ସେ ଭାବୁଥିଲା ହୁଏତ ଏ ସୃଷ୍ଟିରେ ତାଠାରୁ ଭାଗ୍ୟବାନ ଅନ୍ୟ କେହି ନାହିଁ । କୁକୁର ଭୁକାରେ ଘରୁ ବାହାରି ଆସିଥିବା ଲୀନାର ବାପା ଘର ଭିତରକୁ ଚାଲି ଯାଇଥିଲେ ମାତ୍ର ବାପି ଚିତ୍କାର କରି ଉଠିଲା—ଲିମିଟ୍ ପ୍ରକାଶ ଭାଇ ଲିମିଟ୍ ପାଖରେ ପରା ସାନଭାଇ ଅଛି ?’ ପ୍ରକାଶ ଲୀନା ଫେରି ଚାହିଁଲେ ଗାଡ଼ି ପାଖରେ ଠିଆ ହୋଇ ହସୁଥିଲା ବାପି ତାକୁ ମଧ୍ୟ ଲକ୍ଷ କରିଥିଲେ ଲୀନାର ବାପା । ହାତରେ ଫୁଲ ଗଛଟା ଧରି ଆଗେଇ ଆସୁଥିଲା ସେ—ପ୍ରକାଶ ଭାଇ ଗୋପାଳ ଭାଇଙ୍କ ଉପହାର କାହାକୁ ଦେଇ ନ ଥିଲା ମାତ୍ର ଗୋପାଳ ଭାଇଙ୍କୁ ସର୍ତ୍ତ ରଖାଇ ଏଠାକୁ ତମ ମିଳନର ପ୍ରଥମ ଉପହାର ଦଉଛି । ହଁ ଭାଉଜ ଦେଖତ ତମେ ସିନା ମୋ ଆସିବା କଥା ଜାଣି ନଥିଲ କିନ୍ତୁ ଭାଇ......ବାଜି ହାରି ଗଲଟି ? ବାପି ପ୍ରଶ୍ନର ଉତ୍ତରରେ କେବଳ ହସି ଦେଇଥିଲା ପ୍ରକାଶ ବାପି ଫେରି ଆସୁଥିଲା ହାତ ହଲାଇ ମାତ୍ର ଲୀନାର ବାପି ପ୍ରତି ମମତା ବଢ଼ିଯିବା ସ୍ଵଭାବିକ୍ କାରଣ ଏକଥା ତ ସେ ନିଃସନ୍ଦେହରେ କରିପାରିବ ଯେ ବାପି ପାଇଁ ହଁ ଆଜି ପ୍ରକାଶକୁ ଫେରି ପାଇଛି ସେ । ପଛରୁ ଡାକି ଲୀନା କହୁଥିଲା—ଭାଉଜ ପାଖରୁ ଦିଅର ଏମିତି ଯିବା କଥା ନୁହେଁ ଆଜ୍ଞା...... ।

 

: କିନ୍ତୁ ମହାଶୟା ଦିଅରକୁ ପରେ ଚର୍ଚ୍ଚାକଲେ ଚଳିବ କିନ୍ତୁ ସ୍ଵାମୀଙ୍କୁ ଆଗେ ଦେଖନ୍ତୁ ମୋ ନାଁଟା ଭାଇଙ୍କଠୁ ବୁଝିନେବେ ।’ ଫେରିଆସି ବାପି କହିଥିଲା ବର୍ତ୍ତମାନ୍ ମୁଁ ଆସୁଛି ମୋର ଆଜି ଅନେକ କାମ... ।

 

: ହଁ, ସେକଥା ତ ନିଶ୍ଚୟ । କିନ୍ତୁ ତମେ ଆସିବ ଦିନେ ସମୟ କରି ।

 

: ଦିନେ ନୁହେଁ ଭାଉଜ ସବୁଦିନେ ଆସିବି ଭାରତକୁ ଆସି ମୋ ପ୍ରଥମ ପଦକ୍ଷେପରେ ମୁଁ ଜିତିଯାଇଛି ଯଦି ଦ୍ଵିତୀୟରେ ଜୟଯୁକ୍ତ ହୁଏ ତେବେ ହୁଏତ ବାପି ତା ଜୀବନରେ ଆଜି ଦିନଟାକୁ ଏମିତି ଆନନ୍ଦ ମନରେ ସାରା ଜୀବନ ପାଳନ କରିବି ସେକଥା ହୁଏତ କେହି ବିଶ୍ଵାସ କରିବେନି । ହସି ହସି ବାପି ଚାଲିଗଲା କଥା କହୁଥିଲା ବେଳେ ସାମାନ୍ୟ ଉଦାସ ହୋଇ ଉଠିଥିଲା ସେ ତାକୁ ଚାଲିଯିବାର ଦେଖୁଥିଲେ ଲୀନା ଓ ପ୍ରକାଶ । ପ୍ରକାଶ କହୁଥିଲା—ଲୀନା ବାପି ମୋ ଭାଇ ହବାକୁ ଚାହୁଁଛି କିନ୍ତୁ ଯଥାର୍ଥରେ ସେ ତମର ଭାଇ ହବା କଥା କାରଣ ତା ପାଇଁ ହୁଏତ ମୋର ଯେଉଁ ପ୍ରକାରର ପରିବର୍ତ୍ତନ ହେଲା ସେ ପ୍ରକାଶ କଥା କେବଳ ଶଳା କହିପାରେ ଭଉଣୀ ପାଇଁ ଦିଅର ଭାଉଜ ପାଇଁ ନୁହେଁ ।

 

: ତାଙ୍କ ଖୁସିରେ ସେ ଯାହା ହବାକୁ ଚାହିଁବେ ତାହାହିଁ ହୋଇ ରହିବେ ପ୍ରକାଶ ଆଉ ମୋର କିଛି ବି ଦରକାର ନାହିଁ ଏ ଜୀବନରେ ଲୀନା ଆଖିରୁ ଲୁହ ତା କଥାର ଗଭୀରତା ବୁଝାଇ ଦେଇଥିଲା ପ୍ରକାଶକୁ । ଲୀନା ଆଖିରୁ ଲୁହ ପୋଛି ଦେଇଥିଲା ସେ ତା ନିଜସ୍ଵ ରୁମାଲରେ ସବୁଦିନ ପାଇଁ ।

 

ବିଜୟ ବାବୁଙ୍କର ଦ୍ୱିପହର ବେଳେ ଆସିବା କଥା ଜାଣି ଦ୍ୱିପହର କାମ ସାରିଦେବା ପାଇଁ ଘରୁ ବାହାରି ଯାଇଥିଲେ ମନ୍ମଥବାବୁ ଆଉ ବାସନ୍ତୀ ଦେବୀ ସଙ୍କ୍ରାନ୍ତି ପୂଜା କରିବାକୁ ମନ୍ଦିର ଚାଲିଯାଇଥିଲେ ଘରେ ଥିଲେ ମାମି ଓ ମନୁ । ସକାଳୁ ମନୁ ସ୍ଥିରକରି ନେଇଥିଲା ମାମିକୁ ଆଜି ସବୁ କହିଦବ ମାମିର ବ୍ୟବହାର ତା ପ୍ରତି ଅସହ୍ୟ ହୋଇ ଉଠୁଛି ତା ମନ ଆଜି ଖୋଜୁଛି କିଛି ସ୍ନେହ ଆଉ ସହାନୁଭୂତି ଯେଉଁଟାକି ପାଇବା ପାଇଁ ତାର ମାମିର ସହଚର୍ଯ୍ୟ ନିହାତି ଦରକାର ମାମି ସାମ୍ନାରେ ବସି ବୋନ୍‍ଭିଟା ଦିନ ସାଢ଼େ ନଟା ଭିତରେ ହଲ ମାମିକୁ କିଛି ସମୟ ଚାହିଁଥିଲା ମନୋଜ ତାପରେ ସେ ଆରମ୍ଭ କରିଦେଲା ତାର ବାକ୍ତବ୍ୟ—ମାମି..... ।

 

: ତମେ ବାପିକୁ ଆଣିବାକୁ ଗଲନି କାହିଁକି ?

 

: ମୁଁ ତ କହି ଦେଉଛି ମୋର ଇଚ୍ଛା ନଥିଲା ବୋଲି.... ।

 

: କଣ ଉପନ୍ୟାସଟା ଶେଷ କରି ଦେଉଛ ?

 

: ଉପନ୍ୟାସ ! ମାମି ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା ।

 

: ହଁ କାଲି ଯେଉଁଟା ପଢ଼ୁଥିଲ ?

 

: ସେଥିରେ ତମର କଣ ଅଛି ?

 

ମୋର କାହିଁକି କଣ ରହିବ ? ଆଜିକାଲି ସେ ବୋଧହୁଏ ତମ ପରି ଅନେକଙ୍କ ମନର ଆଦର୍ଶ ଲେଖିକା ଆଉ ପଦପଦର୍ଶିକା ମଧ୍ୟ...... ।

 

: ସେଥିରେ କ୍ଷତି କଣ ଅଛି ? ହଁ ବୋନ୍‍ଭିଟା ଥଣ୍ଡା ହୋଇ ଯାଉଛି..... ।

 

: ସେ କଥା ମୁଁ ଅନେକ ଆଗରୁ ଜାଣି ନେଇଥିଲି ।

Unknown

 

: ତେବେ ଏତେ ଦିନଯାଏ ମତେ ଏତେ ଆଦେଶ..... ।

 

: ବୋଉଙ୍କ ପାଇଁ ସବୁ କରୁଥିଲି ବ୍ୟସ୍ତ ହୁଅନି ମନୋଜ’ ମାମିର କଣ୍ଠ ଗମ୍ଭୀର ହୋଇ ଉଠୁଥିଲା, ‘ମୁଁ ତମକୁ ମୁକ୍ତି କରିଦେବି ଦୁଇଟି ନାରୀ ମଧ୍ୟରେ ରହି ତମର ମନର ଅବସ୍ଥା ଦିନକୁ ଦିନ ବହୁତ ଖରାପ ହୋଇ ଯାଉଛି । ମୁଁ ତମକୁ ଆଉ କିଛି ବି କରିବାକୁ ବାଧ୍ୟ କରିବିନି କରିବାରେ ତ ଫଳନାହିଁ ତା ଛଡ଼ା ମୋର ତ ଆଉ କୌଣସି ସ୍ପୃହା ନାହିଁ ଆପଣ ବେଶ୍‍ ଶାନ୍ତି ପାଇବେ ଆପଣଙ୍କୁ ଶାନ୍ତିଦେଲା ବାଲା ଠିକ୍ ଆସିଯିବ । ଚାରିବର୍ଷ ତଳେ ଯେଉଁ ଅତୀତ ହଜି ଯାଇଛି ତାକୁ ନେଇ ତମେ ନୂତନ ଶାନ୍ତିମୟ ଭବିଷ୍ୟତ ଗଢ଼ିପାରିବ । ଆରେ ଏମିତି ଚାହିଁଛି କଣ ? ବିଶ୍ୱାସ ହଉନି ? ଆଉ ଅଳ୍ପଦିନ ସବୁ ଠିକ୍ ହୋଇଯିବ । ବୋନ୍‍ଭିଟାଟା ଥଣ୍ଡା ହୋଇ ଯାଉଛି..... । ଗରମ ବୋନ୍‍ଭିଟା କପ୍‍ଟା ଫୋପାଡ଼ି ଦେଇଥିଲା ମନୋଜ କିଛି କହିବାକୁ ଚାହିଁଥିଲା । ସେ ମାତ୍ର ଆକସ୍ମିତ ଭାବରେ କପ୍‍ର ଖଣ୍ଡେ ଛିଟିକି ପଡ଼ିଥିଲା ମାମି ଉପରକୁ । କିଛି ଦୂରରେ ଠିଆ ହୋଇଥିବା ମାମିର ଆଖି ବନ୍ଦ ହୋଇ ଯାଇଥିଲା କିନ୍ତୁ ସେଇ ଦୁର୍ଯୋଗମୟ ମୁହୂର୍ତ୍ତ କଟି ପାରିଲାନି-। ମାମି ପାଖରେ ଅବୋଧ୍ୟ ମନୋଜର କ୍ରୋଧକୁ ମାମି କପାଳରେ ରକ୍ତଧାର ବନ୍ଦ କରି ଦେଇଥିଲା କ୍ରୋଧରେ ଥରି ଉଠିଥିବା ମନୋଜ ମୁଣ୍ଡରେ ହାତଦେଇ ବସି ଯାଇଥିଲା ମାତ୍ର ମୁଣ୍ଡରୁ ରକ୍ତ ବାହାରୁଥିବା ଜାଣି ପାରି ସାମାନ୍ୟ ହସି ଦେଇଥିଲା ମାମି, ମାତ୍ର ଦୁହିଁଙ୍କ ନୀରବତାକୁ ଆକସ୍ମିକ ଭାବରେ ଭଗ୍ନ କରି ସେ ଘର ଭିତରେ ପଶି ଆସିଥିଲା ବାପି କେତେବେଳୁ ଯେ ସେ ସବୁ ଶୁଣୁଥିଲା ସେ କଥା କେବଳ ବାପି ଜାଣିଥିଲା । ବାପି ଯୋରରେ ତାଳି ମାରୁଥିଲା—ୱେଲ୍ଡ଼ମ ୱେଲ୍ଡ଼ମ ମାଇଁ ବ୍ରଦରସ୍‍ ଇଟ୍ ଇଜ୍ ଏ ଭେରୀ ଭେରୀ ବିଉଟିଫୁଲ ସିନ୍ ବାସ୍ତବତା ହିଁ ସବୁଦିନ ଆନନ୍ଦ ଦିଏ ଅଥଚ ଆପଣ ଏ ଦୃଶ୍ୟ ଉପଭୋଗ ନକରି ଏମିତି ବସି ରହିଲ ଯେ ? ଆଶ୍ଚର୍ଯ୍ୟ ହୋଇ ମନୁ ଓ ମାମି ଚାହିଁଥିଲେ ବାପିର ଆକସ୍ମିକ ପ୍ରବେଶକୁ ବାପି ମନରେ ରାଗ ତା ହସରେ ବେଶ ଫୁଟି ଉଠୁଥିଲା ପରିବେଶ ବେଶ କରୁଣମୟ ଥିଲା । ‘ଆରେ ଚିହ୍ନି ପାରୁନାହାନ୍ତି କି ? ମୁଁ ବାପି.....ସତରେ ମନୋଜ ବାବୁ ମୋ ଶୁଣିଥିବା କଥାର ପ୍ରମାଣ ପାଇଗଲି ଆଇ. ଏ. ଏସ୍. ଗୁଡ଼ା ମଣିଷ ନୁହନ୍ତି ପଶୁ । ତାର ଜ୍ୱଳନ୍ତ ପ୍ରମାଣ ଆପଣ । କିନ୍ତୁ ଜାଣନ୍ତି ଯେଉଁ ରକ୍ତ ଆପଣ ଆଜି ବାହାର କଲେ ତାର ମୂଲ୍ୟ କଣ ? ଭାବି ପାରୁଛନ୍ତି ତିନି ମାସ ମଧ୍ୟରେ ସେଇ ରକ୍ତଧାରଣ କାରିଣୀ କେତେ ରକ୍ତ ଭରି ଦେଇଛି ଆପଣଙ୍କ ଶରୀରରେ ? ନିର୍ବୋଧ...ସ୍ୱାମୀ ପ୍ରତି କୌଣସି କର୍ତ୍ତବ୍ୟ ନ କରିଥିବା ଗୋଟେ ସ୍ତ୍ରୀକୁ, ତା ପଥଭ୍ରଷ୍ଟ ସ୍ୱାମୀ କେବଳ ତା ପ୍ରତୀକ୍ଷା ପାଇଁ ଯଦି ତାର ଅଧିକାର ଫେରାଇ ଦେଲା ତେବେ ଅପାର କର୍ତ୍ତବ୍ୟ କଣ ତମ ପାଇଁ କିଛିବି ନୁହେଁ ? ତେବେ କେଉଁ ଅଧିକାର ଦେଲେ ତାର ନିଷ୍ଠା କର୍ତ୍ତବ୍ୟ ପାଇଁ ଆପଣ ପରା ତାର ସ୍ୱାମୀ ? ନୀରବ କାହିଁକି ରହିଲେ ମନୋଜ ବାବୁ ଆପଣଙ୍କ ଅନେକ ନୀରବତା ମୁଁ ସହି ନେଇଛି କିନ୍ତୁ ଆଜି ନୁହେଁ । ମୁଁ ଆଜି ସମାଧାନ ଚାହେଁ.....ହଁ ହଁ ସମାଧାନ । ମନୋଜ ନିଃସ୍ପନ୍ଦ ହୋଇଯାଉଥିଲା, ତେବେ ବି ବାପି କଥାର ଉତ୍ତର ତାକୁ ଠିକ୍ ଜଣାଥିଲା ସାମାନ୍ୟ ହସିଦେଇ ଠିଆ ହୋଇଗଲା—ୟୁ ମାଏ ଆସକ୍ ଇଟ୍ ଟୁ ୟୋର୍ ସିଷ୍ଟର୍ ମାତ୍ର ଉତ୍ୟକ୍ତ ବାପି ଧରି ନେଇଥିଲା ମନୋଜକୁ—ନୋ ୟୋର୍ ଆଣ୍ଡ ‘ଓନ୍ଲି ୟୋର୍’ସ ଷ୍ଟେଟମେଣ୍ଟ...ବାପି ମାମି ଡାକରେ ଅଟକି ଗଲା ବାପି, ମନୋଜ ଚାହୁଁଥିଲା ମାମିକୁ, ତୁ ଚାଲିଯା ବାପି ଏ ଘରେ, ଏ ସବୁ ପ୍ରଶ୍ନ ଏଠାରେ ପଚାରିବା ଉଚିତ୍ ନୁହେଁ । ତୁ କଣ ଜାଣିନୁ ସେ ଅଧିକାରଟା କଣ ? ତୋ ଅପା ସେଇ ଦିନଠୁ ତୋ ପାଇଁ ମରିଯାଇଛି ବାପି ଯେଉଁଦିନ ଏ ଭଦ୍ରଲୋକ ତା ହାତ ଧରି ତାଙ୍କ ଘରକୁ ନେଇ ଆସିଥିଲେ..... ।

 

: କିନ୍ତୁ ଅପା ଏମିତି ଆଉ କେତେଦିନ... ।

 

: ଆଉ ଅଳ୍ପ ଦିନ; ତୁ ଚାଲିଯା ଆଉ ଆସିବୁନି । ହୁଏତ ତୋ ସାମାନ୍ୟ ଭୁଲରେ ତୋ ଅପାର ଅନେକ ଦିନର ତପସ୍ୟା ଭାଙ୍ଗି ଯାଇପାରେ । ଚାଲିଯା’ ଫେରି ଚାହିଁବୁନି ବାପି ହୁଏତ ମୁଁ କେବଳ ଏତିକି ଆଶା କରି ଭୁଲ କରୁନି ଯେ ତୁ ମୋ ରାଗଟା ମନେ ରଖିଥିବୁ । ମାମି କଣ୍ଠ ଥରୁଥିଲା ଦେହରେ ଅନେକ ଦୁର୍ବଳତା ମାତ୍ର ବାପି ରହିଲାନି ଚାଲିଗଲା ନୀରବ ମନରେ ଅନେକ ଗ୍ଳାନି ନେଇ । ମାମି ଥରିଲା କଣ୍ଠ ବନ୍ଦ ହୋଇ ଯାଇଥିଲା । ଆଖିରୁ ଲୁହ ବାହାରି ଯାଉଥିଲା ର୍ନିଦ୍ୱନ୍ଦ୍ୱରେ, ସେଠାରେ ମନୋଜ ନଥିଲା । ବହୁତ କାନ୍ଦିବା ପରେ ମାମି ଉଠିଗଲା ମୁଣ୍ଡର କଟା ଦାଗଟାର କିଛି ପ୍ରତିକାର କରିବା ପାଇଁ । ତା ଛଡ଼ା ଘଟଣାଟା ସମାଧାନ କରିଦେବାକୁ ହେଲେ ରଘୁକୁ ବୁଝାଇ ନେବାକୁ ପଡ଼ିବ । ମାମି ସଫଳ ହୋଇ ପାରିଥିଲା ତା କାମରେ । ବିଫଳ ବୈବାହିକ ଜୀବନ ବ୍ୟତୀତ ଜୀବନରେ କୌଣସି କର୍ମ କରି ହାରିଯିବା ତା ପକ୍ଷରେ ସମ୍ଭବ ନଥିଲା-

 

ମନୋଜ କଥାଗୁଡ଼ାକ ମାମି ମନକୁ ସ୍ପର୍ଶ କରି ପାରିନଥିଲା ସେ ମନୋଜକୁ ତାର ରୋଗୀ ଆଉ ନିଜକୁ ସେବିକା ମନେ କରି ନେଇଥିଲା । ମନୋଜ କଥାର ଆତ୍ମୀୟତା ପ୍ରତି କୌଣସି ଗୁରୁତ୍ୱ ଦଉନଥିଲା । ବନ୍ଧୁକୁ କଥା ଦେଇ ବିଜୟ ବାବୁ ଠିକ୍ ସମୟରେ ବନ୍ଧୁ ଗୃହରେ ଉପସ୍ଥିତ ହୋଇଥିଲେ । ଗାଡ଼ିରେ ଆସୁଥିବା ବାପକୁ ଦେଖି ପାରିଥିଲା ମାମି । ବାପି ପାଖକୁ ଧାଇଁ ଯିବାକୁ ଉଦ୍ୟତ ଗୋଡ଼ରେ ମନଟା ତାର ଶିଙ୍କୁଳି ଯେମିତି ବାନ୍ଧି ଦଉଥିଲା, ଅଟକି ଗଲା ସେ । ଜ୍ଵାଇଁକୁ ଦେଖିଥିଲେ ବିଜୟ ବାବୁ ଶ୍ୱଶୁରଙ୍କୁ ଦେଖି ଫେରି ଆସୁଥିବା ମନୋଜ ଶୁଣିଥିଲା ମନ୍ମଥ ଆଉ ବିଜୟ ବାବୁଙ୍କ କଥାବାର୍ତ୍ତା । ଝିଅକୁ ଦେଖିବା କଥା ପଚାରିଥିଲେ ମନ୍ମଥ ବାବୁ ମାତ୍ର ହସି ଦେଇ ବିଜୟ ବାବୁ କହିଲେ—କଣ ଦେଖିବି ଅଧିକାଟା ? ଝିଅ ତ ଭଲ ଅଛି ସେ କଥା ଜାଣେ, କିଛି ଅଧିକ ହେଉ ମନ୍ମଥ ଅପେକ୍ଷା କଣ ବଳେ ଦେଖିବିନି । ଅନେକ ଉତ୍ସାହରେ ସ୍ତ୍ରୀକୁ ଡାକିବାକୁ ଯାଉଥିବା ମନୋଜର ଗତି ଶିଥିଳ ହୋଇ ଯାଇଥିଲା ମାତ୍ର ମାମି ପଛରେ ଠିଆ ହୋଇ ଧୀରେ କହିଥିଲା—ମାମି, ବାପା ଆସିଥିଲେ.......ତମକୁ ଡାକୁଥିଲେ..... ।

 

: ହୁଁ; ମିଛ କାହିଁକି କହୁଛ ? ତା ଛଡ଼ା ଡାକିଥିଲେ ବି ମୁଁ କଣ ଯାଇଥାନ୍ତି ଭାବିଛ ? ଝରକା ଦେଇ ବାପକୁ ଚାହିଁଥିବା ମାମି, ପଛରେ ଠିଆ ହୋଇଥିବା ତା’ର ସ୍ୱାମୀକୁ ଉତ୍ତର ଦେଇଥିଲା ନିହାତି ଅସ୍ୱଭାବିକ୍ ଭାବରେ । କିନ୍ତୁ ମାମି ମନରେ ବାପକୁ ଦେଖିବାକୁ କେତେ ଆଗ୍ରହ ସେ କଥା ବେଶ ଉପଲବ୍ଧି କରିପାରୁଥିଲା ମନୋଜ । ଶ୍ୱଶୁରଙ୍କ କଥାଟା ଶୁଣି ମନୁ ଜାଣିପାରୁଛି ଯେ ଆଜିର ଏପରି ବିପର୍ଯ୍ୟସ୍ତ ପାଇଁ ସମସ୍ତେ ମାମିକୁ ଦାୟୀ କରୁଛନ୍ତି । ସମସ୍ତଙ୍କ ଦୃଷ୍ଟିରେ ମାମି ଦୋଷୀ ହୋଇପାରେ ମାତ୍ର ମନୁ ପାଖରେ ନୁହେଁ । ମନୋଜକୁ ଖରାପ ଲାଗୁଥିଲେ ବି କିଛି କରିବାର ଶକ୍ତି ବା ସାହସ ତାର ଆଉ ନଥିଲା । ଯାଉଥିବା ବିଜୟ ବାବୁ ଝରକା ପାଖରେ ଏକାଠି ଠିଆ ହୋଇଥିବା ଝିଅ ଜ୍ୱାଇଁଙ୍କୁ ଦେଖି ମନରେ ଅନେକ ଶାନ୍ତି ନେଇ ଫେରିଥିଲେ । ମାତ୍ର ମନୋଜ ଭାବୁଥିଲା ମାମି ବିନା ତା ମା’ ଅନ୍ତରରେ କେହି ହୁଏତ ଆଉ ଶାନ୍ତି ଦେଇ ପାରିବେନି ତେବେ ମାମିକୁ ସେ ବୁଝାଇବ କେମିତି ? ଏତେ ଦିନ ଧରି ଯେଉଁ କାମ ହୋଇ ପାରିଲାନି ସେ କାମ ଚାକିରି ଉପରକୁ ଗଲା ପରେ, ସେ କ’ଣ ସମାଧାନ କରିପାରିବ ?

 

କାଠଯୋଡ଼ିର ବାଲୁକା ଶଯ୍ୟା ଉପରେ ଶୋଇରହି ବାପି ଭାବି ଚାଲିଥିଲା କେତେ କଣ ତାର କୌଣସି କୂଳ କିନାରା ନଥିଲା । ଅପା ମୁଣ୍ଡରୁ ବାହାରିଯାଉଥିବା ରକ୍ତଧାରର ଦୃଶ୍ୟ ତା ମନଭିତରେ ଏବେବି ଭରି ରହିଛି । ଅପା ମୁଁହରେ ଥିବା ସେ ହସ ଆଉ ତା କଣ୍ଠର ରୁଦ୍ଧସ୍ୱର ବାପି ହୁଏତ ଏ ଜନ୍ମରେ ଭୁଲି ପାରିବନି । ତେବେ ସେ କରିବ କଣ ? ବର୍ତ୍ତମାନ ତାକୁ କିଛି ଗୋଟାଏ କରିବାକୁ ପଡ଼ିବ କାରଣ କିଛି ଗୋଟେ ନ କଲେ ହୁଏତ ତାଙ୍କମାନଙ୍କ ପାଇଁ ଅନେକ କିଛି କରିଥିବା, ଅନେକ କିଛି ଶିକ୍ଷା ଦେଇଥିବା ଅପା ପାଖରେ ସେ ଦ୍ରୋହୀ ହୋଇଯିବ ହୁଏତ ତାଙ୍କ ମଧ୍ୟରେ ରହିଥିବା ସ୍ନେହ ମମତାର କୌଣସି ମହତ୍ତ୍ୱ ରହିବନି । ବାପି ମନରେ ପ୍ରଥମେ ଗୋଟେ ପ୍ରଶ୍ନ ଉଙ୍କି ମାରିଥିଲା—ଅପାକୁ ଆଣି ଆମ ପାଖରେ ରଖିନେଲେ କ୍ଷତି କଣ ? ଅପା ବୟସର ଝିଅ ହୁଏତ ଏବେ ଅନେକ ବାହା ହୋଇନାହାନ୍ତି । ଅପା କଣ ଅସୁନ୍ଦର ନା ଅଗୁଣର ନା ମୂର୍ଖ ହୋଇଛି । ହୁଏତ ଅନ୍ୟତ୍ର ବିବାହ ପାଇଁ ପାତ୍ର ନ ମିଳିପାରେ ମାତ୍ର ଭଲ ଚାକିରି ଖଣ୍ଡେ ତ ମିଳିଯିବ । ଅପାର ପେଟ ଅପୋଶା ରହିବନି ଅପା ଚାକିରି ନ କଲେବି କ୍ଷତି କଣ ? ବାପିର କଣ ଏତିକି କ୍ଷମତା ନାହିଁ ଭଉଣୀକୁ ତାର ଖଣ୍ଡେ ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ ଦେଇପାରିବନି ସେ ? ଯେମିତିବି ହଉ ଅପାକୁ ତାର ମନୋଜ ପାଖରୁ ମୁକ୍ତି କରିଦେବା ନିହାତି ଦରକାର । ମନୋଜ, ସତରେ ସେ ମଣିଷ ନୁହେଁ ପଶୁ ମାମି ପରି ନାରୀର ଯେ ମହତ୍ତ୍ୱ ବୁଝିପାରିଲାନି ସେ କଣ ମଣିଷ ପଦବାଚ୍ୟ ? ବାପି ଅନେକ କିଛି ଭାବି ଚାଲିଥିଲା ମାତ୍ର ତା ଅପା କଣ ତା କଥାରେ ରାଜି ହେବ ? ହୁଏତ ମନୋଜ ତା ପାଇଁ କିଛିବି ନ କରୁ ତେବେବି ସେ ତାର ସ୍ଵାମୀ ତେଣୁ କର୍ତ୍ତବ୍ୟପରାୟଣା ଅପାଠାରୁ ଏମିତି ସମାଜ ବିରୋଧୀ କାମ ଆଶା କରିବା ଦ୍ଵାରା ବାପି ହୁଏତ ବିରାଟ ଭୁଲ କରି ବସୁଛି । କିଛି ସ୍ଥିର କରି ପାରୁନଥିଲା । ବାପି ଶୂନ୍ୟ ଆକାଶର ଜହ୍ନ ତାରାମାନେ ମଧ୍ୟ ତାକୁ ରହସ୍ୟ କରୁଥିଲେ ସେମାନେ ତାକୁ କହୁଥିଲେ—ଆରେ ନିର୍ବୋଧ; ତୁ କଣ ସବୁଦିନେ ଏମିତି ରହିବୁ ? ତୋ ସ୍ତ୍ରୀ ଆସିବ ତୁ ଘରସଂସାର କରିବୁ ତୋ ସ୍ତ୍ରୀତ ଆଉ ଦେବୀ ହୋଇନଥିବ ଯେ ପତିତା ନଣନ୍ଦର ବୋଝ ବହନ କରିବ । ତାରତ ପୁଣିଗୋଟେ ଭିନ୍ନ ଦୃଷ୍ଟିକୋଣ ଥିବ, ତୁ କଣ ଏତିକି ଜାଣୁନା । ପୁଅମାନେ ସ୍ତ୍ରୀ ହାତରେ ଖେଳଣା, ତୁ କଣ ଏକଥା ଜାଣୁ ଯେ ତୋ ସ୍ତ୍ରୀ ଶାନ୍ତ ସରଳ, ହୋଇ ସମାଜର ନୀତି ନିୟମ, ସ୍ଵାମୀର ଆଦେଶ ଗ୍ରହଣ କରି ନେବାକୁ ପ୍ରସ୍ତୁତ ରହିଥିବ ସବୁଦିନ ? ସମାଜ ଚକ୍ଷୁରେ ତୋ ଭଉଣୀ ପତିତା ହବ, ଘରେ ଅଶାନ୍ତର ବହ୍ନି ଜଳିବ ତୁ କଣ ଶାନ୍ତିରେ ବାଟ ଚାଲିବୁ ନା ତୋ ଅପା ଟିକେ ଶାନ୍ତି ପାଇବ ? ସ୍ଵାମୀ ଥିଲେ ଭାରତୀୟ ନାରୀ ଅନ୍ୟତ୍ର ଘର ବସାଇବାକୁ ସକ୍ଷମ ହୋଇପାରିବନି ହୁଏତ ତୁ ଚଳି ଆସିଥିବା ସ୍ଥାନର ପରିବେଶ ସମ୍ବନ୍ଧରେ ତୁ ଯୁକ୍ତି କରିପାରୁ ତେବେ ତୁ ଏତିକି ମଧ୍ୟ ମନେ ରଖିବା ଉଚିତ ଯେ ଲୀନା ମଧ୍ୟ ଅନ୍ୟତ୍ର ବିବାହ କରିପାରିଥାନ୍ତା । ଆମେ ସଂସ୍କୃତି ଭିନ୍ନ ଆମ ମନ ନିହାତି ଦୁର୍ବଳ ନିର୍ବୋଧ ଏତିକି ଜାଣିପାରୁନୁ ? ବାପି ନିଜର ଦୁର୍ବଳ ତାକୁ ଯେମିତି ଶକ୍ତ କରି ନଉଥିଲା ଏବଂ ମସ୍ତିକରେ କହିଥିଲା—ନା, ମନୋଜ ନା ତମର ବଞ୍ଚିରହିବାର ଅଧିକାର ନାହିଁ । ଏ ସୁନ୍ଦର ସୃଷ୍ଟି କୁ କଦାକାର କରୁଥିବା ବ୍ୟକ୍ତିର ବଞ୍ଚିରହିବାର କି ଅଧିକାର ଅଛି ତମକୁ ମୁଁ ମାରିବି ନିଜେ ପୋଛିଦେବି ଭଉଣୀ ମୁଣ୍ଡରୁ ସିନ୍ଦୁର ମାତ୍ର ଏତିକି କହିବା ପରେ ତା ମନ ମସ୍ତିଷ୍କର ଅପୂର୍ବ ଉତ୍ତେଜନକୁ ଦୁର୍ବଳ କରି ତା ସମ୍ମୁଖରେ ଯେମିତି ଠିଆ ହୋଇଥିଲା ତାର ଅପା; ହଁ ସେ ତାରି ଅପା ମୁଣ୍ଡରେ ସିନ୍ଦୁର ନଥିଲା ବା ଦେହରେ କୌଣସି ରଙ୍ଗ ଧଳାରଙ୍ଗର ଶାଢ଼ୀ ତା ଜୀବନର ରଙ୍ଗକୁ ନେଇ ଯାଇଥିବାର ପ୍ରଧାନ ପ୍ରମାଣ ଉନ୍ମୁକ୍ତ ବିପର୍ଯ୍ୟସ୍ତ କେଶରାଶି ଆଖିରୁ ବହିଚାଲିଥିଲା ଅଶ୍ରୁଧାରା ସେ କହୁଥିଲା—ତୁ ଏକଣ କଲୁ ବାପି ତୋ ଅପାକୁ ମାରି ଦେଲୁନି କାହିଁକି ? ଏ ରଙ୍ଗହୀନ ଜୀବନରେ କଣ ଅଛି ତୁ କହିଲୁ ଏ ଅଲକ୍ଷଣା ମୁଁ କାହାକୁ ଆଉ ଦେଖାଇବିରେ” ଦୁଇହାତରେ ମୁଁହକୁ ଘୋଡ଼ାଇଧରି ବାପି କାନ୍ଦି ଉଠୁଥିଲା ମାତ୍ର ଭାବରାଜ୍ୟରେ ହଜି ଯାଇଥିବା ବାପି ଚିତ୍କାର କରି ଉଠିଲା—ନା...ଅପା...ନା ମୁଁ କିଛିବି କରିନି କିଛିବି କରିବିନି ତୁ ମତେ ବିଶ୍ୱାସ କର ଅପା । ମୃତ୍ୟୁର ଯନ୍ତ୍ରଣା ପ୍ରତି ପଦକ୍ଷେପରେ ଅମୃତପରି ତୁ ଉପଭୋଗ କର ମୁଁ କିଛିବି ପ୍ରତିବାଦ କରିବିନି । ଦୁଇ ଆଣ୍ଠୁ ମଧ୍ୟରେ ମୁହଁ ଗୁଞ୍ଜି କାନ୍ଦୁଥିଲା ବାପି ।

 

: ଅଳ୍ପ ଦୂରରେ ବସିଥିବା ସ୍ଵାମୀ ସ୍ତ୍ରୀ ଦୁଇଜଣ ହଠାତ୍ ବାପିର ଚିତ୍କାରଶୁଣି ଚମକି ପଡ଼ିଥିଲେ ସେମାନେ ଅନ୍ୟ କେହି ନଥିଲେ, ଥିଲେ ପ୍ରକାଶ ଓ ଲୀନା । ପ୍ରଥମେ ଭାବିଥିଲେ ପାଗଳଟାଏ ମାତ୍ର ପରେ ସାହସ ସଂଗ୍ରହ କରି ପାଖକୁ ଯାଉଥିଲେ କାରଣ ପାଗଳ କଣ ଏମିତି ଏତେ ସମୟ ସ୍ଥିର ହୋଇ ବସିପାରେ ? କିଛି ବାଟ ଆସିବା ପରେ ଜହ୍ନ ଆଲୁଅରେ ମଧ୍ୟ ବାପିକୁ ଚିହ୍ନିବାରେ ପ୍ରକାଶର କୌଣସି ଅସୁବିଧା ହୋଇନଥିଲା ତା ପିଠିରେ ହାତରଖି ଥରେ ଡାକିଥିଲା ସେ ବାପି ମାତ୍ର ବାପି ଚମକି ପଡ଼ିଥିଲା ସମ୍ମୁଖରେ ପ୍ରକାଶକୁ ଦେଖିତାର ଆଶ୍ଚର୍ଯ୍ୟର ସୀମା ରହିଲାନି—ପ୍ରକାଶ ଭାଇ ତମେ...ଏଠି...ଏମିତି... ରାତିରେ.... ।

 

: ହଁ ବାପି ମୁଁ; କିନ୍ତୁ ଯଦି ତତେ ଠିକ୍ ସେଇ ପ୍ରଶ୍ନକରେ; ତୋ ଆଖିରେ ଲୁହ ଆଉ ତୁ ଏମିତି ହଠାତ୍ କଣ ସବୁ ଚିତ୍କାରକରି କହିଗଲୁ ?

 

: ହୁଁ ହସିଦେଲା ବାପି ମାତ୍ର ତା ଆଖିକୋଣରେ ଲୁହ ଜକ୍ ଜକ୍ କରୁଥିଲା ମନରେ ଗଭୀର ଉଦାସୀରେଖା, ମୁଁ ହାରିଗଲି ପ୍ରକାଶ ଭାଇ କଳ୍ପନା ମୋର ସାକାର ହୋଇପାରିଲା ନାହିଁ...-

 

: ମାନେ ମୁଁ କିଛି ବି ବୁଝିପାରୁନି ବାପି... ।

 

କେମିତି ପାରିବ ? ମୁଁ ତମକୁ କିଛିବି କହିନି । ପ୍ରକାଶ ଭାଇ ମୁଁ ହୁଏତ ପାଗଳ ହୋଇଯିବି । ବୋଉ ମୋର ସେଇ ଚିନ୍ତାରେ ଶର୍ଯ୍ୟାଶାୟୀ ବାପା ନୀରବ ଏବେବି ସେ ପରୀକ୍ଷାର ସମ୍ମୁଖୀନ ହବାକୁ ଉପଦେଶ ଦଉଛନ୍ତି ଆଉ ଅପା ମୋର ସର୍ବଗୁଣସମ୍ପନ୍ନା ହୋଇ ସମାଜରେ ଆଦୃତ ହେଲେବି ସ୍ଵାମୀର ଉପଯୁକ୍ତ ସ୍ତ୍ରୀ ହୋଇପାରିଲାନି । ଅପାର ଦୀର୍ଘ ଚାରିବର୍ଷ ପରିଶ୍ରମ ମଧ୍ୟ ଆଜି ତାଙ୍କ ପାଇଁ କିଛି ନୁହେଁ କହିଲେ ଚଲେ....

 

: ବାଃ ଚମତ୍କାର ଲୋତକ ? କଣ ପୂର୍ବରୁ ତାଙ୍କ ଜୀବନରେ କେହି ଆସିଥିଲେ ନା ଭଦ୍ରଲୋକ ଭୀଷ୍ମଦେବକୁ ହବା ଚାହାନ୍ତି ?

 

: ନା; ତାଙ୍କ କଲେଜ ଜୀବନର ହୁଏତ ତାଙ୍କର କେହି ପ୍ରେମିକା ଥିବେ.... । କଥା ଅବଶ୍ୟ ମୁଁ ଭଲରେ ଜାଣେନା ।

 

: ତାମାନେ ସେ ପ୍ରେମିକାର ନିଶ୍ଚୟ କୌଣସି ଅସତ୍ ଉଦ୍ଦେଶ୍ୟ ଅଛି... ।

 

: ସେ କଥା କିଏ କହିବ ଭାଉଜ କିନ୍ତୁ ମୁଁ କେବଳ ସେ ଝିଅଟାକୁ ଜାଣିବାକୁଚାହେଁ । ମାଜିଷ୍ଟ୍ରେଟ୍ ମନୋଜଦାସ ମୋ ହାତରୁ...... ।

 

: ବାପି ମନୋଜ ଦାସ......ସେ...ସେ ତାର ଭେଣେଇ...

 

ତମେ କଣ ତାଙ୍କୁ ଜାଣକି ଭାଉଜ...... ।

 

: ହଁ ବାପି ଜଣେ ସେ ମୋ, ସାଙ୍ଗରେ ପଢ଼ୁଥିଲେ କିନ୍ତୁ ତାଙ୍କର ସେମିତି ପ୍ରେମକାହାଣୀ କିଛିତ ନଥିଲା...ପିଲାଟାକୁ ସମସ୍ତେ ଭଲପାଉଥିଲେ କେବଳ ତାର ନିରୀହତା ପାଇଁ...... ।

 

: ଭାଉଜ ଅନ୍ୟ ଆଖିରେ ନିରୀହ ଲାଗୁଥିବା ଲୋକ ଗୁଡ଼ିକ ଆଜିକାଲି ବେଶି ଜଟିଳହୋଇ ଯାଉଛନ୍ତି ।

 

: ହୁଏତ ତମ ଧାରଣା ଠିକ୍; ମନକୁ ଖେଳାଇନିଅ ବାପି ହୁଏତ ସେତିକି ନହେଲେ ତମର ମାନସିକ ସ୍ଥିତି ଠିକ୍ ରହିବନି ।” ବାଧ୍ୟ ସନ୍ତାନ ପରି ବାପି ଉଠିଗଲା ପ୍ରକାଶ ବସିଥିଲା ନୀରବରେ ତା ମନ ହୁଏତ ଲୀନାକୁ ସନ୍ଦେହ କରୁନି ଲୀନା ଆଖିର ଲୁହ ତା ଡାଏରୀ ମଧ୍ୟରେ ଲୀନା ଭାଷାକୁ ସେ ପଢ଼ିଛି ଠିକ୍ ତା ଛଡ଼ା ମନୋଜ କଥା ମଧ୍ୟ ଲୀନା ତାକୁ ଲୁଚାଇ ରଖିନି ବାପି ଦୃଷ୍ଟି ଅନ୍ତରାଳକୁ ଚାଲିଯିବା ପରେ ପ୍ରକାଶକୁ ଉଠିବା ପାଇଁ ଅନୁରୋଧ କରିଥିଲା ଲୀନା ମାତ୍ର ଉଠିବା ପୂର୍ବରୁ ସେ ପ୍ରଥମେ ଲୀନାକୁପ୍ରଶ୍ନ କରିଥିଲା—ତମେ ବାପିକୁ ସବୁ କିଛି କହିଦେଲନି କାହିଁକି ଲୀନା...... ।

 

: ତୁମେ ବ୍ୟସ୍ତ ହୁଅନି ପ୍ରକାଶ ମୋ ସହ ଆସ ସବୁ ଦେଖିବ ସବୁ ଜାଣିବ ସବୁର ସମାଧାନ ତମେ ହିଁ କରିଦବ । ବାପି ମୋ ପ୍ରତି ଯେଉଁ ଉପକାର କରିଛି ଯଦି ଆଜି ତା ମନର ଶାନ୍ତି ଆଣିବାରେ ମୁଁ ସାହାଯ୍ୟ କରିପାରିବି ତେବେ ହୁଏତ ମୋ ଜୀବନ କୃତାର୍ଥ ହୋଇଯିବ ।

 

ବାପି ଭାଇ ଯାଇଥିଲା । ଲୀନା ଓ ପ୍ରକାଶ ମଧ୍ୟ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ ସମସ୍ତଙ୍କ ମନ ଥିଲା ଅନେକ ଭାରାକ୍ରାନ୍ତ । ସମସ୍ତେ ନୀରବ ଥିଲେ ସେମାନଙ୍କ କଥାବାର୍ତ୍ତାର କେବଳ ମୂକ ସାକ୍ଷୀ ହୋଇ ପୂର୍ବ ପରି ପଡ଼ି ରହିଥିଲା କାଠଯୋଡ଼ିର ବାଲୁକାଶଯ୍ୟାଟି ଆଉ ସେ ତାଙ୍କ କର୍ମରେ ସଫଳତା ପାଇଁ ଆଶୀର୍ବାଦ ଦଉଥିଲା ତା ମାତୃହୃଦୟ ନେଇ ।

 

ମନୋଜ ମନର ସନ୍ଦେହ ମନକୁ ମନ ଗଢ଼ିଚାଲିଥିଲା । ତାର ବିସ୍ତୃତ କାୟା ଏତେ ଦୂରକୁ ଚାଲିଯାଉଛି ଯେ ତାକୁ ଦେଖିବାର ଶକ୍ତି ମନୁ ହରାଇ ବସୁଛି ଇଚ୍ଛା ହଉଛି ମାମିକୁ କ୍ଷମା ମାଗି ନବାକୁ ଚାହୁଁଥିବା ମନଟା ତାର ଡରିଯାଉଛି କିଛି ଅଘଟଣଘଟି ଯିବାର ଆଶାରଖି ମିତାର ଜନ୍ମଦିନ ଥିଲା ଆଉମାତ୍ର ଦୁଇଦିନ ସେ ଦୁଇଦିନ ମଧ୍ୟରେ କିଛି ଅଘଟଣ ନଘଟିଲେ ସେଦିନ ଯେତେ ଅପମାନ ହେଲେବି ସହିନବ ମନୋଜ ମନର ପ୍ରବଳ ଆଗ୍ରହ ଉତ୍ସାହର ପରିଣତ କଣହବ ସେ ଜାଣେନା, ମାମିକୁ ସେ କ୍ଷମାମାଗି ପାରିବ କି ନାହିଁ ସେକଥା ମଧ୍ୟ ସେ ଜାଣେନା କିନ୍ତୁ ତା ମନର ପ୍ରବଳ ଇଚ୍ଛା ଥରେ ମାମିକୁ ଧରିନେଇ କହନ୍ତା—’’ ମାମି, ମତେ କ୍ଷମା କରିଦିଅ ମାମି ତମେ ମତେ ଦେଖ, ମତେ ଥରେ ବୁଝିବାକୁ ଚେଷ୍ଟାକର । ମୁଁ ତ କେବଳ ତମରି ଦୋଷ ମାମି ତମେ ମୋ ଜୀବନକୁ ପୂର୍ଣ୍ଣତା କରିବାରେ ସାହାଯ୍ୟକର ଏତେ ତ୍ୟାଗ କଲ ଏତିକି କରି ତମ ମହନୀୟତାକୁ ବଡ଼ାଇଦିଅ । କିନ୍ତୁ ଏ ପାରୁନି । ହଠାତ୍ ସେଦିନ ବାପି ସହ ସାକ୍ଷାତ ହେଲା । ପରିବେଶ ଅନୁକୂଳ ନଥିଲା ବାପି ତା ମନରେ ସେଦିନ ଯେଉଁ ଯନ୍ତ୍ରଣା ଦେଇ ଯାଇଛି ସେ ହୁଏତ ଭଉଣୀ ଘରଦିଗକୁ ମୁହଁକରି ଚାହିଁବନି କିନ୍ତୁ ମାମି ସାମ୍ନାରେ ସାହସ ହରାଇଥିବା ମନୋଜ ତ ବର୍ତ୍ତମାନ ଵାପିର ସହଚର୍ଯ୍ୟ ଦରକାର କରୁଛି...... । ହଠାତ୍ ବୋଉଙ୍କ ଡାକରେ ଭାବନା ରାଜ୍ୟରୁ ଚାଲିଆସିଲା ମନୋଜ । ବାପାବୋଉ ବୋଧହୁଏ ବଜାରକୁ ଯାଉଥିଲେ, ବୋଉ ପଚାରୁ ଥିଲେ ମନୁକୁ; କଣ ଆଣିବି ମିତାପାଇଁ..... ।

 

ମତେ କାହିଁକି ପଚାରୁଛ ବୋଉ ମୋର କଣ ଅଛି ।

 

ତୋର ନୁହେଁ କଣ ମୋର, ମୋ ଜିନିଷ ମୁଁ ଆଣି ପାରିଲି ମାମିକୁ ପଚାରିଲି ସେ କହିଦେଲା—ତମଖୁସି, ତାଛଡ଼ା ତା ଭଉଣୀ ପାଇଁ ଆଣିବାକୁ ତ ସେ କହିବନି......,

 

: ତା ମାନେ ମୋ ତରଫରୁ ତୁ ଆଣିବୁ କିଛି ଦରକାରନାହିଁ... ।

 

: ମାନେ ତୁ...ତୁ...ପୁଅକଥାକୁ ସରିବାକୁ ନ ଦେଇ ପ୍ରଶ୍ନ କରୁଥିବା ମା ଥରି ଉଠୁଥିଲେ ।

 

: ଆରେ ବୋଉ ତମରକଣ ହେଲା ମୁଁ ହଁ ମୁଁ ଆଣିବି କିଣିକରି କାଲି ମୁଁ ତ କାମକୁ ଯିବି ନେଇ ଆସିବିନି ସେତେବେଳେ ?

 

: ଓଃ…ଦୀର୍ଘନିଶ୍ୱାସ ଛାଡ଼ି ବାହାରକୁ ଆସୁଥିଲେ ବାସନ୍ତୀ ଦେବୀ । ବାଟଘରେ ଅପେକ୍ଷା କରିଥିବା ମନ୍ମଥବାବୁ ସ୍ତ୍ରୀ ଓ ପୁଅକୁ ଦେଖି ଉଠିବାକୁ ଉଦ୍ୟତହବା ସମୟରେ ସେ ଘର ମଧ୍ୟରେ ପ୍ରବେଶ କରିଥିଲା ବାପି । ନିମନ୍ତ୍ରଣ ନେଇ ଆସିଥିଲା, ସେ ନିମନ୍ତ୍ରଣ ଠାକୁରଘରେ ରଖିବା ପରେ ମନ୍ମଥବାବୁ ବାସନ୍ତୀ ଦେବୀଙ୍କୁ ପ୍ରଣାମ କରି ମନୋଜ ସମ୍ମୁଖରେ ଅଟକି ଯାଇଥିଲା ସେ ତା ଆଖିରେ ଅନେକ କ୍ରୋଧର ଭାଷାଥିଲା, ମାତ୍ର ମନୋଜ ଆଖିର ପବିତ୍ରତା ହସ ବଦଳାଇ ଦେଇଥିଲା କିଛି ଟା କରୁଣତାରେ ସେ ମନୋଜ ହସର ପବିତ୍ରତା ଉପଲବ୍ଧି କରିପାରିନି । ମନୋଜ ଠିକ୍ ଭାବରେ ଉପଲବ୍ଧି କରୁପାରୁଥିଲା ବାପି କ୍ରୋଧଟାକୁ ପ୍ରଥମେ ହାତବଢ଼ାଇ ଥିଲା ସେ । ସମସ୍ତଙ୍କ ଉପସ୍ଥିତିକୁ ହଠାତ୍ ଭୁଲିଯାଇଥିବା ବାପି ସମ୍ବିତ୍ ଫେରି ପାଇଥିଲା ତଦ୍ୱାରା ମୃଭିବତ୍ ସେ ମଧ୍ୟହାତଟି ବଢ଼ାଇଦେଇଥିଲା । ମନ୍ମଥବାବୁ ତାପରେ ଡାକିଥିଲେ ଵାପିକୁ—ବାପି ଏତ ରହିଲା ଭଉଣୀ ଭିଣେଇଙ୍କ ନିମନ୍ତ୍ରଣ ଆଉ ମୋର... ।

 

: ମଉସା ଆପଣ ତ ଆଗେ... ।

 

: ଭାରି ଚାଲାକ୍ ତ ? ଶୁଣୁଛ ବାସନ୍ତୀ ବାପି କଣ କହୁଛି ? ବାପି ମନରେ କୌଣସି ଆନନ୍ଦ ନଥିଲା ବାପାଙ୍କ ଆଦେଶମାନି ନେଇ ସେ ଆସିଛି ସତ ମାତ୍ର ତାର ଆନ୍ତରିକତା ଏତେ ଟିକେବି ନଥିଲା ବାପି ମନର ଶୁଷ୍କତା ହସର ମୂଲ୍ୟ କେହିବି ଉପଲବଧି କରିପାରିଲେନି । ମନ୍ମଥବାବୁ କହୁଥିଲେ—ଏତିକି ମନେରଖି ବାପି ବିଜୁକୁ କହିଦେବୁ ଯେ ମନ୍ମଥ ମଉସା ରାଗିଛନ୍ତି ବିଜୟ ନିଜେ ମୋ ଘରକୁ ନ ଆସିଲେ ମୁଁ ମୋ ନିମନ୍ତ୍ରଣ ଗ୍ରହଣ କରିବିନି ।

 

: ଏମିତି କଣ କହୁଛ ଯେ ? ତାଙ୍କର କେତେକାମ ସେ କାଥା କଣ ତମେ ଜାଣନା ?

 

: ଶଳାଟା ଭାରି କାମ କରୁଛି ଯେ ମୋ ପାଇଁ ତାର ସମୟ ନାହିଁ । ଯେତେବେଳେ ଦେଖ କ୍ଲିନିକରେ । ସେ ତ ଜାଣେ ମୁଁ ମେଡ଼ିକାଲର ଗନ୍ଧ ସହିପାରେନି ବୋଲି ତେଣୁ ଖସିଯାଇଛିନା.....” ବାପି ମନ୍ମଥ ବାବୁଙ୍କ କଥାରେ ସାମାନ୍ୟ ହସି ଦେଇଥିଲା ବାପିକୁ ହସୁଥିବାର ଦେଖି ସେ ପ୍ରଶ୍ନ କରିଥିଲେ—“କଣ ବାପି ମୁଁ ମିଛ କହୁଛି ? ଠିକ୍ ସବୁ କଥା ତାକୁ ଫୋନ୍ କଥା ଚଳିବନି ବୋଲି ମଧ୍ୟ କହିଦେବ ।”

 

: ଆଜ୍ଞା; ଉତ୍ତରରେ କହିଲା ବାପି ।

 

: ଆମେ ଆସୁଛୁ ବାପି, ଭିତରେ ମାମି ଅଛି । ଠାକୁର ଘରେ ବୋଧହୁଏ ଅଛି ।” ବାପି ପିଠିରେ ହାତ ବୁଲେଇ କହିଥିଲେ ବାସନ୍ତୀ ଏବଂ ଚାଲିଗଲେ ସ୍ଵାମୀଙ୍କ ସହିତ ତାଙ୍କୁ ଚାହିଁଥିଲା ବାପି; ଶୂନ୍ୟଦୃଷ୍ଟିରେ । ଗାଡ଼ିଟି ଚାଲିଗଲା ଦୀର୍ଘ ନିଶ୍ଵାସ ଛାଡ଼ି ବାପି ଆଗକୁ ପାଦ ବଢ଼ାଇଥିଲା ତା କାନ୍ଧ ଉପରେ ମନୋଜର ହାତ ସ୍ପର୍ଶ ସେ ଅନୁଭବ କଲା ଧୀରେ ହାତଟାକୁ ଖସାଇ ଦେଇଥିଲା—ପାଟି ତାର ବନ୍ଦ ହୋଇ ରହିପାରିଲାନି—ଏ କାନ୍ଧରେ ସ୍ନେହ ଭରା ପରଶ ରଖିବାର ଅଧିକାର ଆପଣଙ୍କର ନୁହେଁ ମନୋଜ ବାବୁ ଏ ଭୁଲ କାହିଁକି କରୁଛନ୍ତି ?

 

: ମୁଁ ଜୀବନରେ ଗୋଟିଏ ଭୁଲ କରିଛି ବାପି, ଅଧିକ ନୁହେଁ ସେ ଭୁଲ ପାଇଁ ତମ ଅଧିକାର ତମ ସ୍ନେହପରଶ ହଜିଯିବ ସେ କଥା ମୁଁ ଚାହେଁନା....ତାତ୍ସଲ୍ୟର ହସ ହସିଥିଲା ବାପି ତେବେ କଣ ଚାହନ୍ତି ?

 

: ବାପି; Try Understand me, ....Please..... ।

 

ମୁଁ କଣ କରିପାରିବି ମନୋଜ ବାବୁ ମୋର ବୁଝିବାକୁ ଅଧିକ କଣ ଅଛି ? ମୁଁ କଣ ମୁର୍ଖ ହୋଇଛି ?

 

ବାପି; ତମେ ମୁର୍ଖ ହୋଇଥିଲେତ ମୁଁ ତମକୁ କୌଣସି ଅନୁରୋଧ କରିବା ପରିବର୍ତ୍ତେ କିଛି ଉପଦେଶ ଦେଇଥାନ୍ତି...ତା ଛଡ଼ା ତମେ ଏତିକି କଣ ଭୁଲିଯାଉଛ ଯେ ତମଉପରେ ମୋର କିଛି ଅଧିକାର ଅଛି ବୋଲି । ମନୋଜ କଥାରେ ଜୋରରେ ହସି ଉଠିଥିଲା ବାପି ଯେମିତି ସେ କୌଣସି ଉପନ୍ୟାସର ଖଳ ନାୟକ—ଆପଣ ବେଶ କଥା କହିଜାଣନ୍ତି ମନୋଜ ବାବୁ; ସେ କଥା ମୁଁ ଜାଣେ ଅନ୍ୟ ସମ୍ମୁଖରେ ସରଳ ମନୋଜ ଦାସ ତା ନିଜ ଜୀବନର ନାୟକ ନୁହେଁ ଖଳ ନାୟକ ସେ କଥା କଣ ତମେ ଅସ୍ଵୀକାର କରିବ ମୋ ଜୀବନରେ ଯଦି ସମାଜର ଶୃଙ୍ଖଳା ନଥାନ୍ତା ମୋ ଅପା ଯଦି ନାରୀରୂପରେ ଦେବୀହୋଇ ନଥାନ୍ତା ତେବେ...ବାପି ତା ଅଧିକାର ଟା ଠିକ୍ କରିଥାନ୍ତା ଏତିକି ମନେରଖ ବାବୁ । hate you...ଚାଲିଯିବାକୁ ଉଦ୍ୟର ଉତ୍ୟକ୍ତ ବାପି ଯୋରରେ ଧକା୍ ଖାଇଥାଇ ପ୍ରକାଶ ସହ ଠିକ୍ ଅଳ୍ପ ସମୟ ପୂର୍ବରୁ ସେମାନେ ବାପିର କଥା ଶୁଣି ଧକ୍କା୍ କରିଥିଲା, ପ୍ରକାଶ ଚମକି ପଡ଼ିଥିଲା ବାପି—

 

: ପ୍ରକାଶ ଭଲ ତମେ..... ।

 

ହଁ ବାପି ଆମେ; ଚାଲ ଭିତକୁ ଏ ଭଦ୍ରଲୋକ ମାନେ ମନୋଜ ବାବୁଙ୍କ ସହ କାମ ଅଛି ଆମେ ଘରକୁ ଯାଇଥିଲୁ ତମେ ଏଠି ଥିବା ଖବର ପାଇ ଚାଲିଆସିଲୁ ।

 

: ପ୍ରକାଶ ଭାଇ ମୋ ଆଭ୍ୟନ୍ତରୀଣ ବ୍ୟପାରକୁ ସୁଧାରି ନବାର ଶକ୍ତି ମୋର ଅଛି ସେ କଥା ହୁଏତ ତମେ ଭଲରେ ଜାଣ ତେବେ ଏଠି ଏ ପ୍ରକାର ପ୍ରହସନ ।

 

: ତମ ଆଭ୍ୟନ୍ତରିଣ ବ୍ୟାପରଟା ସମାଧାନ କରିବାକୁ ହେଲେ ମୋର କିଛିଟା ଭୁଲ ସୁଧାରିନବା ଦରକାର ବାପି । ତମେ ଦୟାକରି ଉତ୍ୟକ୍ତତାଟା କମାଇଦିଅ ଥରେ ଭାବି ଦେଖ ମୁଁ ଯଦି ତମର ଆଉ ଗୋଟାଏ ଭଉଣୀ ହୋଇଥାନ୍ତି । ଏକଥାତ ସତ ଯେ ମୁଁ ମାମି ହୋଇପାରିବି ବାପିକୁ ଏକର କମ ଟାଣିଆଣି ଚୌକିରେ ବସାଇ ଦେଇଥିଲା ଲୀନା । ଲୀନା ମୁହଁରଭାଷା କଣଥିଲା ସେ କଥା ବାପି ଯଦି ଓ ଠିକରେ ଜାଣିନଥିଲା ତେବେ ତା ମନରେ କରୁଣତା ଉପଲବ୍ଧି କରି ନୀରବରେ ବସି ରହି ଥିଲା ସେ । ପରିବେଶ ମନୋଜ ବେଶ୍ ଠିକରେ ଜାଣି ପାରିଥିଲା । ସ୍ଥାଣୁପରି ଠିଆହୋଇ ଥିବା ବାପି ବସିଯିବା ପରେ ପ୍ରକାଶ ସହ ବନ୍ଧୁତ୍ୱ ଭାବର ଆଦାନପ୍ରଦାନ କରି ନେଇ ହସିଦେଇ କହିଥିଲା—ଲୀନା, କଣ ପୁଣି ତମର ଦରକାର ପଡ଼ିଲା ?

 

: ଦରକାରତ ନିଶ୍ଚୟ ପଡ଼ିଛି ମନୋଜ; କାରଣ ଲୀନା କେବେ ଅଦରକାରୀ କାମରେ ସମୟ ନଷ୍ଟ କରିବାକୁ ଚାହେଁ ନା....ବାପି ପାଖରେ ବସିଗଲା ଲୀନା;

 

: ସେ କଥାତ ସତ;

 

: ହଁ ମନୋଜ ତମେ ଅତୀତକୁ ଥରେ ମାତ୍ର ତମକୁ ଫେରାଇ ନବାକୁ ମୁଁ ଚାହେଁ ।

 

: ମାନେ.... ।

 

: ତମେ ମତେ ସହାୟତା ଦବାକୁ କହିଥିଲ ମନୋଜ ଆଜି ମୋର ତମର ସହାୟତା ଦରକାର ତମେ କିଛି ସାହାଯ୍ୟ କରିପାରିବ ?

 

: ମତେ ତମେ ବହୁତ ଖେଳଇଲ ଲୀନା କିନ୍ତୁ ତମେ ହୁଏତ ଏତିକି ଜାଣନା ଯେଉଁ ମା ମରିଯିବା ଭୟରେ ତମଠାରୁ ମୁକ୍ତି ପାଇବା ପର୍ଯ୍ୟନ୍ତ ବୃଥା ଅପେକ୍ଷା କରି ମୋ ହସିଲା ସଂସାରକୁ କନ୍ଦାଇ ଦେଇଛି । ମାକୁ ଶ୍ମଶାନରେ ଜାଳିଦେବା ପରିବର୍ତ୍ତେ ମୋ ସମ୍ମୁଖରେ ଜଳି ଜଳି ମରିବାର ଦେଖି ପାରୁଥିବା ମନୋଜ ହୁଏତ ସର୍ତ୍ତ ଆଉ ଶପଥ ରଖିବାକୁ ତମକୁ ସହାୟତା ଦେଇପାରେ କିନ୍ତୁ ସେଥିରେ ଆନ୍ତରିକତାର ହୁଏତ ବହୁତ ଅଭାବ ରହିପାରେ..... ।

 

: ସେ କଥା କେମିତି ହବ ମନୋଜ ତମ ଉପରେ ତ ମୋର ଅନେକ ଭରସା ତମେ ହୁଏତ ଅନୁମାନ କରିସାରିବଣି ତମ ସମ୍ମୁଖରେ ଠିଆ ହୋଇଥିବା ଭଦ୍ରଲୋକ ମୋର ସ୍ଵାମୀ, ମନୋଜ ମୁଣ୍ଡ ହଲାଇ ସମ୍ମତି ଜଣାଇଲା, ମୋ ପ୍ରତୀକ୍ଷା ଫଳପ୍ରଦ ହେଲା ମନୋଜ ଉଦ୍‍ଭଟ କକ୍ଷଚ୍ୟୁତ ଗ୍ରହ ପ୍ରକାଶକୁ ବାଟକୁ ଆଣିଛି ବାପି, ଯାହା ସହ ମୋ ଅପେକ୍ଷା ତମର ବହୁତ ଗଭୀର ସମ୍ପର୍କ । ସ୍ଵାମୀ ସହ ମୋର ଦିନେ ପ୍ରେମିକ ହବାର ସ୍ୱପ୍ନ ଭିତରେ ହଜିଯାଇଥିବା ଯୁବକର ପରିଚୟଟା କରିବା ଉଚିତ୍ ମନେ କରି ଆସିବାଦ୍ଵାରା ତମର ସମସ୍ତ କଥାବାର୍ତ୍ତା ଶୁଣିନେଲି ତାସହ ବାପି ମନର ଗଭୀର ଯନ୍ତ୍ରଣାଟା ବି ଜାଣିପାରିଲି । ମନୋଜ ତମେ ଥରେ ମୋର ସହାୟକ ହବବୋଲି କଥା ଦେଇଥିଲ ମାର ଶପଥ ନେଇ କିନ୍ତୁ ଥରେ ସ୍ଥିର ମସ୍ତିଷ୍କରେ ଭାବି ଦେଖିଛ, ସେ ସହାୟତାର ଅର୍ଥ କଣ ? ତମେ କଣ ଏତିକି ଜାଣି ନଥିଲ ଯେ ମୁଁ ବିବାହିତା ବୋଲି.... । ମନୋଜ ହୁଏତ ଏକଥା ସତ ଯେ, ମୁଁ ଦିନେ ତମର ନାୟିକା ଭାବରେ ଅଭିନୟ କରିଥିଲି । କିନ୍ତୁ ଏକଥା କଣ ସମ୍ଭବ ହୋଇପାରେ ଯେ ଜଣଙ୍କୁ ହାତରେ ପିନ୍ଧିଥିବା ସିନ୍ଦୁର ପୋଛି ଦେଇ ମୁଁ କଣ ତମ ହାତରେ ପୁଣି ଥରେ ସିନ୍ଦୁର ପିନ୍ଧିବାକୁ ଅଳି କରିଥାନ୍ତି ? ତମ ବାହାଘର ଖବର ଶୁଣି ମୋ ମନରେ କୌଣସି ପ୍ରତିକ୍ରିୟା ଦେଖିଥିଲ ତମେ ? ତମ ବାହାଘର ଭୋଜିରେ ଯୋଗ ଦେଇ ତମ ସହ ମୁଁ ଭିନ୍ନ ଭାବରେ କୌଣସି କଥାବାର୍ତ୍ତା ତ କରିନି । ଆଖିରୁ ଲୁହ ଢାଳିବା ଦୂରର କଥା ଥିଲା ମନୋଜ, ମୁଁ ତ ହସି କରି ମାମି ଓ ତମର ଉପସ୍ଥିତରେ ଫୁଲ ତୋଡ଼ା ଦେଇ ଭବିଷ୍ୟତର ସୁଖମୟ ଜୀବନ ଆଶା କରିଥିଲି । ଆଉ ଶୀଘ୍ର ନୂଆ ଭୋଜି କଥା କହି ସମସ୍ତଙ୍କୁ ହସାଇଥିଲି । ସବୁ ମୁଁ ଠିକ୍ ମନେ ରଖିଛି ମନୋଜ, କାରଣ ଦିନକ ପାଇଁ ହଉ ପଛେ ତମକୁ ନେଇ ମୁଁ କିଛିଟା ଉଦ୍ଭୟ କଳ୍ପନା କରିଥିଲି । ତମେ କଣ ଏତିକି ଜାଣି ପାରିଲନି ଯେ ଗୋଟେ ପ୍ରେମିକା ଆଉ ମୋ ଭିତରେ କିଛିଟା ପ୍ରଭେଦ ଅଛି ବୋଲି ? ତମେ ସେଦିନ ପିକ୍‍ନିକ୍‍ କଥାରେ ଗୁରୁତ୍ଵ ଦେଇଛ, ତମେ ଜାଣି ପାରିଲନି ସହାୟତାର ମାନେ କଣ । ତମକୁ ଆଜି ହୁଏତ କିଛି କହିବା ଭୁଲ । କିନ୍ତୁ ତମେ ଏତିକି ସବୁ ଦିନ ମନେ ରଖିବ ମନୋଜ, ଗୋଟେ ପୁଅ ଆଉ ଝିଅର ସମ୍ପର୍କ କେବଳ ସ୍ଵାମୀ ସ୍ତ୍ରୀ ବା ପ୍ରେମିକ ପ୍ରେମିକା ମଧ୍ୟରେ ସୀମାବଦ୍ଧ ନୁହେଁ । ହଁ ମନୋଜ ଏ କଥା ସତ ଯେ, ମୁଁ ତମକୁ ସୁନେଲି ସ୍ୱପ୍ନ ମଧ୍ୟକୁ ଟାଣି ନେଇଥିଲି । ଘର କରିବାର ଆଶା ବାନ୍ଧିଥିଲି ସବୁ ଝିଅଙ୍କ ପରି । ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲି । ମାତ୍ର ଜଣଙ୍କର ପରିତ୍ୟକ୍ତା ହବା ପରେ ଅନ୍ୟ ଜଣଙ୍କ ପାଖରେ ପତ୍ନୀର ଅଧିକାର ମାଗିବାଠାରୁ ବଳି ମୁର୍ଖାମୀ ଆଉ ହାସ୍ୟସ୍ପଦ ଘଟଣା ଆଉ କଣ ହୋଇପାରେ ?

 

ସେଦିନ ପିକ୍‍ନିକ୍‍ରୁ ଫେରିବା ପରେ ମୋର ପୁଣି ଥରେ ବୋହୂ ହବାର ଆଶା ଉଜାଗର ହୋଇ ଉଠିଲା । ମୁଣ୍ଡରେ ସିନ୍ଦୁର ଲଗାଇ ଓଢ଼ଣା ଟାଣି ପ୍ରକାଶ ଫଟୋ ସାମ୍ନାରେ କହିଥିଲି ଦେଖ ପ୍ରକାଶ ତମରି ପାଇଁ ତମେ ମୋ ମଥାରେ ଯେଉଁ ସିନ୍ଦୁର ପିନ୍ଧାଇ ଦେଇଥିଲ, ମୁଁ ଆଜି ତାକୁ ଲିଭାଇ ଦେଇଛି ତମ ସାମ୍ନାରେ, ମୁଁ ଅନ୍ୟର ପରିଣିତା ହେବାକୁ ଯାଉଛି । ମାତ୍ର ହଠାତ୍ ମୋ କାନ ପାଖରେ ପ୍ରକାଶର ହସ ଶୁଭି ଯାଉଥିଲା—‘ଜଣେ କାହିଁକି ଲୀନା ତମେ ଅନେକଙ୍କର ପରଣିତା ହୋଇ ପାରିବ । ନାରୀର ଅନ୍ୟ ନାମ ତ ଛଳନାମୟୀ, ଲୀନା ତମେ ସେଥିରୁ ବାଦ୍ ଯା’ନ୍ତ କେମିତି ? ସେ କଥା ପଦକ ମୋ ଦେହରେ ବିଷ ଜ୍ୱାଳା ଭରି ଦେଲା । ସମ୍ମୁଖରେ ପ୍ରକାଶ ଫଟୋଟି ହସୁଥିଲା ମତେ ଚାହିଁ, ଅନେକ କାନ୍ଦିଲି ପ୍ରକାଶ, ଫଟୋକୁ ଚାହିଁ କହିଥିଲି—ତମେ ଭୁଲ ବୁଝିଛ ପ୍ରକାଶ । ନାରୀର ଅନ୍ୟ ନାମ ଛଳନାମୟୀ ନୁହେଁ ତ୍ୟାଗମୟୀ ଓ କରୁଣାମୟୀ ମଧ୍ୟ । ଗୋଟିଏ ରାତି ଶୋଇ କାନ୍ଦି କାନ୍ଦି ମୋ ମନର କଳୁଷତାକୁ ପୋଛି ଦେଇଥିଲି ତମ ପରି ନିର୍ବୋଧ ପିଲାକୁ ଠକାଇ ଦେଇଥିବାରୁ ମନରେ ଅନେକ କଷ୍ଟ ଯନ୍ତ୍ରଣା ଅନୁଭବ କରିଥିଲି । କିନ୍ତୁ ତମ ବାହାଘର ଖବର ପାଇଁ ମୁଁ ଯେତେ ଖୁସି ହୋଇଥିଲି । ସେ କଥା କେବଳ ସର୍ବଶକ୍ତିବାନ୍ ଈଶ୍ଵର ଜାଣନ୍ତି । ଆଜି ମୋ ଜୀବନର ସବୁଠାରୁ ଖୁସିମୟ ଦିନ ମନୋଜ, ତମ ସମ୍ବନ୍ଧରେ ଖବର ପ୍ରାୟ ସନ୍ତୋଷ ଦଉଥିଲା । ମାତ୍ର ସେଥିରେ ମୋର କୋଣସି ଆଗ୍ରହ ନଥିଲା । ତମକୁ ଭଲ ପାଇବାର ମୁଁ ଠିକ୍ ରୂପ ଦେଇପାରୁ ନଥିଲି ମନୋଜ । କିନ୍ତୁ କୁହତ ଗୋଟେ ବିବାହିତା ନାରୀ ଅନ୍ୟ ପୁରୁଷ କଣ ହୋଇପାରେ ? ତମେ ତାର ସଠିକ ଉତ୍ତର ଜାଣନି ମନୋଜ । କିନ୍ତୁ ମୁଁ ତୁମକୁ ଆଜି କେବଳ ଏତିକି କହୁଛି ମୋ ଅନ୍ତରର ଗଭୀର ବିଶ୍ୱାସ ଆଉ ଆଶା ଯେ ତମେ ମତେ ଭୁଲ ବୁଝିବନି ମନୋଜ, ଏ କଥା ନିରାଟ ସତ୍ୟ ଯେ ପିକ୍‍ନିକ୍‍ ଫେରିବା ପରଦିନ ଠାରୁ ତମେ ମୋ ସମ୍ମୁଖରେ ମୋ ସାନ ଭାଇ ବ୍ୟତୀତ ଅନ୍ୟ କିଛି ନୁହେଁ । ତମେ ତ ମୋର ସମସ୍ତ ଇତିହାସ ଜାଣ । ତମେ ମତେ ଆଜି ଛଳନାମୟୀ ଭାବିବା ଅସମ୍ଭବ ନୁହେଁ । କିନ୍ତୁ ସତ କୁହ ମନୋଜ, ମୁଁ ତମର ସହାୟତା ନବାରେ କୌଣସି ଅସତ୍ ଇଙ୍ଗିତ କଣ କେବେ ଦେଇଛି ? ମନୋଜ ତେବେ ବି ନୀରବ ଥିଲା, କଥା ଗୁଡ଼ାକ ନିରାଟ ସତ୍ୟ ଥିଲା । ମାତ୍ର ତାର ବୁଝିବାର ହିଁ ଭୁଲ ରହିଯାଇଥିଲା । ଲୀନାର ଅବସ୍ଥା ଭୀଷଣ ଦୟନୀୟ ହୋଇ ଉଠୁଥିଲା, ଉଠି ଠିଆ ହେଲା ସେ—ମନୁ; ମୋର ଆଉ କାହାର ବି ସହାୟତା ଦରକାର ନାହିଁ । ମୁଁ ମୋ ସହାୟକକୁ ପାଇ ଯାଇଛି । ଚାଲ ପ୍ରକାଶ, ଏଠି ଆଉ ଅଧିକ ସମୟ ଅପେକ୍ଷା କରିବା ଭଲ ନୁହେଁ ।

 

ନିଜେ ତ ସବୁ କହିଗଲ ଲୀନା, କିନ୍ତୁ ମତେ କିଛି କହିବାକୁ ଦେଲନି । ମୋ କଥା ତମର ଶୁଣିବା ଦରକାର । ହୁଏତ ତାପରେ କିଛିଟା ବିଚାର କରାଯାଇପାରେ, ତାଛଡ଼ା ଭଉଣୀ କଣ ଭାଇ ଘରୁ ଏମିତି ଯାଏ ? ଅନ୍ତତଃ ପକ୍ଷେ ବୋଉ ଆସିଯାଉ... ।

 

: ତମେ ଅଧିକ କଣ ଶୁଣାଇବ ମନୋଜ ବାବୁ, ହୁଏତ ଏ କଥା ସତ ଯେ ତମେ ଜଣେ ଆଇ. ଏ. ଏସ୍ ଅଫିସର । କିନ୍ତୁ ଏ କଥା ତ ବେଶ ପ୍ରମାଣ ହେଇଗଲା ଯେ, ଆପଣଙ୍କ ମନଟା ଜନ୍ମ ହେଲା ପରେ ନୂତନ ବର୍ଷରେ ପଦାର୍ପଣ କରିଥିବା ଶିଶୁଟିଏ ଠାରୁ ମଧ୍ୟ ଅଧିକ କୋମଳ । ତମ ଆଖିରେ ତ ଏବେ ବି ବୋଉ ମରିଯିବାର ଭୟ । କିନ୍ତୁ ଏ ସବୁରେ ମୋର ବିଶ୍ୱାସ ନାହିଁ । ଯଦି ମୋ ପାଖରେ ବିଶ୍ୱାସନୀୟ କିଛି ଥାଏ ତେବେ ସେ ହେଲା ଲୀନା.... ।

 

: ଆପଣ ଠିକ କହିଛନ୍ତି ପ୍ରକାଶ ବାବୁ, କିନ୍ତୁ ମୋ ମନରେ ବହୁତ ଛୋଟ ଦିନୁ ଶପଥ ଭାଙ୍ଗି ଦବାର ଗୋଟିଏ ପରେ ଗୋଟିଏ ଘଟଣା ଏମିତି ଭାବରେ କାୟା ବିସ୍ତାରା କରି ଦେଇଛି ସେ କଥା ତ ଆପଣ ଜାଣନ୍ତି ନାହିଁ । କିନ୍ତୁ ଆପଣଙ୍କୁ ଗୋଟିଏ ଘଟଣା ଶୁଣିବାକୁ ପଡ଼ିବ । ସେ ହେଲା, ସନ୍ତୋଷ ମୋ ଆନ୍ତରିକ ବନ୍ଧୁ ଜୀବନର ଏକ ବିରାଟ ଘଟଣା । ସେଦିନ ମୁଁ ଆଉ ସନ୍ତୋଷ ଫିଲ୍ମୀ ଦେଖି ଘରକୁ ଫେରିଲୁ, ଭଉଣୀ ତାର ମୁହଁ ଫୁଲାଇ ବସିଥିଲା । ଭଉଣୀର ରାଣ ପକାଇ ତା ମନରେ ସନ୍ତୋଷ ବିଶ୍ୱାସ ଜନ୍ମାଇ ଦେଇଥିଲା ଯେ ସେ ଫିଲ୍ମୀ ଯାଇନି । ମାତ୍ର ତା ପରେ ପନ୍ଦର ଦିନ ଯାଇନି ସନ୍ତୋଷର ଭଉଣୀ ସନ୍ତୋଷ ଉପରେ ରାଗି ଚାଲିଗଲା.... ।

 

: ଆରେ....କଥାଟା ଅଟକି ଗଲା ପ୍ରକାଶ ପାଟିରେ । ସମାନ୍ୟ ହସିଥିଲା ମନୋଜ—ସେତେବେଳେ ମୁଁ ମାତ୍ର ଚଉଦ ପନ୍ଦର ବର୍ଷର ହୋଇଥିଲି ପ୍ରକାଶ ବାବୁ ତେବେ କୁହନ୍ତୁ ତ ମୋ ମନର ଭୟଟା କଣ ଯଥାର୍ଥ ନଥିଲା ? ହୁଏତ ବୋଉ ମୋର ମରିଯିବ ଦିନେ । କିନ୍ତୁ ବର୍ତ୍ତମାନ ତାର ଯନ୍ତ୍ରଣା ସହ ଅନ୍ୟ ଏକ ନାରୀର ନୀରବ ଅଶ୍ରୁପାତ ହୁଏତ କେବଳ ମୋ ପାଇଁ ଥିଲା । ଅନେକ ସମସ୍ୟାର ସମାଧିତ ହୋଇ ନ ପାରୁଥିବା ଅନେକ ଦ୍ଵନ୍ଦ୍ୱମୟ ପ୍ରଶ୍ନ ମନ ଭିତରେ ରଖି ମୁଁ ଆଜି ସମସ୍ତଙ୍କ ପାଖରେ ହାରି ଯାଇଛି ସତ ମାତ୍ର ମୁକ୍ତି ପାଇଗଲି । ଦୀର୍ଘ ଚାରି ବର୍ଷ ମଧ୍ୟରେ ଯେଉଁ ଘଟଣା ପ୍ରତି ଉଦାସୀନ ରହି ମୁଁ ନିଜକୁ ଭୁଲି ଯିବାକୁ ଚାହିଁଥିଲି । ମାତ୍ର ଚାରିଦିନ ପୂର୍ବରୁ ସେ ଘଟଣା ଗୁଡ଼ିକ ମୋ ମନର ଯନ୍ତ୍ରଣା ଏମିତି ବଢ଼ାଇ ଦେଇଛି ସେ କଥା ହୁଏତ ମୁଁ ନିଜେ ବି ବିଶ୍ୱାସ କରିପାରୁନି ।

 

: ସବୁ ସମୟର ଭୁଲ ମନୋଜ ହଜି ଯାଇଥିବା ଅତୀତର ସ୍ମୃତି ନେଇ ମାମି ମନକୁ ସଜାଇ ପାରିଲେ ତମ ଜୀବନ ସୁଖମୟ ହବ ଅନ୍ୟ କେଉଁଥିରେ ନୁହେଁ । ପ୍ରକାଶ କଥା ସରିଯିବା ପରେ ପରେ ସେ ଘର ମଧ୍ୟକୁ ପ୍ରବେଶ କରିଛି । ରଘୁଆ ହାତରେ କିଛି ଜଳଖିଆ ଧରି । ହସୁଥିବା ମନୋଜକୁ ଦେଖି ସେ ମଧ୍ୟ ଆନନ୍ଦିତ ହୋଇ ଉଠୁଥିଲା । ବାପିକୁ ଦେଖି କହିଲା—ବାବୁ, ତମେ ଆସିଛ ଅଥଚ ଏଠି ବସିଛ ବୋହୂ ମା’ଙ୍କ ପାଖକୁ ଯିବନି ?

 

: ନା ରଘୁଦା ଯିବିନି, ତମ ବୋହୂମା’ଙ୍କ ସହିତ ମୋର କଟି କହିଦବ ତାଙ୍କୁ ବାପି ରାଗିଛି ? ବାପି କଥା ଗୁଡ଼ିକ ଯୋରରେ କହୁଥିଲା । ହସୁଥିଲା ଲୀନା—କଣ ବାପି ଯୋରରେ କହୁଛ ଅପାକୁ ଶୁଭିବ ବୋଲି ? ରଘୁଦା ବୋହୂମାଙ୍କୁ କହିଦିଅ ଆମେ କେହି ପରଲୋକ ଆସିନୁ ଆମକୁ ଟିକେ ଦର୍ଶନ ଦେବେ ।

 

: ବୋହୂ ମା’ ଟିକିଏ ହେଲା ତ ଠାକୁର ଘରକୁ ଗଲେ... ।

 

: ବର୍ତ୍ତମାନ ତ ସାଢ଼େ ଆଠଟା ବାଜିବ, ଠାକୁର ଘରେ କ’ଣ କରୁଥିବ । ସବୁ ଦିନେ ତା ପ୍ରକୃତି ସେମିତି ହୁଏତ ସନ୍ଧ୍ୟାବେଳେ ବସିପାରି ନଥିବ ଠାକୁର ଘରେ । କିନ୍ତୁ ରଘୁଦା ଖେଳ ତ ବିଗିଡ଼ି ଗଲା, ମାନେ ଅପା ମୋ କଥା ଶୁଣିପାରି ନଥିବ । ସତରେ ମନୁ ଭାଇ ତମ ପରି (କ୍ଵାର୍ଡ଼) ଭୀରୁ ପୁରୁଷକୁ ଅପା ବୋଲି ରଖିଛି । ମିତା ପରି ଝିଅଟେ ହୋଇଥିଲେ ଠିକ୍ ହୋଇଥାନ୍ତା ତମକୁ...-

 

: ମୋର ତ ସେ ଭାଗ୍ୟ ବାପି; ତମ ଅପା ମତେ ଏବେବି କ୍ଷମା କରି ଦଉଛନ୍ତି ।

 

: ପ୍ରକାଶ ଭାଇ ଦେଖୁଛ ତ ଭାଗ୍ୟବାନ୍ ବ୍ୟକ୍ତିକୁ ? ଆରେ ପ୍ରକାଶ ଭାଇ ସତ, ପରଦିନ ମିତାର ଜନ୍ମଦିନ, ନିମନ୍ତ୍ରଣ ନେଇ କାଲି ତମ ପାଖକୁ ଯିବି । ସନ୍ଧ୍ୟାବେଳେ ଘରେ ନିଶ୍ଚୟ ଥିବ । ଭାଗ୍ୟବାନ ଲୋକଙ୍କର ଭାଗ୍ୟର କଥା, ମିତା ଜନ୍ମ ଦିନ ଆମେ ଟିକେ ଦେଖି ନବା ।

 

: ବାପି, ମତେ କଣ ନିମନ୍ତ୍ରଣ କରିବ, ଜ୍ଵାଇଁଙ୍କୁ ଆମର ଭଲରେ ନିମନ୍ତ୍ରଣ କରିଥାଅ । ହଁ ସମୟ ବହୁତ ହୋଇଯାଉଛି ମନୋଜ ଡାକିଦିଅ ଟିକେ ଭଉଣୀଙ୍କୁ ଆମ, ହୁଏତ ତମ ଡାକରେ ଭଉଣୀ ଆମର ଟିକେ ଦର୍ଶନ ଦେବେ । ମାମିକୁ ଦେଖିବାକୁ ପ୍ରକାଶ ମନର ଆଗ୍ରହ ଆଉ ମନୋଜ ମନର ଖୁସି ଦେଖି ରଘୁଆ ଚାଲି ଯାଇଥିଲା ସେଠାରୁ । ମାତ୍ର ପ୍ରକାଶ କଥାର ଉତ୍ତରରେ ମନୋଜ କହିଥିଲା—ପ୍ରକାଶ ବାବୁ ଆପଣ ତ କିଛି ବି ଜାଣନ୍ତି ନାହିଁ । ମାମିକୁ ମୁଁ ଡାକିଲେ ହୁଏତ ପରିବେଶ ଗରମ ହୋଇଯିବ ବରଂ ଆପଣ ଭିତରକୁ ଚାଲନ୍ତୁ ଭଉଣୀଙ୍କ ସନ୍ନ୍ୟାସିନୀ ବେଶ ଦେଖି ଆସିବେ । ହୁଏତ ମୁଁ ଏବେ ତାଙ୍କର ଅପରାଧୀ, କିନ୍ତୁ ତା ପୂର୍ବରୁ ଦିନେ ତାଙ୍କରି କମେଣ୍ଟରେ ମୁଁ କ୍ଲାସ କରିପାରି ନଥିଲି । ମନୋଜ କଥା ଶୁଣି ସମସ୍ତେ ଯୋର ହସି ଉଠିଲେ । ମାତ୍ର ହସର ତାଳରେ ତାଳ ଦେଇ ଘର ଭିତରୁ ରଘୁଆ ଚିତ୍କାର କରି ଉଠୁଥିଲା—ବୋହୂମା’...ବୋହୂମା’ ମାତ୍ର କୌଣସି ଉତ୍ତର ନଥିଲା ମାମିର ଅଗତ୍ୟା ଚିତ୍କାର କରି ରଘୁଆ ମନୋଜକୁ ଡାକ ପକାଇଥିଲା । ମାମିକୁ ଦେଖିବାକୁ ଘର ଭିତରକୁ ଯିବା ପାଇଁ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଚମକି ଉଠି ଘର ଭିତରକୁ ପଶି ଯାଇଥିଲେ ଠାକୁର ଘର ବାଟ ମୁହଁରେ ଠିଆ ହୋଇ ଚିତ୍କାର କରୁଥିଲା । ରଘୁଆ ଭିତରକୁ ଯିବା ଯଦିଓ ତା ପାଇଁ ଅପରାଧ ନଥିଲା ତେବେ ସେ ଭିତରେ କଣଟା କରିପାରିଥାନ୍ତା । ଭାଗବତ ଠେକି ଉପରେ ମାମି ମୁଣ୍ଡ ରଖି ପଡ଼ିଥିଲା । ତା ମୁଣ୍ଡଟି ଠାକୁର ଖଟୁଲିରେ ବାଜୁଥିଲା ଏବଂ ଅନ୍ୟ ପାଖରେ ମାମିର ପାଟ ଲୁଗାରେ ନିଆଁ ଲାଗି ଯାଉଥିଲା । ରଘୁଆ ଡାକିବା ସମୟରେ ମାମି ବସିଥିଲା ଓ ନିଆଁଟା ଠିକ୍ ଲାଗିବା ଆରମ୍ଭ କରିଥିଲା । ମାତ୍ର ହଠାତ୍ ରଘୁଆର ଚିତ୍କାର ଶୁଣି ଚେତାଶୂନ୍ୟ ଭାବରେ ପଡ଼ି ଯାଇଥିଲା ମାମି । ରଘୁଆର ଡାକ ଠିକ୍ ଭାବରେ ଜାଣିପାରି ଠାକୁର ଘର ଭିତରକୁ ପଶିଯାଇ ମନୋଜ ମାମିକୁ ଧରି ନେଇଥିଲା ଏବଂ କାନିରେ ନିଆଁ ଲାଗି ଯାଇଥିବା ଲୁଗାଟାକୁ କାଢ଼ି ଦେଇଥିଲା, ବ୍ଲାଉଜରେ ଲାଗିଥିବା ନିଆଁରେ ହାତ ରଖିଥିବା, ମନୋଜ ହାତକୁ ଗୋଟେ ହାତରେ ଧରି ଅନ୍ୟ ହାତରେ ମନୋଜ କାନ୍ଧରୁ ସାଲଟା ଟାଣି ନେଇ ଘୋଡ଼ାଇ ଦେଇ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲା ବାପି । ମାମିର ଚେତାଶୂନ୍ୟ ଶରୀରଟା ଟେକି ନେଇ ବାରଣ୍ଡା ଖଟ ଉପରେ ଶୁଆଇ ଦେଇଥିଲା ମନୋଜ, ଲୀନା ଥରି ଉଠୁଥିଲା ଅସମ୍ଭବ ଭାବରେ । ବାପିର ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇ ଯାଇଥିଲା ଚେତା ଫେରାଇ ଆଣିବା ପାଇଁ, ମନୋଜ ଚାହିଁଥିଲା ମାମିର ମୁହଁକୁ ମନରେ ଅଶେଷ ଯନ୍ତ୍ରଣା ନେଇ, ପ୍ରକାଶ ସାମାନ୍ୟ ହସିଦେଇ ମନୋଜକୁ କହିଥିଲା—ବ୍ୟସ୍ତ ହବନି ମନୋଜ, କିନ୍ତୁ ଏତିକି ମନେ ରଖିବ ତମର ବୁଝାବଣା ଠିକ୍ ଭାବରେ ଫେରି ନ ଆସିବା ପର୍ଯ୍ୟନ୍ତ ଟିକିଏ ଯତ୍ନବାନ୍ ରହିବ, କାରଣ ନାରୀ ମନର ଭାବ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ତୃଷାର୍ତ୍ତ ମନରେ ତାର ଥରେ ବିତୃଷ୍ଣା ଆସିଗଲେ ତାକୁ ବାଟକୁ ଆଣିବା ଭାରି କଷ୍ଟ । ଏଟା ତମ ପାଇଁ ସତର୍କର ଘଣ୍ଟି । ହଁ ବର୍ତ୍ତମାନ ଆମର ଏଠାରେ ରହିବା ବିଶେଷ ଭାବରେ ଅନୁଚିତ-। ଆମେ ଆସୁଛୁ ମତେ କିନ୍ତୁ ଖବର ଜଣାଇବ । ମାମିର ଆଖି ଧୀରେ ଖୋଲିବାକୁ ଆରମ୍ଭ କରିଥିଲା । ତାକୁ ଦେଖି ଲୀନା ଭଗବାନଙ୍କୁ ଅଜସ୍ର ପ୍ରଣାମ ଜଣାଇଥିଲା ଏବଂ ସଙ୍ଗେ ସଙ୍ଗେ ଚାଲିଯିବାଟା ଉଚିତ୍ ମନେ କରି ତାଙ୍କ ଘରୁ ବିଦାୟ ନେଇଥିଲା । ମନୋଜ ତାଙ୍କ ପଛରେ ଚାଲି ଯାଇଥିଲା । ପ୍ରକାଶ ଓ ଲୀନାର ଉପସ୍ଥିତି ମାମି ଜାଣିପାରି ନଥିଲା । ଆଖି ବୁଲାଇ ସେ ପ୍ରଥମେ ଦେଖିଥିଲା ବାପିକୁ ଯେ କି ତା ହାତ ପାପୁଲି ଘଷୁଥିଲା । ମାମିର ଠିକ୍ ମନେ ପଡ଼ିଲା ମନୋଜ ନାମରେ ଚିଠିଟି ଲେଖି ଟେବୁଲ ଉପରେ ରଖି ଦେଇ ସେ ତଳକୁ ଆସିଲା, ରଘୁ ସହ ମିଶି ଜଳଖିଆ ପ୍ରସ୍ତୁତ କରିସାରି ମନୋଜର ବନ୍ଧୁମାନଙ୍କ ପାଇଁ ପଠାଇ ଦେଇଥିଲା, ବାପି ଆସି ଚାଲି ଯାଇଛି ବୋଲି ସେ ଜାଣିଥିଲା । ଏ କଥା ତ ମାମିକୁ ଭଲରେ ଜଣା ଯେ ଜଳଖିଆ ଦେଇ ଟିକିଏ ସମୟ ପରେ ରଘୁ ରୋଷେଇ ଘରକୁ ଯିବ । ସବୁର ପରିବେଶ ଉପରେ ସତର୍କ ପ୍ରହରୀ ରଖି ଚଉଠି ରାତିର ପାଟ ପିନ୍ଧି ମଥାରେ ଭଲରେ ସିନ୍ଦୂର ଲଗାଇ ଠାକୁର ଘରେ ଭାଗବତ ପଢ଼ିବା ଅବସ୍ଥାରେ ଜଳି ମରିଯିବା ପାଇଁ ଜଳନ୍ତା ଦୀପ ଉପରେ ଲୁଗା ପକାଇ ବସିଥିଲା ସେ । ହଠାତ୍ ରଘୁର ପାଟି ଶୁଣି ତା କର୍ମ ସମ୍ବନ୍ଧରେ ଭାବି ଥରି ଉଠିଥିବା ମାମି କିଛି କରିବା ପୂର୍ବରୁ ଚେତା ହରାଇ ପଡ଼ି ଯାଇଥିଲା ଗୋଟିଏ ଅଦ୍ଭୁତ ପରିବେଶ ସୃଷ୍ଟି କରି । ତା ପରର ଘଟଣା ସେ ଜାଣେନା-। ଆଖି ବୁଜି କିଛି ଭାବୁଥିବା ମାମି ବାପିର ଧୀର ଡାକରେ ଆଖି ଖୋଲିଲା । ଆଖିରେ ତାର ଲୁହର ବନ୍ୟା, ବଞ୍ଚିବାର ପ୍ରବଳ ଇଚ୍ଛା ଥିଲେ ବି ସେ ବଞ୍ଚି ପାରୁନି ଆଜି, ମାତ୍ର ମୃତ୍ୟୁ ମଧ୍ୟ ତାକୁ ନିଜର କରି ନବାକୁ ପ୍ରସ୍ତୁତ ନୁହେଁ । ଅପା ଆଖିରୁ ଲୁହ ପୋଛି ଦେଲ ବାପି—ଅପା, ତୁ ମୋ ଉପରେ ରାଗିଛୁ ?

 

: ସେ ଅଧିକାର ମୋର ନାହିଁ......ଧୀର ମନ୍ଥର ସ୍ୱରରେ ମାମି ଉତ୍ତର ଦେଇଥିଲା ।

 

: ଅପା, ତତେ ଚିହ୍ନିବାରେ ହୁଏତ ଅନ୍ୟ କେ ବି ଭୁଲ କରି ପାରେ, ମାତ୍ର ବାପି ନୁହେଁ । ସମସ୍ତଙ୍କ ଉପରେ ଅଭିମାନ କରି ଏମିତି ଭୁଲ ତୁ କରିବାକୁ ଯାଉଥିଲୁ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ମାମି ଆଖିରେ ଲୁହ, ମିତା ଜନ୍ମ ଦିନର ନିମନ୍ତ୍ରଣ ନେଇ ଆସି ଅଟକି ଯାଇଥିଲି ମନୁ ଭାଇଙ୍କ ପାଖରେ । ରାଗରେ ଅନେକ କିଛି କହିଯାଇଥିଲି, ମନୁ ଭାଇ କ୍ଷମା କରି ଦେଇଛନ୍ତି । ଯାହାର କ୍ଷମା ନ କରିବା କଥା ସେ କ୍ଷମା କରି ଦେଉଥିଲା ଅପା କିନ୍ତୁ କ୍ଷମା କରିବା ଲୋକ ଯେ ଏମିତି ରୁଷି ଯିବାକୁ ଚାହୁଁଥିଲା, ସେ କଥା କିଏ ଭାବିପାରିବ କହିଲୁ ? .....ତୁ ଚୁପ ରହନି ଅପା, କିଛି କହ ତୋ ମନର ସବୁ କଷ୍ଟ ପୋଛି ଦବାକୁ ମୁଁ ପ୍ରସ୍ତୁତ ଅଛି । ସାମାନ୍ୟ ହସିଥିଲା ମାମି, ପାଖରେ ଗରମ ଖିର କପ୍‍ଟା ରଖିଥିଲା ରଘୁଆ—ବଞ୍ଚିବାର ସ୍ପୃହା ନାହିଁ ବାପି, ତେବେ କଷ୍ଟ କଣ ଆପେ ପାଉଁଶ ହୋଇ ଯିବନି, ମୋ ପାଇଁ ତୋର ତ କଣ ଆଉ କରିବାର ଅଛି ? ଦୀର୍ଘ ନିଃଶ୍ୱାସ ନେଇ ମାମି କହିଲା—ରାତି ହୁଏତ ନଅଟା ଉପରେ ହବଣି ଘରକୁ ଚାଲିଯା । ବାପା ବ୍ୟସ୍ତ ହଉଥିବେ...... ।

 

: ବିନା ସର୍ତ୍ତରେ ଭାବିଛୁ ମୁଁ ଏଠି ଚାଲିଯିବି ?

 

: ସର୍ତ୍ତ କି ସର୍ତ୍ତ ?

 

: ଏଇ ତୁ ଯେଉଁ ଭୁଲ କରିବାକୁ ଯାଉଥିଲୁ ଆଉ ଯେମିତି ସେ ଭୁଲ ନ କରୁ ? ସେଥିପାଇଁ ଏକ ଶକ୍ତ ରାଜିନାମା... ।

 

: ମୋ କର୍ତ୍ତବ୍ୟ ପାଖରେ କୌଣସି ସର୍ତ୍ତ ରାଜିନାମା ଯେପରି କୌଣସି ମୂଲ୍ୟ ନ ଥାଏ । ଠିକ୍ ସେମିତି ମୋ ଜିଦ୍ ପାଖରେ ମଧ୍ୟ ତାର କୌଣସି ମୂଲ୍ୟ ନ ଥାଏ । ଉଠି ଠିଆ ହେଲା ମାମି, ଉପରେ ପଡ଼ିଥିବା ସାଲଟା ଘୋଡ଼ାଇ ହୋଇଥିଲା । ମନରେ ଜିଦ୍ ନେଇ ଶକ୍ତି ତାର ବଢ଼ି ଯାଇଥିଲା ଅନେକ.... ।

 

: ଅପା, କିନ୍ତୁ ତୁ ବାପିର ଜିଦ୍ ମଧ୍ୟରେ ଭଲରେ ଜାଣୁ, ଯାହାର ଶାନ୍ତି ପାଇଁ ତୋ ଜୀବନର ପ୍ରତିଦାନରେ ତୁ ଯଦି ପୂର୍ଣ୍ଣାହୂତି ଦଉ, ତେବେ ବାପି ତା ରକ୍ତରେ ସ୍ନାନ କରି ଫାସି ଖୁଣ୍ଟରେ ଚଢ଼ିଯିବାକୁ ମଧ୍ୟ ବେଶ ଉଚିତ୍ ମନେ କରିବ । ଅଟକି ପାରିଲାନି ମାମି, ଏକ ଶକ୍ତ ଚାପୁଡ଼ା ମାରିଥିଲା ବାପି ଗାଲରେ—ନିର୍ଲ୍ଲଜ୍ଜ ଚାଲିଯା ମୋ ସାମ୍ନାରୁ, ତୋ ଶିକ୍ଷାର ପରିଚୟ ତ ଦେଇଗଲୁ ତା ସହ ମୋ କଟା ଘାଆରେ ମଧ୍ୟ ଚୂନ ଭରି ଦବାକୁ ପଛାଇଲୁ ନାହିଁ ।

 

: ଅପା ତୋ କଟା ଘା’ର ଯନ୍ତ୍ରଣା ହୁଏତ ତୁ ସହିପାରିବୁ, କିନ୍ତୁ ମୁଁ ନୁହେଁ । ସାମାନ୍ୟ ହସି ଦେଇ ବାପି କହିଲା, ସମ୍ମୁଖରେ ମନୋଜ ଠିଆ ହୋଇଥିଲା । ଅପା ଏତିକି ଯେମିତି ଭୁଲି ନ ଯାଉ ଯେ କଟା ଘା’ରେ ଚୂନ ସହ ଚିନି ଦେଲେ ଘା’ ଶୀଘ୍ର ଭଲ ହୋଇଯାଏ । ମୁଁ ତ ଚୂନ ଦେଇ ଦେଇଛି, ଚିନିଟା ମନୁ ଭାଇ ଦେବେ । ଶୁଭ ରାତ୍ରି ମନୁ ଭାଇ, ମୋ କାମ ସରି ଯାଇଛି । ମନୋଜ ହସୁଥିଲା, ଗାଲ ଆଉଁସି ଆଉଁସି ବାପି ଚାଲି ଯାଉଥିଲା ମନରେ ଅଜସ୍ର ଆନନ୍ଦ ନେଇ । ମନୁ ଠିକ୍ ଉପଲବ୍ଧି କରିପାରିଥିଲା ବାପି ମନର ଆନନ୍ଦଟାକୁ । ଏକ ଦମ୍ ଖୁସିରେ ସିଟି ବଜାଇ ଆନନ୍ଦ ମନରେ ଚାଲି ଯାଉଥିବା ବାପିର ପ୍ରଥମେ ଧକ୍କା ହୋଇଥିଲା ରଘୁଦା’ଙ୍କ ସହିତ ହସି ଦେଇ ଚାଲିଗଲା ସେ । ତା ଆନନ୍ଦର ସୀମା ନଥିଲା ତା ଅନ୍ତରର ଅନେକ ଗୁପ୍ତ ପ୍ରଶ୍ନର ଆଜି ସମାଧାନ ହୋଇଯାଇଛି । ସେ ଆଜି ସଫଳତାର ଉଚ୍ଚ ଶିଖରରେ ପହଞ୍ଚି ଯାଇଛି । ଅତିଶର୍ଯ୍ୟ ଆନନ୍ଦିତ ବାପି ଖୁସି ମନରେ ଗୀତ ଗାଇ ଉଠୁଥିଲେ ମଧ୍ୟ ବେଶ୍‍ ସଜାଗ ଥିଲା । ସେ ଏତିକି ହୁଏତ ବେଶ୍‍ ଭଲରେ ଜାଣେ ଅତିଶୟ ଆନନ୍ଦରେ ଅଧିର ବିଭୋର ହୋଇ ଉଠୁଥିବା ବ୍ୟକ୍ତିଠାରୁ ମୂର୍ଖ ଏ ସୃଷ୍ଟିରେ ଅନ୍ୟ କେହି ନୁହେଁ । ମନୋଜ ପ୍ରତି ତା ମନରେ ଥିବା ଘୃଣା ସ୍ନେହ ଆଦରରେ ବଦଳି ଯାଇଥିଲା । ଏହା ନିଶ୍ଚୟ ସତ୍ୟ ଯେ ଭଉଣୀ ତାର ସୁଖୀ ହବ । ମାମି ମନର ଯନ୍ତ୍ରଣା ଜନିତ ଅଗ୍ନିକୁ ନିର୍ବାପିତ କରିବା ପାଇଁ ମନୋଜର ସରଳ ମନ ନୁହେଁ ତା ଶୀତଳ ସ୍ଵଭାବ ଠିକ୍ ଭାବରେ ସାହାଯ୍ୟ କରିପାରିବ । ସେଦିନ ପିକ୍‍ନିକ୍‍ ଯିବା ପାଇଁ ଏକାଠି ପ୍ରଥମ ଥର ପାଇଁ ଅପା ଓ ଭାଇଙ୍କୁ ଦେଖି ମନରେ ଯେଉଁ ଆନନ୍ଦିତ ହୋଇଥିଲା । ସେମାନଙ୍କ ସେ ଦିନର କଥାବାର୍ତ୍ତା ବେଶ୍‍ ଆନନ୍ଦିତ କରିପାରିଥିଲା ବାପିର ମନକୁ । ଆଜି ହୁଏତ ବାପି କଥାର ସତ୍ୟତା ପ୍ରତିପାଦିତ ହୋଇ ପାରିଛି । ମନୋଜର ଶାନ୍ତ ସରଳ ଅପରିପକ୍ୱ ମନଟା ଠାରୁ ମଧ୍ୟ ଅନେକ କିଛି ଶିକ୍ଷଣୀୟ ଥିଲା ଅନ୍ୟ ମାନଙ୍କ ପାଇଁ । ସବୁ ଆନନ୍ଦ ସବୁ ଖୁସିକୁ ମିତା ଜନ୍ମ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖି ଘରେ ପହଞ୍ଚିଥିଲା ବାପି ।

 

ବାପି ଚାଲିଗଲା ପରେ ଅନେକ ସମୟ ପର୍ଯ୍ୟନ୍ତ କାନ୍ଦିଥିଲା ମାମି । ମନୋଜ ତାକୁ ଲକ୍ଷ କରୁଥିଲା, ସେ କଥା ମଧ୍ୟ ସେ ଭଲରେ ଜାଣେ । ସମସ୍ତଙ୍କ ପ୍ରତି ମାମି ମନରେ ଆଜି ଘୃଣା ବ୍ୟତୀତ ଅନ୍ୟ କିଛି ନୁହେଁ ବିଶେଷତଃ ମନୋଜ—ତା ପରି ସ୍ୱାର୍ଥୀ ପୁରୁଷ ହୁଏତ ଏ ସୃଷ୍ଟିରେ ନଥିବ । କିନ୍ତୁ ତାକୁ ଉଠିବାକୁ ପଡ଼ିବ ତା କର୍ତ୍ତବ୍ୟର ଆହ୍ୱାନ ଅଛି ତା ପାଇଁ ହୁଏତ ମନୋଜ ସବୁ ଜାଣେ । ସେ ସ୍ୱାର୍ଥନ୍ଧ କିନ୍ତୁ ତା ଶାଶୁ ଶ୍ୱଶୁର ତ ନୁହନ୍ତି ଆଉ ଅଳ୍ପ କେତେଦିନ ପାଇଁ ତାଙ୍କ ମନରେ କଷ୍ଟ ଦେବା ଅନୁଚିତ । ମୁହଁ ହାତ ଧୋଇ ଉଠି ଆସିଲା ସେ ସାଧାରଣ ଭାବରେ ମୁଣ୍ଡରେ ସିନ୍ଦୁର ଟିକେ ଲଗାଇ ନେଲା, ବୁଲି ପଡ଼ିବା ସମୟରେ ତା ସମ୍ମୁଖରେ ଥିଲା ମନୋଜ ହାତରେ ପୋଡ଼ା ଶାଢ଼ିଟାର କିଛି ଅଂଶ—

 

: ଏଟା ନିଶ୍ଚୟ ତମ ଚଉଠି ପାଟ, ଏଟାକୁ ପୋଡ଼ି ଦବାର ଅର୍ଥ କଣ ଜାଣ ?

 

: ଅନ୍ୟ ଦିଗରେ ମୁହଁ କରି ଠିଆ ହୋଇଥିଲା ମାମି ନୀରବରେ.... ।

 

: ମୁଁ ତ ଜାଣେ, ତମେ ଏହାର ଉତ୍ତର ଠିକରେ ଜାଣ ବୋଲି କିନ୍ତୁ ଏ କଥା ମଧ୍ୟ ଆଜି ନିଶ୍ଚୟ ଯେ ତମେ ମୋ ପ୍ରଶ୍ନର ଉତ୍ତର ଦବ.... ।

 

: ଉତ୍ତର....ନିଶ୍ଚୟ ମିଳିଯିବ ମନୋଜ ବାବୁ, ମାତ୍ର କେତେ ଘଣ୍ଟା ପରେ..... ।

 

: ମାମି; କେତେ ଘଣ୍ଟା ପ୍ରୟୋଜନ ନାହିଁ । ବର୍ତ୍ତମାନ ମୁଁ ଜାଣିବାକୁ ଚାହେଁ..... ।

 

: କଣ ଜାଣିବାକୁ ଚାହଁ ? ତମେଇ ମତେ କହିଥିଲ ନା ତମଠାରୁ କିଛି ଆଶା ନ ରଖିବା ପାଇଁ ମୋ ଉତ୍ତର ବି ଠିକ୍ ମନେରଖ, ତମଠାରୁ ତ ମୁଁ ଅନେକ ଦିନ ଧରି କିଛି ଆଶା ନରଖି ଚାଲି ପାରିଲି ତମେ କଣ ଏଇ କେତେ ଘଣ୍ଟା ରହିପାରିବିନି ମୋ ଉତ୍ତର ବିନା ?

 

: ମୋ ପ୍ରଶ୍ନର ଏ ସବୁ ଯଥାର୍ଥ ଉତ୍ତର ନୁହେଁ ସେ କଥା ତମେ ଭଲରେ ଜାଣ ଆଉ ତମେ ମୋ ପାଖରେ କୌଣସି ଆଶା ନରଖି ଚାଲୁଥିଲ ସେ କଥା ମଧ୍ୟ ମତେ ଭଲରେ ଜଣା । ତମେ ଏକଥା ମଧ୍ୟ ଜାଣ ଯେ ଚଉଠି ପାଟ ଜାଳି ଦେଲେ ତା ସହ ଯେଉଁ ଅନିଷ୍ଟ ଘଟେ, ତେବେ କେଉଁ ଅଧିକାର ନେଇ ମୁଣ୍ଡରେ ସିନ୍ଦୁର ଲଗାଉଛ ? ମୋର କୌଣସି ଆପତ୍ତି ନାହିଁ ମୁଁ ପୋଛି ଦେଇ ପାରିବି, ସେ ସିନ୍ଦୂର ତମ ମୁଣ୍ଡରୁ....ମନୋଜ ହାତ ବଢ଼ାଇଛି ମାମି ମୁଣ୍ଡ ଦିଗରେ, ମାମି ପଛେଇ ଯାଇଛି ମନୋଜର ଯୁକ୍ତି କଥାବାର୍ତ୍ତା ଭାଙ୍ଗି ହୁଏତ ଆଜି ସମ୍ପୂର୍ଣ୍ଣ ଭାବରେ ନୂତନ ରୂପ ନେଇଛି ମାମି ମନରେ ଭୟ । ମନୋଜ ହସୁଥିଲା—ଭୟ କରିବାର କିଛି ବି ନାହିଁ ମାମି, ତମ ଖୁସିରେ ଆଜି ମୋର ମଧ୍ୟ ଖୁସି... ।

 

: ବେଶ୍‍ ଭଲ କଥା । ତେବେ ମତେ କଳଙ୍କିତ କରିବାର ବୃଥା ଆଶା ରଖନି ଏତିକି କେବଳ ସାରା ଜୀବନ ମନେରଖିବ । ସିନ୍ଦୂର ପୋଛି ଦବାର ଅଭିପ୍ରାୟ ଥିଲେ ମୁଁ ତାର ସୁରକ୍ଷା ପଥ ଖୋଜି ବୁଲି ନଥାନ୍ତି... ।

 

: ମୋ ହାତରେ ଯଦି ତମ ସିନ୍ଦୂର ଲିଭିଯାଏ ସେଥିରେ ତମେ କଳଙ୍କିତ ହବନି... ।

 

: ନା, ତମେ ହବ । ମୋ ସାଙ୍ଗେ କଥାବାର୍ତ୍ତା କରନି କହି ଦଉଛି, ତା ଛଡ଼ା ତମର କି ଅଧିକାର ଅଛି ମୋ ଉପରେ ?

 

: ତମେ ଜାଣନା ? ସଂସାର ତ ଜାଣେ ଆମ ଭିତରେ ବାନ୍ଧି ହୋଇଥିବା ସମ୍ପର୍କ ଉପରେ, ଆଉ ସେ ସମ୍ପର୍କର ଅଧିକାର ତ କାହାକୁ ଅଜଣା ନାହିଁ ?

 

: ଓଃ ତା ମାନେ ତମ ସ୍ୱାମୀର ଅଧିକାର ନେଇ ମୋ ସହ ଯୁକ୍ତି କରୁଛ ? ରହସ୍ୟ କରି କହିଥିଲା ମାମି, ମାତ୍ର ମନୋଜ ବହୁତ ଧୈର୍ଯ୍ୟ ସହକାର ସରଳ ହସ ମୁହଁରେ ନେଇ କହିଥିଲା—କାହିଁକି କିଛି ଭୁଲ ହୋଇଛି କି ? ତମେ ତ କାଲି ବାପି ଆଗରେ..... ।

 

: ଓଃ ତମେ ସେଇ ପଦକ କଥା ପାଇଁ ଏତେ ବଡ଼ ପଦକ୍ଷେପ ନେଇଛ ? କିନ୍ତୁ ଏତିକି ମନେରଖ ମୁଁ ହୁଏତ ସେ କଥାଟା ସେମାନଙ୍କୁ କହିଥିଲି ତମ ପାଇଁ ନୁହେଁ ଆଉ ତମର ଜବାବ ଭିନ୍ନ ତମର ଅଧିକାର ଅନ୍ୟ ଉପରେ ମୋ ଉପରେ ନୁହେଁ । ସେ କଥା ତ ତମେ ଭଲରେ ଜାଣ ଏମିତି ମୂର୍ଖାମି କରିବାର ମାନେ.... ?

 

: ମଣିଷ ଜୀବନରେ କିଛି ଭୁଲ କରେ ସେ ତ ପୁଣି ସଂଶୋଧିତ ହୋଇପାରେ । ମନରେ ବୃଥା ଅଭିମାନ ରଖିଲେ କୌଣସି ଲାଭ ନାହିଁ ମାମି । ତମେ ଥରେ ମୃତ୍ୟୁ ଘାଟରୁ ଫେରି ଆସିଛ । ମୃତ୍ୟୁକୁ ତମେ ଯେତେ ଆମକ୍ରଣ କଲେ ମଧ୍ୟ ତମେ ମରି ପାରିବନି । ମାମିର କାନ୍ଧ ପାଖରେ ମନୋଜର ହାତ ଥିଲା, ଶକ୍ତ ଭାବରେ ସେ ଧରିଥିଲା ତାକୁ । ମାମି ମନର ରାଗ ବଢ଼ି ଚାଲୁଥିଲା ମନୋଜ କଥାରେ, ମାତ୍ର ମନୋଜ ସରଳ ଭାବରେ କହୁଥିଲା—ମତେ ତମେ ଟିକେ ବୁଝିବାକୁ ଚେଷ୍ଟାକର ମାମି ମୋର ସାମାନ୍ୟ ଭୁଲ....ମନୋଜ ହାତକୁ ଟାଣି ଛଡ଼ାଇବାର ବୃଥା ଚେଷ୍ଟା କରୁଥିଲା ମାମି, ମାତ୍ର ତା କ୍ରୋଧ ଅନେକ ଥିଲା । ତା ପାଇଁ ରାଗଟା ଯେମିତି ନୂତନ ଥିଲା, ଦୁର୍ବଳତାର ଶିକାର ହେବା କଣ ତା ପାଇଁ ନୂଆ ନଥିଲା ?

 

: —ତମେ ବେଶ୍ ଅଭିନୟ କରିପାର ସେ କଥା ମୁଁ ଭଲରେ ଜାଣେ । ତମ ଭୁଲଟା ହୁଏତ ସାମାନ୍ୟ ହୋଇପାରେ କିନ୍ତୁ ଏତିକି ମଧ୍ୟ ନିଶ୍ଚିତ ଯେ ସେ ସାମାନ୍ୟ ଭୁଲରେ ବଳିଦାନ ହୋଇଯିବା କୌଣସି ଅପୂର୍ବ ନୁହେଁ । ସ୍ୱାମୀକୁ ସୁଖୀ କରିବା ସ୍ତ୍ରୀର କର୍ତ୍ତବ୍ୟ ତମ ଅଶାନ୍ତିର ସବୁ କାରଣ ମୁଁ ଜାଣି ସାରିଛି ମୋ ମନରେ କୌଣସି କ୍ଷୋଭ ନାହିଁ ସିନ୍ଦୂର ଦାନ ଦବାରେ ମୁଁ ଲୀନାକୁ....-

 

: କଲେଜର କେତୋଟି ଘଟଣା ପାଇ ତମେ ଭୁଲ କରିବାକୁ ଯାଉଛ ମାମି, ମାମି ପାଟିରେ ହାତ ଦେଇଥିଲା ମନୋଜ । ଲୀନା ବିବାହିତା ତା ସ୍ଵାମୀ ସହ ମତେ ମୁକ୍ତି ଦବାକୁ ଆସିଥିଲା ସେ, ତମେ ଯେଉଁ ଭୁଲ କରୁଥିଲ ହୁଏତ ତାରି ପାଇଁ ମତେ ଆଜି ସାହାରା ମିଳିଲା ତମକୁ ଦେଖିବା ପାଇଁ ସେ ଜିଦ୍ କରିବାରୁ ସବୁ ଘଟିଗଲା, ବାପି ସବୁ ଜାଣିଲା ତମ ପୋଡ଼ା ଶାଢ଼ି କାଢ଼ିବା ବେଳେ ଦେଖିଛ ମୋ ହାତ କଣ ହୋଇଛି ? ମନୋଜ ହାତ ଦେଖାଇଲା ମାମି ବୋକା ହୋଇ ସାରିଥିଲା । ଯେମିତି ଆଖିରୁ ତାର ଦୁଇଧାର ଲୁହ ବିନା ବାଧାରେ ଗଡ଼ି ଚାଲିଥିଲା । ତା ମୁହଁକୁ ଚାହିଁଥିଲା—ତମେ ହୁଏତ ମତେ ଅଭିଶାପ ଦବନି କିନ୍ତୁ ତମର ଦୀର୍ଘ ଚାରି ବର୍ଷ ଚାରି ବର୍ଷର ନୀରବ ଅଶ୍ରୁ....ଛାଡ଼ ମୋର ହୁଏତ ଭାଗ୍ୟ ଯେ ତମକୁ ସ୍ତ୍ରୀ ଭାବରେ ପାଇଛି । ଲୁହ ପୋଛି ମାମି ଧୀରେ କହିଥିଲା—ନା ମୋର ହୁଏତ କିଛି ଭୁଲ ରହିଗଲା.. ମାମି ଆଖିର ଲୁହ ନିଜ ହାତରେ ପୋଛି ଦେଇ ମନୋଜ କହିଥିଲା—ବାସ ସମାଚାରକୁ ସମାପ୍ତ କରିଦିଅ । ମରିବାକୁ କେବେ ବି ଚାହିଁବନି ମାମି, ହୁଏତ ତମେ ସେମିତି କିଛି କରିବା ଦ୍ୱାରା ମୋର ବି ଭୁଲ ହୋଇଯିବ । ଅତୀତକୁ ଅତୀତ କରି ଦେଇ କାଲିର ନୂତନ ସୂର୍ଯ୍ୟୋଦୟକୁ ଆମ ଜୀବନ ନୂତନ ଯାତ୍ରା କରିଦବା-। କଣ କହୁଛ ? ମାମି ନୀରବ । ଦୀର୍ଘ ନିଶ୍ୱାସ ନେଇ ମନୋଜ କହିଲା—ଛାଡ଼, ତମେ ଉତ୍ତର ଦବନି କିନ୍ତୁ ମତେ ଖାଇବାକୁ ତ ଦବ । ଭୀଷଣ ଭୋକ କଲାଣି । ନୀରବରେ ଆଗକୁ ପାଦ ବଢ଼ାଇଲା ମାମି । ଦୋଷୀପରି ଅନେକ ସମୟ ଠିଆ ହୋଇ ରହିଲା ସେ ଗଲାବେଳେ ସାମାନ୍ୟ ହସିଲାନି ମଧ୍ୟ ମନୋଜକୁ ଦୁଃଖ ଲାଗିଲା ଅନିଚ୍ଛା ସତ୍ତ୍ୱେ ଟାଣି ଧରିଲା ମାମିର ଲୁଗା କାନିକୁ—ମାମି, ତମକୁ ଅନେକ କିଛି କହିଗଲି ଟିକିଏ ହସିବନି ତମେ ନ ହସିଲେ...ମାନେ...ମନୋଜ କହିପାରୁ ନଥିଲା ମାମିର ଶୁଖିଲା ଆଖି ଦିଟା ଉଜ୍ଜ୍ୱଳ ହୋଇ ଉଠିଲା ବ୍ୟତିବ୍ୟସ୍ତ ମନୋଜ ବସିଗଲା ଚୌକି ଉପରେ, ପଛରେ ମାମି ଠିଆ ହୋଇଗଲା । ମନୋଜର ବିବ୍ରତତା ସେ ବେଶ ଉପଲବ୍ଧ କରିପାରିଛି ହସିବାଟା କଣ ବଡ଼ କଥା ? ଭୋକ ଲାଗିଲାଣି ତ ଖାଇଦବ ଆସ, ବୋଉ ଆସିଲେ ବିରକ୍ତ ହେବେ ।

 

: କଣ ତମକୁ...ମାମି ମୁହଁକୁ ଚାହିଁଥିଲା ମନୋଜ, ସାମାନ୍ୟ ହସି ଦେଇ ମାମି କହିଲା–

 

: ଉହୁଁ ତମକୁ; ବୋଉ ମତେ ତ କେବେ ବି ରାଗି ନାହାନ୍ତି ।

 

ମାମିର ହସ ଟିକକରେ ଅନେକ ସ୍ଵୀକାରୋକ୍ତି ଭରି ରହିଥିଲା । ମନୋଜ ଉଠିଗଲା ମନରେ ଅନେକ ପରିତୃପ୍ତି ନେଇ । ମନ୍ମଥ ବାବୁ ମଧ୍ୟ ଘରକୁ ଫେରି ଆସିଥିଲେ । ରଘୁଠାରୁ ସନ୍ଧ୍ୟା ବେଳର ସମସ୍ତ ଘଟଣା ଶୁଣି ସାରିବା ପରେ ମନରେ ଚିନ୍ତା ନେଇ ସ୍ୱାମୀ ସ୍ତ୍ରୀ ବସିଥିଲେ ହଠାତ୍ ମନୋଜ ଓ ମାମିକୁ ଏକତ୍ରିତ ଆସିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ତଳକୁ ଚାହିଁ ସାମ୍ନାରେ ଆସୁଥିବା ମାମି ହସୁଥିଲା, ନୀରବରେ ତାକୁ ହସି ହସି କିଛି ଶୁଣାଉଥିଲା ମନୋଜ । ଆସ୍ୱସ୍ତି ହୋଇଥିଲେ ସ୍ୱାମୀ ସ୍ତ୍ରୀ କାରଣ ବାହାଘରର ଚାରିବର୍ଷ ପରେ ହୁଏତ ପ୍ରଥମ ଥର ମାମି ଓ ମନୁର ଚାଲି ଚଳଣରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ ସେମାନେ । ବାସନ୍ତୀ ଦେବୀ ତାଙ୍କ ଆରାଧ୍ୟ ଦେବୀଙ୍କୁ ଅଜସ୍ର ପ୍ରଣତି ଜଣାଉଥିଲେ କୃତଜ୍ଞତା ସହକାରେ । ମାତ୍ର ମନ୍ମଥ ବାବୁ ତାଙ୍କ ଭାଗ୍ୟର ଅପୂର୍ବ ଦୃଶ୍ୟକୁ ନିଜର ଅବଚେତନ ମନରେ ଗ୍ରହଣ କରିଥିଲେ । ନାଟକର ଶେଷ ଦୃଶ୍ୟ ଥିଲା ବଡ଼ ଆନନ୍ଦ ଦାୟକ । ସ୍ରଷ୍ଟାର ଖେଳକୁ ହାତରେ ନିୟନ୍ତ୍ରିତ କରିବାକୁ ଚାହିଁଥିଲେ ସେ । ଜ୍ୟୋର୍ତିବିଜ୍ଞାନ ଅଧ୍ୟୟନ ପରେ ମନୋଜକୁ ନଜର ଉପରେ ରଖି ସେ ଚାହିଁଥିଲେ ତାର ଭାଗ୍ୟ ଲିଖନକୁ ପରିବର୍ତ୍ତନ କରିଦବାକୁ କିନ୍ତୁ ପାରିଲେନି । ଵିଧିର ବୈଚିତ୍ର ଖେଳକୁ ପଙ୍ଗୁ ପରି ଦେଖି ନେଉଥିଲେ ସେ । ସ୍ରଷ୍ଟା ହୁଏତ ଆଜି ବିଦ୍ରୁପ କରୁଥିଲେ ମନ୍ମଥ ବାବୁଙ୍କୁ, ମାତ୍ର ମନର ସବୁ ଗର୍ବ ଦମ୍ଭ ଭାଙ୍ଗି ଦେଇ ସ୍ରଷ୍ଟାଙ୍କୁ ପାଦ ଥରେ ପରାଜିତ ସୈନିକ ମନ୍ମଥ ବାବୁ ପ୍ରଣାମ କରିଥିଲେ ବିନମ୍ର ଭାବରେ । ମନୁ ତାଙ୍କର ବଞ୍ଚି ରହିଲା ଘର କରିବା ପାଇଁ, ତାଙ୍କ ଦାମ୍ଭିକ ମନର ଗର୍ବ ଭାଙ୍ଗିଦବା ପାଇଁ ପ୍ରଭୁ ମନୁକୁ ନ ମାରି ବଞ୍ଚାଇ ଦେଇ ମନ୍ମଥ ବାବୁଙ୍କ ପିତୃ ପ୍ରାଣର ଗର୍ବ ଭାଙ୍ଗି ଦେଇ ପାରିଲେ-। ସେ ତ ଆଶା କରି ନଥିଲେ ଯେ ମନୁ ତାଙ୍କର ପୂର୍ବ ଜନ୍ମ ହେବ ବୋଲି । ମନୁର ପୂର୍ବ ଜନ୍ମ ସ୍ରଷ୍ଟାର ଯେ ତାଙ୍କ ପାଇଁ କି ପ୍ରକାର ଆଶୀର୍ବାଦ ସେ କଥା ଆଜି ସେ ଭାବି ପାରୁ ନଥିଲେ ।

 

ମାମି ଓ ମନୁ ଜୀବନର ନୂତନ ସୂର୍ଯ୍ୟୋଦୟ ବେଶ ମଧୁମୟ ଥିଲା । ମନୁ ଉଠାଇଥିଲା ମାମିକୁ, ମାମି ନିଜର ସ୍ଥିତିକୁ ବିଶ୍ୱାସ କରିପାରୁ ନଥିଲା, ବୋକାପରି ନିଜ ଖଟ ଉପରେ ବସି ସେ ମନୋଜକୁ ଚାହିଁ ରହିଥିଲା ଆଉ ମନୋଜ ହସୁଥିଲା । ଦୂର—ଦିଗବଳୟରୁ ରକ୍ତିମ ଆଭାକୁ ବିକଶିତ କରି ଭାନୁ ଉଦିତ ହବା ପୂର୍ବରୁ ପ୍ରଥମେ ତାଙ୍କ ରକ୍ତିମ କିରଣ ମାଧ୍ୟମରେ ଆଶୀର୍ବାଦ କରୁଥିଲେ ମାମି ଓ ମନୁଙ୍କୁ । ତାଙ୍କ ଜୀବନର ସବୁ କାଳିମା ପୋଛି ନେଇଥିଲା ସେଇ ପ୍ରଥମ ସୂର୍ଯ୍ୟୋରଶ୍ମି । ମନୋଜ ମାମି ଦିଗରେ ହାତ ବଢ଼ାଇଥିଲା ମାମି ଉଠିଥିଲା ତା ହାତରୁ ଆଶ୍ରା ନେଇ ମନୋଜ ତାକୁ ହାତ ବଢ଼ାଇ ସୃଷ୍ଟିର ସେଇ ମଧୁମୟ ସୂର୍ଯ୍ୟୋଦୟକୁ ଦେଖାଇଥିଲା । ଆଉ ମାମି ବିଶ୍ୱାସ କରିପାରୁ ନଥିଲା, ତାର ପ୍ରିୟ ଦୃଶ୍ୟ ମନୋଜର ମଧ୍ୟ ଏତେ ପ୍ରିୟ ବୋଲି । କାରଣ ମନୋଜ କହିଥିଲା ଏ ଦୃଶ୍ୟଟା ପ୍ରତି ମୋ ମନରେ ଅନେକ ଦୁର୍ବଳତା ମାମି, କିନ୍ତୁ ଚାରିବର୍ଷ ଧରି ତାକୁ ମଧ୍ୟ ମୁଁ ଛାଡ଼ିଥିଲି, ଠିକ୍ ତମକୁ ଛାଡ଼ିବା ପରି । ମନୋଜ କଥାଟା ଶେଷ ଆଡ଼କୁ ସାମାନ୍ୟ ଉଦାସିଆ ଥିଲା । ତାର କାରଣ ମାମି ଭଲରେ ଜାଣିଥିଲା, ସାମାନ୍ୟ ହସି ଦେଇ ମନୋଜକୁ ଚାହିଁ ସେ ଉତ୍ତର ଦେବାକୁ ବାଧ୍ୟ ହୋଇଥିଲା କାରଣ ମନୋଜ ଆଖିର ଭାଷା ତାକୁ ନୀରବ ରହିବାକୁ ଦେଇ ନ ଥିଲା—ମତେ ବି ଭାରି ଭଲ ଲାଗେ ଏ ଦୃଶ୍ୟଟା ମୁଁ ସବୁଦିନେ ଦେଖୁଥିଲି, ତମ ପାଇଁ ଦେଖି ଦେଇଛି…ମନୋଜ ମାମି ମୁହଁଟାକୁ ନିଜ ଦିଗକୁ ବୁଲାଇ ଦେଇଥିଲା । ମାମି ମୁହଁ ନାଲି ଦିଶୁଥିଲା, ଆଖିରେ ଲାଜର ଛାପ ମଧ୍ୟ ଥିଲା । ହଠାତ୍ ଫୋନ ଘଣ୍ଟି ବାଜି ଉଠିଲା ମନୋଜ ଚମକି ପଡ଼ିଲା । ଫୋନ ବାପି କରିଥିଲା, ତା କଣ୍ଠରେ ରହସ୍ୟ ନଥିଲା, ତା ମନରେ ଅନେକ ଭୟଥିଲା । ଫୋନ୍ ଧରି ମନୋଜ ପ୍ରଶ୍ନ କରୁଥିଲା—ଆରେ ତମେ କିଛି କହୁନ ଯେ ? କିଛି ବିଘ୍ନ ଘଟିନି ତ ?

 

: ଏ ପଟେ ସବୁ ଠିକ୍ ଅଛି ।

 

: ........ ।

 

: ହଁ ଉଠିଲେଣି ଆମେ ତ ସାଙ୍ଗ ହୋଇ ସୁର୍ଯ୍ୟୋଦୟ ଦେଖୁଥିଲୁ ।

 

: ........ ।

 

: ‘ମାଏଁ ଗଡ଼ ବ୍ଳେସ ୟୁ’; କଣ ତମେ କହିଯାଉଛ ମୁଁ କିଛି ବି ବୁଝି ପାରୁନି ? ବାପି ଫୋନ ରଖି ଦେଇଥିଲା ମନୋଜ ବାପିକୁ ଡାକିଥିଲା ଦୁଇଥର ମାତ୍ର, ଠିକ୍ ସେହି ସମୟରେ କବାଟରେ ଯୋରରେ ଠକ୍ ଠକ୍ ଆବାଜ ଶୁଭୁଥିଲା, କବାଟ ଖୋଲିଥିଲା । ସାମ୍ନାରେ ଥିଲା ବାସନ୍ତୀ, ମାମି ମୂକ ପରି ଠିଆ ହୋଇ ଯାଇଥିଲା ବାପି ପଚାରିଥିଲା—କଣ ହେଲା ବୋଉ ?

 

: ମନୁ; ତତେ ମୁଁ କିଛି ବି କହିନି ଆଜି....ଆଜି ମୋର ଗୋଟେ ଅନୁରୋଧ ରଖିବୁ.... ।

 

: ଅନୁରୋଧ କଣ ବୋଉ ? ମତେ କିଛି ଆଦେଶ ଦବା କଣ ତୋ ଅଧିକାର ବାହାରେ-?

 

: ମନୁ.... ।

 

: ହଁ ବୋଉ ତୋ ପୁଅ ବାଟ ଭୁଲି ଯାଇଥିଲା, ବାଟ ଭୁଲା ପଥିକ ବାଟ ଫେରି ପାଇଲା ବେଳକୁ ସମସ୍ତଙ୍କର ଅଭିମାନ ବଢ଼ିଯାଇଛି ତା ଉପରେ କହ ବୋଉ କଣ ଦରକାର ? କେବଳ ପୁଅର ଅଧିକାର ନେଇ..ମା’ ପୁଅଙ୍କ କଥାବାର୍ତ୍ତା ମାମି ଆଖିରେ ଲୁହ ଆଣିଥିଲା । ‘ମନୁ....ବାପାରେ ଆ’ ବର୍ତ୍ତମାନ ଟିକେ ସାଙ୍ଗ ହୋଇ ବିଜୁ ଭାଇଙ୍କ ଘରକୁ ଯିବା ।’ ମାମି ପ୍ରତି ସତର୍କ ଦୃଷ୍ଟି ରଖି କହିଥିଲେ ବାସନ୍ତୀ ଦେବୀ, ମନୁ ଚମକି ପଡ଼ିଲା । କାହିଁକି ବୋଉ କଣ ହେଲା ? ମାମି ନିର୍ଭିକ୍ ମା’ ପୁଅଙ୍କ କଥା—ବାର୍ତ୍ତାରେ ଆଖିରେ ଆସିଥିବା ଲୁହ ତାର ଗଡ଼ି ଯାଉଥିଲା ଦୁଇଧାର ହୋଇ ପରିବେଶ ଆୟତ କରି ନେଇଥିଲେ ବାସନ୍ତୀ ଦେବୀ—ହବ ଆଉ କଣ ଝିଅ ଚିନ୍ତାରେ ରହିଥିବା ଗୋଟେ ମା’ ହୃଦୟ ବୁଝିବାର ଶକ୍ତି ତୋର ଆସିବ କେଉଁଠୁ ? କାଲିଠୁ ମାମି ବୋଉ ଦେହ ଖରାପ.... ।

 

: କାଲିଠୁ ? କାଲି ବାପି ତ ସେ ବିଷୟରେ କିଛି ବି କହିନି ?

 

: ରାତି ୧୧ଟା ବେଳକୁ ହେଲା ଚେତା ନାହିଁ ତ ।

 

: ବୋଉ.... ସତ କହୁଛ ? ବୋଉ.... ବଞ୍ଚିଛି.... ।

 

: ହଁ ମା’ ମୁଁ ତ ସେତିକି ଟିକିଏ ପୂର୍ବରୁ ବାପିଠୁ ଶୁଣିଲି.... ।

 

: ବ୍ୟସ୍ତ ହବାରେ କଣ ଅଛି ମାମି, ଚାଲ ଦେଖି ଆସିବ.... ।

 

: ବାପା ବାହାରିଛନ୍ତି ମନୁ ତତେ ବି ଯିବାକୁ ପଡ଼ିବ.... ।

 

: ବୋଉ ମନୁ ତୋର ଯେ କେତେ ବଦଳିଛି ସେ କଥା କଣ ତୁ ଜାଣି ପାରୁନୁ ? ମନର କଥା ଶୁଣି ଆନନ୍ଦରେ ହବାର ବା ଆଶ୍ଚର୍ଯ୍ୟ ହବାର ଅବସର ନଥିଲା । ଠିକ୍ ସେଇ ସମୟରେ ଚାରୋଟି ବିବ୍ରତ ମନକୁ ନେଇ ମନ୍ମଥ ବାବୁଙ୍କ ଗାଡ଼ି ବିଜୟ ବାବୁଙ୍କ ଘର ଦିଗରେ ଆଗେଇ ଚାଲିଥିଲା ।

 

ଚେତା ଶୂନ୍ୟ ସ୍ତ୍ରୀ ପାଖରେ ଯନ୍ତ୍ରପାତି ଧରି ବସି ରହିଥିବା ଡାକ୍ତର ବିଜୟ ଆଜି ଠିକ୍ ବୁଝି ପାରିଛନ୍ତି ଅଧିକ ସମୟ ତାଙ୍କୁ ବିବ୍ରତତା ମଧ୍ୟରେ ରଖିବା ଉଚିତ ନୁହେଁ । ମନର ଅଭିମାନ ଭାଙ୍ଗି ଝିଅ ଜ୍ୱାଇଁଙ୍କୁ ସାଙ୍ଗରେ ନେଇ କରି ଆସିବାକୁ ଅନୁରୋଧ କରିଥିଲେ ସେ । ଝିଅ ଜ୍ୱାଇଁଙ୍କ ସମ୍ପର୍କର ଉନ୍ନତି ସମ୍ବନ୍ଧରେ ସ୍ତ୍ରୀଙ୍କୁ ଜଣାଇଥିଲେ ବିଜୟ ବାବୁ, ମାତ୍ର ତାଙ୍କ ଚିନ୍ତାର ବିରତି ନଥିଲା । ହଠାତ୍ ରାତି ଅଧରେ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରି ପଡ଼ି ରହିଲେ ସେ । ହୃଦରୋଗ ବିଶେଷଜ୍ଞ ଡାକ୍ତର ବିଜୟ ହାତରୁ ତ ସହଜରେ ତାଙ୍କର ମୁକ୍ତି ନଥିଲା । କିନ୍ତୁ ଡାକ୍ତର ବାବୁଙ୍କ ଅଭିମାନ ଭାଙ୍ଗିଗଲା ସେ ପଣ କରିଥିଲେ ବନ୍ଧୁଙ୍କୁ ଝିଅ ଜ୍ଵାଇଁଙ୍କୁ ଆଣିବାକୁ କହିବେନି ବୋଲି । ଶର୍ଯ୍ୟାଶାୟୀ ପତ୍ନୀକୁ ଝିଅ ପାଖକୁ ନବା ଆଜି ସମ୍ଭବ ନୁହେଁ, କାଲି ପର୍ଯ୍ୟନ୍ତ ଅପେକ୍ଷା କରିବା ମଧ୍ୟ ତାଙ୍କ ପାଖରୁ ଅନୁକୂଳ ସାମାନ୍ୟ ଅଭିମାନ ନେଇ ଯୋଡ଼ି ହୋଇ ଯାଉଥିବା ସଂସାରକୁ ଭାଙ୍ଗିଦବା ଦ୍ଵାରା ସେ ହୁଏତ ଅଧିକ କ୍ଷତିଗ୍ରସ୍ତ ହେବେ ସେ କଥା ବେଶ ଭଲ ଭାବରେ ଉପଲବ୍ଧି କରିପାରୁ ଥିଲେ ବିଜୟ ବାବୁ । ହୁଏତ ଆଉ ଅଳ୍ପ ସମୟ ପରେ ସ୍ତ୍ରୀଙ୍କର ଚେତା ଫେରି ଆସିବ । ମନର ଭୟ ତାଙ୍କୁ ଗ୍ରାସ କରୁଥିଲା—‘ଯଦି ମନ୍ମଥ ଆଜି ପିଲାଙ୍କୁ ନେଇ ନ ଆସେ ।’ ଠିକ୍ ସେହି ସମୟରେ ବାପି ସହ ଘର ଭିତରେ ପ୍ରବେଶ କରିଥିଲେ ସମସ୍ତେ । ମନୋଜ ଶ୍ଵଶୁରଙ୍କୁ ପ୍ରଣାମ କରିଥିଲା । କିନ୍ତୁ ମାମି ତା ବଡ଼ ବଡ଼ ଆଖିରେ ମା’କୁ ଅନାଇଥିଲା ଆଖିରୁ ଧାର ଗଡ଼ି ଚାଲିଥିଲା ଲୁହଧାର, ନିଜକୁ ଆୟତ କରିପାରି ନଥିଲା ସେ । ମା’ର ପାଦ ଉପରେ ମଥା ରଖି କାନ୍ଦିବା ପୂର୍ବରୁ ସେ ଥରେ ମାତ୍ର ଡାକିଥିଲା—‘ବୋଉଲୋ’ ତା କୋହ ଥିଲା ଅନେକ । ତାକୁ ଏମିତି ଭାବରେ ମା’କୁ ଧରି କାନ୍ଦିବା ହୁଏତ ତାର ବାପ ବି ପ୍ରଥମ ଥର ପାଇଁ ଦେଖିଥିଲେ । ବାହା ହୋଇ ଶାଶୁ ଘରକୁ ଗଲା ଦିନ ବି ମାମି ଏତେ କାନ୍ଦି ନଥିଲା । ବିଜୟ ବାବୁଙ୍କ ଧାରଣା ଆଜି ଭୁଲ ହୋଇଗଲା । ବାପ ଓ ମା’ ଯେ ଯାହାର ସ୍ଥାନରେ ଶ୍ରେଷ୍ଠ ମାତ୍ର ସେ ତ ଭାବିଥିଲେ ପିଲାଙ୍କ ପ୍ରତି ଉଦାସୀ ସ୍ତ୍ରୀ ସୁଲେଖାର କୌଣସି ଛାୟା ନଥିଲା । କିଛି ନ କଲେ ବି ସେ ତ ପିଲାଙ୍କର ମା’, ସେ କଥା ହୁଏତ ଭାବି ନବାର ଥିଲା । ତାଙ୍କର ମାମି ଆଖିର ଲୁହ ତାଙ୍କ ପିତୃ ହୃଦୟର ତନ୍ତ୍ରୀକୁ ଛିନ୍ନ ବିଚ୍ଛିନ୍ନ କରି ଦେଉଥିଲା । ସେ ବାପାଥିଲେ, ପିଲାଙ୍କର ମନରେ ଥିବା ହୃଦରୋଗୀ ମା ପ୍ରତି ଅଶେଷ ମମତାକୁ ସେ ମାରି ଦେଇ ନଥିଲେ ବରଂ ବାପ ହିସାବରେ ଅଧିକ ମମତା ଦେଇ ମା’ର ମମତାକୁ ତାଙ୍କ ମନରୁ କମ କରିଦବାକୁ ଚାହୁଁଥିଲେ ସେ । କାରଣ ପିଲାଙ୍କ ପ୍ରତି ଅଶେଷ ମମତା ରହିଲେ ହୁଏତ ତାଙ୍କ ଭଲ ମନ୍ଦରେ ସୁଲେଖା ଦେବୀ ତାଙ୍କୁ ଆଉ ତାଙ୍କ ସଂସାରକୁ ଭସାଇ ଦେଇ ଚାଲିଯିବେ । ସମସ୍ତେ ମୁହଁ ତଳକୁ କରି ବସିଥିଲେ ମାମିକୁ ବୁଝାଇବାର ଶକ୍ତି କାହାର ନଥିଲେ ମନୋଜ ଧୀରେ ଆଗକୁ ଆସିଥିଲା ମାମି କାନ୍ଧରେ ହାତ ରଖିଥିଲା, ଗୋଟିଏ ହାତରେ ଯୋଗ ଦେଇ ମାମିକୁ ମୁଣ୍ଡ ଉଠାଇବାକୁ ବିବ୍ରତ କରି ଦେଇଥିଲା, କାରଣ ସେ ଚାପା ସ୍ଵରରେ ଦୁଇଥର ଡାକିଥିଲା । ତମେ କଣ ଏତେ ବିବ୍ରତ ହୋଇଯାଉଛ ମାମି, ବାପା ବି କାନ୍ଦୁଛନ୍ତି । ମାମି ଚମକି ଚାହିଁଥିଲା ସତରେ ବିଜୟ ବାବୁ କାନ୍ଦୁଥିଲେ । ସକାଳର ଧୀର ପବନରେ ଚେତା ଫେରି ପାଇଥିଲେ ସୁଲେଖା ଦେବୀ-। ପ୍ରଥମେ ତାଙ୍କର ଦୃଷ୍ଟି ପଡ଼ିଥିଲା ମାମି ଓ ମନୁ ଉପରେ ଲୁଗା କାନିରେ ଲୁହ ପୋଛୁଥିଲା ମାମି । ମନୋଜ ପ୍ରଥମେ ଦେଖୁଥିଲା ଚେତା ଫେରି ଆସିଥିବା ସୁଲେଖା ଦେବୀଙ୍କ ମୁହଁକୁ, ମାମି ମୁଣ୍ଡକୁ ହଲେଇ ଦେଇ ସେ କହିଥିଲା—ହେଇ ଦେଖ ବୋଉଙ୍କର ଚେତା ଆସିଲାଣି । ମନୋଜ କଥାରେ ସମସ୍ତେ ସ୍ତମ୍ଭିତ ଫେରି ପାଇଲେ, ହାତ ବଢ଼ାଇଥିଲେ ମାମି ଦିଗରେ, ମା’ ପାଖକୁ ଆସି ମାମି ବସିଗଲା ଝିଅ ଆଖିରୁ ଲୁହ ପୋଛି ଦେଇ ହସୁଥିଲେ ସେ । ସମ୍ମୁଖରେ ମନୋଜ ଠିଆ ହୋଇଗଲା-। ସମ୍ପୂର୍ଣ୍ଣ ଜ୍ଞାନ ଫେରି ଆସିଥିଲା ତାଙ୍କର କ୍ରମଶଃ ସବୁକଥା ମନେ ପଡ଼ୁଥିଲା ତାଙ୍କ ପାଖରେ ବିଜୟ ବାବୁ ବସିଥିଲେ । ଧିରେ ମିତାକୁ ଡାକିଥିଲେ ସେ ଓ ମନୋଜ କଥା ବୁଝିବାକୁ କହିଥିଲେ । ପ୍ରାୟ ଦୁଇ ତିନି ଘଣ୍ଟା ପରେ ସେ ଭଲରେ କଥାବାର୍ତ୍ତା କରିଥିଲେ । ସମସ୍ତଙ୍କ ଚିନ୍ତା ଦୂର ହୋଇ ଯାଇଥିଲା, ମା’ ପାଖରେ ଥିଲା ମାମି ପାଖରେ ସ୍ୱାମୀ ଓ ଶାଶୁଥିଲେ, ମାମି ଗୁଣର ଅନେକ ପ୍ରଶଂସା କରି ଚାଲିଥିଲେ । ବାସନ୍ତୀ ଦେବୀ ଆଉ ସୁଲେଖା ଦେବୀ ହସୁଥିଲେ । ସର୍ବଗୁଣ ସମ୍ପର୍ଣ୍ଣା ଝିଅର ମା’ ହିସାବରେ ତାଙ୍କ ମନରେ ଅନେକ ଗର୍ବ, ମାତ୍ର ମନୋଜ ମାମି ସହ ଦୃଷ୍ଟି ମିଳନରେ ତାକୁ ଠାରି କିଛି କହୁଥିଲା ସ୍ୱାମୀର ଭାଷା ବୁଝି ଦାନ୍ତ ଚିପି ହସୁଥିଲା ମାମି, ହଠାତ୍ ମିତା ସେ ଘର ଭିତରକୁ ଆସି ଚମକାଇ ଦେଇଥିଲା ସମସ୍ତଙ୍କୁ ମନୋଜର ଚୋରି ଧରା ପଡ଼ିଗଲା । ମନୋଜ ମୁହଁ ତଳକୁ କରି ନେଇଥିଲା, କାରଣ ସେ ଭଲରେ ଜାଣେ ମିତା ମୁହଁରେ ଲଗାମ ନାହିଁ । ସତରେ ଭାଇ ତମେ ଏତେ ଡରୁଆ ଜାଣିଥିଲେ ଅପା ବାହାଘର ଜମାରୁ କରାଇ ଦେଇ ନଥାନ୍ତି ।

 

: ତେବେ କଣ ତମେ ଯାଇଥାନ୍ତ ଅପା ବଦଳରେ ?

 

: ମନୁ ଭାଇ ସେ ଯାଇଥିଲେ ତମେ ତ ସାବାଡ଼ ହୋଇ ଯାଇଥାନ୍ତ ।

 

: ସାଙ୍ଗ ହୋଇ ସମସ୍ତେ ହୋଇଥାନ୍ତେ ନା...ମନୋଜ କଥା ଶେଷକୁ ଭୟ ରହିଗଲା ସେ କଥା ବୁଝିବାକୁ ମାମି ଓ ବାପି ପକ୍ଷରେ ଅସୁବିଧା ହୋଇ ନଥିଲା । ମାତ୍ର ବୁବୁ ଓ ମିତା ବୁଝି ପାରି ନଥିଲେ । କଥା ନ ବଢ଼ାଇ ବାପି କହିଥିଲା ।

 

: ଭାଇ; ତମର ଆଜି ଅଫିସରେ ଜଏନ୍ କରିବାର ଥିଲା ।

 

: ହଁ, କିନ୍ତୁ ମିତା ମତେ ଛାଡ଼ୁ ନାହାନ୍ତି ପରା ।

 

: କିଲୋ ମିତୁ ଅପାର ଦାନା ପାଣି ବୁଡ଼ାଇବୁ ଦେଖୁଛି... ।

 

: ବାଃ ଯେଉଁ ଲୋକ ତ ଡରୁଆ ନମ୍ବର ୱାନ୍ ତାଙ୍କ ପାଇଁ ମୁଁ ଜାଗର ଜାଳି ବସିବି କହୁନ.... ।

 

: ମିତୁ......ସୁଲେଖା ଦେବୀ ଡାକିଥିଲେ ।

 

: ଆଚ୍ଛା ବୋଉ ତୁ ମଝିରେ କାହିଁକି ଶାସନ କରୁଛୁ କହିଲୁ ? ସତ କହୁଛି ଏମିତି ଯଦି ଆଉ ଗୋଟାଏ ଜ୍ଵାଇଁ କରୁନା.....ଛାଡ଼ । ଅପା କଣ କହୁଛୁ ଭାଇ ଯିବେ ?

 

: ମୁଁ କଣ ଜାଣେ ?

 

: ନା, ମୁଁ କେବଳ ସବୁ ଜାଣେ...... ।

 

: କଣ ହେଲା ? ବିଜୟ ବାବୁ ପ୍ରବେଶ କଲେ ସନ୍ତୋଷ ଓ ବନ୍ଧୁ ସହ ।

 

: ଏଇ ମନୁ ଭାଇଙ୍କର ଅଫିସ ଯିବା କଥା...... ମିତା ଉତ୍ତର ଦେଇଥିଲା ।

 

: ମନୁ ଭାଇଙ୍କୁ ତମର ଏ ପରିବେଶ ଭଲ ଲାଗୁ ନଥିବ ମା’ ତାଙ୍କର ଇଚ୍ଛା ଉପରେ ନିର୍ଭର କରେ ସବୁ । ମନ୍ମଥ ବାବୁଙ୍କ କଥା ବଡ଼ କଟୁକର ଥିଲା ମନୋଜ ନୀରବରେ ଚାହିଁଥିଲା ଵାପକୁ, ବାପି ମଝିରେ କହିଥିଲା ତାଙ୍କର ଇଚ୍ଛା କଣ ମଉସା କାମ ଉପର କଥା ମୁଁ ତାଙ୍କୁ ପଚାରୁଥିଲି ।

 

: ସେ ଚାଲିଯିବା ଭଲ, ଏତେ ଦିନ ପରେ କାମକୁ ଯିବ ତ । ତା ଛଡ଼ା ସେ ତ ଡାକ୍ତର ନୁହେଁ । ହସି ଦେଲେ ବିଜୟ ବାବୁ, କଣ କହୁଛ ସୁଲେଖା, ମାମି ଯିବ ମନୁ ସାଙ୍ଗରେ ?

 

: ହଁ ଯାଉ; ବାସନ୍ତୀ ତ ମୋ ପାଖରେ ଟିକେ ରହିବେ ସେ କଣ କରିବ ? ମାମି ବୋଉକୁ ଚାହୁଁଥିଲା, ବାସନ୍ତୀ ଦେବୀ ବୁଝି ପାରିଥିଲେ ତା ଚାହାଣୀର ଅର୍ଥ—ମାମି ଥାଉ, ରଘୁ ତ ଘରେ ଅଛି ।

 

: ସେ ମୋ ସେବା କରିବା କଣ ଦରକାର ବାସନ୍ତୀ, ତମେ ତ ମୋ ରୋଗର କାରଣ ଜାଣ । ହସି ଦେଇ ଝିଅକୁ କହିଥିଲେ, ‘ପରେ ଆସିବୁ ମା’ ଯା’ । ମାମି ଉଠିଗଲା ମନୁ ମଧ୍ୟ ସନ୍ତୋଷ ହାତ ଧରି ଟାଣି ଆଣିଥିଲା ମନୋଜ ବାପି ବୁବୁ ଓ ମିତା ମଧ୍ୟ ଆସିଥିଲେ ଭାରି । ସେମାନେ ଚାଲିଗଲା ପରେ ବିଜୟ ବାବୁ କହିଥିଲେ—ବୁଝିଲୁ ମନ୍ମଥ ବାହାରେ ସମସ୍ତେ କହନ୍ତି ମନୋଜ ଦାସ ଗୋଟେ ଗୁଡ୍ ଆଡ଼ମିନିଷ୍ଟ୍ରେଟର୍ କିନ୍ତୁ ଘରେ ତୁ ତାର ସବୁ ରେକର୍ଡ଼ ଭାଙ୍ଗି ଦଉଛୁ ।

 

: ତେବେ ବିରାଟ ରେକର୍ଡ଼ ରହିଗଲା ବିଜୁ କେବଳ ମୋ ଆତ୍ମ ଅଭିମାନ ପାଇଁ । ଗଲା ଚାରି ବର୍ଷରେ ଘଟି ଯାଇଥିବା ଘଟଣା....

 

: ଧେତ୍ ଛାଡ଼ିଲୁ ସେ କଥା ।

 

: ଧେତ୍; ଛାଡ଼ିଲୁ ସେ କଥା ଖାଲି ଏତିକି କହ ତୁ ରାଗିଛୁ କି ନାହିଁ ?

 

: ସେ ତ ମିଛୁଆଙ୍କ ଗୁରୁ ସେ କଣ ପୁଣି ରହିବେ ? ସନ୍ତୋଷଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରକୁ ପ୍ରଶ୍ନରେ ଦେଇଥିଲା ମିତା । ସମସ୍ତେ ହସିଥିଲେ—

 

ମନୁ; ଲୀନା କାଲି ମୋ ପାଖକୁ ଯାଇଥିଲା ଆଉ ମୁଁ ଜାଣିଥିଲି ତୁ ନିଶ୍ଚୟ ମୋ ପାଖକୁ ଫେରି ଆସିବୁ ବୋଲି...ଦୁଇ ବନ୍ଧୁଙ୍କ ମନରେ ଅନେକ ଆବେଗ ମନୁ ହସି ଦେଇ କହିଥିଲା—ଏ ଘରେ ପ୍ରଥମେ ପାଦ ଦେଇଥିଲି ତୋ ସାହାରାରେ, ପରେ ଆସିଥିଲି ତୋ ସାଙ୍ଗରେ, କିନ୍ତୁ ତୃତୀୟ ଥର ଏଠି ତତେ ଭେଟିଲି, କିନ୍ତୁ ଭାବୁଛି ପ୍ରଥମ ଥର ମାମି ଜନ୍ମ ଦିନରେ ତୋ ସାଙ୍ଗେ ଆସି ମାମିର ଓ ମୋର ନିର୍ବନ୍ଧ କଥା ଶୁଣିଲି କାଲି ମିତା ଜନ୍ମ ଦିନରେ ଯଦି ଟିକେ ସାଥିରେ ଆସନ୍ତୁ ତେବେ ହୁଏତ ମିତା ମନୋଜ ଘଟଣାଟା...କଣ ମିତା ? ସମସ୍ତେ ହସୁଥିଲେ, ମାତ୍ର ମିତାର ରାଗ ପଞ୍ଚମରେ ଥିଲା । ତଥାପି ହାରି ନଯାଇ ସେ କହିଥିଲା—ନୁହେଁ କାହିଁକି ମନୁ ଭାଇ ମିତା×ମନୋଜ= ମାଡ଼ ମନୋଜ ପିଠିରେ ମିତା ଦୁମ୍ କରି ଗୋଟେ ବିଧା ବସାଇଥିଲା । ମିତାର ପିଲାଳିଆମିରେ ସମସ୍ତେ ହସୁଥିଲେ । ସମସ୍ତଙ୍କ ଠାରୁ ବିଦାୟ ନେଇ ମନୁ ମାମି ସହ ଗାଡ଼ିରେ ବସିଥିଲା । ମନୋଜ ଗାଡ଼ି ଷ୍ଟାଟ୍ କଲା । କିଛି ସମୟ ପରେ ଗାଡ଼ିଟି ଦୃଷ୍ଟି ଅନ୍ତରାଳକୁ ଚାଲି ଯାଇଥିଲା ବାପି ଓ ମିତାର ମନରେ ଅଫୁରନ୍ତ ଆନନ୍ଦ । ବୋକା ବୁବୁ ବିଶେଷ କିଛି ବୁଝିପାରି ନଥିଲା । ତଥାପି ଅନ୍ୟର ଖୁସି ତା ମନରେ ବେଶ ପ୍ରତିଫଳିତ ହୋଇ ପାରୁଥିଲା । ସନ୍ତୋଷ ଆଜି ଖୁସି ହଉଥିଲା । ଠିକ୍ ନିଜ ଲୋକ ପରି ସେ ଯେମିତି ସତରେ ମାମି ଓ ମନୁର ବଡ଼ ଭାଇ । ଗାଡ଼ିଟା ମଧ୍ୟମ ଧରଣର ଗତିରେ ଚାଲିଥିଲା । ମନୋଜ ପାଖରେ ଥିଲା ମାମି, ସେ ହସି ହସି କହୁଥିଲା—ଶୁଣିଲ ମାମି ବାପାଙ୍କ କଥା ? ଛୋଟ ଦିନରୁ ଏମିତି ଶୁଣି ଆସୁଛି । ସେଇଥିପାଇଁ ଏବେ ବି ତାଙ୍କ ସାମ୍ନାରେ ଠିଆ ହବାର ସାହସ ମୋର ନାହିଁ ।

 

: ବାପ ତ, ସେଇଥିପାଇଁ ସେ ଶାସନ କରୁଥିଲେ । ତା ଛଡ଼ା ସିଧା ସଳଖ ସବୁ କହିଦବା ଭଲ ତମେ ଯଦି ବାପାଙ୍କ ଠାରୁ ସେଇ ଟିକକ ଶିଖି ପାରିଥାନ୍ତ... ।

 

: ଅଟକି ଗଲ ଯେ ? କିନ୍ତୁ ଫଳ କଣ ହୋଇଥାନ୍ତା ଜାଣ ?

 

: କିଛି ନାହିଁ... ।

 

: ତମ ଧାରଣା ଭୁଲ ମାମି, ସେମିତି ହୋଇଥିଲେ ଆଜି ତମ ସହ ଗାଡ଼ିରେ ନ ଥାନ୍ତି । ପାଗଳା ଖାନାରେ ଚିତ୍କାର କରୁଥାନ୍ତି... ।

 

: ତମେ କେମିତି ଭାବୁଛ, ତମ ଜୀବନର ସବୁ କିଛି ସମାଧାନ ହୋଇଗଲା ବୋଲି ?

 

: କାହିଁକି ? ତମେ କଣ ମତେ କ୍ଷମା କରିନ... ।

 

: କ୍ଷମା କଣ, ମୁଁ ପୁଣି ତମକୁ କ୍ଷମା କରିବି ? ତମେ କି ଅପରାଧ କରିଛ । ପାଖରେ ତମେ କଣ ଏତିକି ଜାଣନା ପୋଡ଼ିଗଲା ତିଅଣରେ ସ୍ଵାଦ ନଥାଏ... ।

 

: ଛାଡ଼ ମାମି ସେ ମୋରାଲ୍ କଥା ଛାଡ଼; ପୋଡ଼ିଗଲା ତିଅଣରେ ସିନା ସ୍ୱାଦ ନଥାଏ । କିନ୍ତୁ ପୋଡ଼ିଗଲା ହୃଦୟର ଘା’ରେ ବର୍ଣ୍ଣଲ ଭଲ କରିଦବ । ହୃଦୟରେ ବର୍ଣ୍ଣଲ ଲଗାଇ ପାରିବି ମାମା । କିନ୍ତୁ ତମ ବିନା ଆଉ ବଞ୍ଚି ପାରିବିନି । ହସି ଦେଇ ମନୁ ଗୋଟେ ହାତରେ ଷ୍ଟିୟରିଂ ଧରି ଅନ୍ୟ ହାତଟି ମାମି କାନ୍ଧରେ ପକାଇ ପାଖକୁ ଟାଣି ଆଣିଥିଲା, ମାମି ହସୁଥିଲା । ଆଜି ତା ନିର୍ବୋଧ ସ୍ଵାମୀକୁ ଦେଖ । ଦୁହେଁ ଚାଲିଥିଲେ ତାଙ୍କ ଜୀବନ ଯାତ୍ରାରେ କର୍ତ୍ତବ୍ୟ ସମ୍ପାଦନ କରିବାର ଶପଥ ନେଇ ।

Image